ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଅକ୍ଟୋବର ପୃଷ୍ଠା ୨-୫
  • ୧୯୨୫—ଶହେ ବର୍ଷ ପୂର୍ବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୯୨୫—ଶହେ ବର୍ଷ ପୂର୍ବେ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଆଶା ପୂରା ହେବାରେ ବିଳମ୍ବ ହେଲା
  • ରେଡିଓର ତରଙ୍ଗ ପହଞ୍ଚିଲା ଆହୁରି ଦୂର ଦୂରାନ୍ତ ଅଞ୍ଚଳ
  • ଆମେ ଏକ ମହତ୍ତ୍ୱପୂର୍ଣ୍ଣ ସତ୍ୟ ଶିଖିଲୁ
  • ବାଇବଲ ବିଦ୍ୟାର୍ଥୀମାନେ ଶିଖିଲେ ଯେ ସେମାନଙ୍କୁ ଯିହୋବାଙ୍କ ବିଷୟରେ ସାକ୍ଷ୍ୟ ଦେବାର ଅଛି
  • ଆଗ୍ରହ ଦେଖାଉଥିବା ଲୋକଙ୍କୁ ପୁନଃସାକ୍ଷାତ କରିବା
  • ଆଗକୁ ଦେଖିବା
  • ୧୯୨୪—ଶହେ ବର୍ଷ ପୂର୍ବେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ୧୯୨୨​—ଶହେ ବର୍ଷ ପୂର୍ବର ଇତିହାସ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଅକ୍ଟୋବର ପୃଷ୍ଠା ୨-୫
୧୯୨୫ ମସିହାରେ ଇଣ୍ଡିୟାନା ରାଜ୍ୟର ଇଣ୍ଡିୟାନାପୋଲିସ ସହରରେ ହୋଇଥିବା ଅଧିବେଶନରେ ଅନେକ ଭାଇଭଉଣୀ ସାଙ୍ଗରେ ମିଶି ଫଟୋ ଉଠାଉଛନ୍ତି ।

୧୯୨୫ ମସିହାରେ ଇଣ୍ଡିୟାନା ରାଜ୍ୟର ଇଣ୍ଡିୟାନାପୋଲିସ ସହରରେ ହୋଇଥିବା ଅଧିବେଶନ

୧୯୨୫—ଶହେ ବର୍ଷ ପୂର୍ବେ

“ଆମେ ଖ୍ରୀଷ୍ଟିୟାନମାନେ ଏହି ବର୍ଷର ଆଗ୍ରହର ସହ ଅପେକ୍ଷା କରିଛୁ !” ଏହି କଥା ୧ ଜାନୁୟାରୀ, ୧୯୨୫ ମସିହାର ପ୍ରହରୀଦୁର୍ଗରେ ଲେଖାଥିଲା । କିନ୍ତୁ ସେଥିରେ ଏହା ମଧ୍ୟ ଲେଖାଥିଲା: “ଏହି ବର୍ଷ କʼଣ କʼଣ ହେବ, ଏବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଆମ ଧ୍ୟାନ ଏକଥା ଉପରେ ହେବା ଉଚିତ୍‌ ଯେ ଆମେ ପ୍ରଭୁଙ୍କ ସେବାରେ କʼଣ କରିପାରିବା ।” ବାଇବଲ ବିଦ୍ୟାର୍ଥୀମାନେ କାହିଁକି ୧୯୨୫ ମସିହାର ଅପେକ୍ଷା କରୁଥିଲେ ? ସେମାନେ କʼଣ ଆଶା କରୁଥିଲେ ? ଆଉ ଯେବେ ସେମାନଙ୍କର ଆଶା ପୂରା ହେଲା ନାହିଁ, ତେବେ ବି ସେମାନେ କିପରି ଉତ୍ସାହର ସହ ପ୍ରଚାର କରିବା ଜାରି ରଖିଲେ ?

ଆଶା ପୂରା ହେବାରେ ବିଳମ୍ବ ହେଲା

ଅନେକ ବାଇବଲ ବିଦ୍ୟାର୍ଥୀ ମାନୁଥିଲେ ଯେ ୧୯୨୫ ମସିହାରେ ପୃଥିବୀ ପାରଦୀଶରେ ପରିଣତ ହୋଇଯିବ । ଏପରି କାହିଁକି ? ଭାଇ ଆଲବର୍ଟ ସ୍ରୋଡର, ଯିଏ ଆଗକୁ ଯାଇ ପ୍ରଶାସନ ଦଳର ସଦସ୍ୟ ହେଲେ, ସେ କହନ୍ତି, “ଆମେ ଭାବୁଥିଲୁ ଯେ ୧୯୨୫ ମସିହାରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଚାଲିଯିବେ । ଆଉ ପୃଥିବୀରେ ଅବ୍ରହାମ ଓ ଦାଉଦଙ୍କ ଭଳି ବିଶ୍ୱସ୍ତ ଲୋକମାନଙ୍କୁ ପୁଣି ଜୀବିତ କରାଯିବ ଏବଂ ସେମାନେ ଅଧିପତି ଭାବେ ପୃଥିବୀରେ ସେବା କରିବେ ।” କିନ୍ତୁ ଯେବେ ଏପରି ହେଲା ନାହିଁ, ତେବେ କିଛି ଭାଇଭଉଣୀ ବହୁତ ନିରାଶ ହୋଇଗଲେ ।—ହିତୋ. ୧୩:୧୨.

ନିରାଶ ଥିବା ସତ୍ତ୍ୱେ ଅଧିକାଂଶ ବାଇବଲ ବିଦ୍ୟାର୍ଥୀ ଉତ୍ସାହର ସହ ପ୍ରଚାର କରିବା ଜାରି ରଖିଲେ । ସେମାନଙ୍କୁ ଅନୁଭବ ହେଲା ଯେ ସେମାନଙ୍କ ପାଇଁ ସବୁଠୁ ଜରୁରୀ କାମ ହେଉଛି, ଯିହୋବାଙ୍କ ବିଷୟରେ ସାକ୍ଷ୍ୟ ଦେବା । ଆସନ୍ତୁ ଜାଣିବା ଯେ ସେମାନେ ସତ୍ୟକୁ ଦୂର ଦୂର ଯାଏଁ ପହଞ୍ଚାଇବା ପାଇଁ କʼଣ କଲେ ।

ରେଡିଓର ତରଙ୍ଗ ପହଞ୍ଚିଲା ଆହୁରି ଦୂର ଦୂରାନ୍ତ ଅଞ୍ଚଳ

ଏହାର ଗତ ବର୍ଷ ଅର୍ଥାତ୍‌ ୧୯୨୪ ମସିହା ମଧ୍ୟରେ, ଅନେକ ଲୋକ ରେଡିଓରେ ଡବ୍ଲୁ.ବି.ବି.ଆର. ଷ୍ଟେସନରୁ ପ୍ରସାରିତ ଆମ କାର୍ଯ୍ୟକ୍ରମକୁ ଶୁଣିଥିଲେ । ତେଣୁ ବାଇବଲ ବିଦ୍ୟାର୍ଥୀମାନେ ନିଷ୍ପତ୍ତି ନେଲେ ଯେ ସେମାନେ ଆଉ ଏକ ବଡ଼ ଷ୍ଟେସନ ନିର୍ମାଣ କରିବେ । ଏହି ନୂଆ ଷ୍ଟେସନ ଇଲିନୟ ରାଜ୍ୟର ଚିକାଗୋ ପାଖରେ ନିର୍ମାଣ କରାଗଲା ଏବଂ ଏହାର ନାମ ରଖାଗଲା ଡବ୍ଲୁ.ଓ.ଆର.ଡି. (ଅର୍ଥାତ୍‌ “ୱର୍ଡ,” ଯାହାର ଅର୍ଥ ହେଉଛି, “ବାକ୍ୟ”) । ରାଲଫ୍‌ ଲେଫଲର୍‌ ନାମକ ଜଣେ ଭାଇ, ଯିଏ ଏହି ଷ୍ଟେସନର ନିର୍ମାଣ କରିବାରେ ସାହାଯ୍ୟ କରିଥିଲେ, ସେ କହନ୍ତି, “ହାଡ଼ଭଙ୍ଗା ଶୀତରେ ମଧ୍ୟ ସନ୍ଧ୍ୟା ସମୟରେ ଦୂର ଦୂରାନ୍ତର ଲୋକମାନେ ରେଡିଓରେ ଆମ କାର୍ଯ୍ୟକ୍ରମକୁ ଶୁଣୁଥିଲେ ।” ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବାର ପ୍ରାରମ୍ଭିକ ଦିନଗୁଡ଼ିକରେ ଗୋଟିଏ ଏପରି ପରିବାର ଆମ କାର୍ଯ୍ୟକ୍ରମକୁ ଶୁଣିଥିଲା, ଯିଏ ଷ୍ଟେସନରୁ ପ୍ରାୟ ୫,୦୦୦ କିଲୋମିଟର (୩,୦୦୦ ମାଇଲ) ଦୂର ଆଲାସ୍କାର ପାୟଲଟ ଷ୍ଟେସନରେ ରହୁଥିଲା । ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଏତେ ଭଲ ଲାଗିଲା ଯେ ସେମାନେ ଚିଠି ଲେଖି ଭାଇମାନଙ୍କୁ ଧନ୍ୟବାଦ ଜଣାଇଲେ । ସେମାନେ କହିଲେ ଯେ ଏହି କାର୍ଯ୍ୟକ୍ରମରୁ ସେମାନଙ୍କୁ ବହୁତ ଉତ୍ସାହ ମିଳିଲା ଏବଂ ସେମାନେ ଈଶ୍ୱର ଓ ବାଇବଲ ବିଷୟରେ ଅନେକ କଥା ଜାଣିପାରିଲେ ।

ବାମ ପଟେ: ଇଲିନୟ ରାଜ୍ୟର ବଟେୱିୟା ସହରରେ ଥିବା ଡବ୍ଲୁ.ଓ.ଆର.ଡିର. ଟ୍ରାନ୍ସମିସନ୍‌ ଟାୱର

ଡାହାଣ ପଟେ: ରାଲଫ୍‌ ଲେଫଲର୍‌ ରେଡିଓ ଷ୍ଟେସନରେ କାମ କରୁଥିବା ସମୟର ଚିତ୍ର

ଏହି ଷ୍ଟେସନ ବିଷୟରେ ୧ ଡିସେମ୍ବର, ୧୯୨୫ର ପ୍ରହରୀଦୁର୍ଗରେ ଏହା କୁହାଗଲା, “ଡବ୍ଲୁ.ଓ.ଆର.ଡି. ଆମେରିକାର ସବୁଠୁ ବଢ଼ିଆ ରେଡିଓ ଷ୍ଟେସନଗୁଡ଼ିକ ମଧ୍ୟରୁ ଗୋଟିଏ । ଏଥିରେ ୫,୦୦୦ ୱାର୍ଟ୍‌ର ଟ୍ରାନ୍ସମିଟର ଲଗାଯାଇଛି । ସେଥିପାଇଁ ଏହା ଆମେରିକାର ପଶ୍ଚିମ ଉପକୂଳରୁ ନେଇ ପୂର୍ବ ଉପକୂଳ ଯାଏଁ, ଏପରିକି କ୍ୟୁବା ଦେଶ ଏବଂ ଆଲାସ୍କା ରାଜ୍ୟର ଉତ୍ତର ଭାଗଗୁଡ଼ିକରେ ମଧ୍ୟ ଏହାର ଶବ୍ଦ ସ୍ପଷ୍ଟ ଭାବେ ଶୁଣାଯାଏ । ଅନେକ ଲୋକ ଏହି ଷ୍ଟେସନ ଜରିଆରେ ସତ୍ୟକୁ ପ୍ରଥମ ଥର ଶୁଣିଲେ ଏବଂ ସେମାନେ ଏବିଷୟରେ ଆହୁରି ଜାଣିବା ପାଇଁ ଚାହାନ୍ତି ।”

ଜର୍ଜ ନେସ୍‌

ଏହି ସମୟ ମଧ୍ୟରେ କାନାଡ଼ାରେ ବି ବାଇବଲ ବିଦ୍ୟାର୍ଥୀମାନେ ରେଡିଓ ଜରିଆରେ ପ୍ରଚାର କରିବାର ଚେଷ୍ଟାରେ ଲାଗି ରହିଥିଲେ । ୧୯୨୪ ମସିହାରେ ସାସ୍କେଚେୱାନ୍‌ ପ୍ରାନ୍ତର ସାସକାଟୁନ୍‌ ସହରରେ ଭାଇମାନେ ସି.ଏଚ.ୟୁ.ସି. ନାମକ ରେଡିଓ ଷ୍ଟେସନ ନିର୍ମାଣ କଲେ । ଏହା କାନାଡ଼ାର ସେହି ପ୍ରଥମ ରେଡିଓ ଷ୍ଟେସନଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା, ଯେଉଁଥିରୁ ଧାର୍ମିକ କାର୍ଯ୍ୟକ୍ରମ ପ୍ରସାରିତ କରାଯାଉଥିଲା । କିନ୍ତୁ ୧୯୨୫ ମସିହା ଆସୁ ଆସୁ, ସେହି ଷ୍ଟେସନରେ ଜାଗା କମ୍‌ ପଡ଼ିଲା । ସେଥିପାଇଁ ୱାଚଟାୱର ସୋସାଇଟି ସାସକାଟୁନ୍‌ରେ ହିଁ ରିଜେଣ୍ଟ ନାମକ ଗୋଟିଏ ଥିଏଟର କିଣିଲା ଏବଂ ତାହାକୁ ଏକ ରେଡିଓ ଷ୍ଟେସନ ଭାବେ ନିର୍ମାଣ କଲା । ଏହାପରେ ସେଠାରୁ ହିଁ ଆମ କାର୍ଯ୍ୟକ୍ରମ ପ୍ରସାରିତ ହେବାକୁ ଲାଗିଲା ।

ସାସ୍କେଚେୱାନ୍‌ ପ୍ରାନ୍ତର ଅଞ୍ଚଳ ଦୂର ଦୂରାନ୍ତ ଯାଏଁ ବ୍ୟାପିଛି ଏବଂ ସେଠାରେ ଅନେକ ଛୋଟ ଛୋଟ ଗାଁ ରହିଛି, ଯେଉଁଠି ବହୁତ କମ୍‌ ଲୋକ ରହନ୍ତି । କିନ୍ତୁ ଏହି ଷ୍ଟେସନ ଯୋଗୁଁ ସେହି ଦୂର ଦୂରାନ୍ତର ଲୋକମାନଙ୍କୁ ସତ୍ୟ ବିଷୟରେ ଜାଣିବାର ସୁଯୋଗ ମିଳିଲା । ଯେପରି, ଗୋଟିଏ ଛୋଟ ଗାଁରେ ରହୁଥିବା ମିସେଜ୍‌ ଗ୍ରେହମ୍‌ ଆମକୁ ଗୋଟିଏ ଚିଠି ଲେଖିଲେ । ସେ ରେଡିଓରୁ ଆମ କାର୍ଯ୍ୟକ୍ରମ ଶୁଣିଥିଲେ ଏବଂ ସେ ବାଇବଲ ଆଧାରିତ ବହିଗୁଡ଼ିକ ମଗାଇବା ପାଇଁ ଚାହୁଁଥିଲେ । ଭାଇ ଜର୍ଜ ନେଶ୍‌ କହନ୍ତି, “ନିଜ ଚିଠିରେ ସେ ସାହାଯ୍ୟ ପାଇଁ ବିନତି କରୁଥିଲେ, ସେଥିପାଇଁ ଆମକୁ ଲାଗିଲା ଯେ ତାଙ୍କ ପାଇଁ ଯେମିତି ହେଲେ ବି ଶାସ୍ତ୍ରର ଅଧ୍ୟୟନ ବହିର ସମସ୍ତ ଖଣ୍ଡ ପଠାଇବାକୁ ହିଁ ପଡ଼ିବ ।” ଦେଖୁ ଦେଖୁ, ମିସେଜ୍‌ ଗ୍ରେହମ୍‌ ଆହୁରି ଦୂର ଦୂରାନ୍ତ ଅଞ୍ଚଳଗୁଡ଼ିକରେ ପ୍ରଚାର କରିବାକୁ ଲାଗିଲେ ।

ଆମେ ଏକ ମହତ୍ତ୍ୱପୂର୍ଣ୍ଣ ସତ୍ୟ ଶିଖିଲୁ

୧ ମାର୍ଚ୍ଚ, ୧୯୨୫ର ପ୍ରହରୀଦୁର୍ଗରେ ଏକ ବିଶେଷ ଲେଖା ପ୍ରକାଶିତ କରାଗଲା । ଯାହାର ଶୀର୍ଷକ ଥିଲା, “ରାଷ୍ଟ୍ରର ଜନ୍ମ ।” ଏହି ଲେଖା କାହିଁକି ସ୍ମରଣୀୟ ଥିଲା ? ବାଇବଲ ବିଦ୍ୟାର୍ଥୀମାନେ କିଛି ସମୟରୁ ଏହା ଜାଣିଥିଲେ ଯେ ଶୟତାନର ଗୋଟିଏ ସଂଗଠନ ଅଛି, ଯେଉଁଥିରେ ଦୁଷ୍ଟ ସ୍ୱର୍ଗଦୂତ, ମିଥ୍ୟା ଧର୍ମ, ସରକାରଗୁଡ଼ିକ ଏବଂ ବ୍ୟାପାର ଜଗତ ସାମିଲ୍‌ ଅଛି । କିନ୍ତୁ ଏହି ଲେଖା ଜରିଆରେ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ,” ଭାଇମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କଲା ଯେ ଯିହୋବାଙ୍କର ମଧ୍ୟ ଗୋଟିଏ ସଂଗଠନ ଅଛି । (ମାଥି. ୨୪:୪୫) ଏଥିରେ ସ୍ୱର୍ଗଦୂତ ଏବଂ ପୃଥିବୀରେ ରହୁଥିବା ଯିହୋବାଙ୍କ ଲୋକେ ସାମିଲ୍‌ ଅଛନ୍ତି । ସେମାନେ ନିଜକୁ ଶୟତାନର ସଂଗଠନଠାରୁ ଦୂରେଇ ରଖନ୍ତି । ସେମାନେ ଯିହୋବାଙ୍କ ରାଜ୍ୟକୁ ସହଯୋଗ ଦେବା ପାଇଁ ସାଙ୍ଗରେ ମିଶି କାମ କରନ୍ତି ଏବଂ ସେମାନେ ଶୟତାନ ଓ ତାକୁ ସହଯୋଗ କରୁଥିବା ଲୋକମାନଙ୍କୁ ବିରୋଧ କରନ୍ତି । ଏହି ଲେଖାରେ ଏହା ମଧ୍ୟ ବୁଝାଇ ଦିଆଗଲା ଯେ ୧୯୧୪ ମସିହାରେ ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହେଲା ଏବଂ ଏହି ବର୍ଷ “ସ୍ୱର୍ଗରେ ଯୁଦ୍ଧ” ମଧ୍ୟ ହେଲା । ଏହି ଯୁଦ୍ଧରେ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ସ୍ୱର୍ଗରୁ ପୃଥିବୀକୁ ଫିଙ୍ଗି ଦିଆଗଲା ।—ପ୍ରକା. ୧୨:୭-୯.

କିଛି ଭାଇଭଉଣୀଙ୍କୁ ଏହି ନୂଆ ମହତ୍ତ୍ୱପୂର୍ଣ୍ଣ ସତ୍ୟକୁ ମାନିବା କଠିନ ଲାଗୁଥିଲା । କିନ୍ତୁ ସେହି ଲେଖାରେ ଏହା ବି କୁହାଯାଇଥିଲା: “ଯଦି ପ୍ରହରୀଦୁର୍ଗର କିଛି ପାଠକ ଏହି ଲେଖାରେ ଥିବା କଥାଗୁଡ଼ିକ ସହ ସହମତ ନାହାନ୍ତି, ତାହେଲେ ତାଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ପ୍ରଭୁଙ୍କ ସମୟର ଅପେକ୍ଷା କରନ୍ତୁ ଏବଂ ବିଶ୍ୱସ୍ତତାର ସହ ତାଙ୍କର ସେବା କରିବା ଜାରି ରଖନ୍ତୁ ।”

ଅଧିକାଂଶ ବାଇବଲ ବିଦ୍ୟାର୍ଥୀଙ୍କୁ ଏହି ଲେଖା ପଢ଼ି କିପରି ଲାଗିଲା ? ବ୍ରିଟେନ୍‌ର ଜଣେ କଲପର୍ଟର (ଯେଉଁମାନଙ୍କୁ ଆଜି ଅଗ୍ରଦୂତ ବୋଲି କୁହାଯାଏ), ଭାଇ ଟୋମ୍‌ ଏୟନ୍‌ କହନ୍ତି, “ପ୍ରକାଶିତ ବାକ୍ୟ ୧୨ ଅଧ୍ୟାୟରେ ଦିଆଯାଇଥିବା ମହତ୍ତ୍ୱପୂର୍ଣ୍ଣ ସତ୍ୟଗୁଡ଼ିକ ବିଷୟରେ ଜାଣି ଭାଇମାନଙ୍କୁ ବହୁତ ଖୁସି ଲାଗିବା ଏବଂ ଆମ ଭିତରେ ଉତ୍ସାହ ଭରିଗଲା । ଯେବେ ଆମକୁ ଜଣାପଡ଼ିଲା ଯେ ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି, ତେବେ ଆମେ ଏହି ଖୁସିର ଖବର ସମସ୍ତଙ୍କୁ ଶୁଣାଇବା ପାଇଁ ଚାହୁଁଥିଲୁ । ଆମେ ସ୍ପଷ୍ଟ ଦେଖିପାରୁଥିଲୁ ଯେ ଯିହୋବା ଆହୁରି ବଡ଼ ବଡ଼ କାମ କରିବା ପାଇଁ ଯାଉଛନ୍ତି ଏବଂ ଆମେ ଭାବି ନେଇଥିଲୁ ଯେ ଆମେ ଅଧିକରୁ ଅଧିକ ତାଙ୍କର ସେବା କରିବା ।”

ବାଇବଲ ବିଦ୍ୟାର୍ଥୀମାନେ ଶିଖିଲେ ଯେ ସେମାନଙ୍କୁ ଯିହୋବାଙ୍କ ବିଷୟରେ ସାକ୍ଷ୍ୟ ଦେବାର ଅଛି

ଆଜି ଯିହୋବାଙ୍କ ସାକ୍ଷୀମାନେ ପ୍ରାୟ ଯିଶାଇୟ ୪୩:୧୦ ପଦରେ ଲେଖାଥିବା କଥା ଉପରେ ଚର୍ଚ୍ଚା କରନ୍ତି । ଯେଉଁଠି ଲେଖାଅଛି, ‘ଯିହୋବା କହନ୍ତି, ତୁମ୍ଭେମାନେ ମୋର ସାକ୍ଷୀ ଓ ମୋର ମନୋନୀତ ଦାସ ଅଟ ।’ କିନ୍ତୁ ୧୯୨୫ ମସିହା ପୂର୍ବରୁ ହୁଏତ ଏହି ପଦ ଉପରେ ଆମ ବହି ପତ୍ରିକାଗୁଡ଼ିକରେ ବହୁତ କମ୍‌ ଚର୍ଚ୍ଚା କରାଯାଇଥିଲା । କʼଣ ୧୯୨୫ ମସିହାରେ କିଛି ପରିବର୍ତ୍ତନ ହେଲା ? ଏହି ବର୍ଷ ଯିଶାଇୟ ୪୩:୧୦ ଏବଂ ୧୨ ପଦରେ ଲେଖାଥିବା କଥାଟି ପ୍ରହରୀଦୁର୍ଗର ୧୧ଟି ସଂଖ୍ୟାରେ ପ୍ରକାଶିତ କରାଗଲା !

ଅଗଷ୍ଟ ୧୯୨୫ ମସିହାରେ ବାଇବଲ ବିଦ୍ୟାର୍ଥୀମାନଙ୍କର ଗୋଟିଏ ବଡ଼ ଅଧିବେଶନ ହେଲା । ଏହି ଅଧିବେଶନ ୮ ଦିନର ଥିଲା, ଯାହା ଇଣ୍ଡିୟାନା ରାଜ୍ୟର ଇଣ୍ଡିୟାନାପୋଲିସ ସହରରେ ରଖାଯାଇଥିଲା । କାର୍ଯ୍ୟକ୍ରମର ପରଚାରେ ଯୋଷେଫ ଏଫ୍‌. ରଦରଫର୍ଡଙ୍କ ତରଫରୁ ଏହି ସନ୍ଦେଶ ଲେଖାଥିଲା, “ଆମେ ଏହି ଅଧିବେଶନରେ ଏଥିପାଇଁ ଆସିଛୁ ଯେ ଆମକୁ ପ୍ରଭୁଙ୍କଠାରୁ ଶକ୍ତି ମିଳୁ, ଯାହାଫଳରେ ଆମେ ଏଠାରୁ ଗଲା ପରେ ନୂଆ ଉତ୍ସାହର ସହ ତାଙ୍କ ବିଷୟରେ ସାକ୍ଷ୍ୟ ଦେଇପାରିବା ।” ପ୍ରତିଦିନ ଅଧିବେଶନରେ ଉପସ୍ଥିତ ଲୋକମାନଙ୍କୁ ପ୍ରୋତ୍ସାହନ ଦିଆଗଲା ଯେ ସେମାନେ ଉତ୍ସାହର ସହିତ ଯିହୋବାଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କୌଣସି ବି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ।

ଶନିବାର, ୨୯ ଅଗଷ୍ଟରେ ଭାଇ ରଦରଫର୍ଡ ଗୋଟିଏ ଭାଷଣ ଦେଲେ, ଯାହାର ଶୀର୍ଷକ ଥିଲା, “କଟି ବାନ୍ଧ ।” ଭାଇ ବୁଝାଇଲେ ଯେ ସାକ୍ଷ୍ୟ ଦେବା କାହିଁକି ଜରୁରୀ ଅଟେ । ସେ କହିଲେ, “ଯିହୋବା ନିଜ ଲୋକମାନଙ୍କୁ କହୁଛନ୍ତି . . . ‘ତୁମ୍ଭେମାନେ ମୋର ସାକ୍ଷୀ ଅଟ ଓ ମୁଁ ପରମେଶ୍ୱର ଅଟେ ।’ ଏହାପରେ ସେ ସ୍ପଷ୍ଟ ଭାବେ ଆଜ୍ଞା ଦିଅନ୍ତି, ‘ଗୋଷ୍ଠୀସମୂହ ନିମନ୍ତେ ଏକ ଧ୍ୱଜା ଉଠାଅ ।’ ପୃଥିବୀରେ ଏପରି କେହି ବି ନାହାନ୍ତି, ଯେଉଁମାନେ ଲୋକମାନଙ୍କ ପାଇଁ ଧ୍ୱଜା ବା ପତାକା ଉଠାଇପାରିବେ ଏବଂ ଯିହୋବାଙ୍କ ବିଷୟରେ ସାକ୍ଷ୍ୟ ଦେଇପାରିବେ । କେବଳ ଯିହୋବାଙ୍କ ଲୋକମାନେ ଏପରି କରିପାରିବେ, କାରଣ ତାଙ୍କ ଉପରେ ପ୍ରଭୁଙ୍କ ପବିତ୍ର ଶକ୍ତି ଅଛି ।”—ଯିଶା. ୪୩:୧୨; ୬୨:୧୦.

“ଆଶାର ସନ୍ଦେଶ” ପ୍ରସ୍ତାବ ଛପାଯାଇଥିବା ଟ୍ରାକ୍ଟ ।

ଆଶାର ସନ୍ଦେଶ ଟ୍ରାକ୍ଟ

ଭାଇ ରଦରଫର୍ଡ ଭାଷଣ ପରେ ଗୋଟିଏ ପ୍ରସ୍ତାବ ଦେଲେ ଯାହାର ଶୀର୍ଷକ ଥିଲା, “ଆଶାର ସନ୍ଦେଶ ।” ଏଥିରେ ଲେଖାଥିଲା ଯେ ଈଶ୍ୱରଙ୍କ ରାଜ୍ୟ ଯୋଗୁଁ ହିଁ ଆମେ ଆଶା ରଖିପାରିବା ଯେ ଆମକୁ “ଶାନ୍ତି, ଭଲ ସ୍ୱାସ୍ଥ୍ୟ, ସ୍ୱାଧୀନତା ଓ ଅନନ୍ତ ଜୀବନ ମିଳିବ, ଯେଉଁଠି ଆମେ ବହୁତ ଖୁସିରେ ରହିବା ।” ସମସ୍ତ ଲୋକମାନେ ଏକମତ ହୋଇ ପ୍ରସ୍ତାବର ଉତ୍ତର ଦେଇ ବଡ଼ ପାଟିରେ ‘ହଁ’ ବୋଲି କହିଲେ । ଆଗକୁ ଯାଇ ଏହି ପ୍ରସ୍ତାବକୁ ଅନେକ ଭାଷାରେ ଅନୁବାଦ କରାଗଲା ଏବଂ ଏହାକୁ ଟ୍ରାକ୍ଟ ଭାବେ ଛପାଗଲା । ଏହି ଟ୍ରାକ୍ଟର ପ୍ରାୟ ୪ କୋଟି କପି ବଣ୍ଟାଗଲା ।

ଯଦିଓ ବାଇବଲ ବିଦ୍ୟାର୍ଥୀମାନେ ‘ଯିହୋବାଙ୍କ ସାକ୍ଷୀ,’ ଏହି ନାମକୁ କିଛି ବର୍ଷ ପରେ ଆପଣାଇଲେ, ତଥାପି ସେମାନେ ଏହା ବୁଝିବାକୁ ଲାଗିଥିଲେ ଯେ ତାଙ୍କ ଦାୟିତ୍ୱ ହେଉଛି, ଯିହୋବାଙ୍କ ବିଷୟରେ ସାକ୍ଷ୍ୟ ଦେବା ।

ଆଗ୍ରହ ଦେଖାଉଥିବା ଲୋକଙ୍କୁ ପୁନଃସାକ୍ଷାତ କରିବା

ସାରା ଦୁନିଆରେ ବାଇବଲ ବିଦ୍ୟାର୍ଥୀମାନେ ଜୋର୍‌ ସୋର୍‌ରେ ପ୍ରଚାର କରୁଥିଲେ ଏବଂ ସେମାନଙ୍କ ସଂଖ୍ୟା ବଢ଼ୁଥିଲା । ସଂଗଠନ ସମସ୍ତଙ୍କୁ ପ୍ରୋତ୍ସାହନ ଦେଲା ଯେ ସେମାନେ ବହି ପତ୍ରିକା ବାଣ୍ଟିବା ଛଡ଼ା ସେହି ଲୋକମାନଙ୍କୁ ପୁଣିଥରେ ଭେଟନ୍ତୁ, ଯେଉଁମାନେ ଅଧିକ ଜାଣିବା ପାଇଁ ଚାହାନ୍ତି । ଯେପରି, ଆଶାର ସନ୍ଦେଶ ଟ୍ରାକ୍ଟ ବାଣ୍ଟିବା ଅଭିଯାନ ପରେ ଧ୍ୟାନ ଦିଅନ୍ତୁ ଯେ ବୁଲେଟିନ୍‌ରେa କେଉଁ କଥାର ପ୍ରୋତ୍ସାହନ ଦିଆଯାଇଥିଲା: “ସେହି ଲୋକମାନଙ୍କୁ ପୁଣିଥରେ ଭେଟନ୍ତୁ, ଯେଉଁମାନଙ୍କୁ ଆପଣ ଆଶାର ସନ୍ଦେଶ ଟ୍ରାକ୍ଟ ଦେଇଥିଲେ, ଯଦିଓ ସେମାନେ ଅନ୍ୟ କୌଣସି ବହି ନେଇ ନ ଥିଲେ ।”

ଜାନୁୟାରୀ ୧୯୨୫ ମସିହାର ବୁଲେଟିନ୍‌ରେ ଟେକ୍ସସ ରାଜ୍ୟର ପ୍ଲେନୋ ସହରର ଜଣେ ବାଇବଲ ବିଦ୍ୟାର୍ଥୀଙ୍କ ଅନୁଭୂତି ଦିଆଯାଇଥିଲା । ସେ କହନ୍ତି, “ଆମକୁ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ଲାଗେ ଯେ ନୂଆ ଅଞ୍ଚଳଗୁଡ଼ିକ ଅପେକ୍ଷା ଆଗରୁ ପ୍ରଚାର ହୋଇ ସାରିଥିବା ଅଞ୍ଚଳଗୁଡ଼ିକରେ ଭଲ ପରିଣାମ ମିଳୁଛି । ଆମ ସହରରେ ଗୋଟିଏ ଏପରି ଅଞ୍ଚଳ ଅଛି, ଯେଉଁଠି ଗତ ଦଶ ବର୍ଷ ମଧ୍ୟରେ ପ୍ରାୟ ପାଞ୍ଚ ଥର ପ୍ରଚାର ହୋଇସାରିଛି । . . . କିଛି ସମୟ ପୂର୍ବେ ମୋର ମାଆ ଓ ଭଉଣୀ ହେଣ୍ଡ୍ରିକ୍ସ ପୁଣିଥରେ ସେହି ଅଞ୍ଚଳକୁ ଯାଇଥିଲେ ଏବଂ ସେମାନେ ଏତେଗୁଡ଼ିଏ ବହି ପୁସ୍ତିକା ଦେଲେ, ଯେତେ ଆଗରୁ କେବେ ଦିଆଯାଇ ନ ଥିଲା ।”

ପାନାମା ଦେଶର ଜଣେ କଲପର୍ଟର ଗୋଟିଏ ଚିଠିରେ ଲେଖିଲେ, “ମୁଁ ଦେଖିଛି ଯେ ଅନେକ ଲୋକ ଯେଉଁମାନେ ପ୍ରଥମ ସାକ୍ଷାତରେ ହିଁ ଆମକୁ ଘରୁ ତଡ଼ି ଦେଉଥିଲେ, ସେମାନେ ଦ୍ୱିତୀୟ କିମ୍ବା ତୃତୀୟ ସାକ୍ଷାତରେ ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଉଥିଲେ । ଗତ ବର୍ଷ ମୁଁ ବିଶେଷ କରି ସେହି ଲୋକମାନଙ୍କୁ ପ୍ରଚାର କଲି, ଯେଉଁମାନଙ୍କୁ ମୁଁ ଆଗରୁ ଭେଟି ସାରିଥିଲି ଏବଂ ମୋତେ ଅନେକ ଭଲ ପରିଣାମ ମିଳିଲା ।”

ଆଗକୁ ଦେଖିବା

୧୯୨୫ ମସିହାର ଶେଷରେ ଭାଇ ରଦରଫର୍ଡ ସମସ୍ତ କଲପର୍ଟର ଭାଇଭଉଣୀମାନଙ୍କୁ ଏକ ଚିଠି ଲେଖିଲେ । ସେହି ଚିଠିରେ ସେ ସେହି ବର୍ଷ ମଧ୍ୟରେ ହୋଇଥିବା ପ୍ରଚାର କାମ ବିଷୟରେ କହିଲେ ଏବଂ ଆସନ୍ତା ବର୍ଷରେ ମଧ୍ୟ ଉତ୍ସାହର ସହ ପ୍ରଚାର କରିବାର ପ୍ରୋତ୍ସାହନ ଦେଲେ । ସେ ଲେଖିଲେ, “ଗତ ବର୍ଷ ଆପଣ ଅନେକ ଲୋକଙ୍କୁ ସାନ୍ତ୍ୱନା ଦେଲେ । ଏହି କାମରେ ସାମିଲ୍‌ ହେବା ଏକ ସମ୍ମାନର କଥା ଅଟେ ଏବଂ ଖୁସିର କାରଣ ମଧ୍ୟ । ଆସନ୍ତା ବର୍ଷରେ ଆପଣଙ୍କୁ ଯିହୋବା ଏବଂ ତାଙ୍କ ରାଜ୍ୟ ବିଷୟରେ ସାକ୍ଷ୍ୟ ଦେବାର ଆହୁରି ଅନେକ ସୁଯୋଗ ମିଳିବ । ଏହିଭଳି ଭାବେ ଲୋକେ ଜାଣିପାରିବେ ଯେ କେଉଁମାନେ ଯିହୋବାଙ୍କ ସତ୍ୟ ଉପାସକ ଅଟନ୍ତି । ଆସନ୍ତୁ ଆମେ ସାଙ୍ଗରେ ମିଶି ନିଜ ଈଶ୍ୱର ଏବଂ ମହାନ ରାଜା ଯିହୋବାଙ୍କ ମହିମା କରିବା ଜାରି ରଖିବା ।”

୧୯୨୫ ମସିହାର ଶେଷ ଆଡ଼କୁ ଭାଇମାନେ ବ୍ରୁକଲିନ୍‌ ବୈଥେଲର ନିର୍ମାଣ କାମର ପ୍ରସ୍ତୁତିରେ ଲାଗିଗଲେ । ଆସନ୍ତା ବର୍ଷ ୧୯୨୬ ମସିହାରେ ଆମ ସଂଗଠନ ଏପରି ଗୋଟିଏ ବଡ଼ ପ୍ରୋଜେକ୍ଟର ନିର୍ମାଣ ଆରମ୍ଭ କରିବାକୁ ଯାଉଥିଲା, ଯାହା ପୂର୍ବେ କେବେ କରାଯାଇ ନ ଥିଲା ।

ଗୋଟିଏ ନୂଆ ବିଲ୍‌ଡିଙ୍ଗର ନିର୍ମାଣ କାମ ଆରମ୍ଭ ହୋଇଛି ଓ ସେଠାରେ ଭାଇମାନେ କାମ କରୁଛନ୍ତି ।

୧୯୨୬ ମସିହାରେ ନ୍ୟୁ ୟର୍କର ବ୍ରୁକଲିନ୍‌ ସହରରେ ଏଡମ୍ସ ଷ୍ଟ୍ରିଟ୍‌ରେ ଚାଲୁଥିବା ନିର୍ମାଣ କାମ

a ଏବେ ଏହାକୁ ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକା ବୋଲି କୁହାଯାଏ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ