ସେପ୍ଟେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୪-୧୦ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯିହିଜିକଲ ୪୨-୪୫
“ଶୁଦ୍ଧ ଉପାସନା ପୁଣିଥରେ ଆରମ୍ଭ କରାଗଲା!”
ପ୍ର୯୯-HI ୩/୧ ୯ ¶୩
ଈଶ୍ୱରଙ୍କ ମନ୍ଦିରରେ “ମନୋନିବେଶ କର!”
ଏହି ଦର୍ଶନ ଯିହିଜିକଲ ବହିର ନଅଟି ଅଧ୍ୟାୟରେ ମିଳିଥାଏ। ବିସ୍ତାର ଭାବେ ବର୍ଣ୍ଣନା କରାଯାଇଥିବା ଏହି ଦର୍ଶନ ସାହାଯ୍ୟରେ ବନ୍ଦୀ ଥିବା ଯିହୁଦୀମାନଙ୍କୁ ପ୍ରତିଜ୍ଞା କରାଯାଇଥିଲା ଯେ ଶୁଦ୍ଧ ଉପାସନା ପୁଣିଥରେ ଆରମ୍ଭ କରାଯିବ! ଏହି ପ୍ରତିଜ୍ଞା ଯୋଗୁଁ ସେମାନଙ୍କର ବିଶ୍ୱାସ ମଜବୁତ୍ ହେଲା। ସେହି ସମୟଠାରୁ ଆଜିପର୍ଯ୍ୟନ୍ତ ଏହି ଦର୍ଶନ ଯିହୋବାଙ୍କୁ ପ୍ରେମ କରୁଥିବା ସେବକମାନଙ୍କର ସାହସ ବଢ଼ାଇବାରେ ସାହାଯ୍ୟ କରିଆସିଛି। କିପରି? ଆସନ୍ତୁ ଦେଖିବା ଯେ ଭବିଷ୍ୟତ ବିଷୟରେ କୁହାଯାଇଥିବା ଯିହିଜିକଲଙ୍କ ଏହି ଦର୍ଶନର ବନ୍ଦୀ ଥିବା ଯିହୁଦୀମାନଙ୍କ ପାଇଁ କʼଣ ମହତ୍ତ୍ୱ ଥିଲା। ଏହି ଦର୍ଶନର ଚାରୋଟି ମୁଖ୍ୟ ଭାଗ ରହିଛି: ମନ୍ଦିର, ଯାଜକବର୍ଗ, ଅଧିପତି ଏବଂ ପୁଣିଥରେ ସ୍ଥାପିତ କରାଯାଇଥିବା ଦେଶ।
ଇନସାଇଟ୍-୨ ୧୦୮୨ ¶୨
ମନ୍ଦିର
ଯିହିଜିକଲ ଦର୍ଶନରେ ଦେଖିଥିବା ମନ୍ଦିର। ଖ୍ରୀଷ୍ଟ ପୂର୍ବ ୫୯୩ରେ ଅର୍ଥାତ୍ ଯିରୂଶାଲମ ସହର ଓ ଶଲୋମନଙ୍କ ମନ୍ଦିରର ବିନାଶର ପରବର୍ତ୍ତୀ ଚତୁର୍ଦ୍ଦଶ ବର୍ଷରେ ଭବିଷ୍ୟଦ୍ବକ୍ତା ଯିହିଜିକଲଙ୍କୁ ଦର୍ଶନରେ ଏକ ଉଚ୍ଚ ପାହାଡ଼ର ଶିଖରକୁ ନିଆଗଲା। ଯିହିଜିକଲ ଜଣେ ଯାଜକ ମଧ୍ୟ ଥିଲେ। ସେଠାରେ ସେ ଯିହୋବାଙ୍କ ମହାନ ମନ୍ଦିରର ଦୃଶ୍ୟ ଦେଖିଲେ। (ଯିହିଜିକଲ ୪୦:୧, ୨) ଯିହିଜିକଲ ଯାହା ମଧ୍ୟ ଦେଖିଲେ, ସେସବୁ “ଇସ୍ରାଏଲ-ବଂଶକୁ” ଜଣାଇବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଗଲା, ଯାହାଫଳରେ ବନ୍ଦୀ ଥିବା ଯିହୁଦୀମାନେ କରିଥିବା ନିଜ କାମ ଯୋଗୁଁ ଲଜ୍ଜିତ ମନେ କରିଥାʼନ୍ତେ ଏବଂ ଅନୁତାପ କରିଥାʼନ୍ତେ। ତାʼ ଛଡ଼ା, ଯେଉଁମାନେ ବିଶ୍ୱସ୍ତ ଥିଲେ, ସେମାନଙ୍କୁ ସାନ୍ତ୍ୱନା ମିଳିଥାʼନ୍ତା। (ଯିହି ୪୦:୪; ୪୩:୧୦, ୧୧) ଏହି ଦର୍ଶନରେ ପ୍ରତ୍ୟେକ ଜିନିଷର ସଠିକ୍ ମାପ ଦିଆଯାଇଥିଲା। ମାପ ପାଇଁ ବ୍ୟବହାର କରାଯାଇଥିବା ଏକକଗୁଡ଼ିକ ଥିଲା: “ନଳ” (ଲମ୍ବା ନଳ, ୩.୧୧ ମି.; ୧୦.୨ ଫୁଟ) ଏବଂ “ହାତ” (ଲମ୍ବା ହାତ, ୫୧.୮ ସେ.ମି.; ୨୦.୪ ଇଞ୍ଚ)। (ଯିହିଜିକଲ ୪୦:୫, ପାଦଟୀକା, NW) ଦର୍ଶନରେ ଯେଉଁ ସବିଶେଷ ମାପ ଦିଆଯାଇଥିଲା, ସେଥିରୁ କିଛି ଲୋକ ବିଶ୍ୱାସ କରନ୍ତି ଯେ ହୁଏତ ଏହି ନମୁନାର ଆଧାରରେ ସରୁବ୍ବାବିଲ ମନ୍ଦିର ତିଆରି କରାଇଥିବେ। କିନ୍ତୁ ଏହାର କୌଣସି ସଠିକ୍ ପ୍ରମାଣ ନାହିଁ।
ପ୍ର୯୯-HI ୩/୧ ୧୦ ¶୧୦
ଈଶ୍ୱରଙ୍କ ମନ୍ଦିରରେ “ମନୋନିବେଶ କର!”
ଦର୍ଶନର ଏହି ପ୍ରତିଶ୍ରୁତିଗୁଡ଼ିକରୁ ବନ୍ଦୀ ଥିବା ସେହି ଯିହୁଦୀମାନଙ୍କୁ କେତେ ସାନ୍ତ୍ୱନା ମିଳିଥିବ! ସେମାନଙ୍କୁ ଭରସା ଦିଆଯାଇଥିଲା ଯେ ପ୍ରତ୍ୟେକ ପରିବାର ଉତ୍ତରାଧିକାରୀ ଭାବେ ନିଜ ନିଜ ଜମି ପାଇଥାʼନ୍ତେ। (ମୀଖା ୪:୪ ସହିତ ତୁଳନା କରନ୍ତୁ।) ସେହି ଦେଶରେ ସତ୍ୟ ଈଶ୍ୱରଙ୍କ ଉପାସନାକୁ ଉଚ୍ଚୀକୃତ କରାଯାଇଥାʼନ୍ତା ଏବଂ ପ୍ରତ୍ୟେକେ ଯିହୋବାଙ୍କର ଉପାସନା କରିଥାʼନ୍ତେ। ତାʼ ଛଡ଼ା, ଯିହିଜିକଲଙ୍କ ଦର୍ଶନରେ ଧ୍ୟାନ ଦିଅନ୍ତୁ ଯେ ଯାଜକମାନଙ୍କ ଭଳି ଅଧିପତିମାନେ ମଧ୍ୟ ଲୋକମାନଙ୍କ ଦ୍ୱାରା ଉପହାର ରୂପେ ଦିଆଯାଇଥିବା ଜମିରେ ରହିଥାʼନ୍ତେ। (ଯିହିଜିକଲ ୪୫:୧୬) ଅର୍ଥାତ୍, ପୁଣିଥରେ ସ୍ଥାପିତ କରାଯାଇଥିବା ଏହି ଦେଶରେ ଯେଉଁମାନଙ୍କୁ ନେତୃତ୍ୱ ନେବା ପାଇଁ ଯିହୋବା ନିଯୁକ୍ତ କରିଥାʼନ୍ତେ, ସେମାନଙ୍କୁ ଲୋକେ ସାହାଯ୍ୟ କରିଥାʼନ୍ତେ। ଲୋକମାନେ ନେତୃତ୍ୱ ନେଉଥିବା ଏହି ବ୍ୟକ୍ତିମାନଙ୍କର ପରାମର୍ଶଗୁଡ଼ିକୁ ପାଳନ କରି ସେମାନଙ୍କୁ ସାହାଯ୍ୟ କରିବା ଉଚିତ୍ ଥିଲା। ଏହି ଦେଶ ଉତ୍ତମ ବ୍ୟବସ୍ଥା, ପାରସ୍ପାରିକ ସହଯୋଗ ଓ ସୁଖ-ଶାନ୍ତିର ଏକ ଦର୍ଶନ ଥିଲା।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୨ ୪୬୭ ¶୪
ନାମ
ଯେତେବେଳେ ଇସ୍ରାଏଲୀୟମାନେ ଈଶ୍ୱରଙ୍କ ଧାର୍ମିକ ସ୍ତରଗୁଡ଼ିକ ଅନୁଯାୟୀ ଚାଲିଲେ ନାହିଁ, ସେତେବେଳେ ସେମାନେ ତାହାଙ୍କ ନାମକୁ ଅପବିତ୍ର ବା କଳୁଷିତ କଲେ। (ଯିହି ୪୩:୮; ଆମୋ ୨:୭) ଇସ୍ରାଏଲୀୟମାନେ ଈଶ୍ୱରଙ୍କ ପ୍ରତି ବିଶ୍ୱାସଘାତ କଲେ ଏବଂ ପରିଣାମସ୍ୱରୂପ, ଯିହୋବା ସେମାନଙ୍କୁ ଦଣ୍ଡ ଦେଲେ। ଫଳରେ ଅନ୍ୟ ରାଷ୍ଟ୍ରର ଲୋକମାନେ ଯିହୋବାଙ୍କ ନାମର ପରିହାସ କଲେ। (ଗୀତ ୭୪:୧୦, ୧୮ ଏବଂ ଯିଶା ୫୨:୫ ସହିତ ତୁଳନା କରନ୍ତୁ।) ଏହି ରାଷ୍ଟ୍ରଗୁଡ଼ିକର ଲୋକମାନେ ଭାବିଲେ ଯେ ଯିହୋବା ନିଜ ଲୋକମାନଙ୍କୁ ରକ୍ଷା କରିପାରନ୍ତି ନାହିଁ, ତେଣୁ ସେମାନଙ୍କ ଉପରେ ସମସ୍ୟାଗୁଡ଼ିକ ଆସୁଛି। ସେମାନେ ଏହା ବୁଝିବାରେ ବାଦ୍ ପଡ଼ିଗଲେ ଯେ ପ୍ରକୃତରେ ଯିହୋବା ଇସ୍ରାଏଲୀୟମାନଙ୍କୁ ଦଣ୍ଡ ଦେଉଛନ୍ତି। ନିଜ ନାମରେ ଲାଗିଥିବା କଳଙ୍କକୁ ଲିଭାଇବା ପାଇଁ ଯିହୋବା ପଦକ୍ଷେପ ନେଲେ ଏବଂ ଅବଶିଷ୍ଟ ଇସ୍ରାଏଲୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିଲେ।—ଯିହି ୩୬:୨୨-୨୪.
ଇନସାଇଟ୍-୨ ୧୪୦
ନ୍ୟାୟ
ଯେଉଁମାନେ ଯିହୋବାଙ୍କ ମଞ୍ଜୁରି ପାଇବାକୁ ଚାହାନ୍ତି, ସେମାନଙ୍କଠାରୁ ସେ ଆଶା କରନ୍ତି ଯେ ସେମାନେ ତାହାଙ୍କ ନ୍ୟାୟର ସ୍ତରଗୁଡ଼ିକୁ ଜାଣନ୍ତୁ ଏବଂ ତାʼ ଅନୁସାରେ ଚାଲନ୍ତୁ। ଆଉ, ଯିହୋବାଙ୍କ ଏପରି ଆଶା ରଖିବା ଯୁକ୍ତିଯୁକ୍ତ ମଧ୍ୟ ଅଟେ। (ଯିଶା ୧:୧୭, ୧୮; ୧୦:୧, ୨; ଯିରି ୭:୫-୭; ୨୧:୧୨; ୨୨:୩, ୪; ଯିହି ୪୫:୯, ୧୦; ଆମୋ ୫:୧୫; ମୀଖା ୩:୯-୧୨; ୬:୮; ଯୀଖ ୭:୯-୧୨)
୧୧-୧୭ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯିହିଜିକଲ ୪୬-୪୮
“ଇସ୍ରାଏଲୀୟମାନଙ୍କୁ ନିଜ ଦେଶକୁ ଫେରିବା ପରେ କେଉଁସବୁ ଆଶିଷ ମିଳିଥାʼନ୍ତା?”
ପ୍ର୯୯-HI ୩/୧ ୧୦ ¶୧୧-୧୨
ଈଶ୍ୱରଙ୍କ ମନ୍ଦିରରେ “ମନୋନିବେଶ କର!”
କʼଣ ଯିହୋବା ସେମାନଙ୍କ ଦେଶ ଉପରେ ଆଶିଷ ଦେଇଥାʼନ୍ତେ? ଏହି ପ୍ରଶ୍ନର ଉତ୍ତର ଦର୍ଶନ ମାଧ୍ୟମରେ ଦିଆଯାଇଥିବା ଭବିଷ୍ୟତବାଣୀରୁ ମିଳିଥାଏ। ଏହି ଦର୍ଶନର ଦୃଶ୍ୟଗୁଡ଼ିକ ହୃଦୟକୁ ଛୁଇଁଯାଏ। ମନ୍ଦିରରୁ ଏକ ଝରଣା ବହିଯାଉଛି, ଯାହା ଆଗକୁ ଚଉଡ଼ା ହୋଇ ହୋଇ ଯାଉଛି ଏବଂ ମୃତ ସାଗରର ପାଖାପାଖି ପହଞ୍ଚିବା ବେଳକୁ ଏହା ଦ୍ରୁତ ଗତିରେ ବହି ଯାଉଥିବା ଏକ ନଦୀ ପାଲଟି ଯାଇଛି। ଏହି ନଦୀ ଯୋଗୁଁ ମୃତ ସାଗରରେ ପୁଣିଥରେ ଜୀବନ ଫେରିଆସେ ଏବଂ ସାଗର କୂଳରେ ମାଛ ଧରାଳିମାନଙ୍କର ବ୍ୟବସାୟ ସମୃଦ୍ଧ ହୋଇଉଠେ। ନଦୀର ଉଭୟ ତଟରେ ପ୍ରତ୍ୟେକ ଋତୁରେ ଫଳୁଥିବା ବହୁତ ଫଳବନ୍ତ ବୃକ୍ଷ ରହିଛି, ଯାହା ଲୋକମାନଙ୍କୁ ପୋଷଣ ଯୋଗାଏ ଏବଂ ସେଗୁଡ଼ିକର ପତ୍ର ରୋଗରୁ ସୁସ୍ଥ ହେବାରେ ସାହାଯ୍ୟ କରିଥାଏ।—ଯିହିଜିକଲ ୪୭:୧-୧୨.
ଏହି ପ୍ରତିଜ୍ଞା ଯୋଗୁଁ ପୂର୍ବରୁ କରାଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ନିଶ୍ଚୟ ପୂରଣ ହେବ ବୋଲି ବନ୍ଦୀରେ ଥିବା ଯିହୁଦୀମାନଙ୍କୁ ଭରସା ମିଳିଲା, ଯେଉଁସବୁକୁ ସେମାନେ ନିଜ ହୃଦୟରେ ରଖିଥିଲେ ଏବଂ ଯେଉଁଗୁଡ଼ିକରେ କୁହାଯାଇଥିଲା ଯେ ଇସ୍ରାଏଲ ଦେଶକୁ ପୁଣିଥରେ ସ୍ଥାପନ କରାଯିବ। ଅନେକ ଥର ଯିହୋବାଙ୍କ ଦ୍ୱାରା ପ୍ରେରିତ ଭବିଷ୍ୟଦ୍ବକ୍ତାମାନେ ପୁଣିଥରେ ସ୍ଥାପନ କରାଯାଇଥିବା ଏବଂ ଜନବସତିପୂର୍ଣ୍ଣ ଏହି ଇସ୍ରାଏଲ ଦେଶର ସମୃଦ୍ଧି ଓ ଆନନ୍ଦ-ଉଲ୍ଲାସ ବିଷୟରେ ବର୍ଣ୍ଣନା କରିଥିଲେ। ସେମାନଙ୍କ ଭବିଷ୍ୟତବାଣୀଗୁଡ଼ିକରେ ବାରମ୍ବାର କୁହାଯାଇଥିଲା ଯେ ଧ୍ୱଂସ ହୋଇଥିବା ଜାଗାଗୁଡ଼ିକ ପୁଣିଥରେ ସ୍ଥାପିତ କରାଯିବ। (ଯିଶାଇୟ ୩୫:୧, ୬, ୭; ୫୧:୩; ଯିହିଜିକଲ ୩୬:୩୫; ୩୭:୧-୧୪) ତେଣୁ ଲୋକେ ଆଶା ରଖିପାରିଲେ ଯେ ଠିକ୍ ଯେପରି ପୁଣିଥରେ ତିଆରି କରାଯାଇଥିବା ମନ୍ଦିରରୁ ଜଳଧାରା ବାହାରୁଥିଲା, ସେହିପରି ସେମାନଙ୍କ ଉପରେ ଯିହୋବାଙ୍କଠାରୁ ଜୀବନ ଦେଉଥିବା ଆଶିଷଗୁଡ଼ିକର ଧାରା ବହିବ। ଏହି ଜୀବନ ଦେଉଥିବା ଆଶିଷଗୁଡ଼ିକରୁ ଆଧ୍ୟାତ୍ମିକ ଭାବେ ମରିଯାଇଥିବା ଜାତିରେ ପୁଣିଥରେ ଜୀବନ ଫେରିଆସିବ। ସେହି ଜାତି ଆଶିଷ ରୂପେ ଆଧ୍ୟାତ୍ମିକ ବିଷୟଗୁଡ଼ିକରେ ଉତ୍ତମ ଉଦାହରଣ ରଖୁଥିବା ପୁରୁଷମାନଙ୍କୁ ପାଇଥାʼନ୍ତେ, ଯେଉଁମାନେ ଧ୍ୱଂସ ପାଇଥିବା ଦେଶକୁ ପୁଣିଥରେ ସ୍ଥାପନ କରିବା କାମରେ ନେତୃତ୍ୱ ନେଇଥାʼନ୍ତେ। ସେମାନେ ଧାର୍ମିକ ହୋଇଥାʼନ୍ତେ ଏବଂ ଦର୍ଶନରେ ନଦୀତଟରେ ଦେଖାଯାଇଥିବା ବଡ଼ ବଡ଼ ବୃକ୍ଷ ଭଳି ମଜବୁତ୍ ହୋଇଥାʼନ୍ତେ। ଯିଶାଇୟ ମଧ୍ୟ ଏମାନଙ୍କୁ “ଧର୍ମରୂପ ବୃକ୍ଷ” କହିଲେ ଏବଂ ଲେଖିଲେ ଯେ ସେମାନେ “ପୁରାତନ ଧ୍ୱଂସିତ ସ୍ଥାନସବୁ ନିର୍ମାଣ କରିବେ।”—ଯିଶାଇୟ ୬୧:୩, ୪.
ପ୍ର୯୯-HI ୩/୧ ୧୦ ¶୧୦
ଈଶ୍ୱରଙ୍କ ମନ୍ଦିରରେ “ମନୋନିବେଶ କର!”
ଦର୍ଶନର ଏହି ପ୍ରତିଶ୍ରୁତିଗୁଡ଼ିକରୁ ବନ୍ଦୀ ଥିବା ସେହି ଯିହୁଦୀମାନଙ୍କୁ କେତେ ସାନ୍ତ୍ୱନା ମିଳିଥିବ! ସେମାନଙ୍କୁ ଭରସା ଦିଆଯାଇଥିଲା ଯେ ପ୍ରତ୍ୟେକ ପରିବାର ଉତ୍ତରାଧିକାରୀ ଭାବେ ନିଜ ନିଜ ଜମି ପାଇଥାʼନ୍ତେ। (ମୀଖା ୪:୪ ସହିତ ତୁଳନା କରନ୍ତୁ।) ସେହି ଦେଶରେ ସତ୍ୟ ଈଶ୍ୱରଙ୍କ ଉପାସନାକୁ ଉଚ୍ଚୀକୃତ କରାଯାଇଥାʼନ୍ତା ଏବଂ ପ୍ରତ୍ୟେକେ ଯିହୋବାଙ୍କର ଉପାସନା କରିଥାʼନ୍ତେ। ତାʼ ଛଡ଼ା, ଯିହିଜିକଲଙ୍କ ଦର୍ଶନରେ ଧ୍ୟାନ ଦିଅନ୍ତୁ ଯେ ଯାଜକମାନଙ୍କ ଭଳି ଅଧିପତିମାନେ ମଧ୍ୟ ଲୋକମାନଙ୍କ ଦ୍ୱାରା ଉପହାର ରୂପେ ଦିଆଯାଇଥିବା ଜମିରେ ରହିଥାʼନ୍ତେ। (ଯିହିଜିକଲ ୪୫:୧୬) ଅର୍ଥାତ୍, ପୁଣିଥରେ ସ୍ଥାପିତ କରାଯାଇଥିବା ଏହି ଦେଶରେ ଯେଉଁମାନଙ୍କୁ ନେତୃତ୍ୱ ନେବା ପାଇଁ ଯିହୋବା ନିଯୁକ୍ତ କରିଥାʼନ୍ତେ, ସେମାନଙ୍କୁ ଲୋକେ ସାହାଯ୍ୟ କରିଥାʼନ୍ତେ। ଲୋକମାନେ ନେତୃତ୍ୱ ନେଉଥିବା ଏହି ବ୍ୟକ୍ତିମାନଙ୍କର ପରାମର୍ଶଗୁଡ଼ିକୁ ପାଳନ କରି ସେମାନଙ୍କୁ ସାହାଯ୍ୟ କରିବା ଉଚିତ୍ ଥିଲା। ଏହି ଦେଶ ଉତ୍ତମ ବ୍ୟବସ୍ଥା, ପାରସ୍ପାରିକ ସହଯୋଗ ଓ ସୁଖ-ଶାନ୍ତିର ଏକ ଦର୍ଶନ ଥିଲା।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୯୯-HI ୩/୧ ୧୧ ¶୧୪
ଈଶ୍ୱରଙ୍କ ମନ୍ଦିରରେ “ମନୋନିବେଶ କର!”
କʼଣ ଏସବୁ ଘଟିବା ପରେ ଯିହିଜିକଲଙ୍କ ଦର୍ଶନର ପୂର୍ତ୍ତି ହୋଇଗଲା? ଆଦୌ ନୁହଁ। ଏହି ଦର୍ଶନରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକର ଆହୁରି ବଡ଼ ଧରଣର ପୂର୍ତ୍ତି ହେବାର ଥିଲା। କିପରି? ଆସନ୍ତୁ ଦେଖିବା: ଯିହିଜିକଲ ଦର୍ଶନରେ ଯେଉଁ ଆକାରର ମନ୍ଦିର ଦେଖିଥିଲେ, ବାସ୍ତବରେ ତାକୁ ନିର୍ମାଣ କରିବା ଅସମ୍ଭବ ଥିଲା। ଏହା ସତ ଯେ ଯିହୁଦୀମାନେ ଏହି ଦର୍ଶନକୁ ଗୁରୁତର ଭାବେ ନେଲେ ଏବଂ କିଛି ମାତ୍ରାରେ ମନ୍ଦିରକୁ ଦର୍ଶନ ଅନୁସାରେ ନିର୍ମାଣ କଲେ। କିନ୍ତୁ ଯିହିଜିକଲ ଦର୍ଶନରେ ଦେଖିଥିବା ମନ୍ଦିର ପାଇଁ ମୋରୀୟା ପାହାଡ଼ ମଧ୍ୟ କମ୍ ପଡ଼ିଥାʼନ୍ତା, ଯେଉଁଠାରେ ପୂର୍ବେ ମନ୍ଦିର ଥିଲା। କେବଳ ଏତିକି ନୁହଁ, ଦର୍ଶନର ମନ୍ଦିରଟି ନଗର ଭିତରେ ନ ଥିଲା, ବରଂ ଏହା ନଗର ନିକଟବର୍ତ୍ତୀ ଏକ ଭିନ୍ନ ଜମିରେ ଥିଲା। କିନ୍ତୁ ଯିରୂଶାଲମ ନଗରରେ ନିର୍ମାଣ କରାଯାଇଥିବା ଦ୍ୱିତୀୟ ମନ୍ଦିର ସେହି ଜାଗାରେ ଥିଲା, ଯେଉଁଠାରେ ପ୍ରଥମ ମନ୍ଦିର ଥିଲା। (ଏଜ୍ରା ୧:୧, ୨) ତାʼ ଛଡ଼ା, ଯିରୂଶାଲମ ମନ୍ଦିରରୁ କେବେ ମଧ୍ୟ କୌଣସି ବାସ୍ତବିକ ନଦୀ ବାହାରି ନ ଥିଲା। ତେଣୁ ପ୍ରାଚୀନ ଇସ୍ରାଏଲରେ ଯିହିଜିକଲଙ୍କ ଭବିଷ୍ୟତବାଣୀର ଛୋଟ ଧରଣର ପୂର୍ତ୍ତି ହେଲା। ଏଥିରୁ ଜଣାପଡ଼େ ଯେ ଭବିଷ୍ୟତରେ ଏହି ଦର୍ଶନର ବଡ଼ ଧରଣର ପୂର୍ତ୍ତି ଅର୍ଥାତ୍ ଆଧ୍ୟାତ୍ମିକ ପୂର୍ତ୍ତି ହେବାର ଥିଲା।
ଇନସାଇଟ୍-୨ ୧୦୦୧
ମନୁଷ୍ୟ-ସନ୍ତାନ
ଏହି ଶବ୍ଦ ଏବ୍ରୀ ଶାସ୍ତ୍ରରେ ସବୁଠାରୁ ଅଧିକ ଯିହିଜିକଲ ବହିରେ ଦେଖିବାକୁ ମିଳିଥାଏ। ଏଥିରେ ଈଶ୍ୱର ୯୦ରୁ ଅଧିକ ଥର ଭବିଷ୍ୟଦ୍ବକ୍ତା ଯିହିଜିକଲଙ୍କୁ “ମନୁଷ୍ୟ-ସନ୍ତାନ” ବୋଲି କହିଛନ୍ତି। (ଯିହି ୨:୧, ୩, ୬, ୮) ଏହି ଉପାଧି ଦ୍ୱାରା ଜଣାଇ ଦିଆଯାଇଛି ଯେ ଭବିଷ୍ୟଦ୍ବକ୍ତା ପୃଥିବୀରେ ରହୁଥିବା ଏକ ସାଧାରଣ ମଣିଷ। ଏହିପରି ଭାବେ, ଏଥିରୁ ଜଣାପଡ଼େ ଯେ ଏହି ଭବିଷ୍ୟଦ୍ବକ୍ତା ଏବଂ ସର୍ବୋପରିସ୍ଥ ଈଶ୍ୱରଙ୍କ ମଧ୍ୟରେ କେତେ ତଫାତ୍ ରହିଛି। ସେ ଲୋକଙ୍କଠାରେ ଈଶ୍ୱରଙ୍କ ତରଫରୁ ବାର୍ତ୍ତା ପହଞ୍ଚାଉଥିବା କେବଳ ଜଣେ ପ୍ରତିନିଧି। ଏହି ସମାନ ଉପାଧି ଦାନିୟେଲ ୮:୧୭ ପଦରେ ଭବିଷ୍ୟଦ୍ବକ୍ତା ଦାନିୟେଲଙ୍କୁ ଦିଆଯାଇଥିଲା।
୧୮-୨୪ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଦାନିୟେଲ ୧-୩
“ଯିହୋବାଙ୍କର ବିଶ୍ୱସ୍ତ ରହନ୍ତୁ ଏବଂ ଆଶିଷ ପାଆନ୍ତୁ”
ପ୍ର୧୫-HI ୭/୧୫ ୨୫ ¶୧୫-୧୬
ଈଶ୍ୱରଙ୍କ ରାଜ୍ୟ ପ୍ରତି ନିଜ ବିଶ୍ୱସ୍ତତାକୁ ବଜାୟ ରଖନ୍ତୁ
ଆମେ ଯିହୋବାଙ୍କ ସେବା ଶୁଦ୍ଧ ବିବେକର ସହିତ କରିବା ପାଇଁ ଚାହିଁଥାଉ। ଏହା ଯୋଗୁଁ ହୁଏତ ସମୟ ସମୟରେ ଆମେ ନିଜ ସହକର୍ମୀ, ସ୍କୁଲ-କଲେଜର ସହପାଠୀ, ପଡ଼ୋଶୀ କିମ୍ବା ବନ୍ଧୁବାନ୍ଧବମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଜଣାପଡ଼ୁ। (୧ ପିତ. ୨:୧୯) ଆଉ, ଆମେ ଭିନ୍ନ ଦେଖାଯିବା ମଧ୍ୟ ଉଚିତ୍। ଏପରିକି ଯେତେବେଳେ ଲୋକେ ଆମକୁ ଘୃଣା କରନ୍ତି, ସେତେବେଳେ ଆମେ ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହଁ। କାରଣ ଏବିଷୟରେ ଯୀଶୁ ଖ୍ରୀଷ୍ଟ ଆମକୁ ପୂର୍ବରୁ ସତର୍କ କରିଦେଇଥିଲେ। ତାʼ ସହିତ, ମନେ ରଖନ୍ତୁ ଯେ ଯେଉଁ ଲୋକମାନେ ଆମର ବିରୋଧ କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଜାଣନ୍ତି ନାହିଁ। ତେଣୁ ସେମାନେ ଏହା ବୁଝିପାରନ୍ତି ନାହିଁ ଯେ ଆମ ପାଇଁ ମାନବୀୟ ସରକାର ପରିବର୍ତ୍ତେ ଈଶ୍ୱରଙ୍କ ରାଜ୍ୟର ବିଶ୍ୱସ୍ତ ରହିବା କାହିଁକି ଏତେ ମହତ୍ତ୍ୱପୂର୍ଣ୍ଣ।
ଯିହୋବାଙ୍କ ପ୍ରତି ନିଜ ବିଶ୍ୱସ୍ତତାକୁ ବଜାୟ ରଖିବା ପାଇଁ ଏହା ଜରୁରୀ ଯେ ଲୋକେ ଯାହା ମଧ୍ୟ ଆମକୁ ଧମକ ଦିଅନ୍ତୁ ନା କାହିଁକି, ଆମେ ତାହାଙ୍କ ଆଜ୍ଞା ପାଳନ କରିବା ଉଚିତ୍। (ଦାନି. ୩:୧୬-୧୮) ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯିବା ଛୋଟ ପିଲା ଓ କିଶୋର-କିଶୋରୀମାନଙ୍କ ପାଇଁ ଆହୁରି ଅଧିକ କଠିନ ହୋଇପାରେ। ପିତାମାତାମାନେ, ଏଥିପାଇଁ ନିଜ ପିଲାଙ୍କୁ ସ୍କୁଲରେ ସମସ୍ୟାଗୁଡ଼ିକୁ ସାହସର ସହିତ ସାମନା କରିବା ପାଇଁ ସାହାଯ୍ୟ କରନ୍ତୁ। ଆପଣଙ୍କ ପିଲା ହୁଏତ ଜାତୀୟ ପତାକାକୁ ସାଲ୍ୟୁଟ୍ କରିବା କିମ୍ବା ଜାତୀୟ ସମାରୋହଗୁଡ଼ିକରେ ଭାଗ ନେବା ପାଇଁ ଅସ୍ୱୀକାର କରିବାକୁ ଭୟ କରିପାରେ। ତେଣୁ ଆପଣଙ୍କ ପାରିବାରିକ ଉପାସନାରେ ଅଧ୍ୟୟନ କରନ୍ତୁ ଯେ ଏହି ସମସ୍ୟାର କିପରି ସମାଧାନ କରାଯାଇପାରିବ। ନିଜ ପିଲାଙ୍କୁ ଶିଖାନ୍ତୁ ଯେ ସେମାନେ ଯାହା ବିଶ୍ୱାସ କରନ୍ତି, ତାହା ଅନ୍ୟମାନଙ୍କୁ ସ୍ପଷ୍ଟ ଭାବେ ଓ ଆଦରର ସହିତ କିପରି ଜଣାଇପାରିବେ। (ରୋମୀ. ୧:୧୬) ଯଦି ଆବଶ୍ୟକ ହୁଏ, ତେବେ ଆପଣ ନିଜେ ଯାଇ ପିଲାଙ୍କ ଶିକ୍ଷକମାନଙ୍କ ସହିତ କଥା ହୁଅନ୍ତୁ ଏବଂ ସେମାନଙ୍କୁ ବୁଝାନ୍ତୁ ଯେ ଆମେ କʼଣ ବିଶ୍ୱାସ କରିଥାଉ।
ପ୍ର୧୩-HI ୧/୧୫ ୧୦ ¶୧୩
ସାହସୀ ହୁଅନ୍ତୁ—ଯିହୋବା ଆପଣଙ୍କ ସହିତ ଅଛନ୍ତି!
ଖ୍ରୀଷ୍ଟ ପୂର୍ବ ସପ୍ତମ ଶତାବ୍ଦୀରେ ଯିହୋବାଙ୍କ ତିନି ଏବ୍ରୀ ସେବକ ଏହାର ସ୍ପଷ୍ଟ ପ୍ରମାଣ ଦେଖିଲେ ଯେ ବିଶ୍ୱାସ ଓ ସାହସର ସହିତ କାମ କରୁଥିବା ଲୋକମାନଙ୍କୁ ଈଶ୍ୱର ଆଶିଷ ଦେଇଥାʼନ୍ତି। ନବୂଖଦ୍ନିତ୍ସର ରାଜା ବାବିଲର ଉଚ୍ଚପଦସ୍ଥ ବ୍ୟକ୍ତିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହେବା ପାଇଁ ଆଜ୍ଞା ଦେଲା ଏବଂ ସେଠାରେ ସେମାନଙ୍କୁ ସୁନାର ଏକ ବିଶାଳ ମୂର୍ତ୍ତିକୁ ପ୍ରଣାମ କରିବା ପାଇଁ କଡ଼ା ଆଦେଶ ଦେଲା। ରାଜା କହିଲା ଯେ ଯେକେହି ସେହି ମୂର୍ତ୍ତିକୁ ପ୍ରଣାମ ନ କରିବ, ତାକୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ଫିଙ୍ଗି ଦିଆଯିବ। ଯିହୋବାଙ୍କ ଉପାସନା କରୁଥିବା ସେହି ତିନି ଏବ୍ରୀ ସମ୍ପୂର୍ଣ୍ଣ ଆଦରର ସହିତ ନବୂଖଦ୍ନିତ୍ସରକୁ କହିଲେ: “ଆମ୍ଭେମାନେ ଯାହାଙ୍କର ସେବା କରୁ, ଆମ୍ଭମାନଙ୍କର ସେହି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି; ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ମାତ୍ର ଯେବେ ନ କରନ୍ତି, ତେବେ ହେ ମହାରାଜ, ଆମ୍ଭେମାନେ ଯେ ଆପଣଙ୍କ ଦେବତାଗଣର ସେବା କରିବୁ ନାହିଁ, କିଅବା ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ-ପ୍ରତିମାକୁ ପ୍ରଣାମ କରିବୁ ନାହିଁ, ଏହା ଆପଣ ଜ୍ଞାତ ହେଉନ୍ତୁ।” (ଦାନି. ୩:୧୬-୧୮) ଶେଷରେ ତିନି ଏବ୍ରୀଙ୍କୁ ଅଗ୍ନିକୁଣ୍ଡରେ ପକାଇ ଦିଆଗଲା। କିନ୍ତୁ, ଦାନିୟେଲ ୩:୧୯-୩୦ ପଦରେ ବର୍ଣ୍ଣନା କରାଯାଇଛି ଯେ ଈଶ୍ୱର ସେମାନଙ୍କୁ କିଭଳି ରକ୍ଷା କଲେ ଏବଂ ତାହା ଅତି ରୋମାଞ୍ଚକର ଥିଲା। ହୁଏତ ଆଜି ଆମକୁ ଅଗ୍ନିକୁଣ୍ଡରେ ଫିଙ୍ଗି ଦେବାର ଧମକ ଦିଆଯାଏ ନାହିଁ, କିନ୍ତୁ କୌଣସି ନା କୌଣସି ପ୍ରକାରେ ଆମର ପରୀକ୍ଷା ନିଶ୍ଚୟ ହୋଇଥାଏ। ଯଦି ଆମେ ବିଶ୍ୱାସ ଓ ସାହସର ସହିତ ନିଜ ବିଶ୍ୱସ୍ତତା ବଜାୟ ରଖିବା, ତେବେ ଆମେ ଦୃଢ଼ ଭରସା ରଖିପାରିବା ଯେ ଈଶ୍ୱର ଆମକୁ ନିଶ୍ଚୟ ଆଶିଷ ଦେବେ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୨ ୩୮୨
ମୈଶକ
ସମ୍ଭବତଃ, ତିନୋଟି କାରଣ ଯୋଗୁଁ ସେମାନେ ରାଜାଙ୍କ ତରଫରୁ ମିଳିଥିବା ସୁସ୍ୱାଦୁ ଖାଦ୍ୟକୁ “ଅଶୁଚି” ମନେ କଲେ: (୧) ବାବିଲର ଲୋକେ ଏପରି ଜୀବଜନ୍ତୁମାନଙ୍କ ମାଂସ ଖାଉଥିଲେ, ଯେଉଁଗୁଡ଼ିକୁ ମୋଶାଙ୍କ ଜରିଆରେ ଦିଆଯାଇଥିବା ନିୟମରେ ଅଶୁଚି ବୋଲି କୁହାଯାଇଥିଲା; (୨) ସେମାନେ ଏହା ପ୍ରତି ଆଦୌ ଧ୍ୟାନ ଦେଉ ନ ଥିଲେ ଯେ ଜୀବଜନ୍ତୁମାନଙ୍କର ରକ୍ତ ଭଲ ଭାବେ ବୋହିଯାଉ, ସେମାନେ ଏପରି ମାଂସ ମଧ୍ୟ ଖାଉଥିଲେ, ଯାହା ହୁଏତ ଗଳାଚିପି ହତ୍ୟା କରାଯାଇଥିବା ଜୀବଜନ୍ତୁମାନଙ୍କର ଥିଲା; (୩) ଯେଉଁମାନେ ଯିହୋବାଙ୍କ ଉପାସକ ନ ଥିଲେ, ସେମାନେ ନିଜ ଦେବାଦେବୀଙ୍କ ପାଇଁ ଜୀବଜନ୍ତୁମାନଙ୍କର ବଳି ଚଢ଼ାଉଥିଲେ ଏବଂ ତାʼପରେ ସେହି ମାଂସ ଖାଉଥିଲେ, ତେଣୁ ଏପରି ମାଂସ ଖାଇବା ସେହି ମିଥ୍ୟା ଉପାସନାରେ ସାମିଲ୍ ହେବା ସହିତ ସମାନ ହୋଇଥାʼନ୍ତା।—ଦାନି ୧:୮; ୧କରି ୧୦:୧୮-୨୦, ୨୮ ସହିତ ତୁଳନା କରନ୍ତୁ।
ପ୍ର୧୨-HI ୬/୧୫ ୧୭, ବକ୍ସ
‘ଏହିସବୁ ରାଜ୍ୟରେ’ କେଉଁ କେଉଁ ରାଜ୍ୟ ସାମିଲ୍ ରହିଛି?
ଦାନିୟେଲ ୨:୪୪ ପଦରେ ଦିଆଯାଇଥିବା ଭବିଷ୍ୟତବାଣୀ କହେ ଯେ ଈଶ୍ୱରଙ୍କ ରାଜ୍ୟ “ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ।” ଏହି ଭବିଷ୍ୟତବାଣୀ କେବଳ ସେହି ରାଜ୍ୟଗୁଡ଼ିକ ବିଷୟରେ କହେ, ଯାହା ମୂର୍ତ୍ତିର ଭିନ୍ନ ଭିନ୍ନ ଭାଗଗୁଡ଼ିକ ସାହାଯ୍ୟରେ ଦର୍ଶାଯାଇଛି।
ତେବେ ଅନ୍ୟସବୁ ରାଜ୍ୟ ବା ମାନବୀୟ ସରକାରଗୁଡ଼ିକ ବିଷୟରେ କʼଣ? ଏବିଷୟରେ ପ୍ରକାଶିତ ବାକ୍ୟ ବହି ଆହୁରି ଅଧିକ ତଥ୍ୟ ଦେଇଥାଏ। ଏହା କହେ ଯେ ‘ସମସ୍ତ ଜଗତର ରାଜାମାନେ’ ‘ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନରେ’ ତାହାଙ୍କ ବିରୁଦ୍ଧରେ ଏକତ୍ରିତ ହେବେ। (ପ୍ରକା. ୧୬:୧୪; ୧୯:୧୯-୨୧) ତେଣୁ ହର୍ମିଗିଦ୍ଦୋନ୍ ଯୁଦ୍ଧରେ ଯେ କେବଳ ମୂର୍ତ୍ତିର ଭିନ୍ନ ଭିନ୍ନ ଭାଗ ସାହାଯ୍ୟରେ ଦର୍ଶାଯାଇଥିବା ରାଜ୍ୟଗୁଡ଼ିକୁ ବିନାଶ କରାଯିବ ତାʼ ନୁହଁ, ବରଂ ସମସ୍ତ ମାନବୀୟ ସରକାରଗୁଡ଼ିକୁ ବିନାଶ କରିଦିଆଯିବ।
ପ୍ର୦୧-HI ୧୦/୧୫ ୬ ¶୪
ପୃଥିବୀରେ ସୁଖଶାନ୍ତି ଆସିବାର ଏକମାତ୍ର ମାଧ୍ୟମ
ଏହାର ଉତ୍ତର ଦାନିୟେଲ ୨:୪୪ ପଦରେ ମିଳେ: “[ବର୍ତ୍ତମାନ ଜଗତର ଶେଷକାଳରେ ଶାସନ କରୁଥିବା] ସେହି ରାଜଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ା ଯିବ ନାହିଁ; ମାତ୍ର ତାହା ଏହିସବୁ [ମଣିଷ ଦ୍ୱାରା ଗଠିତ] ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ।” ଈଶ୍ୱରଙ୍କ ରାଜ୍ୟ ପୃଥିବୀର ସରକାରଗୁଡ଼ିକୁ କାହିଁକି “ଖଣ୍ଡ ଖଣ୍ଡ” କରିଦେବ? କାରଣ ଏହି ସରକାରଗୁଡ଼ିକ ଈଶ୍ୱରଙ୍କ ବିରୁଦ୍ଧରେ ଯାଇ ନିଜେ ଶାସନ କରିବା ପାଇଁ ଜିଦ୍ କରିଥାʼନ୍ତି। ଏପରି ସ୍ୱଭାବକୁ ପ୍ରକୃତରେ ଶୟତାନ ଏଦନ ଉଦ୍ୟାନରେ ପ୍ରୋତ୍ସାହନ ଦେଇଥିଲା। ଶୟତାନର ଏହି ସ୍ୱଭାବକୁ ପ୍ରଦର୍ଶନ କରିବାରେ ବଜାୟ ରଖିବା ପାଇଁ ଚେଷ୍ଟା କରୁଥିବା ଲୋକେ କେବଳ ଯେ ମଣିଷମାନଙ୍କର କ୍ଷତି କରନ୍ତି ତାʼ ନୁହଁ, ବରଂ ସେମାନେ ସୃଷ୍ଟିକର୍ତ୍ତାଙ୍କର ମଧ୍ୟ ବିରୁଦ୍ଧରେ ଯାଇଥାʼନ୍ତି। (ଗୀତସଂହିତା ୨:୬-୧୨; ପ୍ରକାଶିତ ବାକ୍ୟ ୧୬:୧୪, ୧୬) ତେଣୁ ଆମେ ନିଜକୁ ପଚାରିବା ଉଚିତ୍ ଯେ ‘ମୁଁ ଈଶ୍ୱରଙ୍କ ଶାସନର ସପକ୍ଷରେ ଅଛି, ନା ତାହାଙ୍କ ବିରୁଦ୍ଧରେ?’
୨୫ ସେପ୍ଟେମ୍ବର–୧ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଦାନିୟେଲ ୪-୬
“ଆପଣ କʼଣ ଲଗାତାର ଯିହୋବାଙ୍କର ସେବା କରୁଛନ୍ତି?”
ପ୍ର୧୦-HI ୧୧/୧୫ ୬ ¶୧୬
ଯୁବକଯୁବତୀମାନେ—ଈଶ୍ୱରଙ୍କ ବାକ୍ୟର ମାର୍ଗଦର୍ଶନ ଅନୁଯାୟୀ ଚାଲନ୍ତୁ
ଆପଣଙ୍କୁ ଏକାନ୍ତରେ ମଧ୍ୟ ଯିହୋବାଙ୍କ ଆଜ୍ଞା କାହିଁକି ପାଳନ କରିବା ଉଚିତ୍? ମନେ ରଖନ୍ତୁ: ଏକାନ୍ତରେ ଆପଣ ଯାହା କରନ୍ତି, ତାʼ ଦ୍ୱାରା ହୁଏତ ଆପଣ ଯିହୋବାଙ୍କ ହୃଦୟକୁ କଷ୍ଟ ଦେଇପାରନ୍ତି କିମ୍ବା ତାହାଙ୍କୁ ଖୁସି କରିପାରନ୍ତି। (ଆଦି. ୬:୫, ୬; ହିତୋ. ୨୭:୧୧) ଯିହୋବା ‘ଆପଣମାନଙ୍କ ନିମନ୍ତେ ଚିନ୍ତା କରନ୍ତି,’ ତେଣୁ ଆପଣଙ୍କ ପ୍ରତ୍ୟେକ କାମର ପ୍ରଭାବ ତାହାଙ୍କ ଉପରେ ପଡ଼ିଥାଏ। (୧ ପିତ. ୫:୭) ସେ ଚାହାନ୍ତି ଯେ ଆପଣ ତାହାଙ୍କ କଥା ଶୁଣନ୍ତୁ, କାରଣ ସେ ଜାଣନ୍ତି ଯେ ଏହାଦ୍ୱାରା ଆପଣଙ୍କର କʼଣ ଲାଭ ହେବ। (ଯିଶା. ୪୮:୧୭, ୧୮) ଯେତେବେଳେ ପ୍ରାଚୀନ ଇସ୍ରାଏଲରେ ଯିହୋବାଙ୍କର କିଛି ସେବକମାନେ ତାହାଙ୍କ ପରାମର୍ଶକୁ ଶୁଣିଲେ ନାହିଁ, ସେତେବେଳେ ଯିହୋବା ଅତି ଦୁଃଖିତ ହେଲେ। (ଗୀତ. ୭୮:୪୦, ୪୧) ଅନ୍ୟପକ୍ଷରେ, ଭବିଷ୍ୟଦ୍ବକ୍ତା ଦାନିୟେଲ ଯିହୋବାଙ୍କର ଅତି ପ୍ରିୟ ଥିଲେ ଏବଂ ଜଣେ ସ୍ୱର୍ଗଦୂତ ତାହାଙ୍କୁ “ଅତ୍ୟନ୍ତ ପ୍ରିୟପାତ୍ର” ବୋଲି କହିଲେ। (ଦାନି. ୧୦:୧୧) କାହିଁକି? କାରଣ ଦାନିୟେଲ ନିଜ ବିଶ୍ୱସ୍ତତା ଯେ କେବଳ ଲୋକଙ୍କ ସମ୍ମୁଖରେ ଦେଖାଇଲେ ତାʼ ନୁହଁ, ବରଂ ଏକାନ୍ତରେ ମଧ୍ୟ ଦେଖାଇଥିଲେ।—ଦାନିୟେଲ ୬:୧୦ ପଢ଼ନ୍ତୁ।
ପ୍ର୦୬-HI ୧୧/୧ ୨୪ ¶୧୨
କʼଣ ଆପଣ ପବିତ୍ର ବିଷୟଗୁଡ଼ିକ ପ୍ରତି ଯିହୋବାଙ୍କ ଦୃଷ୍ଟିକୋଣ ରଖନ୍ତି?
ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହଁ ଯେ ଖ୍ରୀଷ୍ଟୀୟ ମଣ୍ଡଳୀର ଅଭିଷିକ୍ତ ଖ୍ରୀଷ୍ଟିୟାନ ଏବଂ ସେମାନଙ୍କ ସାଥୀମାନଙ୍କ ଜୀବନ ସହ ଜଡ଼ିତ ଅନେକ ବିଷୟଗୁଡ଼ିକୁ ପବିତ୍ର ମନେ କରାଯାଏ। ସେମଧ୍ୟରୁ ଗୋଟିଏ ହେଉଛି, ଯିହୋବାଙ୍କ ସହିତ ଆମର ସମ୍ପର୍କ। (୧ ବଂଶାବଳୀ ୨୮:୯; ଗୀତସଂହିତା ୩୬:୭) ଏହି ସମ୍ପର୍କ ଆମ ପାଇଁ ଏତେ ବହୁମୂଲ୍ୟ ଯେ ଆମେ ଯେକୌଣସି ମଣିଷ କିମ୍ବା ବିଷୟକୁ ଯିହୋବା ଏବଂ ଆମ ସମ୍ପର୍କ ମଧ୍ୟରେ ଆସିବାକୁ ଦେଇ ନ ଥାଉ। (୨ ବଂଶାବଳୀ ୧୫:୨; ଯାକୁବ ୪:୭, ୮) ଏହି ଅତୁଟ ସମ୍ପର୍କକୁ ବଜାୟ ରଖିବା ପାଇଁ ପ୍ରାର୍ଥନା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ। ଦାନିୟେଲ ଭବିଷ୍ୟଦ୍ବକ୍ତା ପ୍ରତିଦିନ ପ୍ରାର୍ଥନା କରୁଥିଲେ ଏବଂ ଏହା ତାଙ୍କ ପାଇଁ ଏତେ ପବିତ୍ର ଥିଲା ଯେ ସେ ନିଜ ଜୀବନକୁ ବାଜି ଲଗାଇଦେଲେ ପଛେ, କିନ୍ତୁ ପ୍ରାର୍ଥନା କରିବା ଛାଡ଼ିଲେ ନାହିଁ। (ଦାନିୟେଲ ୬:୭-୧୧) ‘ପବିତ୍ର ଲୋକମାନଙ୍କର [ଅର୍ଥାତ୍ ଅଭିଷିକ୍ତ ଖ୍ରୀଷ୍ଟିୟାନମାଙ୍କର] ପ୍ରାର୍ଥନାଗୁଡ଼ିକୁ’ ମନ୍ଦିରରେ ଉପାସନା ପାଇଁ ବ୍ୟବହୃତ ହେଉଥିବା ଧୂପ ସହିତ ଯୋଡ଼ାଯାଇଛି। (ପ୍ରକାଶିତ ବାକ୍ୟ ୫:୮; ୮:୩, ୪; ଲେବୀ ପୁସ୍ତକ ୧୬:୧୨, ୧୩) ପ୍ରାର୍ଥନାକୁ ଏଭଳି ପ୍ରତୀକ ରୂପେ ବ୍ୟବହାର କରାଯିବା ଦେଖାଏ ଯେ ଏହା କେତେ ପବିତ୍ର। ସମଗ୍ର ବିଶ୍ୱର ଶାସନକର୍ତ୍ତାଙ୍କ ସହ କଥା ହେବା ଆମ ପାଇଁ କେତେ ବଡ଼ ସମ୍ମାନର ବିଷୟ! ଏଥିପାଇଁ ଆମେ ପ୍ରାର୍ଥନାକୁ ଆମ ଜୀବନରେ ପବିତ୍ର ମନେ କରିଥାଉ!
ପ୍ର୦୩-HI ୯/୧୫ ୧୫ ¶୨
ଆମେ ନିରନ୍ତର ପ୍ରାର୍ଥନା କାହିଁକି କରିବା ଉଚିତ୍?
ଯିହୋବାଙ୍କ ଦୃଷ୍ଟିରେ ଦାନିୟେଲ କିପରି ବ୍ୟକ୍ତି ଥିଲେ? ଯେତେବେଳେ ସ୍ୱର୍ଗଦୂତ ଗାବ୍ରିଏଲ ଏକ ପ୍ରାର୍ଥନାର ଉତ୍ତର ଦେବା ପାଇଁ ଦାନିୟେଲଙ୍କ ପାଖକୁ ଆସିଲେ, ସେତେବେଳେ ସେ ତାଙ୍କୁ “ଅତି ପ୍ରିୟ” ବା “ଅତ୍ୟନ୍ତ ପ୍ରିୟପାତ୍ର” ବୋଲି କହିଲେ। (ଦାନିୟେଲ ୯:୨୦-୨୩; ଦି ନ୍ୟୁ ଇଂଲିସ୍ ବାଇବଲ) ଯିହିଜିକଲଙ୍କ ଭବିଷ୍ୟତବାଣୀରେ ଯିହୋବା ଦାନିୟେଲଙ୍କୁ ଜଣେ ଧାର୍ମିକ ବ୍ୟକ୍ତି ବୋଲି କହିଲେ। (ଯିହିଜିକଲ ୧୪:୧୪, ୨୦) ଦାନିୟେଲ ବର୍ଷ ବର୍ଷ ଧରି କରିଆସିଥିବା ପ୍ରାର୍ଥନା ଯୋଗୁଁ ଈଶ୍ୱରଙ୍କ ସହିତ ତାଙ୍କର ଏପରି ଏକ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା, ଯାହା ରାଜା ଦାରୀୟାବସକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିଥିଲା।—ଦାନିୟେଲ ୬:୧୬.
ପ୍ର୧୦-HI ୨/୧୫ ୧୮ ¶୧୫
“ଆତ୍ମା ଓ କନ୍ୟା କହନ୍ତି, ଆସ।”
ଦାନିୟେଲ ରାତିସାରା ସିଂହମାନଙ୍କ ଗର୍ତ୍ତରେ ଥିଲେ। ଭୋର ସକାଳୁ ରାଜା ନିଜେ ସେଠାକୁ ଯାଇ ଉଚ୍ଚ ସ୍ୱରରେ କହିଲା: “ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ନିତ୍ୟ ନିତ୍ୟ ଯାହାଙ୍କର ସେବା କରୁଅଛ, ତୁମ୍ଭର ସେହି ପରମେଶ୍ୱର ସିଂହମାନଙ୍କଠାରୁ ତୁମ୍ଭଙ୍କୁ ଉଦ୍ଧାର କରିବାକୁ କି ସମର୍ଥ ଅଟନ୍ତି?” ସେଥିରେ ଦାନିୟେଲ ରାଜାଙ୍କୁ ଉତ୍ତର ଦେଲେ: “ହେ ମହାରାଜ, ଚିରଜୀବୀ ହେଉନ୍ତୁ। ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି; କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା; ପୁଣି, ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରି ନାହି।” ଦାନିୟେଲ “ନିତ୍ୟ ନିତ୍ୟ” ଅର୍ଥାତ୍ ନିୟମିତ ଯିହୋବାଙ୍କ ଉପାସନା କରୁଥିଲେ, ତେଣୁ ଯିହୋବା ତାଙ୍କୁ ଆଶିଷ ଦେଲେ।—ଦାନି. ୬:୧୯-୨୨.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୭-HI ୯/୧ ୧୮ ¶୫
ଦାନିୟେଲ ବହିର ମୁଖ୍ୟାଂଶ
୪:୧୦, ୧୧, ୨୦-୨୨—ନବୂଖଦ୍ନିତ୍ସର ଦେଖିଥିବା ସ୍ୱପ୍ନର ଉଚ୍ଚ ଓ ବିଶାଳ ଗଛ କାହାକୁ ଦର୍ଶାଏ? ସ୍ୱପ୍ନର ପ୍ରଥମ ପୂର୍ତ୍ତି ଅନୁସାରେ ଏହି ଉଚ୍ଚ ଓ ବିଶାଳ ଗଛ ସେତେବେଳର ବିଶ୍ୱଶକ୍ତିର ସମ୍ରାଟ ନବୂଖଦ୍ନିତ୍ସରକୁ ଦର୍ଶାଇଥାଏ। କିନ୍ତୁ ଏହି ଗଛ “ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ” ଦେଖାଯାଉଥିଲା। ଏଥିରୁ ଜଣାପଡ଼େ ଯେ ଗଛଟି ବାବିଲ ସମ୍ରାଟର ଶାସନଠାରୁ ଆହୁରି ଅଧିକ ମହାନ ଓ ବୃହତ୍ ଶାସନକୁ ଦର୍ଶାଉଥିଲା। ଦାନିୟେଲ ୪:୧୭ ପଦ ଏହି ସ୍ୱପ୍ନକୁ ମଣିଷମାନଙ୍କ ଉପରେ ‘ସର୍ବୋପରିସ୍ଥଙ୍କ’ ଶାସନ ସହିତ ଯୋଡ଼ିଥାଏ। ତେଣୁ ଏହି ଗଛ ଏକ ପ୍ରତୀକ ରୂପେ ପୃଥିବୀ ଉପରେ ସର୍ବୋପରିସ୍ଥ ଈଶ୍ୱରଙ୍କ ଶାସନକୁ ମଧ୍ୟ ଦର୍ଶାଇଥାଏ। ଅତଏବ, ନବୂଖଦ୍ନିତ୍ସର ଦେଖିଥିବା ସ୍ୱପ୍ନର ଉଚ୍ଚ ଓ ବିଶାଳ ଗଛର ଦୁଇଟି ପୂର୍ତ୍ତି ରହିଛି—ପ୍ରଥମ, ନବୂଖଦ୍ନିତ୍ସରର ଶାସନ ଏବଂ ଦ୍ୱିତୀୟ, ଯିହୋବାଙ୍କର ସର୍ବୋଚ୍ଚ ଶାସନ।
ପ୍ର୮୮-E ୧୦/୧ ୩୦ ¶୩-୫
ପାଠକମାନଙ୍କ ପ୍ରଶ୍ନ
ଯେତେବେଳେ ଦାନିୟେଲ ନାମକ ଜଣେ ଏବ୍ରୀ ଯୁବକଙ୍କୁ ରାଜାଙ୍କ ସମ୍ମୁଖରେ ଅଣାଗଲା, ସେତେବେଳେ ରାଜା ନିଜ ପ୍ରସ୍ତାବକୁ ପୁଣିଥରେ କହିଲେ। ସେ କହିଲେ ଯେ ଦାନିୟେଲଙ୍କୁ ବାଇଗଣୀ ରଙ୍ଗର ବସ୍ତ୍ର ପିନ୍ଧାଯିବ, ଗଳାରେ ସୁନାର ହାର ଦିଆଯିବ ଏବଂ ରାଜ୍ୟର ତୃତୀୟ ଶାସନକର୍ତ୍ତା କରିଦିଆଯିବ। ଭବିଷ୍ୟଦ୍ବକ୍ତା ନମ୍ରତାର ସହିତ ରାଜାଙ୍କୁ କହିଲେ: “ଆପଣଙ୍କର ଦାନ ଆପଣଙ୍କର ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦେଉନ୍ତୁ; ତଥାପି ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଅର୍ଥ ତାଙ୍କୁ ଜଣାଇବି।”—ଦାନିୟେଲ ୫:୧୭.
ସ୍ୱପ୍ନର ଅର୍ଥ ଜଣାଇବା ପାଇଁ ଦାନିୟେଲଙ୍କୁ କୌଣସି ପାରିଶ୍ରମିକ କିମ୍ବା ଲାଞ୍ଚର ଆବଶ୍ୟକତା ନ ଥିଲା। ସେ କହିଲେ ଯେ ରାଜା ନିଜ ଉପହାର ନିଜ ପାଖରେ ରଖନ୍ତୁ କିମ୍ବା ଅନ୍ୟ କାହାରିକୁ ଦିଅନ୍ତୁ। ସ୍ୱପ୍ନର ଅର୍ଥ ଦାନିୟେଲ ନିଶ୍ଚୟ ଜଣାଇଥାʼନ୍ତେ। କିନ୍ତୁ ସେ କୌଣସି ପୁରସ୍କାର ପାଇବାକୁ ଚାହୁଁ ନ ଥିଲେ, ବରଂ ସେ ଏଥିପାଇଁ ଏହା ଜଣାଇଥାʼନ୍ତେ କାରଣ ସତ୍ୟ ଈଶ୍ୱର ଯିହୋବା ତାଙ୍କୁ ଏପରି କରିବା ପାଇଁ ସାମର୍ଥ୍ୟ ଦେଇଥିଲେ। ଯିହୋବା ଖୁବ୍ ଶୀଘ୍ର ବାବିଲ ଉପରେ ନିଜ ନ୍ୟାୟଦଣ୍ଡ ଆଣିବାକୁ ଯାଉଥିଲେ।
ଦାନିୟେଲ ୫:୨୯ ପଦରେ ଆମେ ପଢ଼ୁ, ଯେତେବେଳେ ଦାନିୟେଲ ସେହି ଶବ୍ଦଗୁଡ଼ିକୁ ପଢ଼ିଲେ ଏବଂ ତାʼର ଅର୍ଥ ବୁଝାଇଲେ, ରାଜା ବେଲ୍ଶତ୍ସର ଦାନିୟେଲଙ୍କୁ ଉପହାର ଦେବା ପାଇଁ ଆଦେଶ ଦେଲା, ଠିକ୍ ଯେପରି ସେ ପୂର୍ବରୁ କହିଥିଲା। ଦାନିୟେଲ ନିଜେ ଏହି ପୋଷାକ କିମ୍ବା ହାର ପିନ୍ଧି ନ ଥିଲେ, ଏସବୁ ତାଙ୍କୁ ରାଜା ବେଲ୍ଶତ୍ସରର ଆଦେଶକ୍ରମେ ପିନ୍ଧାଯାଇଥିଲା। କିନ୍ତୁ ଏହା ଦାନିୟେଲ ୫:୧୭ ପଦର ବିରୁଦ୍ଧରେ ନୁହେଁ, କାରଣ ସେଠାରେ ଭବିଷ୍ୟଦ୍ବକ୍ତା ସ୍ପଷ୍ଟ ଭାବେ କହି ଦେଇଥିଲେ ଯେ ସ୍ୱପ୍ନର ଅର୍ଥ ଜଣାଇବା ପଛରେ ତାଙ୍କର କୌଣସି ସ୍ୱାର୍ଥ ନ ଥିଲା।
ଦାନିୟେଲଙ୍କ ଭବିଷ୍ୟତବାଣୀ (ହିନ୍ଦୀ) ୧୦୯ ¶୨୨
ଚାରୋଟି ଶବ୍ଦ ଯାହା ଇତିହାସକୁ ବଦଳାଇଦେଲା
ଏହିପରି ଭାବରେ କାନ୍ଥରେ ଲେଖାଯାଇଥିବା ଚାରୋଟି ଶବ୍ଦର ରହସ୍ୟ ଖୋଲି ଦିଆଗଲା। ମହାଶକ୍ତିଶାଳୀ ବାବିଲ ଖୁବ୍ ଶୀଘ୍ର ମାଦୀୟ ଓ ପାରସିକମାନଙ୍କ ଦ୍ୱାରା ପରାଜିତ ହେବାକୁ ଯାଉଥିଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ସର୍ବନାଶର ବାର୍ତ୍ତା ଶୁଣି ବେଲ୍ଶତ୍ସର ହତାଶ ହୋଇଯାଇଥିବ। କିନ୍ତୁ ସେ ନିଜ କଥା ରଖିଲା। ସେ ନିଜ ସେବକମାନଙ୍କୁ ଆଦେଶ ଦେଲା ଯେ ଦାନିୟେଲଙ୍କୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧାଯାଉ, ଗଳାରେ ସୁନାର ହାର ଦିଆଯାଉ ଏବଂ ଘୋଷଣା କରାଯାଉ ଯେ ବର୍ତ୍ତମାନଠାରୁ ଦାନିୟେଲ ରାଜ୍ୟର ତୃତୀୟ ଶାସନକର୍ତ୍ତା ହେବେ। (ଦାନିୟେଲ ୫:୨୯) ଦାନିୟେଲ ଏସବୁ ସମ୍ମାନକୁ ଅସ୍ୱୀକାର କଲେ ନାହିଁ, କାରଣ ସେ ଜାଣିଥିଲେ ଯେ ଯେଉଁ ସମ୍ମାନ ତାଙ୍କୁ ମିଳୁଛି, ତାହା ଦ୍ୱାରା ପ୍ରକୃତରେ ଯିହୋବାଙ୍କ ନାମର ହିଁ ମହିମା ହେବ। ସମ୍ଭବତଃ, ବେଲ୍ଶତ୍ସର ଆଶା କରିଥିବ ଯେ ଯଦି ସେ ଯିହୋବାଙ୍କ ଭବିଷ୍ୟଦ୍ବକ୍ତାଙ୍କୁ ଏଭଳି ଆଦର ଓ ସମ୍ମାନ କରେ, ତେବେ ଯିହୋବାଙ୍କ କ୍ରୋଧ କାଳେ କମିଯିବ ଏବଂ ସେ ବେଲ୍ଶତ୍ସର ଉପରେ ଖୁସି ହୋଇ ତାକୁ କ୍ଷମା କରିଦେବେ। ଯଦି ତାʼ ମନରେ ଏପରି ଭାବନା ଆସି ମଧ୍ୟ ଥିବ, ତଥାପି ବର୍ତ୍ତମାନ ଖୁବ୍ ବିଳମ୍ବ ହୋଇଯାଇଥିଲା।