ଯୁଦ୍ଧ ଓ ଲଢ଼େଇଗୁଡ଼ିକର ସମସ୍ତଙ୍କ ଉପରେ ପ୍ରଭାବ
“ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦୁନିଆରେ ସବୁଠାରୁ ଅଧିକ ଯୁଦ୍ଧ ଏବଂ ଲଢ଼େଇଗୁଡ଼ିକ ବର୍ତ୍ତମାନ ସମୟରେ ହେଉଛି । ଆଉ ୨୦୦ କୋଟି ଲୋକ ଅର୍ଥାତ୍ ପ୍ରତି ଚାରିଜଣରୁ ଜଣେ ଲୋକ ଏପରି ଜାଗାରେ ରହୁଛି, ଯେଉଁଠି କୌଣସି ଲଢ଼େଇ ଚାଲିଛି ।”
ମିଳିତ ଜାତିସଂଘର ଉପ ମହାସଚିବ, ଆମିନା. ଜେ. ମୋହମ୍ମଦ, ୨୬ ଜାନୁୟାରୀ ୨୦୨୩ ।
ଯୁଦ୍ଧ କେବେ ବି ଓ କୌଣସି ଜାଗାରେ ବି ହୋଇପାରେ । ଆଉ ଏହାର ପ୍ରଭାବ କେବଳ ସେହି ଦେଶରେ ରହୁଥିବା ଲୋକମାନଙ୍କ ଉପରେ ପଡ଼ି ନ ଥାଏ, ବରଂ ଦୂର ଦୂରାନ୍ତର ଦେଶଗୁଡ଼ିକରେ ରହୁଥିବା ଲୋକମାନଙ୍କ ଉପରେ ବି ଏହାର ପ୍ରଭାବ ପଡ଼ିପାରେ । ଏଥିସହ, ଯୁଦ୍ଧ ଶେଷ ହେବା ପରେ ବି ଲୋକମାନଙ୍କୁ ଲମ୍ବା ସମୟ ଧରି ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିପାରେ । ଆସନ୍ତୁ ଏହାର କିଛି ଉଦାହରଣଗୁଡ଼ିକ ଦେଖିବା ।
ଦୁର୍ଭିକ୍ଷ: ମିଳିତ ଜାତିସଂଘର ଗୋଟିଏ ସଂଗଠନ “ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ” ଅନୁସାରେ, “ଦୁର୍ଭିକ୍ଷର ସବୁଠାରୁ ବଡ଼ କାରଣ ହେଉଛି: ଯୁଦ୍ଧ । ଦୁନିଆରେ ଯେତିକି ଲୋକମାନଙ୍କୁ ଖାଦ୍ୟର ଘୋର ଅଭାବ ହେଉଛି, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକ ଏପରି ଜାଗାଗୁଡ଼ିକରେ ରହନ୍ତି ଯେଉଁଠି ଯୁଦ୍ଧ ଓ ହିଂସା ଚାଲିଛି ।”
ଆଘାତ ପହଞ୍ଚିବା ଓ ମାନସିକ ରୋଗ ହେବା: ଯେବେ କୌଣସି ଅଞ୍ଚଳରେ ଯୁଦ୍ଧ ହେବାର ସମ୍ଭାବନା ଥାଏ, ତେବେ ସେଠାର ଲୋକମାନେ ନିରାଶ ହୋଇପାରନ୍ତି ଓ ସେମାନଙ୍କୁ ଚିନ୍ତା ଘାରିପାରେ । ଅନ୍ୟପକ୍ଷରେ ଯେଉଁ ଲୋକମାନେ ଏପରି ଅଞ୍ଚଳରେ ରହୁଛନ୍ତି ଯେଉଁଠି ଯୁଦ୍ଧ ଚାଲିଛି, ସେମାନଙ୍କୁ କେବଳ ଶାରୀରିକ ଆଘାତ ପହଞ୍ଚେନି ବରଂ ମାନସିକ ରୋଗ ହେବାର ବି ସମ୍ଭାବନା ଥାଏ । ଆଉ ଦୁଃଖର କଥା ଯେ ପ୍ରାୟ ସେମାନଙ୍କୁ ଜରୁରୀ ଚିକିତ୍ସା ମିଳିପାରେ ନାହିଁ ।
ଘର ଛାଡ଼ି ପଳାଇବା: ମିଳିତ ଜାତିସଂଘ ଶରଣାର୍ଥୀ ଏଜେନ୍ସି (UNHCR) ଅନୁସାରେ, ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଦୁନିଆରେ ୧୧ କୋଟି ୪୦ ଲକ୍ଷରୁ ବି ଅଧିକ ଲୋକମାନଙ୍କୁ ବାଧ୍ୟ ହୋଇ ନିଜ ଘର ଛାଡ଼ି ପଳାଇବାକୁ ପଡ଼ିଲା । ଏହାର ଗୋଟିଏ ବଡ଼ କାରଣ ହେଉଛି: ଯୁଦ୍ଧ ଓ ଲଢ଼େଇଗୁଡ଼ିକ ।
ଆର୍ଥିକ ସଙ୍କଟ: ଯୁଦ୍ଧ ଯୋଗୁଁ ପ୍ରାୟ ଲୋକମାନଙ୍କୁ ଦରଦାମ୍ ବୃଦ୍ଧି ଭଳି ଆର୍ଥିକ ସମସ୍ୟାର ସାମନା କରିବାକୁ ପଡ଼େ । ଯେଉଁ ଟଙ୍କାକୁ ସରକାର ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଲଗାଇବା ଉଚିତ୍, ସେହି ଟଙ୍କା ସେ ସୈନିକମାନଙ୍କ ପାଇଁ ଲଗାଉଛି । ଏଥିରୁ ଲୋକମାନଙ୍କର ଚିନ୍ତା ଆହୁରି ବଢ଼ି ଯାଇପାରେ । ତାʼସହିତ ଯୁଦ୍ଧ ଯୋଗୁଁ ଅନେକ କ୍ଷୟକ୍ଷତି ଘଟେ ଓ ସେଗୁଡ଼ିକୁ ଠିକ୍ କରିବା ପାଇଁ ବହୁତ ଖର୍ଚ୍ଚ ହୁଏ ।
ପରିବେଶ ପ୍ରଦୂଷିତ: ଯୁଦ୍ଧ ସମୟରେ ପ୍ରାକୃତିକ ସମ୍ପଦକୁ ଜାଣିବୁଝି ନଷ୍ଟ କରାଯାଏ, ଯାହାଫଳରେ ଲୋକମାନଙ୍କୁ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼େ । ଯେପରି—ପାଣି, ପବନ ଓ ମାଟି ଇତ୍ୟାଦି ପ୍ରଦୂଷିତ ହୋଇଯାଏ । ଏହି କାରଣ ଯୋଗୁଁ ଲୋକମାନଙ୍କୁ ଦୀର୍ଘ ସମୟ ଯାଏ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟା ହୋଇପାରେ । ତାʼସହିତ ଯୁଦ୍ଧ ସମୟରେ ଅନେକ ସ୍ଥାନରେ ଲ୍ୟାଣ୍ଡମାଇନ୍ ବିଛାଯାଇଥାଏ । ସେଥିପାଇଁ ଯୁଦ୍ଧ ଶେଷ ହେବା ପରେ ମଧ୍ୟ ଲୋକମାନଙ୍କୁ ବିପଦ ଥାଏ ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯୁଦ୍ଧ ଯୋଗୁଁ ଅନେକ କ୍ଷୟକ୍ଷତି ଘଟେ, କିନ୍ତୁ ତାʼସହିତ ସମସ୍ତଙ୍କୁ ଏହାର ଖରାପ ପରିଣାମ ମଧ୍ୟ ଭୋଗିବାକୁ ପଡ଼େ ।