ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ସେପ୍ଟେମ୍ବର ପୃଷ୍ଠା ୮-୧୩
  • ଅନ୍ୟାୟ ହେଲେ କʼଣ କରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନ୍ୟାୟ ହେଲେ କʼଣ କରିବା ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବା ଓ ଯୀଶୁ ଅନ୍ୟାୟକୁ ଘୃଣା କରନ୍ତି
  • ଅନ୍ୟାୟକୁ ଦେଖି ଯୀଶୁ କʼଣ କଲେ ?
  • ଯୀଶୁଙ୍କ ଭଳି ଆପଣ କʼଣ କରିପାରିବେ ?
  • ଅନ୍ୟାୟ ହେଲେ ଆଜି ଆମେ କʼଣ କରିପାରିବା ?
  • ଅନ୍ୟାୟ କିପରି ସହିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଅନ୍ୟାୟକୁ କିପରି ସହିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ସେପ୍ଟେମ୍ବର ପୃଷ୍ଠା ୮-୧୩

ଅଧ୍ୟୟନ ଲେଖା ୩୭

ଗୀତ ୧୧୪ ଧୈର୍ଯ୍ୟ ଧର

ଅନ୍ୟାୟ ହେଲେ କʼଣ କରିବା ?

‘ମୁଁ ନ୍ୟାୟ ଅପେକ୍ଷା କଲି, ମାତ୍ର ଦେଖ, ଉପଦ୍ରବ ।’—ଯିଶା. ୫:୭.

କʼଣ ଶିଖିବା ?

ଆମେ ଶିଖିବା ଯେ ଯୀଶୁ ଅନ୍ୟମାନଙ୍କ ସହ ଅନ୍ୟାୟ ହେବାର ଦେଖି କʼଣ କଲେ ଏବଂ ଆମେ ତାଙ୍କଠାରୁ କʼଣ ଶିଖିପାରିବା ।

୧-୨. ଅନ୍ୟାୟ ହେଲେ ଅନେକ ଲୋକ କʼଣ କରନ୍ତି ଏବଂ ଆମେ ହୁଏତ କʼଣ ଭାବିବା ?

ଆଜି ଅନେକ ଲୋକଙ୍କ ସହ ଅନ୍ୟାୟ ହୁଏ । ଯେପରି ସେମାନଙ୍କର ଜାତି, ଭାଷା କିମ୍ବା ରୂପ-ରଙ୍ଗ ଯୋଗୁଁ ସେମାନଙ୍କ ସହ ଭେଦଭାବ କରାଯାଏ ଏବଂ ଗରିବ ଲୋକମାନଙ୍କ ସହ ଖରାପ ବ୍ୟବହାର କରାଯାଏ । ତାʼସହ ଲୋଭୀ ବ୍ୟବସାୟୀ ଏବଂ ନେତାମାନେ କେବଳ ନିଜ ପକେଟ ଗରମ କରିବା ବିଷୟରେ ଭାବନ୍ତି । ସେମାନଙ୍କୁ ଏକଥାରୁ କୌଣସି ଫରକ ପଡ଼େନି ଯେ ସେମାନଙ୍କ ଯୋଗୁଁ ପରିବେଶ ଏବଂ ଲୋକମାନଙ୍କ ଉପରେ କେତେ ଖରାପ ପ୍ରଭାବ ପଡ଼ୁଛି । ଆମେ ଯେଉଁଠି ବି ରହୁ ନା କାହିଁକି, କୌଣସି ନା କୌଣସି ପ୍ରକାରେ ଆମକୁ ଅନ୍ୟାୟ ସହିବାକୁ ପଡ଼େ ।

୨ କିନ୍ତୁ ଆମେ ସମସ୍ତେ ଶାନ୍ତିରେ ବଞ୍ଚିବା ପାଇଁ ଚାହୁଁ ଏବଂ ଏହା ବି ଚାହୁଁ ଯେ ଲୋକମାନେ ଆମ ସହ ଭଲ ବ୍ୟବହାର କରନ୍ତୁ । ସେଥିପାଇଁ ଯେବେ ଲୋକମାନଙ୍କ ସହ ଅନ୍ୟାୟ ହୁଏ କିମ୍ବା ଯେବେ ସେମାନେ ଅନ୍ୟମାନଙ୍କ ସହ ଅନ୍ୟାୟ ହେବାର ଦେଖନ୍ତି, ତେବେ ଅନେକ ଥର ସେମାନେ କ୍ରୋଧିତ ହୋଇଯାʼନ୍ତି । ତେଣୁ ସେମାନେ ସ୍ୱର ଉତ୍ତୋଳନ କରନ୍ତି, ଆନ୍ଦୋଳନ କରନ୍ତି, ପ୍ରତିବାଦ କରନ୍ତି କିମ୍ବା ଏପରି ରାଜନୈତିକ ପାର୍ଟିଗୁଡ଼ିକୁ ସମର୍ଥନ କରନ୍ତି, ଯେଉଁମାନେ ଅନ୍ୟାୟକୁ ଶେଷ କରିବା ପାଇଁ ଦାବି କରନ୍ତି । କିନ୍ତୁ ଆମେ ଖ୍ରୀଷ୍ଟିୟାନମାନେ ସେମାନଙ୍କଠାରୁ ପୂରାପୂରି ଭିନ୍ନ, କାରଣ ଆମେ ‘ଜଗତରୁ ଉତ୍ପନ୍ନ ନୁହଁ ।’ ଆମେ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରୁ, ଯାହା ସବୁ ପ୍ରକାରର ଅନ୍ୟାୟକୁ ଶେଷ କରିଦେବ । (ଯୋହ. ୧୭:୧୬) କିନ୍ତୁ ଯେବେ ଆମେ ଅନ୍ୟମାନଙ୍କ ସହ ଅନ୍ୟାୟ ହେବାର ଦେଖୁ, ତେବେ ହୁଏତ ଆମେ ଚିନ୍ତିତ କିମ୍ବା କ୍ରୋଧିତ ହୋଇଯିବା । ଏପରି ସମୟରେ ହୁଏତ ଆମେ ଭାବିବା, ‘ମୋତେ କʼଣ କରିବା ଉଚିତ୍‌ ? ମୁଁ କିପରି ସେମାନଙ୍କର ସାହାଯ୍ୟ କରିପାରିବି ?’ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପୂର୍ବରୁ ଆସନ୍ତୁ ଦେଖିବା ଯେ ଯିହୋବା ଓ ଯୀଶୁ ଅନ୍ୟାୟ ବିଷୟରେ କିପରି ଅନୁଭବ କରନ୍ତି ।

ଯିହୋବା ଓ ଯୀଶୁ ଅନ୍ୟାୟକୁ ଘୃଣା କରନ୍ତି

୩. ଅନ୍ୟାୟ ହେଲେ ଆମେ କାହିଁକି ଚିନ୍ତିତ ହୋଇଯାଉ ? (ଯିଶାଇୟ ୫:୭)

୩ ଯେବେ ଅନ୍ୟାୟ ହୁଏ, ତେବେ ଆମେ କାହିଁକି ଚିନ୍ତିତ ହୋଇଯାଉ ? ଏହାର କାରଣ ବାଇବଲରେ ଦିଆଯାଇଛି । ଏଥିରେ ଲେଖାଅଛି ଯେ ଯିହୋବା ଆମମାନଙ୍କୁ ନିଜ ପ୍ରତିମୂର୍ତ୍ତିରେ ସୃଷ୍ଟି କରିଛନ୍ତି ଏବଂ ସେ “ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି ।” (ଗୀତ. ୩୩:୫; ଆଦି. ୧:୨୬) ସେ କେବେ ବି କାହାରି ସହ ଅନ୍ୟାୟ କରନ୍ତି ନାହିଁ ଆଉ ନା ଚାହାନ୍ତି ଯେ କାହାରି ସହ ଅନ୍ୟାୟ ହେଉ । (ଦ୍ୱିବି. ୩୨:୩, ୪; ମୀଖା ୬:୮; ଯିଖ. ୭:୯) ଭବିଷ୍ୟଦ୍‌ବକ୍ତା ଯିଶାଇୟଙ୍କ ଦିନରେ ଅନେକ ଇସ୍ରାଏଲୀୟମାନଙ୍କ ସହ ତାଙ୍କ ନିଜ ଲୋକମାନେ ହିଁ ବହୁତ ଖରାପ ବ୍ୟବହାର କରୁଥିଲେ । ସେସମୟରେ ଯିହୋବା ସେମାନଙ୍କର “କ୍ରନ୍ଦନ” ଶୁଣିଲେ । (ଯିଶାଇୟ ୫:୭ ପଢ଼ନ୍ତୁ ।) ତାʼସହିତ ଯେଉଁ ଲୋକମାନେ ବାରମ୍ବାର ଯିହୋବାଙ୍କ ନିୟମ ମାନୁ ନ ଥିଲେ ଏବଂ ଲୋକମାନଙ୍କ ସହ ଅନ୍ୟାୟ କରୁଥିଲେ, ସେମାନଙ୍କୁ ସେ ଦଣ୍ଡ ମଧ୍ୟ ଦେଲେ ।—ଯିଶା. ୫:୫, ୧୩.

୪. କାହାରି ସହିତ ଅନ୍ୟାୟ ହେଲେ ଯୀଶୁଙ୍କୁ କିପରି ଲାଗେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୪ ଯିହୋବାଙ୍କ ଭଳି ଯୀଶୁ ବି ନ୍ୟାୟକୁ ପ୍ରେମ କରନ୍ତି ଏବଂ ସେ ସବୁ ପ୍ରକାରର ଅନ୍ୟାୟକୁ ଘୃଣା କରନ୍ତି । ଯୀଶୁ ପୃଥିବୀରେ ଥିବା ସମୟରେ ଥରେ ଏପରି ବ୍ୟକ୍ତିକୁ ଦେଖିଲେ, ଯାହାର ହାତ ଶୁଖିଯାଇଥିଲା । ତାକୁ ଦେଖି ଯୀଶୁ ଦୟାରେ ବିଗଳିତ ହୋଇଗଲେ ଏବଂ ତାକୁ ସୁସ୍ଥ କଲେ । କିନ୍ତୁ ଧର୍ମଗୁରୁମାନେ କ୍ରୋଧିତ ହୋଇଗଲେ । ସେମାନେ କହିଲେ ଯେ ଯୀଶୁ ବିଶ୍ରାମବାରର ନିୟମ ଉଲଂଘନ କଲେ । ଧର୍ମଗୁରୁମାନଙ୍କର ହୃଦୟ ଏତେ କଠୋର ଥିଲା ଯେ ସେହି ବ୍ୟକ୍ତିକୁ ସୁସ୍ଥ ହେବାର ଦେଖି ସେମାନଙ୍କୁ କୌଣସି ଫରକ ପଡ଼ିଲା ନାହିଁ । ଏହା ଦେଖି ଯୀଶୁଙ୍କୁ କିପରି ଲାଗିଲା ? ବାଇବଲରେ ଲେଖାଅଛି, ‘ସେମାନଙ୍କ ହୃଦୟର ଜଡ଼ତା ସକାଶେ ଯୀଶୁ ଦୁଃଖିତ ହେଲେ ।’—ମାର୍କ ୩:୧-୬.

ଯୀଶୁ ସଭାଘରେ ଯିହୁଦୀ ଧର୍ମଗୁରୁମାନଙ୍କ ସହିତ ସେହି ବ୍ୟକ୍ତି ବିଷୟରେ କଥା ହେଉଛନ୍ତି, ଯାହାର ହାତ ଶୁଖିଯାଇଥିଲା । ଯୀଶୁ ସେହି ବ୍ୟକ୍ତିକୁ ସୁସ୍ଥ କରିବା ପାଇଁ ଯାଉଛନ୍ତି । ଧର୍ମଗୁରୁ ଯୀଶୁଙ୍କୁ ନୀଚ ଦୃଷ୍ଟିରେ ଦେଖୁଛନ୍ତି ।

ଯିହୁଦୀ ଧର୍ମଗୁରୁମାନେ ଅସହାୟ ଲୋକମାନଙ୍କ ସହ ଭଲ ବ୍ୟବହାର କରୁ ନ ଥିଲେ, କିନ୍ତୁ ଯୀଶୁ ସେମାନଙ୍କ ଭଳି ନ ଥିଲେ (ପାରାଗ୍ରାଫ ୪)


୫. ଅନ୍ୟାୟକୁ ଦେଖି ଯଦି ଆମେ କ୍ରୋଧିତ ହୋଇଯାଉ, ତାହେଲେ ଆମେ କʼଣ ମନେ ରଖିବା ଉଚିତ୍‌ ?

୫ ଆମେ ଦେଖିଲୁ ଯେ ଲୋକମାନଙ୍କ ସହିତ ଅନ୍ୟାୟ ହେଲେ ଯିହୋବା ଓ ଯୀଶୁ ବହୁତ କ୍ରୋଧିତ ହୁଅନ୍ତି । ସେଥିପାଇଁ ଅନ୍ୟାୟକୁ ଦେଖି ଯଦି ଆମେ କ୍ରୋଧିତ ହୋଇଯାଉ, ତାହେଲେ ଏଥିରେ କିଛି ଭୁଲ ନାହିଁ । କିନ୍ତୁ ଆମେ ନିଜ କ୍ରୋଧକୁ କାବୁ କରିବା ଉଚିତ୍‌ । (ଏଫି. ୪:୨୬) ମନେ ରଖନ୍ତୁ, ଆମେ ଅନ୍ୟାୟକୁ ଶେଷ କରିପାରିବା ନାହିଁ । ଆଉ ଯଦି ଆମେ ନିଜ ମନରେ କ୍ରୋଧ ରଖିଥିବା ତାହେଲେ ଆମେ ନିରାଶ ହୋଇଯିବା, ଏପରିକି ଆମେ ହୁଏତ ରୋଗରେ ବି ପଡ଼ିଯିବା । (ଗୀତ. ୩୭:୧, ୮; ଯାକୁ. ୧:୨୦) ତାହେଲେ ଅନ୍ୟାୟ ହେଲେ ଆମେ କʼଣ କରିବା ଉଚିତ୍‌ ? ଏବିଷୟରେ ଆମେ ଯୀଶୁଙ୍କଠାରୁ ଅନେକ କଥା ଶିଖିପାରିବା ।

ଅନ୍ୟାୟକୁ ଦେଖି ଯୀଶୁ କʼଣ କଲେ ?

୬. ଯୀଶୁ ପୃଥିବୀରେ ଥିବା ସମୟରେ ଲୋକମାନଙ୍କ ସହିତ କିପରି ଭାବେ ଅନ୍ୟାୟ କରାଯାଉଥିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୬ ପୃଥିବୀରେ ଥିବା ସମୟରେ ଯୀଶୁ ଲୋକମାନଙ୍କ ସହିତ ବହୁତ ଅନ୍ୟାୟ ହେବାର ଦେଖିଥିଲେ । ସେ ଦେଖିଥିଲେ ଯେ ଧର୍ମଗୁରୁମାନେ କିପରି ଲୋକମାନଙ୍କ ସହିତ ଅନ୍ୟାୟ କରୁଛନ୍ତି ଏବଂ ସେମାନଙ୍କର ବଞ୍ଚିବା କଷ୍ଟକର କରିଦେଇଛନ୍ତି । (ମାଥି. ୨୩:୨-୪) ଯୀଶୁ ଏହା ବି ଜାଣିଥିଲେ ଯେ ରୋମୀ ଅଧିକାରୀ ଲୋକମାନଙ୍କ ସହିତ କେତେ ଖରାପ ବ୍ୟବହାର କରୁଛନ୍ତି । ତେଣୁ ଅନେକ ଯିହୁଦୀ, ରୋମୀ ଅଧିକାରରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ । କିଛି ଚରମପନ୍ଥୀ ଯିହୁଦୀ ସେମାନଙ୍କ ସହିତ ଲଢ଼ିବା ପାଇଁ ସମୂହ ଗଠିତ କରିଥିଲେ । କିନ୍ତୁ ଯୀଶୁ କୌଣସି ପ୍ରକାରେ ସେମାନଙ୍କୁ ସହଯୋଗ କଲେ ନାହିଁ । ଯେବେ ତାଙ୍କୁ ଜଣାପଡ଼ିଲା ଯେ ଲୋକମାନେ ତାଙ୍କୁ ରାଜା କରିବା ପାଇଁ ଚାହୁଁଛନ୍ତି, ତେବେ ସେ ସେମାନଙ୍କ ମଧ୍ୟରୁ ପଳାଇଗଲେ ।—ଯୋହ. ୬:୧୫.

ଯୀଶୁ ଏକୁଟିଆ ଗୋଟିଏ ପାହାଡ଼ରେ ଚଢ଼ୁଛନ୍ତି । ପାହାଡ଼ ତଳେ ଅନେକ ଲୋକ ଏକାଠି ଅଛନ୍ତି ।

ଯେବେ ଲୋକମାନେ ଯୀଶୁଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ, ତେବେ ସେ ସେମାନଙ୍କ ମଧ୍ୟରୁ ପଳାଇଗଲେ (ପାରାଗ୍ରାଫ ୬)


୭-୮. ପୃଥିବୀରେ ଥିବା ସମୟରେ ଯୀଶୁ କାହିଁକି ଅନ୍ୟାୟକୁ ଶେଷ କରିବା ପାଇଁ ଚେଷ୍ଟା କଲେ ନାହିଁ ? (ଯୋହନ ୧୮:୩୬)

୭ ଯୀଶୁ ଅନ୍ୟାୟକୁ ଶେଷ କରିବା ପାଇଁ ରାଜନୀତିରେ ଭାଗ ନେଲେ ନାହିଁ । ସେ ଜାଣିଥିଲେ ଯେ ମଣିଷମାନଙ୍କ ପାଖରେ ଶାସନ କରିବାର ଅଧିକାର ନାହିଁ ଏବଂ ଦକ୍ଷତା ବି ନାହିଁ । (ଗୀତ. ୧୪୬:୩; ଯିରି. ୧୦:୨୩) ସେ ଏହା ବି ଜାଣିଥିଲେ ଯେ ମଣିଷମାନେ ପୂରାପୂରି ଭାବେ ଅନ୍ୟାୟକୁ ଶେଷ କରିପାରିବେ ନାହିଁ । ଏପରି କାହିଁକି ? କାରଣ ଏହି ଦୁନିଆରେ ଶୟତାନ ଶାସନ କରୁଛି, ଯିଏ ବହୁତ ନିର୍ଦ୍ଦୟୀ ଏବଂ ତାʼଯୋଗୁଁ ଚାରିଆଡ଼େ ଅନ୍ୟାୟ ହେଉଛି । (ଯୋହ. ୮:୪୪; ଏଫି. ୨:୨) ଏହାଛଡ଼ା ଆମେ ଅପରିପୂର୍ଣ୍ଣ, ସେଥିପାଇଁ ଜଣେ ବ୍ୟକ୍ତି ଯେତେ ଭଲ ଥିଲେ ବି ସେ ସବୁବେଳେ ସମସ୍ତଙ୍କ ସହିତ ନ୍ୟାୟ କରିପାରିବ ନାହିଁ ।—ଉପ. ୭:୨୦.

୮ ଯୀଶୁ ଜାଣିଥିଲେ ଯେ ଈଶ୍ୱରଙ୍କ ରାଜ୍ୟ ହିଁ ଅନ୍ୟାୟକୁ ପୂରାପୂରି ଶେଷ କରିପାରିବ । ତେଣୁ ସେ ନିଜର ସମୟ ଓ ଶକ୍ତି “ଈଶ୍ୱରଙ୍କ ରାଜ୍ୟର ସୁସମାଚାର” ପ୍ରଚାର କରିବାରେ ଲଗାଇଲେ । (ଲୂକ ୮:୧) ସେ “ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ” ଲୋକମାନଙ୍କୁ ଭରସା ଦେଲେ ଯେ ସବୁ ପ୍ରକାରର ଭ୍ରଷ୍ଟାଚାର ଏବଂ ଅନ୍ୟାୟକୁ ଶେଷ କରିଦିଆଯିବ । (ମାଥି. ୫:୬; ଲୂକ ୧୮:୭, ୮) କିନ୍ତୁ ଏହା କୌଣସି ସଂଗଠନ କିମ୍ବା ମଣିଷ ସରକାର କରିବ ନାହିଁ, ବରଂ ଏହା ଈଶ୍ୱରଙ୍କ ରାଜ୍ୟ ଜରିଆରେ ହେବ ଏବଂ ଏହି ରାଜ୍ୟ “ଜଗତ ସମ୍ବନ୍ଧୀୟ ନୁହେଁ ।”—ଯୋହନ ୧୮:୩୬ ପଢ଼ନ୍ତୁ ।

ଯୀଶୁଙ୍କ ଭଳି ଆପଣ କʼଣ କରିପାରିବେ ?

୯. ଆପଣ କାହିଁକି ବିଶ୍ୱାସ କରନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ହିଁ ସବୁ ପ୍ରକାରର ଅନ୍ୟାୟକୁ ଶେଷ କରିବ ?

୯ ଯୀଶୁଙ୍କ ସମୟରେ ଯେତେ ଅନ୍ୟାୟ ହେଉଥିଲା, ତାʼ ଅପେକ୍ଷା ଆଜି “ଶେଷକାଳରେ” ଅଧିକ ଅନ୍ୟାୟ ହେଉଛି । କିନ୍ତୁ ଅନ୍ୟାୟର କାରଣ ଆଜି ବି ଶୟତାନ ଓ ଦୁଷ୍ଟ ଲୋକମାନେ ଅଟନ୍ତି । (୨ ତୀମ. ୩:୧-୫, ୧୩; ପ୍ରକା. ୧୨:୧୨) ଯୀଶୁଙ୍କ ଭଳି ଆମେ ବି ଜାଣିଛୁ ଯେ ଈଶ୍ୱରଙ୍କ ରାଜ୍ୟ ହିଁ ଅନ୍ୟାୟକୁ ପୂରାପୂରି ଭାବେ ଶେଷ କରିବ ଏବଂ ଆମେ ଏହି ରାଜ୍ୟକୁ ପୂରା ସହଯୋଗ କରୁ । ତେଣୁ ଆମେ କୌଣସି ପ୍ରକାରର ଆନ୍ଦୋଳନରେ ଭାଗ ନେଇ ନ ଥାଉ, ପ୍ରତିବାଦ କରି ନ ଥାଉ ଆଉ ନା ଏପରି କୌଣସି ସଂଗଠନର ସହଯୋଗ କରିଥାଉ, ଯାହା ଅନ୍ୟାୟକୁ ଶେଷ କରିବାର ଦାବି କରେ । ଷ୍ଟେସିଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ ।a ସତ୍ୟ ଶିଖିବା ପୂର୍ବରୁ ସେ ପ୍ରାୟ ଏପରି ଆନ୍ଦୋଳନଗୁଡ଼ିକରେ ଭାଗ ନେଉଥିଲେ, ଯାହା ଅନ୍ୟାୟ ବିରୁଦ୍ଧରେ ଥିଲା । କିନ୍ତୁ ପରେ ସେ ଭାବିବାକୁ ଲାଗିଲେ ଯେ ଜଣାନାହିଁ ଏଥିରୁ କିଛି ଲାଭ ହେବ ନା ନାହିଁ । ସେ କହନ୍ତି, “ଯେବେ ମୁଁ ଆନ୍ଦୋଳନରେ ଯାଉଥିଲି, ତେବେ ମୁଁ ଭାବୁଥିଲି ଯେ ମୁଁ ଯାହା କରୁଛି ତାହା ଠିକ୍‌ ଅଟେ ନା ନୁହେଁ । କିନ୍ତୁ ଏବେ ମୁଁ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରେ ଏବଂ ମୋତେ ପୂରା ଭରସା ଅଛି ଯେ ମୁଁ ବିଲକୁଲ୍‌ ଠିକ୍‌ କରୁଛି । ମୁଁ ଜାଣେ ଯେ ଯିହୋବା ଏପରି ପ୍ରତ୍ୟେକ ଲୋକଙ୍କ ସହିତ ନ୍ୟାୟ କରିବେ, ଯେଉଁମାନେ ଆଜି ଅନ୍ୟାୟ ସହୁଛନ୍ତି । ମୁଁ ଏପରି କେବେ ବି କରିପାରି ନ ଥାʼନ୍ତି ।”—ଗୀତ. ୭୨:୧, ୪.

୧୦. ସରକାର ବିରୁଦ୍ଧରେ ହେଉଥିବା ଆନ୍ଦୋଳନଗୁଡ଼ିକରେ ଭାଗ ନେବା କାହିଁକି ଯୀଶୁଙ୍କ ଶିକ୍ଷାଗୁଡ଼ିକ ବିରୁଦ୍ଧରେ ହେବ ? (ମାଥିଉ ୫:୪୩-୪୮) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ଆଜି ଅନେକ ଲୋକ କିଛି ସମୂହରେ ଭାଗ ନେଇ ସରକାର ବିରୁଦ୍ଧରେ ଆନ୍ଦୋଳନ କରନ୍ତି । କିନ୍ତୁ ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଏହି ଆନ୍ଦୋଳନଗୁଡ଼ିକରେ ସେମାନେ ବହୁତ କ୍ରୋଧିତ ହୋଇଯାʼନ୍ତି । ସେମାନେ ଆଇନ ବିରୁଦ୍ଧରେ କାମ କରନ୍ତି ଏବଂ ଲୋକମାନଙ୍କୁ କ୍ଷତି ପହଞ୍ଚାନ୍ତି । (ଏଫି. ୪:୩୧) ଜେଫ୍ରୀ ନାମକ ଭାଇ କହନ୍ତି, “ଯେବେ ଲୋକମାନେ ଧାରଣା ଦିଅନ୍ତି, ତେବେ ଏପରି ଲାଗିପାରେ ଯେ ସବୁକିଛି ଶାନ୍ତିରେ ଚାଲୁଛି, କିନ୍ତୁ ହଠାତ୍‌ ଲୋକମାନେ କ୍ରୋଧିତ ହୋଇଯାʼନ୍ତି, ଭଙ୍ଗାରୁଜା କରନ୍ତି ଏବଂ ଲୁଟପାଟ କରିବାକୁ ଲାଗନ୍ତି ।” କିନ୍ତୁ ଯୀଶୁ ଶିଖାଇଥିଲେ ଯେ ଆମେ ସମସ୍ତଙ୍କୁ ପ୍ରେମ କରିବା ଉଚିତ୍‌, ଏପରିକି ଯେଉଁମାନେ ଆମ ସହ ସହମତ ନାହାନ୍ତି କିମ୍ବା ଯେଉଁମାନେ ଆମର ବିରୋଧ କରନ୍ତି । (ମାଥିଉ ୫:୪୩-୪୮ ପଢ଼ନ୍ତୁ ।) ଖ୍ରୀଷ୍ଟିୟାନ ହେବା ଯୋଗୁଁ ଆମେ ପୂରା ଚେଷ୍ଟା କରୁ ଯେ ଆମେ ଏପରି କିଛି କାମ କରିବା ନାହିଁ, ଯାହା ଯୀଶୁଙ୍କ ଶିକ୍ଷାଗୁଡ଼ିକ ବିରୁଦ୍ଧରେ ହୋଇଥିବ ।

ରାସ୍ତା କଡ଼ରେ କିଛି ଲୋକ ଆନ୍ଦୋଳନ କରୁଛନ୍ତି । ଆମର ଜଣେ ଭଉଣୀ ସେଠାରୁ ଯାଉଛନ୍ତି, କିନ୍ତୁ ସେ ଶାନ୍ତ ଅଛନ୍ତି ଏବଂ ସେମାନଙ୍କ ପଟେ ଦେଖିବା ପରିବର୍ତ୍ତେ ଆଗକୁ ଦେଖୁଛନ୍ତି ।

ଦୁନିଆର ରାଜନୈତିକ ଏବଂ ସାମାଜିକ ମାମଲାରେ ନିଷ୍ପକ୍ଷ ହୋଇ ରହିବା ପାଇଁ ଆମମାନଙ୍କଠାରେ ସାହସ ଥିବା ଜରୁରୀ (ପାରାଗ୍ରାଫ ୧୦)


୧୧. ନିଷ୍ପକ୍ଷ ରହିବା ଆମ ପାଇଁ କେବେ କଠିନ ହୋଇପାରେ ?

୧୧ ଆମେ ଜାଣିଛୁ ଯେ କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ଅନ୍ୟାୟକୁ ସବୁଦିନ ପାଇଁ ଶେଷ କରିବ । କିନ୍ତୁ ଯେବେ ଆମ ସହିତ ଅନ୍ୟାୟ ହୁଏ, ତେବେ ଯୀଶୁଙ୍କ ଭଳି ନିଷ୍ପକ୍ଷ ରହିବା ଏବଂ ଈଶ୍ୱରଙ୍କ ରାଜ୍ୟ ଉପରେ ଭରସା କରିବା ଆମ ପାଇଁ କଠିନ ହୋଇପାରେ । ଭଉଣୀ ଜନିୟାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଯେବେ ରୂପ-ରଙ୍ଗ ଯୋଗୁଁ ତାଙ୍କ ସହିତ ଭେଦଭାବ କରାଗଲା, ତେବେ ତାଙ୍କୁ ବି ଏପରି ହିଁ କିଛି ଅନୁଭବ ହେଲା । ସେ କହନ୍ତି, “ମୁଁ ବହୁତ କ୍ରୋଧିତ ହୋଇଗଲି ଏବଂ ମୋତେ ଦୁଃଖ ବି ଲାଗିଲା । ମୁଁ ଚାହୁଁଥିଲି ଯେ ଯେଉଁମାନେ ମୋ ସହିତ ଅନ୍ୟାୟ କରିଛନ୍ତି, ସେମାନଙ୍କୁ ଦଣ୍ଡ ମିଳୁ । ପରେ ମୁଁ ଏପରି ଲୋକମାନଙ୍କ ସହିତ ମିଶିଗଲି, ଯେଉଁମାନେ ଭେଦଭାବ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ମୋତେ ଲାଗିଲା ଯେ ଏପରି କରିବା ଦ୍ୱାରା ମୋ କ୍ରୋଧ ଶାନ୍ତ ହୋଇଯିବ ।” କିନ୍ତୁ ପରେ ଜନିୟାଙ୍କୁ ଅନୁଭବ ହେଲା ଯେ ତାଙ୍କୁ ନିଜ ଚିନ୍ତାଧାରା ବଦଳାଇବାକୁ ପଡ଼ିବ । ସେ କହନ୍ତି, “ମୁଁ ଅନ୍ୟମାନଙ୍କ କଥାରେ ଆସି ଯାଇଥିଲି । ମୁଁ ଯିହୋବାଙ୍କ ଉପରେ ଭରସା କରିବା ପରିବର୍ତ୍ତେ ମଣିଷମାନଙ୍କ ଉପରେ ଭରସା କରିବାକୁ ଲାଗିଥିଲି । ମୁଁ ଭାବିନେଲି ଯେ ମୁଁ ସେହି ଲୋକମାନଙ୍କ ସହିତ କୌଣସି ସମ୍ପର୍କ ରଖିବି ନାହିଁ, ଯେଉଁମାନେ ଆନ୍ଦୋଳନ କରନ୍ତି ।” ହୁଏତ ଯେବେ ଆମ ସହିତ ଅନ୍ୟାୟ ହୁଏ କିମ୍ବା ଆମେ ଅନ୍ୟମାନଙ୍କ ସହିତ ଅନ୍ୟାୟ ହେବାର ଦେଖୁ, ତାହେଲେ ହୁଏତ ଆମେ ବି କ୍ରୋଧିତ ହୋଇଯିବା । ଏପରି ସମୟରେ ଆମେ ନିଜ କ୍ରୋଧକୁ କାବୁ କରିବା ଉଚିତ୍‌ ଏବଂ ଏପରି କୌଣସି ସଂଗଠନ କିମ୍ବା ପାର୍ଟିକୁ ସହଯୋଗ କରିବା ଉଚିତ୍‌ ନୁହଁ, ଯାହା ଅନ୍ୟାୟକୁ ଶେଷ କରିବାର ଦାବି କରେ ।—ଯୋହ. ୧୫:୧୯.

୧୨. ଆମକୁ କାହିଁକି ଏକଥା ଉପରେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ କʼଣ ପଢ଼ୁ, କʼଣ ଶୁଣୁ କିମ୍ବା କʼଣ ଦେଖୁ?

୧୨ ଯଦି ଅନ୍ୟାୟ ଦେଖି ଆମେ କ୍ରୋଧିତ ହୋଇଯାଉ, ତାହେଲେ ଆମେ କିପରି ନିଜ ମନକୁ ଶାନ୍ତ କରିପାରିବା ? ଆମେ କିଛି କଥାଗୁଡ଼ିକ ଉପରେ ଧ୍ୟାନ ଦେଇପାରିବା, ଯେପରି ଆମେ କʼଣ ପଢ଼ୁ, କʼଣ ଶୁଣୁ ଓ କʼଣ ଦେଖୁ । ସୋସିଆଲ୍‌ ମିଡିଆରେ ଛୋଟ କଥାଗୁଡ଼ିକୁ ବହୁତ ବଢ଼େଇ ଚଢ଼େଇ ଦିଆଯାଇଥାଏ ଏବଂ ଲୋକମାନଙ୍କୁ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥାଏ । କେବଳ ଏତିକି ନୁହେଁ, ସାମ୍ବାଦିକମାନେ ପ୍ରାୟ ଗୋଟିଏ ପକ୍ଷକୁ ସମର୍ଥନ କରି ଖବର ପ୍ରକାଶିତ କରନ୍ତି । ହୁଏତ କୌଣସି ଘଟଣା ଠିକ୍‌ ଥାଇପାରେ, କିନ୍ତୁ ସେବିଷୟରେ ବାରମ୍ବାର ଭାବିବା ଜାରି ରଖିଲେ, କʼଣ ଆମକୁ କିଛି ଲାଭ ହେବ ? ଯଦି ଆମେ ଏପରି ଖବରଗୁଡ଼ିକରେ ବୁଡ଼ି ରହିବା, ତାହେଲେ ଆମେ ଅଯଥା ଚିନ୍ତାରେ ପଡ଼ିଯାଇପାରୁ କିମ୍ବା ନିରାଶ ହୋଇଯାଇପାରୁ । (ହିତୋ. ୨୪:୧୦) ଆଉ ତାʼଠାରୁ ବି ଅଧିକ ବିପଦ ଏହା ହୋଇପାରେ ଯେ ଆମେ ଏବିଷୟରେ ଭାବିବା ବନ୍ଦ କରିଦେଇପାରୁ ଯେ ଈଶ୍ୱରଙ୍କ ରାଜ୍ୟ ହିଁ ସବୁ ପ୍ରକାରର ଅନ୍ୟାୟକୁ ଶେଷ କରିବ ।

୧୩. ପ୍ରତିଦିନ ବାଇବଲ ପଢ଼ିଲେ ଆମେ କିପରି ଅନ୍ୟାୟ ସମୟରେ ସଠିକ୍‌ ଚିନ୍ତାଧାରା ରଖିପାରିବା ?

୧୩ ଯଦି ଆମେ ପ୍ରତିଦିନ ବାଇବଲ ପଢ଼ିବା ଓ ତାʼ ଉପରେ ଚିନ୍ତନ କରିବା, ତାହେଲେ ଅନ୍ୟାୟ ହେଲେ ମଧ୍ୟ ଆମେ ସଠିକ୍‌ ଚିନ୍ତାଧାରା ରଖିପାରିବା । ଆଲିଆ ନାମକ ଜଣେ ଭଉଣୀଙ୍କ ଉପରେ ଧ୍ୟାନ ଦିଅନ୍ତୁ । ଯେବେ ସେ ଦେଖିଲେ ଯେ ତାଙ୍କ ଆଖପାଖରେ ରହୁଥିବା କିଛି ଲୋକମାନଙ୍କ ସହ ଖରାପ ବ୍ୟବହାର କରାଯାଉଛି, ତେବେ ସେ ବହୁତ ଚିନ୍ତିତ ହୋଇଗଲେ । କିନ୍ତୁ ଯେବେ ସେହି ଖରାପ କାମ କରୁଥିବା ଲୋକମାନଙ୍କୁ କୌଣସି ଦଣ୍ଡ ଦିଆଗଲା ନାହିଁ, ତେବେ ସେ ଅଧିକ କ୍ରୋଧିତ ହୋଇଗଲେ । ସେ କହନ୍ତି, “ମୁଁ ଆରାମରେ ବସିକି ଭାବିଲି, ‘କʼଣ ମୁଁ ସତରେ ମାନେ ଯେ ଯିହୋବା ହିଁ ସବୁ ସମସ୍ୟାଗୁଡ଼ିକୁ ସମାଧାନ କରିବେ ?’ ତାʼପରେ ମୁଁ ଆୟୁବ ୩୪:୨୨-୨୯ ପଦ ପଢ଼ିଲି । ସେହି ପଦଗୁଡ଼ିକରୁ ମୋତେ ମନେ ପଡ଼ିଲା ଯେ କୌଣସି ବି ମଣିଷ ଯିହୋବାଙ୍କଠାରୁ ଲୁଚିପାରିବ ନାହିଁ । ଯିହୋବା ହିଁ ପ୍ରକୃତ ନ୍ୟାୟ କରିପାରିବେ ଏବଂ ମାମଲାଗୁଡ଼ିକୁ ପୂରାପୂରି ଠିକ୍‌ କରିପାରିବେ ।” ଆମେ ବି ଈଶ୍ୱରଙ୍କ ରାଜ୍ୟର ଅପେକ୍ଷା କରୁଛୁ, ଯେବେ ପ୍ରତ୍ୟେକଙ୍କୁ ପ୍ରକୃତ ନ୍ୟାୟ ମିଳିବ । କିନ୍ତୁ ଅନ୍ୟାୟ ହେଲେ ଆଜି ଆମେ କʼଣ କରିପାରିବା ?

ଅନ୍ୟାୟ ହେଲେ ଆଜି ଆମେ କʼଣ କରିପାରିବା ?

୧୪. ଆମେ ଅନ୍ୟାୟକୁ ତ ରୋକିପାରିବା ନାହିଁ, କିନ୍ତୁ ଆମେ କʼଣ କରିପାରିବା ? (କଲସୀୟ ୩:୧୦, ୧୧)

୧୪ ଆମେ ଅନ୍ୟମାନଙ୍କୁ ଅନ୍ୟାୟ କରିବାରୁ ରୋକିପାରିବା ନାହିଁ, କିନ୍ତୁ ଆମେ ଏହି କଥାର ଧ୍ୟାନ ରଖିପାରିବା ଯେ ଆମେ ଅନ୍ୟମାନଙ୍କ ସହ କିପରି ବ୍ୟବହାର କରୁ । ଯେପରି ଆମେ ପୂର୍ବରୁ ଦେଖିଥିଲୁ ଯେ ଆମେ ଯୀଶୁଙ୍କ ଭଳି ଲୋକମାନଙ୍କୁ ପ୍ରେମ କରିବା ଉଚିତ୍‌ । ଯଦି ଆମେ ଲୋକମାନଙ୍କୁ ପ୍ରେମ କରିବା, ତାହେଲେ ଆମେ ସେମାନଙ୍କୁ ଆଦର କରିବା, ସେହି ଲୋକମାନଙ୍କୁ ବି ଯେଉଁମାନେ ଆମ ସହ ଅନ୍ୟାୟ କରନ୍ତି । (ମାଥି. ୭:୧୨; ରୋମୀ. ୧୨:୧୭) ଯେବେ ଯିହୋବା ଦେଖନ୍ତି ଯେ ଆମେ ପ୍ରତ୍ୟେକ ଜଣକୁ ପ୍ରେମ କରୁ ଏବଂ ସେମାନଙ୍କ ସହ ଭଲ ବ୍ୟବହାର କରୁ, ତେବେ ସେ ବହୁତ ଖୁସି ହୁଅନ୍ତି ।—କଲସୀୟ ୩:୧୦, ୧୧ ପଢ଼ନ୍ତୁ ।

୧୫. ଅନ୍ୟମାନଙ୍କୁ ବାଇବଲର ସତ୍ୟଗୁଡ଼ିକୁ ଶିଖାଇଲେ କʼଣ ଲାଭ ହେବ ?

୧୫ ଅନ୍ୟାୟ ଯୋଗୁଁ ଅନେକ ଲୋକଙ୍କ ଉପରେ ଖରାପ ପ୍ରଭାବ ପଡ଼ିଛି । ଏପରି ଲୋକମାନଙ୍କୁ ସାହାଯ୍ୟ କରିବାର ସବୁଠାରୁ ବଢ଼ିଆ ଉପାୟ ହେଉଛି, ସେମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା । ଆମେ ଏପରି କାହିଁକି କହିପାରିବା ? କାରଣ ‘ଯିହୋବାଙ୍କ ବିଷୟକ ଜ୍ଞାନରୁ’ ଜଣେ ବ୍ୟକ୍ତି ନିଜକୁ ପୂରାପୂରି ଭାବେ ପରିବର୍ତ୍ତନ କରିପାରିବ । ହୋଇପାରେ ଜଣେ ବ୍ୟକ୍ତି ପୂର୍ବରୁ ବହୁତ ହିଂସ୍ରକ ଥିଲା ଏବଂ ଅନ୍ୟମାନଙ୍କ ସହ ଲଢ଼େଇ ଝଗଡ଼ା କରୁଥିଲା, କିନ୍ତୁ ବାଇବଲର ସତ୍ୟଗୁଡ଼ିକୁ ଶିଖିବା ପରେ ସେ ଜଣେ ପ୍ରେମ କରୁଥିବା ଏବଂ ଶାନ୍ତ ସ୍ୱଭାବର ବ୍ୟକ୍ତି ହୋଇପାରିବ । (ଯିଶା. ୧୧:୬, ୭, ୯) ଜମାଲ ନାମକ ଭାଇଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ସତ୍ୟ ଶିଖିବା ପୂର୍ବରୁ ଏପରି ଏକ ସମୂହରେ ସାମିଲ୍‌ ଥିଲେ, ଯାହା ସରକାର ବିରୁଦ୍ଧରେ ଲଢ଼ୁଥିଲା । ତାଙ୍କୁ ଲାଗୁଥିଲା ଯେ ସରକାର ଲୋକମାନଙ୍କ ସହ ଅନ୍ୟାୟ କରୁଛି । କିନ୍ତୁ ସେ ବାଇବଲରୁ ଯାହା ଶିଖିଲେ, ତାʼଯୋଗୁଁ ସେ ଲଢ଼େଇ କରିବା ପାଇଁ ଛାଡ଼ିଦେଲେ । ସେ କହନ୍ତି, “ଆପଣ ଲୋକମାନଙ୍କ ସହ ଲଢ଼ି ସେମାନଙ୍କୁ ବଦଳିବା ପାଇଁ ବାଧ୍ୟ କରିପାରିବେ ନାହିଁ । କିନ୍ତୁ ବାଇବଲର ସତ୍ୟଗୁଡ଼ିକୁ ଶିଖିଲେ ଜଣେ ବ୍ୟକ୍ତି ବଦଳିପାରିବ । ମୁଁ ବି ଏହାଯୋଗୁଁ ହିଁ ବଦଳିପାରିଛି ।” ଜମାଲଙ୍କ ଭଳି ଯେତିକି ଲୋକେ ବାଇବଲର ସତ୍ୟଗୁଡ଼ିକୁ ଶିଖି ନିଜକୁ ପରିବର୍ତ୍ତନ କରିବେ, ଦୁନିଆରେ ଅନ୍ୟାୟ ସେତିକି କମ୍‌ ହୋଇଯିବ ।

୧୬. ଆପଣ କାହିଁକି ଈଶ୍ୱରଙ୍କ ରାଜ୍ୟ ବିଷୟରେ ଲୋକମାନଙ୍କୁ କହିବା ପାଇଁ ଚାହାନ୍ତି ?

୧୬ ଯୀଶୁଙ୍କ ଭଳି ଆମେ ବି ଲୋକମାନଙ୍କୁ ଏହା ଜଣାଇବା ପାଇଁ ଚାହୁଁ ଯେ କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ଅନ୍ୟାୟକୁ ସବୁଦିନ ପାଇଁ ଶେଷ କରିବ । ଏହି ଆଶା ଯୋଗୁଁ ସେହି ଲୋକମାନଙ୍କୁ ସାହସ ମିଳିପାରିବ, ଯେଉଁମାନେ ଆଜି ଅନ୍ୟାୟ ସହୁଛନ୍ତି । (ଯିରି. ୨୯:୧୧) ଏହି ଲେଖାର ଆରମ୍ଭରେ ଭଉଣୀ ଷ୍ଟେସିଙ୍କ ବିଷୟରେ କୁହାଯାଇଥିଲା । ସେ କହନ୍ତି, “ମୁଁ ଲୋକମାନଙ୍କ ସହିତ ବହୁତ ଅନ୍ୟାୟ ହେବାର ଦେଖିଛି ଏବଂ ମୁଁ ବି ଅନ୍ୟାୟ ସହିଛି । କିନ୍ତୁ ବାଇବଲରୁ ସତ୍ୟ ଜାଣିବା ଯୋଗୁଁ ମୁଁ ଏସବୁକୁ ସହିପାରିଛି । ଯିହୋବା ମୋତେ ବାଇବଲ ଜରିଆରେ ସାନ୍ତ୍ୱନା ଦେଇଛନ୍ତି ।” ଯଦି ଆପଣ ଲୋକମାନଙ୍କୁ ଏହି ସାନ୍ତ୍ୱନା ଦେବା ପାଇଁ ଚାହାନ୍ତି ଏବଂ ଏହା କହିବା ପାଇଁ ଚାହାନ୍ତି ଯେ ଅନ୍ୟାୟକୁ କିପରି ଶେଷ କରାଯିବ, ତାହେଲେ ଆପଣଙ୍କୁ ଭଲଭାବେ ପ୍ରସ୍ତୁତି କରିବାକୁ ପଡ଼ିବ । ଆପଣ ଯେତିକି ଅଧିକ ବାଇବଲ ପଢ଼ିବେ, ସେତିକି ଅଧିକ ଏହି କଥା ଉପରେ ଆପଣଙ୍କ ଭରସା ବଢ଼ିବ ଯେ ଚାରିଆଡ଼େ ଯେଉଁ ଅନ୍ୟାୟ ହେଉଛି, ତାହା ଦିନେ ଶେଷ ହୋଇଯିବ । ଆଉ ଯେବେ ସ୍କୁଲରେ ଏବଂ କାମ ଜାଗାରେ ଏବିଷୟରେ କଥାବାର୍ତ୍ତା ହୁଏ, ତେବେ ଆପଣ ଭଲଭାବେ ବୁଝାଇପାରିବେ ଯେ ଦୁଃଖକଷ୍ଟ କାହିଁକି ରହିଛି ଏବଂ ଯିହୋବା କିପରି ଏଗୁଡ଼ିକୁ ଶେଷ କରିବେ ।b

୧୭. ଆଜି ଯିହୋବା କିପରି ଆମକୁ ଅନ୍ୟାୟ ସହିବା ପାଇଁ ସାହାଯ୍ୟ କରନ୍ତି ?

୧୭ ଆମେ ଜାଣିଛୁ ଯେ ‘ଏହି ଜଗତର ଅଧିପତି’ ଶୟତାନକୁ ଯେବେ ପର୍ଯ୍ୟନ୍ତ ‘ବାହାର’ କରିଦିଆ ନ ଯାଏ, ତେବେ ପର୍ଯ୍ୟନ୍ତ ଆମମାନଙ୍କୁ ଅନ୍ୟାୟ ସହିବାକୁ ପଡ଼ିବ । (ଯୋହ. ୧୨:୩୧) କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ଆମେ ପୂରାପୂରି ଅସହାୟ ଏବଂ ଆମ ପାଖରେ କୌଣସି ଆଶା ନାହିଁ । ଯିହୋବା ବାଇବଲ ଜରିଆରେ ଆମମାନଙ୍କୁ କେବଳ ଏହା ଜଣାଇ ନାହାନ୍ତି ଯେ ଦୁନିଆରେ କାହିଁକି ଅନ୍ୟାୟ ରହିଛି, ବରଂ ସେ ଏହା ବି ଜଣାଇଛନ୍ତି ଯେ ଯେବେ ଆମେ କଷ୍ଟରେ ଥାଉ ତେବେ ତାଙ୍କୁ କିପରି ଲାଗେ । (ଗୀତ. ୩୪:୧୭-୧୯) ଏହା ବ୍ୟତୀତ ସେ ନିଜ ପୁତ୍ର ଯୀଶୁଙ୍କ ଜରିଆରେ ଶିଖାଇଛନ୍ତି ଯେ ଅନ୍ୟାୟ ହେଲେ ଆମେ କʼଣ କରିବା ଉଚିତ୍‌ ଏବଂ ସେ ନିଜ ରାଜ୍ୟ ଜରିଆରେ କିପରି ଅନ୍ୟାୟକୁ ସବୁଦିନ ପାଇଁ ଶେଷ କରିଦେବେ । (୨ ପିତ. ୩:୧୩) ଆସନ୍ତୁ ଆମେ ପୂରା ଉତ୍ସାହର ସହିତ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଶୁଣାଇବା ଜାରି ରଖିବା ଏବଂ ସେସମୟର ଅପେକ୍ଷା କରିବା, ଯେବେ ସାରା ପୃଥିବୀରେ ‘ନ୍ୟାୟବିଚାର ଓ ଧାର୍ମିକତା’ ଥିବ ।—ଯିଶା. ୯:୭.

ଆପଣ କʼଣ ଉତ୍ତର ଦେବେ ?

  • ଅନ୍ୟାୟ ହେଲେ ଆମେ କାହିଁକି ଚିନ୍ତିତ ହୋଇଯାଉ ?

  • ଅନ୍ୟାୟକୁ ଶେଷ କରିବା ପାଇଁ ଆମେ କାହିଁକି ମଣିଷମାନଙ୍କ ଉପରେ ଭରସା କରି ନ ଥାଉ ?

  • ଅନ୍ୟାୟ ହେଲେ ଆଜି ଆମେ କʼଣ କରିପାରିବା ?

ଗୀତ ୧୫୮ ହେବ ନାହିଁ ଡେରି

a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

b ଲୋକଙ୍କୁ ପ୍ରେମ କର—ଶିଷ୍ୟ କର ପୁସ୍ତିକାର ଆଉ କିଛି ପରାମର୍ଶ—କ, ପଏଣ୍ଟ ନଂ. ୨୪-୨୭ ମଧ୍ୟ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ