ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ମେ ପୃଷ୍ଠା ୨-୭
  • ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କଠାରୁ ଶିଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କଠାରୁ ଶିଖନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ସ୍ୱର୍ଗଦୂତମାନେ ନମ୍ର ଥାʼନ୍ତି
  • ସ୍ୱର୍ଗଦୂତମାନେ ଆମକୁ ପ୍ରେମ କରନ୍ତି
  • ସ୍ୱର୍ଗଦୂତମାନେ ଧୈର୍ଯ୍ୟ ଧରନ୍ତି
  • ସ୍ୱର୍ଗଦୂତମାନେ ମଣ୍ଡଳୀକୁ ଶୁଦ୍ଧ ରଖନ୍ତି
  • ଆପଣଙ୍କ ପ୍ରଶ୍ନ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ମେ ପୃଷ୍ଠା ୨-୭

ଅଧ୍ୟୟନ ଲେଖା ୧୯

ଗୀତ ୧୧ ସୃଷ୍ଟି କରେ ପ୍ରଶଂସା ଯିହୋବାଙ୍କ

ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କଠାରୁ ଶିଖନ୍ତୁ

‘ହେ ସଦାପ୍ରଭୁଙ୍କ ବାକ୍ୟସାଧକ . . . ତାହାଙ୍କର ଧନ୍ୟବାଦ [“ପ୍ରଶଂସା,” NWT] କର ।’—ଗୀତ. ୧୦୩:୨୦.

କʼଣ ଶିଖିବା ?

ଆମେ ଜାଣିବା ଯେ ଆମେ ଯିହୋବାଙ୍କ ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କ ଭଳି କିପରି ହୋଇପାରିବା ।

୧-୨. (କ) ଆମେ କିପରି ସ୍ୱର୍ଗଦୂତମାନଙ୍କଠାରୁ ଅଲଗା ? (ଖ) ସ୍ୱର୍ଗଦୂତ ଓ ଆମ ମଧ୍ୟରେ କେଉଁ କଥା ଏକାଭଳି ଅଛି ?

ଯେବେ ଯିହୋବା ଆମକୁ ନିଜ ଆଡ଼କୁ ଆକର୍ଷିତ କଲେ ତେବେ ଆମେ ତାଙ୍କ ପରିବାରର ସଦସ୍ୟ ହୋଇଗଲୁ । ଏହି ପରିବାରରେ ବିଭିନ୍ନ ପ୍ରକାରର ଲୋକମାନେ ଅଛନ୍ତି । ଆଉ ସେମାନେ ପରସ୍ପରକୁ ବହୁତ ପ୍ରେମ କରନ୍ତି । ଏହି ପରିବାରରେ ଲକ୍ଷ ଲକ୍ଷ ବିଶ୍ୱସ୍ତ ସ୍ୱର୍ଗଦୂତମାନେ ମଧ୍ୟ ଅଛନ୍ତି । (ଦାନି. ୭:୯, ୧୦) ଯେବେ ଆମେ ସ୍ୱର୍ଗଦୂତମାନଙ୍କ ବିଷୟରେ ଭାବୁ, ତେବେ ହୁଏତ ଆମକୁ ଲାଗିବ ଯେ ସେମାନଙ୍କ ଓ ଆମ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଯେପରି, ମଣିଷମାନଙ୍କର ତୁଳନାରେ ସ୍ୱର୍ଗଦୂତମାନଙ୍କୁ ବହୁତ ବର୍ଷ ପୂର୍ବେ ସୃଷ୍ଟି କରାଯାଇଥିଲା । (ଆୟୁ. ୩୮:୪, ୭) ସେମାନେ ଆମଠାରୁ ବେଶୀ ଶକ୍ତିଶାଳୀ । ତାʼଛଡ଼ା ସେମାନେ ପବିତ୍ର ଓ ଧାର୍ମିକ ଅଟନ୍ତି । ସେମାନେ ଯିହୋବାଙ୍କର ପ୍ରତ୍ୟେକ କଥାକୁ ପୂରାପୂରି ଭାବେ ମାନନ୍ତି, କିନ୍ତୁ ଆମେ ଅପରିପୂର୍ଣ୍ଣ ମଣିଷ ଏପରି କରିପାରିବାନି ।—ଲୂକ ୯:୨୬.

୨ ସ୍ୱର୍ଗଦୂତ ଓ ଆମ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି, କିନ୍ତୁ କିଛି କଥା ଏକାଭଳି ମଧ୍ୟ ଅଛି । ସ୍ୱର୍ଗଦୂତମାନଙ୍କ ଭଳି ଆମେ ମଧ୍ୟ ଯିହୋବାଙ୍କର ଭଲ ଗୁଣଗୁଡ଼ିକୁ ଦେଖାଇପାରିବା । ସେମାନଙ୍କ ଭଳି ଆମର ମଧ୍ୟ ଗୋଟିଏ ନାମ ଏବଂ ସ୍ୱଭାବ ଅଛି, ଆମକୁ ବି ନିଜ ନିଷ୍ପତ୍ତି ନିଜେ ନେବାର ସ୍ୱାଧୀନତା ଅଛି ଓ ଆମ ପାଖରେ ବି କିଛି ଦାୟିତ୍ୱ ରହିଛି । ଏହା ବ୍ୟତୀତ ସ୍ୱର୍ଗଦୂତଙ୍କ ଭଳି ଆମଠାରେ ବି ଯିହୋବାଙ୍କ ବିଷୟରେ ଶିଖିବା ଓ ତାଙ୍କର ଉପାସନା କରିବାର ଇଚ୍ଛା ଅଛି ।—୧ ପିତ. ୧:୧୨.

୩. ଆମେ ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କଠାରୁ କʼଣ ଶିଖିପାରିବା ?

୩ ସ୍ୱର୍ଗଦୂତ ଓ ଆମ ମଧ୍ୟରେ କିଛି କଥା ଏକାଭଳି ଅଛି, ତେଣୁ ଯଦି ଆମେ ତାଙ୍କର ଉଦାହରଣ ଉପରେ ଧ୍ୟାନ ଦେବା, ତେବେ ଆମେ ସେମାନଙ୍କଠାରୁ ବହୁତ କିଛି ଶିଖିପାରିବା ଓ ଆମର ଉତ୍ସାହ ବି ବଢ଼ିପାରିବ । ଏହି ଲେଖାରେ ଆମେ ଜାଣିବା ଯେ ସେମାନଙ୍କ ଭଳି ଆମେ କିପରି ନମ୍ର ହୋଇପାରିବା, ଲୋକମାନଙ୍କୁ ପ୍ରେମ କରିପାରିବା, ଧୈର୍ଯ୍ୟ ଧରିପାରିବା ଓ ମଣ୍ଡଳୀକୁ ଶୁଦ୍ଧ ରଖିପାରିବା ।

ସ୍ୱର୍ଗଦୂତମାନେ ନମ୍ର ଥାʼନ୍ତି

୪. (କ) ସ୍ୱର୍ଗଦୂତମାନେ ନମ୍ର ଥାʼନ୍ତି, ଏହା କିପରି ଜଣାପଡ଼େ ? (ଖ) ସ୍ୱର୍ଗଦୂତମାନେ କାହିଁକି ଏତେ ନମ୍ର ଥାʼନ୍ତି ? (ଗୀତସଂହିତା ୮୯:୭)

୪ ସ୍ୱର୍ଗଦୂତମାନଙ୍କର ଅନେକ ଅନୁଭୂତି ଅଛି, ସେମାନେ ଶକ୍ତିଶାଳୀ ଓ ବୁଦ୍ଧିମାନ ବି ଅଟନ୍ତି, ତଥାପି ସେମାନେ ନମ୍ର ଥାʼନ୍ତି । ସେମାନେ ସବୁବେଳେ ଯିହୋବାଙ୍କର ଆଜ୍ଞା ମାନନ୍ତି । (ଗୀତ. ୧୦୩:୨୦) ସେମାନେ ଯାହା ବି କରନ୍ତି ତାହା ପାଇଁ ଅହଂକାର କରନ୍ତି ନାହିଁ ଆଉ ନିଜ ଶକ୍ତିର ବ୍ୟବହାର କରି ଲୋକମାନଙ୍କଠାରୁ ପ୍ରଶଂସା ପାଇବା ପାଇଁ ଚାହାନ୍ତି ନାହିଁ । ବରଂ ସେମାନେ ଖୁସିର ସହ ଯିହୋବାଙ୍କର ଇଚ୍ଛା ପୂରା କରିବା ପାଇଁ ଚାହାନ୍ତି ।a (ଆଦି. ୩୨:୨୪, ୨୯; ୨ ରାଜା. ୧୯:୩୫) ସେମାନେ ନିଜର ନୁହେଁ ବରଂ ଯିହୋବାଙ୍କର ମହିମା କରିବା ପାଇଁ ଚାହାନ୍ତି । ସ୍ୱର୍ଗଦୂତମାନେ କାହିଁକି ବହୁତ ନମ୍ର ଥାʼନ୍ତି ? କାରଣ ସେମାନେ ଯିହୋବାଙ୍କୁ ବହୁତ ପ୍ରେମ କରନ୍ତି ଏବଂ ହୃଦୟରୁ ତାଙ୍କର ଆଦର କରନ୍ତି ।—ଗୀତସଂହିତା ୮୯:୭ ପଢ଼ନ୍ତୁ ।

୫. ସ୍ୱର୍ଗଦୂତ ଯୋହନଙ୍କୁ ଯେପରି ସୁଧାରିଲେ, ସେଥିରୁ କିପରି ଜଣାପଡ଼େ ଯେ ସେ ନମ୍ର ଥିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୫ ଗୋଟିଏ ଘଟଣା ଉପରେ ଧ୍ୟାନ ଦିଅନ୍ତୁ ଯେଉଁଥିରୁ ଜଣାପଡ଼େ ଯେ ସ୍ୱର୍ଗଦୂତମାନେ ବହୁତ ନମ୍ର ଥାʼନ୍ତି । ଏହା ପାଖାପାଖି ୯୬ ଖ୍ରୀଷ୍ଟାବ୍ଦର କଥା । ଜଣେ ସ୍ୱର୍ଗଦୂତ ଯାହାଙ୍କ ନାମ ଆମକୁ ଜଣାନାହିଁ, ସେ ପ୍ରେରିତ ଯୋହନଙ୍କ ପାଖକୁ ଆସି ତାଙ୍କୁ ଗୋଟିଏ ଆଶ୍ଚର୍ଯ୍ୟଜନକ ଦର୍ଶନ ଦେଖାଇଲେ । (ପ୍ରକା. ୧:୧) ଏହି ଦର୍ଶନ ଦେଖି ଯୋହନ କʼଣ କରନ୍ତି ? ସେ ସେହି ସ୍ୱର୍ଗଦୂତଙ୍କ ଉପାସନା କରିବା ପାଇଁ ତାଙ୍କ ପାଦ ତଳେ ନଇଁ ପଡ଼ନ୍ତି । ସେସମୟରେ ସ୍ୱର୍ଗଦୂତ ତୁରନ୍ତ ଯୋହନଙ୍କୁ ରୋକନ୍ତି ଏବଂ ତାଙ୍କୁ କହନ୍ତି, ‘ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ତୁମ୍ଭର ଭ୍ରାତୃଗଣ, ସେମାନଙ୍କର ସହଦାସ । ଈଶ୍ୱରଙ୍କୁ ପ୍ରଣାମ କର ।’ (ପ୍ରକା. ୧୯:୧୦) ସତରେ ସେହି ସ୍ୱର୍ଗଦୂତ ବହୁତ ନମ୍ର ଥିଲେ । ସେ ନିଜର ମହିମା ଚାହୁଁ ନ ଥିଲେ । ସେ ତୁରନ୍ତ ଯୋହନଙ୍କ ଧ୍ୟାନ ଯିହୋବାଙ୍କ ଆଡ଼କୁ ଆକର୍ଷିତ କଲେ । ଭାବନ୍ତୁ, ସେହି ସ୍ୱର୍ଗଦୂତ ଅନେକ ବର୍ଷରୁ ଯିହୋବାଙ୍କର ସେବା କରୁଥିଲେ ଏବଂ ଯୋହନଙ୍କଠାରୁ ବି ବହୁତ ଶକ୍ତିଶାଳୀ ଥିଲେ, ତଥାପି ସେ ଯୋହନଙ୍କୁ କୌଣସି ଦୃଷ୍ଟିରୁ କମ୍‌ ଭାବିଲେ ନାହିଁ । ତାʼ ପରିବର୍ତ୍ତେ ସେ ଯୋହନଙ୍କୁ କହିଲେ ଯେ ସେ ବି ତାଙ୍କ ଭଳି ଜଣେ ଦାସ ଅଟନ୍ତି । ଗୋଟିଏ କଥା ଉପରେ ଧ୍ୟାନ ଦିଅନ୍ତୁ, ଯେବେ ସ୍ୱର୍ଗଦୂତ ସେହି ବୃଦ୍ଧ ପ୍ରେରିତଙ୍କୁ ସୁଧାରିଲେ, ତେବେ ସେହି ସ୍ୱର୍ଗଦୂତ ତାଙ୍କୁ ରାଗିକି କହିଲେ ନାହିଁ କିମ୍ବା ତାଙ୍କ ସହ ଖରାପ ବ୍ୟବହାର କଲେ ନାହିଁ । ତାʼ ପରିବର୍ତ୍ତେ ପ୍ରେମର ସହ କଥା ହେଲେ । ହୁଏତ ସ୍ୱର୍ଗଦୂତ ବୁଝିଯାଇଥିବେ ଯେ ଯୋହନ ଦର୍ଶନ ଦେଖି ବିସ୍ମୟରେ ଭରି ତାଙ୍କ ଆଗରେ ନଇଁଲେ ।

ପ୍ରେରିତ ଯୋହନ ଜଣେ ସ୍ୱର୍ଗଦୂତଙ୍କ ସାମନାରେ ନଇଁ ତାଙ୍କ ଉପାସନା କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ସେହି ସ୍ୱର୍ଗଦୂତ ତାଙ୍କୁ ମନା କରୁଛନ୍ତି ।

ସ୍ୱର୍ଗଦୂତ ଯେପରି ଭାବେ ଯୋହନଙ୍କୁ ସୁଧାରିଲେ, ସେଥିରୁ ଜଣାପଡ଼େ ଯେ ସେ ବହୁତ ନମ୍ର ଥିଲେ (ପାରାଗ୍ରାଫ ୫)


୬. ସ୍ୱର୍ଗଦୂତମାନଙ୍କ ଭଳି ନମ୍ର ରହିବା ପାଇଁ ଆମକୁ କʼଣ କରିବା ଉଚିତ୍‌ ?

୬ ଆମେ ସ୍ୱର୍ଗଦୂତମାନଙ୍କ ଭଳି କିପରି ନମ୍ର ହୋଇପାରିବା ? ଆମେ ଯିହୋବାଙ୍କର ସେବାରେ ଯାହା ବି କରୁ ତାʼପାଇଁ ଆମକୁ ଦେଖେଇ ହେବା ଉଚିତ୍‌ ନୁହେଁ । ଯଦି ଆମେ କୌଣସି କାମ ଭଲଭାବେ ପୂରା କରୁ, ତାହେଲେ ତାହାର ଶ୍ରେୟ ଆମକୁ ନେବା ଉଚିତ୍‌ ନୁହେଁ । (୧ କରି. ୪:୭) ଆଉ ଯଦି ଆମେ ଲମ୍ବା ସମୟରୁ ଯିହୋବାଙ୍କର ସେବା କରୁଛୁ ବା ଆମକୁ କୌଣସି ବିଶେଷ ଦାୟିତ୍ୱ ଦିଆଯାଇଛି, ତେବେ ଆମକୁ ଏପରି ଭାବିବା ଉଚିତ୍‌ ନୁହେଁ ଯେ ଅନ୍ୟ ଭାଇଭଉଣୀମାନଙ୍କଠାରେ କମ୍‌ ଦକ୍ଷତା ଅଛି । ଦେଖିବାକୁ ଗଲେ ଆମ ପାଖରେ ଯେତେ ଅଧିକ ଦାୟିତ୍ୱ ଥାଏ ଆମେ ନିଜକୁ ସେତେ ଛୋଟ ଭାବିବା ଉଚିତ୍‌ । (ଲୂକ ୯:୪୮) ସ୍ୱର୍ଗଦୂତମାନଙ୍କ ଭଳି ଆମକୁ ବି ଅନ୍ୟମାନଙ୍କ ସେବା କରିବା ଉଚିତ୍‌ ଓ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ଭାବିବା ଉଚିତ୍‌ ନୁହେଁ ।

୭. କାହାରିକୁ ପରାମର୍ଶ ଦେବା ସମୟରେ କିମ୍ବା କାହାରି ଚିନ୍ତାଧାରା ସୁଧାରିବା ସମୟରେ ଆମେ କିପରି ଦେଖାଇପାରିବା ଯେ ଆମେ ନମ୍ର ଅଟୁ ?

୭ ବେଳେବେଳେ ହୋଇପାରେ ଆମକୁ କୌଣସି ଭାଇଭଉଣୀ ବା ନିଜର ପିଲାମାନଙ୍କୁ ପରାମର୍ଶ ଦେବାକୁ ପଡ଼ିବ କିମ୍ବା ସେମାନଙ୍କର ଚିନ୍ତାଧାରା ସୁଧାରିବାକୁ ପଡ଼ିବ । ଏପରି ସମୟରେ ବି ଆମେ କିପରି ଦେଖାଇପାରିବା ଯେ ଆମେ ନମ୍ର ଅଟୁ ? ହୋଇପାରେ ଆମକୁ ସେମାନଙ୍କୁ କୌଣସି କଥା ସିଧାସଳଖ କହିବାକୁ ପଡ଼ିବ । ଏପରି ସମୟରେ ଆମେ ସେହି ସ୍ୱର୍ଗଦୂତଙ୍କୁ ମନେ ପକାଇପାରିବା ଯିଏ ଯୋହନଙ୍କୁ ପରାମର୍ଶ ଦେଇଥିଲେ । ଆମେ ବି ତାଙ୍କ ଭଳି ସିଧାସଳଖ ପରାମର୍ଶ ଦେବା, କିନ୍ତୁ ରାଗିକି କିଛି କହିବାନି । ଆଉ ଏହା ବି ଧ୍ୟାନ ରଖିବା ଯେ ଆମ କଥାରୁ ସେମାନଙ୍କର ଉତ୍ସାହ ଭାଙ୍ଗି ନ ଯାଉ । ଯେବେ ଆମେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ଭାବି ନ ଥାଉ, ତେବେ ଆମେ ବାଇବଲରୁ ପରାମର୍ଶ ଦେବା ସମୟରେ ସେମାନଙ୍କ ସହ ପ୍ରେମ ଓ ଆଦରର ସହ ବ୍ୟବହାର କରୁ ।—କଲ. ୪:୬.

ସ୍ୱର୍ଗଦୂତମାନେ ଆମକୁ ପ୍ରେମ କରନ୍ତି

୮. (କ) ଲୂକ ୧୫:୧୦ ପଦରୁ କିପରି ଜଣାପଡ଼େ ଯେ ସ୍ୱର୍ଗଦୂତମାନେ ଆମକୁ ପ୍ରେମ କରନ୍ତି ? (ଖ) ସ୍ୱର୍ଗଦୂତମାନେ ପ୍ରଚାର କାମରେ କିପରି ଆମକୁ ସାହାଯ୍ୟ କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୮ ସ୍ୱର୍ଗଦୂତମାନେ ଆମ ମଣିଷମାନଙ୍କୁ ବହୁତ ପ୍ରେମ କରନ୍ତି । ସେମାନେ ଆମ ପାଇଁ ଚିନ୍ତା କରନ୍ତି । ସେମାନେ ଆମଠାରୁ ବେଶୀ ଶକ୍ତିଶାଳୀ, ତଥାପି ସେମାନେ ଆମକୁ ଛୋଟ ମନେ କରନ୍ତି ନାହିଁ । ବାଇବଲରେ କୁହାଯାଇଛି ଯେ ଯେବେ ଗୋଟିଏ ହଜିଯାଇଥିବା ମେଷ ଯିହୋବାଙ୍କ ପାଖକୁ ଫେରି ଆସେ ଅର୍ଥାତ୍‌ ଯେବେ କେହି ପଶ୍ଚାତାପ କରେ, ତେବେ ଏହା ଦେଖି ସ୍ୱର୍ଗଦୂତମାନେ ବହୁତ ଖୁସି ହୁଅନ୍ତି । (ଲୂକ ୧୫:୧୦ ପଢ଼ନ୍ତୁ ।) ଆଉ ଯେବେ କେହି ଯିହୋବାଙ୍କ ବିଷୟରେ ଶିଖିବା ପାଇଁ ନିଜ ଜୀବନରେ ପରିବର୍ତ୍ତନ କରେ, ତେବେ ବି ସେମାନେ ବହୁତ ଖୁସି ହୁଅନ୍ତି । ତାʼଛଡ଼ା ସେମାନେ ପୂରା ଉତ୍ସାହର ସହ ପ୍ରଚାର କାମରେ ଭାଗ ନିଅନ୍ତି । (ପ୍ରକା. ୧୪:୬) ସେମାନେ ଘର ଘର ଯାଇ ତ ପ୍ରଚାର କରନ୍ତିନି, କିନ୍ତୁ ସେମାନେ ଆମକୁ ଏପରି ଲୋକମାନଙ୍କୁ ଖୋଜିବା ପାଇଁ ସାହାଯ୍ୟ କରନ୍ତି ଯେଉଁମାନେ ଯିହୋବାଙ୍କ ବିଷୟରେ ଶିଖିବା ପାଇଁ ଚାହାନ୍ତି । ଆମେ ସବୁବେଳେ ଏହା ନିଶ୍ଚିତ ଭାବେ କହିପାରିବାନି ଯେ କୌଣସି ବ୍ୟକ୍ତିକୁ ଭେଟିବା ପାଇଁ ସ୍ୱର୍ଗଦୂତମାନେ ହିଁ ଆମକୁ ସାହାଯ୍ୟ କଲେ । କାରଣ ଯିହୋବା ଅନ୍ୟ ଉପାୟରେ ବି ଆମକୁ ସାହାଯ୍ୟ କରନ୍ତି । ଯେପରି ନିଜର ପବିତ୍ର ଶକ୍ତି ସାହାଯ୍ୟରେ । ଏହା ସାହାଯ୍ୟରେ ସେ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରନ୍ତି କିମ୍ବା ଆମକୁ ସେମାନଙ୍କ ସହ ଭେଟିବା ପାଇଁ ସାହାଯ୍ୟ କରିପାରନ୍ତି । (ପ୍ରେରି. ୧୬:୬, ୭) କିନ୍ତୁ ଏହା ସତ ଯେ ପ୍ରଚାର କାମରେ ସ୍ୱର୍ଗଦୂତମାନଙ୍କ ବଡ଼ ଭୂମିକା ରହିଛି । ତେଣୁ ଆମେ ପୂରା ଭରସାର ସହ କହିପାରିବା ଯେ ଏହି କାମରେ ସେମାନେ ସାହାଯ୍ୟ କରନ୍ତି ।—“ସେମାନଙ୍କର ପ୍ରାର୍ଥନାର ଉତ୍ତର ମିଳିଲା” ନାମକ ବକ୍ସ ଦେଖନ୍ତୁ ।b

ଜଣେ ସ୍ୱାମୀ ସ୍ତ୍ରୀ କାର୍ଟ ନେଇ ରାସ୍ତାରେ ଯାଉଛନ୍ତି । ଆଉ ସ୍ୱର୍ଗଦୂତ ସେହି ଭଉଣୀଙ୍କୁ ବେଞ୍ଚରେ ଚିନ୍ତିତ ବସିଥିବା ଝିଅ ପାଖକୁ ଯିବା ପାଇଁ ପ୍ରେରିତ କରୁଛନ୍ତି ।

ଜଣେ ସ୍ୱାମୀ ସ୍ତ୍ରୀ ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା ପରେ ଘରକୁ ଫେରୁଛନ୍ତି । ଭଉଣୀ ଜଣେ ଝିଅକୁ ଦେଖନ୍ତି ଯିଏ ବହୁତ ଚିନ୍ତିତ ଅଛି । ସେ ଭାବୁଛନ୍ତି ଯେ ସ୍ୱର୍ଗଦୂତ ଏପରି ଲୋକମାନଙ୍କୁ ଖୋଜିବା ପାଇଁ ଆମକୁ ସାହାଯ୍ୟ କରିପାରିବେ, ଯେଉଁମାନେ ଈଶ୍ୱରଙ୍କ ବିଷୟରେ ଜାଣିବା ପାଇଁ ଚାହାନ୍ତି । ଭଉଣୀଙ୍କୁ ସେହି ଝିଅକୁ ଦେଖି ଦୟା ଆସେ ଏବଂ ତାଙ୍କୁ ସେ ଝିଅ ସହିତ କଥା ହେବା ପାଇଁ ଇଚ୍ଛା ହୁଏ (ପାରାଗ୍ରାଫ ୮)


ସେମାନଙ୍କର ପ୍ରାର୍ଥନାର ଉତ୍ତର ମିଳିଲା

ଆଗକୁ ଦିଆଯାଇଥିବା ଲୋକମାନଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଭାବନ୍ତୁ ଯେ ସେମାନଙ୍କ ସହିତ ଯାହା ହେଲା, କʼଣ ତାʼ ପଛରେ ସ୍ୱର୍ଗଦୂତମାନଙ୍କର ହାତ ଥିବ ।

  • ପେରୁରେ ଜଣେ ୧୨ ବର୍ଷର ଝିଅ ନିଜ ମାଆ ସହିତ ଫୋନ୍‌ରେ ସାକ୍ଷ୍ୟ ଦେଉଥିବା ସମୟରେ, ଏପରି ଜଣେ ସ୍ତ୍ରୀଙ୍କ ସହିତ କଥା ହୁଏ ଯିଏ ତାକୁ କହିଲେ ଯେ ସେ କିଛି ସମୟ ପୂର୍ବରୁ ସାହାଯ୍ୟ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ । ତାʼପରେ ସେ କହିଲେ ଯେ ଈଶ୍ୱର ମୋ ପ୍ରାର୍ଥନା ଶୁଣିଲେ । ସେ ବାଇବଲ ଅଧ୍ୟୟନ କରିବା ପାଇଁ ପ୍ରସ୍ତୁତ ହୋଇଗଲେ ଏବଂ କିଛି ସମୟ ପରେ ସଭାଗୁଡ଼ିକରେ ବି ଆସିବାକୁ ଲାଗିଲେ ।

  • ରୋମାନିଆରେ ଜଣେ ସ୍ତ୍ରୀ କିଛି ସମୟ ପାଇଁ ବାଇବଲ ଅଧ୍ୟୟନ କଲେ, କିନ୍ତୁ ପରେ ସେ ବାଇବଲ ଅଧ୍ୟୟନ କରିବା ଛାଡ଼ିଦେଲେ । ଆଉ ସେ ଇଟାଲୀ ଚାଲିଗଲେ ଏବଂ ସେଠାରେ ଗୋଟିଏ ପରିବାର ପାଇଁ କାମ କରିବାକୁ ଲାଗିଲେ । ସେହି ଜାଗାରେ ଯାଇ ସେ ପୁଣିଥରେ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ଚାହୁଁଥିଲେ । କିନ୍ତୁ ସେ କୌଣସି ସାକ୍ଷୀଙ୍କୁ ଜାଣି ନ ଥିଲେ । ତେଣୁ ସେ ଯିହୋବାଙ୍କୁ ପ୍ରାର୍ଥନା କଲେ । ଏହାର କିଛି ସମୟ ପରେ ଯେଉଁ ଘରେ ସେ କାମ କରୁଥିଲେ, ସେଠାର ଲୋକେ ତାଙ୍କୁ କିଛି ଜିନିଷ କିଣିବା ପାଇଁ ଦୋକାନ ପଠାଇଲେ । କିନ୍ତୁ ସେମାନେ ସେହି ସ୍ତ୍ରୀଙ୍କୁ ଦୋକାନ ମାଲିକ ସହିତ କଥା ହେବା ପାଇଁ ମନା କଲେ, କାରଣ ସେ ଜଣେ ଯିହୋବାଙ୍କ ସାକ୍ଷୀ ଓ ସମସ୍ତ ଗ୍ରାହକଙ୍କୁ ବାଇବଲ ବିଷୟରେ କହନ୍ତି । ଯେପରି ସେମାନେ କହିଥିଲେ, ଠିକ୍‌ ସେପରି ହିଁ ହେଲା । ଯେବେ ସେହି ସ୍ତ୍ରୀ ଦୋକାନ ପହଞ୍ଚିଲେ, ତେବେ ଆମ ଭାଇ ତାଙ୍କୁ ସାକ୍ଷ୍ୟ ଦେଲେ । ତେଣୁ ସେହି ସ୍ତ୍ରୀଙ୍କୁ ଲାଗିଲା ଯେପରି ଯିହୋବା ତାଙ୍କ ପ୍ରାର୍ଥନା ଶୁଣିଲେ । ସେ ପୁଣିଥରେ ଅଧ୍ୟୟନ କରିବାକୁ ଲାଗିଲେ ଏବଂ ସେ ନିଜ ଜୀବନରେ ଅନେକ ପରିବର୍ତ୍ତନ କଲେ । ଏହା ଦେଖି ତାଙ୍କ ପୁଅକୁ ବହୁତ ଭଲ ଲାଗିଲା ଆଉ ସେ ବି ବାଇବଲ ଅଧ୍ୟୟନ କରିବାକୁ ଲାଗିଲା ଏବଂ ସଭାକୁ ଯିବା ଆରମ୍ଭ କରିଦେଲା ।

  • ଜଣେ ଭାଇ ଓ ତାଙ୍କ ସ୍ତ୍ରୀ ନିଜ କାର ବିକ୍ରି କରୁଥିଲେ । କାର ଦେଖିବା ପାଇଁ ଜଣେ ସ୍ୱାମୀ ସ୍ତ୍ରୀ ତାଙ୍କୁ ଭେଟିବା ପାଇଁ ଆସିଲେ । ଭାଇ ଓ ଭଉଣୀ କଥା କଥାରେ ତାଙ୍କୁ କହିଲେ ଯେ ସେମାନେ ବାଇବଲ ବିଷୟରେ ଅନ୍ୟମାନଙ୍କୁ ଶିଖାଇବା ପାଇଁ ଅଧିକ ସମୟ ଦେବାକୁ ଚାହାନ୍ତି । ତେଣୁ ସେମାନେ ନିଜ ଜିନିଷ କମ୍‌ କରୁଛନ୍ତି । ଏହା ଶୁଣି ସେହି ଲୋକ କହିଲେ, “ମୁଁ କାଲି ହିଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲି, ‘ହେ ଈଶ୍ୱର, ମୋତେ ସାହାଯ୍ୟ କର ! ମୋତେ ବୁଝାପଡ଼ୁନି ଯେ ଆଗକୁ କʼଣ ହେବ । ମୋ ମନରେ ବହୁତଗୁଡ଼ିଏ ପ୍ରଶ୍ନ ଅଛି । ମୋତେ ସେସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ସାହାଯ୍ୟ କର ।’” ଭାଇ ଓ ଭଉଣୀଙ୍କ ସହିତ କଥା ହୋଇ ତାଙ୍କୁ ଏପରି ଲାଗିଲା ଯେପରି ଈଶ୍ୱର ତାଙ୍କର ପ୍ରାର୍ଥନା ଶୁଣିଲେ । ସେ ଓ ତାଙ୍କର ସ୍ତ୍ରୀ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ ଏବଂ ସେମାନଙ୍କ ଦୁଇ ଝିଅ ବି ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ । ଏବେ ତାଙ୍କର ପୂରା ପରିବାର ସଭାକୁ ଆସେ ।

୯. ଆମେ ସ୍ୱର୍ଗଦୂତମାନଙ୍କ ଭଳି କିପରି ଦେଖାଇପାରିବା ଯେ ଆମେ ଲୋକମାନଙ୍କୁ ପ୍ରେମ କରୁ ?

୯ ଆମେ ସ୍ୱର୍ଗଦୂତମାନଙ୍କ ଭଳି କିପରି ଦେଖାଇପାରିବା ଯେ ଆମେ ଲୋକମାନଙ୍କୁ ପ୍ରେମ କରୁ ? ସଭାରେ ଯେବେ କାହାରିକୁ ପୁନଃସ୍ଥାପିତ କରାଯାଏ, ତେବେ ସ୍ୱର୍ଗଦୂତମାନେ ବହୁତ ଖୁସି ହୁଅନ୍ତି । ଆମେ ସେହି ଭାଇ କିମ୍ବା ଭଉଣୀଙ୍କ ସ୍ୱାଗତ କରିପାରିବା ଓ ତାଙ୍କୁ ଭରସା ଦେଇପାରିବା ଯେ ଆମେ ତାଙ୍କୁ ବହୁତ ପ୍ରେମ କରୁ । (ଲୂକ ୧୫:୪-୭; ୨ କରି. ୨:୬-୮) ପ୍ରଚାରରେ ଜୋରସୋର୍‌ରେ ଭାଗ ନେଇ ବି ଆମେ ସ୍ୱର୍ଗଦୂତମାନଙ୍କ ଭଳି ହୋଇପାରିବା । (ଉପ. ୧୧:୬) ସ୍ୱର୍ଗଦୂତମାନେ ଯେପରି ଭାବରେ ଆମକୁ ସୁସମାଚାର ଶୁଣାଇବାରେ ସାହାଯ୍ୟ କରନ୍ତି, ସେହିପରି ଭାବରେ ଆମେ ବି ପ୍ରଚାରରେ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିପାରିବା । ସେଥିପାଇଁ ସେହି ଭାଇଭଉଣୀମାନଙ୍କ ବିଷୟରେ ଭାବନ୍ତୁ ଯେଉଁମାନଙ୍କୁ ଆପଣ ସାହାଯ୍ୟ କରିପାରିବେ । କʼଣ ଆପଣ ସେମାନଙ୍କ ସହିତ ପ୍ରଚାର କରିପାରିବେ ଯେଉଁମାନେ ନୂଆ ନୂଆ ପ୍ରଚାରରେ ଭାଗ ନେବା ଆରମ୍ଭ କରିଛନ୍ତି ? କିମ୍ବା ଆପଣ କୌଣସି ରୋଗରେ ପଡ଼ିଥିବା ବା ବୃଦ୍ଧ ଭାଇଭଉଣୀଙ୍କୁ ସାହାଯ୍ୟ କରିପାରିବେ, ଯେଉଁମାନେ ପ୍ରଚାରରେ ଯାଇପାରୁ ନାହାନ୍ତି ?

୧୦. ଭଉଣୀ ସାରାଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?

୧୦ ଯେବେ କୌଣସି କାରଣରୁ ଆମେ ଯିହୋବାଙ୍କର ସେବାରେ ଅଧିକ କରିପାରି ନ ଥାଉ, ସେସମୟରେ ବି ଆମେ ଭରସା ରଖିପାରିବା ଯେ ସ୍ୱର୍ଗଦୂତମାନେ ଆମକୁ ସାହାଯ୍ୟ କରିବେ । ଭାରତରେ ରହୁଥିବା ସାରାc ନାମକ ଭଉଣୀଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ସେ ପ୍ରାୟ ୨୦ ବର୍ଷରୁ ଅଗ୍ରଦୂତ ସେବା କରୁଥିଲେ । କିନ୍ତୁ ପରେ ସେ ରୋଗରେ ପଡ଼ିଗଲେ ଆଉ ବିଛଣାରୁ ଉଠିପାରିଲେ ନାହିଁ । ଏହି କାରଣ ଯୋଗୁଁ ସେ ବହୁତ ନିରାଶ ହୋଇଗଲେ । କିନ୍ତୁ ଲଗାତାର ବାଇବଲ ପଢ଼ିବାରୁ ଓ ଭାଇଭଉଣୀଙ୍କ ସାହାଯ୍ୟରୁ ତାଙ୍କର ଖୁସି ଫେରି ଆସିଲା । ଏବେ ତାଙ୍କର ପରିସ୍ଥିତି ବଦଳି ଯାଇଥିଲା, ସେଥିପାଇଁ ସେ ପ୍ରଚାର କରିବାର ଉପାୟ ବି ବଦଳାଇଲେ । ତାଙ୍କ ପାଇଁ ବସିବା ବହୁତ କଷ୍ଟ ଥିଲା । ତେଣୁ ସେ ବସିକି ଚିଠି ଲେଖିପାରୁ ନ ଥିଲେ, ସେଥିପାଇଁ ସେ ଫୋନ୍‌ରେ ଲୋକମାନଙ୍କୁ ସାକ୍ଷ୍ୟ ଦେବାକୁ ଲାଗିଲେ । ସେ ପୂର୍ବରୁ ଯେଉଁମାନଙ୍କୁ ସାକ୍ଷ୍ୟ ଦେଇଥିଲେ ସେମାନଙ୍କୁ ଫୋନ୍‌ କଲେ । ସେମାନଙ୍କ ସହ କଥା ହୋଇ ସେ ଜାଣିପାରିଲେ ଯେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ହୁଏତ ଈଶ୍ୱରଙ୍କ ବିଷୟରେ ଜାଣିବା ପାଇଁ ଚାହାନ୍ତି । ଏହାର ପରିଣାମ କʼଣ ହେଲା ? କିଛି ମାସରେ ହିଁ ଭଉଣୀ ୭୦ ଜଣ ଲୋକଙ୍କର ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ । କିନ୍ତୁ ଏତେଗୁଡ଼ିଏ ଅଧ୍ୟୟନ ଚଲାଇବା ପାଇଁ ତାଙ୍କ ପାଖରେ ସମୟ ନ ଥିଲା । ସେଥିପାଇଁ ସେ ମଣ୍ଡଳୀର ଅନ୍ୟ ଭାଇଭଉଣୀମାନଙ୍କୁ କିଛି ଅଧ୍ୟୟନ ଦେଇଦେଲେ । ଭଉଣୀ ଯେଉଁ ଲୋକମାନଙ୍କ ଅଧ୍ୟୟନ ଚଲାଉଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଲୋକ ସଭାରେ ଆସନ୍ତି । ଭାବନ୍ତୁ, ସାରାଙ୍କ ଭଳି ପରିଶ୍ରମୀ ଭାଇଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱର୍ଗଦୂତମାନଙ୍କୁ କେତେ ଖୁସି ଲାଗୁଥିବ !

ସ୍ୱର୍ଗଦୂତମାନେ ଧୈର୍ଯ୍ୟ ଧରନ୍ତି

୧୧. ଧୈର୍ଯ୍ୟ ଧରିବା ମାମଲାରେ ବିଶ୍ୱସ୍ତ ସ୍ୱର୍ଗଦୂତମାନେ କିପରି ବଢ଼ିଆ ଉଦାହରଣ ରଖିଛନ୍ତି ?

୧୧ ଧୈର୍ଯ୍ୟ ଧରିବା ମାମଲାରେ ସ୍ୱର୍ଗଦୂତମାନେ ବଢ଼ିଆ ଉଦାହରଣ ରଖିଛନ୍ତି । ହଜାର ହଜାର ବର୍ଷରୁ ସେମାନେ ଦେଖି ଆସୁଛନ୍ତି ଯେ ଦୁନିଆରେ କେତେ ଅନ୍ୟାୟ ହେଉଛି ଓ ଦୁଷ୍ଟତା ବଢ଼ି ଚାଲିଛି । ଯେପରି, ସେମାନେ ଦେଖିଛନ୍ତି ଯେ କିପରି ଶୟତାନ ଓ ଅନ୍ୟ ଦୁଷ୍ଟ ସ୍ୱର୍ଗଦୂତମାନେ, ଯେଉଁମାନେ ଦିନେ ଯିହୋବାଙ୍କର ସେବା କରୁଥିଲେ, ସେମାନେ ବି ଯିହୋବାଙ୍କର ବିରୁଦ୍ଧରେ ହୋଇଗଲେ । (ଆଦି. ୩:୧; ୬:୧, ୨; ଯିହୂ. ୬) ବାଇବଲରେ ଏହା ବି କୁହାଯାଇଛି ଯେ ଥରେ ଜଣେ ସ୍ୱର୍ଗଦୂତ ଅନେକ ଦିନ ଧରି ଜଣେ ବିଶ୍ୱସ୍ତ ସ୍ୱର୍ଗଦୂତଙ୍କ ବିରୋଧ କରିଥିଲା । (ଦାନି. ୧୦:୧୩) ଏହା ବ୍ୟତୀତ ଆଦମ ଓ ହବାଙ୍କ ସମୟରୁ ନେଇ ଏବେ ପର୍ଯ୍ୟନ୍ତ ସ୍ୱର୍ଗଦୂତମାନେ ଦେଖି ଆସିଛନ୍ତି ଯେ କିପରି ଭାବରେ ବହୁତ କମ୍‌ ଲୋକମାନେ ସତ୍ୟ ଉପାସନାକୁ ସହଯୋଗ କରୁଛନ୍ତି । ତଥାପି ଏହି ବିଶ୍ୱସ୍ତ ସ୍ୱର୍ଗଦୂତମାନେ ଖୁସିରେ ଓ ପୂରା ଉତ୍ସାହର ସହିତ ଯିହୋବାଙ୍କର ସେବା କରୁଛନ୍ତି । ସେମାନେ ଜାଣିଛନ୍ତି ଯେ ସଠିକ୍‌ ସମୟରେ ଯିହୋବା ସବୁ ଅନ୍ୟାୟକୁ ଶେଷ କରିଦେବେ ।

୧୨. ଧୈର୍ଯ୍ୟ ଧରିବା ପାଇଁ କେଉଁ କଥା ଆମକୁ ସାହାଯ୍ୟ କରିବ ?

୧୨ ଆମେ ସ୍ୱର୍ଗଦୂତମାନଙ୍କ ଭଳି କିପରି ଧୈର୍ଯ୍ୟ ଧରିପାରିବା ? ସେମାନଙ୍କ ଭଳି ହୁଏତ ଆମେ ବି ଅନ୍ୟାୟ ହେବାର ଦେଖିଥିବା କିମ୍ବା ଆମର ବିରୋଧ ହୋଇଥିବ । କିନ୍ତୁ ସେମାନଙ୍କ ଭଳି ଆମକୁ ବି ଭରସା ଅଛି ଯେ ଯିହୋବା ସଠିକ୍‌ ସମୟରେ ସବୁ ପ୍ରକାରର ଅନ୍ୟାୟକୁ ଶେଷ କରିଦେବେ । ସେଥିପାଇଁ ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କ ଭଳି ଆମେ ବି “ଉତ୍ତମ କର୍ମ କରିବାରେ” ହାର୍‌ ମାନି ନ ଥାଉ । (ଗାଲା. ୬:୯) ଆମେ ମନେ ରଖୁ ଯେ ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରିବେ । (୧ କରି. ୧୦:୧୩) ତେଣୁ ଆମେ ଧୈର୍ଯ୍ୟ ଧରିବା ଓ ଖୁସିର ସହ ତାଙ୍କର ସେବା କରିବା ପାଇଁ ପ୍ରାର୍ଥନାରେ ତାଙ୍କୁ ପବିତ୍ର ଶକ୍ତି ମାଗୁ । (ଗାଲା. ୫:୨୨; କଲ. ୧:୧୧) କିନ୍ତୁ ଯଦି ଆପଣଙ୍କର ବିରୋଧ ହୁଏ, ତାହେଲେ ଆପଣ କʼଣ କରିପାରିବେ ? ଯିହୋବାଙ୍କ ଉପରେ ପୂରା ଭରସା ରଖନ୍ତୁ ଓ ଚିନ୍ତା କରନ୍ତୁ ନାହିଁ । ମନେ ରଖନ୍ତୁ, ଯିହୋବା ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବେ ଓ ଆପଣଙ୍କୁ ସାହସ ଦେବେ ।—ଏବ୍ରୀ ୧୩:୬.

ସ୍ୱର୍ଗଦୂତମାନେ ମଣ୍ଡଳୀକୁ ଶୁଦ୍ଧ ରଖନ୍ତି

୧୩. ଏହି ଶେଷ ସମୟରେ ଯିହୋବା ସ୍ୱର୍ଗଦୂତମାନଙ୍କୁ କେଉଁ ଜରୁରୀ କାମ ଦେଇଛନ୍ତି ? (ମାଥିଉ ୧୩:୪୭-୪୯)

୧୩ ଏହି ଶେଷ ସମୟରେ ଯିହୋବା ସ୍ୱର୍ଗଦୂତମାନଙ୍କୁ ଗୋଟିଏ ଜରୁରୀ କାମ ଦେଇଛନ୍ତି । (ମାଥିଉ ୧୩:୪୭-୪୯ ପଢ଼ନ୍ତୁ ।) ସାରା ଦୁନିଆରେ ପ୍ରଚାର କାମ ଚାଲିଛି ଏବଂ ସବୁ ପ୍ରକାରର ଲୋକମାନେ ଖୁସିଖବର ଶୁଣୁଛନ୍ତି । ସେମଧ୍ୟରୁ ଅନେକ ଲୋକ ନିଜ ଜୀବନରେ ପରିବର୍ତ୍ତନ କରନ୍ତି ଏବଂ ଯିହୋବାଙ୍କର ଇଚ୍ଛାନୁସାରେ ବଞ୍ଚନ୍ତି । କିନ୍ତୁ ଅନେକ ଲୋକ ଏପରି କରନ୍ତି ନାହିଁ । ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କୁ ‘ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ଅଲଗା କରିବାର’ କାମ ଦିଆଯାଇଛି । ଏହାର ଅର୍ଥ ସେମାନେ ମଣ୍ଡଳୀର ଶୁଦ୍ଧତା ବଜାୟ ରଖନ୍ତି । କିନ୍ତୁ ଏପରି ନୁହେଁ ଯେ ଯେଉଁ ଲୋକମାନେ ଅଧ୍ୟୟନ କରିବା, ସଭାରେ ଯିବା କିମ୍ବା ପ୍ରଚାରରେ ଯିବା ଛାଡ଼ି ଦେଇଛନ୍ତି, ସେମଧ୍ୟରୁ କେହି ବି ମଣ୍ଡଳୀରେ ଫେରିପାରିବେ ନାହିଁ କିମ୍ବା ମଣ୍ଡଳୀରେ କେବେ ବି କେହି ପାପ କରିବେ ନାହିଁ । କିନ୍ତୁ ଆମେ ଭରସା ରଖିପାରିବା ଯେ ସ୍ୱର୍ଗଦୂତମାନେ ମଣ୍ଡଳୀକୁ ଶୁଦ୍ଧ ରଖିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି ।

୧୪-୧୫. ମଣ୍ଡଳୀକୁ ଶୁଦ୍ଧ ରଖିବା ପାଇଁ ଆମେ କʼଣ କରିପାରିବା ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୪ ଆମେ କିପରି ସ୍ୱର୍ଗଦୂତମାନଙ୍କ ଭଳି ମଣ୍ଡଳୀକୁ ଶୁଦ୍ଧ ରଖିପାରିବା ? ମଣ୍ଡଳୀକୁ ଶୁଦ୍ଧ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ । ତାʼପାଇଁ ଆମେ କʼଣ କରିପାରିବା ? ଆମେ ଭାବିଚିନ୍ତି ସାଙ୍ଗ ବାଛିବା ଉଚିତ୍‌ ଏବଂ ଏପରି ପ୍ରତ୍ୟେକ କଥାରୁ ଦୂରେଇ ରହିବା ଉଚିତ୍‌, ଯାହାଯୋଗୁଁ ଯିହୋବାଙ୍କ ସହିତ ଆମ ସମ୍ପର୍କ ଭାଙ୍ଗି ଯାଇପାରେ । (ଗୀତ. ୧୦୧:୩) ଆମେ ଅନ୍ୟ ଭାଇଭଉଣୀଙ୍କୁ ମଧ୍ୟ ଯିହୋବାଙ୍କର ବିଶ୍ୱସ୍ତ ରହିବା ପାଇଁ ସାହାଯ୍ୟ କରିପାରିବା । ଯେପରି ଭାବନ୍ତୁ, କେହି ଭାଇ କିମ୍ବା ଭଉଣୀ କୌଣସି ଗମ୍ଭୀର ପାପ କରନ୍ତି ଏବଂ ଏକଥା ଆପଣଙ୍କୁ ଜଣାପଡ଼େ । ତେବେ ଆପଣ କʼଣ କରିବେ ? ଆପଣ ତାଙ୍କୁ ପ୍ରେମ କରନ୍ତି, ତେଣୁ ଆପଣ ତାଙ୍କୁ କହିବେ ଯେ ସେ ଏବିଷୟରେ ଯାଇ ପ୍ରାଚୀନମାନଙ୍କୁ କହନ୍ତୁ । ଯଦି ସେ ଏପରି କରନ୍ତି ନାହିଁ, ତାହେଲେ ଆପଣ କʼଣ କରିବେ ? ଆପଣଙ୍କୁ ନିଜେ ଯାଇ ପ୍ରାଚୀନମାନଙ୍କୁ ଏବିଷୟରେ କହିବାକୁ ପଡ଼ିବ । ଆମେ ଚାହୁଁ ଯେ ଏପରି ଭାଇଭଉଣୀମାନଙ୍କୁ ଯେତେ ଶୀଘ୍ର ହୋଇପାରେ ସାହାଯ୍ୟ ମିଳୁ, ଯାହାଦ୍ୱାରା ସେମାନେ ପୁଣିଥରେ ଯିହୋବାଙ୍କ ସହିତ ନିଜର ସମ୍ପର୍କ ଭଲ କରିପାରିବେ ।—ଯାକୁ. ୫:୧୪, ୧୫.

୧୫ ଯେଉଁ ଭାଇଭଉଣୀ ଗମ୍ଭୀର ପାପ କରନ୍ତି, ହୁଏତ ସେମାନଙ୍କ ମଧ୍ୟରୁ କିଛି ଭାଇଭଉଣୀଙ୍କୁ ମଣ୍ଡଳୀରୁ ବାହାର କରିଦିଆଯିବ । ଆଉ ସେସମୟରେ ଆମେ ସେମାନଙ୍କ ସହ କୌଣସି “ସମ୍ପର୍କ” ରଖି ନ ଥାଉ ।d (୧ କରି. ୫:୯-୧୩) ଏହି ବ୍ୟବସ୍ଥା ଯୋଗୁଁ ମଣ୍ଡଳୀ ଶୁଦ୍ଧ ରହେ । ଯେବେ ଆମେ ମଣ୍ଡଳୀରୁ ବାହାର କରି ଦିଆଯାଇଥିବା ଲୋକମାନଙ୍କ ସହିତ କୌଣସି ସଙ୍ଗତି କରି ନ ଥାଉ, ତେବେ ଆମେ ପ୍ରକୃତରେ ସେମାନଙ୍କ ପାଇଁ ନିଜର ପ୍ରେମ ଦେଖାଉ । ତାହା କିପରି ? ଯେବେ ଆମେ ଯିହୋବାଙ୍କର ଆଜ୍ଞା ମାନୁ ଓ ସେମାନଙ୍କ ସହ ସଙ୍ଗତି କରି ନ ଥାଉ, ତେବେ ହୁଏତ ସେମାନେ ଅନୁଭବ କରିବେ ଯେ ସେମାନଙ୍କୁ ଯିହୋବାଙ୍କ ପାଖକୁ ଫେରି ଆସିବା ଉଚିତ୍‌ । ଆଉ ଯେବେ ସେମାନେ ଯିହୋବାଙ୍କ ପାଖକୁ ଫେରି ଆସନ୍ତି, ତେବେ ଆମେ, ଯିହୋବା ଓ ସ୍ୱର୍ଗଦୂତମାନଙ୍କ ସହ ମିଶି ଖୁସି ହେଉ ।—ଲୂକ ୧୫:୭.

ଚିତ୍ରଗୁଡ଼ିକ: ୧. ଦୁଇଜଣ ଭଉଣୀ ବେଞ୍ଚରେ ବସି କଫି ପିଉଛନ୍ତି । ଜଣେ ଭଉଣୀ ଆଉ ଜଣେ ଭଉଣୀଙ୍କୁ କିଛି କହୁଛନ୍ତି, କିନ୍ତୁ ସେ ଅନ୍ୟପଟେ ଦେଖୁଛନ୍ତି । ୨. ଯେଉଁ ଭଉଣୀ କଥା ହେଉଥିଲେ, ଏବେ ସେ ରାଜ୍ୟଘରେ ଅଛନ୍ତି ଓ ଦୁଇଜଣ ପ୍ରାଚୀନଙ୍କ ସହ କଥା ହେଉଛନ୍ତି ।

ଯଦି ଆମକୁ ଜଣାପଡ଼େ ଯେ କେହି ଭାଇ କିମ୍ବା ଭଉଣୀ କୌଣସି ଗମ୍ଭୀର ପାପ କରିଛନ୍ତି, ତାହେଲେ ଆମେ କʼଣ କରିବା ଉଚିତ୍‌ ? (ପାରାଗ୍ରାଫ ୧୪) e


୧୬. ଆପଣ ସ୍ୱର୍ଗଦୂତମାନଙ୍କ ଭଳି ହେବା ପାଇଁ କʼଣ କରିବା ପାଇଁ ଚାହାନ୍ତି ?

୧୬ ଏହା କେତେ ସମ୍ମାନର କଥା ଯେ ଯିହୋବା ଆମକୁ ସ୍ୱର୍ଗଦୂତମାନଙ୍କ ବିଷୟରେ ଅନେକ କଥା କହିଛନ୍ତି ଏବଂ ଆମକୁ ସେମାନଙ୍କ ସହ ମିଶି ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି । ଆସନ୍ତୁ ଆମେ ସ୍ୱର୍ଗଦୂତମାନଙ୍କ ଭଳି ନମ୍ର ହେବା, ଲୋକମାନଙ୍କୁ ପ୍ରେମ କରିବା, ଧୈର୍ଯ୍ୟ ଧରିବା ଏବଂ ପ୍ରତ୍ୟେକ ମାମଲାରେ ମଣ୍ଡଳୀକୁ ଶୁଦ୍ଧ ରଖିବା । ଯଦି ଆମେ ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା, ତେବେ ଆମେ ସବୁଦିନ ପାଇଁ ଯିହୋବାଙ୍କ ପରିବାରର ସଦସ୍ୟ ହୋଇ ରହିପାରିବା ।

ସ୍ୱର୍ଗଦୂତମାନଙ୍କ ଭଳି ଆମେ କିପରି . . .

  • ନମ୍ର ହୋଇପାରିବା ?

  • ଲୋକମାନଙ୍କୁ ପ୍ରେମ କରିପାରିବା ?

  • ମଣ୍ଡଳୀକୁ ଶୁଦ୍ଧ ରଖିପାରିବା ?

ଗୀତ ୧୨୩ ଯିହୋବାଙ୍କ ଶାସନର ଆମେ ଅଧୀନ

a ସ୍ୱର୍ଗରେ ଲକ୍ଷ ଲକ୍ଷ ସ୍ୱର୍ଗଦୂତ ଅଛନ୍ତି, କିନ୍ତୁ ବାଇବଲରେ କେବଳ ଦୁଇଜଣଙ୍କ ନାମ ହିଁ ଦିଆଯାଇଛି ।—ଦାନି. ୧୨:୧; ଲୂକ ୧:୧୯.

b ୨୦୧୭ ମସିହାର ପ୍ରହରୀଦୁର୍ଗର (ହିନ୍ଦୀ) ସଂଖ୍ୟା ୫, ପୃ ୩ ଓ ‘ପରମେଶ୍ୱର କେ ରାଜ କେ ବାରେ ମେ ଆଛି ତରହ ଗୱାହି ଦୋ’ ବହିର ଅଧ୍ୟାୟ ୭, ପୃ ୫୯, ପାରା. ୧୭ରେ ଦିଆଯାଇଥିବା ଅନୁଭୂତି ମଧ୍ୟ ପଢ଼ନ୍ତୁ । ତାʼଛଡ଼ା ଆମ ପ୍ରକାଶନଗୁଡ଼ିକରେ ଏପରି ହିଁ ଅନେକ ଅନୁଭୂତି ଦିଆଯାଇଛି, ଆପଣ ସେଗୁଡ଼ିକୁ ମଧ୍ୟ ପଢ଼ିପାରିବେ ।

c ଏହି ଭଉଣୀଙ୍କ ନାମ ତାଙ୍କ ଅସଲି ନାମ ନୁହେଁ ।

d ଯେପରି ୨୦୨୪ର ପ୍ରଶାସନ ଦଳ ତରଫରୁ ଅପଡେଟ୍‌ ସଂ. ୨ରେ କୁହାଯାଇଥିଲା, ଯଦି ମଣ୍ଡଳୀରୁ ବାହାର କରି ଦିଆଯାଇଥିବା ଜଣେ ବ୍ୟକ୍ତି ସଭାକୁ ଆସେ, ତେବେ ତାକୁ ସ୍ୱାଗତ କରିବେ ନା ନାହିଁ କିମ୍ବା ତାକୁ ନମସ୍କାର କହିବେ ନା ନାହିଁ, ଏହା ପ୍ରତ୍ୟେକ ପ୍ରଚାରକ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେଇପାରିବେ ।

e ଚିତ୍ର ବିଷୟରେ: ଜଣେ ଭଉଣୀ ନିଜ ସାଙ୍ଗକୁ ପ୍ରାଚୀନମାନଙ୍କ ସହ କଥା ହେବା ପାଇଁ କହୁଛନ୍ତି । କିନ୍ତୁ କିଛି ସମୟ ବିତିଲା ପରେ ବି ସେ ଏପରି କରନ୍ତି ନାହିଁ । ତେବେ ସେହି ଭଉଣୀ ନିଜେ ଯାଇ ପ୍ରାଚୀନମାନଙ୍କୁ ସବୁକିଛି କହିଦିଅନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ