ଭାଗ ୨୦
ଯୀଶୁଙ୍କୁ ହତ୍ୟା କରାଗଲା
ଯୀଶୁ ଗୋଟିଏ ନୂତନ ପର୍ବ ଆରମ୍ଭ କଲେ; ତାହାଙ୍କୁ ବିଶ୍ୱାସଘାତ କରାଗଲା ଓ କାଠ ଖୁଣ୍ଟରେ ଝୁଲେଇ ମାରି ଦିଆଗଲା
ସାଢ଼େ ତିନି ବର୍ଷ ଧରି ପ୍ରଚାର ଓ ଶିକ୍ଷାଦେବା ପରେ ଯୀଶୁ ଜାଣି ପାରିଥିଲେ ଯେ ପୃଥିବୀରେ ତାହାଙ୍କ ସମୟ ଶେଷ ହୋଇ ଆସୁଛି । ଯିହୂଦୀ ଧର୍ମନେତାମାନେ ଯୀଶୁଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ସେସବୁ ଲୋକଙ୍କୁ ଭୟ କରୁଥିଲେ ଯେଉଁମାନେ ଯୀଶୁଙ୍କୁ ଜଣେ ଭାବବାଦୀରୂପେ ଗ୍ରହଣ କରିଥିଲେ । ଇତିମଧ୍ୟରେ ଶୟତାନ ଯୀଶୁଙ୍କ ୧୨ଜଣ ଶିଷ୍ୟଙ୍କ ମଧ୍ୟରୁ ଇଷ୍କାରିୟୋତ ଯିହୂଦା ନାମକ ଜଣେ ଶିଷ୍ୟଙ୍କୁ ବିଶ୍ୱାସଘାତ କରିବାକୁ ପ୍ରବର୍ତ୍ତାଇଲା । ଧର୍ମଗୁରୁମାନେ ଯିହୂଦାଙ୍କୁ ବିଶ୍ୱାସଘାତ କରିବା ପାଇଁ ୩୦ଟି ରୂପା ଟଙ୍କା ଦେଲେ ।
ଯୀଶୁ ନିଜର ଶେଷ ରାତ୍ରିରେ ସମସ୍ତ ପ୍ରେରିତମାନଙ୍କ ସଙ୍ଗରେ ନିସ୍ତାର ପର୍ବ ପାଳନ କଲେ । ଯିହୂଦାଙ୍କୁ ବାହାରକୁ ପଠେଇଲା ପରେ ଯୀଶୁ ପ୍ରଭୁଭୋଜର ଆୟୋଜନ କଲେ । ସେ ଖଣ୍ଡେ ରୋଟି ନେଲେ ଓ ପ୍ରାର୍ଥନାକରି ବାକି ୧୧ଜଣ ପ୍ରେରିତଙ୍କୁ ଦେଲେ । ସେ ଏହା କହିଲେ, “ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି” । ଆଉ ସେ କହିଲେ “ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।” ସେ ପୂର୍ବପରି ପାନପାତ୍ର ନେଇ କହିଲେ: “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ ।”—ଲୂକ ୨୨:୧୯, ୨୦.
ଯୀଶୁଙ୍କୁ ସେହି ରାତ୍ରିରେ ନିଜ ପ୍ରେରିତମାନଙ୍କୁ ଅନେକ କିଛି କହିବାର ଥିଲା । ସେ ସେମାନଙ୍କୁ ଏକ ନୂତନ ଆଜ୍ଞା ଦେଇଥିଲେ, ତାହାହେଲା ନିଃସ୍ୱାର୍ଥଭାବେ ସେମାନେ ପରସ୍ପରକୁ ପ୍ରେମକରିବେ । ଆଉ ସେ କହିଲେ: “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ୱାରା ଜ୍ଞାତ ହେବେ ।” (ଯୋହନ ୧୩:୩୪, ୩୫) ସେ ସେମାନଙ୍କୁ ଆଗାମୀ ଦିନରେ ଘଟିବାକୁ ଥିବା ଦୁଃଖକଷ୍ଟକୁ ନେଇ ଅତିରିକ୍ତ ଦୁଃଖିତ ନ ହେବାକୁ ପରାମର୍ଶ ଦେଇଥିଲେ । ଯୀଶୁ ଆନ୍ତରିକତାର ସହିତ ସେମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ । ସେମାନେ ଏକାସଙ୍ଗେ ପ୍ରଶଂସାର ଗୀତ ଗାଇ ରାତି ଥାଉ ଥାଉ ଗେଥ୍ଶମନୀ ଉଦ୍ୟାନକୁ ବାହାରି ଗଲେ ।
ଗେଥ୍ଶମନୀ ଉଦ୍ୟାନରେ ଯୀଶୁ ଆଣ୍ଠୁମାଡ଼ି ଅତି ଆକୁଳତାର ସହିତ ପ୍ରାର୍ଥନା କରିବାକୁ ଲାଗିଲେ । ଠିକ୍ ଏହାପରେ ଉତ୍ତ୍ୟକ୍ତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସୈନ୍ୟ ଦଳ, ଯାଜକମାନେ ଓ ଅନ୍ୟମାନେ ତାହାଙ୍କୁ ଧରିବାକୁ ଆସି ପହଞ୍ଚିଲେ । ଯିହୂଦା ଆସି ଯୀଶୁଙ୍କୁ ଚୁମ୍ବନ କରି ସେମାନଙ୍କୁ ଚିହ୍ନାଇଲେ । ଯେତେବେଳେ ସୈନ୍ୟମାନେ ଯୀଶୁଙ୍କୁ ବାନ୍ଧିନେଲେ, ପ୍ରେରିତମାନେ ସେହି ସ୍ଥାନଛାଡ଼ି ପଳେଇଗଲେ ।
ଯୀଶୁ ଯିହୂଦୀମାନଙ୍କ ଉଚ୍ଚ ନ୍ୟାୟାଳୟ ସମ୍ମୁଖରେ ନିଜକୁ ଈଶ୍ୱରଙ୍କ ପୁତ୍ରରୂପେ ପରିଚୟ ଦେଇଥିଲେ । ନ୍ୟାୟାଳୟ ତାହାଙ୍କୁ ଈଶ୍ୱରଙ୍କ ନିନ୍ଦକରୂପେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଲା । ଏହା ପରେ ଯୀଶୁଙ୍କୁ ରୋମୀୟ ରାଜ୍ୟ ପାଳ ପୀଲାତଙ୍କ ନିକଟକୁ ନିଆଗଲା । ଯଦ୍ୟପି ସେ ଯୀଶୁଙ୍କର କୌଣସି ଦୋଷ ପାଇଲେ ନାହିଁ, ତଥାପି ସେ ଯୀଶୁଙ୍କ ମୃତ୍ୟୁଦଣ୍ଡ ଦାବୀ କରୁଥିବା ସେହି ଉତ୍ତ୍ୟକ୍ତ ଜନତାଙ୍କୁ ସମର୍ପଣ କରିଦେଲେ ।
ଯୀଶୁଙ୍କୁ ଗଲ୍ଗଥାକୁ ନିଆଗଲା, ସେଠାରେ ରୋମୀୟ ସୈନ୍ୟମାନେ ତାହାଙ୍କୁ ଗୋଟିଏ କାଠ ଖୁଣ୍ଟରେ କଣ୍ଟାବିଧ କଲେ । ସେତେବେଳେ ଦିବାଲୋକ ଥିଲେ ମଧ୍ୟ ହଠାତ୍ ଚାରିଦିଗ ଅନ୍ଧକାରମୟ ହୋଇଗଲା । ତାʼପରେ ଦ୍ୱିପହରରେ ଯୀଶୁଙ୍କର ମୃତ୍ୟୁ ଘଟିଲା ଏବଂ ଏକ ମହାଭୂକମ୍ପ ହେଲା । ତାହାଙ୍କ ଶରୀରକୁ ଏକ ପଥର କାଟି ତିଆରି ହୋଇଥିବା କବର ସ୍ଥାନରେ ରଖାଗଲା । ତାʼପର ଦିନ ଯାଜକମାନେ ସେହି କବରର ପ୍ରବେଶପଥକୁ ବନ୍ଦ କଲେ ଏବଂ ଜଗୁଆଳିଙ୍କୁ ନିଯୁକ୍ତି କଲେ । ଯୀଶୁ କʼଣ ସେହି କବରରେ ରହିବେ ? ନା, କଦାପି ନୁହେଁ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଘଟଣା ଏହା ପରେ ହେବାକୁ ଯାଉଛି ।
—ଏହା ମାଥିଉ ଅଧ୍ୟାୟ ୨୬ ଓ ୨୭; ମାର୍କ ଅଧ୍ୟାୟ ୧୪ ଏବଂ ୧୫; ଲୂକ ଅଧ୍ୟାୟ ୨୨ ଏବଂ ୨୩; ଯୋହନ ଅଧ୍ୟୟ ୧୨ ରୁ ୧୯ ଉପରେ ଆଧାରିତ ।
a ଯୀଶୁଙ୍କ ବଳିଦାନ ସ୍ୱରୂପ ମୃତ୍ୟୁ ବିଷୟରେ ଅଧିକ ଜାଣିବା ପାଇଁ ବାଇବଲ ଆମକୁ କʼଣ ଶିଖାଏ ? ପୁସ୍ତକର ପୃଷ୍ଠା ୫୨-୬୧ ଦେଖନ୍ତୁ ।