ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr18 ଏପ୍ରିଲ୍‌ ପୃଷ୍ଠା ୧-୬
  • ଏପ୍ରିଲ୍‌—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏପ୍ରିଲ୍‌—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୮)
  • ଉପଶୀର୍ଷକ
  • ୨-୮ ଏପ୍ରିଲ୍‌
  • ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୬
  • ୯-୧୫ ଏପ୍ରିଲ୍‌
  • ୧୬-୨୨ ଏପ୍ରିଲ୍‌
  • ୨୩-୨୯ ଏପ୍ରିଲ୍‌
  • ୩୦ ଏପ୍ରିଲ୍‌–୬ ମେ
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୮)
mwbr18 ଏପ୍ରିଲ୍‌ ପୃଷ୍ଠା ୧-୬

ଏପ୍ରିଲ୍‌—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୨-୮ ଏପ୍ରିଲ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୬

“ନିସ୍ତାର ଓ ସ୍ମାରକ ମଧ୍ୟରେ ସମାନତା ଏବଂ ଅସମାନତା”

ଅଧ୍ୟୟନ ବାଇବଲ—ଚିତ୍ର

ନିସ୍ତାର ଭୋଜନ

ନିସ୍ତାର ଭୋଜନରେ ଏସବୁ ଜିନିଷ ନିଶ୍ଚୟ ଥିଲା: (୧) ନିଆଁରେ ପୋଡ଼ା ଯାଇଥିବା ମେଷଶାବକ (ଏହାର କୌଣସି ହାଡ଼ ଭଙ୍ଗାଯାଉ ନ ଥିଲା), (୨) ତାଡ଼ିଶୂନ୍ୟ ରୋଟୀ ଓ (୩) ପିତା ଶାଗ। (ଯାତ୍ରା. ୧୨:୫, ୮; ଗଣ ୯:୧୧) ମିସନା ଅନୁଯାୟୀ ପିତା ଶାଗ ହୁଏତ ଲେଟ୍ୟୁସ୍‌ (ଯାହାର ପତ୍ର ସାଲାଡ୍‌ରେ ବ୍ୟବହୃତ ହୁଏ), ଚିକୋରୀ (ଗାଜର ଜାତୀୟ ଏକ ଉଦ୍ଭିଦର ପତ୍ର), ପେପରୱୋର୍ଟ୍‌, ଏନ୍‌ଡାଇଭ୍‌ ଓ ଡାଣ୍ଡିଲିଓନ୍‌ (ଏସବୁ ଶାଗ ଜାତୀୟ ଉଦ୍ଭିଦ) ହୋଇପାରେ। ଏହା ସ୍ପଷ୍ଟ ଯେ ଇସ୍ରାଏଲୀୟମାନେ ଏସବୁ ପିତା ଶାଗ ଖାଇବା ଦ୍ୱାରା ସେମାନଙ୍କୁ ମିଶର ଦେଶରେ ଭୋଗିଥିବା ଦାସତ୍ୱର ଯନ୍ତ୍ରଣା ମନେ ପଡ଼ୁଥିଲା। ଯୀଶୁ ତାଡ଼ିଶୂନ୍ୟ ରୋଟୀକୁ ନିଜ ସିଦ୍ଧ ବା ପରିପୂର୍ଣ୍ଣ ଶରୀରର ପ୍ରତୀକ ରୂପେ ବ୍ୟବହାର କଲେ। (ମାଥି ୨୬:୨୬) ପ୍ରେରିତ ପାଉଲ ଯୀଶୁଙ୍କୁ “ନିସ୍ତାର ପର୍ବର ମେଷଶାବକ” ବୋଲି କହିଲେ। (୧କରି ୫:୭) ପ୍ରଥମ ଶତାବ୍ଦୀ ଆଡ଼କୁ ନିସ୍ତାର ପର୍ବର ଭୋଜନରେ (୪) ଦ୍ରାକ୍ଷାରସ ମଧ୍ୟ ସାମିଲ୍‌ କରାଯିବାକୁ ଲାଗିଲା। ଯୀଶୁ ଦ୍ରାକ୍ଷାରସକୁ ନିଜ ରକ୍ତର ପ୍ରତୀକ ରୂପେ ବ୍ୟବହାର କଲେ, ଯେଉଁ ରକ୍ତ ତାହାଙ୍କ ମୃତ୍ୟୁ ସମୟରେ ବଳିଦାନ ରୂପେ ବହିଥାʼନ୍ତା।—ମାଥି ୨୬:୨୭, ୨୮.

ଅଧ୍ୟୟନ ବାଇବଲ—ମାଥି ୨୬:୨୬ ଅଧ୍ୟୟନ ତଥ୍ୟ

ଏହା ମୋହର ଶରୀର: ଯଦିଓ ମୂଳ ଗ୍ରୀକ୍‌ ଲିପିରେ ଥିବା ଯୀଶୁଙ୍କ ଶବ୍ଦଗୁଡ଼ିକୁ “ଏହା ମୋହର ଶରୀର” ବୋଲି ଅନୁବାଦ କରାଯାଇପାରିବ, ତଥାପି ଏହି ପଦରେ ଏହାର ପ୍ରକୃତ ଅର୍ଥ ହେଉଛି, “ଏହା ମୋହର ଶରୀରର ପ୍ରତୀକ।” ଏକଥାକୁ ପ୍ରେରିତମାନେ ଭଲ ଭାବେ ବୁଝିଥିଲେ, କାରଣ ଏହି ଅବସରରେ ଯୀଶୁ ଜୀବିତ ଥିଲେ ଏବଂ ତାହାଙ୍କ ସିଦ୍ଧ ଶରୀର ସେମାନଙ୍କ ସମ୍ମୁଖରେ ଥିଲା। ତାʼ ସହିତ, ଯେଉଁ ତାଡ଼ିଶୂନ୍ୟ ରୋଟୀ ସେମାନେ ଖାଇବାକୁ ଯାଉଥିଲେ, ତାହା ମଧ୍ୟ ସେମାନଙ୍କ ସମ୍ମୁଖରେ ଥିଲା। ତେଣୁ ସେହି ରୋଟୀ କେବେ ବି ତାହାଙ୍କ ବାସ୍ତବିକ ଶରୀର ହୋଇ ନ ପାରେ। ଏହା ଉଲ୍ଲେଖଯୋଗ୍ୟ ଯେ ଏହି ଗ୍ରୀକ୍‌ ଶବ୍ଦ ମାଥି ୧୨:୭ ପଦରେ ମଧ୍ୟ ବ୍ୟବହୃତ ହୋଇଛି ଏବଂ ଅନେକ ଅନୁବାଦରେ ଏହା ପାଇଁ “ମର୍ମ” ଲେଖା ହୋଇଛି।

ଅଧ୍ୟୟନ ବାଇବଲ—ମାଥି ୨୬:୨୮ ଅଧ୍ୟୟନ ତଥ୍ୟ

ନିୟମର ରକ୍ତ: ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଯୋଗୁଁ ଯିହୋବା ଓ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ନୂତନ ଚୁକ୍ତି ବା ନିୟମ ଲାଗୁ ହେଲା। (ଏବ୍ରୀ ୮:୧୦) ଯୀଶୁ ଏଠାରେ ଠିକ୍‌ ସେହି ଶବ୍ଦଗୁଡ଼ିକ ବ୍ୟବହାର କଲେ, ଯାହା ମୋଶା ସୀନୟ ପର୍ବତ ତଳେ ଯିହୋବା ଓ ଇସ୍ରାଏଲୀୟମାନଙ୍କ ମଧ୍ୟରେ ମଧ୍ୟସ୍ଥି ହୋଇ ନିୟମର ଚୁକ୍ତି ଲାଗୁ କରାଇଥିବା ବେଳେ କହିଥିଲେ। (ଯାତ୍ରା. ୨୪:୮; ଏବ୍ରୀ ୯:୧୯-୨୧) ଯେପରି ବଳଦ ଓ ଛେଳିମାନଙ୍କର ରକ୍ତରୁ ଯିହୋବା ଓ ଇସ୍ରାଏଲୀୟମାନଙ୍କ ମଧ୍ୟରେ ନିୟମର ଚୁକ୍ତି ସ୍ଥାପିତ ହେଲା, ଠିକ୍‌ ସେହିପରି ଯୀଶୁଙ୍କ ରକ୍ତରୁ ଯିହୋବା ଓ ‘ଈଶ୍ୱରଙ୍କର ଇସ୍ରାଏଲ’ ମଧ୍ୟରେ ନୂତନ ଚୁକ୍ତି ସ୍ଥାପିତ ହେଲା। ଏହି ଚୁକ୍ତି ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନଠାରୁ ଲାଗୁ ହେଲା।—ଏବ୍ରୀ ୯:୧୪, ୧୫.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଅଧ୍ୟୟନ ବାଇବଲ—ମାଥି ୨୬:୧୭ ଅଧ୍ୟୟନ ତଥ୍ୟ

ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ: ଖମୀରଶୂନ୍ୟ ରୋଟୀର ପର୍ବ ନୀସନ୍‌ ୧୫ରେ ଅର୍ଥାତ୍‌ ନିସ୍ତାର (ନୀସନ୍‌ ୧୪) ପର୍ବର ପରବର୍ତ୍ତୀ ଦିନ ଆରମ୍ଭ ହେଉଥିଲା ଏବଂ ଏହି ପର୍ବକୁ ସାତ ଦିନ ପର୍ଯ୍ୟନ୍ତ ପାଳନ କରାଯାଉଥିଲା। [ଆପେଣ୍ଡିକ୍ସ ଖ୧୫ (ହିନ୍ଦୀ) ଦେଖନ୍ତୁ।] କିନ୍ତୁ ଯୀଶୁଙ୍କ ସମୟରେ ନିସ୍ତାର ପର୍ବ ଖମୀରଶୂନ୍ୟ ରୋଟୀର ପର୍ବ ସହିତ ଏପରି ମିଶି ଯାଇଥିଲା ଯେ ବେଳେ ବେଳେ ପୂରା ଆଠ ଦିନକୁ “ଖମୀରଶୂନ୍ୟ ରୋଟୀର ପର୍ବ” ବୋଲି କୁହାଯାଉଥିଲା। (ଲୂକ ୨୨:୧) ଏହି ସନ୍ଦର୍ଭରେ ‘ପ୍ରଥମ ଦିନର’ ଅନୁବାଦ “ଗୋଟିଏ ଦିନ ପୂର୍ବେ” ମଧ୍ୟ କରାଯାଇପାରେ। (ଯୋହ ୧:୧୫, ୩୦ ପଦ ସହିତ ତୁଳନା କରନ୍ତୁ, ଯେଉଁଠାରେ “ପ୍ରଥମ ଦିନ” ପାଇଁ ଗ୍ରୀକ୍‌ ଶବ୍ଦ [ପ୍ରୋଟୋସ୍‌]ର ଅନୁବାଦ “ପୂର୍ବରେ” କରାଯାଇଛି। ଏହି ପଦଗୁଡ଼ିକରେ ଲେଖାଯାଇଛି, “ସେ ମୋହର ପୂର୍ବରେ [ପ୍ରୋଟୋସ୍‌] ଥିଲେ।”) ତେଣୁ ମୂଳ ଗ୍ରୀକ୍‌ ଶାସ୍ତ୍ର ଏବଂ ଯିହୁଦୀମାନଙ୍କ ସଂସ୍କୃତି ଅନୁସାରେ ଯୀଶୁଙ୍କ ଶିଷ୍ୟମାନେ ଏହି ପ୍ରଶ୍ନ ନୀସନ୍‌ ୧୩ରେ ପଚାରିଥିବେ। ତାʼପରେ, ନୀସନ୍‌ ୧୩ର ଦିନ ବେଳେ ଶିଷ୍ୟମାନେ ନିସ୍ତାର ପର୍ବର ପ୍ରସ୍ତୁତି କଲେ ଏବଂ ସେହିଦିନ “ସନ୍ଧ୍ୟା ହୁଅନ୍ତେ” ଯେତେବେଳେ ନୀସନ୍‌ ୧୪ ଆରମ୍ଭ ହେଲା, ସେମାନେ ନିସ୍ତାର ପର୍ବ ପାଳନ କଲେ।—ମାର୍କ ୧୪:୧୬, ୧୭.

ଅଧ୍ୟୟନ ବାଇବଲ—ମାଥି ୨୬:୩୯ ଅଧ୍ୟୟନ ତଥ୍ୟ

ଏହି ପାନପାତ୍ର ମୋʼଠାରୁ ଦୂର ହେଉ: ବାଇବଲରେ “ପାନପାତ୍ର” ସାଧାରଣତଃ ଲାକ୍ଷଣିକ ଭାବେ ବ୍ୟବହୃତ ହୋଇଛି, ଯାହାର ଅର୍ଥ ଜଣେ ବ୍ୟକ୍ତି ପାଇଁ ଈଶ୍ୱରଙ୍କ ଇଚ୍ଛା କିମ୍ବା ତାକୁ “ମିଳିଥିବା ଭାଗ।” ଯୀଶୁଙ୍କ ପାଇଁ ନିଶ୍ଚିତ ରୂପେ ଚିନ୍ତାର ବିଷୟ ଥିଲା ଯେ ଈଶ୍ୱରଙ୍କ ନିନ୍ଦା କରିବା ଏବଂ ଦେଶଦ୍ରୋହର ଆରୋପରେ ତାହାଙ୍କୁ ଯେଉଁ ମୃତ୍ୟୁଦଣ୍ଡ ଦିଆଯିବ, ସେଥିରୁ ଈଶ୍ୱରଙ୍କର ବଦନାମ୍‌ ହୋଇପାରେ। ତେଣୁ ସେ ପ୍ରାର୍ଥନା କଲେ ଯେ ଏହି “ପାନପାତ୍ର” ତାହାଙ୍କଠାରୁ ଦୂର କରାଯାଉ।

୯-୧୫ ଏପ୍ରିଲ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୭-୨୮

“ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ ଶିଷ୍ୟ କରନ୍ତୁ—କାହିଁକି, କେଉଁଠି ଏବଂ କିପରି?”

ପ୍ର୦୪-ହି ୭/୧ ୮ ¶୪

‘ତୁମ୍ଭେମାନେ ଯାଇ ଲୋକମାନଙ୍କୁ ଶିଷ୍ୟ କର’

ଯୀଶୁଙ୍କର ନିଜ ମଣ୍ଡଳୀ ଉପରେ ଅଧିକାର ରହିଛି ଏବଂ ୧୯୧୪ ଖ୍ରୀଷ୍ଟାବ୍ଦଠାରୁ ସ୍ୱର୍ଗରେ ସ୍ଥାପିତ ହୋଇଥିବା ଈଶ୍ୱରଙ୍କ ରାଜ୍ୟରେ ମଧ୍ୟ ତାହାଙ୍କୁ ଅଧିକାର ମିଳିଛି। (କଲସୀୟ ୧:୧୩; ପ୍ରକାଶିତ ବାକ୍ୟ ୧୧:୧୫) ସେ ହିଁ ପ୍ରଧାନ ଦୂତ ଅଟନ୍ତି, ତେଣୁ କୋଟି କୋଟି ସ୍ୱର୍ଗଦୂତମାନଙ୍କର ସୈନ୍ୟବାହିନୀ ତାହାଙ୍କ ଅଧୀନରେ ଅଛି। (୧ ଥେସଲନୀକୀୟ ୪:୧୬; ୧ ପିତର ୩:୨୨; ପ୍ରକାଶିତ ବାକ୍ୟ ୧୯:୧୪-୧୬) “ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି,” ଯାହା ଧାର୍ମିକତାର ପଥରେ ପ୍ରତିବନ୍ଧକ ସାଜେ, ସେସବୁକୁ ଲୋପ କରିବା ପାଇଁ ଯୀଶୁଙ୍କୁ ତାହାଙ୍କ ପିତା ସାମର୍ଥ୍ୟ ଦେଇଛନ୍ତି। (୧ କରିନ୍ଥୀୟ ୧୫:୨୪-୨୬; ଏଫିସୀୟ ୧:୨୦-୨୩) ଯୀଶୁଙ୍କ ଅଧିକାର ଯେ କେବଳ ଜୀବିତ ଲୋକମାନଙ୍କ ଉପରେ ରହିଛି ତାʼ ନୁହେଁ, ବରଂ ସେ ଉଭୟ “ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା” ଅଟନ୍ତି ଏବଂ ମରିଯାଇଥିବା ଲୋକମାନଙ୍କୁ ପୁଣିଥରେ ଜୀବିତ କରିବା ପାଇଁ ଈଶ୍ୱର ତାହାଙ୍କୁ ଶକ୍ତି ଦେଇଛନ୍ତି। (ପ୍ରେରିତ ୧୦:୪୨; ଯୋହନ ୫:୨୬-୨୮) ନିଶ୍ଚିତ ରୂପେ, ଏତେ ବଡ଼ ଅଧିକାରୀ ଯେତେବେଳେ କୌଣସି ଆଦେଶ ଦିଅନ୍ତି, ସେହି ଆଦେଶକୁ ସବୁଠାରୁ ଅଧିକ ମହତ୍ତ୍ୱ ଦେବା ବହୁତ ଜରୁରୀ। ତେଣୁ ଆମେ ‘ଲୋକମାନଙ୍କୁ ଶିଷ୍ୟ କରିବାର’ ଖ୍ରୀଷ୍ଟଙ୍କ ଆଜ୍ଞାକୁ ଆଦରର ସହିତ ଏବଂ ସ୍ୱେଚ୍ଛାରେ ପାଳନ କରିଥାଉ।

ଅଧ୍ୟୟନ ବାଇବଲ—ମାଥି ୨୮:୧୯, ୨୦ ଅଧ୍ୟୟନ ତଥ୍ୟ

ସମସ୍ତ ଜାତିର ଲୋକଙ୍କୁ: ଏଠାରେ ବ୍ୟବହୃତ ହୋଇଥିବା ଗ୍ରୀକ୍‌ ଶବ୍ଦସମୂହର ଶାବ୍ଦିକ ଅନୁବାଦ ହେଉଛି, “ସମସ୍ତ ଜାତିକୁ।” କିନ୍ତୁ ଏଠାକାର ସନ୍ଦର୍ଭରୁ ଜଣାପଡ଼େ ଯେ ଏହି ଶବ୍ଦସମୂହର ଅର୍ଥ ହେଉଛି, ସମସ୍ତ ଜାତିର ଲୋକମାନଙ୍କୁ। କାରଣ ମାଥି ୨୮:୨୦ ପଦରେ ଥିବା “ସେମାନଙ୍କୁ” ଶବ୍ଦର ଗ୍ରୀକ୍‌ ସର୍ବନାମ ପୁଲିଙ୍ଗ ଅଟେ ଏବଂ ଏହାର ଅର୍ଥ ହେଉଛି, ଲୋକମାନେ। କିନ୍ତୁ “ଜାତି” ଶବ୍ଦର ଗ୍ରୀକ୍‌ ସର୍ବନାମ କ୍ଳୀବ ଲିଙ୍ଗ ଅଟେ। “ସମସ୍ତ ଜାତିର ଲୋକଙ୍କୁ” ପ୍ରଚାର କରିବାର ଏହି ଆଜ୍ଞା ପ୍ରଥମ ଥର ପାଇଁ ଦିଆଯାଇଥିଲା। ଯୀଶୁଙ୍କ ପ୍ରଚାର ସେବାର ପୂର୍ବରୁ ଶାସ୍ତ୍ରରେ କୁହାଯାଇଥିଲା ଯେ ଅଣଯିହୁଦୀମାନେ ଯଦି ଯିହୋବାଙ୍କ ସେବା କରିବାର ଉଦ୍ଦେଶ୍ୟରେ ଆସୁଥିଲେ, ତେବେ ସେମାନଙ୍କୁ ଇସ୍ରାଏଲରେ ଗ୍ରହଣ କରାଯାଉଥିଲା। (୧ରାଜା ୮:୪୧-୪୩) କିନ୍ତୁ ଏହି ଆଜ୍ଞାରେ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ଯେଉଁମାନେ ଯିହୁଦୀ ବଂଶରେ ଜନ୍ମ ହୋଇଥିଲେ, କେବଳ ସେମାନଙ୍କୁ ନୁହେଁ, ବରଂ ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ୟ ସେମାନେ ପ୍ରଚାର କରନ୍ତୁ। ଏପରି କହି ସେ ଜୋର୍‌ ଦେଲେ ଯେ ଖ୍ରୀଷ୍ଟିୟାନମାନଙ୍କୁ ସାରା ପୃଥିବୀରେ ଶିଷ୍ୟ କରିବାର କାମରେ ଭାଗ ନେବାକୁ ହେବ।—ମାଥି ୧୦:୧, ୫-୭; ପ୍ରକା ୭:୯; ମାଥି ୨୪:୧୪.

ଶିଷ୍ୟ କର: ଗ୍ରୀକ୍‌ କ୍ରିୟା ମାଥେଟ୍ୟୁୟୋର ଅନୁବାଦ “ଶିଖାଇବା” କରାଯାଇପାରେ, ଯେଉଁଥିରେ ଲୋକମାନଙ୍କୁ ଶିଷ୍ୟ କରିବାର ଉଦ୍ଦେଶ୍ୟ ସାମିଲ୍‌ ଥାଏ। ମାଥି ୨୮:୧୯ ପଦରେ ଥିବା କ୍ରିୟା “ବାଯ୍ତିସ୍ମ ଦେଇ” ଏବଂ ୨୦ ପଦରେ ଥିବା କ୍ରିୟା “ଶିକ୍ଷା ଦେଇ” ଦେଖାଏ ଯେ ‘ଶିଷ୍ୟ କରିବାରେ’ କʼଣ କʼଣ ସାମିଲ୍‌ ରହିଛି।

ଅଧ୍ୟୟନ ବାଇବଲ—ମାଥି ୨୮:୨୦ ଅଧ୍ୟୟନ ତଥ୍ୟ

ଶିକ୍ଷା ଦେଇ: ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ଶିକ୍ଷା ଦେବା” କରାଯାଇଛି, ସେଥିରେ ପରାମର୍ଶ ଦେବା, ବୁଝାଇବା, ଦଲିଲ୍‌ ସାହାଯ୍ୟରେ ତର୍କ କରିବା ଏବଂ ପ୍ରମାଣ ଦେବା ସାମିଲ୍‌ ରହିଛି। ଯୀଶୁ କହିଲେ ଯେ ସେ ଯେଉଁ ଯେଉଁ ଆଜ୍ଞା ଦେଇଥିଲେ, ସେହିସବୁ ପାଳନ କରିବାକୁ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କୁ ଶିଖାନ୍ତୁ। ଏହି କାମ ଆଗକୁ ଲଗାତାର କରାଯାଇଥାʼନ୍ତା। ଏଥିରେ ଏହା ମଧ୍ୟ ଶିଖାଇବା ସାମିଲ୍‌ ଅଛି ଯେ ସେମାନେ କିପରି ଯୀଶୁଙ୍କ ଶିକ୍ଷାଗୁଡ଼ିକୁ ଅନ୍ୟମାନଙ୍କୁ ଶିଖାଇପାରିବେ, ନିଜେ ସେଗୁଡ଼ିକୁ ଲାଗୁ କରିପାରିବେ ଏବଂ ଯୀଶୁଙ୍କୁ ଅନୁକରଣ କରିପାରିବେ।—ଯୋହ ୧୩:୧୭; ଏଫି ୪:୨୧; ୧ପିତ ୨:୨୧.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଅଧ୍ୟୟନ ବାଇବଲ—ମାଥି ୨୭:୫୧ ଅଧ୍ୟୟନ ତଥ୍ୟ

ମନ୍ଦିର: ଏଠାରେ ଗ୍ରୀକ୍‌ ଶବ୍ଦ ନାଓସ୍‌ର ଅର୍ଥ ହେଉଛି, ମନ୍ଦିରର ମୁଖ୍ୟ ପ୍ରାସାଦ, ଯେଉଁଥିରେ ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ଥିଲା।

ବିଚ୍ଛେଦବସ୍ତ୍ର: ଶିଳ୍ପାକାରର କାମ କରାଯାଇଥିବା ଏହି ସୁନ୍ଦର ପରଦା ମନ୍ଦିରର ପବିତ୍ର ସ୍ଥାନକୁ ମହାପବିତ୍ର ସ୍ଥାନଠାରୁ ଅଲଗା କରୁଥିଲା। ଯିହୁଦୀମାନଙ୍କ ଇତିହାସ ଅନୁସାରେ ଏହି ପରଦା ପ୍ରାୟ ୧୮ ମି. (୬୦ ଫୁଟ୍‌) ଲମ୍ବ, ୯ ମି. (୩୦ ଫୁଟ୍‌) ଚଉଡ଼ା ଏବଂ ୭.୪ ସେ.ମି. (୨.୯ ଇଞ୍ଚ୍‌) ମୋଟା ଥିଲା। ଏତେ ଓଜନିଆ ପରଦାକୁ ଦୁଇ ଭାଗରେ ଚିରି ଯିହୋବା ନା କେବଳ ଏହା ଦେଖାଇଲେ ଯେ ସେ ନିଜ ପୁତ୍ରଙ୍କ ହତ୍ୟାକାରୀମାନଙ୍କ ଉପରେ କେତେ କ୍ରୋଧିତ ଥିଲେ, ବରଂ ସେ ଏହା ମଧ୍ୟ ଦେଖାଇଲେ ଯେ ମଣିଷମାନଙ୍କ ପାଇଁ ବର୍ତ୍ତମାନ ସ୍ୱର୍ଗରେ ପ୍ରବେଶ କରିବା ସମ୍ଭବ।—ଏବ୍ରୀ ୧୦:୧୯, ୨୦.

ଅଧ୍ୟୟନ ବାଇବଲ—ମାଥି ୨୮:୭ ଅଧ୍ୟୟନ ତଥ୍ୟ

ତାହାଙ୍କ ଶିଷ୍ୟମାନଙ୍କୁ କୁହ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି: ଶିଷ୍ୟମାନଙ୍କ ମଧ୍ୟରୁ ସବୁଠାରୁ ପ୍ରଥମେ ଏହି ସ୍ତ୍ରୀଲୋକମାନଙ୍କୁ କୁହାଗଲା ଯେ ଯୀଶୁ ଜୀବିତ ହୋଇଛନ୍ତି। କେବଳ ଏତିକି ନୁହେଁ, ସେମାନଙ୍କୁ ଏହା ମଧ୍ୟ ପରାମର୍ଶ ଦିଆଗଲା ଯେ ସେମାନେ ଯାଇ ଏବିଷୟରେ ଅନ୍ୟ ଶିଷ୍ୟମାନଙ୍କୁ କୁହନ୍ତୁ। (ମାଥି ୨୮:୨, ୫, ୭) ଯିହୁଦୀ ପରମ୍ପରା ଅନୁସାରେ (ଯାହା ଶାସ୍ତ୍ର ଆଧାରିତ ନ ଥିଲା) ସ୍ତ୍ରୀଲୋକମାନଙ୍କୁ ନ୍ୟାୟୀମାନଙ୍କ ସମ୍ମୁଖରେ ସାକ୍ଷ୍ୟ ଦେବା ପାଇଁ ଅନୁମତି ଦିଆଯାଉ ନ ଥିଲା। କିନ୍ତୁ ଯିହୋବାଙ୍କ ସ୍ୱର୍ଗଦୂତ ସେମାନଙ୍କୁ ଏହି ସୁସମାଚାର ଅନ୍ୟମାନଙ୍କୁ ଜଣାଇବାର କାମ ଦେଇ ସେମାନଙ୍କର ଆଦର କରିଥିଲେ।

୧୬-୨୨ ଏପ୍ରିଲ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୧–୨

“ତୁମ୍ଭର ପାପସବୁ କ୍ଷମା କରାଗଲା”

ଯୀଶୁ ହିଁ ପଥ (ଇଂରାଜୀ) ୬୭ ¶୩-୫

“ତୁମ୍ଭର ପାପସବୁ କ୍ଷମା କରାଗଲା”

ଯୀଶୁ ଖ୍ରୀଷ୍ଟ ଗୋଟିଏ ଘରେ ବସି ଲୋକମାନଙ୍କୁ ଶିଖାଉଛନ୍ତି। ସେହି ଘରଟି ଲୋକଙ୍କ ଭିଡ଼ରେ ପୂରା ଭର୍ତ୍ତି ହୋଇଛି। ଠିକ୍‌ ଏତିକି ବେଳେ, ଚାରିଜଣ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଖଟିଆରେ ଶୁଆଇ ସେଠାକୁ ଆଣନ୍ତି। ସେମାନେ ଚାହାନ୍ତି ଯେ ଯୀଶୁ ସେମାନଙ୍କ ଏହି ସାଙ୍ଗକୁ ସୁସ୍ଥ କରନ୍ତୁ। କିନ୍ତୁ ଲୋକଙ୍କ ଭିଡ଼ ଯୋଗୁଁ ସେମାନେ ତାକୁ ‘ଯୀଶୁଙ୍କ ପାଖକୁ ଆଣିପାରନ୍ତି’ ନାହିଁ। (ମାର୍କ ୨:୪) ଟିକେ ଭାବି ଦେଖନ୍ତୁ, ସେମାନେ କେତେ ନିରାଶ ହୋଇଥିବେ। ତାʼପରେ ସେମାନେ କʼଣ କରନ୍ତି? ସେମାନେ ଘରର ଛାତ ଉପରକୁ ଚଢ଼ିଯାʼନ୍ତି ଏବଂ ଛାତକୁ ଖୋଳି ସେହି ପକ୍ଷାଘାତ ରୋଗୀକୁ ତାʼ ଖଟିଆ ସମେତ ତଳକୁ ଓହ୍ଲାଇ ଦିଅନ୍ତି।

ଏପରି ବାଧା ଦେବା ଯୋଗୁଁ ଯୀଶୁ ସେହି ଲୋକମାନଙ୍କ ଉପରେ ରାଗିଯାʼନ୍ତି କି? ଆଦୌ ନୁହେଁ। ଏହା ପରିବର୍ତ୍ତେ ସେ ସେମାନଙ୍କ ବିଶ୍ୱାସକୁ ଦେଖି ଗଭୀର ଭାବେ ପ୍ରଭାବିତ ହୁଅନ୍ତି ଏବଂ ପକ୍ଷାଘାତ ରୋଗୀକୁ କହନ୍ତି, “ତୁମ୍ଭର ପାପସବୁ କ୍ଷମା କରାଗଲା।” (ମାଥିଉ ୯:୨) କିନ୍ତୁ, କʼଣ ଯୀଶୁଙ୍କ ପାଖରେ ଲୋକମାନଙ୍କର ପାପ କ୍ଷମା କରିବାର ଅଧିକାର ରହିଛି? ଶାସ୍ତ୍ରୀ ଓ ଫାରୂଶୀମାନେ ଏକଥାକୁ ନେଇ ଯୁକ୍ତିତର୍କ କରିବାକୁ ଲାଗନ୍ତି ଏବଂ କହନ୍ତି, “ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ୱରନିନ୍ଦା କରୁଅଛି; କେବଳ ଜଣଙ୍କ ବିନା, ଅର୍ଥାତ୍‌ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ?”—ମାର୍କ ୨:୭.

ଯୀଶୁ ଭଲ ଭାବେ ଜାଣନ୍ତି ଯେ ସେମାନେ କʼଣ ଭାବୁଛନ୍ତି। ସେ ସେମାନଙ୍କୁ କହନ୍ତି, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହିସମସ୍ତ ତର୍କବିତର୍କ କରୁଅଛ? କଅଣ ସହଜ? ପକ୍ଷାଘାତ ରୋଗୀକି ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା।” (ମାର୍କ ୨:୮, ୯) ଯୀଶୁ ଭବିଷ୍ୟତରେ ଯେଉଁ ବଳିଦାନ ଦେବାକୁ ଯାଉଛନ୍ତି, ତାର ଆଧାରରେ ସେ ସେହି ବ୍ୟକ୍ତିର ପାପ କ୍ଷମା କରିପାରନ୍ତି।

ଅଧ୍ୟୟନ ବାଇବଲ—ମାର୍କ ୨:୯ ଅଧ୍ୟୟନ ତଥ୍ୟ

କଅଣ ସହଜ: ଯେକୌଣସି ବ୍ୟକ୍ତି ପାଇଁ ଏହା କହିବା ସହଜ ଥିଲା ଯେ ସେ ଅନ୍ୟର ପାପ କ୍ଷମା କରିପାରେ, କାରଣ ଏହି ଦାବିକୁ ସତ ବୋଲି ପ୍ରମାଣିତ କରିବା ପାଇଁ କୌଣସି ପ୍ରମାଣର ଆବଶ୍ୟକତା ନ ଥିଲା। କିନ୍ତୁ, ଉଠ . . . ଚାଲ ବୋଲି କହିବା ସହଜ ନ ଥିଲା। ଏହା ପାଇଁ ଯୀଶୁଙ୍କୁ ଆଶ୍ଚର୍ଯ୍ୟକର୍ମ ବା ଚମତ୍କାର କରିବାକୁ ପଡ଼ିଥାʼନ୍ତା, ଯାହାଫଳରେ ସମସ୍ତେ ଦେଖିପାରନ୍ତେ ଯେ ତାହାଙ୍କ ପାଖରେ ପାପ କ୍ଷମା କରିବାର ଅଧିକାର ରହିଛି। ଏହି ଘଟଣା ଏବଂ ଯିଶା ୩୩:୨୪ ପଦରୁ ଜଣାପଡ଼େ ଯେ ଆମେ ପାପୀ ହୋଇଥିବାରୁ ରୋଗରେ ପୀଡ଼ିତ ହୋଇଥାଉ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଅଧ୍ୟୟନ ବାଇବଲ—ମାର୍କ ୧:୧୧ ଅଧ୍ୟୟନ ତଥ୍ୟ

ଆକାଶରୁ ଏହି ବାଣୀ ହେଲା: ସୁସମାଚାର ବହିଗୁଡ଼ିକରେ କୁହାଯାଇଛି ଯେ ଯିହୋବା ତିନୋଟି ଘଟଣାରେ ମଣିଷଙ୍କ ସହିତ କଥା ହେଲେ ଏବଂ ଏହା ସେମଧ୍ୟରୁ ପ୍ରଥମ ଘଟଣା ଥିଲା।—ମାର୍କ ୯:୭; ଯୋହ ୧୨:୨୮.

ତୁମ୍ଭେ ଆମ୍ଭର . . . ପୁତ୍ର: ସ୍ୱର୍ଗରେ ଯୀଶୁ ଈଶ୍ୱରଙ୍କ ପୁତ୍ର ଥିଲେ। (ଯୋହ ୩:୧୬) ପୃଥିବୀରେ ଯେତେବେଳେ ସେ ମଣିଷ ରୂପରେ ଜନ୍ମ ହେଲେ, ସେତେବେଳେ ମଧ୍ୟ ତାହାଙ୍କୁ “ଈଶ୍ୱରଙ୍କ ପୁତ୍ର” କୁହାଗଲା। କାରଣ ସେ ଆଦମ ପରି ସିଦ୍ଧ ବା ପରିପୂର୍ଣ୍ଣ ଥିଲେ। (ଲୂକ ୧:୩୫; ୩:୩୮) କିନ୍ତୁ ଏହି ପଦରୁ ଜଣାପଡ଼େ ଯେ ଏଠାରେ ଯେତେବେଳେ ଈଶ୍ୱର ତାହାଙ୍କୁ ପୁତ୍ର ବୋଲି କହିଲେ, ସେ କେବଳ ତାହାଙ୍କ ପରିଚୟ କରାଉ ନ ଥିଲେ। ଏକଥା କହି ଏବଂ ପବିତ୍ର ଶକ୍ତି ଦେଇ ଈଶ୍ୱର ସ୍ପଷ୍ଟ ଭାବେ ସୂଚିତ କଲେ ଯେ ଯେଉଁ ଯୀଶୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ସାଧାରଣ ମଣିଷ ଥିଲେ, ଏବେ ସେ ତାହାଙ୍କ ଅଭିଷିକ୍ତ ପୁତ୍ର ହେଲେ। ସେ ସ୍ୱର୍ଗରେ ପୁଣିଥରେ ଜୀବନ ପାଇବାର ଆଶାର ସହିତ “ପୁନର୍ବାର ଜନ୍ମ” ହେଲେ ଏବଂ ଈଶ୍ୱରଙ୍କ ଅଭିଷିକ୍ତ ରାଜା ଓ ମହାଯାଜକ ହେବା ପାଇଁ ପବିତ୍ର ଶକ୍ତି ଦ୍ୱାରା ନିଯୁକ୍ତ କରାଗଲେ।—ଯୋହ ୩:୩-୬; ୬:୫୧; ଏଗୁଡ଼ିକ ସହିତ ତୁଳନା କରନ୍ତୁ: ଲୂକ ୧:୩୧-୩୩; ଏବ୍ରୀ ୨:୧୭; ୫:୧, ୪-୧୦; ୭:୧-୩.

ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ: କିମ୍ବା “ଯାହାଙ୍କ ଉପରେ ମୁଁ ବହୁତ ଖୁସି; ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ।” ଏହି ଶବ୍ଦସମୂହ ମାଥି ୧୨:୧୮ ପଦରେ ମଧ୍ୟ ବ୍ୟବହୃତ ହୋଇଛି, ଯାହା ଯିଶା ୪୨:୧ ପଦରୁ ଉଦ୍ଧୃତ କରାଯାଇଛି। ଏହି ପଦରେ ପୂର୍ବରୁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ବା ମସୀହଙ୍କ ବିଷୟରେ କୁହାଯାଇଛି। ନିଜ ପୁତ୍ର ଯୀଶୁଙ୍କ ବିଷୟରେ ଈଶ୍ୱରଙ୍କ ଘୋଷଣା ଏବଂ ତାହାଙ୍କ ଉପରେ ପବିତ୍ର ଶକ୍ତି ଢାଳିବା, ଏହାର ପ୍ରମାଣ ଥିଲା ଯେ ସେ ହିଁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ଥିଲେ।—ମାଥି ୩:୧୭.

ଅଧ୍ୟୟନ ବାଇବଲ—ମାର୍କ ୨:୨୮ ଅଧ୍ୟୟନ ତଥ୍ୟ

ବିଶ୍ରାମବାରର . . . ପ୍ରଭୁ: ଯୀଶୁ ନିଜେ ନିଜକୁ ଏହି ଉପାଧି ଦେଇ (ମାଥି ୧୨:୮; ଲୂକ ୬:୫) କହିବାକୁ ଚାହୁଁଥିଲେ ଯେ ତାହାଙ୍କ ପିତାଙ୍କ କାମକୁ ପୂରା କରିବା ପାଇଁ ତାହାଙ୍କୁ ବିଶ୍ରାମବାର ଉପରେ ଅଧିକାର ଦିଆଯାଇଛି। (ଯୋହ ୫:୧୯; ୧୦:୩୭, ୩୮ ସହିତ ତୁଳନା କରନ୍ତୁ।) ଯୀଶୁ ଯେଉଁ ଆଶ୍ଚର୍ଯ୍ୟଜନକ ଚମତ୍କାରଗୁଡ଼ିକ କରିଥିଲେ, ସେମଧ୍ୟରୁ କିଛି ସେ ବିଶ୍ରାମବାରରେ ହିଁ କରିଥିଲେ। ଏଗୁଡ଼ିକରେ ରୋଗୀମାନଙ୍କୁ ସୁସ୍ଥ କରିବା ମଧ୍ୟ ସାମିଲ୍‌ ଥିଲା। (ଲୂକ ୧୩:୧୦-୧୩; ଯୋହ ୫:୫-୯; ୯:୧-୧୪) ଏହା ସ୍ପଷ୍ଟ ଯେ ଏସବୁ ଭବିଷ୍ୟତର ଏକ ଝଲକ ଥିଲା, କାରଣ ଯେତେବେଳେ ସେ ପୃଥିବୀ ଉପରେ ଶାସନ କରିବେ, ସେତେବେଳେ ସେ ଲୋକମାନଙ୍କୁ କେତେ ଯେ ଆଶ୍ୱସ୍ତି ନ ଦେବେ! ତାହାଙ୍କ ରାଜ୍ୟରେ ବିଶ୍ରାମବାର ଭଳି ସମସ୍ତଙ୍କୁ ବିଶ୍ରାମ ମିଳିବ।—ଏବ୍ରୀ ୧୦:୧.

୨୩-୨୯ ଏପ୍ରିଲ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୩-୪

“ବିଶ୍ରାମବାରରେ ସୁସ୍ଥ କଲେ”

ଯୀଶୁ ହିଁ ପଥ (ଇଂରାଜୀ) ୭୮ ¶୧-୨

ବିଶ୍ରାମବାର ଦିନ କʼଣ କରିବା ସଠିକ୍‌?

ଆଉ ଗୋଟିଏ ବିଶ୍ରାମବାରରେ ଯୀଶୁ ଏକ ସମାଜଗୃହ ବା ସଭାଘରକୁ ଯାଆନ୍ତି। ଏହା ସମ୍ଭବତଃ ଗାଲିଲୀର କୌଣସି ଏକ ସଭାଘର। ଏଠାରେ ଯୀଶୁ ଏପରି ଏକ ଲୋକକୁ ଦେଖନ୍ତି, ଯାହାର ହାତ ଶୁଖିଯାଇଛି। (ଲୂକ ୬:୬) ଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କ ଉପରେ କଡ଼ା ନଜର ରଖିଛନ୍ତି। କାହିଁକି? ସେମାନେ ଯୀଶୁଙ୍କୁ ପଚାରନ୍ତି, “ବିଶ୍ରାମବାରରେ ସୁସ୍ଥ କରିବା କଅଣ ବିଧିସଙ୍ଗତ?” ଏଥିରୁ ଜଣାପଡ଼େ ଯେ ସେମାନେ କେଉଁ ଉଦ୍ଦେଶ୍ୟରେ ଯୀଶୁଙ୍କ ଉପରେ କଡ଼ା ନଜର ରଖିଛନ୍ତି।—ମାଥିଉ ୧୨:୧୦.

ଯିହୁଦୀ ଧର୍ମଗୁରୁମାନଙ୍କର ବିଶ୍ୱାସ ଅନୁସାରେ ବିଶ୍ରାମବାର ଦିନ କେବଳ ଏପରି ବ୍ୟକ୍ତିର ଚିକିତ୍ସା କରାଯାଇପାରେ, ଯାହାର ଜୀବନ ପ୍ରତି ବିପଦ ଥାଏ। ଏହାର ଅର୍ଥ ହେଉଛି ଯେ ଯଦି ବିଶ୍ରାମବାରରେ କାହାରି ହାଡ଼ ଭାଙ୍ଗିଯାଏ କିମ୍ବା କାହାରି ହାତଗୋଡ଼ ମକଚି ଯାଏ, ତେବେ ତାʼର ଚିକିତ୍ସା କରାଯିବା ମନା, କାରଣ ସେଥିରେ ତାʼର ଜୀବନ ଯାଏ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଜଣାପଡ଼େ— ଯୀଶୁଙ୍କୁ ଏପରି ପ୍ରଶ୍ନ କରିବା ପଛରେ ଶାସ୍ତ୍ରୀ ଓ ଫାରୂଶୀମାନଙ୍କର ଉଦ୍ଦେଶ୍ୟ ଏହା ନୁହେଁ ଯେ ସେମାନେ ସେହି ଦୁଃଖୀ ଲୋକଟିର ପ୍ରକୃତ ମଙ୍ଗଳ ଚାହାନ୍ତି, ବରଂ ସେମାନେ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ବାହାନା ଖୋଜୁଛନ୍ତି।

ଯୀଶୁ ହିଁ ପଥ (ଇଂରାଜୀ) ୭୮ ¶୩

ବିଶ୍ରାମବାର ଦିନ କʼଣ କରିବା ସଠିକ୍‌?

କିନ୍ତୁ ଯୀଶୁ ଧର୍ମଗୁରୁମାନଙ୍କର ଦୁଷ୍ଟ ପ୍ରକୃତିକୁ ଭଲ ଭାବେ ଜାଣନ୍ତି। ଶାସ୍ତ୍ରରେ କେବଳ ଏହି ନିୟମ ଥିଲା ଯେ ବିଶ୍ରାମବାରରେ କାମ କରିବା ମନା, କିନ୍ତୁ ଧର୍ମଗୁରୁମାନେ ଏହା ବିଷୟରେ ଅନେକଗୁଡ଼ିଏ କଠୋର ନିୟମ ଯୋଡ଼ି ଦେଇଛନ୍ତି, ଯାହା ଶାସ୍ତ୍ର ଉପରେ ଆଧାରିତ ନୁହେଁ। (ଯାତ୍ରା ପୁସ୍ତକ ୨୦:୮-୧୦) ସେମାନେ ପୂର୍ବରୁ ମଧ୍ୟ ଯୀଶୁଙ୍କୁ ବିଶ୍ରାମବାର ଦିନରେ ଏହିପରି ଭଲ କାମ କରିବା ଯୋଗୁଁ ଦୋଷୀ ସାବ୍ୟସ୍ତ କରିଥିଲେ। ଯୀଶୁ ସେମାନଙ୍କ ମୁହଁ ବନ୍ଦ କରିବା ପାଇଁ ହାତ ଶୁଖିଯାଇଥିବା ସେହି ଲୋକକୁ କୁହନ୍ତି: “ଆସ, ମଝିରେ ଠିଆ ହୁଅ।”—ମାର୍କ ୩:୩.

ଅଧ୍ୟୟନ ବାଇବଲ—ମାର୍କ ୩:୫ ଅଧ୍ୟୟନ ତଥ୍ୟ

ଦୁଃଖିତ ହୋଇ କ୍ରୋଧରେ: କେବଳ ମାର୍କ ଲେଖିଲେ ଯେ ଏହି ଘଟଣାରେ ଯୀଶୁ ଧର୍ମଗୁରୁମାନଙ୍କ ହୃଦୟର ଜଡ଼ତା ବା କଠୋରତା ଦେଖି କିପରି ଅନୁଭବ କରିଥିଲେ। (ମାଥି ୧୨:୧୩; ଲୂକ ୬:୧୦) ଯୀଶୁଙ୍କ ଭାବନା ବିଷୟରେ ମାର୍କଙ୍କୁ ପିତର କହିଥିବେ, ଯିଏ ନିଜେ ଜଣେ ଭାବୁକ ବ୍ୟକ୍ତି ଥିଲେ।—“ମାର୍କ ବହିର ପରିଚୟ” (ହିନ୍ଦୀ) ଦେଖନ୍ତୁ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଅଧ୍ୟୟନ ବାଇବଲ—ମାର୍କ ୩:୨୯ ଅଧ୍ୟୟନ ତଥ୍ୟ

ପବିତ୍ର ଆତ୍ମା ବିରୁଦ୍ଧରେ ନିନ୍ଦାକଥା କହେ: ନିନ୍ଦାକଥାର ଅର୍ଥ ହେଉଛି, ଏପରି କଥା ଯାହା ଈଶ୍ୱର ଅବା ପବିତ୍ର ବିଷୟଗୁଡ଼ିକ ବିରୁଦ୍ଧରେ କୁହାଯାଏ, କିମ୍ବା ଯେଉଁଥିରୁ ଈଶ୍ୱରଙ୍କର ବଦନାମ୍‌ ବା ତାହାଙ୍କର ଅପମାନ ହୋଇଥାଏ। ପବିତ୍ର ଆତ୍ମା ହେଉଛି, ଈଶ୍ୱରଙ୍କ ପବିତ୍ର ଶକ୍ତି। ଏହି ଶକ୍ତିର ସ୍ରୋତ ହେଉଛନ୍ତି ଈଶ୍ୱର ନିଜେ। ତେଣୁ ଜାଣିଶୁଣି ଏହି ପବିତ୍ର ଶକ୍ତିର କାମଗୁଡ଼ିକର ବିରୋଧ କରିବା କିମ୍ବା ସେଗୁଡ଼ିକୁ ଅସ୍ୱୀକାର କରିବା ଈଶ୍ୱରଙ୍କ ନିନ୍ଦା କରିବା ସଙ୍ଗେ ସମାନ। ଯେପରି ମାଥି ୧୨:୨୪, ୨୮ ଏବଂ ମାର୍କ ୩:୨୨ ପଦରେ ଲେଖା ଅଛି, ଯିହୁଦୀ ଧର୍ମଗୁରୁମାନେ ଜାଣିଥିଲେ ଯେ ଯୀଶୁ ପବିତ୍ର ଶକ୍ତି ସାହାଯ୍ୟରେ ଆଶ୍ଚର୍ଯ୍ୟକର୍ମ କରୁଥିଲେ। ତଥାପି ସେମାନେ କହିଲେ ଯେ ଯୀଶୁ ଏହି ଚମତ୍କାରଗୁଡ଼ିକ ଶୟତାନର ସାହାଯ୍ୟରେ କରୁଥିଲେ।

ଅନନ୍ତ ପାପରେ ଦୋଷୀ: ଏହି ଶବ୍ଦଗୁଡ଼ିକରୁ ଜଣାପଡ଼େ ଯେ ଏଠାରେ ଜାଣିଶୁଣି କରାଯାଇଥିବା ଏପରି ପାପ ବିଷୟରେ କୁହାଯାଇଛି, ଯାହାର ପରିଣାମ ଚିରକାଳ ପାଇଁ ବିନାଶ ହୋଇଥାଏ। ଏପରି ପାପର ପ୍ରାୟଶ୍ଚିତ୍ତ ପାଇଁ କୌଣସି ବଳିଦାନ ନାହିଁ।—ଏହି ପଦରେ ପବିତ୍ର ଆତ୍ମା ବିରୁଦ୍ଧରେ ନିନ୍ଦାକଥା କହେ ଉପରେ ଅଧ୍ୟୟନ ତଥ୍ୟ ଦେଖନ୍ତୁ।

ପ୍ର୧୪-ହି ୧୨/୧୫ ୧୨-୧୩ ¶୬-୮

ଆପଣ ‘ଧର୍ମଶାସ୍ତ୍ରର ଅର୍ଥ ବୁଝନ୍ତି କି?’

ଆମେ ଏହି ଦୃଷ୍ଟାନ୍ତରୁ କʼଣ ଶିଖିପାରିବା? ସର୍ବପ୍ରଥମେ ଆମକୁ ସ୍ୱୀକାର କରିବା ଉଚିତ୍‌ ଯେ ବାଇବଲ ବିଦ୍ୟାର୍ଥୀ କେତେ ଶୀଘ୍ର ସତ୍ୟରେ ଉନ୍ନତି କରିବେ, ଏହା ଆମ ହାତରେ ନାହିଁ। ଏହା ସତ ଯେ ଆମେ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ ଓ ସହାୟତା ଦେବା ପାଇଁ ସର୍ବଦା ପ୍ରସ୍ତୁତ ରହୁ, କିନ୍ତୁ ବାଯ୍ତିସ୍ମ ନେବା ପାଇଁ ଆମେ କେବେ ମଧ୍ୟ ତାଙ୍କ ଉପରେ ଚାପ ପକାଇ ନ ଥାଉ। ଏହା ପରିବର୍ତ୍ତେ, ଆମେ ନମ୍ରତାର ସହିତ ସ୍ୱୀକାର କରୁ ଯେ ସେ ଈଶ୍ୱରଙ୍କୁ ନିଜ ଜୀବନ ସମର୍ପଣ କରିବେ କି ନାହିଁ, ତାହା ତାଙ୍କୁ ହିଁ ନିର୍ଣ୍ଣୟ କରିବାକୁ ପଡ଼ିବ। ଆମେ ଏକଥା ମନେ ରଖିବା ଉଚିତ୍‌ ଯେ ଯିହୋବା ଜଣେ ବ୍ୟକ୍ତିର ସମର୍ପଣକୁ ତେବେଯାଇ ସ୍ୱୀକାର କରନ୍ତି, ଯେତେବେଳେ ସେ ଯିହୋବାଙ୍କ ପାଇଁ ତାʼ ହୃଦୟରେ ଥିବା ପ୍ରେମ ଯୋଗୁଁ ନିଜ ଇଚ୍ଛାରେ ତାହାଙ୍କ ସେବା କରିବାର ନିଷ୍ପତ୍ତି ନେଇଥାଏ।—ଗୀତ. ୫୧:୧୨; ୫୪:୬; ୧୧୦:୩.

ଦ୍ୱିତୀୟତଃ, ଏହି ଦୃଷ୍ଟାନ୍ତରୁ ଆମକୁ ଯେଉଁ ଶିକ୍ଷା ମିଳେ, ସେଥିରୁ ଆମେ ବୁଝିପାରୁ ଯେ ଯେତେବେଳେ ବାଇବଲ ବିଦ୍ୟାର୍ଥୀମାନେ ପ୍ରଥମେ ପ୍ରଥମେ ଉନ୍ନତି କରନ୍ତି ନାହିଁ, ଆମେ ନିରାଶ ହେବା ଉଚିତ୍‌ ନୁହେଁ। (ଯାକୁ. ୫:୭, ୮) ଆମେ ଖୁବ୍‌ ପରିଶ୍ରମ କରିବା ସତ୍ତ୍ୱେ ଯଦି ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରନ୍ତି ନାହିଁ, ତେବେ ଆମେ ନିଜକୁ ଦୋଷ ଦେବା ଉଚିତ୍‌ ନୁହେଁ। ଆମେ ଏହା ଭାବିବା ଉଚିତ୍‌ ନୁହେଁ ଯେ ଆମେ ଭଲ ଶିକ୍ଷକ ନୋହୁଁ। ଯିହୋବା ସତ୍ୟର ବିହନକୁ ଏପରି ହୃଦୟରେ ବଢ଼ିବାକୁ ଦିଅନ୍ତି, ଯିଏ ନମ୍ର ହୃଦୟର ହୋଇଥାଏ ଏବଂ ନିଜଠାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ ଥାଏ। (ମାଥି. ୧୩:୨୩) ତେଣୁ ଆମର କେତେ ଜଣ ବିଦ୍ୟାର୍ଥୀ ବାଯ୍ତିସ୍ମ ନେଇଛନ୍ତି, ତାହା ଦେଖି ଆମେ ବିଚାର କରିବା ଉଚିତ୍‌ ନୁହେଁ ଯେ ଆମେ ପ୍ରଚାର ସେବାରେ କେତେ ପ୍ରଭାବଶାଳୀ। ଯିହୋବାଙ୍କ ଦୃଷ୍ଟିରେ ମଧ୍ୟ ପ୍ରଚାର ସେବାରେ ଆମ ସଫଳତା ଏହା ଉପରେ ନିର୍ଭର କରେ ନାହିଁ ଯେ ଆମ ବାଇବଲ ବିଦ୍ୟାର୍ଥୀମାନେ କେତେ ଉନ୍ନତି କରୁଛନ୍ତି। ଏହା ପରିବର୍ତ୍ତେ ସେ ଆମ ପରିଶ୍ରମକୁ ବହୁମୂଲ୍ୟ ମନେ କରିଥାʼନ୍ତି।—ଲୂକ ୧୦:୧୭-୨୦; ୧ କରିନ୍ଥୀୟ ୩:୮ ପଢ଼ନ୍ତୁ।

ତୃତୀୟତଃ, ଜଣେ ବ୍ୟକ୍ତିର ହୃଦୟରେ କʼଣସବୁ ପରିବର୍ତ୍ତନ ଚାଲିଛି, ତାହା ସବୁବେଳେ ଦେଖାଯାଏ ନାହିଁ। ଉଦାହରଣସ୍ୱରୂପ, ଜଣେ ମିଶନାରୀ ଭାଇ ଏପରି ଏକ ଦମ୍ପତିଙ୍କ ସହିତ ଅଧ୍ୟୟନ କରୁଥିଲେ, ଯେଉଁମାନଙ୍କର ସିଗାରେଟ୍‌ ପିଇବାର ବଦଭ୍ୟାସ ଥିଲା। ଦିନେ ସେମାନେ ସେହି ମିଶନାରୀଙ୍କୁ କହିଲେ ଯେ ସେମାନେ ପ୍ରଚାରକ ହେବାକୁ ଚାହାନ୍ତି। ମିଶନାରୀ ଜଣକ ସେମାନଙ୍କୁ ମନେ ପକାଇ ଦେଲେ ଯେ ସେମାନଙ୍କୁ ପ୍ରଥମେ ସିଗାରେଟ୍‌ ପିଇବା ଛାଡ଼ିବାକୁ ହେବ। କିନ୍ତୁ, ଯେତେବେଳେ ଏହି ଦମ୍ପତି ମିଶନାରୀ ଭାଇଙ୍କୁ କହିଲେ ଯେ ସେମାନେ କିଛି ମାସ ପୂର୍ବରୁ ହିଁ ସିଗାରେଟ୍‌ ପିଇବା ଛାଡ଼ିଦେଇଛନ୍ତି, ଏହା ଶୁଣି ଭାଇ ଆଶ୍ଚର୍ଯ୍ୟ ହେଲେ। ଏହି ଦମ୍ପତିଙ୍କୁ ଏଭଳି ନିଷ୍ପତ୍ତି ନେବା ପାଇଁ କʼଣ ପ୍ରେରଣା ଦେଇଥିଲା? ସେମାନେ ଜାଣିପାରିଥିଲେ ଯେ ଯଦି ସେମାନେ ଭାଇଙ୍କ ସମ୍ମୁଖରେ ନ ପିଇ ଲୁଚିଛପି ପିଇବେ, ତଥାପି ଯିହୋବାଙ୍କଠାରୁ ସେମାନେ ଏହା ଲୁଚାଇ ପାରିବେ ନାହିଁ ଏବଂ ଯିହୋବା କପଟତାକୁ ଘୃଣା କରନ୍ତି। ତେଣୁ ସେମାନେ ନିଷ୍ପତ୍ତି ନେଲେ ଯେ ଯଦି ସେମାନଙ୍କୁ ସିଗାରେଟ୍‌ ପିଇବାର ହିଁ ଅଛି, ତେବେ ସେମାନେ ଭାଇଙ୍କ ସମ୍ମୁଖରେ ପିଇବେ, ନଚେତ୍‌ ଏହା ସମ୍ପୂର୍ଣ୍ଣ ରୂପେ ଛାଡ଼ିଦେବେ। ଯିହୋବାଙ୍କ ପାଇଁ ସେମାନଙ୍କ ହୃଦୟରେ ଯେଉଁ ପ୍ରେମ ବଢ଼ୁଥିଲା, ସେହି ପ୍ରେମ ସେମାନଙ୍କୁ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ପ୍ରେରଣା ଦେଲା। ମିଶନାରୀ ଜଣକ ସେମାନଙ୍କ ହୃଦୟରେ ଚାଲିଥିବା ପରିବର୍ତ୍ତନ ବିଷୟରେ ଜାଣି ନ ଥିଲେ, କିନ୍ତୁ ସେମାନେ ସତ୍ୟରେ ଉନ୍ନତି କରୁଥିଲେ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ”

ଅଧ୍ୟୟନ ବାଇବଲ—ମାର୍କ ୪:୯ ଅଧ୍ୟୟନ ତଥ୍ୟ

ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ: ବୁଣାଳୀର ଦୃଷ୍ଟାନ୍ତ ଦେବା ପୂର୍ବରୁ ଯୀଶୁ କହିଲେ: “ଶୁଣ!” (ମାର୍କ ୪:୨) ଏହି ଦୃଷ୍ଟାନ୍ତକୁ ସେ ଠିକ୍‌ ସମାନ ପରାମର୍ଶର ସହିତ ସମାଯ୍ତ ମଧ୍ୟ କଲେ। ଏହିପରି ଭାବେ ସେ ଜୋର୍‌ ଦେଉଥିଲେ ଯେ ତାହାଙ୍କ ଅନୁଗାମୀମାନଙ୍କ ପାଇଁ ତାହାଙ୍କ ଉପଦେଶକୁ ଧ୍ୟାନର ସହିତ ମନୋଯୋଗ କରିବା କେତେ ଜରୁରୀ ଥିଲା। ଏହା ଛଡ଼ା, ଠିକ୍‌ ସମାନ ପରାମର୍ଶ ଏହି ପଦଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳେ: ମାଥି ୧୧:୧୫; ୧୩:୯, ୪୩; ମାର୍କ ୪:୨୩; ଲୂକ ୮:୮; ୧୪:୩୫; ପ୍ରକା ୨:୭, ୧୧, ୧୭, ୨୯; ୩:୬, ୧୩, ୨୨; ୧୩:୯.

୩୦ ଏପ୍ରିଲ୍‌–୬ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୫-୬

“ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ଜୀବିତ କରିବାର ଶକ୍ତି ଯୀଶୁଙ୍କ ପାଖରେ ଅଛି”

ଅଧ୍ୟୟନ ବାଇବଲ—ମାର୍କ ୫:୩୯ ଅଧ୍ୟୟନ ତଥ୍ୟ

ମରି ନାହିଁ, ମାତ୍ର ଶୋଇପଡ଼ିଅଛି: ବାଇବଲରେ ମୃତ୍ୟୁକୁ ସାଧାରଣତଃ ନିଦ୍ରା ସହିତ ତୁଳନା କରାଯାଇଛି। (ଗୀତ ୧୩:୩; ଯୋହ ୧୧:୧୧-୧୪; ପ୍ରେରି ୭:୬୦; ୧କରି ୭:୩୯; ୧୫:୫୧; ୧ଥେସ ୪:୧୩) ଯୀଶୁ ସେହି ବାଳିକାଟିକୁ ଜୀବିତ କରିବାକୁ ଯାଉଥିଲେ, ସେଥିପାଇଁ ସେ ହୁଏତ ଏପରି କହିଥାଇପାରନ୍ତି। ସେ ଦେଖାଇବାକୁ ଚାହୁଁଥିଲେ ଯେ ଠିକ୍‌ ଯେପରି ଗଭୀର ନିଦରେ ଶୋଇଥିବା ଜଣେ ଲୋକକୁ ଉଠାଯାଇପାରେ, ସେହିପରି ମରିଯାଇଥିବା ଲୋକକୁ ମଧ୍ୟ ପୁଣିଥରେ ଜୀବିତ କରାଯାଇପାରିବ। ବାଳିକାଟିକୁ ଜୀବିତ କରିବାର ଶକ୍ତି ଯୀଶୁଙ୍କୁ ନିଜ ପିତାଙ୍କଠାରୁ ମିଳିଥିଲା, “ଯେ ମୃତମାନଙ୍କୁ ସଜୀବ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି।”—ରୋମୀ ୪:୧୭.

ଯୀଶୁ ହିଁ ପଥ (ଇଂରାଜୀ) ୧୧୮ ¶୬

ଜଣେ ବାଳିକା ପୁଣିଥରେ ଜୀବିତ ହୋଇଯାଏ!

ଯୀଶୁ ଏହା ପୂର୍ବରୁ ଯେତେବେଳେ ମଧ୍ୟ କାହାରିକୁ ସୁସ୍ଥ କରିଥିଲେ, ସେ ଏକଥାକୁ ଆଉ କାହାରିକୁ ନ ଜଣାଇବା ପାଇଁ ଆଜ୍ଞା ଦେଇଥିଲେ। ଏଥର ମଧ୍ୟ ଯୀଶୁ ବାଳିକାଟିର ପିତାମାତାଙ୍କୁ ଏହା ହିଁ କହନ୍ତି। କିନ୍ତୁ ସେମାନେ ଏତେ ଖୁସିରେ ଅଛନ୍ତି ଯେ ସେମାନେ ଅନ୍ୟକୁ ନ କହି ଆଉ ରହିପାରନ୍ତି ନାହିଁ। ସେମାନେ ଓ ଅନ୍ୟ ଲୋକମାନେ ଏହି ଖବର ବିଷୟରେ ଏପରି ଚର୍ଚ୍ଚା କରିବାକୁ ଲାଗନ୍ତି ଯେ ତାହା “ସେହି ଦେଶଯାକ” ବ୍ୟାପିଯାଏ। (ମାଥିଉ ୯:୨୬) ଯଦି ଆମେ ସେମାନଙ୍କ ଜାଗାରେ ଥାʼନ୍ତେ, ତେବେ ହୁଏତ ଆମେ ମଧ୍ୟ ସେପରି ହିଁ କରିଥାʼନ୍ତେ। ଏହା ପୂର୍ବରୁ ମଧ୍ୟ ଥରେ ଯୀଶୁ ଜଣେ ବ୍ୟକ୍ତିକୁ ଜୀବିତ କରିଥିଲେ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଅଧ୍ୟୟନ ବାଇବଲ—ମାର୍କ ୫:୧୯ ଅଧ୍ୟୟନ ତଥ୍ୟ

ସେମାନଙ୍କୁ ଜଣାଅ: ଯୀଶୁ ସାଧାରଣତଃ ପରାମର୍ଶ ଦେଉଥିଲେ ଯେ ତାହାଙ୍କ ଆଶ୍ଚର୍ଯ୍ୟକର୍ମ ବା ଚମତ୍କାରଗୁଡ଼ିକ ବିଷୟରେ ଲୋକେ କାହାରିକୁ ନ କୁହନ୍ତୁ। (ମାର୍କ ୧:୪୪; ୩:୧୨; ୭:୩୬) କିନ୍ତୁ, ଏଠାରେ ଯୀଶୁ ଏହି ଲୋକକୁ କହିଲେ ଯେ ସେ ନିଜ ଆତ୍ମୀୟମାନଙ୍କ ପାଖକୁ ଯାଇ ତାʼ ସହିତ କʼଣ ହୋଇଥିଲା, ତାହା ସେ ଜଣାଉ। ଯୀଶୁ ହୁଏତ ଏପରି ଏଥିପାଇଁ କହିଥିଲେ, କାରଣ ତାହାଙ୍କୁ ସେହି ଅଞ୍ଚଳରୁ ଚାଲିଯିବାକୁ କୁହାଯାଇଥିଲା ଏବଂ ସେ ସେଠାକାର ଲୋକମାନଙ୍କୁ ସାକ୍ଷ୍ୟ ଦେଇପାରି ନ ଥାʼନ୍ତେ। ତାʼ ସହିତ, ଯଦି ସେ ଲୋକ ଏପରି କରିଥାʼନ୍ତା, ତେବେ ଘୁଷୁରିମାନଙ୍କ ମରିଯିବାର ଖବର ଶୁଣି ଲୋକମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇ ନ ଥାʼନ୍ତା।

ଅଧ୍ୟୟନ ବାଇବଲ—ମାର୍କ ୬:୧୧ ଅଧ୍ୟୟନ ତଥ୍ୟ

ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ: ଶିଷ୍ୟମାନଙ୍କର ଏପରି କରିବା ଦେଖାଇଥାʼନ୍ତା ଯେ ଈଶ୍ୱର ସେହି ଘରର ଲୋକମାନଙ୍କର ଯେଉଁ ନ୍ୟାୟ କରନ୍ତେ, ତାʼ ପାଇଁ ଶିଷ୍ୟମାନେ ଦାୟୀ ହୁଅନ୍ତେ ନାହିଁ। ଏହି ଶବ୍ଦ ମାଥି ୧୦:୧୪ ଓ ଲୂକ ୯:୫ ପଦରେ ମଧ୍ୟ ମିଳିଥାଏ। ମାର୍କ ଯେତେବେଳେ ଏହି ଶବ୍ଦଗୁଡ଼ିକ ଲେଖିଲେ, ସେ ସେଠାରେ ଏହା ମଧ୍ୟ ଲେଖିଲେ: ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ। ଲୂକ ଲେଖିଲେ: “ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ।” ପାଉଲ ଓ ବର୍ଣ୍ଣବ୍‌ବା ଯେତେବେଳେ ପିସିଦିଆ ଅଞ୍ଚଳର ଆନ୍ତିୟଖିଆ ସହରରେ ଥିଲେ, ସେମାନେ ମଧ୍ୟ ଏହି ପରାମର୍ଶକୁ ପାଳନ କଲେ। ପାଉଲ ଯେତେବେଳେ କରିନ୍ଥରେ ଥିଲେ, ସେ ମଧ୍ୟ ଏପରି ହିଁ କିଛି କରିଥିଲେ। ସେ ନିଜ ବସ୍ତ୍ର ଝାଡ଼ି ସେଠାର ଲୋକମାନଙ୍କୁ କହିଲେ: “ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ।” (ପ୍ରେରି ୧୮:୬) ପାଦଧୂଳି ଝାଡ଼ିବା ଭଳି ବ୍ୟବହାର ସହିତ ଶିଷ୍ୟମାନେ ପରିଚିତ ଥିଲେ। ନିଜକୁ ଧାର୍ମିକ ବୋଲାଉଥିବା ଯିହୁଦୀମାନେ ଯେତେବେଳେ ଅଣଯିହୁଦୀଙ୍କ ଦେଶରେ ଯାତ୍ରା କରି ଫେରୁଥିଲେ, ସେମାନେ ଯିହୁଦୀ ସୀମା ଭିତରକୁ ପ୍ରବେଶ କରିବା ପୂର୍ବରୁ ପାଦଧୂଳି ଝାଡ଼ି ଦେଉଥିଲେ। କାରଣ ସେମାନେ ଭାବୁଥିଲେ ଯେ ସେହି ଦେଶର ମାଟି ଅଶୁଦ୍ଧ। କିନ୍ତୁ ଏହା ସ୍ପଷ୍ଟ ଯେ ଯେତେବେଳେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଏହି ପରାମର୍ଶ ଦେଇଥିଲେ, ତାହାଙ୍କ କହିବାର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ ଥିଲା।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ