ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଜୁଲାଇ ପୃଷ୍ଠା ୮-୧୩
  • ଆମେ କିପରି ଭଲ ପରାମର୍ଶ ଦେଇପାରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମେ କିପରି ଭଲ ପରାମର୍ଶ ଦେଇପାରିବା ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯେବେ କେହି ଆମକୁ ପରାମର୍ଶ ମାଗନ୍ତି
  • ଯେବେ ଆମକୁ ଆଗକୁ ଆସି ପରାମର୍ଶ ଦେବାକୁ ପଡ଼େ
  • ସଠିକ୍‌ ସମୟରେ ଓ ସଠିକ୍‌ ଉପାୟରେ ପରାମର୍ଶ ଦିଅନ୍ତୁ
  • ପରାମର୍ଶ ଦେବା ପାଇଁ ଓ ପରାମର୍ଶ ନେବା ପାଇଁ ସଂକୋଚ କରନ୍ତୁ ନାହିଁ
  • ଆମେ କାହିଁକି ଅନ୍ୟମାନଙ୍କଠାରୁ ପରାମର୍ଶ ନେବା ଉଚିତ୍‌ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରାଚୀନମାନଙ୍କ ସାହାଯ୍ୟ ନିଅନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • କʼଣ ଆପଣଙ୍କ ପରାମର୍ଶ ଦ୍ୱାରା ଅନ୍ୟମାନଙ୍କ ହୃଦୟ ଖୁସି ହୁଏ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ବୁଦ୍ଧିମାନର କଥା କାନ ଡେରି ଶୁଣ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଜୁଲାଇ ପୃଷ୍ଠା ୮-୧୩

ଅଧ୍ୟୟନ ଲେଖା ୨୯

ଗୀତ ୮୭ ଆସ ! ସତେଜ ହୁଅ

ଆମେ କିପରି ଭଲ ପରାମର୍ଶ ଦେଇପାରିବା ?

‘ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ପରାମର୍ଶ ଦେବି ।’—ଗୀତ. ୩୨:୮.

କʼଣ ଶିଖିବା ?

ଆମେ କିପରି ଅନ୍ୟମାନଙ୍କୁ ଭଲ ପରାମର୍ଶ ଦେଇପାରିବା, ଯେଉଁଥିରୁ ସେମାନଙ୍କୁ ଲାଭ ହେବ ।

୧. ପରାମର୍ଶ ଦେବାର ଦାୟିତ୍ୱ କାହାର ଓ କାହିଁକି ?

କʼଣ ଆପଣଙ୍କୁ ଅନ୍ୟମାନଙ୍କୁ ପରାମର୍ଶ ଦେବା ଭଲ ଲାଗେ ? ଅନେକ ଲୋକଙ୍କୁ ଏପରି କରିବା ବହୁତ ଭଲ ଲାଗେ । କିନ୍ତୁ କିଛି ଲୋକଙ୍କୁ ଏପରି କରିବା ପାଇଁ ସଂକୋଚ ଲାଗେ । ସେମାନଙ୍କୁ ବୁଝି ଆସେନି ଯେ ସେମାନେ କʼଣ କହିବେ ଏବଂ କିପରି କହିବେ । କାରଣ ଯାହା ବି ହୋଇଥାଉ ନା କାହିଁକି, ଅନ୍ୟମାନଙ୍କୁ ପରାମର୍ଶ ଦେବା ଆମ ସମସ୍ତଙ୍କ ଦାୟିତ୍ୱ । ଏପରି କାହିଁକି ? କାରଣ ଯୀଶୁ କହିଥିଲେ ଯେ ସତ୍ୟ ଖ୍ରୀଷ୍ଟିୟାନମାନଙ୍କ ପରିଚୟ ହେଉଛି, ପରସ୍ପରକୁ ପ୍ରେମ କରିବା । (ଯୋହ. ୧୩:୩୫) ଆଉ ଭାଇଭଉଣୀମାନଙ୍କୁ ପ୍ରେମ ଦେଖାଇବାର ଗୋଟିଏ ଉପାୟ ହେଉଛି, ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପରାମର୍ଶ ଦେବା । ତାʼସହିତ ଈଶ୍ୱରଙ୍କ ବାକ୍ୟରେ ଲେଖା ହୋଇଛି, “ମନର ମନ୍ତ୍ରଣାରୁ” [“ସଚ୍ଚୋଟ ପରାମର୍ଶରୁ,” NWT] ମିତ୍ରତା ଦୃଢ଼ ହୁଏ ।—ହିତୋ. ୨୭:୯.

୨. ପ୍ରାଚୀନମାନଙ୍କୁ କʼଣ କରିବା ପାଇଁ ଯୋଗ୍ୟ ହେବା ଉଚିତ୍‌ ଏବଂ କାହିଁକି ? (“ସପ୍ତାହ ମଝିରେ ହେଉଥିବା ସଭାରେ ପରାମର୍ଶ ଦେବା” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୨ ବିଶେଷ କରି ପ୍ରାଚୀନମାନଙ୍କ ପାଇଁ ଏହା ଜରୁରୀ ଯେ ସେମାନେ ଅନ୍ୟମାନଙ୍କୁ ଭଲ ପରାମର୍ଶ ଦେବା ପାଇଁ ଯୋଗ୍ୟ ହୁଅନ୍ତୁ । କାରଣ ଯିହୋବା ଯୀଶୁଙ୍କ ଜରିଆରେ ସେମାନଙ୍କୁ ଏହା ଦାୟିତ୍ୱ ଦେଇଛନ୍ତି ଯେ ସେମାନେ ମେଷପାଳକ ଭଳି ମଣ୍ଡଳୀର ଦେଖାଶୁଣା କରନ୍ତୁ । (୧ ପିତ. ୫:୨, ୩) ସେମାନେ ଏପରି ଅନେକ ଉପାୟରେ କରନ୍ତି । ଗୋଟିଏ ଉପାୟ ହେଉଛି, ସେମାନେ ନିଜ ଭାଷଣଗୁଡ଼ିକ ଜରିଆରେ ମଣ୍ଡଳୀକୁ ବାଇବଲ ଆଧାରିତ ପରାମର୍ଶ ଦିଅନ୍ତି । ଆବଶ୍ୟକ ପଡ଼ିଲେ ସେମାନେ ବ୍ୟକ୍ତିଗତ ଭାବେ ଭାଇଭଉଣୀମାନଙ୍କୁ ପରାମର୍ଶ ଦିଅନ୍ତି ଏବଂ ଯେଉଁମାନେ ଯିହୋବାଙ୍କଠାରୁ ଦୂରେଇ ଯାଇଛନ୍ତି, ସେମାନଙ୍କୁ ପୁଣିଥରେ ଫେରାଇ ଆଣିବା ପାଇଁ ବି ସାହାଯ୍ୟ କରନ୍ତି । ତାହେଲେ ପ୍ରଶ୍ନ ଆସେ, ପ୍ରାଚୀନମାନେ ଓ ଆମେମାନେ କିପରି ଅନ୍ୟମାନଙ୍କୁ ଭଲ ପରାମର୍ଶ ଦେଇପାରିବା ?

ସପ୍ତାହ ମଝିରେ ହେଉଥିବା ସଭାରେ ଚେୟାରମେନ୍‌ ବିଦ୍ୟାର୍ଥୀର ପ୍ରଶଂସା କରୁଛି ଓ “ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ” ପୁସ୍ତିକାରୁ ପରାମର୍ଶ ଦେଉଛି ।

ସପ୍ତାହ ମଝିରେ ହେଉଥିବା ସଭାରେ ପରାମର୍ଶ ଦେବା

ସପ୍ତାହ ମଝିରେ ହେଉଥିବା ସଭାରେ ଚେୟାରମେନ୍‌ ସେହି ଭାଇଭଉଣୀମାନଙ୍କୁ ଭଲ ପରାମର୍ଶ ଦିଏ, ଯେଉଁମାନଙ୍କ ସଭାରେ ବିଦ୍ୟାର୍ଥୀ ଭାଗ ଥାଏ । ଯେବେ ବିଦ୍ୟାର୍ଥୀ ନିଜ ଭାଗ ପରିବେଷଣ କରେ, ତେବେ ଚେୟାରମେନ୍‌ ଧ୍ୟାନ ଦିଏ ଯେ ତାକୁ ଯେଉଁ ଗୁଣ ବା ଯେଉଁ ପଏଣ୍ଟ ଉପରେ ଧ୍ୟାନ ଦେବାର ଥିଲା, ତାହାକୁ ସେ କେତେ ଭଲଭାବରେ କଲା ।

ବିଦ୍ୟାର୍ଥୀ ନିଜ ଭାଗ ପରିବେଷଣ କରି ସାରିବା ପରେ ଚେୟାରମେନ୍‌ ହୃଦୟର ସହ ତାକୁ ପ୍ରଶଂସା କରେ । ଆବଶ୍ୟକ ପଡ଼ିଲେ ସେ ବିଦ୍ୟାର୍ଥୀକୁ ପ୍ରେମର ସହ କିନ୍ତୁ ସ୍ପଷ୍ଟ ଭାବେ କହେ ଯେ ସେ କିପରି ଭାବେ ନିଜର ଶିଖାଇବାର ଦକ୍ଷତା ବଢ଼ାଇପାରିବ । ଚେୟାରମେନ୍‌ର ପରାମର୍ଶରୁ କେବଳ ବିଦ୍ୟାର୍ଥୀକୁ ନୁହଁ, ବରଂ ମଣ୍ଡଳୀର ସମସ୍ତ ଭାଇଭଉଣୀମାନଙ୍କୁ ଲାଭ ହୁଏ ।—ହିତୋ. ୨୭:୧୭.

୩. (କ) ଆମେ କିପରି ଭଲ ପରାମର୍ଶ ଦେବା ପାଇଁ ଶିଖିପାରିବା ? (ଯିଶାଇୟ ୯:୬; “ଯୀଶୁଙ୍କ ଭଳି ପରାମର୍ଶ ଦିଅନ୍ତୁ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।) (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

୩ ଭଲ ପରାମର୍ଶ ଦେବା ପାଇଁ ଆମେ ବାଇବଲରେ ଦିଆଯାଇଥିବା ଚରିତ୍ରଗୁଡ଼ିକ ବିଷୟରେ ଅଧ୍ୟୟନ କରି ଅନେକ କଥା ଶିଖିପାରିବା, ବିଶେଷ କରି ଯୀଶୁଙ୍କ ବିଷୟରେ ଅଧ୍ୟୟନ କରି । ଯୀଶୁଙ୍କୁ ଅନେକ ଉପାଧି ଦିଆଯାଇଥିଲା, ସେମଧ୍ୟରୁ ଗୋଟିଏ ହେଉଛି, ‘ଆଶ୍ଚର୍ଯ୍ୟ ମନ୍ତ୍ରୀ’ [“ନିପୁଣ ପରାମର୍ଶଦାତା,” NWT] । (ଯିଶାଇୟ ୯:୬ ପଢ଼ନ୍ତୁ ।) ଏହି ଲେଖାରେ ଆମେ ଜାଣିବା ଯେ ଯେବେ କେହି ଆମକୁ ପରାମର୍ଶ ମାଗନ୍ତି, ତେବେ ଆମେ କʼଣ କରିବା ଏବଂ ଯେବେ କେହି ଆମକୁ ପରାମର୍ଶ ମାଗନ୍ତି ନାହିଁ, ତଥାପି ଯଦି ଆମକୁ ଆଗକୁ ଆସି ସେମାନଙ୍କୁ ପରାମର୍ଶ ଦେବାକୁ ପଡ଼େ, ତାହେଲେ ଆମେ କʼଣ କରିବା । ଆମେ ଏହା ବି ଜାଣିବା ଯେ ସଠିକ୍‌ ସମୟରେ ଓ ଠିକ୍‌ ଉପାୟରେ ପରାମର୍ଶ ଦେବା କେତେ ଜରୁରୀ ।

ଯୀଶୁଙ୍କ ଭଳି ପରାମର୍ଶ ଦିଅନ୍ତୁ

କିଛି କଥା ଉପରେ ଧ୍ୟାନ ଦିଅନ୍ତୁ, ଯାହାଯୋଗୁଁ ଯୀଶୁଙ୍କୁ “ନିପୁଣ ପରାମର୍ଶଦାତା” କୁହାଯାଇଛି ଏବଂ ଧ୍ୟାନ ଦିଅନ୍ତୁ ଯେ ଆମେ କିପରି ତାଙ୍କ ଭଳି ପରାମର୍ଶ ଦେଇପାରିବା ।

  • ଯୀଶୁ ଜାଣିଥିଲେ ଯେ ତାଙ୍କୁ କʼଣ କହିବା ଉଚିତ୍‌ । ଯୀଶୁଙ୍କୁ ସବୁବେଳେ ଜଣାଥିଲା ଯେ କʼଣ କହିବା ଠିକ୍‌ ହେବ, ତେଣୁ ସେ ଯାହା ବି ପରାମର୍ଶ ଦେଉଥିଲେ ତାହା ନିଜ ମନରୁ ନୁହଁ, ବରଂ ଈଶ୍ୱରଙ୍କ ଚିନ୍ତାଧାରା ଅନୁସାରେ ରହୁଥିଲା । ସେ ନିଜ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ଯେସମସ୍ତ ବାକ୍ୟ କହେ, ସେହିସବୁ ମୋʼ ନିଜରୁ କହେ ନାହିଁ ।”—ଯୋହ. ୧୪:୧୦.

    ଶିକ୍ଷା: ହୁଏତ ଆମକୁ ଜୀବନର ଅନେକ ଅନୁଭୂତି ଥିବ ଓ ଆମେ ଅନେକ କଥା ଶିଖିଥିବା । କିନ୍ତୁ ଆମେ ଧ୍ୟାନ ଦେବା ଯେ ଆମେ ଯେଉଁ ପରାମର୍ଶ ଦେଉ, ତାହା ଆମ ଚିନ୍ତାଧାରା ଅନୁସାରେ ନୁହେଁ, ବରଂ ଈଶ୍ୱରଙ୍କ ବାକ୍ୟ ଆଧାରିତ ହେବା ଉଚିତ୍‌ ।

  • ଯୀଶୁ ଜାଣିଥିଲେ ଯେ ତାଙ୍କୁ କେବେ ପରାମର୍ଶ ଦେବା ଉଚିତ୍‌ । ଯୀଶୁ ନିଜ ଶିଷ୍ୟମାନଙ୍କୁ ସବୁ କଥା ଏକାଥରକେ କହୁ ନ ଥିଲେ । ଏହା ପରିବର୍ତ୍ତେ ସେ ଶିଷ୍ୟମାନଙ୍କୁ ପରାମର୍ଶ ଦେବା ପାଇଁ ସଠିକ୍‌ ସମୟର ଅପେକ୍ଷା କରୁଥିଲେ ଏବଂ ସେମାନଙ୍କୁ ସେତିକି ହିଁ ତଥ୍ୟ ଦେଉଥିଲେ, ଯେତିକି ସେମାନେ ବୁଝିପାରନ୍ତେ ।—ଯୋହ. ୧୬:୧୨.

    ଶିକ୍ଷା: ଯେବେ ଆମେ କାହାରିକୁ ପରାମର୍ଶ ଦେଉ, ତେବେ ଆମେ ‘କଥା କହିବାର ସମୟର’ ଅପେକ୍ଷା କରିବା ଉଚିତ୍‌ । (ଉପ. ୩:୭) ଯଦି ଆମେ କାହାରିକୁ ବହୁତ କିଛି କହିବା, ତାହେଲେ ହୁଏତ ସେ ବୁଝିପାରିବେ ନାହିଁ ଯେ ଆମେ କʼଣ କହିବା ପାଇଁ ଚାହୁଁଛୁ ଏବଂ ସେ ନିରାଶ ହୋଇଯିବେ । ସେଥିପାଇଁ ଭଲ ହେବ ଯେ ଆମେ ସେମାନଙ୍କୁ ସେତିକି ହିଁ ତଥ୍ୟ ଦେବା, ଯେତିକି ତାଙ୍କ ପାଇଁ ଜରୁରୀ ।

  • ଯୀଶୁ ଜାଣିଥିଲେ ଯେ କିପରି ପରାମର୍ଶ ଦେବା ଉଚିତ୍‌ । ଯୀଶୁ ନମ୍ର ହେବା ବିଷୟରେ ପ୍ରେରିତମାନଙ୍କୁ ବାରମ୍ବାର ପରାମର୍ଶ ଦେଲେ । କିନ୍ତୁ ପ୍ରତ୍ୟେକ ଥର ସେ ସେମାନଙ୍କ ସହିତ ପ୍ରେମ ଓ ଆଦର ସହିତ କଥା ହେଲେ ।—ମାଥି. ୧୮:୧-୫.

    ଶିକ୍ଷା: ଯଦି ଆମକୁ କାହାରିକୁ ଗୋଟିଏ କଥା ପାଇଁ ବାରମ୍ବାର ପରାମର୍ଶ ଦେବାକୁ ପଡ଼େ, ତାହେଲେ ବି ଆମେ ପ୍ରେମ ଓ ଆଦର ସହିତ କଥା ହେବା ଉଚିତ୍‌ । ଯେବେ ଆମେ ଏପରି କରିବା, ତେବେ ସେମାନଙ୍କୁ ଆମ ପରାମର୍ଶ ମାନିବା ପାଇଁ ଇଚ୍ଛା ହେବ ।

ଯେବେ କେହି ଆମକୁ ପରାମର୍ଶ ମାଗନ୍ତି

୪-୫. ଯେବେ କେହି ଆମକୁ ପରାମର୍ଶ ମାଗନ୍ତି, ତେବେ ଆମେ ତାଙ୍କୁ କିଛି କହିବା ପୂର୍ବରୁ କʼଣ ଭାବିବା ଉଚିତ୍‌ ? ଗୋଟିଏ ଉଦାହରଣ ଦିଅନ୍ତୁ ।

୪ ଯେବେ କେହି ଆମକୁ ପରାମର୍ଶ ମାଗନ୍ତି, ତେବେ ଆମେ କʼଣ କରିବା ଉଚିତ୍‌ ? ଏପରି ସମୟରେ ହୁଏତ ଆମକୁ ପରାମର୍ଶ ଦେବା ପାଇଁ ବହୁତ ଭଲ ଲାଗିବ ଓ ଆମେ ତୁରନ୍ତ ତାଙ୍କର ସାହାଯ୍ୟ କରିବା ପାଇଁ ଚାହିଁବା । କିନ୍ତୁ ପରାମର୍ଶ ଦେବା ପୂର୍ବରୁ ନିଜକୁ ପଚାରନ୍ତୁ, ‘କʼଣ ମୋ ପାଖରେ ଏତେ ଅନୁଭୂତି ଅଛି ଯେ ମୁଁ ତାଙ୍କୁ ଭଲ ପରାମର୍ଶ ଦେଇପାରିବି ?’ ବେଳେବେଳେ ଜଣେ ବ୍ୟକ୍ତିକୁ ସାହାଯ୍ୟ କରିବାର ସବୁଠୁ ଭଲ ଉପାୟ ହେଉଛି, ଆମେ ପରାମର୍ଶ ନ ଦେଇ ତାକୁ ଏପରି ବ୍ୟକ୍ତି ଖୋଜିବା ପାଇଁ ସାହାଯ୍ୟ କରିବା ଯିଏ ତାକୁ ଭଲ ପରାମର୍ଶ ଦେଇପାରିବେ ।

୫ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ ଆପଣଙ୍କ ଜଣେ ସାଙ୍ଗକୁ ବହୁତ ବଡ଼ ରୋଗ ହୋଇଛି । ସେ ଚିକିତ୍ସାର ଅଲଗା ଅଲଗା ଉପାୟ ଖୋଜେ ଏବଂ ଆପଣଙ୍କୁ ଆସି ପଚାରେ ଯେ ତମ ଅନୁସାରେ କେଉଁ ଚିକିତ୍ସା କରାଇବା ଭଲ ରହିବ । ଆପଣଙ୍କୁ ହୁଏତ ସେମଧ୍ୟରୁ କୌଣସି ଗୋଟିଏ ଚିକିତ୍ସା ବହୁତ ଭଲ ଲାଗେ । କିନ୍ତୁ ଆପଣ ଡାକ୍ତର ନୁହଁନ୍ତି ଏବଂ ଆପଣ ସେହି ରୋଗର ଚିକିତ୍ସା କରିବା ପାଇଁ ଟ୍ରେନିଙ୍ଗ କରି ନାହାନ୍ତି । ତାହେଲେ ଏପରି ସମୟରେ କʼଣ କରିବା ସବୁଠୁ ଭଲ ରହିବ ? ଆପଣ ତାକୁ କୌଣସି ପରାମର୍ଶ ଦେବା ପରିବର୍ତ୍ତେ, ଭଲ ହେବ ଯେ ଆପଣ ତାʼପାଇଁ ଏପରି କୌଣସି ବ୍ୟକ୍ତିକୁ ଖୋଜିବାରେ ସାହାଯ୍ୟ କରନ୍ତୁ, ଯିଏ ତାʼର ସଠିକ୍‌ ଚିକିତ୍ସା କରିପାରିବେ ।

୬. କାହାରିକୁ ପରାମର୍ଶ ଦେବା ପୂର୍ବରୁ କିଛି ସମୟ ଅପେକ୍ଷା କରିବା କାହିଁକି ଭଲ ରହିବ ?

୬ ହୁଏତ ଆମକୁ ଲାଗିବ ଯେ ଆମେ କୌଣସି ମାମଲାରେ ଭଲ ପରାମର୍ଶ ଦେଇପାରିବା । ତଥାପି କାହାରିକୁ ପରାମର୍ଶ ଦେବା ପୂର୍ବରୁ କିଛି ସମୟ ଅପେକ୍ଷା କରିବା ଭଲ ରହିବ । ଏପରି କାହିଁକି ? ହିତୋପଦେଶ ୧୫:୨୮ ପଦରେ ଲେଖା ହୋଇଛି, “ଧାର୍ମିକର ମନ ବିବେଚନା କରି ଉତ୍ତର ଦିଏ ।” କିନ୍ତୁ ଯଦି ଆମକୁ ଲାଗେ ଯେ ଆମକୁ ତାହାର ଉତ୍ତର ଭଲଭାବେ ଜଣାଅଛି, ତାହେଲେ ବି ଆମେ କʼଣ କରିପାରିବା ? ଏପରି ସମୟରେ ବି ଆମେ କିଛି ସମୟ ନେଇ ଅନୁସନ୍ଧାନ କରିବା ଉଚିତ୍‌, ପ୍ରାର୍ଥନା କରିବା ଉଚିତ୍‌ ଓ ଧ୍ୟାନର ସହ ଭାବିବା ଉଚିତ୍‌ ଯେ ଆମେ ତାଙ୍କୁ କʼଣ କହିବା । ଏପରି କଲେ ଆମକୁ ପୂରା ଭରସା ହୋଇଯିବ ଯେ ଆମେ ତାଙ୍କୁ ଯେଉଁ ପରାମର୍ଶ ଦେବା, ତାହା ଯିହୋବାଙ୍କ ଇଚ୍ଛା ଅନୁସାରେ ଅଟେ । ଏବିଷୟରେ ଆମେ ଭବିଷ୍ୟଦ୍‌ବକ୍ତା ନାଥନଙ୍କଠାରୁ କିଛି ଶିଖିପାରିବା ।

୭. ଆପଣ ଭବିଷ୍ୟଦ୍‌ବକ୍ତା ନାଥନଙ୍କ ଉଦାହରଣରୁ କʼଣ ଶିଖିଲେ ?

୭ ଥରେ ରାଜା ଦାଉଦ ଭବିଷ୍ୟଦ୍‌ବକ୍ତା ନାଥନଙ୍କୁ କହିଲେ ଯେ ସେ ଯିହୋବାଙ୍କ ପାଇଁ ମନ୍ଦିର ତିଆରି କରିବା ପାଇଁ ଚାହାନ୍ତି । ନାଥନ ତୁରନ୍ତ ତାଙ୍କୁ ଏପରି କରିବା ପାଇଁ ପରାମର୍ଶ ଦେଲେ । କିନ୍ତୁ ନାଥନଙ୍କୁ ସର୍ବପ୍ରଥମେ ଏବିଷୟରେ ଯିହୋବାଙ୍କୁ ପଚାରିବାର ଥିଲା । ତାହା କାହିଁକି ? କାରଣ ଯିହୋବା ଚାହୁଁ ନ ଥିଲେ ଯେ ଦାଉଦ ତାଙ୍କ ପାଇଁ ମନ୍ଦିର ତିଆରି କରନ୍ତୁ । (୧ ବଂଶା. ୧୭:୧-୪) ଏହି ଘଟଣାରୁ ଆମେ କʼଣ ଶିଖୁ ? ଯେବେ କେହି ଆମକୁ ପରାମର୍ଶ ମାଗନ୍ତି, ତେବେ “କହିବାରେ ଧୀର” ହେବା ବୁଦ୍ଧିମାନୀ ହେବ ।—ଯାକୁ. ୧:୧୯.

୮. ଆମେ କାହିଁକି କାହାରିକୁ ପରାମର୍ଶ ଦେବା ପୂର୍ବରୁ ଧ୍ୟାନର ସହ ଭାବିବା ଉଚିତ୍‌ ? ଏହାର ଆଉ ଗୋଟିଏ ଉପାୟ କହନ୍ତୁ ।

୮ ଆଉ ଗୋଟିଏ ଉପାୟ ଉପରେ ଧ୍ୟାନ ଦିଅନ୍ତୁ ଯେ ଆମେ କାହିଁକି ପରାମର୍ଶ ଦେବା ପୂର୍ବରୁ ଧ୍ୟାନର ସହ ଭାବିବା ଉଚିତ୍‌ । ଭାବନ୍ତୁ, ଯଦି ଆମେ କାହାରିକୁ ଭୁଲ ପରାମର୍ଶ ଦେବା ଓ ତାʼଯୋଗୁଁ ସେ କୌଣସି ଏପରି ନିଷ୍ପତ୍ତି ନେବ ଯାହାର ତାକୁ ଖରାପ ପରିଣାମ ଭୋଗିବାକୁ ପଡ଼େ, ତାହେଲେ ତାହାର ନିଷ୍ପତ୍ତି ପାଇଁ କିଛି ମାତ୍ରାରେ ଆମେ ବି ଦାୟୀ ହେବା । ସେଥିପାଇଁ କାହାରିକୁ ପରାମର୍ଶ ଦେବା ପୂର୍ବରୁ ଧ୍ୟାନର ସହ ଭାବିବା ବହୁତ ଜରୁରୀ ।

ଯେବେ ଆମକୁ ଆଗକୁ ଆସି ପରାମର୍ଶ ଦେବାକୁ ପଡ଼େ

୯. କାହାରିକୁ ପରାମର୍ଶ ଦେବା ପୂର୍ବରୁ ପ୍ରାଚୀନମାନେ କେଉଁ କଥା ଜାଣିବା ନିହାତି ଜରୁରୀ ? (ଗାଲାତୀୟ ୬:୧)

୯ ବେଳେବେଳେ ପ୍ରାଚୀନମାନଙ୍କୁ ଆଗକୁ ଆସି ଏପରି କୌଣସି ଭାଇ କିମ୍ବା ଭଉଣୀଙ୍କୁ ପରାମର୍ଶ ଦେବାକୁ ପଡ଼େ, ଯିଏ “ଅପରାଧରେ ଧରାପଡ଼େ [“ଭୁଲ ପଦକ୍ଷେପ ନେଇଛି,” NWT] ।” (ଗାଲାତୀୟ ୬:୧ ପଢ଼ନ୍ତୁ ।) ଇଂରାଜୀ ବାଇବଲରେ ଏହି ପଦର ଅଧ୍ୟୟନ ନୋଟ୍‌ରେ ଲେଖା ହୋଇଛି, “ହୋଇପାରେ ସେହି ବ୍ୟକ୍ତି ଏବେ ଯାଏ କୌଣସି ଗମ୍ଭୀର ପାପ କରି ନାହିଁ, କିନ୍ତୁ ସେ ସେହି ବାଟ ଆଡ଼କୁ ଯିବା ଆରମ୍ଭ କରିଦେଇଛି ।” ଏପରି ସମୟରେ ପ୍ରାଚୀନମାନେ ସେହି ବ୍ୟକ୍ତିକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରନ୍ତି, ଯାହାଫଳରେ ସେ ଅନନ୍ତ ଜୀବନ ଆଡ଼କୁ ନେଇ ଯାଉଥିବା ବାଟରେ ଚାଲିବା ଜାରି ରଖୁ । (ଯାକୁ. ୫:୧୯, ୨୦) କିନ୍ତୁ ସେହି ବ୍ୟକ୍ତିକୁ ପରାମର୍ଶ ଦେବା ପୂର୍ବରୁ ପ୍ରାଚୀନମାନଙ୍କୁ ଏହା ଜାଣିବା ନିହାତି ଜରୁରୀ ଯେ କʼଣ ସେ ପ୍ରକୃତରେ କୌଣସି ଭୁଲ ପଦକ୍ଷେପ ନେଇଛି । କାରଣ ଯଦି ସେମାନେ ଏପରି କରନ୍ତି ନାହିଁ, ତାହେଲେ ସେମାନଙ୍କ ପରାମର୍ଶରୁ ସେହି ବ୍ୟକ୍ତିକୁ କୌଣସି ଲାଭ ହେବ ନାହିଁ । ସେମାନଙ୍କୁ ଏହା ମନେ ରଖିବା ଉଚିତ୍‌ ଯେ ଯିହୋବା ପ୍ରତ୍ୟେକ ଜଣକୁ କିଛି ନିଷ୍ପତ୍ତି ନିଜ ବିବେକ ଅନୁସାରେ ନେବା ପାଇଁ ସ୍ୱାଧୀନତା ଦେଇଛନ୍ତି । ସେଥିପାଇଁ ଏହା ଜରୁରୀ ନୁହେଁ ଯେ ସେହି ବ୍ୟକ୍ତି ଯେଉଁ ନିଷ୍ପତ୍ତି ନେଇଛି, ତାହା ଯିହୋବାଙ୍କ ଦୃଷ୍ଟିରେ ଭୁଲ ଥିବ । (ରୋମୀ. ୧୪:୧-୪) କିନ୍ତୁ ଭାବନ୍ତୁ, ଯଦି ସେହି ଭାଇ ପ୍ରକୃତରେ ଭୁଲ ପଦକ୍ଷେପ ନେଇଛି ଏବଂ ପ୍ରାଚୀନମାନେ ଏହା ସ୍ଥିର କରିଛନ୍ତି ଯେ ସେମାନେ ଆଗକୁ ଆସି ସେହି ଭାଇକୁ ପରାମର୍ଶ ଦେବେ, ତାହେଲେ ସେମାନଙ୍କୁ କେଉଁ କଥା ଧ୍ୟାନ ଦେବା ଉଚିତ୍‌ ?

୧୦-୧୨. ଉଦାହରଣ ଦେଇ ବୁଝାନ୍ତୁ ଯେ ଯେବେ ପ୍ରାଚୀନ ଆଗକୁ ଆସି କାହାରିକୁ ପରାମର୍ଶ ଦିଅନ୍ତି, ତେବେ ତାଙ୍କୁ କେଉଁ କଥାଗୁଡ଼ିକ ଧ୍ୟାନ ଦେବା ଉଚିତ୍‌ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୦ ଯେବେ ପ୍ରାଚୀନମାନଙ୍କୁ ଆଗକୁ ଆସି କାହାରିକୁ ପରାମର୍ଶ ଦେବାକୁ ପଡ଼େ, ତେବେ ସେମାନଙ୍କ ପାଇଁ ଏହା କାହିଁକି ଏତେ ସହଜ ହୋଇ ନ ଥାଏ ? ଯେପରି ପାଉଲ କହିଥିଲେ, ହୁଏତ ସେହି ବ୍ୟକ୍ତିକୁ ଏହା ଅନୁଭବ ହୁଏନି ଯେ ସେ ଭୁଲ ପଦକ୍ଷେପ ନେଇଛି । ଏପରି ସମୟରେ ପ୍ରାଚୀନମାନେ ପରାମର୍ଶ ଦେବା ପୂର୍ବରୁ ସେହି ବ୍ୟକ୍ତିର ହୃଦୟକୁ ପ୍ରସ୍ତୁତ କରିବା ଉଚିତ୍‌ ।

୧୧ ଆଗକୁ ଆସି କାହାରିକୁ ପରାମର୍ଶ ଦେବା ଶକ୍ତ ମାଟିରେ ବୀଜ ବୁଣିବା ଭଳି ଅଟେ । ଧ୍ୟାନ ଦିଅନ୍ତୁ ଯେ ଏପରି ମାଟିରେ ବୀଜ ବୁଣିବା ପୂର୍ବରୁ ଜଣେ ଚାଷୀ କʼଣ କରେ । ସେ ମାଟିକୁ ପ୍ରସ୍ତୁତ କରେ । ମାଟିକୁ ନରମ କରିବା ପାଇଁ ସେ ପ୍ରଥମେ ହଳ ଚଳାଏ । ଏହାପରେ ସେ ମାଟିରେ ବୀଜ ବୁଣେ ଓ ଶେଷରେ ସେଥିରେ ପାଣି ଦିଏ, ଯାହାଫଳରେ ବୀଜ ଅଙ୍କୁରିତ ହୁଏ । ସେହିଭଳି ଆଗକୁ ଆସି କାହାରିକୁ ପରାମର୍ଶ ଦେବା ପୂର୍ବରୁ ଜଣେ ପ୍ରାଚୀନଙ୍କୁ ସେହି ବ୍ୟକ୍ତିର ହୃଦୟର ମାଟିକୁ ପ୍ରସ୍ତୁତ କରିବା ଉଚିତ୍‌ । ଉଦାହରଣ ସ୍ୱରୂପ, ସେହି ପ୍ରାଚୀନ ସଠିକ୍‌ ସମୟର ଅପେକ୍ଷା କରିପାରିବେ । ଏହାପରେ ସେ ନିଜ କଥାରୁ ସେହି ବ୍ୟକ୍ତିକୁ ଭରସା ଦେଇପାରିବେ ଯେ ସେ ତାʼର ବହୁତ ଚିନ୍ତା କରନ୍ତି ଏବଂ କହିପାରିବେ ଯେ ସେ କୌଣସି ମାମଲାରେ ତାʼ ସହିତ କଥା ହେବା ପାଇଁ ଚାହାନ୍ତି । ଯିଏ ପରାମର୍ଶ ଦିଅନ୍ତି ଯଦି ତାଙ୍କର ଭଲ ନାମ ଥାଏ ଓ ଭାଇଭଉଣୀମାନେ ଜାଣନ୍ତି ସେ ସେମାନଙ୍କୁ ବହୁତ ପ୍ରେମ କରନ୍ତି ଓ ସେମାନଙ୍କର ଚିନ୍ତା କରନ୍ତି, ତାହେଲେ ଭାଇଭଉଣୀମାନଙ୍କ ପାଇଁ ତାଙ୍କର ପରାମର୍ଶ ମାନିବା ସହଜ ହୁଏ ।

୧୨ କଥାବାର୍ତ୍ତା ସମୟରେ ବି ପ୍ରାଚୀନ ସେହି ବ୍ୟକ୍ତିର ହୃଦୟର ମାଟିକୁ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିପାରିବେ । ଯେପରି, ସେ ସେହି ବ୍ୟକ୍ତିକୁ କହିପାରିବେ ଯେ ବେଳେବେଳେ ଆମ ସମସ୍ତଙ୍କ ଦ୍ୱାରା ଭୁଲ ହୋଇଯାଏ ଓ ଆମ ସମସ୍ତଙ୍କୁ ପରାମର୍ଶର ଆବଶ୍ୟକ ପଡ଼େ । (ରୋମୀ. ୩:୨୩) ଏହାପରେ ପ୍ରାଚୀନ ବହୁତ କୋମଳତାର ସହ ଓ ଆଦର ସହ ତାକୁ ବାଇବଲର କୌଣସି ସିଦ୍ଧାନ୍ତ ଦେଖାଇ କହିପାରିବେ ଯେ ସେ ଭୁଲ ପଦକ୍ଷେପ ନେଇଛି । ଯେବେ ସେହି ଭାଇ ନିଜର ଭୁଲ ମାନେ ତେବେ ପ୍ରାଚୀନ “ବୀଜ ବୁଣିପାରିବେ,” ଅର୍ଥାତ୍‌ ସେ ସ୍ପଷ୍ଟ ଭାବେ କହିପାରିବେ ଯେ ତାକୁ ସୁଧାର କରିବା ପାଇଁ କʼଣ କରିବାର ଅଛି । ଶେଷରେ ସେ “ପାଣି ଦେଇପାରିବେ,” ଅର୍ଥାତ୍‌ ସେ ତାʼ ଭଲ କାମଗୁଡ଼ିକର ପ୍ରଶଂସା କରିପାରିବେ ଓ ତାଙ୍କ ସହିତ ପ୍ରାର୍ଥନା କରିପାରିବେ ।—ଯାକୁ. ୫:୧୫.

ପ୍ରାଚୀନ ଜଣେ ଭାଇଙ୍କୁ ପରାମର୍ଶ ଦେଉଥିବାର ଚିତ୍ରଗୁଡ଼ିକ । ପ୍ରାଚୀନଙ୍କ ତୁଳନା ଚାଷୀ ସହିତ କରାଯାଇଛି, ଯିଏ ଶକ୍ତ ମାଟିରେ ବୀଜ ବୁଣୁଛି । ୧. ଜମି ପ୍ରସ୍ତୁତ କରନ୍ତୁ: ଜଣେ ଚାଷୀ ମାଟି ଖୋଳୁଛି; ପ୍ରାଚୀନ ଜଣେ ଭାଇଙ୍କ ସହିତ ବହୁତ ପ୍ରେମର ସହ କଥା ହେଉଛନ୍ତି । ୨. ବୀଜ ବୁଣନ୍ତୁ: ସେହି ଚାଷୀ ଖୋଳିଥିବା ମାଟିରେ ବୀଜ ବୁଣୁଛି; ପ୍ରାଚୀନ ବାଇବଲରୁ ସେହି ଭାଇଙ୍କ ସହିତ ତର୍କ କରୁଛନ୍ତି । ୩. ପାଣି ଦିଅନ୍ତୁ: ସେହି ଚାଷୀ ବୀଜରେ ପାଣି ଢାଳୁଛି; ପ୍ରାଚୀନ ଭାଇଙ୍କ ସହିତ ମିଶି ପ୍ରାର୍ଥନା କରୁଛନ୍ତି ।

ଯେବେ ଆଗକୁ ଆସି ପରାମର୍ଶ ଦେବାକୁ ପଡ଼େ, ତେବେ ପ୍ରେମ ଓ ଭାବିଚିନ୍ତି କଥା ହେବା ବହୁତ ଜରୁରୀ (ପାରାଗ୍ରାଫ ୧୦-୧୨)


୧୩. ପ୍ରାଚୀନମାନେ କିପରି ବୁଝିପାରିବେ ଯେ ସେହି ବ୍ୟକ୍ତି ପରାମର୍ଶକୁ ବୁଝିପାରିଲା ନା ନାହିଁ ?

୧୩ ବେଳେବେଳେ ଏପରି ହୁଏ ଯେ ପ୍ରାଚୀନମାନେ କାହାରିକୁ ପରାମର୍ଶ ଦିଅନ୍ତି, କିନ୍ତୁ ସେହି ବ୍ୟକ୍ତି ପରାମର୍ଶକୁ ଭଲଭାବେ ବୁଝିପାରେନି । ପ୍ରାଚୀନମାନଙ୍କ ସହ ଏପରି ନ ହେଉ, ତାʼପାଇଁ ସେମାନେ କʼଣ କରିପାରିବେ ? ସେମାନେ ଭାବିଚିନ୍ତି ତାକୁ କିଛି ପ୍ରଶ୍ନ ପଚାରିପାରିବେ । (ଉପ. ୧୨:୧୧) ଏପରି କଲେ ସେହି ବ୍ୟକ୍ତିର ଉତ୍ତର ଶୁଣି ପ୍ରାଚୀନମାନେ ବୁଝିପାରିବେ ଯେ ସେ ସେମାନଙ୍କର କଥାକୁ ବୁଝିପାରିଲା ନା ନାହିଁ ।

ସଠିକ୍‌ ସମୟରେ ଓ ସଠିକ୍‌ ଉପାୟରେ ପରାମର୍ଶ ଦିଅନ୍ତୁ

୧୪. ବୁଝାନ୍ତୁ ଯେ କ୍ରୋଧିତ ଥିବା ସମୟରେ କʼଣ ଆମେ ପରାମର୍ଶ ଦେବା ଉଚିତ୍‌ ?

୧୪ ଆମେ ସମସ୍ତେ ଅପରିପୂର୍ଣ୍ଣ, ସେଥିପାଇଁ ଅନେକ ଥର ଆମେ ନିଜର କଥା ବା କାମରୁ ଅନ୍ୟମାନଙ୍କୁ କଷ୍ଟ ପହଞ୍ଚାଇ ଦେଉ । (କଲ. ୩:୧୩) ଈଶ୍ୱରଙ୍କ ବାକ୍ୟରେ କୁହାଯାଇଛି ଯେ ବେଳେବେଳେ ଆମେ ପରସ୍ପରକୁ କ୍ରୋଧିତ କରି ଦେଇଥାଉ । (ଏଫି. ୪:୨୬) କିନ୍ତୁ ଆମେ ଧ୍ୟାନ ରଖିବା ଉଚିତ୍‌ ଯେ ଯେବେ ଆମେ କ୍ରୋଧରେ ଥାଉ, ତେବେ ଆମେ କାହାରିକୁ ପରାମର୍ଶ ଦେବା ଉଚିତ୍‌ ନୁହେଁ । କାରଣ ବାଇବଲରେ ଲେଖା ହୋଇଛି, “ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ ।” (ଯାକୁ. ୧:୨୦) ଯଦି ଆମେ କ୍ରୋଧରେ ଥାଇ କାହାରିକୁ ପରାମର୍ଶ ଦେଉ, ତାହେଲେ ମାମଲା ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡ଼ିପାରେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଯିଏ ଆମକୁ କ୍ରୋଧିତ କରିଥିଲେ, ଆମେ ତାଙ୍କୁ ନିଜ ମନକଥା କହିପାରିବା ନାହିଁ । କିନ୍ତୁ ଯଦି ଆମେ କିଛି ସମୟ ଅପେକ୍ଷା କରିବା ଏବଂ କ୍ରୋଧ ଶାନ୍ତ ହେବା ପରେ ନିଜ କଥା କହିବା, ତାହେଲେ ତାହା ଅଧିକ ପ୍ରଭାବ ପକାଇବ । ଏହି ମାମଲାରେ ଆମେ ଇଲୀହୂଙ୍କଠାରୁ ଅନେକ କଥା ଶିଖିପାରିବା, ଯିଏ ଆୟୁବଙ୍କୁ ଭଲ ପରାମର୍ଶ ଦେଇଥିଲେ ।

୧୫. ଆମେ ଇଲୀହୂଙ୍କ ଉଦାହରଣରୁ କʼଣ ଶିଖୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ଯେବେ ଆୟୁବଙ୍କ ସାଥୀମାନେ ତାଙ୍କ ଉପରେ ମିଛ ଆରୋପ ଲଗାଇଲେ, ତେବେ ସେ ଅନେକ ଦିନ ଯାଏ ନିଜକୁ ଠିକ୍‌ ପ୍ରମାଣିତ କରିବା ପାଇଁ ଚେଷ୍ଟା କଲେ । ଏହି ସମୟ ମଧ୍ୟରେ ଇଲୀହୂ ଧ୍ୟାନର ସହିତ ଆୟୁବଙ୍କ କଥା ଶୁଣୁଥିଲେ । ଇଲୀହୂଙ୍କୁ ଆୟୁବଙ୍କ ଉପରେ ଦୟା ଆସିଲା । କିନ୍ତୁ ତାଙ୍କୁ ଆୟୁବଙ୍କ ଉପରେ ରାଗ ମଧ୍ୟ ଲାଗିଲା, କାରଣ ସେ ଯିହୋବାଙ୍କ ବିଷୟରେ ଭଲ କଥା କହୁ ନ ଥିଲେ ଏବଂ ସେ ନିଜ ବିଷୟରେ ଅତ୍ୟଧିକ ଭାବୁଥିଲେ । ତଥାପି ଇଲୀହୂ ଅପେକ୍ଷା କଲେ ଏବଂ ଯେବେ ତାଙ୍କୁ କହିବା ପାଇଁ ସୁଯୋଗ ମିଳିଲା, ତେବେ ସେ ପ୍ରେମ ଓ ଆଦର ସହିତ ଆୟୁବଙ୍କୁ ପରାମର୍ଶ ଦେଲେ । (ଆୟୁ. ୩୨:୨; ୩୩:୧-୭) ଇଲୀହୂଙ୍କ ଉଦାହରଣରୁ ଆମେ ଗୋଟିଏ ଜରୁରୀ କଥା ଶିଖୁ । ତାହା ହେଉଛି, ଆମକୁ ସଠିକ୍‌ ସମୟରେ ଓ ସଠିକ୍‌ ଉପାୟରେ ପରାମର୍ଶ ଦେବା ଉଚିତ୍‌ ଅର୍ଥାତ୍‌ ପ୍ରେମ ଓ ଆଦର ସହିତ । ଏପରି କଲେ ଅନ୍ୟମାନଙ୍କୁ ଆମ ପରାମର୍ଶରୁ ଲାଭ ହେବ ।—ଉପ. ୩:୧, ୭.

ଆୟୁବଙ୍କ ପୂରା ଶରୀରରେ ବଥ ବାହାରିଛି । ଇଲୀହୂ ଧ୍ୟାନର ସହିତ ତାଙ୍କର ଶୁଣୁଛନ୍ତି ଓ ତାଙ୍କୁ ସହାନୁଭୂତି ଦେଉଛନ୍ତି ।

ଏହା ସତ ଯେ ଇଲୀହୂଙ୍କୁ ଆୟୁବଙ୍କ ଉପରେ ରାଗ ଲାଗିଥିଲା, ତଥାପି ସେ ବହୁତ ପ୍ରେମ ଓ ଆଦର ସହିତ ପରାମର୍ଶ ଦେଲେ (ପାରାଗ୍ରାଫ ୧୫)


ପରାମର୍ଶ ଦେବା ପାଇଁ ଓ ପରାମର୍ଶ ନେବା ପାଇଁ ସଂକୋଚ କରନ୍ତୁ ନାହିଁ

୧୬. ଗୀତସଂହିତା ୩୨:୮ ପଦରୁ ଆମେ କʼଣ ଶିଖୁ ?

୧୬ ଏହି ଲେଖାର ମୁଖ୍ୟ ପଦରେ ଲେଖା ହୋଇଛି, ‘ଯିହୋବା ଆମ ଉପରେ ଆପଣା ଦୃଷ୍ଟି ରଖି ଆମକୁ ପରାମର୍ଶ ଦିଅନ୍ତି ।’ (ଗୀତସଂହିତା ୩୨:୮ ପଢ଼ନ୍ତୁ ।) ଏଥିରୁ ଜଣାପଡ଼େ ଯେ ଯିହୋବା ସବୁବେଳେ ଆମକୁ ସାହାଯ୍ୟ କରନ୍ତି । ସେ କେବଳ ଆମକୁ ପରାମର୍ଶ ଦିଅନ୍ତି ନାହିଁ, ବରଂ ସେ ଆମକୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତି ଯେ ଆମେ କିପରି ସେହି ପରାମର୍ଶ ଅନୁସାରେ ଚାଲିପାରିବା । ସେ ଆମ ପାଇଁ ବହୁତ ଭଲ ଉଦାହରଣ ଅଟନ୍ତି । ଯେବେ ଅନ୍ୟମାନଙ୍କୁ ପରାମର୍ଶ ଦେବାର ଆବଶ୍ୟକ ପଡ଼େ, ତେବେ ଆମେ ବି ଯିହୋବାଙ୍କ ଭଳି ସେମାନଙ୍କ ଉପରେ ଧ୍ୟାନ ଦେବା ଓ ଆମଦ୍ୱାରା ଯେତେ ହୋଇପାରିବ ଆମେ ସେମାନଙ୍କର ସାହାଯ୍ୟ କରିବା ଜାରି ରଖିପାରିବା, ଯାହାଫଳରେ ସେମାନେ ସଠିକ୍‌ ନିଷ୍ପତ୍ତି ନେଇପାରିବେ ।

୧୭. ଯେବେ ପ୍ରାଚୀନମାନେ ଆମ ଆବଶ୍ୟକ ଅନୁସାରେ ଆମକୁ ବାଇବଲ ଆଧାରିତ ପରାମର୍ଶ ଦିଅନ୍ତି, ତେବେ ସେମାନେ କାହା ଭଳି ହୋଇଥାʼନ୍ତି ? ବୁଝାନ୍ତୁ । (ଯିଶାଇୟ ୩୨:୧, ୨)

୧୭ ଆଜି ଆମକୁ ଆଗ ଅପେକ୍ଷା ଅଧିକ ଅନ୍ୟମାନଙ୍କଠାରୁ ଭଲ ପରାମର୍ଶର ଆବଶ୍ୟକ ଅଛି ଓ ଅନ୍ୟମାନଙ୍କୁ ମଧ୍ୟ ଭଲ ପରାମର୍ଶ ଦେବାର ଆବଶ୍ୟକ ଅଛି । (୨ ତୀମ. ୩:୧) ଯେଉଁ ପ୍ରାଚୀନମାନେ ଆମ ଆବଶ୍ୟକ ଅନୁସାରେ ଆମକୁ ବାଇବଲ ଆଧାରିତ ପରାମର୍ଶ ଦିଅନ୍ତି, ସେମାନେ “ଶୁଷ୍କ ସ୍ଥାନରେ ଜଳସ୍ରୋତ” ଭଳି ଅଟନ୍ତି । (ଯିଶାଇୟ ୩୨:୧, ୨ ପଢ଼ନ୍ତୁ ।) ଏହି ସାଙ୍ଗମାନେ ଆମକୁ କେବଳ ତାହା କହି ନ ଥାʼନ୍ତି ଯାହା ଆମେ ଶୁଣିବା ପାଇଁ ଚାହୁଁ, ବରଂ ସେମାନେ ଆମ ଆବଶ୍ୟକ ଅନୁସାରେ ଆମକୁ ପରାମର୍ଶ ଦିଅନ୍ତି । ସେମାନଙ୍କ କଥାଗୁଡ଼ିକ ଏପରି ବହୁମୂଲ୍ୟ ଉପହାର ଭଳି ଅଟେ, ଯାହା “ରୂପା-ପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ ।” (ହିତୋ. ୨୫:୧୧) ଆସନ୍ତୁ ଆମେ ଅନ୍ୟମାନଙ୍କୁ ଭଲ ପରାମର୍ଶ ଦେବା ପାଇଁ ଶିଖିବା ଜାରି ରଖିବା ଓ ଅନ୍ୟମାନଙ୍କର ଭଲ ପରାମର୍ଶ ଉପରେ ଧ୍ୟାନ ମଧ୍ୟ ଦେବା ।

ଆମେ କʼଣ ଧ୍ୟାନରେ ରଖିବା ଉଚିତ୍‌ . . .

  • ଯେବେ କେହି ଆମକୁ ପରାମର୍ଶ ମାଗନ୍ତି ?

  • ଯେବେ ଆମକୁ ଆଗକୁ ଆସି କାହାରିକୁ ପରାମର୍ଶ ଦେବାକୁ ପଡ଼େ ?

  • ଯେବେ ଆମେ କ୍ରୋଧିତ ଥାଉ ?

ଗୀତ ୧୦୯ କରିବା ଗଭୀର ପ୍ରେମ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ