ସେପ୍ଟେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୩-୯ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧-୨
“ଯୀଶୁ ନିଜ ପ୍ରଥମ ଆଶ୍ଚର୍ଯ୍ୟକର୍ମ କଲେ”
ପ୍ର୧୫-ହି ୬/୧୫ ୪ ¶୩
ଖ୍ରୀଷ୍ଟ—ଈଶ୍ୱରଙ୍କ ଶକ୍ତି
ଯୀଶୁ ନିଜ ପ୍ରଥମ ଆଶ୍ଚର୍ଯ୍ୟକର୍ମ ଗାଲିଲୀର କାନ୍ନା ନାମକ ଏକ ନଗରରେ ଗୋଟେ ବିବାହ ଭୋଜିରେ କରିଥିଲେ । ହୁଏତ ବିବାହରେ ଅତ୍ୟଧିକ ଅତିଥି ଆସି ଯାଇଥିଲେ । ଏହାର କାରଣ ଯାହା ହୋଇଥାଉ ନା ପଛେ, ସେଠାରେ ଦ୍ରାକ୍ଷାରସ ନିଅଣ୍ଟ ହେଲା । ନବ ବିବାହିତ ଦମ୍ପତିଙ୍କ ପାଇଁ ଏହା ଅତି ଲାଜର କଥା ଥିଲା, କାରଣ ବିବାହ ଉତ୍ସବକୁ ଆସିଥିବା ଲୋକମାନଙ୍କୁ ଖୁଆଇବା-ପିଆଇବା ସେମାନଙ୍କର କର୍ତ୍ତବ୍ୟ ଥିଲା । ଏହି ଅତିଥିମାନଙ୍କ ମଧ୍ୟରେ ଯୀଶୁଙ୍କ ମାʼ ମରୀୟମ ବି ଥିଲେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ତାଙ୍କ ପୁତ୍ରଙ୍କ ବିଷୟରେ ଭବିଷ୍ୟତବାଣୀଗୁଡ଼ିକରେ ଯେତେ ପ୍ରତିଜ୍ଞା କରାଯାଇଥିଲା, ସେଗୁଡ଼ିକ ଉପରେ ସେ ଅନେକ ବର୍ଷ ଧରି ଚିନ୍ତନ କରିଥିବେ । ସେ ଜାଣିଥିଲେ ଯେ ଯୀଶୁ “ପରାତ୍ପରଙ୍କ ପୁତ୍ର” ବୋଲି କୁହାଯିବେ । (ଲୂକ ୧:୩୦-୩୨; ୨:୫୨) କʼଣ ମରୀୟମଙ୍କୁ ଲାଗୁଥିଲା ଯେ ଯୀଶୁଙ୍କଠାରେ ଏପରି କିଛି ଶକ୍ତି ରହିଛି, ଯାହା ଆଜି ପର୍ଯ୍ୟନ୍ତ ସେ ଦେଖାଇ ନାହାନ୍ତି? ହୁଏତ ହୋଇପାରେ, କିନ୍ତୁ ଗୋଟେ କଥା ତ ନିଶ୍ଚିତ ଥିଲା ଯେ ମରୀୟମ ଓ ଯୀଶୁ ସେଇ ନବ ବିବାହିତ ଦମ୍ପତିଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଏବଂ ସେମାନେ ଲଜ୍ଜିତ ହୁଅନ୍ତୁ ବୋଲି ସେମାନେ ଚାହୁଁ ନ ଥିଲେ । ତେଣୁ ଯୀଶୁ ୩୮୦ ଲିଟର ପାଣିକୁ ‘ଭଲ ଦ୍ରାକ୍ଷାରସରେ’ ପରିଣତ କରିଦେଲେ । (ଯୋହନ ୨:୩, ୬-୧୧ ପଢ଼ନ୍ତୁ ।) କʼଣ ଏହି ଆଶ୍ଚର୍ଯ୍ୟକର୍ମ କରିବା ଯୀଶୁଙ୍କ କର୍ତ୍ତବ୍ୟ ଥିଲା? ନା । ସେ ଏହା ଏଥିପାଇଁ କଲେ, କାରଣ ତାହାଙ୍କୁ ଲୋକଙ୍କ ପାଇଁ ଚିନ୍ତା ଥିଲା, ଆଉ ସେ ଉଦାର ଦେଖାଇ ସ୍ୱର୍ଗରେ ରହୁଥିବା ନିଜ ପିତାଙ୍କୁ ଅନୁକରଣ କରୁଥିଲେ ।
ଯୀଶୁ ହିଁ ପଥ (ଇଂରାଜୀ) ୪୧ ¶୬
ସେ ପ୍ରଥମ ଆଶ୍ଚର୍ଯ୍ୟକର୍ମ କଲେ
ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ଯ୍ୟକର୍ମ । ଯୀଶୁଙ୍କ ଶିଷ୍ୟମାନେ ଏବେ ଏବେ ତାହାଙ୍କ ସହ ଯିବା ଆରମ୍ଭ କରିଛନ୍ତି । ତେଣୁ ଏହି ଆଶ୍ଚର୍ଯ୍ୟକର୍ମ ଦେଖି ସେମାନଙ୍କ ବିଶ୍ୱାସ ମଜବୁତ୍ ହୁଏ । ଏହି ଘଟଣା ପରେ ଯୀଶୁ, ତାହାଙ୍କ ମାʼ ଓ ତାହାଙ୍କ ସାବତ ଭାଇମାନେ କଫର୍ନାହୂମକୁ ଯାʼନ୍ତି । ଏହି ସହର ଗାଲିଲୀ ସାଗରର ଉତ୍ତର-ପଶ୍ଚିମ ଉପକୂଳରେ ଅଛି ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଯୋହ ୧:୧ ଅଧ୍ୟୟନ ତଥ୍ୟ
ବାକ୍ୟ: କିମ୍ବା “ଲୋଗୋସ୍ ।” ଗ୍ରୀକ୍ ଭାଷାରେ ହୋ ଲୋଗୋସ୍ । ଏ ପଦରେ ଏହାକୁ ଉପାଧି ଭାବେ ବ୍ୟବହାର କରାଯାଇଛି । “ବାକ୍ୟ” ଶବ୍ଦକୁ ଯୋହ ୧:୧୪ ଓ ପ୍ରକା ୧୯:୧୩ ପଦରେ ମଧ୍ୟ ବ୍ୟବହାର କରାଯାଇଛି । ଯୋହନ କହିଲେ ଯେ ଏହି ଉପାଧି ଯୀଶୁଙ୍କ ପାଇଁ ବ୍ୟବହାର କରାଯାଇଛି । ଯେତେବେଳେ ଯୀଶୁ ସ୍ୱର୍ଗରେ ଥିଲେ, ସେତେବେଳେ ଏହି ଉପାଧି ତାହାଙ୍କ ଉପରେ ଲାଗୁ ହେଉଥିଲା । ତାʼ ଛଡ଼ା, ଯେତେବେଳେ ସେ ପରିପୂର୍ଣ୍ଣ ମଣିଷ ଭାବେ ପୃଥିବୀରେ ସେବା କଲେ ଏବଂ ପରେ ଯେତେବେଳେ ତାହାଙ୍କୁ ସ୍ୱର୍ଗରେ ଉଚ୍ଚ ପଦ ଦିଆଗଲା, ସେତେବେଳେ ମଧ୍ୟ ଏହି ଉପାଧି ତାହାଙ୍କ ଉପରେ ଲାଗୁ କରାଗଲା । ଯୀଶୁ ଈଶ୍ୱରଙ୍କ ତରଫରୁ କହୁଥିଲେ ଏବଂ ତାହାଙ୍କ ଜରିଆରେ ସୃଷ୍ଟିକର୍ତ୍ତା ଅନ୍ୟ ସ୍ୱର୍ଗଦୂତ ତଥା ମଣିଷମାନଙ୍କୁ ତଥ୍ୟ ଓ ପରାମର୍ଶ ଦେଉଥିଲେ । ତେଣୁ ଏହା ଭାବିବା ଠିକ୍ ହେବ ଯେ ଯୀଶୁ ପୃଥିବୀକୁ ଆସିବା ପୂର୍ବରୁ, ଯିହୋବା ବାକ୍ୟ ଅର୍ଥାତ୍ ଏହି ସ୍ୱର୍ଗଦୂତ ଜଣକ ଜରିଆରେ ମଣିଷମାନଙ୍କ ସହିତ କଥା ହେଉଥିଲେ ।—ଆଦି ୧୬:୭-୧୧; ୨୨:୧୧; ୩୧:୧୧; ଯାତ୍ରା ୩:୨-୫; ବିଚା ୨:୧-୪; ୬:୧୧, ୧୨; ୧୩:୩.
ସଙ୍ଗରେ: ଶା., “ତାହାଙ୍କ ଆଡ଼କୁ ।” ଏହି ସନ୍ଦର୍ଭରେ ଗ୍ରୀକ୍ ସମ୍ବନ୍ଧସୂଚକ ଅବ୍ୟୟ ପ୍ରୋସ୍ର ଅର୍ଥ ହେଲା, କାହାରି ନିକଟକୁ ଯିବା ଏବଂ ମିତ୍ରତା କରିବା । ଏଠାରେ ଜଣେ ନୁହେଁ, ବରଂ ଦୁଇ ଜଣ ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି । ଅର୍ଥାତ୍ ବାକ୍ୟ ଏବଂ ଏକମାତ୍ର ସତ୍ୟ ଈଶ୍ୱରଙ୍କ ବିଷୟରେ ।
ବାକ୍ୟ ଈଶ୍ୱର ଥିଲେ: କିମ୍ବା “ବାକ୍ୟ ଈଶ୍ୱରଙ୍କ ଭଳି ଥିଲେ ।” ଯୋହନଙ୍କ ଏକଥାରୁ “ବାକ୍ୟ,” (ଗ୍ରୀକ୍ରେ ହୋ ଲୋଗୋସ୍; ଏହି ପଦରେ ବାକ୍ୟ ଉପରେ ଅଧ୍ୟୟନ ତଥ୍ୟ ଦେଖନ୍ତୁ ।) ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କର ଏକ ବିଶେଷତା ବିଷୟରେ ଜଣାପଡ଼େ । ସେ ଈଶ୍ୱରଙ୍କର ପ୍ରଥମଜାତ, ଯାହାଙ୍କ ମାଧ୍ୟମରେ ଈଶ୍ୱର ଅନ୍ୟ ସବୁକିଛି ସୃଷ୍ଟି କଲେ । ଏହି ଉଚ୍ଚ ପଦବୀ ଯୋଗୁଁ ତାହାଙ୍କୁ “ଜଣେ ଈଶ୍ୱର; ଈଶ୍ୱରଙ୍କ ଭଳି” କୁହାଯାଇଛି । ଅନେକ ଅନୁବାଦକମାନେ କହନ୍ତି ଯେ ବାକ୍ୟ ସର୍ବଶକ୍ତିମାନ ଈଶ୍ୱରଙ୍କ ସହ ସମାନ । ତେଣୁ ଏ ପଦର ଅନୁବାଦ ଏପରି ହେବା ଉଚିତ୍, “ବାକ୍ୟ ଈଶ୍ୱର ଥିଲେ ।” କିନ୍ତୁ ଯୋହନଙ୍କ କହିବାର ଅର୍ଥ ଏହା ନ ଥିଲା ଯେ “ବାକ୍ୟ” ସର୍ବଶକ୍ତିମାନ ଈଶ୍ୱରଙ୍କ ସହ ସମାନ ଥିଲେ । ଆଉ ଏହାକୁ ସ୍ୱୀକାର କରିବା ପାଇଁ ଆମ ପାଖରେ ଠୋସ୍ କାରଣ ରହିଛି । ପ୍ରଥମ କାରଣ ହେଉଛି— “ବାକ୍ୟ ଈଶ୍ୱର ଥିଲେ” ଶବ୍ଦସମୂହର ପୂର୍ବରୁ ଓ ପରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବାକ୍ୟ “ଈଶ୍ୱରଙ୍କ ସଙ୍ଗରେ ଥିଲେ ।” ଏହା ବ୍ୟତୀତ, ୧ ଓ ୨ ପଦରେ ଗ୍ରୀକ୍ ଶବ୍ଦ ଥିୟୋସ୍ ତିନି ଥର ଆସିଛି । ପ୍ରଥମ ଓ ତୃତୀୟ ଥର ଥିୟୋସ୍ ପୂର୍ବରୁ ଗ୍ରୀକ୍ ସାର୍ବନାମିକ ବିଶେଷଣ ଅଛି, କିନ୍ତୁ ଦ୍ୱିତୀୟ ଥର ନାହିଁ । ଅନେକ ବିଦ୍ୱାନ୍ମାନେ ଏହାକୁ ଗୁରୁତର ଭାବେ ନିଅନ୍ତି । ଏ ପଦଗୁଡ଼ିକରେ ଥିୟୋସ୍ ପୂର୍ବରୁ ସାର୍ବନାମିକ ବିଶେଷଣ ବ୍ୟବହାର କରାଯିବା ଦେଖାଏ ଯେ ସେଠାରେ ସର୍ବଶକ୍ତିମାନ ଈଶ୍ୱରଙ୍କ ବିଷୟରେ କୁହାଯାଉଛି । ଅନ୍ୟ ପକ୍ଷରେ, ଯେଉଁଠି ସାର୍ବନାମିକ ବିଶେଷଣ ନାହିଁ, ସେଠି ଥିୟୋସ୍ର ଅର୍ଥ ଏହା ନୁହେଁ ଯେ “ବାକ୍ୟ” ଈଶ୍ୱର ଅଟନ୍ତି, ବରଂ ତାହାଙ୍କର ଗୁଣ ବିଷୟରେ କୁହାଯାଉଛି । ତେଣୁ ଇଂରାଜୀ, ଫ୍ରେଞ୍ଚ ଓ ଜର୍ମାନୀ ଭାଷାର ଅନେକ ବାଇବଲଗୁଡ଼ିକରେ ଏ ପଦର ଅନୁବାଦ ଏପରି କରାଯାଇଛି, ଠିକ୍ ଯେପରି ନୂତନ ଜଗତ ଅନୁବାଦରେ ଅଛି । ଆଉ ତାହା ହେଲା, ବାକ୍ୟ “ଏକ ଈଶ୍ୱର ଥିଲେ କିମ୍ବା ଈଶ୍ୱର ଭଳି ଥିଲେ ।” ଏହି କଥା ତୃତୀୟ ଓ ଚତୁର୍ଥ ଶତାବ୍ଦୀର ପ୍ରାଚୀନ ଅନୁବାଦଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳେ, ଯେପରି— କୋପ୍ଟିକ୍ ଭାଷାର ସାହିଡିକ୍ ଓ ବୋହାରିକ୍ ଉପଭାଷାରେ ମିଳୁଥିବା ଯୋହନଙ୍କ ବହି । ଏହି ଅନୁବାଦଗୁଡ଼ିକରେ ଯୋହ ୧:୧ ପଦରେ ଯେଉଁଠାରେ ଥିୟୋସ୍ ପ୍ରଥମ ଥର ଆସିଛି, ତାʼର ଅନୁବାଦ ଦ୍ୱିତୀୟ ଥର ଆସିଥିବା ଥିୟୋସ୍ଠାରୁ ଭିନ୍ନ । ଏହି ଅନୁବାଦଗୁଡ଼ିକରେ “ବାକ୍ୟ” ବିଷୟରେ କୁହାଯାଇଛି ଯେ ତାହାଙ୍କ ବ୍ୟକ୍ତିତ୍ୱ ଈଶ୍ୱରଙ୍କ ଭଳି । କିନ୍ତୁ ସେ ନିଜ ପିତା, ସର୍ବଶକ୍ତିମାନ ଈଶ୍ୱରଙ୍କ ସହ ସମାନ ନୁହନ୍ତି । କଲ ୨:୯ ପଦ ମଧ୍ୟ କହେ ଯେ ଖ୍ରୀଷ୍ଟଙ୍କଠାରେ “ସମ୍ପୂର୍ଣ୍ଣ ଈଶ୍ୱରତ୍ୱ ଦେହବନ୍ତ ହୋଇ ବାସ କରେ ।” ଆଉ ୨ପିତ ୧:୪ ପଦ କହେ ଯେ ଯେଉଁମାନେ ଖ୍ରୀଷ୍ଟଙ୍କ ସହିତ ଶାସନ କରିବେ, ସେମାନେ ମଧ୍ୟ “ଐଶ୍ୱରିକ ସ୍ୱଭାବର ସହଭାଗୀ” ହେବେ । ଏହା ଛଡ଼ା, ଏବ୍ରୀ ଶାସ୍ତ୍ରରେ ଯେଉଁଠାରେ “ଈଶ୍ୱର” ଶବ୍ଦ ପାଇଁ ‘ଏଲ ଓ ଏଲୋହୀମ’ ଆସିଛି, ସେଠାରେ ସେପ୍ଟୁଆଜେଣ୍ଟ୍ରେ ଗ୍ରୀକ୍ ଶବ୍ଦ ଥିୟୋସ୍ ବ୍ୟବହାର କରାଯାଇଛି । ଆଉ ଏହାର ମୂଳ ଅର୍ଥ ହେଲା, “ଶକ୍ତିଶାଳୀ ବ୍ୟକ୍ତି ।” ‘ଏଲ ଓ ଏଲୋହୀମ’ ଶବ୍ଦ ସର୍ବଶକ୍ତିମାନ ଈଶ୍ୱରଙ୍କ ପାଇଁ ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ଅନ୍ୟ ଦେବତା ଓ ମଣିଷମାନଙ୍କ ପାଇଁ ମଧ୍ୟ ବ୍ୟବହାର କରାଯାଏ । ବାକ୍ୟଙ୍କୁ “ଏକ ଈଶ୍ୱର” ବା “ଶକ୍ତିଶାଳୀ ବ୍ୟକ୍ତି” କହିବା, ଯିଶା ୯:୬ ପଦରେ ଦିଆଯାଇଥିବା ଭବିଷ୍ୟତବାଣୀ ସହିତ ମେଳ ଖାଏ । ଏହି ପଦରେ କୁହାଯାଇଛି ଯେ ମସୀହଙ୍କୁ “ପରାକ୍ରାନ୍ତ ପରମେଶ୍ୱର” ବୋଲି କୁହାଯିବ (“ସର୍ବଶକ୍ତିମାନ ଈଶ୍ୱର” ନୁହେଁ), ଆଉ ସେ ନିଜ ପ୍ରଜାଙ୍କ ପାଇଁ “ଅନନ୍ତକାଳୀନ ପିତା” ହେବେ । ତାହାଙ୍କ ପିତା, “ସୈନ୍ୟାଧିପତି ସଦାପ୍ରଭୁଙ୍କ” ଉଦ୍ଯୋଗ ଏଭଳି ନିଶ୍ଚୟ କରିବ ।—ଯିଶା ୯:୭.
ଅଧ୍ୟୟନ ବାଇବଲ—ଯୋହ ୧:୨୯ ଅଧ୍ୟୟନ ତଥ୍ୟ
ଈଶ୍ୱରଙ୍କ ମେଷଶାବକ: ବାଯ୍ତିଜକ ଯୋହନ ଲୋକମାନଙ୍କ ସମ୍ମୁଖରେ ଯୀଶୁଙ୍କୁ “ଈଶ୍ୱରଙ୍କ ମେଷଶାବକ” ବୋଲି କହିଲେ । ସେତେବେଳ ପର୍ଯ୍ୟନ୍ତ ଯୀଶୁଙ୍କ ବାଯ୍ତିସ୍ମ ହୋଇସାରିଥିଲା ଏବଂ ଶୟତାନ ତାହାଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲା । ଏହି ଶବ୍ଦସମୂହ କେବଳ ଏଠାରେ ଓ ଯୋହ ୧:୩୬ ପଦରେ ମିଳେ । [ଅତି. କ୭ (ହିନ୍ଦୀ) ଦେଖନ୍ତୁ ।] ଏଠାରେ ଯୀଶୁଙ୍କୁ ମେଷଶାବକ ସହିତ ଯେଉଁ ତୁଳନା କରାଯାଇଛି, ତାହା ସମ୍ପୂର୍ଣ୍ଣ ସଠିକ୍ । ବାଇବଲର ଅନେକ ପଦଗୁଡ଼ିକରୁ ଜଣାପଡ଼େ ଯେ ପାପର ପ୍ରାୟଶ୍ଚିତ କରିବା ପାଇଁ ଏବଂ ଈଶ୍ୱରଙ୍କ ମଞ୍ଜୁରି ପାଇବା ପାଇଁ ମେଷବଳି ଦିଆଯାଉଥିଲା । ଏହି ବଳିଦାନ ଯୀଶୁଙ୍କ ପରିପୂର୍ଣ୍ଣ ଶରୀରର ବଳିଦାନକୁ ସୂଚିତ କରୁଥିଲା, ଯାହା ସେ ଭବିଷ୍ୟତରେ ମଣିଷଜାତି ପାଇଁ ଦେଇଥାʼନ୍ତେ । “ଈଶ୍ୱରଙ୍କ ମେଷଶାବକ” ଶବ୍ଦସମୂହଟି ଯେଉଁ ଅର୍ଥରେ ବ୍ୟବହୃତ ହୋଇଛି, ଠିକ୍ ସମାନ ଭାବାର୍ଥ ବାଇବଲର ଅନେକ ପଦଗୁଡ଼ିକରେ ମିଳିଥାଏ । ବାଯ୍ତିଜକ ଯୋହନ ଏବ୍ରୀ ଶାସ୍ତ୍ର ସହିତ ଭଲ ଭାବେ ପରିଚିତ ଥିଲେ । ତେଣୁ, ହୁଏତ ଏଥିପାଇଁ ଯେତେବେଳେ ସେ ଈଶ୍ୱରଙ୍କ ମେଷଶାବକ କହିଲେ, ତାଙ୍କ ମନରେ ଏଠାରେ ଆଗକୁ କୁହାଯାଇଥିବା ଗୋଟିଏ କିମ୍ବା ତାʼଠାରୁ ଅଧିକ କଥା ରହିଥିବ: ଅବ୍ରହାମ ଯେଉଁ ମେଷକୁ ନିଜ ପୁତ୍ର ଇସ୍ହାକ ବଦଳରେ ବଳି ଦେଇଥିଲେ (ଆଦି ୨୨:୧୩), ଇସ୍ରାଏଲୀୟମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିବା ପାଇଁ ନିସ୍ତାର ପର୍ବର ଯେଉଁ ମେଷଶାବକ ବଳି ଦିଆଯାଇଥିଲା (ଯାତ୍ରା ୧୨:୧-୧୩), କିମ୍ବା ଯିରୂଶାଲମରେ ଈଶ୍ୱରଙ୍କ ବେଦି ଉପରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଯେଉଁ ମେଷକୁ ବଳି ଦିଆଯାଉଥିଲା (ଯାତ୍ରା ୨୯:୩୮-୪୨) । ଯୋହନଙ୍କ ମନରେ ହୁଏତ ଯିଶାଇୟଙ୍କ ଏହି ଭବିଷ୍ୟତବାଣୀ ମଧ୍ୟ ରହିଥିବ, ଯେଉଁଠାରେ ଯିହୋବା “ଆମ୍ଭର ଦାସ” ବୋଲି ଯାହାଙ୍କୁ କହିଲେ, ସେ “ବଧସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ” ହୋଇଥାʼନ୍ତେ । (ଯିଶା ୫୨:୧୩; ୫୩:୫, ୭, ୧୧) ଯେତେବେଳେ ପ୍ରେରିତ ପାଉଲ କରିନ୍ଥୀୟ ମଣ୍ଡଳୀକୁ ପ୍ରଥମ ଚିଠି ଲେଖିଲେ, ସେ ଯୀଶୁଙ୍କୁ “ନିସ୍ତାର ପର୍ବର ମେଷଶାବକ” ବୋଲି କହିଲେ । (୧କରି ୫:୭) ପ୍ରେରିତ ପିତର କହିଲେ, ‘ଖ୍ରୀଷ୍ଟଙ୍କ ରକ୍ତ ବହୁମୂଲ୍ୟ’ ଏବଂ ସେ “ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ।” (୧ପିତ ୧:୧୯) ଏହା ବ୍ୟତୀତ, ପ୍ରକାଶିତ ବାକ୍ୟ ବହିରେ ୨୫ରୁ ଅଧିକ ଥର ମହିମାନ୍ୱିତ ଯୀଶୁଙ୍କୁ ଲାକ୍ଷଣିକ ଭାବେ “ମେଷ” ବୋଲି କୁହାଯାଇଛି ।—ଏହାର କିଛି ଉଦାହରଣ: ପ୍ରକା ୫:୮; ୬:୧; ୭:୯; ୧୨:୧୧; ୧୩:୮; ୧୪:୧; ୧୫:୩; ୧୭:୧୪; ୧୯:୭; ୨୧:୯; ୨୨:୧.
୧୦-୧୬ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୩-୪
“ଯୀଶୁ ଏକ ଶମିରୋଣୀୟା ସ୍ତ୍ରୀକୁ ସାକ୍ଷ୍ୟ ଦେଲେ”
ଅଧ୍ୟୟନ ବାଇବଲ—ଯୋହ ୪:୬ ଅଧ୍ୟୟନ ତଥ୍ୟ
ପଥଶ୍ରାନ୍ତ ହୋଇଥିବାରୁ: ସମ୍ପୂର୍ଣ୍ଣ ବାଇବଲରେ କେବଳ ଏହି ପଦରେ କୁହାଯାଇଛି ଯେ ଯୀଶୁ “ପଥଶ୍ରାନ୍ତ” ହୋଇଥିଲେ । ସେତେବେଳେ ମଧ୍ୟାହ୍ନ ୧୨ଟା ହୋଇଥିଲା । ଆଉ ସେଦିନ ସକାଳେ ଯୀଶୁ ହୁଏତ ଯିହୁଦାର ଯର୍ଦ୍ଦନ ଉପତ୍ୟକାଠାରୁ ଶମିରୋଣର ସୁଖାର ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଯର୍ଦ୍ଦନରୁ ସୁଖାର ଯିବା ପାଇଁ ତାହାଙ୍କୁ ୩୦୦୦ ଫୁଟ୍ କିମ୍ବା ତାʼଠାରୁ ଅଧିକ ଉଚ୍ଚ ଘାଟି ଚଢ଼ିବାକୁ ପଡ଼ିଥିଲା ।—ଯୋହ ୪:୩-୫; ଆପେଣ୍ଡିକ୍ସ କ୭ (ହିନ୍ଦୀ) ଦେଖନ୍ତୁ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଯୋହ ୩:୨୯ ଅଧ୍ୟୟନ ତଥ୍ୟ
ବରଙ୍କ ଯେଉଁ ବନ୍ଧୁ: ବାଇବଲର ସମୟରେ ବରଙ୍କ କୌଣସି ନିକଟତମ ବ୍ୟକ୍ତି ତାଙ୍କ ଆଡ଼ୁ ବିବାହ ଠିକ୍ କରିବା ଏବଂ ବିବାହର ପ୍ରସ୍ତୁତି କରିବାରେ ମୁଖ୍ୟ ଭୂମିକା ତୁଲାଉଥିଲା । ଲୋକେ ବିଶ୍ୱାସ କରୁଥିଲେ ଯେ ସେହି ବ୍ୟକ୍ତି ବର-କନ୍ୟାଙ୍କ ସମ୍ପର୍କ ଯୋଡ଼ିଛି । ବିବାହ ଦିନ କନ୍ୟା ପକ୍ଷର ଲୋକମାନେ କନ୍ୟାକୁ ନେଇ ବର କିମ୍ବା ବରଙ୍କ ପିତା ଘରକୁ ଆସୁଥିଲେ ଏବଂ ସେଠାରେ ବିବାହ ଭୋଜି ଆୟୋଜନ କରାଯାଉଥିଲା । ଭୋଜି ସମୟରେ ବରଙ୍କ ବନ୍ଧୁ ଯେତେବେଳେ ବରଙ୍କୁ କନ୍ୟା ସହ କଥା ହେବାର ଦେଖୁଥିଲା, ବରଙ୍କ ସ୍ୱର ଶୁଣି ସେ ଆନନ୍ଦିତ ହେଉଥିଲା । କାରଣ ସେହି ଦୁହିଙ୍କୁ ମିଳିତ କରିବାର ଦାୟିତ୍ୱ ସେ ଭଲ ଭାବେ ତୁଲାଇ ସାରିଥାଏ । ବାଯ୍ତିଜକ ଯୋହନ ନିଜକୁ ‘ବରଙ୍କ ବନ୍ଧୁ’ ସହ ତୁଳନା କଲେ । ଯୀଶୁ ଗୋଟେ ପ୍ରକାରେ ବର ଭଳି ଥିଲେ ଏବଂ ତାହାଙ୍କ ଶିଷ୍ୟମାନେ ଏକ ସମୂହ ଭାବେ ତାହାଙ୍କ ପାଇଁ କନ୍ୟା ଭଳି ଥିଲେ । ବାଯ୍ତିଜକ ଯୋହନ ଯୀଶୁ ଖ୍ରୀଷ୍ଟଙ୍କୁ ତାହାଙ୍କ “କନ୍ୟା” ବର୍ଗର ପ୍ରାରମ୍ଭିକ ସଦସ୍ୟମାନଙ୍କ ସହିତ ଅର୍ଥାତ୍ ତାହାଙ୍କ ପ୍ରାରମ୍ଭିକ ଶିଷ୍ୟମାନଙ୍କ ସହିତ ମିଳାଇଲେ । ଏହିପରି ଭାବେ ସେ ମସୀହଙ୍କ ପାଇଁ ପଥ ପ୍ରସ୍ତୁତ କଲେ । (ଯୋହ ୧:୨୯, ୩୫; ୨କରି ୧୧:୨; ଏଫି ୫:୨୨-୨୭; ପ୍ରକା ୨୧:୨, ୯) ‘ବରଙ୍କ ବନ୍ଧୁ’ ବରକନ୍ୟାଙ୍କୁ ମିଳିତ କରିବାର କାମ ପୂରା କରିବା ପରେ, ସେ ଲୋକମାନଙ୍କ ଦୃଷ୍ଟିରେ ଏତେ ଆସୁ ନ ଥିଲା । ଯୋହନଙ୍କ ଭୂମିକା ମଧ୍ୟ ଏପରି କିଛି ଥିଲା । ତେଣୁ ସେ ଯୀଶୁଙ୍କ ବିଷୟରେ କହିଲେ, “ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ ।”—ଯୋହ ୩:୩୦.
ଅଧ୍ୟୟନ ବାଇବଲ—ଯୋହ ୪:୧୦ ଅଧ୍ୟୟନ ତଥ୍ୟ
ଜୀବନ୍ତ ଜଳ: ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ଜୀବନ୍ତ ଜଳ” କରାଯାଇଛି, ତାʼର ଶାବ୍ଦିକ ଅର୍ଥ ହେଉଛି, ବହୁଥିବା ପାଣି, ଝରଣାର ପାଣି, କିମ୍ବା ଉତ୍ସରୁ ବାହାରୁଥିବା ତାଜା ପାଣି । ଏଭଳି ପାଣି ସାଧାରଣତଃ କୁଣ୍ଡର ପାଣିଠାରୁ ଭିନ୍ନ ଥିଲା । କୁଣ୍ଡର ପାଣି ଅନେକ ସମୟ ଧରି ଜମା ହୋଇ ରହୁଥିଲା । ଲେବୀ ୧୪:୫ ପଦରେ ଯେଉଁ ଏବ୍ରୀ ଶବ୍ଦସମୂହର ଅନୁବାଦ “ସ୍ରୋତଜଳ” କରାଯାଇଛି, ତାʼର ଶାବ୍ଦିକ ଅନୁବାଦ ହେଉଛି, “ଜୀବନ୍ତ ଜଳ ।” ଯିରି ୨:୧୩ ଓ ୧୭:୧୩ ପଦରେ ଯିହୋବାଙ୍କୁ “ଅମୃତ ଜଳର ନିର୍ଝରସ୍ୱରୂପ” କୁହାଯାଇଛି । ଏହାର ଅର୍ଥ, ସେ ଲାକ୍ଷଣିକ ଭାବେ ଜୀବନର ଜଳ ଦେଇଥାʼନ୍ତି । ଶମିରୋଣୀୟା ସ୍ତ୍ରୀ ସହ କଥା ହେବା ସମୟରେ ଯୀଶୁ ‘ଜୀବନ୍ତ ଜଳକୁ’ ଲାକ୍ଷଣିକ ଭାବେ ଉଲ୍ଲେଖ କରିଥିଲେ । କିନ୍ତୁ ସ୍ତ୍ରୀଟି ପ୍ରଥମେ ହୁଏତ ଏହାକୁ ପ୍ରକୃତ ପାଣି ବୋଲି ଭାବି ନେଇଥିଲା ।—ଯୋହ ୪:୧୧.
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରସ୧୬.୨-ଇଂ ୯ ¶୧-୪
କʼଣ ଖ୍ରୀଷ୍ଟିୟାନମାନଙ୍କୁ କୌଣସି ପବିତ୍ର ସ୍ଥାନରେ ହିଁ ଉପାସନା କରିବା ଉଚିତ୍?
ଯୀଶୁ ଆଗକୁ କହିଲେ, “ଯେଉଁ ସମୟରେ ସତ୍ୟ ଉପାସକମାନେ ଆତ୍ମାରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, ସେପରି ସମୟ ଆସୁଅଛି; ପୁଣି, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ; କାରଣ ପିତା ଏହିପ୍ରକାର ଉପାସକ ଚାହାନ୍ତି ।” (ଯୋହନ ୪:୨୩) ବହୁ ବର୍ଷ ଧରି ଯିହୁଦୀମାନେ ମାନି ଆସୁଥିଲେ ଯେ ଯିରୂଶାଲମର ମହାନ ମନ୍ଦିର ହିଁ ସତ୍ୟ ଉପାସନାର ସବୁଠୁ ବିଶେଷ ସ୍ଥାନ ଅଟେ । ସେମାନେ ବର୍ଷକୁ ତିନି ଥର ଯିହୋବା ଈଶ୍ୱରଙ୍କୁ ବଳିଦାନ ଚଢ଼ାଇବା ପାଇଁ ଯିରୂଶାଲମକୁ ଯାଉଥିଲେ । (ଯାତ୍ରା ପୁସ୍ତକ ୨୩:୧୪-୧୭) କିନ୍ତୁ ଯୀଶୁ କହିଲେ, ଖୁବ୍ ଶୀଘ୍ର ସବୁକିଛି ବଦଳିଯିବ, ଆଉ “ସତ୍ୟ ଉପାସକମାନେ” ପବିତ୍ର ଶକ୍ତି ଓ ସତ୍ୟରେ ଉପାସନା କରିବେ ।
ଯିହୁଦୀମାନେ ନିଜ ମନ୍ଦିରକୁ ଦେଖିପାରୁଥିଲେ, କାରଣ ତାହା ଗୋଟିଏ ଜାଗାରେ ନିର୍ମିତ ବିରାଟ ଘର ଥିଲା । କିନ୍ତୁ ପବିତ୍ର ଶକ୍ତି ଓ ସତ୍ୟ ଆଖିକୁ ଦେଖାଯାଉଥିବା ବସ୍ତୁ ନୁହେଁ, କିମ୍ବା କୌଣସି ଜାଗାରେ ସୀମିତ ନୁହେଁ । ଯୀଶୁଙ୍କ କହିବାର ଅର୍ଥ ଥିଲା ଯେ ସତ୍ୟ ଖ୍ରୀଷ୍ଟିୟାମାନଙ୍କୁ ଉପାସନା କରିବା ପାଇଁ କୌଣସି ବିଶେଷ ଘର କିମ୍ବା ଜାଗାକୁ ଯିବା ଆବଶ୍ୟକ ହେବ ନାହିଁ । ତାହା ହୁଏତ ଗରିଷୀମ ପର୍ବତ ହେଉ, ଯିରୂଶାଲମର ମନ୍ଦିର ହେଉ, କିମ୍ବା ଆଉ କୌଣସି ପବିତ୍ର ଜାଗା ହେଉ ।
ଯୀଶୁ ଶମିରୋଣୀୟା ସ୍ତ୍ରୀକୁ ଏହା ମଧ୍ୟ କହିଲେ ଯେ ଉପାସନା କ୍ଷେତ୍ରରେ ଏହି ପରିବର୍ତ୍ତନର “ସମୟ ଆସୁଅଛି ।” ଏହି ସମୟ କେବେ ଆସିଲା? ଯେତେବେଳେ ଯୀଶୁ ନିଜ ଜୀବନ ବଳିଦାନ କଲେ । ସେହି ସମୟଠାରୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ହେଉଥିବା ଉପାସନାର ନୀତି ନିୟମର ଅନ୍ତ ହେଲା । (ରୋମୀୟ ୧୦:୪) କିନ୍ତୁ ଯୀଶୁ ଏହା ମଧ୍ୟ କହିଲେ, ଏହି “ସମୟ . . . ବର୍ତ୍ତମାନ ସୁଦ୍ଧା ଉପସ୍ଥିତ ।” ସେ ଏପରି କାହିଁକି କହିଲେ? କାରଣ ମସୀହ ଭାବେ ସେ ଏପରି ଲୋକମାନଙ୍କୁ ଏବେଠୁ ଏକତ୍ରିତ କରୁଥିଲେ, ଯେଉଁମାନେ ତାହାଙ୍କର ଏହି ଆଜ୍ଞାକୁ ପାଳନ କରିଥାʼନ୍ତେ: “ଈଶ୍ୱର ଆତ୍ମା, ପୁଣି ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ଆତ୍ମାରେ ଓ ସତ୍ୟରେ ଉପାସନା କରିବା ସେମାନଙ୍କର ଉଚିତ ।” (ଯୋହନ ୪:୨୪) କିନ୍ତୁ ପବିତ୍ର ଶକ୍ତି ଓ ସତ୍ୟରେ ଉପାସନା କରିବାର ଅର୍ଥ କʼଣ?
ଯେତେବେଳେ ଯୀଶୁ ପବିତ୍ର ଶକ୍ତିରେ ଉପାସନା କରିବା ବିଷୟରେ କହିଲେ, ତାହାଙ୍କ କହିବାର ଅର୍ଥ ଏହା ନ ଥିଲା ଯେ ଅତି ଉତ୍ସାହର ସହିତ ଈଶ୍ୱରଙ୍କ ଉପାସନା କରାଯିବ । ବରଂ ସେ କହିବାକୁ ଚାହୁଁଥିଲେ ଯେ ପବିତ୍ର ଶକ୍ତିର ମାର୍ଗଦର୍ଶନ ଅନୁଯାୟୀ ଉପାସନା କରାଯିବ । ପବିତ୍ର ଶକ୍ତି ଅନେକ କ୍ଷେତ୍ରରେ ମାର୍ଗଦର୍ଶନ କରିଥାଏ । ସେମଧ୍ୟରୁ ଗୋଟିଏ ହେଲା, ଈଶ୍ୱରଙ୍କ ବାକ୍ୟକୁ ବୁଝିବାରେ ସାହାଯ୍ୟ କରିବା । (୧ କରିନ୍ଥୀୟ ୨:୯-୧୨) ଆଉ, ଯୀଶୁ ଯେଉଁ ସତ୍ୟ ବିଷୟରେ କହୁଥିଲେ, ତାହା ହେଲା ବାଇବଲର ଶିକ୍ଷାଗୁଡ଼ିକର ସଠିକ୍ ଜ୍ଞାନ ନେବା । ତେଣୁ ଆମ ଉପାସନାକୁ ତେବେଯାଇ ସ୍ୱୀକାର କରାଯିବ, ଯେତେବେଳେ ଆମେ କୌଣସି ବିଶେଷ ଜାଗାରେ ଉପାସନା କରିବା ପରିବର୍ତ୍ତେ, ବାଇବଲର ଶିକ୍ଷା ଓ ପବିତ୍ର ଶକ୍ତିର ମାର୍ଗଦର୍ଶନ ଅନୁଯାୟୀ ଉପାସନା କରିବା ।
୧୭-୨୩ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୫-୬
“ସଠିକ୍ ମନୋଭାବ ରଖି ଯୀଶୁଙ୍କର ଅନୁଗମନ କରନ୍ତୁ”
ଅଧ୍ୟୟନ ବାଇବଲ—ଯୋହ ୬:୧୦ ଅଧ୍ୟୟନ ତଥ୍ୟ
ପ୍ରାୟ ପାଞ୍ଚହଜାର ପୁରୁଷ ଥିଲେ: କେବଳ ମାଥିଉ ନିଜ ବହିରେ ଏହି ଆଶ୍ଚର୍ଯ୍ୟକର୍ମ ବିଷୟରେ କହିବା ବେଳେ ଉଲ୍ଲେଖ କଲେ ଯେ ‘ସ୍ତ୍ରୀ ଓ ପିଲାମାନେ’ ମଧ୍ୟ ଥିଲେ । (ମାଥି ୧୪:୨୧) ଯୀଶୁ ଆଶ୍ଚର୍ଯ୍ୟକର୍ମ କରି ଯେଉଁ ଲୋକମାନଙ୍କୁ ଖୁଆଇଲେ, ସେମାନଙ୍କ ମୋଟ୍ ସଂଖ୍ୟା ୧୫,୦୦୦ରୁ ମଧ୍ୟ ଅଧିକ ହୋଇଥାଇପାରେ ।
ଅଧ୍ୟୟନ ବାଇବଲ—ଯୋହ ୬:୧୪ ଅଧ୍ୟୟନ ତଥ୍ୟ
ଭାବବାଦୀ: ଦ୍ୱିବି ୧୮:୧୫, ୧୮ ପଦରେ କୁହାଯାଇଥିଲା ଯେ ମୋଶାଙ୍କ ଭଳି ଜଣେ ଭାବବାଦୀ ଆସିବେ । ପ୍ରଥମ ଶତାବ୍ଦୀରେ ଅନେକ ଯିହୁଦୀ ଏହା ଆଶା କରୁଥିଲେ ଯେ ସେହି ଭାବବାଦୀ ମସୀହ ହେବେ । ଯୋହ ୬:୧୪ ପଦରେ ଲେଖାଯାଇଛି ଯେ ଭାବବାଦୀଙ୍କୁ ଜଗତକୁ ଆସିବାର ଥିଲା । ହୁଏତ ଏଠାରେ ମସୀହଙ୍କ ଆଗମନ ବିଷୟରେ କୁହାଯାଇଛି, ଯାହାଙ୍କୁ ଲୋକେ ଅପେକ୍ଷା କରୁଥିଲେ । ଏ ପଦରେ କୁହାଯାଇଥିବା ଘଟଣାଗୁଡ଼ିକ କେବଳ ଯୋହନଙ୍କ ବହିରେ ଉଲ୍ଲେଖ କରାଯାଇଛି ।
ଅଧ୍ୟୟନ ବାଇବଲ—ଯୋହ ୬:୨୭, ୫୪ ଅଧ୍ୟୟନ ତଥ୍ୟ
କ୍ଷୟୀ ଭକ୍ଷ୍ୟ . . . ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ: ଯୀଶୁ ବୁଝିଯାଇଥିଲେ ଯେ କିଛି ଲୋକ ନିଜର ଲାଭ ପାଇଁ ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସହ ସଙ୍ଗତି କରୁଥିଲେ । ଖାଦ୍ୟ ଖାଇଲେ ଜଣେ ମଣିଷ କେବଳ କିଛି ଦିନ ଜୀବିତ ରହିପାରେ । କିନ୍ତୁ ଈଶ୍ୱରଙ୍କ ବାକ୍ୟ “ଭକ୍ଷ୍ୟ” ଅର୍ଥାତ୍ ଖାଦ୍ୟ ଭଳି ଅଟେ, ଯାହା ମଣିଷମାନଙ୍କ ପାଇଁ ସର୍ବଦା ଜୀବିତ ରହିବା ସମ୍ଭବ କରିପାରିବ । ଯୀଶୁ ଲୋକଙ୍କୁ କହିଲେ ଯେ ସେମାନେ ଏପରି “ଭକ୍ଷ୍ୟ” ପାଇଁ ଶ୍ରମ କରନ୍ତୁ, ଯାହା “ଅନନ୍ତ ଜୀବନଦାୟକ” ଅଟେ । ଅର୍ଥାତ୍ ସେମାନେ ଈଶ୍ୱରଙ୍କ ମାର୍ଗଦର୍ଶନ ପାଇବା ପାଇଁ ପରିଶ୍ରମ କରନ୍ତୁ ଏବଂ ସେମାନେ ଯାହା ଶିଖୁଛନ୍ତି, ତାʼ ଉପରେ ବିଶ୍ୱାସ କରନ୍ତୁ ।—ମାଥି ୪:୪; ୫:୩; ଯୋହ ୬:୨୮-୩୯.
ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ: ଆଖପାଖର ପଦଗୁଡ଼ିକରୁ ଜଣାପଡ଼େ ଯେ ଏ ପଦରେ ଲାକ୍ଷଣିକ ଭାବେ ଖାଇବା ଓ ପିଇବା ବିଷୟରେ କୁହାଯାଇଛି, ଯାହାର ଅର୍ଥ ହେଉଛି— ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା । (ଯୋହ ୬:୩୫, ୪୦) ଯୀଶୁ ଏଠାରେ ପ୍ରଭୁଭୋଜରେ ଖାଇବାପିଇବା ବିଷୟରେ କହୁ ନ ଥିଲେ, କାରଣ ସେ ଏକଥା ୩୨ ଖ୍ରୀଷ୍ଟାବ୍ଦରେ କହିଥିଲେ । ଆଉ ସେ ପ୍ରଭୁଭୋଜର ଆରମ୍ଭ ଗୋଟେ ବର୍ଷ ପରେ କରିବାକୁ ଯାଉଥିଲେ । ସେ ଏକଥା ‘ଯିହୁଦୀମାନଙ୍କ ନିସ୍ତାର ପର୍ବର’ କିଛି ସମୟ ପୂର୍ବେ କହିଥିଲେ । (ଯୋହ ୬:୪) ତେଣୁ ତାହାଙ୍କ କଥା ଶୁଣି ଲୋକେ ଆଗାମୀ ନିସ୍ତାର ପର୍ବ ବିଷୟରେ ଭାବିଥିବେ । ତାʼ ଛଡ଼ା, ସେମାନେ ଅତୀତର ସେଇ ରାତିକୁ ମଧ୍ୟ ମନେ ପକାଇଥିବେ, ଯେତେବେଳେ ଇସ୍ରାଏଲୀୟମାନେ ମିଶରରୁ ମୁକ୍ତ ହୋଇଥିଲେ, ଆଉ ମେଷର ରକ୍ତ ଯୋଗୁଁ ସେମାନଙ୍କର ଜୀବନ ରକ୍ଷା ହୋଇଥିଲା । (ଯାତ୍ରା ୧୨:୨୪-୨୭) ଯୀଶୁ ଏହା କହିବାକୁ ଚାହୁଁଥିଲେ ଯେ ମେଷର ରକ୍ତ ଭଳି ତାହାଙ୍କ ରକ୍ତ ଏକ ମୁଖ୍ୟ ଭୂମିକା ତୁଲାଇବ ଏବଂ ଶିଷ୍ୟମାନଙ୍କ ପାଇଁ ଅନନ୍ତ ଜୀବନ ପାଇବା ସମ୍ଭବ କରିବ ।
ପ୍ର୦୫-ହି ୯/୧ ୨୧ ¶୧୩-୧୪
ଆମେ ଆମ ଈଶ୍ୱର ଯିହୋବାଙ୍କ ନାମରେ ଚାଲିବା
ତଥାପି ଲୋକମାନେ ହାର୍ ମାନିଲେ ନାହିଁ । ସେମାନେ ଯୀଶୁଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଲେ ଏବଂ ଯେପରି ଯୋହନ ଲେଖିଛନ୍ତି, ସେମାନେ ତାହାଙ୍କୁ “ସମୁଦ୍ର ସେପାରିରେ” ପାଇଲେ । ଯୀଶୁ ରାଜା ହେବା ପାଇଁ ମନା କରିଦେଇଥିବା ସତ୍ତ୍ୱେ ସେମାନେ ତାହାଙ୍କ ଅନୁସରଣ କରିବା କାହିଁକି ଛାଡ଼ିଲେ ନାହିଁ? କାରଣ ସେମାନଙ୍କ ମଧ୍ୟରେ ଅନେକ ସ୍ୱାର୍ଥୀ ଓ ମାନବୀୟ ଦୃଷ୍ଟିକୋଣ ରଖୁଥିବା ବ୍ୟକ୍ତି ଥିଲେ । ସେଥିପାଇଁ ସେମାନେ ଜୋର୍ ଦେଇ ସେଇ ଘଟଣା ବିଷୟରେ କହିବାକୁ ଲାଗିଲେ, ଯେତେବେଳେ ମୋଶାଙ୍କ ସମୟରେ ଯିହୋବା ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କୁ ଖାଦ୍ୟ ଯୋଗାଇଥିଲେ । ଗୋଟେ ପ୍ରକାରେ ସେମାନେ ଯୀଶୁଙ୍କୁ କହୁଥିଲେ, ‘ଆପଣଙ୍କୁ ମଧ୍ୟ ଲଗାତାର ଆମ ପାଇଁ ଖାଦ୍ୟର ବ୍ୟବସ୍ଥା କରିବା ଉଚିତ୍ ।’ ଯୀଶୁ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟକୁ ଜାଣିପାରିଥିଲେ । ତେଣୁ ସେ ସେମାନଙ୍କ ଭୁଲ୍ ଚିନ୍ତାଧାରାକୁ ସୁଧାରିବା ପାଇଁ ସେମାନଙ୍କୁ ଆଧ୍ୟାତ୍ମିକ ସତ୍ୟଗୁଡ଼ିକ ଶିଖାଇବାକୁ ଲାଗିଲେ । (ଯୋହନ ୬:୧୭, ୨୪, ୨୫, ୩୦, ୩୧, ୩୫-୪୦) କିନ୍ତୁ କିଛି ଲୋକ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ବିଶେଷ କରି ଯେତେବେଳେ ଯୀଶୁ ଏହି ଦୃଷ୍ଟାନ୍ତ ଦେଲେ: “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ । ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାଯ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି ।”—ଯୋହନ ୬:୫୩, ୫୪.
ଅନେକ ସମୟରେ ଯୀଶୁଙ୍କ ଦୃଷ୍ଟାନ୍ତରୁ ଲୋକଙ୍କର ଅସଲ ରୂପ ସାମନାକୁ ଆସିଯାଉଥିଲା । ଏହା ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସେମାନେ ହୃଦୟରୁ ଈଶ୍ୱରଙ୍କ ସହିତ ଚାଲିବାକୁ ଚାହୁଁଥିଲେ, ନା ସେମାନଙ୍କ ଉଦ୍ଦେଶ୍ୟ ଆଉ କିଛି ଥିଲା । ଏହି ଦୃଷ୍ଟାନ୍ତର ମଧ୍ୟ ଲୋକଙ୍କ ଉପରେ ଠିକ୍ ସେହିପରି ପ୍ରଭାବ ପଡ଼ିଲା । ଯୀଶୁଙ୍କ କଥା ଶୁଣିବା ପରେ ଲୋକେ ତାହାଙ୍କ ଉପରେ ରାଗିଗଲେ । ଆମେ ପଢ଼ୁ: “ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ?” ଯୀଶୁ ଆଗକୁ ସେମାନଙ୍କୁ କହିଲେ ଯେ ସେମାନେ ତାହାଙ୍କ କଥାରେ ଲୁଚି ରହିଥିବା ଆଧ୍ୟାତ୍ମିକ ଅର୍ଥକୁ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍ । ସେ କହିଲେ: “ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେସମସ୍ତ ବାକ୍ୟ କହିଅଛି, ସେହିସବୁ ଆତ୍ମା ଓ ଜୀବନ ଅଟେ ।” ତଥାପି ଅନେକ ଲୋକ ତାହାଙ୍କ କଥା ଶୁଣିବା ପାଇଁ ରାଜି ହେଲେ ନାହିଁ ଏବଂ ଯେପରି ବାଇବଲ କହେ: “ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ ।”—ଯୋହନ ୬:୬୦, ୬୩, ୬୬.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଯୋହ ୬:୪୪ ଅଧ୍ୟୟନ ତଥ୍ୟ
ଆକର୍ଷଣ: ଯେଉଁ ଗ୍ରୀକ୍ କ୍ରିୟାର ଅନୁବାଦ “ଆକର୍ଷଣ” କରାଯାଇଛି, ତାହା ମାଛରେ ଭର୍ତ୍ତି ଜାଲକୁ ଟାଣିବା ବିଷୟରେ କହିବା ପାଇଁ ବ୍ୟବହାର କରାଯାଏ । (ଯୋହ ୨୧:୬, ୧୧) କିନ୍ତୁ ଏହାର ଅର୍ଥ ନୁହେଁ ଯେ ଈଶ୍ୱର ଲୋକମାନଙ୍କୁ ଜବରଦସ୍ତି ନିଜ ଆଡ଼କୁ ଟାଣନ୍ତି । ତେଣୁ ଏହି କ୍ରିୟାର ଅର୍ଥ “ଟାଣିବା” ମଧ୍ୟ ହୋଇପାରେ । ଯିରି ୩୧:୩ ପଦ ଅନୁଯାୟୀ ଯିହୋବା ନିଜ ଲୋକଙ୍କୁ କହିଥିଲେ, “ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ ।” (ସେପ୍ଟୁଆଜେଣ୍ଟ୍ ବାଇବଲରେ ଯିରି ୩୧:୩ ପଦରେ ଏହି ଗ୍ରୀକ୍ କ୍ରିୟା ବ୍ୟବହାର କରାଯାଇଛି ।) ସମ୍ଭବତଃ, ଯୋହ ୬:୪୪ ପଦରେ ଯୀଶୁ ସେହିପରି କିଛି କହୁଥିଲେ । ସେ କହୁଥିଲେ ଯେ ଯିହୋବା ପ୍ରେମର ସହ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷଣ କରନ୍ତି । ଯୋହ ୧୨:୩୨ ପଦରୁ ଜଣାପଡ଼େ ଯେ ଯୀଶୁ ମଧ୍ୟ ଏହିପରି ଭାବେ ସମସ୍ତ ପ୍ରକାରର ଲୋକଙ୍କୁ ନିଜ ଆଡ଼କୁ ଆକର୍ଷଣ କରନ୍ତି । ବାଇବଲ ଅନୁଯାୟୀ ଯିହୋବା ମଣିଷମାନଙ୍କୁ ନିଜ ନିଷ୍ପତ୍ତି ନିଜେ ନେବାର ସ୍ୱାଧୀନତା ଦେଇଛନ୍ତି । ପ୍ରତ୍ୟେକ ବ୍ୟକ୍ତି ପାଖରେ ଏହା ନିର୍ଣ୍ଣୟ କରିବାର ଅଧିକାର ଅଛି ଯେ ସେ ତାହାଙ୍କର ସେବା କରିବ କି ନାହିଁ । (ଦ୍ୱିବି ୩୦:୧୯, ୨୦) ଯେଉଁ ଲୋକମାନେ ଭଲ ମନ ରଖନ୍ତି, ସେମାନଙ୍କୁ ଈଶ୍ୱର ପ୍ରେମର ସହ ନିଜ ଆଡ଼କୁ ଆକର୍ଷଣ କରନ୍ତି । (ଗୀତ ୧୧:୫; ହିତୋ ୨୧:୨; ପ୍ରେରି ୧୩:୪୮) ସେ ବାଇବଲରେ ଲିଖିତ ଥିବା କଥା ଏବଂ ନିଜ ପବିତ୍ର ଶକ୍ତି ଜରିଆରେ ସେମାନଙ୍କୁ ପ୍ରେମର ସହ ନିଜ ଆଡ଼କୁ ଆକର୍ଷଣ କରିଥାʼନ୍ତି । ଯିଶା ୫୪:୧୩ ପଦରେ ଥିବା ଭବିଷ୍ୟତବାଣୀକୁ ଯୋହ ୬:୪୫ ପଦରେ ଉଲ୍ଲେଖ କରାଯାଇଛି । ଏହି ଭବିଷ୍ୟତବାଣୀ ଏପରି ସମସ୍ତ ଲୋକଙ୍କ ଉପରେ ଲାଗୁ ହୁଏ, ଯେଉଁମାନଙ୍କୁ ପିତା ନିଜ ଆଡ଼କୁ ଆକର୍ଷଣ କରିଥାʼନ୍ତି ।—ଯୋହ ୬:୬୫ ସହିତ ତୁଳନା କରନ୍ତୁ ।
ଅଧ୍ୟୟନ ବାଇବଲ—ଯୋହ ୬:୬୪ ଅଧ୍ୟୟନ ତଥ୍ୟ
କିଏ ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କରିବ, . . . ଯୀଶୁ . . . ଜାଣିଥିଲେ: ଯୀଶୁ ଇଷ୍କାରିୟୋତୀୟ ଯିହୂଦା ବିଷୟରେ କହୁଥିଲେ । ଯୀଶୁ ସାରା ରାତି ନିଜ ପିତାଙ୍କୁ ପ୍ରାର୍ଥନା କରିବା ପରେ ୧୨ ଜଣ ପ୍ରେରିତଙ୍କୁ ବାଛିଲେ । (ଲୂକ ୬:୧୨-୧୬) ଏହା ସ୍ପଷ୍ଟ ଯେ ଯେତେବେଳେ ଯିହୂଦାକୁ ପ୍ରେରିତ ଭାବେ ବଛାଗଲା, ସେତେବେଳେ ସେ ଈଶ୍ୱରଙ୍କର ବିଶ୍ୱସ୍ତ ଥିଲା । କିନ୍ତୁ ଯୀଶୁ ଏବ୍ରୀ ଶାସ୍ତ୍ରର ଭବିଷ୍ୟତବାଣୀଗୁଡ଼ିକରୁ ଜାଣିଥିଲେ ଯେ ତାହାଙ୍କର କୌଣସି ନିକଟତମ ସାଥୀ ତାହାଙ୍କ ସହ ବିଶ୍ୱାସଘାତ କରିବ । (ଗୀତ ୪୧:୯; ୧୦୯:୮; ଯୋହ ୧୩:୧୮, ୧୯) ଯେତେବେଳେ ଯିହୂଦାର ମନରେ ମନ୍ଦ ଭାବନା ଜାତ ହେବାକୁ ଲାଗିଲା, ଯୀଶୁ ଏହା ଜାଣିଗଲେ । କାରଣ ସେ ଜାଣିପାରୁଥିଲେ ଯେ ଜଣେ ବ୍ୟକ୍ତିର ମନରେ କʼଣ ଅଛି । (ମାଥି ୯:୪) ଈଶ୍ୱରଙ୍କ ପାଖରେ ଭବିଷ୍ୟତ ଜାଣିବାର ସାମର୍ଥ୍ୟ ଅଛି । ତେଣୁ ସେ ଜାଣିଥିଲେ ଯେ ଏପରି ଜଣେ ବ୍ୟକ୍ତି ଯୀଶୁଙ୍କ ସହ ବିଶ୍ୱାସଘାତ କରିବ, ଯାହାକୁ ଯୀଶୁ ଭରସା କରିବେ । କିନ୍ତୁ ଈଶ୍ୱର ସ୍ଥିର କରି ନ ଥିଲେ ଯେ ଯିହୂଦା ହିଁ ସେହି ବ୍ୟକ୍ତି ହେବ । କାରଣ ଯଦି ଈଶ୍ୱର ଏପରି କରିଥାʼନ୍ତେ, ତେବେ ପୂର୍ବରୁ ତାʼର ଭବିଷ୍ୟତ ଲେଖିବା ଭଳି ହୁଅନ୍ତା । ଅତୀତରେ ଲୋକଙ୍କ ସହ ଈଶ୍ୱରଙ୍କ ବ୍ୟବହାର ଏବଂ ତାହାଙ୍କ ସ୍ୱଭାବରୁ ଜଣାପଡ଼େ ଯେ ସେ କେବେ ମଧ୍ୟ ଏପରି କରିପାରିବେ ନାହିଁ ।
ଆଦ୍ୟରୁ: ଏହି ଶବ୍ଦର ଅର୍ଥ ଏହା ନୁହେଁ ଯେ ଯେତେବେଳେ ଯିହୂଦା ଜନ୍ମ ହୋଇଥିଲା, ସେତେବେଳୁ ଯୀଶୁ ଜାଣିଥିଲେ ଯେ ସେ ତାହାଙ୍କ ସହ ବିଶ୍ୱାସଘାତ କରିବ । ଏହାର ଅର୍ଥ ଏହା ମଧ୍ୟ ନୁହେଁ ଯେ ଯେତେବେଳେ ଯିହୂଦାକୁ ପ୍ରେରିତ ଭାବେ ବଛାଗଲା, ସେତେବେଳୁ ଯୀଶୁ ଏହା ଜାଣିଥିଲେ । ଏହା ଏଥିପାଇଁ ସମ୍ଭବ ନୁହେଁ, କାରଣ ଯୀଶୁ ସାରା ରାତି ପ୍ରାର୍ଥନା କରିବା ପରେ ତାକୁ ପ୍ରେରିତ ଭାବେ ବାଛିଥିଲେ । (ଲୂକ ୬:୧୨-୧୬) ଏହା ବ୍ୟତୀତ, ଆରମ୍ଭରେ ଯିହୂଦାର କାର୍ଯ୍ୟକଳାପକୁ ଦେଖି ଯୀଶୁ ଜାଣିଗଲେ ଯେ ସେ ହିଁ ବିଶ୍ୱାସଘାତ କରିବ । କାରଣ ସେ ତୁରନ୍ତ ଯିହୂଦାର କପଟତା ସ୍ପଷ୍ଟ ଜାଣିପାରୁଥିଲେ । (ଯୋହ ୨:୨୪, ୨୫; ପ୍ରକା ୧:୧; ୨:୨୩) ଏଥିରୁ ଏହା ମଧ୍ୟ ଜଣାପଡ଼େ ଯେ ଯିହୂଦା ଯାହା କଲା, ତାହା ସେ ଆଗରୁ ଯୋଜନା କରିଥିବା ଷଡ଼ଯନ୍ତ୍ର ଥିଲା । ତାʼ ମନ ରାତାରାତି ମନ୍ଦ କାମ ଆଡ଼କୁ ଚାଲିଯାଇ ନ ଥିଲା । ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ରରେ “ଆଦ୍ୟରୁ” (ଗ୍ରୀକ୍ରେ, ଆରଖେ) ଶବ୍ଦର ଅର୍ଥ ଭିନ୍ନ ଭିନ୍ନ ହୋଇପାରେ । କୌଣସି ପଦରେ “ଆରମ୍ଭ” ଶବ୍ଦର ଅର୍ଥ ତାʼର ଆଖପାଖ ପଦଗୁଡ଼ିକରୁ ଜଣାପଡ଼େ । ଉଦାହରଣସ୍ୱରୂପ, ୨ପିତ ୩:୪ ପଦରେ “ଆରମ୍ଭରେ” ଶବ୍ଦର ଅର୍ଥ ହେଉଛି, ସୃଷ୍ଟିର ଆରମ୍ଭରେ । ପ୍ରେରି ୧୧:୧୫ ପଦରେ ପିତର କହିଲେ ଯେ ଅଣଯିହୁଦୀମାନଙ୍କ ଉପରେ ମଧ୍ୟ ପବିତ୍ର ଶକ୍ତି ସେହିପରି ଅବତରଣ କଲା, ଯେପରି “ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲା ।” ଏହି ପଦରେ ପିତର ନିଜର ଜନ୍ମ କିମ୍ବା ତାଙ୍କୁ ପ୍ରେରିତ ନିଯୁକ୍ତ କରାଯିବା ବେଳର କଥା କହୁ ନ ଥିଲେ । ସେ ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନ ବିଷୟରେ କହୁଥିଲେ, ଯେତେବେଳେ ଏକ ମୁଖ୍ୟ ଉଦ୍ଦେଶ୍ୟରେ ଶିଷ୍ୟମାନଙ୍କୁ ପବିତ୍ର ଶକ୍ତି ଦିଆଯିବା “ଆରମ୍ଭ” ହୋଇଥିଲା । (ପ୍ରେରି ୨:୧-୪) ଏହିପରି ଭାବେ ଆହୁରି କିଛି ପଦ ରହିଛି, ଯେଉଁଥିରେ “ଆରମ୍ଭ” ଶବ୍ଦର ଅର୍ଥ ଭିନ୍ନ ଭିନ୍ନ ଅଛି, ଯେପରି—ଲୂକ ୧:୨; ଯୋହ ୧୫:୨୭; ୧ଯୋହ ୨:୭.
୨୪-୩୦ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୭-୮
“ଯୀଶୁ ନିଜ ପିତାଙ୍କର ମହିମା କଲେ”
ଅନୁଗମନ କର (ହିନ୍ଦୀ) ୧୦୦-୧୦୧ ¶୫-୬
“ଲେଖା ଅଛି”
ଯୀଶୁ ଚାହୁଁଥିଲେ, ଲୋକମାନେ ଜାଣନ୍ତୁ ଯେ ତାହାଙ୍କ ବାର୍ତ୍ତା କାହା ତରଫରୁ ଅଟେ । ସେ କହିଲେ: “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର ।” (ଯୋହନ ୭:୧୬) ଆଉ ଥରେ ଯୀଶୁ କହିଥିଲେ, “ମୁଁ ନିଜରୁ କିଛି ନ କରି ବରଂ ପିତା ମତେ ଯେପ୍ରକାର ଶିକ୍ଷା ଦେଲେ, ସେହିପ୍ରକାର ଏସମସ୍ତ କଥା . . . କହୁଅଛି ।” (ଯୋହନ ୮:୨୮) ଆଉ ଏକ ସମୟରେ ସେ କହିଥିଲେ, “ମୁଁ ତୁମ୍ଭମାନଙ୍କୁ ଯେସମସ୍ତ ବାକ୍ୟ କହେ, ସେହିସବୁ ମୋʼ ନିଜରୁ କହେ ନାହିଁ, କିନ୍ତୁ ପିତା ମୋʼଠାରେ ଥାଇ ଆପଣା କର୍ମ କରୁଅଛନ୍ତି ।” (ଯୋହନ ୧୪:୧୦) ଯୀଶୁ ନିଜ ଏକଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ବାରମ୍ବାର ଈଶ୍ୱରଙ୍କ ବାକ୍ୟରୁ ଉଲ୍ଲେଖ କଲେ ।
ଯୀଶୁ କହିଥିବା ଶବ୍ଦଗୁଡ଼ିକ ଉପରେ ଧ୍ୟାନ ଦେଲେ ଜଣାପଡ଼େ ଯେ ସେ ଏବ୍ରୀ ଶାସ୍ତ୍ରର ଅଧାରୁ ବେଶି ବହିଗୁଡ଼ିକରୁ ସିଧାସଳଖ ଭାବେ ଉଲ୍ଲେଖ କଲେ କିମ୍ବା ସେଥିରେ ଲିଖିତ କଥାଗୁଡ଼ିକ ବିଷୟରେ କହିଲେ । ପ୍ରଥମେ ପ୍ରଥମେ ଆପଣଙ୍କୁ ହୁଏତ ଲାଗିପାରେ ଯେ ଏହା କୌଣସି ଖାସ୍ କଥା ନୁହେଁ । ଆପଣ ହୁଏତ ଭାବିପାରନ୍ତି ଯେ ଯୀଶୁ ନିଜର ସାଢ଼େ ତିନି ବର୍ଷର ପ୍ରଚାର ଓ ଶିଖାଇବା କାମରେ ଏବ୍ରୀ ଶାସ୍ତ୍ରର ସମସ୍ତ ବହିଗୁଡ଼ିକରୁ କାହିଁକି ଉଲ୍ଲେଖ କଲେ ନାହିଁ । ହୁଏତ ସେ ଏପରି କରିଥାଇପାରନ୍ତି । ମନେ ରଖନ୍ତୁ, ଯୀଶୁ କହିଥିବା କଥା ଓ ତାହାଙ୍କ କାର୍ଯ୍ୟକଳାପର ଏକ ଛୋଟ ଭାଗ ହିଁ ଲେଖାଯାଇଛି । (ଯୋହନ ୨୧:୨୫) ଯଦି ଆପଣ ବାଇବଲରେ ଲେଖାଯାଇଥିବା ଯୀଶୁଙ୍କର କଥାଗୁଡ଼ିକୁ ପଢ଼ିବା ଆରମ୍ଭ କରିବେ, ତେବେ ଆପଣଙ୍କୁ ଏହା ପଢ଼ିବା ପାଇଁ ମାତ୍ର କିଛି ଘଣ୍ଟା ଲାଗିବ । ଟିକେ ଭାବି ଦେଖନ୍ତୁ, ଆପଣ କାହାରିକୁ କିଛି ଘଣ୍ଟା ପାଇଁ ଈଶ୍ୱର ଓ ତାହାଙ୍କ ରାଜ୍ୟ ବିଷୟରେ କିଛି କହୁଛନ୍ତି ଏବଂ ଆପଣ ଏବ୍ରୀ ଶାସ୍ତ୍ରର ଅଧାରୁ ବେଶି ବହିଗୁଡ଼ିକରୁ ଉଲ୍ଲେଖ କରିବା ପାଇଁ ଚେଷ୍ଟା କରନ୍ତି । ଏହା କେତେ କଷ୍ଟକର ହେବ! ତାʼ ସହ ଅନେକ ସମୟରେ ଯୀଶୁଙ୍କ ପାଖରେ ନଳାକାର ପୁସ୍ତକ ରହୁ ନ ଥିଲା, ଯେଉଁଥିରୁ ସେ ପଢ଼ି ଲୋକମାନଙ୍କୁ ଶୁଣାନ୍ତେ । ଯେତେବେଳେ ସେ ନିଜର ପ୍ରସିଦ୍ଧ ପାର୍ବତ୍ୟ ଉପଦେଶ ଦେଲେ, ସେତେବେଳେ ସେ ଏବ୍ରୀ ଶାସ୍ତ୍ରରୁ ଅନେକ ଥର ସିଧାସଳଖ ଭାବେ ଉଲ୍ଲେଖ କଲେ କିମ୍ବା ସେଥିରେ ଲିଖିତ କଥାଗୁଡ଼ିକ ବିଷୟରେ କହିଲେ । ଆଉ ଏହା ସେ କେବଳ ନିଜ ସ୍ମରଣ ଶକ୍ତି ବଳରେ କଲେ ।
ପ୍ର୧୧-ହି ୩/୧୫ ୧୧ ¶୧୯
ଈଶ୍ୱରଙ୍କ ଆତ୍ମା ପାଆନ୍ତୁ, ଜଗତର ଆତ୍ମା ନୁହେଁ
ଯିହୋବାଙ୍କ ପ୍ରତ୍ୟେକ ଆଜ୍ଞା ପାଳନ କରନ୍ତୁ । ଯୀଶୁ ସବୁବେଳେ ଏପରି କାମ କଲେ, ଯେଉଁଥିରୁ ତାହାଙ୍କ ପିତାଙ୍କୁ ଖୁସି ମିଳୁଥିଲା । କିନ୍ତୁ ଅତି କମ୍ରେ ଗୋଟିଏ ଘଟଣାରେ ସେ ପରିସ୍ଥିତିର ସାମନା ଏପରି କରିବାକୁ ଚାହୁଁଥିଲେ, ଯାହା ତାହାଙ୍କ ପିତାଙ୍କ ଇଚ୍ଛା ଅନୁଯାୟୀ ନ ଥିଲା । ତଥାପି ସେ ପୂରା ଭରସାର ସହ ନିଜ ପିତାଙ୍କୁ କହିଲେ: “ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ ।” (ଲୂକ ୨୨:୪୨) ନିଜକୁ ପଚାରନ୍ତୁ, ‘କଅଣ ମୁଁ ଏପରି ସମୟରେ ମଧ୍ୟ ଈଶ୍ୱରଙ୍କ ଆଜ୍ଞା ମାନେ, ଯେତେବେଳେ ଏହା ସହଜ ହୋଇ ନ ଥାଏ?’ ଜୀବନରେ ଆମେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ବହୁତ ଜରୁରୀ । ସେ ଆମ ସୃଷ୍ଟିକର୍ତ୍ତା, ଆମ ଜୀବନର ସ୍ରୋତ, ଆଉ ତାହାଙ୍କ ଯୋଗୁଁ ହିଁ ଆମେ ଜୀବିତ ରହିଥାଉ । ତେଣୁ ଆମେ ତାହାଙ୍କ ପ୍ରତ୍ୟେକ ଆଜ୍ଞା ପାଳନ କରିବା ଉଚିତ୍, ଆଉ ସେ ଏହାର ଅଧିକାରୀ ମଧ୍ୟ । (ଗୀତ. ୯୫:୬, ୭) ତାହାଙ୍କ ଆଜ୍ଞା ପାଳନ କରିବା ହିଁ ବୁଦ୍ଧିମତ୍ତାର କାମ । ନଚେତ୍ ଆମେ ଈଶ୍ୱରଙ୍କ ମଞ୍ଜୁରି ପାଇପାରିବା ନାହିଁ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୭-ହି ୨/୧ ୬ ¶୪
ଆମେ କାହିଁକି ସତ କହିବା ଉଚିତ୍?
ଏ କ୍ଷେତ୍ରରେ ଯୀଶୁ ଏକ ଭଲ ଉଦାହରଣ ରଖିଲେ । ଯୀଶୁ ଥରେ ଏପରି କିଛି ଲୋକଙ୍କ ସହ କଥା ହେଉଥିଲେ, ଯେଉଁମାନେ ତାହାଙ୍କ ଶିଷ୍ୟ ନ ଥିଲେ । କିନ୍ତୁ ସେମାନେ ତାହାଙ୍କ ଯାତ୍ରା ବିଷୟରେ ଜାଣିବାକୁ ଚାହୁଁଥିଲେ । ସେମାନେ ଯୀଶୁଙ୍କୁ ପରାମର୍ଶ ଦେଲେ, “ଏଠାରୁ ବାହାରିଯାଇ ଯିହୁଦା ପ୍ରଦେଶକୁ ଯାଅ ।” ଯୀଶୁ ଉତ୍ତରରେ କʼଣ କହିଲେ? ସେ କହିଲେ, “ତୁମ୍ଭେମାନେ ଏହି ପର୍ବକୁ [ଯିରୂଶାଲମକୁ] ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ ।” କିନ୍ତୁ କିଛି ସମୟ ପରେ ଯୀଶୁ ପର୍ବ ପାଳନ କରିବା ପାଇଁ ଯିରୂଶାଲମକୁ ଗଲେ । ତେବେ ସେ ସେମାନଙ୍କୁ କାହିଁକି କହିଲେ ଯେ ସେ ଏବେ ପର୍ବ ପାଇଁ ଯିବେ ନାହିଁ? କାରଣ ଯୀଶୁ କେବେ, କେଉଁଠାକୁ ଯିବେ, ଏବିଷୟରେ ସେମାନଙ୍କୁ ଜାଣିବାର କୌଣସି ଅଧିକାର ନ ଥିଲା । ଯୀଶୁ ସେମାନଙ୍କୁ ମିଛ କହି ନ ଥିଲେ, ବରଂ ସେମାନଙ୍କୁ ଅଧାଅଧି ତଥ୍ୟ ଦେଇଥିଲେ । କାରଣ ସେ ଚାହୁଁ ନ ଥିଲେ ଯେ ତାହାଙ୍କୁ ଓ ତାହାଙ୍କ ଶିଷ୍ୟମାନଙ୍କୁ କୌଣସି ପ୍ରକାର ଅସୁବିଧା ହେଉ । ଆମେ ଭରସା ରଖିପାରିବା ଯେ ଯୀଶୁ କିଛି ମିଛ କହି ନ ଥିଲେ, କାରଣ ପ୍ରେରିତ ପିତର ତାହାଙ୍କ ବିଷୟରେ ଲେଖିଲେ: “ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା ।”—ଯୋହନ ୭:୧-୧୩; ୧ ପିତର ୨:୨୨.
ପ୍ର୦୯-ହି ୭/୧୫ ୫ ¶୧୨
“ମୁଁ ଜଗତର ଜ୍ୟୋତିଃ ।” (ଯୋହନ ୮:୧୨; ୯:୫ ପଦ ପଢ଼ନ୍ତୁ ।) ପୃଥିବୀରେ ଯୀଶୁ ଜନ୍ମ ହେବାର ବହୁ ପୂର୍ବରୁ ଭବିଷ୍ୟଦ୍ବକ୍ତା ଯିଶାଇୟ ଭବିଷ୍ୟତବାଣୀ କରିଥିଲେ: “ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ ମହାଆଲୁଅ ଦେଖିଅଛନ୍ତି; ଯେଉଁମାନେ ମୃତ୍ୟୁଚ୍ଛାୟାରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀଯ୍ତି ଉଦିତ ହୋଇଅଛି ।” (ଯିଶା. ୯:୨) ପ୍ରେରିତ ମାଥିଉ ବୁଝାଇଲେ ଯେ ଯେତେବେଳେ ଯୀଶୁ ପ୍ରଚାର କରିବା ଆରମ୍ଭ କଲେ ଏବଂ ଲୋକମାନଙ୍କୁ କହିଲେ: “ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ,” ସେତେବେଳେ ସେ ଏହି ଭବିଷ୍ୟତବାଣୀ ପୂରଣ କଲେ । (ମାଥି. ୪:୧୬, ୧୭) ଯୀଶୁଙ୍କ ସେବାରୁ ଲୋକେ ଆଧ୍ୟାତ୍ମିକ ଜ୍ଞାନର ଆଲୋକ ପାଇଲେ ଏବଂ ମିଥ୍ୟା ଶିକ୍ଷାଗୁଡ଼ିକରୁ ମୁକ୍ତ ହେଲେ । ଯୀଶୁ କହିଲେ: “ଯେକେହି ମୋʼଠାରେ ବିଶ୍ୱାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି ।”—ଯୋହ. ୧:୩-୫; ୧୨:୪୬.
ଅଧ୍ୟୟନ ବାଇବଲ—ଯୋହ ୮:୧୨ ଅଧ୍ୟୟନ ତଥ୍ୟ
ଜଗତର ଜ୍ୟୋତିଃ: ଯୀଶୁ ନିଜ ବିଷୟରେ କହିବାକୁ ଯାଇ ଯେଉଁ ରୂପକ ବ୍ୟବହାର କଲେ, ତାହା ହୁଏତ ତାହାଙ୍କ ଶ୍ରୋତାମାନଙ୍କୁ ସ୍ତ୍ରୀମାନଙ୍କର ପ୍ରାଙ୍ଗଣରେ ଥିବା ଚାରୋଟି ବଡ଼ ଦୀପବୃକ୍ଷ ମନେ ପକାଇ ଦେଇଥିବ, ଯାହା ପତ୍ରକୁଟୀର କିମ୍ବା କୁଟୀରବାସ ପର୍ବ ବେଳେ ଜଳା ଯାଉଥିଲା । [ଯୋହ ୭:୨; ଆପେଣ୍ଡିକ୍ସ ଖ୧୧ (ହିନ୍ଦୀ) ଦେଖନ୍ତୁ ।] ଏହାର ଆଲୋକ ଚାରିଆଡ଼େ ଅନେକ ଦୂର ପର୍ଯ୍ୟନ୍ତ ଆଲୋକିତ କରୁଥିଲା । ତାʼ ଛଡ଼ା, “ଜଗତର ଜ୍ୟୋତିଃ” ଶବ୍ଦସମୂହ ଯିଶାଇୟ ଲେଖିଥିବା ପଦଗୁଡ଼ିକୁ ମନେ ପକାଇଦିଏ । ଯିଶାଇୟ ଭବିଷ୍ୟତବାଣୀ କରିଥିଲେ ଯେ “ଯେଉଁମାନେ ମୃତ୍ୟୁଚ୍ଛାୟାରୂପ ଦେଶରେ ବାସ” କରିବେ, ସେମାନେ “ମହାଆଲୁଅ” ଦେଖିବେ ଏବଂ ଯାହାଙ୍କୁ ଯିହୋବାଙ୍କର “ଦାସ” ବୋଲି କୁହାଯାଇଛି, ସେ “ଦେଶୀୟମାନଙ୍କର ଦୀଯ୍ତି” ହେବେ । (ଯିଶା ୯:୧, ୨; ୪୨:୧, ୭; ୪୯:୬) ପାର୍ବତ୍ୟ ଉପଦେଶରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ସମ୍ବୋଧନ କରିବା ସମୟରେ ଏହି ସମାନ ରୂପକ ବ୍ୟବହାର କରିଥିଲେ । ସେ କହିଲେ: “ତୁମ୍ଭେମାନେ ଜଗତର ଜ୍ୟୋତିଃ ।” (ମାଥି ୫:୧୪) “ଜଗତର ଜ୍ୟୋତିଃ” ଶବ୍ଦସମୂହ (ଏଠାରେ ଗ୍ରୀକ୍ ଶବ୍ଦ କସ୍ମସ୍ ସମଗ୍ର ମାନବଜାତିକୁ ଦର୍ଶାଏ) ମସୀହଙ୍କ ବିଷୟରେ ଯିଶାଇୟ କରିଥିବା ଭବିଷ୍ୟତବାଣୀ ସହ ମେଳ ଖାଏ । ସେ ମସୀହଙ୍କୁ “ଦେଶୀୟମାନଙ୍କର ଦୀଯ୍ତି” ବୋଲି କହିଥିଲେ । ପ୍ରେରି ୧୩:୪୬, ୪୭ ପଦରେ ପାଉଲ ଓ ବର୍ଣ୍ଣବ୍ବା କୁହନ୍ତି ଯେ ଯିଶା ୪୯:୬ ପଦରେ ଥିବା ଭବିଷ୍ୟତବାଣୀରେ ଯୀଶୁଙ୍କ ସବୁ ଶିଷ୍ୟମାନଙ୍କ ପାଇଁ ଏକ ଆଜ୍ଞା ରହିଛି । ତାହା ହେଉଛି— ସେମାନେ ସବୁ ରାଷ୍ଟ୍ରର ଲୋକମାନଙ୍କୁ ଜ୍ୟୋତି ସ୍ୱରୂପ ଆଲୋକ ଦେଖାଇବା ଜାରି ରଖିବା ଉଚିତ୍ । ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ସେବାରୁ ଲୋକେ ଆଧ୍ୟାତ୍ମିକ ଜ୍ଞାନର ଆଲୋକ ପାଇଲେ ଏବଂ ମିଥ୍ୟା ଶିକ୍ଷାଗୁଡ଼ିକରୁ ମୁକ୍ତ ହେବେ ।