ଅଧ୍ୟୟନ ଲେଖା ୩୬
ଗୀତ ୧୦୨ ଦୁର୍ବଳମାନଙ୍କୁ ସାହାଯ୍ୟ କର
ପ୍ରାଚୀନମାନଙ୍କ ସାହାଯ୍ୟ ନିଅନ୍ତୁ
“ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ।”—ଯାକୁ. ୫:୧୪.
କʼଣ ଶିଖିବା ?
ଆମେ ଜାଣିବା ଯେ ଆମେ କାହିଁକି ପ୍ରାଚୀନମାନଙ୍କ ସାହାଯ୍ୟ ନେବା ଜରୁରୀ ।
୧. କେଉଁ କଥାଗୁଡ଼ିକରୁ ଜଣାପଡ଼େ ଯେ ଯିହୋବାଙ୍କ ପାଇଁ ତାଙ୍କର ମେଷମାନେ ବହୁମୂଲ୍ୟ ଅଟନ୍ତି ?
ଯିହୋବାଙ୍କ ପାଇଁ ତାଙ୍କର ମେଷମାନେ ବହୁମୂଲ୍ୟ ଅଟନ୍ତି । ସେ ଯୀଶୁଙ୍କ ରକ୍ତରୁ ସେମାନଙ୍କୁ କ୍ରୟ କରିଛନ୍ତି ଏବଂ ପ୍ରାଚୀନମାନଙ୍କୁ ସେମାନଙ୍କର ଯତ୍ନ ନେବା ପାଇଁ ନିଯୁକ୍ତ କରିଛନ୍ତି । (ପ୍ରେରି. ୨୦:୨୮) ଯିହୋବା ଚାହାନ୍ତି ଯେ ପ୍ରାଚୀନମାନେ ମେଷମାନଙ୍କ ସହିତ ପ୍ରେମର ସହ ବ୍ୟବହାର କରନ୍ତୁ । ସେମାନେ ନିଜର ଏହି ଦାୟିତ୍ୱ ଭଲଭାବେ ତୁଲାନ୍ତି । ସେମାନେ ଯୀଶୁଙ୍କ ଅଧୀନରେ ରହି ମଣ୍ଡଳୀର ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାନ୍ତି ଏବଂ ଯିହୋବାଙ୍କ ସହିତ ଦୃଢ଼ ସମ୍ପର୍କ ରଖିବା ପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତି ।—ଯିଶା. ୩୨:୧, ୨.
୨. ଯିହୋବା ବିଶେଷ କରି କେଉଁ ଲୋକମାନଙ୍କର ଅଧିକ ଚିନ୍ତା କରନ୍ତି ? (ଯିହିଜିକଲ ୩୪:୧୫, ୧୬)
୨ ଯିହୋବା ନିଜର ସମସ୍ତ ମେଷମାନଙ୍କର ଚିନ୍ତା କରନ୍ତି । ବିଶେଷ କରି ଯେଉଁ ମେଷମାନେ ଦୁର୍ବଳ ହୋଇଯାଇଛନ୍ତି, ଯିହୋବା ସେମାନଙ୍କର ଅଧିକ ଚିନ୍ତା କରନ୍ତି । ପ୍ରାଚୀନମାନଙ୍କ ଜରିଆରେ ସେ ନିଜର ସେହି ସେବକମାନଙ୍କର ସାହାଯ୍ୟ କରନ୍ତି, ଯେଉଁମାନଙ୍କର ତାଙ୍କ ସହିତ ସମ୍ପର୍କ ଦୁର୍ବଳ ହୋଇଯାଇଛି । (ଯିହିଜିକଲ ୩୪:୧୫, ୧୬ ପଢ଼ନ୍ତୁ ।) ତାʼସହିତ ସମସ୍ୟା ସମୟରେ ଆମେ ତାଙ୍କଠାରୁ ସାହାଯ୍ୟ ନେଉ ବୋଲି ସେ ଚାହାନ୍ତି । ଯେପରି, ଆମେ ହୃଦୟରୁ ତାଙ୍କୁ ପ୍ରାର୍ଥନା କରୁ ଏବଂ ମଣ୍ଡଳୀର ‘ପାଳକ ଓ ଶିକ୍ଷକମାନଙ୍କଠାରୁ’ ସାହାଯ୍ୟ ନେଉ ।—ଏଫି. ୪:୧୧, ୧୨.
୩. ପ୍ରାଚୀନମାନଙ୍କର ବ୍ୟବସ୍ଥା ବିଷୟରେ ଚର୍ଚ୍ଚା କଲେ ଆମକୁ କʼଣ ଲାଭ ହେବ ?
୩ ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ପ୍ରାଚୀନମାନଙ୍କ ଯେଉଁ ବ୍ୟବସ୍ଥା କରିଛନ୍ତି, ସେବିଷୟରେ ଆମେ ଏହି ଲେଖାରେ ଅଧିକ ଜାଣିବା । ଏହି ଲେଖାରେ ଆମକୁ ତିନୋଟି ପ୍ରଶ୍ନର ଉତ୍ତର ମିଳିବ । ଯେପରି, ଆମେ କେଉଁ ସମୟରେ ପ୍ରାଚୀନମାନଙ୍କ ସାହାଯ୍ୟ ନେବା ଉଚିତ୍ ? ଆମେ କାହିଁକି ସେମାନଙ୍କର ସାହାଯ୍ୟ ନେବା ଉଚିତ୍ ? ଏବଂ ସେମାନେ କିପରି ଆମକୁ ସାହାଯ୍ୟ କରନ୍ତି ? ହୁଏତ ଏବେ ଯିହୋବାଙ୍କ ସହିତ ଆମର ସମ୍ପର୍କ ଦୃଢ଼ ଥିବ ଏବଂ ଆମକୁ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେବାର ଦରକାର ନ ଥିବ । କିନ୍ତୁ ଏହି ଲେଖା ଉପରେ ଚର୍ଚ୍ଚା କରି ପ୍ରାଚୀନମାନଙ୍କର ଏହି ବ୍ୟବସ୍ଥା ପାଇଁ ଆମର କୃତଜ୍ଞତା ବଢ଼ିବ ଏବଂ ଆଗକୁ ଯାଇ ଯଦି ଆମକୁ ସେମାନଙ୍କର ସାହାଯ୍ୟର ଆବଶ୍ୟକ ପଡ଼େ, ତାହେଲେ ଆମକୁ ଜଣାଥିବ ଯେ ଆମେ କିପରି ସେମାନଙ୍କର ସାହାଯ୍ୟ ନେଇପାରିବା ।
ଆମେ କେଉଁ ସମୟରେ ପ୍ରାଚୀନମାନଙ୍କର ସାହାଯ୍ୟ ନେବା ଉଚିତ୍ ?
୪. ଆମେ କିପରି କହିପାରିବା ଯେ ଯାକୁବ ୫:୧୪-୧୬, ୧୯, ୨୦ ପଦରେ ଜଣେ ଏପରି ବ୍ୟକ୍ତି ବିଷୟରେ କୁହାଯାଇଛି, ଯାହାର ଯିହୋବାଙ୍କ ସହିତ ସମ୍ପର୍କ ଦୁର୍ବଳ ହୋଇଯାଇଛି ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୪ ଯିହୋବା ପ୍ରାଚୀନମାନଙ୍କ ଜରିଆରେ ସେହି ଲୋକମାନଙ୍କର ସାହାଯ୍ୟ କରନ୍ତି, ଯେଉଁମାନଙ୍କର ଯିହୋବାଙ୍କ ସହିତ ସମ୍ପର୍କ ଦୁର୍ବଳ ହୋଇଯାଇଥାଏ । ଏବିଷୟରେ ଯାକୁବ ଲେଖିଲେ, “ତୁମ୍ଭମାନଙ୍କ ମଧ୍ୟରେ କଅଣ କେହି ପୀଡ଼ିତ ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ।” (ଯାକୁବ ୫:୧୪-୧୬, ୧୯, ୨୦ ପଢ଼ନ୍ତୁ ।) ଯାକୁବ ଏଠାରେ ସତରେ କୌଣସି ରୋଗ ବିଷୟରେ କହୁ ନ ଥିଲେ । ଆମେ ଏପରି କାହିଁକି କହିପାରିବା ? କାରଣ ସେ ଲେଖିଲେ ଯେ ଯେଉଁମାନେ ରୋଗରେ ପୀଡ଼ିତ ଅଛନ୍ତି, ସେମାନେ ଡାକ୍ତରଙ୍କୁ ନୁହେଁ ବରଂ ପ୍ରାଚୀନମାନଙ୍କୁ ଡାକନ୍ତୁ । ସେ ଏହା ବି କହିଲେ ଯେ ଯେବେ ସେହି ବ୍ୟକ୍ତିର ପାପ କ୍ଷମା କରିଦିଆଯାଏ, ତେବେ ସେ ଠିକ୍ ହୋଇଯାଏ । କିନ୍ତୁ ଦେଖିବାକୁ ଗଲେ ଯେଉଁ ବ୍ୟକ୍ତିର ଯିହୋବାଙ୍କ ସହ ସମ୍ପର୍କ ଦୁର୍ବଳ ପଡ଼ିଯାଏ, ତାʼର ପରିସ୍ଥିତି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଭଳି ହିଁ ହୋଇଯାଏ । ତାକୁ ସେହି ପଦକ୍ଷେପ ନେବାକୁ ପଡ଼େ, ଯାହା ଜଣେ ରୋଗରେ ପୀଡ଼ିତ ବ୍ୟକ୍ତି ନିଏ । ଯେପରି, ଜଣେ ପୀଡ଼ିତ ବ୍ୟକ୍ତି ଡାକ୍ତରଙ୍କ ପାଖକୁ ଯାଏ, ତାଙ୍କୁ ନିଜ ସମସ୍ୟା ବିଷୟରେ କହେ ଏବଂ ଡାକ୍ତର ଯାହା ବି ପରାମର୍ଶ ଦିଅନ୍ତି ତାହାକୁ ସେ ମାନେ । ଠିକ୍ ସେହିଭଳି, ଯଦି ଯିହୋବାଙ୍କ ସହିତ ଆମର ସମ୍ପର୍କ ଦୁର୍ବଳ ହୋଇଯାଏ, ତାହେଲେ ଆମେ ପ୍ରାଚୀନମାନଙ୍କ ପାଖକୁ ଯିବା ଉଚିତ୍, ତାଙ୍କୁ ନିଜ ସମସ୍ୟା ବିଷୟରେ କହିବା ଉଚିତ୍ ଏବଂ ସେମାନେ ଆମକୁ ବାଇବଲରୁ ଯାହା ବି ପରାମର୍ଶ ଦିଅନ୍ତି, ଆମେ ସେଗୁଡ଼ିକୁ ମାନିବା ଉଚିତ୍ ।
ଯେବେ ଆମେ ରୋଗରେ ପଡ଼ିଯାଉ, ତେବେ ଆମେ ଡାକ୍ତରଙ୍କ ପାଖକୁ ଯାଉ; ସେହିଭଳି ଯେବେ ଯିହୋବାଙ୍କ ସହିତ ଆମ ସମ୍ପର୍କ ଦୁର୍ବଳ ହୋଇଯାଏ, ତେବେ ଆମକୁ ପ୍ରାଚୀନମାନଙ୍କ ପାଖକୁ ଯିବା ଉଚିତ୍ (ପାରାଗ୍ରାଫ ୪)
୫. ଆମେ କିପରି ଜାଣିପାରିବା ଯେ ଯିହୋବାଙ୍କ ସହିତ ଆମ ସମ୍ପର୍କ ଦୁର୍ବଳ ହେବାକୁ ଲାଗିଛି ?
୫ ଯାକୁବ ୫ ଅଧ୍ୟାୟରେ କୁହାଯାଇଛି ଯେ ଯଦି ଆମର ଯିହୋବାଙ୍କ ସହିତ ସମ୍ପର୍କ ଦୁର୍ବଳ ହେବାକୁ ଲାଗିଛି, ତାହେଲେ ଆମେ ପ୍ରାଚୀନମାନଙ୍କ ସହିତ କଥା ହେବା ଉଚିତ୍ । ଆମେ ତୁରନ୍ତ ଏପରି କରିବା ଉଚିତ୍ । କାରଣ ଯଦି ଆମେ ଏପରି କରିବାରେ ଡେରି କରୁ, ତାହେଲେ ଯିହୋବାଙ୍କ ସହିତ ଆମ ସମ୍ପର୍କ ପୂରାପୂରି ଭାଙ୍ଗି ଯାଇପାରେ । କିନ୍ତୁ ଆମେ ଏହି ମାମଲାରେ ସଚ୍ଚୋଟତାର ସହିତ ନିଜର ଯାଞ୍ଚ କରିବା ଉଚିତ୍ । ଏପରି କାହିଁକି ? କାରଣ ବାଇବଲରେ କୁହାଯାଇଛି ଯେ ଆମେ ନିଜକୁ ମିଛ ତର୍କ ଦେଇ ଧୋକା ଦେଇପାରୁ । (ଯାକୁ. ୧:୨୨) ହୁଏତ ଆମେ ନିଜକୁ ଏହା ଭରସା ଦେବା ଯେ ଯିହୋବାଙ୍କ ସହିତ ଆମର ସମ୍ପର୍କ ଦୃଢ଼ ଅଛି, କିନ୍ତୁ ପ୍ରକୃତରେ ଏପରି ନ ଥିବ । ପ୍ରଥମ ଶତାବ୍ଦୀରେ ସାର୍ଦ୍ଦୀ ମଣ୍ଡଳୀର କିଛି ଖ୍ରୀଷ୍ଟିୟାନ ମଧ୍ୟ ଏପରି ହିଁ ଭାବୁଥିଲେ । ତେଣୁ ଯୀଶୁ ସେମାନଙ୍କୁ ସତର୍କ କରାଇଲେ ଏବଂ କହିଲେ ଯେ ସେମାନଙ୍କୁ ଯିହୋବାଙ୍କ ସହିତ ନିଜ ସମ୍ପର୍କ ଠିକ୍ କରିବା ଦରକାର । (ପ୍ରକା. ୩:୧, ୨) ତାହେଲେ ଆମେ କିପରି ଜାଣିପାରିବା ଯେ ଆମର ସମ୍ପର୍କ ଯିହୋବାଙ୍କ ସହିତ ଦୁର୍ବଳ ହେବାକୁ ଲାଗିଛି ? ଭାବନ୍ତୁ, ଯେବେ ଆପଣ ବାପ୍ତିସ୍ମ ନେଇଥିଲେ, ତେବେ ଯିହୋବାଙ୍କ ଉପାସନା ପାଇଁ ଆପଣଙ୍କ ଭିତରେ ଯେତିକି ଉତ୍ସାହ ଥିଲା, କʼଣ ଏବେ ବି ଆପଣଙ୍କ ଭିତରେ ସେତିକି ହିଁ ଉତ୍ସାହ ଅଛି ? (ପ୍ରକା. ୨:୪, ୫) ଏହା ଜାଣିବା ପାଇଁ ନିଜକୁ ଏପରି ପ୍ରଶ୍ନ ପଚାରନ୍ତୁ, ‘କʼଣ ମୋତେ ବାଇବଲ ପଢ଼ିବା ଏବଂ ଚିନ୍ତନ କରିବା ପାଇଁ ସେତିକି ହିଁ ମଜା ଲାଗେ, ଯେତିକି ପୂର୍ବେ ଲାଗୁଥିଲା ? କʼଣ ମୁଁ ବେଳେବେଳେ ସଭାର ପ୍ରସ୍ତୁତି କରେ ଏବଂ ବେଳେବେଳେ ସଭାକୁ ଯାଏ ? କʼଣ ପ୍ରଚାର ପାଇଁ ମୋର ଉତ୍ସାହ ପୂର୍ବ ଅପେକ୍ଷା କମ୍ ହୋଇଯାଇଛି ? କʼଣ ମୁଁ ସବୁବେଳେ ମୌଜମସ୍ତି କରିବା ଏବଂ ଜିନିଷ କିଣିବା ବିଷୟରେ ହିଁ ଭାବୁଥାଏ ?’ ଯଦି ଆପଣଙ୍କୁ ଲାଗେ ଯେ ଆପଣ ଏମଧ୍ୟରୁ କୌଣସି କ୍ଷେତ୍ରରେ ଦୁର୍ବଳ ହୋଇଯାଇଛନ୍ତି, ତାହେଲେ ପରିସ୍ଥିତି ଆହୁରି ଖରାପ ହେବା ପୂର୍ବରୁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ଯଦି ଆପଣ ଏଥିରେ ସୁଧାର କରିପାରୁ ନାହାନ୍ତି କିମ୍ବା ଏହାଯୋଗୁଁ ଆପଣ ଏପରି କିଛି ଭୁଲ ନେଇଛନ୍ତି ଯାହା ଯିହୋବାଙ୍କ ଦୃଷ୍ଟିରେ ଠିକ୍ ନୁହେଁ, ତାହେଲେ ଆପଣଙ୍କୁ ତୁରନ୍ତ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେବା ଉଚିତ୍ ।
୬. ଯଦି ଜଣେ ବ୍ୟକ୍ତି ଗମ୍ଭୀର ପାପ କରେ, ତାହେଲେ ତାକୁ କʼଣ କରିବା ଉଚିତ୍ ?
୬ କିଛି ପାପ ଏତେ ଗମ୍ଭୀର ଥାଏ ଯେ ଯଦି ଜଣେ ବ୍ୟକ୍ତି ପଶ୍ଚାତାପ କରେ ନାହିଁ, ତାହେଲେ ତାକୁ ମଣ୍ଡଳୀରୁ ବାହାର କରି ଦିଆଯାଇପାରେ । ଯଦି ଆପଣ ଗମ୍ଭୀର ପାପ କରିଛନ୍ତି, ତାହେଲେ ଆପଣଙ୍କୁ ଏବିଷୟରେ କୌଣସି ପ୍ରାଚୀନଙ୍କ ସହ କଥା ହେବା ଉଚିତ୍ । (୧ କରି. ୫:୧୧-୧୩) କାରଣ ଯିହୋବାଙ୍କ ସହିତ ଆପଣଙ୍କ ସମ୍ପର୍କ ଖରାପ ହୋଇଯାଇଛି ଏବଂ ଆପଣ ନିଜେ ଏହାକୁ ଠିକ୍ କରିପାରିବେ ନାହିଁ । ଯଦି ଆପଣ ମୁକ୍ତିର ମୂଲ୍ୟ ଆଧାରରେ ଯିହୋବାଙ୍କଠାରୁ କ୍ଷମା ପାଇବା ପାଇଁ ଚାହାନ୍ତି, ତାହେଲେ ଆପଣ ଯାହା କରିଛନ୍ତି ଆପଣଙ୍କୁ ତାʼପାଇଁ ପଶ୍ଚାତାପ କରିବା ଉଚିତ୍ ଏବଂ “ମନ ପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ” କରିବା ଉଚିତ୍ । (ପ୍ରେରି. ୨୬:୨୦) ଏହି କାର୍ଯ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ନିଜର ଗମ୍ଭୀର ପାପ ବିଷୟରେ ପ୍ରାଚୀନମାନଙ୍କ ସହିତ କଥା ହେବା ।
୭. ଗମ୍ଭୀର ପାପ କରିଥିବା ବ୍ୟକ୍ତିମାନଙ୍କ ଛଡ଼ା ଆଉ କେଉଁମାନେ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେଇପାରିବେ ?
୭ ଗମ୍ଭୀର ପାପ କରିଥିବା ବ୍ୟକ୍ତିମାନଙ୍କ ଛଡ଼ା ଏପରି ଭାଇଭଉଣୀମାନେ ମଧ୍ୟ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେଇପାରିବେ, ଯେଉଁମାନେ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ୁଛନ୍ତି । (ପ୍ରେରି. ୨୦:୩୫) ଯେପରି ହୁଏତ ଆପଣ ସତ୍ୟ ଶିଖିବା ପୂର୍ବରୁ ଡ୍ରଗସ୍ ନେଉଥିଲେ, ପର୍ନୋଗ୍ରାଫି ଦେଖୁଥିଲେ କିମ୍ବା ଅନୈତିକ ଜୀବନ ବଞ୍ଚୁଥିଲେ । କିନ୍ତୁ ସତ୍ୟ ଶିଖିବା ପରେ ମଧ୍ୟ ଆପଣଙ୍କ ମନରେ ଏହି ଭୁଲ କାମଗୁଡ଼ିକ କରିବାର ଇଚ୍ଛା ଆସିପାରେ ଏବଂ ଆପଣ ସେଥିରୁ ଲଢ଼ି ଲଢ଼ି ଥକି ଯାଇପାରନ୍ତି । କିନ୍ତୁ ମନେ ରଖନ୍ତୁ, ଆପଣଙ୍କୁ ସେହି ଲଢ଼େଇ ଏକୁଟିଆ ଲଢ଼ିବାର ନାହିଁ । ଆପଣ ଏବିଷୟରେ କୌଣସି ପ୍ରାଚୀନଙ୍କ ସହ କଥା ହୋଇପାରିବେ । ସେହି ପ୍ରାଚୀନ ଆପଣଙ୍କ କଥା ଧ୍ୟାନର ସହ ଶୁଣିବେ, ଆପଣଙ୍କୁ ବାଇବଲରୁ ଭଲ ପରାମର୍ଶ ଦେବେ ଏବଂ ସେ ଆପଣଙ୍କୁ ଭରସା ଦେବେ ଯେ ଆପଣ ସେହି ଖରାପ ଇଚ୍ଛାଗୁଡ଼ିକୁ କାବୁ କରି ଯିହୋବାଙ୍କୁ ଖୁସି କରିପାରିବେ । (ଉପ. ୪:୧୨) ଏହା ବି ହୋଇପାରେ ଯେ ଆପଣ ବହୁତ ଚେଷ୍ଟା କଲାପରେ ମଧ୍ୟ ଖରାପ ଇଚ୍ଛାଗୁଡ଼ିକୁ ପୂରାପୂରି କାବୁ କରିପାରୁ ନାହାନ୍ତି ଏବଂ ଏହାଯୋଗୁଁ ଆପଣ ନିରାଶ ଅଛନ୍ତି । ଏପରି ସମୟରେ ପ୍ରାଚୀନମାନେ ଆପଣଙ୍କୁ ଭରସା ଦେବେ ଯେ ଯିହୋବା ଆପଣଙ୍କଠାରୁ ଖୁସି ଅଛନ୍ତି, କାରଣ ଆପଣ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେଉଛନ୍ତି ଏବଂ ତାଙ୍କ ସହିତ ନିଜର ସମ୍ପର୍କ ଦୃଢ଼ କରିବା ପାଇଁ ପରିଶ୍ରମ କରୁଛନ୍ତି ।—୧ କରି. ୧୦:୧୨.
୮. କʼଣ ଆମେ ନିଜର ପ୍ରତ୍ୟେକ ଭୁଲ ବିଷୟରେ ପ୍ରାଚୀନମାନଙ୍କୁ ଜଣାଇବା ଉଚିତ୍ ? ବୁଝାନ୍ତୁ ।
୮ ଏହା ସତ ଯେ ଆମେ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେଇପାରିବା, କିନ୍ତୁ ଆପଣଙ୍କୁ ନିଜର ପ୍ରତ୍ୟେକ ଭୁଲ ବିଷୟରେ ସେମାନଙ୍କୁ ଜଣାଇବା ଦରକାର ନାହିଁ । ଯେପରି, ଯଦି ଆପଣ କୌଣସି ଭାଇ କିମ୍ବା ଭଉଣୀଙ୍କୁ କଷ୍ଟ ପହଞ୍ଚାଇଲା ଭଳି କଥା କହିଛନ୍ତି କିମ୍ବା ନିଜ ଉପରେ ନିୟନ୍ତ୍ରଣ ନ କରି ରାଗି ଯାଇ ତାଙ୍କୁ ଓଲଟା ସିଧା କହିଦେଇଛନ୍ତି, ତାହେଲେ ଆପଣଙ୍କୁ ଏହି କଥା ଯାଇ ପ୍ରାଚୀନଙ୍କୁ କହିବା ଜରୁରୀ ନୁହେଁ । ଏହା ପରିବର୍ତ୍ତେ, ଆପଣ ଯୀଶୁଙ୍କ ପରାମର୍ଶ ମାନି ସେହି ଭାଇ କିମ୍ବା ଭଉଣୀଙ୍କୁ କ୍ଷମା ମାଗିପାରିବେ ଏବଂ ପରସ୍ପର ମଧ୍ୟରେ ଶାନ୍ତି ବଜାୟ ରଖିପାରିବେ । (ମାଥି. ୫:୨୩, ୨୪) ଏହା ସହିତ ଆପଣ କୋମଳତା, ଧୈର୍ଯ୍ୟ ଓ ସଂଯମ ଭଳି ଗୁଣଗୁଡ଼ିକ ବିଷୟରେ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରିପାରିବେ ଏବଂ ଏବିଷୟରେ ଭାବିପାରିବେ ଯେ ଆପଣ କିପରି ଏହି ଗୁଣଗୁଡ଼ିକୁ ଆହୁରି ଭଲଭାବେ ଦେଖାଇପାରିବେ । କିନ୍ତୁ ଏସବୁ କଲାପରେ ବି ଯଦି ସମସ୍ୟାର ସମାଧାନ ହୁଏନି, ତାହେଲେ ଆପଣ କୌଣସି ପ୍ରାଚୀନଙ୍କଠାରୁ ସାହାଯ୍ୟ ନେଇପାରିବେ । ପ୍ରଥମ ଶତାବ୍ଦୀରେ ଯେବେ ଇୟଦିଆ ଓ ସୁନ୍ତୁଖୀଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି ହେଲା ଏବଂ ସେମାନେ ପରସ୍ପର ମଧ୍ୟରେ ଏହି ସମସ୍ୟାକୁ ସମାଧାନ କରିପାରିଲେ ନାହିଁ, ତେବେ ପାଉଲ ଜଣେ ଭାଇଙ୍କୁ ସେମାନଙ୍କ ସାହାଯ୍ୟ କରିବା ପାଇଁ କହିଲେ । ସେହିଭଳି ପ୍ରାଚୀନମାନେ ଆପଣଙ୍କୁ ମଧ୍ୟ ସାହାଯ୍ୟ କରିପାରିବେ ।—ଫିଲିପ୍. ୪:୨, ୩.
ଆମେ କାହିଁକି ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେବା ଉଚିତ୍ ?
୯. ଆମେ କାହିଁକି ପ୍ରାଚୀନମାନଙ୍କ ସହ କଥା ହେବା ପାଇଁ ପଛଘୁଞ୍ଚା ଦେବା ଉଚିତ୍ ନୁହେଁ ? (ହିତୋପଦେଶ ୨୮:୧୩)
୯ ଯଦି ଆମେ କୌଣସି ଗମ୍ଭୀର ପାପ କରିଛୁ କିମ୍ବା ଆମେ ନିଜ ଖରାପ ଇଚ୍ଛାଗୁଡ଼ିକୁ କାବୁ କରିପାରୁ ନାହୁଁ, ତାହେଲେ ଆମକୁ ହୁଏତ ପ୍ରାଚୀନମାନଙ୍କ ସହିତ କଥା ହେବା ପାଇଁ ଲଜ୍ଜା ଅନୁଭବ ହେବ । ଏହାପାଇଁ ଆମକୁ ସାହସ ଏବଂ ବିଶ୍ୱାସର ଦରକାର ପଡ଼ିବ । କିନ୍ତୁ ଆମେ ଏପରି କରିବାରୁ ପଛଘୁଞ୍ଚା ଦେବା ଉଚିତ୍ ନୁହେଁ । ତାହା କାହିଁକି ? କାରଣ ଯିହୋବା ପ୍ରାଚୀନମାନଙ୍କୁ ଆମକୁ ସାହାଯ୍ୟ କରିବା ପାଇଁ ନିଯୁକ୍ତ କରିଛନ୍ତି, ଯାହାଫଳରେ ତାଙ୍କ ସହ ଆମ ସମ୍ପର୍କ ଦୃଢ଼ ରହିପାରୁ । ସେଥିପାଇଁ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେଇ ଆମେ ଦେଖାଉ ଯେ ଆମକୁ ଯିହୋବାଙ୍କ ଉପରେ ଭରସା ଅଛି, ଆମେ ତାଙ୍କର କଥା ମାନିବା ପାଇଁ ଚାହୁଁ ଏବଂ ନିଜ ବିଶ୍ୱାସରେ ଦୃଢ଼ ହୋଇ ରହିବା ପାଇଁ ଚାହୁଁ । ତାʼସହିତ ଏପରି କରି ଆମେ ଏହା ବି ଦେଖାଉ ଯେ ଆମକୁ ଲଗାତାର ସଠିକ୍ କାମ କରିବା ପାଇଁ ଯିହୋବାଙ୍କର ସାହାଯ୍ୟ ଦରକାର । (ଗୀତ. ୯୪:୧୮) ଯଦି ଆମେ କୌଣସି ପାପ କରିଛୁ ଆଉ ଆମେ ପ୍ରାଚୀନମାନଙ୍କ ଆଗରେ ଏହାକୁ ସ୍ୱୀକାର କରୁ ଏବଂ ପୁଣିଥରେ ଏହି ଭୁଲ ନ କରୁ, ତାହେଲେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ କ୍ଷମା କରିବେ ।—ହିତୋପଦେଶ ୨୮:୧୩ ପଢ଼ନ୍ତୁ ।
୧୦. ଯଦି ଆମେ ନିଜ ପାପକୁ ଲୁଚାଇ ରଖିବା, ତାହେଲେ କʼଣ ହୋଇପାରେ ?
୧୦ ପ୍ରାଚୀନମାନଙ୍କ ଆଗରେ ନିଜ ପାପ ସ୍ୱୀକାର କଲେ ଆମକୁ ଅନେକ ଆଶିଷ ମିଳେ । କିନ୍ତୁ ଯଦି ଆମେ ନିଜ ପାପକୁ ଲୁଚାଇ ରଖିବା, ତାହେଲେ ଆମକୁ ଅତ୍ୟନ୍ତ ଦୁଃଖ ଭୋଗିବାକୁ ପଡ଼ିପାରେ । ମନେ ପକାନ୍ତୁ ଯେ ଯେବେ ଦାଉଦ ନିଜ ପାପ ଲୁଚାଇ ଥିଲେ, ତେବେ ତାଙ୍କୁ କିପରି ଲାଗିଥିଲା । ତାଙ୍କୁ ଅତ୍ୟନ୍ତ ଦୁଃଖ ଲାଗିଥିଲା ଏବଂ ତାଙ୍କ ମନ ବିଚଳିତ ହୋଇଯାଇଥିଲା, କାରଣ ସେ ଜାଣିଥିଲେ ଯେ ଯିହୋବା ତାଙ୍କଠାରୁ ଖୁସି ନାହାନ୍ତି । (ଗୀତ. ୩୨:୩-୫) ଭାବନ୍ତୁ, ଆମକୁ ଗଭୀର ଆଘାତ ଲାଗିଯାଏ କିମ୍ବା ଆମେ ରୋଗରେ ପଡ଼ିଯାଉ, ଏପରି ପରିସ୍ଥିତିରେ ଯଦି ଆମେ ଡାକ୍ତରଙ୍କ ପାଖକୁ ଯିବା ନାହିଁ, ତାହେଲେ ଆମର ଅବସ୍ଥା କʼଣ ହେବ ? ଆମର ଆଘାତ ଠିକ୍ ହେବ ନାହିଁ କିମ୍ବା ଆମେ ରୋଗରେ ହିଁ ପଡ଼ିଥିବା । ଠିକ୍ ସେହିପରି ଯଦି ଆମଦ୍ୱାରା କୌଣସି ପାପ ହୋଇଛି, କିନ୍ତୁ ଆମେ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେବା ନାହିଁ, ତାହେଲେ ଯିହୋବାଙ୍କ ସହିତ ଆମ ସମ୍ପର୍କ ଭାଙ୍ଗିପାରେ । ଯିହୋବା ଚାହାନ୍ତି ନାହିଁ ଯେ ଆମ ସହ ଏପରି ହେଉ, ତେଣୁ ସେ ଆମକୁ କହନ୍ତି ଯେ ଆମେ ତାଙ୍କ ସହିତ “ଉତ୍ତର ପତ୍ୟୁତ୍ତର” [“ବୁଝାମଣା,” NWT] କରୁ । ଆମେ ଏହା କିପରି କରିପାରିବା ? ପ୍ରାଚୀନମାନଙ୍କ ସହିତ କଥା ହୋଇ ଆମେ ଏପରି କରିପାରିବା ।—ଯିଶା. ୧:୫, ୬, ୧୮.
୧୧. ଯଦି ଆମେ ଗମ୍ଭୀର ପାପକୁ ଲୁଚାଇ ରଖିବା, ତାହେଲେ ଏହାର ଅନ୍ୟମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିପାରେ ?
୧୧ ଯଦି ଆମେ ନିଜର ଗମ୍ଭୀର ପାପକୁ ଲୁଚାଇ ରଖିବା, ତାହେଲେ ଏଥିରୁ ଅନ୍ୟମାନଙ୍କୁ ବି କ୍ଷତି ପହଞ୍ଚିପାରେ । ଆମେ ଯିହୋବାଙ୍କ ପବିତ୍ର ଶକ୍ତିକୁ ମଣ୍ଡଳୀରେ କାମ କରିବାରୁ ରୋକୁ ଥିବା ଏବଂ ଏଥିରୁ ମଣ୍ଡଳୀର ଶାନ୍ତି ଚାଲିଯାଇପାରେ । (ଏଫି. ୪:୩୦) କିନ୍ତୁ ଯଦି ଆମେ ଅନ୍ୟ କାହାରି ଗମ୍ଭୀର ପାପ ବିଷୟରେ ଜାଣିଛୁ, ତାହେଲେ ଆମେ କʼଣ କରିବା ଉଚିତ୍ ? ଆମେ ତାଙ୍କୁ କହିବା ଉଚିତ୍ ଯେ ସେ ଯାଇ ପ୍ରାଚୀନମାନଙ୍କ ସହିତ କଥା ହୁଅନ୍ତୁ ।a ଯଦି ଆମେ ତାଙ୍କର ଗମ୍ଭୀର ପାପକୁ ଲୁଚାଇବା, ତାହେଲେ ତାଙ୍କ ସହିତ ଯିହୋବା ଆମକୁ ବି ଦୋଷୀ ବୋଲି ଭାବିବେ । (ଲେବୀ. ୫:୧) ଆମେ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ଆମେ ପ୍ରାଚୀନମାନଙ୍କୁ ସବୁ କଥା ଖୋଲିକି କହିବା । ଏପରି ଭାବେ ଆମେ ମଣ୍ଡଳୀକୁ ଶୁଦ୍ଧ ରଖିପାରିବା ଏବଂ ଆମେ ସେହି ଭାଇ କିମ୍ବା ଭଉଣୀଙ୍କୁ ମଧ୍ୟ ପୁଣିଥରେ ଯିହୋବାଙ୍କ ସହିତ ସମ୍ପର୍କ ଦୃଢ଼ କରିବା ପାଇଁ ସାହାଯ୍ୟ କରିପାରିବା ।
ପ୍ରାଚୀନମାନେ କିପରି ଆମମାନଙ୍କୁ ସାହାଯ୍ୟ କରନ୍ତି ?
୧୨. ପ୍ରାଚୀନମାନେ କିପରି ସେହି ଭାଇ କିମ୍ବା ଭଉଣୀଙ୍କର ସାହାଯ୍ୟ କରନ୍ତି, ଯେଉଁମାନଙ୍କର ଯିହୋବାଙ୍କ ସହିତ ସମ୍ପର୍କ ଦୁର୍ବଳ ହୋଇଯାଇଛି ?
୧୨ ପ୍ରାଚୀନମାନଙ୍କର ଦାୟିତ୍ୱ ଏହା ଯେ ସେମାନେ ସେହି ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତୁ, ଯେଉଁମାନଙ୍କର ଯିହୋବାଙ୍କ ସହିତ ସମ୍ପର୍କ ଦୁର୍ବଳ ହୋଇଯାଇଛି । (୧ ଥେସ. ୫:୧୪) ଯେବେ ପ୍ରାଚୀନମାନେ ଏପରି ଭାଇ କିମ୍ବା ଭଉଣୀଙ୍କ ସହ କଥା ହୁଅନ୍ତି ଯିଏ ଗମ୍ଭୀର ପାପ କରିଛନ୍ତି, ତେବେ ସେମାନେ ଭାବିଚିନ୍ତି ତାଙ୍କୁ ପ୍ରଶ୍ନ କରନ୍ତି, ଯାହାଫଳରେ ସେମାନେ ତାଙ୍କର ମନ କଥା ଜାଣିପାରିବେ । (ହିତୋ. ୨୦:୫) ହୋଇପାରେ ଆପଣ ନିଜ ଭୁଲ ଯୋଗୁଁ ଲଜ୍ଜା ଅନୁଭବ କରୁଥିବେ କିମ୍ବା ଆପଣ ଯେପରି ପରିବେଶରେ ବଡ଼ ହୋଇଛନ୍ତି ତାʼଯୋଗୁଁ କିମ୍ବା ନିଜ ସ୍ୱଭାବ ଯୋଗୁଁ ଆପଣଙ୍କୁ ନିଜ ମନ କଥା ଖୋଲିକି କହିବା ପାଇଁ କଠିନ ଲାଗୁଥିବ । ତଥାପି ପ୍ରାଚୀନମାନଙ୍କ ସହିତ କଥା ହେବା ପାଇଁ ସଂକୋଚ କରନ୍ତୁ ନାହିଁ । ସେମାନଙ୍କ ସହିତ ଖୋଲିକି କଥା ହୁଅନ୍ତୁ । ଏହା ଭାବି ଡରନ୍ତୁ ନାହିଁ ଯେ ଆପଣ “ଅବିବେଚନାଯୁକ୍ତ” କଥା କହିବେ । (ଆୟୁ. ୬:୩) ମନେ ରଖନ୍ତୁ, ପ୍ରାଚୀନମାନେ ଶୀଘ୍ର କୌଣସି ନିଷ୍ପତ୍ତି ନେବା ପରିବର୍ତ୍ତେ ଆପଣଙ୍କ କଥା ଧ୍ୟାନର ସହ ଶୁଣିବେ ଏବଂ ମାମଲାକୁ ଭଲଭାବେ ବୁଝିବା ପାଇଁ ଚେଷ୍ଟା କରିବେ । ଏହାପରେ ସେମାନେ ଆପଣଙ୍କୁ ବାଇବଲରୁ ସାହାଯ୍ୟ କରିବେ । (ହିତୋ. ୧୮:୧୩) ପ୍ରାଚୀନମାନେ ଭଲଭାବେ ଜାଣନ୍ତି ଯେ କେବଳ ଥରେ ଭେଟିଲେ ମାମଲା ସମାଧାନ ହୋଇପାରିବ ନାହିଁ, ତେଣୁ ସେମାନେ ଆଗକୁ ବି ଭେଟିବା ପାଇଁ ପ୍ରସ୍ତୁତ ରହନ୍ତି ।
୧୩. ଯେବେ ପ୍ରାଚୀନମାନେ ଆମମାନଙ୍କ ପାଇଁ ପ୍ରାର୍ଥନା କରନ୍ତି ଏବଂ ବାଇବଲରୁ ପଦଗୁଡ଼ିକ ଦେଖାନ୍ତି, ତେବେ ଏଥିରୁ କିପରି ଆମକୁ ସାହାଯ୍ୟ ମିଳେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୩ ପ୍ରାଚୀନମାନେ ଏହି କଥାକୁ ଭଲଭାବରେ ବୁଝନ୍ତି ଯେ ଆପଣ ନିଜ ଭୁଲଗୁଡ଼ିକ ଯୋଗୁଁ ଦୋଷୀ ଅନୁଭବ କରୁଛନ୍ତି, ସେଥିପାଇଁ ଯେବେ ଆପଣ ସେମାନଙ୍କର ସାହାଯ୍ୟ ନିଅନ୍ତି, ତେବେ ସେମାନେ ଆପଣଙ୍କୁ ଆହୁରି ଦୋଷୀ ଅନୁଭବ କରାଇବେ ନାହିଁ । ଏହା ପରିବର୍ତ୍ତେ ସେମାନେ ଆପଣଙ୍କ ପାଇଁ ପ୍ରାର୍ଥନା କରିବେ, ଯାହା ଆପଣଙ୍କ ପାଇଁ “କାର୍ଯ୍ୟ ସାଧନ” କରିବ । ଏହା ବ୍ୟତୀତ, ସେମାନେ ଆପଣଙ୍କୁ ‘ଯିହୋବାଙ୍କ ନାମରେ ତୈଳ ମଧ୍ୟ ମଖାଇବେ ।’ (ଯାକୁ. ୫:୧୪-୧୬) ଏଠାରେ “ତୈଳ” ଶବ୍ଦର ଅର୍ଥ ହେଉଛି, ଈଶ୍ୱରଙ୍କ ବାକ୍ୟରେ ଦିଆଯାଇଥିବା ସତ୍ୟଗୁଡ଼ିକ । ପ୍ରାଚୀନମାନେ ଆପଣଙ୍କୁ ଏପରି ପଦଗୁଡ଼ିକ ଦେଖାଇବେ, ଯେଉଁଥିରୁ ଆପଣଙ୍କୁ ସାନ୍ତ୍ୱନା ମିଳିବ ଏବଂ ଆପଣ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ପୁଣିଥରେ ଦୃଢ଼ କରିପାରିବେ । (ଯିଶା. ୫୭:୧୮) ବାଇବଲରୁ ସେମାନେ ଆପଣଙ୍କୁ ଏପରି କଥାଗୁଡ଼ିକ କହିବେ, ଯେଉଁଥିରୁ ସଠିକ୍ କାମ କରିବାର ଆପଣଙ୍କର ମନବଳ ଦୃଢ଼ ହୋଇଯିବ । ପ୍ରାଚୀନମାନଙ୍କ ଜରିଆରେ ଆପଣ ଯିହୋବାଙ୍କର ଏହି ଡାକ ଶୁଣିପାରିବେ: “ପଥ ଏହି, ଏଥିରେ ହିଁ ତୁମ୍ଭେମାନେ ଗମନ କର ।”—ଯିଶା. ୩୦:୨୧.
ପ୍ରାଚୀନମାନେ ବାଇବଲର ପଦଗୁଡ଼ିକରୁ ଆମକୁ ସାନ୍ତ୍ୱନା ଦିଅନ୍ତି ଏବଂ ଆମର ଉତ୍ସାହ ବଢ଼ାନ୍ତି (ପାରାଗ୍ରାଫ ୧୩-୧୪)
୧୪. ପ୍ରାଚୀନମାନେ କିପରି ସେମାନଙ୍କର ସାହାଯ୍ୟ କରନ୍ତି, ଯେଉଁମାନେ ଭୁଲ ପଦକ୍ଷେପ ନିଅନ୍ତି ? (ଗାଲାତୀୟ ୬:୧) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୪ ଗାଲାତୀୟ ୬:୧ ପଢ଼ନ୍ତୁ । ଯେବେ ଜଣେ ଖ୍ରୀଷ୍ଟିୟାନ “ଅପରାଧରେ ଧରାପଡ଼େ [“ଭୁଲ ପଦକ୍ଷେପ ନିଏ,” NWT],” ତେବେ ସେ ଯିହୋବାଙ୍କ ସ୍ତର ବିରୁଦ୍ଧରେ ଚାଲିଯାଏ । ହୁଏତ ସେ ବିନା ଭାବିଚିନ୍ତି କୌଣସି ନିଷ୍ପତ୍ତି ନେଇଥିବ କିମ୍ବା କୌଣସି ଗମ୍ଭୀର ପାପ କରିଥିବ । ପ୍ରାଚୀନମାନେ ‘ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କରିବା’ ପାଇଁ ଚେଷ୍ଟା କରନ୍ତି, କାରଣ ସେମାନେ ତାଙ୍କୁ ପ୍ରେମ କରନ୍ତି । ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ ଏଠାରେ “ସଂଶୋଧନ” କରାଯାଇଛି, ଏହାର ଏପରି ବି ଅର୍ଥ ହୋଇପାରେ, ଖସି ଯାଇଥିବା ଭଙ୍ଗା ହାଡ଼କୁ ସଠିକ୍ ଜାଗାରେ ସ୍ଥିର କରିବା, ଯାହାଫଳରେ ତାହା ଭଲଭାବେ ଯୋଡ଼ି ହୋଇଯାଉ । ଜଣେ ଭଲ ଡାକ୍ତର ରୋଗୀର ଭଙ୍ଗା ହାଡ଼କୁ ସତର୍କତାର ସହିତ ଠିକ୍ ଜାଗାରେ ସ୍ଥିର କରନ୍ତି । ସେ ଏହା ବି ଧ୍ୟାନ ରଖନ୍ତି ଯେ ରୋଗୀକୁ ଅଧିକ କଷ୍ଟ ନ ହେଉ ଏବଂ ତାʼର ଚିକିତ୍ସା ମଧ୍ୟ ହୋଇଯାଉ । ସେହିଭଳି ଯେବେ ପ୍ରାଚୀନମାନେ କାହାରିକୁ ସୁଧାରନ୍ତି, ତେବେ ସେମାନେ ଧ୍ୟାନ ରଖନ୍ତି ଯେ ସେମାନେ ପ୍ରେମର ସହିତ ତାଙ୍କୁ ବୁଝାନ୍ତୁ ଏବଂ ସେମାନେ ଏହି କଥାର ବି ଧ୍ୟାନ ରଖନ୍ତି ଯେ ତାଙ୍କର କଷ୍ଟ ଆହୁରି ବଢ଼ି ନ ଯାଉ । ପ୍ରାଚୀନମାନଙ୍କୁ କୁହାଯାଇଛି ଯେ ସେମାନେ ‘ଆପଣା ବିଷୟରେ ସାବଧାନ ହୁଅନ୍ତୁ ।’ ଅନ୍ୟମାନଙ୍କୁ ସାହାଯ୍ୟ କରିବା ସମୟରେ ସେମାନେ ଏହି କଥାକୁ ମନେ ରଖନ୍ତି ଯେ ସେମାନେ ନିଜେ ମଧ୍ୟ ଅପରିପୂର୍ଣ୍ଣ ଏବଂ ସେମାନଙ୍କ ଦ୍ୱାରା ମଧ୍ୟ ଭୁଲ ହୋଇପାରେ । ସେଥିପାଇଁ ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଅଧିକ ଧାର୍ମିକ ଭାବନ୍ତି ନାହିଁ । ଏହା ପରିବର୍ତ୍ତେ ସେମାନେ ନମ୍ର ରହନ୍ତି ଓ ଭାଇଭଉଣୀମାନଙ୍କ ସହିତ ପ୍ରେମର ସହ ବ୍ୟବହାର କରନ୍ତି ଏବଂ ସେମାନଙ୍କୁ ସହାନୁଭୂତି ଦେଖାନ୍ତି ।—୧ ପିତ. ୩:୮.
୧୫. ଯଦି ଆମକୁ କିଛି ସମସ୍ୟା ଅଛି, ତାହେଲେ ଆମେ କʼଣ କରିବା ଉଚିତ୍ ?
୧୫ ଆମେ ପ୍ରାଚୀନମାନଙ୍କ ଉପରେ ପୂରା ଭରସା କରିପାରିବା । କାରଣ ସେମାନଙ୍କୁ ଶିଖାଯାଇଛି ଯେ ସେମାନେ ଭାଇଭଉଣୀମାନଙ୍କ ବ୍ୟକ୍ତିଗତ ମାମଲାକୁ ନିଜ ଯାଏ ରଖନ୍ତୁ, ଅନ୍ୟ କାହାରିକୁ ଏବିଷୟରେ କହନ୍ତୁ ନାହିଁ । ସେମାନଙ୍କୁ ଏହା ବି ଶିଖାଯାଇଛି ଯେ ସେମାନେ ଅନ୍ୟମାନଙ୍କୁ ନିଜ ମତ କହିବା ପରିବର୍ତ୍ତେ ବାଇବଲରୁ ପରାମର୍ଶ ଦିଅନ୍ତୁ । ତାʼସହିତ ସେମାନଙ୍କୁ ଏହା ବି ଶିଖାଯାଇଛି ଯେ ସେମାନେ ଲଗାତାର ସେମାନଙ୍କୁ ସାହାଯ୍ୟ କରନ୍ତୁ । (ହିତୋ. ୧୧:୧୩; ଗାଲା. ୬:୨) ସମସ୍ତ ପ୍ରାଚୀନ ଏକାଭଳି ନ ଥାʼନ୍ତି, ସମସ୍ତଙ୍କର ସ୍ୱଭାବ ଭିନ୍ନ ଭିନ୍ନ ଥାଏ । କିଛି ପ୍ରାଚୀନଙ୍କୁ ଅନେକ ଅନୁଭୂତି ଥାଏ ଏବଂ ଆଉ କିଛି ପ୍ରାଚୀନଙ୍କୁ କମ୍ ଅନୁଭୂତି ଥାଏ । କାରଣ ଯାହା ବି ଥାଉ ନା କାହିଁକି, ଆମେ ନିଜ ସମସ୍ୟା ବିଷୟରେ ଯେକୌଣସି ପ୍ରାଚୀନଙ୍କ ସହିତ କଥା ହୋଇପାରିବା । କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ଆମେ ପ୍ରତ୍ୟେକ ପ୍ରାଚୀନଙ୍କ ପାଖକୁ ଯାଇ ସେସମୟ ଯାଏ ପରାମର୍ଶ ନେବା, ଯେବେ ଯାଏ କେହି ଜଣେ ଆମକୁ ସେପରି ପରାମର୍ଶ ଦିଅନ୍ତି ନାହିଁ ଯେପରି ଆମେ ଶୁଣିବା ପାଇଁ ଚାହୁଁ । ଯଦି ଆମେ ଏପରି କରିବା, ତାହେଲେ ଆମେ ସେହି ଲୋକମାନଙ୍କ ଭଳି ହେଉଥିବା ଯେଉଁମାନେ ବାଇବଲର “ହିତଜନକ ଶିକ୍ଷା” ଜାଣିବା ପରିବର୍ତ୍ତେ କେବଳ ‘ଶ୍ରୁତିମଧୁର କଥା’ ଶୁଣିବା ପାଇଁ ଚାହାନ୍ତି । (୨ ତୀମ. ୪:୩) ଯେବେ ଆମେ କୌଣସି ପ୍ରାଚୀନଙ୍କୁ ନିଜ ସମସ୍ୟା ବିଷୟରେ କହୁ, ତେବେ ସେ ହୁଏତ ଆମକୁ ପଚାରିବେ ଯେ କʼଣ ଆମେ ଅନ୍ୟ ପ୍ରାଚୀନଙ୍କ ସହ ଏବିଷୟରେ କଥା ହୋଇଛୁ । ଆଉ ଯଦି ଆମେ ଏପରି କରିଛୁ, ତାହେଲେ ସେ ହୁଏତ ଆମକୁ ପଚାରିବେ ଯେ ସେହି ପ୍ରାଚୀନ ଆମକୁ କʼଣ ପରାମର୍ଶ ଦେଲେ । ଏପରି ବି ହୋଇପାରେ ଯେ ସେହି ପ୍ରାଚୀନ ଆମକୁ କହିବେ ଯେ ସେ ଅନ୍ୟ ପ୍ରାଚୀନଙ୍କ ସହିତ ପରାମର୍ଶ ପାଇଁ କଥା ହେବେ ଏବଂ ଏହାପରେ ସେ ଆମକୁ ସାହାଯ୍ୟ କରିବେ ।—ହିତୋ. ୧୩:୧୦.
ନିଷ୍ପତ୍ତି ନେବା ଆମ ଦାୟିତ୍ୱ
୧୬. ଆମ ମଧ୍ୟରୁ ପ୍ରତ୍ୟେକଙ୍କର ଦାୟିତ୍ୱ କʼଣ ?
୧୬ ପ୍ରାଚୀନମାନେ ଆମକୁ ପ୍ରେମର ସହ ପରାମର୍ଶ ଦିଅନ୍ତି ଏବଂ ସମସ୍ୟା ସମୟରେ ଆମକୁ ସାହାଯ୍ୟ କରନ୍ତି, କିନ୍ତୁ ସେମାନେ କେବେ ବି ଆମ ପାଇଁ ନିଷ୍ପତ୍ତି ନିଅନ୍ତି ନାହିଁ । ନିଷ୍ପତ୍ତି ନେବା ଆମ ନିଜର ଦାୟିତ୍ୱ ଅଟେ । ଆମ ପ୍ରତ୍ୟେକଙ୍କୁ ନିଜେ ନିଷ୍ପତ୍ତି ନେବାକୁ ହେବ ଯେ ଯିହୋବାଙ୍କୁ ଖୁସି କରିବା ପାଇଁ ଆମେ କʼଣ କରିବା । (ରୋମୀ. ୧୪:୧୨) କିନ୍ତୁ ଯିହୋବା ଆମକୁ ସଠିକ୍ ନିଷ୍ପତ୍ତି ନେବା ପାଇଁ ଏବଂ ତାଙ୍କର ବିଶ୍ୱସ୍ତ ହୋଇ ରହିବା ପାଇଁ ସାହାଯ୍ୟ କରିପାରିବେ । ସେଥିପାଇଁ ପ୍ରାଚୀନମାନେ ଏହା କହିବା ପରିବର୍ତ୍ତେ ଯେ ଆମକୁ କʼଣ କରିବା ଉଚିତ୍ ଓ କʼଣ ନୁହେଁ, ସେମାନେ ଆମକୁ ବାଇବଲରୁ ବୁଝିବା ପାଇଁ ସାହାଯ୍ୟ କରନ୍ତି ଯେ କୌଣସି ମାମଲା ବିଷୟରେ ଯିହୋବା କʼଣ ଭାବନ୍ତି । ଯେବେ ଆମେ ବାଇବଲର ସେହି ପରାମର୍ଶକୁ ମାନୁ, ତେବେ ଆମେ ଆମର “ବୁଝିବିଚାରି କାମ କରିବାର ଶକ୍ତିକୁ” ପ୍ରଶିକ୍ଷିତ କରୁ ଏବଂ ଭଲ ନିଷ୍ପତ୍ତି ନେଇପାରୁ ।—ଏବ୍ରୀ ୫:୧୪ NWT.
୧୭. ଆମେ କʼଣ କରିବା ପାଇଁ ସଂକୋଚ କରିବା ଉଚିତ୍ ନୁହେଁ ଏବଂ କାହିଁକି ?
୧୭ ଏହା କେତେ ଖୁସିର କଥା ଯେ ଯିହୋବା ନିଜର ମେଷମାନଙ୍କର ଭଲଭାବେ ଯତ୍ନ ନିଅନ୍ତି । ସେ ଯୀଶୁଙ୍କୁ ଏହି ପୃଥିବୀକୁ ପଠାଇଥିଲେ, ଯିଏ “ଉତ୍ତମ ମେଷପାଳକ” ଅଟନ୍ତି । ଯୀଶୁ ଆମମାନଙ୍କ ପାଇଁ ନିଜ ଜୀବନ ଦେଲେ, ଯାହାଫଳରେ ଆମମାନଙ୍କୁ ଅନନ୍ତ ଜୀବନ ମିଳିପାରୁ । (ଯୋହ. ୧୦:୧୧) ତାʼସହିତ ଆମର ଯତ୍ନ ନେବା ପାଇଁ ଯିହୋବା ମଣ୍ଡଳୀରେ ପ୍ରାଚୀନମାନଙ୍କୁ ମଧ୍ୟ ନିଯୁକ୍ତ କଲେ । ଏପରି ଭାବେ ସେ ନିଜର ଏହି ପ୍ରତିଜ୍ଞା ପୂରା କରିଛନ୍ତି: “ଆମ୍ଭେ ଆପଣା ମନ ଅନୁଯାୟୀ ପାଳକଗଣ ତୁମ୍ଭମାନଙ୍କୁ ଦେବା, ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚରାଇବେ ।” (ଯିରି. ୩:୧୫) ଯେବେ ଯିହୋବାଙ୍କ ସହିତ ଆମର ସମ୍ପର୍କ ଦୁର୍ବଳ ହେବାକୁ ଲାଗେ କିମ୍ବା ଆମଦ୍ୱାରା କୌଣସି ପାପ ହୋଇଯାଏ, ତେବେ ଆମେ ପ୍ରାଚୀନମାନଙ୍କ ସାହାଯ୍ୟ ନେବା ପାଇଁ ସଂକୋଚ କରିବା ଉଚିତ୍ ନୁହେଁ । ଯେବେ ଆମେ ଏପରି କରିବା, ତେବେ ଆମେ ସେମାନଙ୍କ ଜରିଆରେ ଯିହୋବାଙ୍କ ପ୍ରେମକୁ ଅନୁଭବ କରିପାରିବା ।
ଗୀତ ୨୯ ତୁମ ନାଁ ଉଚ୍ଚ କରିବା !
a ଅନେକ ସମୟ ବିତିଲା ପରେ ମଧ୍ୟ ଯଦି ସେହି ବ୍ୟକ୍ତି ପ୍ରାଚୀନମାନଙ୍କୁ ନିଜ ପାପ ବିଷୟରେ କହେ ନାହିଁ, ତାହେଲେ ଆପଣଙ୍କୁ ପ୍ରାଚୀନମାନଙ୍କୁ ଏବିଷୟରେ କହିବା ଉଚିତ୍ । ଏପରି ଭାବେ ଆପଣ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବେ ।