ଯୁଦ୍ଧର ଭୟଙ୍କର ପ୍ରଭାବ
ଯୁଦ୍ଧ ଓ ଲଢ଼େଇଗୁଡ଼ିକ ଯୋଗୁଁ ଲୋକମାନଙ୍କ ଉପରେ ଅତି ଖରାପ ପ୍ରଭାବ ପଡ଼ିଥାଏ । ଏହା ସୈନିକମାନଙ୍କ ଓ ସାଧାରଣ ଲୋକମାନଙ୍କ ଜୀବନରେ ଗଭୀର ଆଘାତ ପହଞ୍ଚାଏ ।
ସୈନିକ
“ଆମେ ପ୍ରତିଦିନ ନିଜର ଚାରିଆଡ଼େ ଲୋକମାନଙ୍କୁ ଭୟଙ୍କର ଆଘାତ ଲାଗିବାର କିମ୍ବା ଲୋକମାନଙ୍କୁ ଜୀବନ ହରାଇବାର ଦେଖୁ । ଏଗୁଡ଼ିକୁ ଦେଖି ଆମକୁ ଏକଥାକୁ ନେଇ ଡର ଲାଗିରହେ ଯେ ଆମ ସହିତ ମଧ୍ୟ କେବେ ବି କିଛି ବି ହୋଇପାରେ ।”—ଗୈରି, ବ୍ରିଟେନ୍ ।
“ମୋ ଚେହେରାରେ ଓ ପିଠିରେ ଗୁଳି ବାଜିଥିଲା । ମୋ ଆଖି ସାମନାରେ ଅନେକ ଲୋକଙ୍କୁ, ଏପରିକି ପିଲାମାନଙ୍କୁ ଓ ବୟସ୍କମାନଙ୍କୁ ମଧ୍ୟ ମାରି ଦିଆଗଲା । ଯେବେ ଆପଣ ଏତେଗୁଡ଼ିଏ ଲୋକଙ୍କର ମୃତ୍ୟୁ ହେବାର ଦେଖନ୍ତି ଓ ସେମାନଙ୍କୁ ଯନ୍ତ୍ରଣା ସହିବାର ଦେଖନ୍ତି, ତେବେ ଆପଣଙ୍କ ହୃଦୟ କଠୋର ହୋଇଯାଏ ଏବଂ ଆପଣ କାହାରି କଷ୍ଟକୁ ଅନୁଭବ କରିପାରନ୍ତି ନାହିଁ ।”—ୱିଲମାର୍, କଲମ୍ବିଆ ।
“ଯେବେ ଆପଣଙ୍କ ସାମନାରେ କାହାରିକୁ ଗୁଳି କରି ମାରିଦିଆଯାଏ, ତେବେ ସେହି ଘଟଣା ଆପଣ କେବେ ଭୁଲିପାରନ୍ତି ନାହିଁ । ସେମାନଙ୍କର କାନ୍ଦ ଓ ସେମାନଙ୍କର ଯନ୍ତ୍ରଣାରେ ଚିତ୍କାର କରିବା ଆପଣଙ୍କ କାନରେ ସବୁବେଳେ ବାଜେ । ସେମାନଙ୍କର ଚେହେରା ବାରମ୍ବାର ଆପଣଙ୍କ ଆଖି ସାମନାରେ ଆସିଯାଏ ।”—ଜାଫିରା, ଆମେରିକା ।
ସାଧାରଣ ଲୋକ
“ଏମିତି ଲାଗୁଥିଲା ଯେମିତି ମୁଁ କେବେ ବି ଖୁସି ରହିପାରିବିନି । ମୁଁ କେବଳ ଡରି ଡରି ବଞ୍ଚୁଥିଲି । ମୋତେ ଡର ଲାଗୁଥିଲା ଯେ ମୁଁ କେବେ ବି ମୋ ଜୀବନ ହରାଇପାରେ । ସବୁଠୁ ଅଧିକ ମୋତେ ଏହି କଥା ପାଇଁ ଡର ଲାଗୁଥିଲା ଯେ ମୁଁ କେବେ ବି ନିଜ ପରିବାର ଲୋକ ଓ ସାଙ୍ଗମାନଙ୍କୁ ହରାଇପାରେ ।”—ଓଲିକସାନ୍ଦ୍ରା, ୟୁକ୍ରେନ୍ ।
“ଆମକୁ ରାତି ୨ଟାରୁ ଆରଦିନ ରାତି ୧୧ଟା ଯାଏଁ, ଅର୍ଥାତ୍ ୨୦ରୁ ବି ଅଧିକ ଘଣ୍ଟା ଧରି ଖାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇ ରହିବାକୁ ପଡ଼ୁଥିଲା । ଏହି ସମୟରେ ମଧ୍ୟ ଆମକୁ ଡର ଲାଗି ରହୁଥିଲା, କାରଣ ଆମ ଉପରେ କେବେ ବି ଗୁଳି ମାଡ଼ ହୋଇପାରନ୍ତା ।”—ଦଲେର୍, ତାଜିକିସ୍ତାନ ।
“ଯୁଦ୍ଧ ଯୋଗୁଁ ମୋ ବାପାମାଆଙ୍କ ମୃତ୍ୟୁ ହୋଇଗଲା । ଏବେ ମୋର ଦେଖାଶୁଣା କରିବା ପାଇଁ, ମୋତେ ପ୍ରେମ କରିବା ପାଇଁ ଏବଂ ମୋତେ ସାନ୍ତ୍ୱନା ଦେବା ପାଇଁ କେହି ବି ନ ଥିଲେ ।”—ମେରି, ରୁଆଣ୍ଡା ।
ଅବଶ୍ୟ ଏହି ଲୋକମାନେ ଯୁଦ୍ଧ ଯୋଗୁଁ ବହୁତ କିଛି ସହିଛନ୍ତି, ତଥାପି ଆଗକୁ ଯାଇ ସେମାନଙ୍କୁ ମନର ଶାନ୍ତି ମିଳିଲା । ଏଥିସହ, ସେମାନଙ୍କୁ ଭରସା ଅଛି ଯେ ଆଜି ଦୁନିଆରେ ଯେତେ ବି ଯୁଦ୍ଧ ଚାଲିଛି ଓ ହଣାକଟା ହେଉଛି, ସେହି ସବୁ ଖୁବ୍ ଶୀଘ୍ର ଶେଷ ହୋଇଯିବ । ତାହା କିପରି ? ପ୍ରହରୀଦୁର୍ଗର ଏହି ସଂଖ୍ୟାରେ ପବିତ୍ର ଶାସ୍ତ୍ରରୁ ଏହାର ଉତ୍ତର ଦିଆଯିବ ।