ପାଠ ୧୧
ବାଇବଲ ସିଦ୍ଧାନ୍ତରୁ ଆମକୁ କିପରି ଲାଭ ମିଳେ?
୧. ଆମକୁ ମାର୍ଗଦର୍ଶନ କାହିଁକି ଦରକାର ହୁଏ?
ବାଇବଲର ସିଦ୍ଧାନ୍ତଗୁଡ଼ିକ ସୁରକ୍ଷା ବିଷୟରେ ଧ୍ୟାନ ଦେବା ପାଇଁ କିପରି ଆମକୁ ପ୍ରେରଣା ଦିଏ?—ଗୀତସଂହିତା ୩୬:୯.
ସୃଷ୍ଟିକର୍ତ୍ତା ପରମେଶ୍ୱର ଆମ ମଣିଷଜାତିଠାରୁ ଅଧିକ ବୁଦ୍ଧିମାନ ଅଟନ୍ତି। ଜଣେ ପ୍ରେମୀ ପିତା ଭଳି ସେ ଆମର ବହୁତ ଧ୍ୟାନ ରଖନ୍ତି। (ଯିରିମିୟ ୧୦:୨୩) ଯେପରି ଗୋଟିଏ ଛୋଟ ପିଲାକୁ ନିଜ ବାପାମାʼଙ୍କ ମାର୍ଗଦର୍ଶନର ଦରକାର ହୁଏ, ଠିକ୍ ସେହିପରି ଆମ ସମସ୍ତଙ୍କୁ ପରମେଶ୍ୱରଙ୍କ ମାର୍ଗଦର୍ଶନ ଜରୁରୀ ଅଟେ। (ଯିଶାଇୟ ୪୮:୧୭, ୧୮) ପରମେଶ୍ୱର ଆମକୁ ମାର୍ଗଦର୍ଶନ କରିବା ପାଇଁ ବାଇବଲରେ ଅନେକ ସିଦ୍ଧାନ୍ତ ଦେଇଛନ୍ତି।—୨ ତୀମଥି ୩:୧୬ ପଢ଼ନ୍ତୁ।
ଯିହୋବାଙ୍କ ନିୟମ ଏବଂ ସିଦ୍ଧାନ୍ତଗୁଡ଼ିକ ଆଜି ଜୀବନରେ ପ୍ରକୃତ ଖୁସି ପାଇବାକୁ ଶିଖାଏ ଏବଂ ଭବିଷ୍ୟତରେ ଅନନ୍ତ ଜୀବନ କିପରି ପାଇପାରିବା ତାହା ବିଷୟରେ ଆମକୁ କହେ। ପରମେଶ୍ୱର ଆମକୁ ସୃଷ୍ଟି କରିଛନ୍ତି, ତେଣୁ ଆମେ ତାଙ୍କର ଆଜ୍ଞା ଖୁସିର ସହିତ ପାଳନ କରିବା ଉଚିତ୍।—ଗୀତସଂହିତା ୧୯:୭, ୧୧; ପ୍ରକାଶିତ ବାକ୍ୟ ୪:୧୧ ପଢ଼ନ୍ତୁ।
୨. ବାଇବଲ ସିଦ୍ଧାନ୍ତଗୁଡ଼ିକ କʼଣ?
ବାଇବଲରେ ଯେଉଁ ନିୟମଗୁଡ଼ିକ ଦିଆଯାଇଛି, ସେଗୁଡ଼ିକ ସାଧାରଣତଃ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହିଁ ଲାଗୁ କରାଯାଏ। (ଦ୍ୱିତୀୟ ବିବରଣ ୨୨:୮) କିନ୍ତୁ ବାଇବଲର ସିଦ୍ଧାନ୍ତଗୁଡ଼ିକ ଏମିତି ମୂଳ ସତ୍ୟ ଅଟେ, ଯାହା ଆମକୁ ଅଲଗା ଅଲଗା ପରିସ୍ଥିତିରେ ସଠିକ୍ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରେ। କୌଣସି ସିଦ୍ଧାନ୍ତକୁ ଏକ ବିଶେଷ ପରିସ୍ଥିତିରେ କେମିତି ଲାଗୁ କରିବା, ତାହା ସ୍ଥିର କରିବା ପାଇଁ ଆମକୁ ନିଜ ଚିନ୍ତା କରିବା ଏବଂ ବୁଝିବାର ସାମର୍ଥ୍ୟକୁ ବ୍ୟବହାର କରିବାକୁ ହୁଏ। (ହିତୋପଦେଶ ୨:୧୦-୧୨) ଉଦାହରଣସ୍ୱରୂପ, ବାଇବଲରେ ଏହି ସିଦ୍ଧାନ୍ତ ଦିଆଯାଇଛି ଯେ ଜୀବନ ପରମେଶ୍ୱରଙ୍କ ତରଫରୁ ଏକ ଉପହାର ଅଟେ। ଯଦି ଆମେ ଏହି ସିଦ୍ଧାନ୍ତକୁ ଘରେ, ବାହାରେ ଏବଂ କାମ କରିବା ଜାଗାରେ ମନେରଖିବା, ତେବେ ନିଜ ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇପାରିବା।—ପ୍ରେରିତ ୧୭:୨୮ ପଢ଼ନ୍ତୁ।
୩. ବାଇବଲର ମୁଖ୍ୟ ସିଦ୍ଧାନ୍ତ ଦୁଇଟି କʼଣ?
ଯୀଶୁ ଦୁଇଟି ମୁଖ୍ୟ ସିଦ୍ଧାନ୍ତ ବିଷୟରେ କହିଥିଲେ। ପ୍ରଥମ ସିଦ୍ଧାନ୍ତରୁ ଆମେ ଜାଣୁ ଯେ ମଣିଷ ଜୀବନର ପ୍ରକୃତ ଉଦ୍ଦେଶ୍ୟ ହେଉଛି—ପରମେଶ୍ୱରଙ୍କୁ ଜାଣିବା, ତାଙ୍କୁ ପ୍ରେମ କରିବା ଏବଂ ବିଶ୍ୱସ୍ତତାର ସହିତ ତାଙ୍କ ସେବା କରିବା। ଏହି ସିଦ୍ଧାନ୍ତକୁ ଆଖି ଆଗରେ ରଖି ଆମେ ନିଜ ଜୀବନର ନିଷ୍ପତ୍ତିଗୁଡ଼ିକ ନେବା ଉଚିତ୍। (ହିତୋପଦେଶ ୩:୬) ଯେଉଁମାନେ ଏହି ସିଦ୍ଧାନ୍ତକୁ ଜୀବନରେ ଲାଗୁ କରନ୍ତି, ସେମାନେ ପରମେଶ୍ୱରଙ୍କ ସହିତ ଏକ ଭଲ ସମ୍ପର୍କ ରଖିପାରନ୍ତି। ଏହା ସହିତ, ସେମାନଙ୍କୁ ପ୍ରକୃତ ଖୁସି ଓ ଅନନ୍ତ ଜୀବନର ଆଶା ମଧ୍ୟ ମିଳେ।—ମାଥିଉ ୨୨:୩୬-୩୮ ପଢ଼ନ୍ତୁ।
ଦ୍ୱିତୀୟ ସିଦ୍ଧାନ୍ତଟି ଆମକୁ ନିଜ ଲୋକଙ୍କ ସହିତ ଏକ ଭଲ ସମ୍ପର୍କ ରଖିବାରେ ସାହାଯ୍ୟ କରେ। (୧ କରିନ୍ଥୀୟ ୧୩:୪-୭) ଏହି ସିଦ୍ଧାନ୍ତରୁ ଆମେ ଜାଣୁ ଯେ ଯଦି ଆମେ ଲୋକଙ୍କୁ ପ୍ରେମ କରିବା, ତେବେ ସେମାନଙ୍କ ସହିତ ଏମିତି ବ୍ୟବହାର ଦେଖାଇପାରିବା ଯେମିତି ପରମେଶ୍ୱର ସେମାନଙ୍କ ସହିତ ବ୍ୟବହାର କରନ୍ତି।—ମାଥିଉ ୭:୧୨; ୨୨:୩୯, ୪୦ ପଢ଼ନ୍ତୁ।
୪. ବାଇବଲର ସିଦ୍ଧାନ୍ତଗୁଡ଼ିକରୁ ଆମେ କିପରି ଲାଭ ପାଇପାରିବା?
ବାଇବଲର ସିଦ୍ଧାନ୍ତ ପରିବାରଗୁଡ଼ିକୁ ପ୍ରେମ ଏବଂ ଏକତାର ବନ୍ଧନରେ ବାନ୍ଧି ରଖିବା ପାଇଁ ଶିଖାଏ। (କଲସୀୟ ୩:୧୨-୧୪) ବାଇବଲରେ ଏହି ସିଦ୍ଧାନ୍ତ ମଧ୍ୟ ଦିଆଯାଇଛି ଯେ ବିବାହ ଏକ ସ୍ଥାୟୀ ବନ୍ଧନ ଅଟେ। ଏହି ସିଦ୍ଧାନ୍ତକୁ ମାନିବା ଦ୍ୱାରା ପରିବାରର ସମସ୍ତେ ସୁରକ୍ଷିତ ଅନୁଭବ କରନ୍ତି।—ଆଦି ପୁସ୍ତକ ୨:୨୪ ପଢ଼ନ୍ତୁ।
ଯଦି ଆମେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନିବା, ତେବେ ଆର୍ଥିକ ଏବଂ ମାନସିକ ସମସ୍ୟାଗୁଡ଼ିକରୁ ଦୂରେଇ ରହିପାରିବା। ଉଦାହରଣସ୍ୱରୂପ, ମାଲିକମାନେ ଏପରି ଲୋକଙ୍କୁ ଚାକିରୀରେ ରଖିବା ପାଇଁ ଚାହାନ୍ତି, ଯେଉଁମାନେ ସଚ୍ଚୋଟ ଏବଂ ପରିଶ୍ରମୀ ହେବା ବିଷୟରେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନନ୍ତି। (ହିତୋପଦେଶ ୧୦:୪, ୨୬; ଏବ୍ରୀ ୧୩:୧୮) ବାଇବଲ ଏହା ମଧ୍ୟ କହେ ଯେ ଆମ ପାଖରେ ଯାହା ଅଛି, ସେଥିରେ ଆମେ ସନ୍ତୁଷ୍ଟ ହେବା ଉଚିତ୍। ଏହା ଅର୍ଥ, ଶାରୀରିକ ଆରାମ ପାଇଁ ବିଭିନ୍ନ ଜିନିଷ ହାସଲ କରିବା ପରିବର୍ତ୍ତେ ଆମେ ପରମେଶ୍ୱରଙ୍କ ସହିତ ଆମ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେବା ଉଚିତ୍।—ମାଥିଉ ୬:୨୪, ୨୫, ୩୩; ୧ ତୀମଥି ୬:୮-୧୦ ପଢ଼ନ୍ତୁ।
ବାଇବଲ ସିଦ୍ଧାନ୍ତ ମାନିବା ଦ୍ୱାରା ଆମ ସ୍ୱାସ୍ଥ୍ୟର ମଧ୍ୟ ଲାଭ ହୁଏ। (ହିତୋପଦେଶ ୧୪:୩୦; ୨୨:୨୪, ୨୫) ଉଦାହରଣସ୍ୱରୂପ, ମାତାଳ ନ ହେବା ପାଇଁ ବାଇବଲ ଆମକୁ ଯାହା କହେ, ତାହା ମାନିବା ଦ୍ୱାରା ଆମେ ଭୟଙ୍କର ରୋଗ ଏବଂ ଦୁର୍ଘଟଣାରୁ ମଧ୍ୟ ବଞ୍ଚିଥାଉ। (ହିତୋପଦେଶ ୨୩:୨୦) ବାଇବଲ ମଦ ପିଇବାକୁ ମନା କରେ ନାହିଁ, କିନ୍ତୁ ଅତ୍ୟଧିକ ମଦ ପିଇବା ଭୁଲ ବୋଲି କହେ। (ଗୀତସଂହିତା ୧୦୪:୧୫; ୧ କରିନ୍ଥୀୟ ୬:୧୦) ପରମେଶ୍ୱରଙ୍କ ସିଦ୍ଧାନ୍ତ ନା କେବଳ ସଠିକ୍ କାମ କରିବା ପାଇଁ ବରଂ ସଠିକ୍ ମନୋଭାବ ରଖିବା ପାଇଁ ମଧ୍ୟ ସାହାଯ୍ୟ କରେ। (ଗୀତସଂହିତା ୧୧୯:୯୭-୧୦୦) କିନ୍ତୁ ଆମେ କେବଳ ନିଜ ଲାଭ ପାଇଁ ଯିହୋବାଙ୍କ କଥା ମାନିବା ଉଚିତ୍ ନୁହଁ, ବରଂ ତାଙ୍କୁ ସମ୍ମାନ ଦେବା ପାଇଁ ତାଙ୍କ କଥା ମାନିବା ଉଚିତ୍।—ମାଥିଉ ୫:୧୪-୧୬ ପଢ଼ନ୍ତୁ।