ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ସେପ୍ଟେମ୍ବର ପୃଷ୍ଠା ୧୪-୧୯
  • ଅନ୍ୟମାନଙ୍କର ଆଦର କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନ୍ୟମାନଙ୍କର ଆଦର କରନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଅନ୍ୟମାନଙ୍କର ଆଦର କରିବାର ଅର୍ଥ କʼଣ ?
  • ପରିବାର ଲୋକଙ୍କର ଆଦର କରନ୍ତୁ
  • ମଣ୍ଡଳୀର ଭାଇଭଉଣୀମାନଙ୍କର ଆଦର କରନ୍ତୁ
  • ବାହାର ଲୋକଙ୍କର ଆଦର କରନ୍ତୁ
  • ଆଦର ସମ୍ମାନ ଆଗ ଭଳି କାହିଁକି ନାହିଁ ?
    ସଜାଗ ହୁଅ !—୨୦୨୪
  • ଅଧିକାର ଥିବା ବ୍ୟକ୍ତିଙ୍କର ଆଦର
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଅନ୍ୟମାନଙ୍କୁ ଆଦର କରନ୍ତୁ
    ସଜାଗ ହୁଅ !—୨୦୨୪
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ସେପ୍ଟେମ୍ବର ପୃଷ୍ଠା ୧୪-୧୯

ଅଧ୍ୟୟନ ଲେଖା ୩୮

ଗୀତ ୧୦୯ କରିବା ଗଭୀର ପ୍ରେମ

ଅନ୍ୟମାନଙ୍କର ଆଦର କରନ୍ତୁ

“ରୂପା ଓ ସୁନା ଅପେକ୍ଷା ସ୍ନେହସୂଚକ ଅନୁଗ୍ରହ [“ଆଦର ପାଇବା,” NWT] ଉତ୍ତମ ।”—ହିତୋ. ୨୨:୧.

କʼଣ ଶିଖିବା ?

ଆମେ ଜାଣିବା ଯେ ଆମେ କାହିଁକି ଅନ୍ୟମାନଙ୍କର ଆଦର କରିବା ଉଚିତ୍‌ ଏବଂ ଯେବେ ଆମକୁ ଅନ୍ୟମାନଙ୍କର ଆଦର କରିବା କଠିନ ଲାଗିପାରେ, ତେବେ ବି ଆମେ କିପରି ସେମାନଙ୍କର ଆଦର କରିପାରିବା ।

୧. ଯେବେ ଅନ୍ୟମାନେ ଆମର ଆଦର କରନ୍ତି, ତେବେ ଆମକୁ କାହିଁକି ଭଲ ଲାଗେ ? (ହିତୋପଦେଶ ୨୨:୧)

ଯେବେ ଲୋକମାନେ ଆପଣଙ୍କର ଆଦର କରନ୍ତି, ତେବେ ଆପଣଙ୍କୁ କିପରି ଲାଗେ ? ଆପଣଙ୍କୁ ନିଶ୍ଚୟ ଭଲ ଲାଗୁଥିବ । ସମସ୍ତେ ଚାହାନ୍ତି ଯେ ତାଙ୍କର ଆଦର କରାଯାଉ । ସେଥିପାଇଁ ଯେବେ ଅନ୍ୟମାନେ ଆମର ଆଦର କରନ୍ତି, ତେବେ ଆମକୁ ବହୁତ ଖୁସି ଲାଗେ । ବାଇବଲରେ ଲେଖାଅଛି, ‘ରୂପା ଓ ସୁନା ଅପେକ୍ଷା ଆଦର ପାଇବା ଉତ୍ତମ ।’—ହିତୋପଦେଶ ୨୨:୧ ପଢ଼ନ୍ତୁ ।

୨-୩. (କ) ଅନ୍ୟମାନଙ୍କର ଆଦର କରିବା କାହିଁକି ସବୁବେଳେ ସହଜ ହୋଇ ନ ଥାଏ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

୨ ଅନ୍ୟମାନଙ୍କର ଆଦର କରିବା ସବୁବେଳେ ସହଜ ହୋଇ ନ ଥାଏ । କାରଣ ଆମେ ନ ଚାହିଁଲେ ବି ଅନ୍ୟମାନଙ୍କର ଭୁଲଗୁଡ଼ିକ ଉପରେ ଧ୍ୟାନ ଦେଉ । ତାʼସହିତ ଆଜି ଆମେ ଏପରି ସମୟରେ ବଞ୍ଚୁଛୁ, ଯେଉଁଠି ଅଧିକାଂଶ ଲୋକ ଅନ୍ୟମାନଙ୍କର ଆଦର କରନ୍ତି ନାହିଁ । କିନ୍ତୁ ଆମେ ସେମାନଙ୍କ ଭଳି ହେବା ପାଇଁ ଚାହୁଁନୁ । ଆମେ ଯିହୋବାଙ୍କର କଥା ମାନିବା ପାଇଁ ଚେଷ୍ଟା କରୁ, ଯିଏ ଚାହାନ୍ତି ଯେ ଆମେ “ସମସ୍ତଙ୍କୁ ସମାଦର” କରୁ ।—୧ ପିତ. ୨:୧୭.

୩ ଏହି ଲେଖାରେ ଆମେ ଜାଣିବା ଯେ ଅନ୍ୟମାନଙ୍କର ଆଦର କରିବାର ଅର୍ଥ କʼଣ । ଏହାପରେ ଆମେ ଜାଣିବା ଯେ ଆମେ କିପରି (୧) ନିଜର ପରିବାର ଲୋକଙ୍କର, (୨) ମଣ୍ଡଳୀର ଭାଇଭଉଣୀମାନଙ୍କର ଏବଂ (୩) ବାହାର ଲୋକମାନଙ୍କର ଆଦର କରିପାରିବା । ବିଶେଷ କରି ଆମେ ଏହା ଧ୍ୟାନ ଦେବା ଯେ ଯେବେ ଆମକୁ କାହାରି ଆଦର କରିବା କଠିନ ଲାଗେ, ତେବେ ବି ଆମେ କିପରି ତାଙ୍କର ଆଦର କରିପାରିବା ।

ଅନ୍ୟମାନଙ୍କର ଆଦର କରିବାର ଅର୍ଥ କʼଣ ?

୪. ଅନ୍ୟମାନଙ୍କର ଆଦର କରିବାର ଅର୍ଥ କʼଣ ?

୪ ଅନ୍ୟମାନଙ୍କର ଆଦର କରିବାର ଅର୍ଥ ହେଉଛି, ସେମାନଙ୍କ ବିଷୟରେ ଉତ୍ତମ ଚିନ୍ତା କରିବା ଏବଂ ସେମାନଙ୍କ ସହିତ ଭଲ ବ୍ୟବହାର କରିବା । ଯେପରି, ଯେବେ ଆମେ ଅନ୍ୟମାନଙ୍କର ଭଲ ଗୁଣଗୁଡ଼ିକ ଦେଖୁ ଏବଂ ଏହା ଧ୍ୟାନ ଦେଉ ଯେ ସେମାନେ ଭଲ କାମ କରିବା ପାଇଁ କେତେ ପରିଶ୍ରମ କରୁଛନ୍ତି, ତେବେ ଆମେ ସେମାନଙ୍କର ଆଦର କରୁ । ତାʼସହିତ ଆମେ ସେମାନଙ୍କର ବି ଆଦର କରୁ, ଯେଉଁମାନଙ୍କ ପାଖରେ ଅଧିକାର ରହିଛି । ଆମ ଆଦର ଦେଖାଣିଆ ହୋଇ ନ ଥାଏ, ବରଂ ଆମେ ପୂର୍ଣ୍ଣ ହୃଦୟରୁ ଅନ୍ୟମାନଙ୍କର ଆଦର କରୁ ।—ମାଥି. ୧୫:୮.

୫. ଆମେ କାହିଁକି ଅନ୍ୟମାନଙ୍କର ଆଦର କରୁ ?

୫ ଯିହୋବା ଚାହାନ୍ତି ଯେ ଆମେ ଅନ୍ୟମାନଙ୍କର ଆଦର କରୁ । ଯେପରି, ସେ କହନ୍ତି ଯେ ଆମେ “ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” ଆଦର କରୁ । (ରୋମୀ. ୧୩:୧, ୭) କିନ୍ତୁ କିଛି ଲୋକ ହୁଏତ କହନ୍ତି, “ମୁଁ ଆଦର କରିବା ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ପ୍ରଥମେ ସେ ଆଦର ପାଇବାର ଯୋଗ୍ୟ ହେଉ ।” କʼଣ ଏପରି ଭାବିବା ଠିକ୍‌ ହେବ ? ନୁହଁ । ଜଣେ ବ୍ୟକ୍ତି ଯେପରି ବି ଥାଉ ଏବଂ ଯେପରି ବି କାମ କରୁ, ଆମେ ତାଙ୍କର ଆଦର କରିବା ଉଚିତ୍‌ । ଏପରି କାହିଁକି ? କାରଣ ଯିହୋବା ଚାହାନ୍ତି ଯେ ଆମେ ସେମାନଙ୍କର ଆଦର କରୁ । ଆମେ ଯିହୋବାଙ୍କୁ ପ୍ରେମ କରୁ ଏବଂ ତାଙ୍କୁ ଖୁସି କରିବା ପାଇଁ ଚାହୁଁ, ତେଣୁ ଆମେ ଅନ୍ୟମାନଙ୍କର ଆଦର କରୁ ।—ଯିହୋ. ୪:୧୪; ୧ ପିତ. ୩:୧୫.

୬. କʼଣ ଆମେ ତେବେ ବି ଅନ୍ୟମାନଙ୍କର ଆଦର କରିପାରିବା, ଯେବେ ସେମାନେ ଆମର ଆଦର କରନ୍ତି ନାହିଁ ? ବୁଝାନ୍ତୁ ? ( ଚିତ୍ର ମଧ୍ୟ ଦେଖନ୍ତୁ ।)

୬ ବେଳେବେଳେ ଆମ ପାଇଁ ସେହି ଲୋକମାନଙ୍କୁ ଆଦର କରିବା କଠିନ ଲାଗିପାରେ, ଯେଉଁମାନେ ଆମକୁ ଆଦର କରନ୍ତି ନାହିଁ । ଆମକୁ ଲାଗିପାରେ ଯେ ଆମେ କେବେ ବି ସେମାନଙ୍କର ହୃଦୟରୁ ଆଦର କରିପାରିବା ନାହିଁ । କିନ୍ତୁ ଏପରି କଥା ନୁହେଁ । ଆସନ୍ତୁ ଏବିଷୟରେ ବାଇବଲରୁ କିଛି ଉଦାହରଣ ଉପରେ ଧ୍ୟାନ ଦେବା । ରାଜା ଶାଉଲ ସମସ୍ତଙ୍କ ସାମନାରେ ନିଜ ପୁଅ ଯୋନାଥନଙ୍କର ଅପମାନ କରିଥିଲେ । (୧ ଶାମୁ. ୨୦:୩୦-୩୪) ତଥାପି ଯୋନାଥନ ନିଜ ବାପାଙ୍କ ଆଦର କଲେ । ସେ ମରଣ ସମୟ ପର୍ଯ୍ୟନ୍ତ ତାଙ୍କ ସହିତ ମିଶି ଶତ୍ରୁମାନଙ୍କ ସହ ଯୁଦ୍ଧ କଲେ । (ଯାତ୍ରା. ୨୦:୧୨; ୨ ଶାମୁ. ୧:୨୩) ଏବେ ହାନ୍ନାଙ୍କ ବିଷୟରେ ଭାବନ୍ତୁ । ମହାଯାଜକ ଏଲି ତାଙ୍କ ଉପରେ ଏହା ଆରୋପ ଲଗାଇଲେ ଯେ ସେ ମଦ ପିଇ ନିଶାରେ ଅଛନ୍ତି । (୧ ଶାମୁ. ୧:୧୨-୧୪) କିନ୍ତୁ ହାନ୍ନା ତାଙ୍କ ଉପରେ କ୍ରୋଧିତ ହେଲେ ନାହିଁ, ବରଂ ସେ ଆଦରର ସହିତ ତାଙ୍କ ସହ କଥା ହେଲେ । ଇସ୍ରାଏଲର ସମସ୍ତ ଲୋକ ଜାଣିଥିଲେ ଯେ ଏଲି ନିଜ ପୁଅମାନଙ୍କ ଭୁଲ ପାଇଁ ସେମାନଙ୍କୁ ସୁଧାରିଲେ ନାହିଁ ଏବଂ ସେ ବାପା ଏବଂ ମହାଯାଜକ ଭାବେ ଭଲ ଉଦାହରଣ ରଖି ନାହାନ୍ତି । ତଥାପି ହାନ୍ନା ତାଙ୍କର ଆଦର କଲେ । (୧ ଶାମୁ. ୧:୧୫-୧୮; ୨:୨୨-୨୪) ଏବେ କିଛି ସମୟ ପାଇଁ ପାଉଲଙ୍କ ବିଷୟରେ ଭାବନ୍ତୁ । ଏଥେନ୍‌ସ୍‌ର ଲୋକମାନେ ତାଙ୍କର ଅପମାନ କଲେ ଏବଂ ତାଙ୍କୁ “ବାଚାଳଟା” ଅର୍ଥାତ୍‌ ଅଯଥା କଥା କହୁଥିବା ବ୍ୟକ୍ତି କହିଲେ । (ପ୍ରେରି. ୧୭:୧୮) ତଥାପି ପାଉଲ ସେମାନଙ୍କ ସହିତ ଆଦରର ସହ କଥା ହେଲେ । (ପ୍ରେରି. ୧୭:୨୨) ଏହି ଉଦାହରଣଗୁଡ଼ିକରୁ ଆମେ କʼଣ ଶିଖୁ ? ଯଦି ଆମେ ଯିହୋବାଙ୍କୁ ପ୍ରେମ କରୁ ଏବଂ ତାଙ୍କୁ ଖୁସି କରିବା ପାଇଁ ଚାହୁଁ, ତାହେଲେ ଆମେ ଅନ୍ୟମାନଙ୍କର ଆଦର ତେବେ ବି କରିବା ଯେବେ ଆମକୁ ଏପରି କରିବା କଠିନ ଲାଗେ । ଏବେ ଆସନ୍ତୁ ଆମେ ଦେଖିବା ଯେ ଆମେ କେଉଁ ଲୋକମାନଙ୍କର ଆଦର କରିବା ଉଚିତ୍‌ ଏବଂ କାହିଁକି ।

ଯୋନାଥନ, ଶାଉଲ ଏବଂ ଇସ୍ରାଏଲୀୟ ସୈନିକମାନେ ଯୁଦ୍ଧରେ ଖଡ଼୍‌ଗ, ବର୍ଚ୍ଛା ଏବଂ ଢାଲ ନେଇ ଲଢ଼ୁଛନ୍ତି ।

ରାଜା ଶାଉଲ ନିଜ ପୁଅ ଯୋନାଥନଙ୍କ ଅପମାନ କଲେ, ତଥାପି ସେ ନିଜ ବାପାଙ୍କ ସହଯୋଗ କଲେ ଏବଂ ତାଙ୍କ ସହିତ ମିଶି ଶତ୍ରୁମାନଙ୍କ ସହ ଯୁଦ୍ଧ କଲେ (ପାରାଗ୍ରାଫ ୬)


ପରିବାର ଲୋକଙ୍କର ଆଦର କରନ୍ତୁ

୭. ପରିବାର ଲୋକଙ୍କର ଆଦର କରିବା କାହିଁକି କଠିନ ହୋଇପାରେ ?

୭ ଏପରି କରିବା କାହିଁକି କଠିନ ହୋଇପାରେ ? ଆମେ ନିଜ ପରିବାର ଲୋକଙ୍କ ସହ ଅନେକ ସମୟ ବିତାଉ, ସେଥିପାଇଁ ଆମେ ସେମାନଙ୍କର ଭଲ ଗୁଣଗୁଡ଼ିକୁ ଜାଣିବା ସହିତ ସେମାନଙ୍କର ଦୁର୍ବଳତାଗୁଡ଼ିକୁ ମଧ୍ୟ ଭଲଭାବେ ଜାଣୁ । ଯେପରି, ହୁଏତ ପରିବାରରେ କାହାରିକୁ ବଡ଼ ରୋଗ ହୋଇଥିବ ଏବଂ ତାଙ୍କର ଯତ୍ନ ନେବା ଆମ ପାଇଁ କଠିନ ହେଉଥିବ କିମ୍ବା ପରିବାରର କୌଣସି ସଦସ୍ୟ ଅତ୍ୟଧିକ ଚିନ୍ତା କରୁଥିବେ କିମ୍ବା ତାଙ୍କୁ ଡିପ୍ରେସନ୍‌ ଥିବ । ଏପରି ବି ହୋଇପାରେ ଯେ ପରିବାରରେ କେହି ଏପରି କିଛି କହି ଦିଅନ୍ତି କିମ୍ବା କରିଦିଅନ୍ତି, ଯେଉଁଥିରୁ ଆମକୁ ଦୁଃଖ ଲାଗିବ । ଏହା ବ୍ୟତୀତ ହୁଏତ ପରିବାରର ଜଣେ ସଦସ୍ୟ ଯଦି ଅନ୍ୟମାନଙ୍କର ଆଦର କରନ୍ତି ନାହିଁ କିମ୍ବା ଲଢ଼େଇ ଝଗଡ଼ା କରନ୍ତି, ତାହେଲେ ବି ପରିବାରର ଖୁସି ଏବଂ ଶାନ୍ତି ଚାଲିଯାଇପାରେ । ଏପରି ସମୟରେ ପରିବାର ଲୋକମାନଙ୍କର ଆଦର କରିବା କଠିନ ଲାଗିପାରେ । ଠିକ୍‌ ଯେପରି ଆର୍ଥ୍ରାଇଟିସ ବା ଗଣ୍ଠିବାତ ରୋଗ ଯୋଗୁଁ ଗଣ୍ଠି ଘର୍ଷଣ ହୁଏ ଏବଂ ଏହାର ଯନ୍ତ୍ରଣା ସବୁବେଳେ ଥାଏ, ଠିକ୍‌ ସେହିଭଳି ଯେବେ ପରିବାରର ସଦସ୍ୟ ପରସ୍ପରକୁ ଆଦର କରନ୍ତି ନାହିଁ, ତେବେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଏପରିକି ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇପାରେ । ଏହା ସତ ଯେ ଆର୍ଥ୍ରାଇଟିସ ରୋଗ ପୂରାପୂରି ଠିକ୍‌ ହୋଇପାରିବ ନାହିଁ, କିନ୍ତୁ ପାରିବାରିକ ସମ୍ପର୍କ ଠିକ୍‌ ହୋଇପାରେ । ପରିବାରର ପ୍ରତ୍ୟେକ ସଦସ୍ୟ ଯଦି ପରସ୍ପରକୁ ଆଦର କରିବେ, ତାହେଲେ ସେମାନଙ୍କ ସମ୍ପର୍କରେ ପୁଣିଥରେ ମଧୁରତା ଆସିପାରେ ।

୮. ପରିବାର ଲୋକଙ୍କର ଆଦର କରିବା କାହିଁକି ଜରୁରୀ ? (୧ ତୀମଥି ୫:୪, ୮)

୮ ଆଦର କାହିଁକି କରିବା ? (୧ ତୀମଥି ୫:୪, ୮ ପଢ଼ନ୍ତୁ ।) ପାଉଲ, ତୀମଥିଙ୍କୁ ଲେଖିଥିବା ନିଜ ପ୍ରଥମ ଚିଠିରେ କହିଲେ ଯେ ପରିବାରର ସଦସ୍ୟମାନେ କିପରି ପରସ୍ପରର ଯତ୍ନ ନେଇପାରିବେ । ସେ ବୁଝାଇଲେ ଯେ ଆମେ ପରିବାର ଲୋକଙ୍କ ଆଦର କେବଳ କର୍ତ୍ତବ୍ୟ ଭାବି ନ କରି “ଈଶ୍ୱରଙ୍କ ଦୃଷ୍ଟିରେ ସୁଗ୍ରାହ୍ୟ ଅଟେ” ବୋଲି କରିବା ଉଚିତ୍‌ । ଏହାର ଅର୍ଥ ଅନ୍ୟମାନଙ୍କର ଆଦର କରିବା ଆମ ଉପାସନାର ଭାଗ ଅଟେ । ଯିହୋବା ପରିବାରର ଆରମ୍ଭ କରିଛନ୍ତି, ଏହା ତାଙ୍କର ବ୍ୟବସ୍ଥା । (ଏଫି. ୩:୧୪, ୧୫) ସେଥିପାଇଁ ଯେବେ ଆମେ ନିଜ ପରିବାର ଲୋକଙ୍କର ଆଦର କରୁ, ତେବେ ଆମେ ଯିହୋବାଙ୍କର ଆଦର କରିଥାଉ । ନିଜ ପରିବାର ଲୋକଙ୍କର ଆଦର କରିବାର ଏହା କେତେ ମହତ୍ତ୍ୱପୂର୍ଣ୍ଣ କାରଣ !

୯. ସ୍ୱାମୀ ସ୍ତ୍ରୀ କିପରି ପରସ୍ପରକୁ ଆଦର କରିପାରିବେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୯ ଆଦର କିପରି କରିବା ? ଯଦି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କର ଆଦର କରିବେ, ତାହେଲେ ସେ ତାଙ୍କୁ ବହୁମୂଲ୍ୟ ଭାବିବେ । ସେ ଅନ୍ୟମାନଙ୍କ ଆଗରେ ଏବଂ ଏକୁଟିଆରେ ବି ତାଙ୍କର ଆଦର କରିବେ । (ହିତୋ. ୩୧:୨୮; ୧ ପିତ. ୩:୭) ସେ କେବେ ବି ତାଙ୍କ ଉପରେ ହାତ ଉଠାଇବେ ନାହିଁ, ତାଙ୍କୁ ଅପମାନ କରିବେ ନାହିଁ କିମ୍ବା ତାଙ୍କୁ ନୀଚ ମନେ କରାଇବେ ନାହିଁ । ଏରିଅଲa ନାମକ ଭାଇ କହନ୍ତି, “ମୋ ସ୍ତ୍ରୀ ରୋଗରେ ପଡ଼ିଛନ୍ତି ଏବଂ ସେ ବେଳେବେଳେ ଏପରି କିଛି କହି ଦିଅନ୍ତି, ଯେଉଁଥିରୁ ମୋତେ ବହୁତ ଦୁଃଖ ଲାଗେ । କିନ୍ତୁ ଯେବେ ବି ଏପରି ହୁଏ, ମୁଁ ପ୍ରତ୍ୟେକ ଥର ନିଜକୁ ମନେ ପକାଇ ଦିଏ ଯେ ସେ ଜାଣିଶୁଣି ଏପରି କରନ୍ତି ନାହିଁ । ମୁଁ ୧ କରିନ୍ଥୀୟ ୧୩:୫ ପଦରେ ଲେଖାଥିବା କଥା ମନେ ପକାଏ । ଏଥିରୁ ମୋତେ ଶାନ୍ତ ରହିବା ପାଇଁ ସାହାଯ୍ୟ ମିଳେ ଏବଂ ମୁଁ ନିଜ ସ୍ତ୍ରୀଙ୍କ ସହିତ ଆଦରର ସହ କଥା ହୋଇପାରେ ।” (ହିତୋ. ୧୯:୧୧) ଜଣେ ସ୍ତ୍ରୀ ଯିଏ ହୃଦୟରୁ ନିଜ ସ୍ୱାମୀଙ୍କ ଆଦର କରନ୍ତି, ସେ ବି ଅନ୍ୟମାନଙ୍କ ଆଗରେ ନିଜ ସ୍ୱାମୀଙ୍କ ପ୍ରଶଂସା କରିବେ । (ଏଫି. ୫:୩୩) ସେ କେବେ ବି ତାଙ୍କର ଥଟ୍ଟା କରିବେ ନାହିଁ ଏବଂ ତାଙ୍କୁ ଓଲଟା ସିଧା କଥା କହିବେ ନାହିଁ । କାରଣ ସେ ଜାଣନ୍ତି ଯେ ଯଦି ସେ ଏପରି କରିବେ, ତାହେଲେ ସେମାନଙ୍କର ବିବାହ ବନ୍ଧନ ଧୀରେ ଧୀରେ ଦୁର୍ବଳ ହୋଇଯିବ । (ହିତୋ. ୧୪:୧) ଇଟାଲୀରେ ରହୁଥିବା ଜଣେ ଭଉଣୀଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ସ୍ୱାମୀ ରୋଗରେ ପଡ଼ିଛନ୍ତି ଏବଂ ଅତ୍ୟଧିକ ଚିନ୍ତା କରନ୍ତି । ଭଉଣୀ କହନ୍ତି, “ବେଳେବେଳେ ମୋତେ ଲାଗେ ଯେ ମୋ ସ୍ୱାମୀ ଛୋଟିଆ କଥାକୁ ନେଇ ଅତ୍ୟଧିକ ଚିନ୍ତା କରୁଛନ୍ତି । ପୂର୍ବେ ଯେବେ ବି ଏପରି ହେଉଥିଲା, ତେବେ ମୋ ଚେହେରାରୁ ସ୍ପଷ୍ଟ ଜଣାପଡ଼ି ଯାଉଥିଲା ଯେ ମୁଁ ତାଙ୍କ ଉପରେ ରାଗୁଛି ଏବଂ ମୁଁ ତାଙ୍କୁ କିଛି ବି କହି ଦେଉଥିଲି । କିନ୍ତୁ ପରେ ମୁଁ ସେହି ଲୋକମାନଙ୍କ ସହିତ ଅଧିକ ସମୟ ବିତାଇଲି, ଯେଉଁମାନେ ଅନ୍ୟମାନଙ୍କର ଆଦର କରନ୍ତି ଏବଂ ସେମାନଙ୍କ ବିଷୟରେ ଭଲ କଥା କହନ୍ତି । ଏହାର ମୋ ଉପରେ ଭଲ ପ୍ରଭାବ ପଡ଼ିଲା । ମୁଁ ବି ନିଜ ସ୍ୱାମୀଙ୍କ ସହିତ ଆଦରର ସହ କଥା ହେବାକୁ ଲାଗିଲି ।”

ଚିତ୍ରଗୁଡ଼ିକ: ଜଣେ ସ୍ୱାମୀ ସ୍ତ୍ରୀ ପରସ୍ପର ସହିତ ଆଦରର ସହ ବ୍ୟବହାର କରୁଛନ୍ତି । ୧. ସ୍ୱାମୀ ନିଜ ସ୍ତ୍ରୀଙ୍କ ସହ ମିଶି ଖାଦ୍ୟ ପ୍ରସ୍ତୁତି କରୁଛନ୍ତି ଏବଂ ପ୍ରେମର ସହ କଥା ହେଉଛନ୍ତି । ୨. ସ୍ତ୍ରୀ ଅତିଥିମାନଙ୍କ ଆଗରେ ନିଜ ସ୍ୱାମୀଙ୍କ ପ୍ରଶଂସା କରୁଛନ୍ତି ଏବଂ ତାଙ୍କର ସ୍ୱାମୀ ଜଣେ ବୃଦ୍ଧ ଭାଇଙ୍କ ପାଇଁ ଖାଦ୍ୟ ବାଢ଼ୁଛନ୍ତି ।

ଯେବେ ଆମେ ପରିବାର ଲୋକଙ୍କର ଆଦର କରୁ, ତେବେ ଆମେ ପରିବାରର ମୁଖିଆ ଯିହୋବାଙ୍କର ଆଦର କରୁ (ପାରାଗ୍ରାଫ ୯)


୧୦. ପିଲାମାନେ କିପରି ଦେଖାଇପାରିବେ ଯେ ସେମାନେ ନିଜ ବାପାମାଆଙ୍କର ଆଦର କରନ୍ତି ?

୧୦ ପିଲାମାନେ ତମେମାନେ କିପରି ନିଜ ବାପାମାଆଙ୍କର ଆଦର କରିପାରିବ ? ସେମାନେ ପରିବାର ପାଇଁ ଯାହା ବି ନିୟମ ତିଆରି କରନ୍ତି, ସେଗୁଡ଼ିକୁ ମାନ । (ଏଫି. ୬:୧-୩) ସେମାନଙ୍କ ସହିତ ଆଦରର ସହ କଥା ହୁଅ । (ଯାତ୍ରା. ୨୧:୧୭) ଯେବେ ବାପାମାଆଙ୍କ ବୟସ ହେବାକୁ ଲାଗେ, ତେବେ ସେମାନଙ୍କର ଆହୁରି ଭଲଭାବେ ଯତ୍ନ ନିଅ । ଭଉଣୀ ମାରିଆଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କର ବାପା ଯିହୋବାଙ୍କ ସାକ୍ଷୀ ନୁହଁନ୍ତି । ଯେବେ ମାରିଆଙ୍କ ବାପା ରୋଗରେ ପଡ଼ିଗଲେ, ତେବେ ସେ ମାରିଆଙ୍କୁ ବହୁତ ହଇରାଣ କରିବାକୁ ଲାଗିଲେ । ତାଙ୍କ ବାପାଙ୍କ ଯତ୍ନ ନେବା ମାରିଆଙ୍କ ପାଇଁ ବହୁତ କଠିନ ହୋଇଗଲା । ସେ କହନ୍ତି, “ମୁଁ ଯିହୋବାଙ୍କୁ ପ୍ରାର୍ଥନା କରି କହୁଥିଲି, ‘ମୋତେ ନିଜ ବାପାଙ୍କର ଆଦର କରିବା ଏବଂ ତାଙ୍କର ଭଲଭାବେ ଯତ୍ନ ନେବା ପାଇଁ ସାହାଯ୍ୟ କର ।’ ମୁଁ ଭାବିଲି ଯେ ଯଦି ଯିହୋବା ମୋତେ ମୋ ବାପାଙ୍କର ଆଦର କରିବା ପାଇଁ କହୁଛନ୍ତି, ତାହେଲେ ସେ ନିଶ୍ଚୟ ମୋତେ ଏପରି କରିବା ପାଇଁ ଶକ୍ତି ବି ଦେଇପାରିବେ । ସମୟ ଗଡ଼ିବା ସହିତ ମୋତେ ଅନୁଭବ ହେଲା ଯେ ଯଦିଓ ମୋ ବାପା ନିଜ ବ୍ୟବହାରରେ ପରିବର୍ତ୍ତନ କରନ୍ତି ନାହିଁ, ତଥାପି ମୋତେ ସବୁବେଳେ ତାଙ୍କର ଆଦର କରିବା ଉଚିତ୍‌ ।” ଯେବେ ଆମେ ନିଜ ପରିବାର ଲୋକଙ୍କ ଦୁର୍ବଳତାଗୁଡ଼ିକ ସତ୍ତ୍ୱେ ସେମାନଙ୍କର ଆଦର କରୁ, ତେବେ ଆମେ ଦେଖାଉ ଯେ ଆମେ ଯିହୋବାଙ୍କର ଆଦର କରୁ, ଯିଏ ପରିବାରର ଆରମ୍ଭ କରିଛନ୍ତି ।

ମଣ୍ଡଳୀର ଭାଇଭଉଣୀମାନଙ୍କର ଆଦର କରନ୍ତୁ

୧୧. ଭାଇଭଉଣୀମାନଙ୍କର ଆଦର କରିବା କାହିଁକି କଠିନ ହୋଇପାରେ ?

୧୧ ଏପରି କରିବା କାହିଁକି କଠିନ ହୋଇପାରେ ? ଆମ ଭାଇଭଉଣୀମାନେ ବାଇବଲ ଅନୁସାରେ ବଞ୍ଚିବା ପାଇଁ ପୂରା ଚେଷ୍ଟା କରନ୍ତି । କିନ୍ତୁ ହୁଏତ କୌଣସି ଭାଇ କିମ୍ବା ଭଉଣୀ ଆମ ସହିତ ଖରାପ ବ୍ୟବହାର କରନ୍ତି କିମ୍ବା ଆମ ବିଷୟରେ ଏପରି କିଛି କହନ୍ତି, ଯାହା ସତ ନୁହେଁ କିମ୍ବା ଆମକୁ କ୍ରୋଧିତ କରାନ୍ତି । ଯେବେ ଆମ ପାଖରେ “କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ,” ତେବେ ତାଙ୍କର ଆଦର କରିବା କଠିନ ହୋଇପାରେ । (କଲ. ୩:୧୩) ଏପରି ସମୟରେ କେଉଁ କଥା ଆମକୁ ସାହାଯ୍ୟ କରିପାରିବ ?

୧୨. ମଣ୍ଡଳୀର ଭାଇଭଉଣୀମାନଙ୍କ ଆଦର କରିବା କାହିଁକି ଜରୁରୀ ? (୨ ପିତର ୨:୧୦, ୧୧)

୧୨ ଆଦର କାହିଁକି କରିବା ? (୨ ପିତର ୨:୧୦, ୧୧ ପଢ଼ନ୍ତୁ ।b) ପିତର ନିଜର ଦ୍ୱିତୀୟ ଚିଠିରେ କହିଲେ ଯେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନ ମଣ୍ଡଳୀରେ କିଛି ମିଛ ଶିକ୍ଷକ ଉତ୍ପନ୍ନ ହୋଇଯାଇଥିଲେ । ଏହି ମିଛ ଶିକ୍ଷକ ସେହି ଲୋକମାନଙ୍କ ବିଷୟରେ ଖରାପ କଥାଗୁଡ଼ିକ କହୁଥିଲେ ‘ଯେଉଁମାନଙ୍କୁ ଈଶ୍ୱର ମହିମା ଦେଇଥିଲେ,’ ଅର୍ଥାତ୍‌ ପ୍ରାଚୀନମାନଙ୍କ ବିଷୟରେ । ସ୍ୱର୍ଗଦୂତମାନେ ଏହି ସବୁ ଦେଖୁଥିଲେ, କିନ୍ତୁ ସେମାନେ କʼଣ କଲେ ? ସେମାନେ “ଯିହୋବାଙ୍କ ଆଦର କରିବା ଯୋଗୁଁ” ମିଛ ଶିକ୍ଷକମାନଙ୍କ ଉପରେ ଦୋଷ ଲଗାଇଲେ ନାହିଁ ଏବଂ ସେମାନଙ୍କ ବିଷୟରେ ଓଲଟା ସିଧା କଥା କହିଲେ ନାହିଁ । ଭାବନ୍ତୁ, ସ୍ୱର୍ଗଦୂତମାନେ ସେହି ଅହଂକାରୀ ଲୋକମାନଙ୍କ ବିରୁଦ୍ଧରେ କିଛି ବି କହିଲେ ନାହିଁ । ଏହା ପରିବର୍ତ୍ତେ ସେମାନେ ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ିଦେଲେ, ଯାହାଯୋଗୁଁ ଯିହୋବା ସେମାନଙ୍କ ନ୍ୟାୟ କରିବେ ଏବଂ ସେମାନଙ୍କୁ ଦଣ୍ଡ ଦେବେ । (ରୋମୀ. ୧୪:୧୦-୧୨; ଯିହୂ. ୯ ପଦ ସହ ତୁଳନା କରନ୍ତୁ ।) ଆମେ ସ୍ୱର୍ଗଦୂତମାନଙ୍କଠାରୁ କʼଣ ଶିଖିପାରିବା ? ସେମାନେ ବିରୋଧୀମାନଙ୍କ ସହିତ ଖରାପ ବ୍ୟବହାର କଲେ ନାହିଁ । ତାହେଲେ କʼଣ ଆମେ ନିଜ ଭାଇଭଉଣୀମାନଙ୍କ ସହିତ ଖରାପ ବ୍ୟବହାର କରିବା ଉଚିତ୍‌, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ? ଜମା ବି ନୁହଁ । ଏହା ପରିବର୍ତ୍ତେ ଆମେ “ନିଜେ ଆଗକୁ ଆସି” ସେମାନଙ୍କର ଆଦର କରିବା ଉଚିତ୍‌ । (ରୋମୀ. ୧୨:୧୦, NWT) ଯେବେ ଆମେ ଏପରି କରୁ, ତେବେ ଆମେ ଦେଖାଉ ଯେ ଆମେ ଯିହୋବାଙ୍କର ଆଦର କରୁ ।

୧୩-୧୪. ଆମେ କିପରି ମଣ୍ଡଳୀର ଭାଇଭଉଣୀମାନଙ୍କର ଆଦର କରିପାରିବା ? ଉଦାହରଣ ଦିଅନ୍ତୁ । (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୩ ଆଦର କିପରି କରିବା ? ପ୍ରାଚୀନମାନେ, ଅନ୍ୟମାନଙ୍କୁ ଶିଖାଇବା ସମୟରେ ପ୍ରେମର ସହିତ ଶିଖାନ୍ତୁ । (ଫିଲୀ. ୮, ୯) ଯଦି ଆପଣ କାହାରିକୁ ପରାମର୍ଶ ଦିଅନ୍ତି, ତାହେଲେ କ୍ରୋଧିତ ହୋଇ ପରାମର୍ଶ ଦେବା ପରିବର୍ତ୍ତେ ସବୁବେଳେ ପ୍ରେମର ସହ ପରାମର୍ଶ ଦିଅନ୍ତୁ । ଭଉଣୀମାନେ ଆପଣ ବି ମଣ୍ଡଳୀରେ ଭଲ ପରିବେଶ ବଜାୟ ରଖିବା ପାଇଁ ସାହାଯ୍ୟ କରିପାରିବେ । ଆପଣ ଆଗକୁ ଆସି ଅନ୍ୟମାନଙ୍କର ଆଦର କରିପାରିବେ ଏବଂ କାହାରି ବିଷୟରେ ଖରାପ କଥା କହିବା କିମ୍ବା ଅଯଥା ଗପସପ କରିବାରୁ ଦୂରେଇ ରହିପାରିବେ । (ତୀତ. ୨:୩-୫) ମଣ୍ଡଳୀର ସମସ୍ତ ଭାଇଭଉଣୀମାନେ ପ୍ରାଚୀନମାନଙ୍କର ଆଦର କରିପାରିବେ । ଆମ ପ୍ରାଚୀନ ଭାଇମାନେ ସଭା ଚଲାଇବା ପାଇଁ ବହୁତ ପରିଶ୍ରମ କରନ୍ତି, ପ୍ରଚାର କାମର ନେତୃତ୍ୱ ନିଅନ୍ତି ଏବଂ ଯଦି କୌଣସି ଭାଇ କିମ୍ବା ଭଉଣୀ “ଭୁଲ ପଦକ୍ଷେପ” ନିଅନ୍ତି, ତାହେଲେ ସେମାନେ ତାଙ୍କର ସାହାଯ୍ୟ କରନ୍ତି । ଏହି କାମଗୁଡ଼ିକ ପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଜଣାଇ ଏବଂ ସେମାନଙ୍କର ପୂରା ସହଯୋଗ କରି, ଆମେ ସେମାନଙ୍କର ଆଦର କରିପାରିବା ।—ଗାଲା. ୬:୧ NWT; ୧ ତୀମ. ୫:୧୭.

୧୪ ଭଉଣୀ ରୋସିଓଙ୍କୁ ଜଣେ ପ୍ରାଚୀନ ଭାଇ କିଛି ପରାମର୍ଶ ଦେଲେ, ଯାହାଯୋଗୁଁ ଭଉଣୀ ତାଙ୍କର ଆଦର କରିପାରୁ ନ ଥିଲେ । ଭଉଣୀ କହନ୍ତି, “ମୋତେ ଲାଗିଲା ଯେ ସେହି ପ୍ରାଚୀନ ଭାଇ ମୋ ସହିତ କଠୋରତାର ସହ କଥା ହେଲେ । ଘରେ ମୁଁ ତାଙ୍କ ବିଷୟରେ ଓଲଟା ସିଧା କଥା କହିବାକୁ ଲାଗିଲି । ମୁଁ ଏପରି ଦେଖାଉ ଥିଲି ଯେ ମୁଁ ତାଙ୍କର ପରାମର୍ଶ ମାନିଲି, କିନ୍ତୁ ଏପରି ନ ଥିଲା । ମୁଁ ଏହି କଥାକୁ ନେଇ ସନ୍ଦେହ କରୁଥିଲି ଯେ ସେ ମୋର ଚିନ୍ତା କରନ୍ତି ନାହିଁ, ତେଣୁ ମୁଁ ତାଙ୍କର ପରାମର୍ଶ ଉପରେ ଧ୍ୟାନ ଦେଲି ନାହିଁ ।” ଏହାପରେ ରୋସିଓ କʼଣ କଲେ ? ସେ କହନ୍ତି, “ବାଇବଲ ପଢ଼ିବା ସମୟରେ ମୁଁ ୧ ଥେସଲନୀକୀୟ ୫:୧୨, ୧୩ ପଦ ପଢ଼ିଲି । ମୋତେ ଅନୁଭବ ହେଲା ଯେ ମୁଁ ସେହି ଭାଇଙ୍କ ଆଦର କରୁନି । ମୋ ବିବେକ ମୋତେ ଦୋଷୀ ସାବ୍ୟସ୍ତ କଲା । ମୁଁ ଯିହୋବାଙ୍କୁ ଏବିଷୟରେ ପ୍ରାର୍ଥନା କଲି ଏବଂ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କଲି । ସେଥିରୁ ମୋତେ ଏପରି ତଥ୍ୟ ମିଳିଲା, ଯେଉଁଥିରୁ ମୁଁ ନିଜ ଚିନ୍ତାଧାରାରେ ପରିବର୍ତ୍ତନ କରିପାରିଲି । ମୁଁ ବୁଝିପାରିଲି ଯେ ସେହି ଭାଇଙ୍କର କୌଣସି ଦୋଷ ନ ଥିଲା, ବରଂ ଦୋଷ ମୋର ଥିଲା । ମୋର ଅହଂକାର ମୋତେ ପରାମର୍ଶ ସ୍ୱୀକାର କରିବାରୁ ରୋକୁଥିଲା । ଏଥିରୁ ମୁଁ ଗୋଟିଏ କଥା ଶିଖିଲି, ଅନ୍ୟମାନଙ୍କର ଆଦର କରିବା ପାଇଁ ନମ୍ର ହେବା ନିତାନ୍ତ ଜରୁରୀ । ମୁଁ ଏପରି କରିବା ପାଇଁ ବହୁତ ଚେଷ୍ଟା କରୁଛି ଏବଂ ମୁଁ ଜାଣେ ଯେ ଯିହୋବା ମୋ ପରିଶ୍ରମକୁ ଦେଖି ଖୁସି ଅଛନ୍ତି ।”

ଚିତ୍ରଗୁଡ଼ିକ: ଜଣେ ବୃଦ୍ଧା ଭଉଣୀ ବାଇବଲ ପଢ଼ୁଛନ୍ତି ଏବଂ ଭାବୁଛନ୍ତି ଯେ ପ୍ରାଚୀନମାନେ ଆମ ପାଇଁ କେତେ କʼଣ କରନ୍ତି । ୧. ଜଣେ ପ୍ରାଚୀନ ସଭାରେ ଭାଷଣ ଦେଖୁଛନ୍ତି । ୨. ସେ ହ୍ୱିଲଚେୟାରରେ ଥିବା ଜଣେ ଭାଇଙ୍କର ସାହାଯ୍ୟ କରୁଛନ୍ତି । ୩. ସେ ରାଜ୍ୟଘର ବାହାରେ ଜମି ଯାଇଥିବା ବରଫକୁ ସଫା କରୁଛନ୍ତି ।

ମଣ୍ଡଳୀର ସମସ୍ତ ଭାଇଭଉଣୀମାନେ, ପ୍ରାଚୀନମାନଙ୍କୁ ପୂରା ସହଯୋଗ କରି ଏବଂ ସେମାନଙ୍କର ପରିଶ୍ରମ ପାଇଁ କୃତଜ୍ଞତା ଦେଖାଇ ସେମାନଙ୍କର ଆଦର କରିପାରିବେ (ପାରାଗ୍ରାଫ ୧୩-୧୪)


ବାହାର ଲୋକଙ୍କର ଆଦର କରନ୍ତୁ

୧୫. ବାହାର ଲୋକଙ୍କର ଆଦର କରିବା ଆମ ପାଇଁ କାହିଁକି କଠିନ ହୋଇପାରେ ?

୧୫ ଏପରି କରିବା କାହିଁକି କଠିନ ହୋଇପାରେ ? ଆମେ ପ୍ରଚାରରେ ପ୍ରାୟ ଏପରି ଲୋକମାନଙ୍କୁ ଭେଟୁ, ଯେଉଁମାନଙ୍କୁ ଈଶ୍ୱରଙ୍କ ବିଷୟରେ କିମ୍ବା ବାଇବଲ ବିଷୟରେ ଜାଣିବା ପାଇଁ କୌଣସି ଆଗ୍ରହ ନ ଥାଏ । (ଏଫି. ୪:୧୮) କିଛି ଲୋକ ଆମ ସନ୍ଦେଶ ଶୁଣିବା ପାଇଁ ସ୍ପଷ୍ଟ ମନା କରିଦିଅନ୍ତି, କାରଣ ସେମାନେ ମାନନ୍ତି ଯେ ସେମାନଙ୍କୁ ପିଲାବେଳୁ ଯାହା ଶିଖାଯାଇଛି ତାହା ହିଁ ଠିକ୍‌ । ତାʼସହିତ ସାଙ୍ଗରେ କାମ କରୁଥିବା ବ୍ୟକ୍ତି କିମ୍ବା ସ୍କୁଲର ସାଥୀମାନେ ଆମ ସହିତ ଭଲ ବ୍ୟବହାର କରୁ ନ ଥିବେ । କିମ୍ବା ଆମ ବୋସ୍‌ କିମ୍ବା ଆମ ସ୍କୁଲର କୌଣସି ଟିଚର ଆମ ପରିଶ୍ରମ ପାଇଁ କୃତଜ୍ଞ ନ ଥିବେ । ଏପରି ସମୟରେ ସେମାନଙ୍କର ଆଦର କରିବା ଆମ ପାଇଁ କଠିନ ହୋଇପାରେ ଏବଂ ହୁଏତ ଆମେ ଧୀରେ ଧୀରେ ସେମାନଙ୍କ ସହିତ ଭଲ ବ୍ୟବହାର କରିବା ବି ଛାଡ଼ିଦେବା ।

୧୬. ବାହାର ଲୋକଙ୍କର ଆଦର କରିବା କାହିଁକି ଜରୁରୀ ? (୧ ପିତର ୨:୧୨; ୩:୧୫)

୧୬ ଆଦର କାହିଁକି କରିବା ? ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା ଏହା ଧ୍ୟାନ ଦିଅନ୍ତି ଯେ ଆମେ ବାହାର ଲୋକମାନଙ୍କ ସହିତ କିପରି ଭାବେ ବ୍ୟବହାର କରୁ । ପ୍ରେରିତ ପିତର ଆମ ଖ୍ରୀଷ୍ଟିୟାନମାନଙ୍କୁ କହିଥିଲେ ଯେ ଆମ ଭଲ ଚାଲିଚଳନ ଦେଖି ହୁଏତ ଲୋକମାନେ “ଈଶ୍ୱରଙ୍କ ଗୌରବ କରିବେ ।” ସେଥିପାଇଁ ସେ ସେମାନଙ୍କୁ “ନମ୍ର ଭାବରେ ଓ ସଭୟରେ” [“ଗଭୀର ଆଦର ସହିତ,” NWT] ନିଜ ବିଶ୍ୱାସ ପକ୍ଷରେ କହିବା ପାଇଁ ପରାମର୍ଶ ଦେଲେ । (୧ ପିତର ୨:୧୨; ୩:୧୫ ପଢ଼ନ୍ତୁ ।) ଆମେ ବି ଯେବେ କୌଣସି ବଡ଼ ଅଧିକାରୀ କିମ୍ବା ଜଜ୍‌ଙ୍କ ଆଗରେ କିମ୍ବା ଲୋକମାନଙ୍କ ଆଗରେ ନିଜ ବିଶ୍ୱାସ ପକ୍ଷରେ କହୁ, ତେବେ ଆମେ ସବୁବେଳେ ଆଦରର ସହିତ କହିବା ଉଚିତ୍‌ । ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା ସବୁକିଛି ଦେଖୁଛନ୍ତି । ସେ ଏହି କଥାକୁ ଧ୍ୟାନ ଦିଅନ୍ତି ଯେ ଆମେ କʼଣ କହୁ ଏବଂ କିପରି ଭାବରେ କହୁ । ବାହାର ଲୋକମାନଙ୍କର ଆଦର କରିବାର ଏହା କେତେ ସଠିକ୍‌ କାରଣ !

୧୭. ଆମେ କିପରି ବାହାର ଲୋକଙ୍କର ଆଦର କରିପାରିବା ?

୧୭ ଆଦର କିପରି କରିବା ? ହୁଏତ ଆମ ଅଞ୍ଚଳର ଅଧିକାଂଶ ଲୋକ ବାଇବଲ ବିଷୟରେ ଜାଣି ନ ଥିବେ କିମ୍ବା ଅତି କମ୍‌ ଜାଣିଥିବେ । ସେଥିପାଇଁ ପ୍ରଚାର କରିବା ସମୟରେ ଆମେ ନିଜ କଥା କିମ୍ବା ବ୍ୟବହାରରୁ ଲୋକମାନଙ୍କୁ କେବେ ବି ଏପରି ଅନୁଭବ କରାଇବା ନାହିଁ ଯେ ସେମାନେ ଆମଠାରୁ କମ୍‌ ଜାଣନ୍ତି । ଆମେ ସବୁବେଳେ ସେମାନଙ୍କୁ ନିଜଠାରୁ ଶ୍ରେଷ୍ଠ ଭାବିବା ଏବଂ ମନେ ରଖିବା ଯେ ସେମାନେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ । (ହାଗ. ୨:୭; ଫିଲିପ୍‌. ୨:୩) ଯଦି ପ୍ରଚାରରେ କେହି ଆମର ବିରୋଧ କରନ୍ତି କିମ୍ବା ଆମକୁ ଓଲଟା ସିଧା କଥା କହନ୍ତି, ତେବେ ବି ଆମେ ସେମାନଙ୍କୁ ଓଲଟା ସିଧା କଥା କହିବାନି ଏବଂ ଆମେ ଏପରି କିଛି କହିବାନି, ଯେଉଁଥିରୁ ଲାଗିପାରେ ଯେ ଆମେ ସେମାନଙ୍କଠାରୁ ଅଧିକ ଜାଣୁ । (୧ ପିତ. ୨:୨୩) ଯଦି ଆମେ ଏପରି କିଛି କହିଦେଉ ଯାହା ଆମକୁ କହିବା ଉଚିତ୍‌ ନ ଥିଲା, ତାହେଲେ ଆମେ ତୁରନ୍ତ ତାଙ୍କୁ କ୍ଷମା ମାଗିବା । କାମ ଜାଗାରେ ଆମେ କିପରି ଲୋକମାନଙ୍କର ଆଦର କରିପାରିବା ? ଆମେ ଯାହା ବି କାମ କରୁ ସେଥିରେ ପରିଶ୍ରମ କରିବା । ଆମେ ସାଙ୍ଗରେ କାମ କରୁଥିବା ଲୋକମାନଙ୍କ ଏବଂ ନିଜ ବୋସ୍‌ଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା । (ତୀତ. ୨:୯, ୧୦) ଯେବେ ଆମେ ସଚ୍ଚୋଟ ରହିବା, ପରିଶ୍ରମୀ ହେବା ଓ ମନପ୍ରାଣ ଦେଇ କାମ କରିବା, ତାହେଲେ ଲୋକମାନେ ଆମଠାରୁ ଖୁସି ହୁଅନ୍ତୁ ବା ନ ହୁଅନ୍ତୁ, ଯିହୋବା ଆମଠାରୁ ନିଶ୍ଚୟ ଖୁସି ହେବେ ।—କଲ. ୩:୨୨, ୨୩.

୧୮. ଆମେ କାହିଁକି ଅନ୍ୟମାନଙ୍କ ପାଇଁ ନିଜ ହୃଦୟରେ ଆଦର ବଢ଼ାଇବା ଉଚିତ୍‌ ଏବଂ ସେମାନଙ୍କର ଆଦର କରିବା ଉଚିତ୍‌ ?

୧୮ ଏହି ଲେଖାରେ ଆମେ ଦେଖିଲୁ ଯେ ଅନ୍ୟମାନଙ୍କର ଆଦର କରିବା ପାଇଁ ଆମ ପାଖରେ ଅନେକ କାରଣ ରହିଛି । ଯେବେ ଆମେ ପରିବାର ଲୋକଙ୍କ ଆଦର କରୁ, ତେବେ ଆମେ ନିଜ ପରିବାରର ମୁଖିଆ ଯିହୋବାଙ୍କର ଆଦର କରୁ । ଯେବେ ଆମେ ମଣ୍ଡଳୀର ଭାଇଭଉଣୀମାନଙ୍କ ଆଦର କରୁ, ତେବେ ବି ଆମେ ଯିହୋବାଙ୍କର ଆଦର କରୁ । ଆଉ ଯେବେ ଆମେ ବାହାର ଲୋକଙ୍କର ଆଦର କରୁ, ତେବେ ହୁଏତ ସେମାନେ ଆମର ଚାଲିଚଳନ ଦେଖି ଆମ ମହାନ ପରମେଶ୍ୱର ଯିହୋବାଙ୍କର ମହିମା କରିବେ । ଲୋକମାନେ ଆମର ଆଦର ନ କଲେ ମଧ୍ୟ ଆମେ ନିଜ ହୃଦୟରେ ଅନ୍ୟମାନଙ୍କ ପାଇଁ ଆଦର ବଢ଼ାଇବା ଉଚିତ୍‌ ଏବଂ ସେମାନଙ୍କର ଆଦର କରିବା ଉଚିତ୍‌ । ତାହା କାହିଁକି ? କାରଣ ଏପରି କଲେ ଯିହୋବା ଆମକୁ ଆଶିଷ ଦେବେ । ସେ ପ୍ରତିଜ୍ଞା କରିଛନ୍ତି, “ଯେଉଁମାନେ ଆମ୍ଭର ଗୌରବ କରନ୍ତି, ଆମ୍ଭେ ସେମାନଙ୍କର ଗୌରବ କରିବା ।”—୧ ଶାମୁ. ୨:୩୦.

ଆପଣ କʼଣ ଉତ୍ତର ଦେବେ ?

  • ଆମେ କିପରି ନିଜ ପରିବାର ଲୋକଙ୍କର ଆଦର କରିପାରିବା ?

  • ଆମେ କିପରି ମଣ୍ଡଳୀର ଭାଇଭଉଣୀମାନଙ୍କର ଆଦର କରିପାରିବା ?

  • ଆମେ କିପରି ବାହାର ଲୋକଙ୍କର ଆଦର କରିପାରିବା ?

ଗୀତ ୧୨୯ ଆମେ ଧୈର୍ଯ୍ୟବାନ ହେବା

a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

b ୨ ପିତର ୨:୧୦, ୧୧, (NWT): “ବିଶେଷ କରି ସେମାନଙ୍କୁ ଯେଉଁମାନେ ଅନ୍ୟମାନଙ୍କ ଶରୀରକୁ ଭ୍ରଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି ଏବଂ ଅଧିକାର ରଖୁଥିବା ଲୋକମାନଙ୍କୁ ତୁଚ୍ଛ ମନେ କରନ୍ତି । ସେମାନେ ଅହଂକାରୀ ଓ ନିଜ ମନ ମୁତାବକ କାମ କରନ୍ତି ଏବଂ ସେହି ଲୋକମାନଙ୍କ ବିଷୟରେ ମନ୍ଦ କଥା କହିବା ପାଇଁ ଡରନ୍ତି ନାହିଁ ଯେଉଁମାନଙ୍କୁ ଈଶ୍ୱର ମହିମା ଦେଇଛନ୍ତି । ୧୧. କିନ୍ତୁ ସ୍ୱର୍ଗଦୂତମାନେ, ଏହି ମିଥ୍ୟା ଶିକ୍ଷକମାନଙ୍କଠାରୁ ଅଧିକ ବଳବାନ ଏବଂ ଶକ୍ତିଶାଳୀ, ତଥାପି ସେମାନେ ଯିହୋବାଙ୍କ ଆଦର କରିବା ଯୋଗୁଁ ସେମାନଙ୍କ ଉପରେ ଦୋଷ ଲଗାଇବା ପାଇଁ ସେହି ବ୍ୟକ୍ତିମାନଙ୍କୁ ଓଲଟା ସିଧା କହନ୍ତି ନାହିଁ ।”

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ