ଜୁଲାଇ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୧-୭ ଜୁଲାଇ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | କଲସୀୟ ୧-୪
“ପୁରାତନ ସ୍ୱଭାବ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କର”
ପ୍ର୧୧-ହି ୩/୧୫ ୧୦ ¶୧୨-୧୩
ଜଗତର ଆତ୍ମା ବଦଳରେ ଈଶ୍ୱରଙ୍କ ପବିତ୍ର ଆତ୍ମା ପାଆନ୍ତୁ
୧୨ ମୋର ସ୍ୱଭାବରେ କାହାର ପ୍ରଭାବ ପଡ଼ୁଛି, ପବିତ୍ର ଶକ୍ତିର ନା ଜଗତର ଆତ୍ମାର ? (କଲସୀୟ ୩:୮-୧୦, ୧୩ ପଢ଼ନ୍ତୁ।) ଜଗତର ଆତ୍ମା ଶରୀରର କାର୍ଯ୍ୟଗୁଡ଼ିକୁ ପ୍ରୋତ୍ସାହନ ଦେଇଥାଏ। (ଗାଲା. ୫:୧୯-୨୧) ଯେତେବେଳେ ସବୁକିଛି ଠିକ୍ ଭାବେ ଚାଲିଥାଏ, ସେତେବେଳେ ଜଣାପଡ଼େ ନାହିଁ ଯେ ଆମ ଉପରେ କେଉଁ ଶକ୍ତିର ପ୍ରଭାବ ପଡ଼ୁଛି। ବରଂ ଏହା ଏପରି ସମୟରେ ଜଣାପଡ଼େ, ଯେତେବେଳେ ଆମ ପରିସ୍ଥିତି ଅତି ଖରାପ ହୋଇଯାଏ। ଯେପରି— କୌଣସି ଭାଇଭଉଣୀ ଆମକୁ ଅଣଦେଖା କରନ୍ତି, ଆମକୁ କ୍ରୋଧିତ କରାନ୍ତି କିମ୍ବା ଆମ ବିରୁଦ୍ଧରେ କୌଣସି ପାପ କରନ୍ତି। ଏହା ଛଡ଼ା, ଯେତେବେଳେ ଆମେ ଘରେ ଏକୁଟିଆ ଥାଉ, ସେତେବେଳେ ଜଣାପଡ଼େ ଯେ ଆମ ଉପରେ ଈଶ୍ୱରଙ୍କ ପବିତ୍ର ଶକ୍ତି କାମ କରୁଛି ନା ଜଗତର ଆତ୍ମା। ତେଣୁ ଆମେ ନିଜକୁ ଯାଞ୍ଚ କରିବା ଉଚିତ୍। ନିଜକୁ ପଚାରନ୍ତୁ: ‘ଗତ ଛଅ ମାସ ମଧ୍ୟରେ କʼଣ ମୁଁ ଖ୍ରୀଷ୍ଟଙ୍କ ସ୍ୱଭାବକୁ ଆପଣାଇବାରେ ଉନ୍ନତି କରିଛି ନା ମୋର କଥାବାର୍ତ୍ତା ଓ ଚାଲିଚଳନରେ ଖରାପ ଅଭ୍ୟାସଗୁଡ଼ିକ ପୁଣିଥରେ ଆସିଯାଇଛି ?’
୧୩ ଆମେ “ପୁରାତନ ସ୍ୱଭାବ ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ” କରିବା ପାଇଁ ଈଶ୍ୱରଙ୍କ ପବିତ୍ର ଶକ୍ତି ଆମକୁ ସାହାଯ୍ୟ କରେ। ଏହି ନୂତନ ସ୍ୱଭାବ ଆମକୁ ଅନ୍ୟମାନଙ୍କ ସହିତ ପ୍ରେମ ଓ ଦୟାର ସହ ବ୍ୟବହାର କରିବା ପାଇଁ ସାହାଯ୍ୟ କରିବ। ଯଦିଓ ଆମଠାରେ ଅନ୍ୟ କାହାରି ବିରୁଦ୍ଧରେ ଅଭିଯୋଗ କରିବାର ଠୋସ୍ କାରଣ ଥାଉ ନା କାହିଁକି, ନୂତନ ସ୍ୱଭାବ ପରିଧାନ କରିବା ଦ୍ୱାରା ଆମେ ଅନ୍ୟକୁ ହୃଦୟରୁ କ୍ଷମା କରିପାରିବା। ଯଦି ଆମକୁ ଲାଗୁଛି ଯେ ଆମ ସହିତ ଅନ୍ୟାୟ ହେଉଛି, ତାହେଲେ ମଧ୍ୟ ଆମେ “କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା” ଯୋଗୁଁ କାମ କରିବା ନାହିଁ। ଏହା ବ୍ୟତୀତ, ଆମେ “କୋମଳ ହୃଦୟ” ହେବାରେ ପୂରା ଚେଷ୍ଟା କରିବା ଉଚିତ୍।—ଏଫି. ୪:୩୧, ୩୨.
ପ୍ର୧୩-ହି ୯/୧୫ ୨୧ ¶୧୮-୧୯
କʼଣ ଆପଣଙ୍କର ପରିବର୍ତ୍ତନ ହୋଇଛି ?
୧୮ ଯଦି ଆମେ ଚାହୁଁ ଯେ ଈଶ୍ୱରଙ୍କ ବାକ୍ୟ ଆମକୁ ପରିବର୍ତ୍ତନ କରୁ, ତେବେ କେବଳ ତାକୁ ପଢ଼ିବା ଓ ସେଥିରୁ ଶିଖିବା ଯଥେଷ୍ଟ ନୁହେଁ। ଅନେକ ଲୋକ ବାଇବଲ ପଢ଼ନ୍ତି ଏବଂ ସେଥିରେ ଲେଖାଯାଇଥିବା କଥାଗୁଡ଼ିକ ବିଷୟରେ ମଧ୍ୟ ଜାଣନ୍ତି। ହୁଏତ ଆପଣ ମଧ୍ୟ ପ୍ରଚାର ସେବାରେ ଏପରି ଲୋକମାନଙ୍କୁ ଭେଟିଥିବେ। ସେମାନଙ୍କ ମଧ୍ୟରୁ କିଛି ଲୋକେ ତ ବାଇବଲର ପଦଗୁଡ଼ିକ ମୁଖସ୍ଥ ମଧ୍ୟ କରିଥାʼନ୍ତି। କିନ୍ତୁ ଏହାଦ୍ୱାରା ସେମାନଙ୍କ ଚିନ୍ତାଧାରା ଓ ସେମାନଙ୍କ ଜୀବନ ଉପରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ। କାହିଁକି ? କାରଣ ଯେତେବେଳେ ଆମେ ଈଶ୍ୱରଙ୍କ ବାକ୍ୟକୁ ହୃଦୟରେ ରଖିବା, ତେବେ ଯାଇ ଈଶ୍ୱରଙ୍କ ବାକ୍ୟ ଆମକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବ। (ଗାଲା. ୬:୬) ତେଣୁ ଆମେ ବାଇବଲରୁ ଯାହା ଶିଖୁ, ତାʼ ଉପରେ ସମୟ ବାହାର କରି ଚିନ୍ତନ କରିବା ଆବଶ୍ୟକ। ଆମେ ନିଜକୁ ପଚାରିବା ଉଚିତ୍: କʼଣ ମୁଁ ଏହା ଉପରେ ବିଶ୍ୱାସ କରେ ଯେ ମୁଁ ଯାହା ଶିଖୁଛି, ତାହା କେବଳ ଏକ ଧାର୍ମିକ ଶିକ୍ଷା ନୁହେଁ, ବରଂ ତାʼଠାରୁ ମଧ୍ୟ ଅଧିକ ? କʼଣ ମୁଁ ନିଜ ଜୀବନରେ ଏହାର ପ୍ରମାଣ ଦେଖିଛି ଯେ ଏହା ହିଁ ସତ୍ୟ ଅଟେ ? ମୁଁ ଯାହା ଶିଖେ, ତାହା ଅନ୍ୟକୁ ଶିଖାଇବା ଛଡ଼ା କʼଣ ମୁଁ ନିଜେ ମଧ୍ୟ ଏହାକୁ ଲାଗୁ କରିବା ପାଇଁ ଚେଷ୍ଟା କରେ ? କʼଣ ମୁଁ ଏହା ବିଶ୍ୱାସ କରେ ଯେ ମୁଁ ଯାହା ଶିଖୁଛି, ତାହା ଏପରି ଅଟେ ଯେପରି ଯିହୋବା ନିଜେ ମୋ ସହିତ କଥା ହେଉଛନ୍ତି ? ଏହି ପ୍ରଶ୍ନଗୁଡ଼ିକ ଉପରେ ଚିନ୍ତନ କରିବା ଦ୍ୱାରା ଆମେ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହୋଇପାରିବା। ତାହାଙ୍କ ପ୍ରତି ଆମ ପ୍ରେମ ବଢ଼ିବ। ଆମେ ଯାହା ଶିଖୁ, ତାହା ଯେତେବେଳେ ଆମ ହୃଦୟକୁ ଛୁଇଁଯାଏ, ସେତେବେଳେ ଏହା ଦ୍ୱାରା ଆମକୁ ପ୍ରୋତ୍ସାହନ ମିଳେ ଯେ ଆମେ ନିଜ ଜୀବନରେ ଜରୁରୀ ପରିବର୍ତ୍ତନ କରିବା, ଯାହା ଦ୍ୱାରା ଯିହୋବା ଖୁସି ହେବେ।—ହିତୋ. ୪:୨୩; ଲୂକ ୬:୪୫.
୧୯ ଲଗାତାର ବାଇବଲ ପଢ଼ିବା ଏବଂ ତାʼ ଉପରେ ଚିନ୍ତନ କରିବା ଦ୍ୱାରା ଆମକୁ ସେହି କାମ କରିବା ଜାରି ରଖିବା ପାଇଁ ପ୍ରୋତ୍ସାହନ ମିଳିବ, ଯାହା ଆମେ ପୂର୍ବରୁ କରି ଆସୁଛୁ। ତାହା ହେଲା, ‘ପୁରାତନ ସ୍ୱଭାବ ଓ ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିବା; ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ନିମନ୍ତେ ନୂତନୀକୃତ ହେଉଅଛି’। (କଲ. ୩:୯, ୧୦) ଯଦି ଆମେ ପ୍ରକୃତରେ ବୁଝିବା ଯେ ବାଇବଲ ଆମକୁ କʼଣ ଶିଖାଏ ଏବଂ ଶିଖିଥିବା ବିଷୟଗୁଡ଼ିକୁ ଲାଗୁ କରିବା, ତାହେଲେ ଆମକୁ ନୂତନ ସ୍ୱଭାବ ପରିଧାନ କରିବା ପାଇଁ ପ୍ରୋତ୍ସାହନ ମିଳିବ, ଯାହା ଆମକୁ ଶୟତାନର ଫାନ୍ଦରୁ ମଧ୍ୟ ରକ୍ଷା ରଖିବ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୨ ୧୬୯ ¶୩-୫
ଈଶ୍ୱରଙ୍କ ରାଜ୍ୟ
“ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ।” ଯୀଶୁ ସ୍ୱର୍ଗ ଫେରିବାର ୧୦ ଦିନ ପରେ ଅର୍ଥାତ୍ ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନ ଯେତେବେଳେ ସେ ନିଜ ଶିଷ୍ୟମାନଙ୍କ ଉପରେ ପବିତ୍ର ଆତ୍ମା ଅର୍ଥାତ୍ ପବିତ୍ର ଶକ୍ତି ଢାଳିଲେ, ସେତେବେଳେ ସେମାନଙ୍କୁ ଏହାର ପ୍ରମାଣ ମିଳିଲା ଯେ ଯୀଶୁଙ୍କୁ “ଈଶ୍ୱରଙ୍କ ଦକ୍ଷିଣ ହସ୍ତ ଦ୍ୱାରା ଉନ୍ନତ” କରାଯାଇଛି। (ପ୍ରେରି ୧:୮, ୯; ୨:୧-୪, ୨୯-୩୩) ତାʼ ପରଠାରୁ “ନୂତନ ଚୁକ୍ତି” ସେମାନଙ୍କ ଉପରେ ଲାଗୁ ହେବା ଆରମ୍ଭ ହେଲା ଏବଂ ସେମାନେ ଏକ ନୂତନ “ପବିତ୍ର ଜାତି” ଅର୍ଥାତ୍ ଈଶ୍ୱରଙ୍କ ଇସ୍ରାଏଲର ପ୍ରଥମ ସଦସ୍ୟ ହେଲେ।—ଏବ୍ରୀ ୧୨:୨୨-୨୪; ୧ପିତ ୨:୯, ୧୦; ଗାଲା ୬:୧୬.
ବର୍ତ୍ତମାନ ଖ୍ରୀଷ୍ଟ ନିଜ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ବସିଛନ୍ତି ଏବଂ ଏହି ନୂଆ ମଣ୍ଡଳୀର ମୁଖିଆ ଅଟନ୍ତି। (ଏଫି ୫:୨୩; ଏବ୍ରୀ ୧:୩; ଫିଲିପ୍ ୨:୯-୧୧) ବାଇବଲରୁ ଏହା ଜଣାପଡ଼େ ଯେ ଯୀଶୁ ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନରୁ ନିଜ ଶିଷ୍ୟମାନଙ୍କ ଉପରେ ରାଜ୍ୟ କରିବା ଆରମ୍ଭ କରିଦେଲେ। ପ୍ରେରିତ ପାଉଲ ପ୍ରଥମ ଶତାବ୍ଦୀରେ କଲସୀର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିବା ଚିଠିରେ ଏହା ଉଲ୍ଲେଖ କଲେ ଯେ ଯୀଶୁ ଖ୍ରୀଷ୍ଟଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି। ସେ ଲେଖିଲେ, “[ଈଶ୍ୱର] ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି।”—କଲ ୧:୧୩; ଦୟାକରି ପ୍ରେରି ୧୭:୬, ୭ ସହ ତୁଳନା କରନ୍ତୁ।
୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନଠାରୁ ଖ୍ରୀଷ୍ଟ, ଈଶ୍ୱରଙ୍କ ଇସ୍ରାଏଲ ଉପରେ ରାଜ୍ୟ କରୁଛନ୍ତି ଅର୍ଥାତ୍ ସେହି ଖ୍ରୀଷ୍ଟିୟାନମାନଙ୍କ ଉପରେ ଯେଉଁମାନଙ୍କୁ ପବିତ୍ର ଶକ୍ତି ଦ୍ୱାରା ବଛାଯାଇଛି, ଯାହାଫଳରେ ସେମାନେ ଈଶ୍ୱରଙ୍କ ସନ୍ତାନ ହୋଇଛନ୍ତି। (ଯୋହ ୩:୩, ୫, ୬) ଯେତେବେଳେ ସେହି ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଯିବେ, ସେତେବେଳେ ସେମାନେ ଏହି ଖ୍ରୀଷ୍ଟିୟ ରାଜ୍ୟର ପ୍ରଜା ନୁହେଁ ବରଂ ସ୍ୱର୍ଗରେ ତାହାଙ୍କ ସହ ରାଜା ଭାବେ ଶାସନ କରିବେ।—ପ୍ରକା ୫:୯, ୧୦.
ପ୍ର୦୮-ହି ୮/୧୫ ୨୮ ¶୯
ଗାଲାତୀୟ, ଏଫିସୀୟ, ଫିଲିପ୍ପୀୟ ଓ କଲସୀୟ ବହିର ମୁଖ୍ୟାଂଶ
୨:୮—“ଜଗତର ପ୍ରାଥମିକ ଶିକ୍ଷା” କʼଣ, ଯାହା ବିଷୟରେ ପାଉଲ ସତର୍କ କଲେ ? ଏଥିରେ ସେସବୁ ଜିନିଷ କିମ୍ବା ସିଦ୍ଧାନ୍ତଗୁଡ଼ିକ ସାମିଲ୍, ଯାହା ଶୟତାନର ସଂସାରର ଭାଗ ଅଟେ ଏବଂ ଯେଉଁଗୁଡ଼ିକର ମାର୍ଗଦର୍ଶନରେ ସଂସାରର ଲୋକମାନେ ଚାଲନ୍ତି। (୧ ଯୋହନ ୨:୧୬) ଏହା ସହିତ ଏଥିରେ ଦର୍ଶନବିଦ୍ୟା, ଧନ ସମ୍ପତ୍ତି ଓ ମିଥ୍ୟା ଧର୍ମ ମଧ୍ୟ ସାମିଲ୍।
୮-୧୪ ଜୁଲାଇ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ଥେସଲନୀକୀୟ ୧-୫
“ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି ପରସ୍ପରର ନିଷ୍ଠା ଜନ୍ମାଅ”
ପ୍ର୧୧-ହି ୬/୧୫ ୨୬ ¶୧୨
“ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି . . . ସେମାନଙ୍କୁ ମାନ୍ୟ କର”
୧୨ “ନେତା ସ୍ୱରୂପେ” ସେବା କରିବା କିମ୍ବା ନେତୃତ୍ୱ ନେବାରେ ମଣ୍ଡଳୀରେ ଶିଖାଇବା ସହିତ ଆଉ କିଛି ମଧ୍ୟ ସାମିଲ୍। ୧ ତୀମଥି ୩:୪ (ଇଜି-ଟୁ-ରିଡ୍ ଭର୍ସନ) ରେ ମଧ୍ୟ ଏହି ଶବ୍ଦଗୁଡ଼ିକ ବ୍ୟବହାର କରାଯାଇଛି, ଯେଉଁଠାରେ ପାଉଲ କହିଲେ ଯେ ଜଣେ ଅଧ୍ୟକ୍ଷ, “ନିଜ ପରିବାରକୁ ଉପଯୁକ୍ତ ଭାବରେ ନେତୃତ୍ୱ ଦେଇପାରୁଥିବେ। ତାʼର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ୟ ହେଉଥିବେ।” ଏହି ପଦରେ “ନେତୃତ୍ୱ” ନେବାର ଅର୍ଥ କେବଳ ନିଜ ପିଲାମାନଙ୍କୁ ଶିଖାଇବା ନୁହେଁ ବରଂ ପରିବାରର ନେତୃତ୍ୱ ନେବା ଏବଂ ପିଲାମାନଙ୍କୁ ଅଧୀନରେ ରଖିବା ମଧ୍ୟ ସାମିଲ୍। ହଁ, ପ୍ରାଚୀନ ମଣ୍ଡଳୀରେ ନେତୃତ୍ୱ ନିଅନ୍ତି, ଯାହାଫଳରେ ସମସ୍ତେ ଯିହୋବାଙ୍କ ଅଧୀନରେ ରହିପାରିବେ।—୧ ତୀମ. ୩:୫.
ପ୍ର୧୧-ହି ୬/୧୫ ୨୮ ¶୧୯
“ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି . . . ସେମାନଙ୍କୁ ମାନ୍ୟ କର”
୧୯ ଯଦି ଆପଣଙ୍କୁ ଏପରି କୌଣସି ଉପହାର ମିଳେ ଯାହା ବିଶେଷ କରି ଆପଣଙ୍କ ପାଇଁ ତିଆରି କରାଯାଇଛି, ତାହେଲେ ଆପଣଙ୍କୁ କିପରି ଲାଗିବ ? କʼଣ ଆପଣ ସେହି ଉପହାର ବ୍ୟବହାର କରି ନିଜ କୃତଜ୍ଞତା ଦେଖାଇବେ ? ଯିହୋବା ଈଶ୍ୱର, ଯୀଶୁଙ୍କ ଜରିଆରେ “ମଣିଷମାନଙ୍କ ରୂପରେ ଉପହାର” ଦେଇଛନ୍ତି। ଆମେ କିପରି ଏହି ଉପହାରଗୁଡ଼ିକ ପ୍ରତି କୃତଜ୍ଞତା ଦେଖାଇପାରିବା ? ଗୋଟିଏ ଉପାୟ ହେଲା, ଯେତେବେଳେ ପ୍ରାଚୀନମାନେ ମଣ୍ଡଳୀରେ ଭାଷଣ ଦିଅନ୍ତି, ସେତେବେଳେ ଆମେ ତାଙ୍କୁ ଧ୍ୟାନର ସହ ଶୁଣିବା ଏବଂ ସେମାନେ ଯାହା ଶିଖାନ୍ତି ତାହା ଲାଗୁ କରିବା। ଏହା ସହିତ, ଆପଣ ସଭାଗୁଡ଼ିକରେ ଭଲ ଉତ୍ତର ଦେଇ ମଧ୍ୟ ନିଜ କୃତଜ୍ଞତା ଦେଖାଇପାରିବେ। ଆଉ, ପ୍ରାଚୀନମାନେ ଯେଉଁ କାମଗୁଡ଼ିକରେ ନେତୃତ୍ୱ ନିଅନ୍ତି, ସେଗୁଡ଼ିକରେ ମଧ୍ୟ ନିଜ ସହଯୋଗ ଦେଇ ଆମେ ନିଜ କୃତଜ୍ଞତା ଦେଖାଇପାରିବା, ଯେପରି— ପ୍ରଚାର କାମରେ। ଯଦି ଆପଣଙ୍କୁ କୌଣସି ପ୍ରାଚୀନଙ୍କ ଅନୁଶାସନରୁ ଲାଭ ମିଳିଛି, ତାହେଲେ କʼଣ ଆପଣ ତାଙ୍କୁ ଧନ୍ୟବାଦ ଜଣାଇପାରିବେ ? ଏହା ବ୍ୟତୀତ, କʼଣ ଆପଣ ପ୍ରାଚୀନମାନଙ୍କ ପରିବାର ପାଇଁ ନିଜ କୃତଜ୍ଞତା ଦେଖାଇପାରିବେ ? ମନେ ରଖନ୍ତୁ ଯେ ଯେତେବେଳେ ଜଣେ ପ୍ରାଚୀନ ମଣ୍ଡଳୀର କାମ ପାଇଁ କଠିନ ପରିଶ୍ରମ କରନ୍ତି, ସେଥିରେ ତାଙ୍କ ପରିବାରର ତ୍ୟାଗ ମଧ୍ୟ ସାମିଲ୍ ଥାଏ। କାରଣ ସେ ନିଜ ପରିବାରକୁ ଯେଉଁ ସମୟ ଦେଇପାରିଥାʼନ୍ତେ, ତାହା ସେ ମଣ୍ଡଡଳୀର କାମଗୁଡ଼ିକରେ ବ୍ୟବହାର କରନ୍ତି।
ପ୍ର୧୭.୧୦-ହି ୧୦ ¶୧୩
ନିଜ କାମରୁ ଦେଖାନ୍ତୁ ଯେ ଆପଣଙ୍କ ପ୍ରେମ ସତ୍ୟ ଅଟେ
୧୩ ଦୁର୍ବଳମାନଙ୍କୁ ସାହାଯ୍ୟ କରନ୍ତୁ। ବାଇବଲ ଆମକୁ ଆଜ୍ଞା ଦିଏ ଯେ “ଦୁର୍ବଳମାନଙ୍କ ତତ୍ତ୍ୱ ନିଅ, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ।” (୧ ଥେସ. ୫:୧୪) କିନ୍ତୁ ଯଦି ଆମଠାରେ ସତ୍ୟ ପ୍ରେମ ନାହିଁ, ତାହେଲେ ଆମେ ଏହି ଆଜ୍ଞା ମାନିପାରିବା ନାହିଁ। ଅନେକ ଭାଇ, ଯେଉଁମାନଙ୍କ ବିଶ୍ୱାସ ଦୁର୍ବଳ ଥିଲା, ସେମାନେ ଆଗକୁ ଯାଇ ସତ୍ୟରେ ଦୃଢ଼ ହୋଇଗଲେ। କିନ୍ତୁ ଏପରି କିଛି ଭାଇଭଉଣୀ ମଧ୍ୟ ଅଛନ୍ତି, ଯେଉଁମାନଙ୍କ ସହିତ ଆମକୁ ଆହୁରି ଧୈର୍ଯ୍ୟ ଧରିବାକୁ ପଡ଼ିପାରେ ଏବଂ ପ୍ରେମର ସହ ସାହାଯ୍ୟ କରିବାକୁ ପଡ଼ିପାରେ। ଆମେ ଏହା କିପରି କରିପାରିବା ? ଆମେ ବାଇବଲରୁ ସେମାନଙ୍କ ଉତ୍ସାହ ବଢ଼ାଇପାରିବା, ସେମାନଙ୍କ ସହ ପ୍ରଚାରରେ ଯାଇପାରିବା କିମ୍ବା ସେମାନଙ୍କ କଥା ଧ୍ୟାନର ସହ ଶୁଣିପାରିବା। ଜଣେ ଭାଇ “ଦୁର୍ବଳ” କି “ଦୃଢ଼,” ଏବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଆମେ ଏହା ସ୍ୱୀକାର କରିବା ଉଚିତ୍ ଯେ ଆମ ସମସ୍ତଙ୍କଠାରେ ସାମର୍ଥ୍ୟ ଓ ଦୁର୍ବଳତା ଉଭୟ ରହିଛି। ପ୍ରେରିତ ପାଉଲ ମଧ୍ୟ ସ୍ୱୀକାର କଲେ ଯେ ତାଙ୍କଠାରେ ମଧ୍ୟ କିଛି ଦୁର୍ବଳତା ଥିଲା। (୨ କରି. ୧୨:୯, ୧୦) ତେଣୁ ଆମ ସମସ୍ତଙ୍କୁ ପରସ୍ପରର ସାହାଯ୍ୟ କରିବା ଓ ଉତ୍ସାହ ବଢ଼ାଇବା ଉଚିତ୍।
ପ୍ର୧୫-ହି ୨/୧୫ ୯ ¶୧୬
ଯୀଶୁଙ୍କ ପରି ନମ୍ରତା ଓ କୋମଳତା ଦେଖାନ୍ତୁ
୧୬ ଆମର କୋମଳ କଥା। ଆମର କୋମଳ ଭାବନା “ସାହସ-ହୀନମାନଙ୍କୁ ସାନ୍ତ୍ୱନା” ଦେବା ପାଇଁ ଆମକୁ ପ୍ରେରିତ କରେ।(୧ ଥେସ. ୫:୧୪) ଆମେ ତାଙ୍କର ପ୍ରୋତ୍ସାହନ କିପରି ବଢ଼ାଇପାରିବା ? ଆମେ ତାଙ୍କୁ କହିପାରିବା ଯେ ଆମେ ତାଙ୍କ ପାଇଁ କେତେ ଚିନ୍ତା କରୁ। ଆମେ ହୃଦୟରୁ ତାଙ୍କର ପ୍ରଶଂସା କରିପାରିବା। ଏପରି କରିବା ଦ୍ୱାରା ଆମେ ତାଙ୍କୁ ଏହା ଦେଖିବାରେ ସାହାଯ୍ୟ କରିପାରିବା ଯେ ତାଙ୍କଠାରେ କʼଣ କʼଣ ଭଲ ଗୁଣ ଓ ଦକ୍ଷତା ରହିଛି। ଆମେ ତାଙ୍କୁ ମନେ ପକାଇ ଦେଇପାରିବା ଯେ ଯଦି ଯିହୋବା ତାଙ୍କୁ ସତ୍ୟ ଖୋଜିବାରେ ସାହାଯ୍ୟ କରିଛନ୍ତି, ତାହେଲେ ଏହା ନିଶ୍ଚୟ ଯେ ସେମାନେ ତାହାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟନ୍ତି। (ଯୋହ. ୬:୪୪) ଆମେ ତାଙ୍କୁ ଭରସା ଦେଇପାରିବା ଯେ ଯିହୋବା ନିଜ ସେବକମାନଙ୍କ ପାଇଁ ବହୁତ ଚିନ୍ତା କରନ୍ତି, ଯେଉଁମାନେ “ଭଗ୍ନାନ୍ତଃକରଣ” କିମ୍ବା “ଚୂର୍ଣ୍ଣମନା” ଅଟନ୍ତି। (ଗୀତ. ୩୪:୧୮) ଆମର କୋମଳ କଥା ଏପରି ଲୋକମାନଙ୍କୁ ସତେଜ କରିପାରେ, ଯେଉଁମାନଙ୍କୁ ସାନ୍ତ୍ୱନାର ଆବଶ୍ୟକ ରହିଛି।—ହିତୋ. ୧୬:୨୪.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୧ ୮୬୩-୮୬୪
ବ୍ୟଭିଚାର
ବ୍ୟଭିଚାର ଏପରି ଏକ ଅପରାଧ ଯାହା ଯୋଗୁଁ ଜଣେ ବ୍ୟକ୍ତିକୁ ମଣ୍ଡଳୀରୁ ବହିଷ୍କାର କରାଯାଇପାରେ। (୧କରି ୫:୯-୧୩; ଏବ୍ରୀ ୧୨:୧୫, ୧୬) ପ୍ରେରିତ ପାଉଲ କହିଲେ ଯେ ଯେଉଁ ଖ୍ରୀଷ୍ଟିୟାନ ବ୍ୟଭିଚାର କରେ, ସେ ନିଜ ଶରୀରର ବିରୁଦ୍ଧରେ ପାପ କରେ କାରଣ ସେ ନିଜ ପ୍ରଜନନ ଅଙ୍ଗର ଭୁଲ ବ୍ୟବହାର କରେ। ଏହା ଯୋଗୁଁ ଈଶ୍ୱରଙ୍କ ସହ ତାʼର ସମ୍ପର୍କ ଭାଙ୍ଗିଯାଏ, ସେ ଈଶ୍ୱରଙ୍କ ମଣ୍ଡଳୀକୁ ଦୂଷିତ କରେ ଏବଂ ତାକୁ ଯୌନ ସମ୍ପର୍କ ଦ୍ୱାରା ହେଉଥିବା ରୋଗ ହେବାର ମଧ୍ୟ ଆଶଙ୍କ ଥାଏ। (୧କରି ୬:୧୮, ୧୯) ସେ ନିଜ ଭାଇର ଅଧିକାରକୁ ମଧ୍ୟ ଛଡ଼େଇ ନିଏ (୧ଥେସ ୪:୩-୭) କାରଣ (୧) ସେ ମଣ୍ଡଳୀକୁ ଅଶୁଦ୍ଧ ଓ ବଦନାମ କରେ (ଏବ୍ରୀ ୧୨:୧୫, ୧୬), (୨) ଯାହା ସହ ବ୍ୟଭିଚାର କରେ, ତାʼର ଶୁଦ୍ଧ ଚରିତ୍ରକୁ ଖରାପ କରେ। ଯଦି ସେ କୌଣସି ଅବିବାହିତ ବ୍ୟକ୍ତି ସହ ସମ୍ପର୍କ ରଖେ, ତାହେଲେ ସେହି ବ୍ୟକ୍ତି ଭ୍ରଷ୍ଟ ହୋଇଯାଏ ଯଦ୍ୱାରା ସେ ବିବାହ ବନ୍ଧନରେ ଆବଦ୍ଧ ହେବା ସମୟରେ ଶୁଦ୍ଧ ରହେ ନାହିଁ, (୩) ନିଜ ପରିବାରର ନାମ ମଧ୍ୟ ଖରାପ କରେ, ଏହା ସହ (୪) ସେ ଯାହା ସହିତ ସମ୍ପର୍କ ରଖେ, ତାʼର ପିତାମାତା, ଜୀବନ ସାଥୀ କିମ୍ବା ଯାହାଙ୍କ ସହିତ ତାଙ୍କର ବିବାହ ହେବାର ଥାଏ ତାʼ ବିରୁଦ୍ଧରେ ପାପ କରେ। ସେ କୌଣସି ମଣିଷର ନିୟମ ନୁହେଁ ବରଂ ଈଶ୍ୱରଙ୍କ ନିୟମର ଉଲ୍ଲଙ୍ଘନ କରେ କାରଣ ମଣିଷର ବ୍ୟବସ୍ଥାରେ ହୁଏତ ଏହା ଭୁଲ ନ ହୋଇପାରେ କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ଏ ପାପ ଦଣ୍ଡର ଯୋଗ୍ୟ।—୧ଥେସ ୪:୮.
ପ୍ର୧୫-ହି ୭/୧୫ ୧୮-୧୯ ¶୧୪-୧୫
“ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ” !
୧୪ ଯେତେବେଳେ ମାଗୋଗ୍ ଦେଶୀୟ ଗୋଗ୍ ଈଶ୍ୱରଙ୍କ ଲୋକଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିବ, ତାʼପରେ କʼଣ ହେବ ? ବାଇବଲ କହେ ଯେ ମନୁଷ୍ୟପୁତ୍ର “ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।” (ମାର୍କ ୧୩:୨୭; ମାଥି. ୨୪:୩୧) ଏ ପଦରେ ଏକତ୍ର କରିବା ବିଷୟରେ ଯାହା କୁହାଯାଇଛି, ତାʼର ସମ୍ପର୍କ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ପ୍ରଥମ ଥର ବଛାଯିବା ସହ ନୁହେଁ । ଏପରିକି ସେହି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଶେଷ ମୁଦ୍ରାଙ୍କନ କରାଯିବା ସହ ମଧ୍ୟ ଏହାର ସମ୍ପର୍କ ନାହିଁ, ଯେଉଁମାନେ ଏବେ ମଧ୍ୟ ପୃଥିବୀରେ ଅଛନ୍ତି। (ମାଥି. ୧୩:୩୭, ୩୮) ମହାକ୍ଳେଶ ଆରମ୍ଭ ହେବାର ଠିକ୍ କିଛି ସମୟ ପୂର୍ବରୁ ସେମାନଙ୍କ ଉପରେ ଶେଷ ମୁଦ୍ରାଙ୍କନ କରାଯିବ। (ପ୍ରକା. ୭:୧-୪) ତାହେଲେ ଏଠାରେ ଏକତ୍ର କରାଯିବା କେଉଁ ବିଷୟକୁ ଦର୍ଶାଏ ? ଏହା ପୃଥିବୀରେ ଅବଶିଷ୍ଟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପୁରସ୍କାର ପାଇବା ଏବଂ ସେମାନଙ୍କ ସ୍ୱର୍ଗ ଯିବାକୁ ଦର୍ଶାଏ।(୧ ଥେସ. ୪:୧୫-୧୭; ପ୍ରକା. ୧୪:୧) ଏ ଘଟଣା ଗୋଗ୍ର ଆକ୍ରମଣ ଆରମ୍ଭ ହେବା ପରେ କୌଣସି ଏକ ସମୟରେ ହେବ। (ଯିହି. ୩୮:୧୧) ତାʼପରେ ଯୀଶୁ କହିଥିବା ଏକଥା ପୂରଣ ହେବ, “ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ।”—ମାଥି. ୧୩:୪୩.
୧୫ କʼଣ ଏହାର ଅର୍ଥ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ମଣିଷ ଶରୀରରେ ହିଁ ପୃଥିବୀରୁ ସ୍ୱର୍ଗକୁ ଉଠାଇ ନିଆଯିବ ? ଖ୍ରୀଷ୍ଟୀୟ ଜଗତର ଅଧିକାଂଶ ଲୋକମାନେ ବିଶ୍ୱାସ କରନ୍ତି ଯେ ଖ୍ରୀଷ୍ଟିୟାନମାନଙ୍କୁ ମଣିଷ ଶରୀରରେ ହିଁ ସ୍ୱର୍ଗକୁ ଉଠାଇ ନିଆଯିବ। ସେମାନେ ଏହା ମଧ୍ୟ ଭାବନ୍ତି ଯେ ଯୀଶୁ ପୃଥିବୀରେ ଶାସନ କରିବା ପାଇଁ ଆସିବେ ଏବଂ ସେମାନେ ତାହାଙ୍କୁ ଦେଖିପାରିବେ। କିନ୍ତୁ ବାଇବଲ ସ୍ପଷ୍ଟ ଭାବେ କହେ, “ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ” ଏବଂ ଯୀଶୁ “ଆକାଶର ମେଘମାଳାରେ ଆଗମନ” କରିବେ।(ମାଥି. ୨୪:୩୦) ଏହି ଦୁଇଟି କଥାରୁ ସ୍ପଷ୍ଟ ଜଣାପଡ଼େ ଯେ ସେ ଯେତେବେଳେ ଆସିବେ, ତାହା ଅଦୃଶ୍ୟ ହେବ। ବାଇବଲ ଏହା ମଧ୍ୟ କହେ, “ରକ୍ତମାଂସ ଈଶ୍ୱରଙ୍କ ରାଜ୍ୟ ଅଧିକାର କରି ପାରେ ନାହିଁ।” ଏହାର ଅର୍ଥ ଏହା ଯେ ଯେଉଁମାନଙ୍କୁ ସ୍ୱର୍ଗକୁ ଉଠାଇ ନିଆଯିବ, ସେମାନେ ‘ଏକ ମୁହୂର୍ତ୍ତରେ, ଚକ୍ଷୁର ପଲକରେ, ଶେଷ ତୂରୀଧ୍ୱନିରେ ପରିବର୍ତ୍ତିତ’ ହେବେ। (୧ କରିନ୍ଥୀୟ ୧୫:୫୦-୫୩ ପଢ଼ନ୍ତୁ।) ତେଣୁ ଆମେ ଏହା କହିପାରିବା ନାହିଁ ଯେ ସେମାନେ ମଣିଷ ଶରୀରରେ ସ୍ୱର୍ଗକୁ ଉଠାଇ ନିଆଯିବେ, କାରଣ ଏହା ଏକ ମିଥ୍ୟା ଶିକ୍ଷା। କିନ୍ତୁ ଏହା ନିଶ୍ଚୟ ଯେ ପୃଥିବୀରେ ରହିଥିବା ଅବଶିଷ୍ଟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଏକ ମୁହୂର୍ତ୍ତରେ ହିଁ ସ୍ୱର୍ଗରେ ଏକତ୍ର କରାଯିବ।
୧୫-୨୧ ଜୁଲାଇ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ ଥେସଲନୀକୀୟ ୧-୩
“ଅଧର୍ମ ପୁରୁଷ ପ୍ରକାଶିତ ହେବ”
ଇନସାଇଟ୍-୧ ୯୭୨-୯୭୩
ଈଶ୍ୱରପରାୟଣତା
ପାପ କରିବାର ଦୁଷ୍ଟତା ଏପରି ଏକ ରହସ୍ୟ, ଯାହା ଈଶ୍ୱରଙ୍କ ‘ନିଗୂଢ଼ତତ୍ତ୍ୱର’ ବିରୁଦ୍ଧରେ ଅଟେ। ତାହା ହେଉଛି “ଅଧର୍ମର ନିଗୂଢ଼ତତ୍ତ୍ୱ”। ପ୍ରେରିତ ପାଉଲଙ୍କ ସମୟରେ ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏହା ଏକ ରହସ୍ୟ ଥିଲା। କାରଣ ସେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନ ଥିଲା ଯେ ପାଉଲ ଯେଉଁ “ଅଧର୍ମ ପୁରୁଷ” ବିଷୟରେ ଉଲ୍ଲେଖ କରିଥିଲେ ତାହା ଏକ ସମୂହକୁ ଦର୍ଶାଉ ଥିଲା। ଆଗକୁ ଯାଇ ଯେତେବେଳେ ଏହି ଅଧର୍ମ ପୁରୁଷର ପରିଚୟ ସ୍ପଷ୍ଟ ହୋଇଗଲା, ସେତେବେଳେ ମଧ୍ୟ କିଛି ଲୋକଙ୍କ ପାଇଁ ଏହା ଏକ ରହସ୍ୟ ଥିଲା। କାରଣ ଏହି ଅଧର୍ମ ପୁରୁଷ ଈଶ୍ୱରପରାୟଣତା ବା ଈଶ୍ୱରଙ୍କ ଭକ୍ତି କରିବାର ଛଳନା କରୁଥିଲା ଏବଂ ତାʼ ନାମରେ ଖରାପ କାମ କରୁଥିଲା। ସେ ପ୍ରକୃତରେ ଈଶ୍ୱରଙ୍କ ଭକ୍ତି କରିବା ପରିବର୍ତ୍ତେ ତାʼ ବିରୁଦ୍ଧରେ କାମ କରୁଥିଲା। ପାଉଲ କହିଲେ ଯେ ତାଙ୍କ ସମୟରେ ଏହି ଦୁଷ୍ଟତା ଆରମ୍ଭ ହୋଇଯାଇଥିଲା, କାରଣ ଖ୍ରୀଷ୍ଟୀୟ ମଣ୍ଡଳୀ ଉପରେ ଏହାର କୁପ୍ରଭାବ ପଡ଼ିବାକୁ ଲାଗିଥିଲା ଏବଂ ଏହାଦ୍ୱାରା ଆଗକୁ ଯାଇ ସତ୍ୟ ଉପାସନାର ବିରୁଦ୍ଧରେ ବିଦ୍ରୋହ କରିବାର ଲୋକମାନଙ୍କ ଏକ ସମୂହ ସୃଷ୍ଟି ହୁଅନ୍ତା। କିନ୍ତୁ ଯେତେବେଳେ ଯୀଶୁ ଖ୍ରୀଷ୍ଟ ନିଜ ଉପସ୍ଥିତି ପ୍ରକାଶ କରିବେ, ସେତେବେଳେ ସେ ଏହି ଅଧର୍ମ ପୁରୁଷକୁ ବିନାଶ କରିଦେବେ। ଏହି ବିଦ୍ରୋହୀ ଶୟତାନର ମାର୍ଗଦର୍ଶନରେ କାମ କରେ। ସେ “ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସେମାନଙ୍କଠାରୁ ଉନ୍ନତ କରେ” (ଗ୍ରୀକ୍, ସେବାସମା)। ଶୟତାନ ତରଫରୁ କାମ କରୁଥିବା ଏହି ବିଦ୍ରୋହୀ ଈଶ୍ୱରଙ୍କ ସବୁଠାରୁ ବଡ଼ ବିରୋଧୀ ଓ ବିଶ୍ୱାସଘାତକ ଅଟେ। ଯେଉଁ ଲୋକମାନେ ତାʼ ଛଳନାରେ ପଡ଼ିଯାʼନ୍ତି, ସେମାନଙ୍କ ବିନାଶ ସୁନିଶ୍ଚିତ। ଏହି “ଅଧର୍ମ ପୁରୁଷ” ନିଜ ଦୁଷ୍ଟ କାମଗୁଡ଼ିକରେ ସଫଳ ଏଥିପାଇଁ ହୋଇଥାଏ, କାରଣ ସେ ଈଶ୍ୱରଙ୍କ ଭକ୍ତି କରିବାର ଛଳନା କରି ଏପରି କାମ କରିଥାଏ।—୨ଥେସ ୨:୩-୧୨; ଦୟାକରି ମାଥି ୭:୧୫, ୨୧-୨୩ ସହ ତୁଳନା କରନ୍ତୁ।
ଇନସାଇଟ୍-୨ ୨୪୫ ¶୭
ମିଥ୍ୟା
ଯେଉଁମାନେ ମିଥ୍ୟାକୁ ପସନ୍ଦ କରନ୍ତି, ‘ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରିବେ, ସେଥିନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପ୍ରେରଣ’ କରନ୍ତି। ଯାହାଫଳରେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାରରେ ବିଶ୍ୱାସ କରନ୍ତି ନାହିଁ। (୨ଥେସ ୨:୯-୧୨) ପ୍ରାଚୀନ କାଳରେ ଇସ୍ରାଏଲର ରାଜା ଆହାବଙ୍କ ସହିତ ଏପରି କିଛି ହୋଇଥିଲା। ମିଥ୍ୟା ଭବିଷ୍ୟଦ୍ବକ୍ତାମାନେ ତାଙ୍କୁ ଏହା ଭରସା ଦେଲେ ଯେ ସେ ରାମୋତ୍-ଗିଲୀୟଦକୁ ପରାସ୍ତ କରିଦେବେ। କିନ୍ତୁ ଯିହୋବାଙ୍କ ଭବିଷ୍ୟଦ୍ବକ୍ତା ମୀଖାୟ କହିଥିଲେ ଯେ ଯଦି ସେ ଯୁଦ୍ଧରେ ଯିବେ, ତାହେଲେ ନିଶ୍ଚୟ ଏହାର ଭୟଙ୍କର ପରିଣାମ ହେବ। ମୀଖାୟ ଦର୍ଶନରେ ଦେଖିଥିଲେ ଯେ ଯିହୋବାଙ୍କ ଅନୁମତିରେ ଗୋଟିଏ ସ୍ୱର୍ଗଦୂତ ଆହାବଙ୍କ ଭବିଷ୍ୟଦ୍ବକ୍ତାମାନଙ୍କ ମୁଖରେ “ମିଥ୍ୟାବାଦୀ ଆତ୍ମା” ଭାବେ ମିଥ୍ୟା କହିବା ପାଇଁ ପ୍ରେରଣ କଲେ। ଏହାର ଅର୍ଥ ସେହି ସ୍ୱର୍ଗଦୂତ ଭବିଷ୍ୟଦ୍ବକ୍ତାମାନଙ୍କ ଉପରେ ଏପରି ପ୍ରଭାବ ପକାଇଲେ ଯେ ସେମାନେ ଆହାବଙ୍କୁ ସତ କହିବା ପରିବର୍ତ୍ତେ ଏପରି କଥାଗୁଡ଼ିକ କହିଲେ ଯାହା ସେ ଶୁଣିବାକୁ ଚାହୁଁଥିଲେ। ଯଦିଓ ଆହାବଙ୍କୁ କୁହାଯାଇଥିଲା ଯେ ସେ ସେହି ଭବିଷ୍ୟଦ୍ବକ୍ତାମାନଙ୍କ ମିଥ୍ୟା କଥା ଉପରେ ଭରସା ନ କରନ୍ତୁ, ତଥାପି ସେ ଭରସା କଲେ। ତେଣୁ ସେ ନିଜ ଜୀବନ ହରାଇଲେ।—୧ରାଜା ୨୨:୧-୩୮; ୨ବଂଶା ୧୮.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୧ ୮୩୪ ¶୫
ଅଗ୍ନି
ପିତର ଲେଖିଲେ, ‘ଏହି ବର୍ତ୍ତମାନ ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି।’ ପିତରଙ୍କ ଚିଠିରୁ ଏବଂ ଅନ୍ୟ ପଦଗୁଡ଼ିକରୁ ଜଣାପଡ଼େ ଯେ ସେ ଏଠାରେ ବାସ୍ତବିକ ଅଗ୍ନି ବିଷୟରେ କହୁ ନ ଥିଲେ ବରଂ ସେ ସଦାକାଳ ପାଇଁ ହେଉଥିବା ବିନାଶ ବିଷୟରେ କହୁଥିଲେ। ନୋହଙ୍କ ସମୟରେ ଆସିଥିବା ଜଳପ୍ଳାବନରେ ବାସ୍ତବିକ ଆକାଶ ଓ ପୃଥିବୀର ବିନାଶ ହୋଇ ନ ଥିଲା ବରଂ କେବଳ ଦୁଷ୍ଟ ଲୋକମାନଙ୍କର ବିନାଶ ହୋଇଥିଲା। ଠିକ୍ ସେହିପରି, ଯେତେବେଳେ ଯୀଶୁ ଖ୍ରୀଷ୍ଟ ନିଜ ଶକ୍ତିଶାଳୀ ସ୍ୱର୍ଗଦୂତମାନଙ୍କ ସହ ପ୍ରଜ୍ଜ୍ୱଳିତ ଅଗ୍ନି ସହ ପ୍ରକାଶିତ ହେବେ, ସେତେବେଳେ କେବଳ ଦୁଷ୍ଟ ଲୋକମାନଙ୍କର ଏବଂ ଏହି ଦୁଷ୍ଟ ବ୍ୟବସ୍ଥାର ବିନାଶ ହେବ, ଯାହାର ସେମାନେ ଭାଗ ଅଟନ୍ତି।—୨ପିତ ୩:୫-୭, ୧୦-୧୩; ୨ଥେସ ୧:୬-୧୦; ଦୟାକରି ଯିଶା ୬୬:୧୫, ୧୬, ୨୨, ୨୪ ସହ ତୁଳନା କରନ୍ତୁ।
ଇନସାଇଟ୍-୧ ୧୨୦୬ ¶୪
ପ୍ରେରଣା
“ଆତ୍ମା” (“ଈଶ୍ୱର ପ୍ରେରଣାରୁ ଜଣାପଡ଼ିଲା,” NW)—ସତ୍ୟ ଓ ମିଥ୍ୟା। ପ୍ରେରିତମାନଙ୍କ ଲିଖିତ କିଛି ବହିରେ ଗ୍ରୀକ୍ ଶବ୍ଦ ନ୍ୟୁମାକୁ ଏକ ବିଶେଷ ଭାବେ ବ୍ୟବହାର କରାଯାଇଛି। ଉଦାହରଣ ପାଇଁ, ୨ ଥେସଲନୀକୀୟ ୨:୨ ପଦରେ ପାଉଲ ଥେସଲନୀକୀୟର ଭାଇମାନଙ୍କୁ ଅନୁରୋଧ କଲେ, “ପ୍ରଭୁଙ୍କ ଦିନ ଉପସ୍ଥିତ ହେଲାଣି ବୋଲି ତୁମ୍ଭେମାନେ କୌଣସି ଆତ୍ମା କି ବାକ୍ୟ କି ଆମ୍ଭମାନଙ୍କ ଦ୍ୱାରା ଲିଖିତ ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଓ ଉଦ୍ବିଗ୍ନ ନ ହୁଅ।” ଏପଦରୁ ସ୍ପଷ୍ଟ ଜଣାପଡ଼େ ଯେ ପାଉଲ ନ୍ୟୁମା ଶବ୍ଦର ବ୍ୟବହାର “ବାକ୍ୟ” କିମ୍ବା “ପତ୍ର” ଜରିଆରେ ଦିଆଯାଇଥିବା ବାର୍ତ୍ତା ପାଇଁ କରିଥିଲେ। ତେଣୁ ୨ ଥେସଲନୀକୀୟ ୨:୨ ପଦ ବିଷୟରେ ପବିତ୍ର ଶାସ୍ତ୍ର ଉପରେ ଟିପ୍ପଣୀ ନାମକ ବହି କହେ: “ପ୍ରେରିତ ପାଉଲ ଏପରି ବାର୍ତ୍ତା ବିଷୟରେ କହୁଥିଲେ, ଯାହା ଶୁଣିବାରେ ଈଶ୍ୱରଙ୍କ ପ୍ରେରଣାରୁ ଲେଖାଯାଇଥିବା ବାର୍ତ୍ତା ପରି ଲାଗୁଥିଲା, ମିଥ୍ୟା ଥିଲା କିମ୍ବା ଭବିଷ୍ୟଦ୍ବକ୍ତାଙ୍କ ବାକ୍ୟ ପରି ଜଣାପଡ଼ୁଥିଲା। କିନ୍ତୁ ପ୍ରକୃତରେ ତାହା ସେପରି ନ ଥିଲା।” ନୂତନ ନିୟମର ଶବ୍ଦଗୁଡ଼ିକର ଅଧ୍ୟୟନ (ଇଂରାଜୀ) ବହିରେ ଏମ୍. ଆର୍. ୱିନ୍ସେଟ ନ୍ୟୁମା ଶବ୍ଦ ବିଷୟରେ ଲେଖିଲେ, “ଖ୍ରୀଷ୍ଟୀୟ ସଭାଗୁଡ଼ିକରେ କିଛି ଲୋକେ ଭବିଷ୍ୟତବାଣୀ କରୁଥିଲେ ଏବଂ ଦାବି କରୁଥିଲେ ଯେ ଈଶ୍ୱର ସେମାନଙ୍କଠାରେ ଏହି କଥାଗୁଡ଼ିକ ପ୍ରକାଶ କରିଛନ୍ତି।” ତେଣୁ ଯଦିଓ କିଛି ବାଇବଲରେ ୨ ଥେସଲନୀକୀୟ ୨:୨ ପଦ ଏବଂ ଏପରି କିଛି ପଦଗୁଡ଼ିକରେ ନ୍ୟୁମାର ଅନୁବାଦ “ଆତ୍ମା” କରାଯାଇଛି, କିନ୍ତୁ ଆଉ କିଛି ଅନୁବାଦରେ “ଆତ୍ମାଙ୍କ ଦ୍ୱାରା ବାର୍ତ୍ତା” (ଦି ବାଇବଲ—ଏନ୍ ଆମେରିକାନ୍ ଟ୍ରାନସ୍ଲେସନ), “ଭବିଷ୍ୟତବାଣୀ” (ଦି ଯିରୂଶାଲମ ବାଇବଲ), “ପ୍ରେରଣା” (ଡିଓଷ୍ଟରଭାଲ୍ଡ ସିଗୋଣ୍ଡ [ଫ୍ରେଞ୍ଚ]), “ଈଶ୍ୱର ପ୍ରେରିତ” (NW) କରାଯାଇଛି।
୨୨-୨୮ ଜୁଲାଇ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ତୀମଥି ୧-୩
“ଉତ୍ତମ କାର୍ଯ୍ୟ କରିବା ପାଇଁ ଆଗକୁ ବଢ଼ନ୍ତୁ”
ପ୍ର୧୬.୦୮-ହି ୨୧ ¶୩
ଆପଣଙ୍କୁ ସତ୍ୟରେ ଉନ୍ନତି କରିବା ଜାରି ରଖିବା କାହିଁକି ଜରୁରୀ ?
୩ ପ୍ରଥମ ତୀମଥି ୩:୧ (ଇଜି-ଟୁ-ରିଡ ଭର୍ସନ) ପଢ଼ନ୍ତୁ। ପ୍ରେରିତ ପାଉଲ ଏପରି ଭାଇମାନଙ୍କ ପ୍ରଶଂସା କଲେ ଯେଉଁମାନେ ଅଧ୍ୟକ୍ଷ ପଦ ପାଇବା ପାଇଁ “ଚେଷ୍ଟା” କରୁଥିଲେ। ଯଦି ଆମକୁ ଏପରି କିଛି ଜିନିଷ ଦରକାର ଯାହା ଆମ ହାତ ପାଆନ୍ତାରେ ନାହିଁ, ତାହେଲେ ଆମେ ତାହା ପାଇବାକୁ ହେଲେ ନିଜ ହାତ ଆଗକୁ ବଢ଼ାଇବା ଏବଂ ପରିଶ୍ରମ କରିବାକୁ ହେବ। କଳ୍ପନା କରନ୍ତୁ, ଜଣେ ଭାଇ ମଣ୍ଡଳୀରେ ସହାୟକ ସେବକ ହେବା ବିଷୟରେ ଚିନ୍ତା କରୁଛନ୍ତି। ସେ ଏହା ହୃଦୟଙ୍ଗମ କରନ୍ତି ଯେ ସେ ନିଜଠାରେ ଖ୍ରୀଷ୍ଟଙ୍କ ଭଳି ଗୁଣଗୁଡ଼ିକ ବଢ଼ାଇବା ଉଚିତ୍। ସହାୟକ ସେବକ ହେବା ପରେ ମଧ୍ୟ ସେ ପରିଶ୍ରମ କରିବା ଜାରି ରଖନ୍ତି, ଯାହାଫଳରେ ସେ ଆଗକୁ ଯାଇ ଜଣେ ଅଧ୍ୟକ୍ଷ ହୋଇପାରନ୍ତି।
ରାଜ୍ୟ ସେବା (ଇଂରାଜୀ) ୯/୭୮ ୪ ¶୭
ଯେଉଁମାନେ “ଉତ୍ତମ ରୂପେ ସେବକ-କର୍ମ କରିଅଛନ୍ତି”
୭ ପାଉଲ ଏପରି ଭାଇମାନଙ୍କ ବିଷୟରେ କହିଲେ ଯେଉଁମାନେ “ଉତ୍ତମ ରୂପେ ସେବକ-କର୍ମ କରିଅଛନ୍ତି” ଏବଂ “ସୁଖ୍ୟାତି” ଲାଭ କରିଛନ୍ତି। କିଛି ଲୋକ ଏପରି କହନ୍ତି ଯେ ସେ ଏପରି ଲୋକମାନଙ୍କ ବିଷୟରେ କହୁଥିଲେ ଯେଉଁମାନେ ବହୁତ ପରିଶ୍ରମ କରି ଗିର୍ଜାରେ ଉଚ୍ଚ ପଦବୀ ପାଉଥିଲେ। କିନ୍ତୁ ଏହା ସତ ନୁହେଁ । କାରଣ ପାଉଲ ଏଠାରେ ଏପରି ସହାୟକ ସେବକମାନଙ୍କ ବିଷୟରେ କହୁଥିଲେ ଯେଉଁମାନେ “ଉତ୍ତମ ରୂପେ ସେବକ-କର୍ମ କରିଅଛନ୍ତି।” ଏପରି ଭାଇମାନେ ଏହା ଭରସା ରଖିପାରିବେ ଯେ ଯିହୋବା ଓ ଯୀଶୁଙ୍କଠାରୁ ସେମାନଙ୍କୁ ଆଶିଷ ମିଳିବ। ମଣ୍ଡଳୀର ଭାଇଭଉଣୀମାନେ ତାଙ୍କର ଆଦର କରନ୍ତି ଏବଂ ତାଙ୍କୁ ସହଯୋଗ କରନ୍ତି। ତେଣୁ ସେହି ଭାଇମାନଙ୍କ ବିଷୟରେ କୁହାଯାଇଛି ଯେ ସେମାନେ “ଖ୍ରୀଷ୍ଟ ଯୀଶୁଙ୍କଠାରେ” ନିଃସଙ୍କୋଚରେ କହିବାରେ “ବିଶ୍ୱାସମୂଳକ ବିପୁଳ ସାହସ ଲାଭ କରିବେ।” ସେମାନେ ନିଜ ଦାୟିତ୍ୱ ଭଲ ଭାବେ ତୁଲାନ୍ତି, ତେଣୁ ଅନ୍ୟମାନେ ତାଙ୍କର ଆଦର କରନ୍ତି। ସେମାନଙ୍କର ବିଶ୍ୱାସ ବହୁତ ମଜବୁତ୍ ଥାଏ ଏବଂ ସେମାନେ ବିନା କୌଣସି ସଙ୍କୋଚରେ ନିଜ ବିଶ୍ୱାସ ବିଷୟରେ କହିଥାʼନ୍ତି। କାରଣ ସେମାନଙ୍କୁ ଏହା ଡର ନ ଥାଏ ଯେ କେହି ସେମାନଙ୍କ ଉପରେ ପ୍ରଶ୍ନ କରିବେ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୧ ୯୧୪-୯୧୫
ବଂଶାବଳୀ
ବଂଶାବଳୀଗୁଡ଼ିକ ବିଷୟରେ ଅଧ୍ୟୟନ କରିବା ଏବଂ ଆଲୋଚନା କରିବା ବ୍ୟର୍ଥ ଥିଲା। ବିଶେଷ କରି ଯେତେବେଳେ ପାଉଲ ତୀମଥିଙ୍କୁ ଏହି ଚିଠି ଲେଖିଥିଲେ, ସେ ସେମୟରେ ଏହା ପୂରାପୂରି ନିରର୍ଥକ ଥିଲା। ଜଣେ ବ୍ୟକ୍ତି କେଉଁ ବଂଶରୁ ଆସିଛି, ଏହାର ପ୍ରମାଣ ଦେବା ପାଇଁ ବଂଶାବଳୀର ଲିଖିତ ବିବରଣୀ ରଖିବା ଆବଶ୍ୟକ ନ ଥିଲା। କାରଣ ସେତେବେଳେ ଈଶ୍ୱରଙ୍କ ଦୃଷ୍ଟିରେ ଖ୍ରୀଷ୍ଟୀୟ ମଣ୍ଡଳୀରେ ଯିହୁଦୀ ଓ ଅଣଯିହୁଦୀମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିଲା। (ଗାଲା ୩:୨୮) ଏହା ବ୍ୟତୀତ ବଂଶାବଳୀରୁ ଏହା ପ୍ରମାଣ ମିଳି ସାରିଥିଲା ଯେ ଖ୍ରୀଷ୍ଟ ଦାଉଦଙ୍କ ବଂଶରୁ ଥିଲେ। କେବଳ ଏତିକି ନୁହେଁ, ଯେତେବେଳେ ପାଉଲ ତୀମଥିଙ୍କୁ ଲେଖିଥିବା ଚିଠିରେ ପରାମର୍ଶ ଦେଲେ, ତାର କିଛି ସମୟପରେ ଯିରୂଶାଲମର ବିନାଶ ହେବାର ଥିଲା। ସେସମୟରେ ଈଶ୍ୱର ଯିହୁଦୀମାନଙ୍କ ବଂଶାବଳୀର ଦଲିଲଗୁଡ଼ିକୁ ନଷ୍ଟ ହେବାଠାରୁ ରକ୍ଷା କଲେ ନାହିଁ। ପାଉଲଙ୍କୁ ଏହା ଚିନ୍ତା ଥିଲା ଯେ ତୀମଥି ଓ ଅନ୍ୟ ଭାଇଭଉଣୀମାନେ ନିଜ ନିଜ ବଂଶାବଳୀର ଅନୁସନ୍ଧାନ କରିବାରେ ଏବଂ ତାʼ ବିଷୟରେ ଯୁକ୍ତିତର୍କ କରିବାରେ ନିଜ ସମୟ ନଷ୍ଟ ନ କରନ୍ତୁ। କାରଣ ନିଜ ବିଶ୍ୱାସ ମଜବୁତ୍ କରିବା ପାଇଁ ଏପରି ବିଷୟର ଆବଶ୍ୟକତା ନ ଥିଲା। ବାଇବଲରେ ଖ୍ରୀଷ୍ଟଙ୍କ ବଂଶାବଳୀକୁ ପ୍ରମାଣିତ କରିବା ପାଇଁ ଯାହା ଲେଖାଯାଇଥିଲା, ତାହା ଯଥେଷ୍ଟ ଥିଲା। ଆଉ, ଖ୍ରୀଷ୍ଟିୟାନମାନଙ୍କ ପାଇଁ ସେହି ତଥ୍ୟ ଜରୁରୀ ଥିଲା। ବାଇବଲରେ ଲିଖିତ ଅନ୍ୟ ବଂଶାବଳୀ ବିଷୟରେ କହିବାକୁ ଗଲେ, ସେଗୁଡ଼ିକରୁ ପ୍ରମାଣ ମିଳେ ଯେ ଶାସ୍ତ୍ରରେ ଯାହା ଲେଖାଅଛି ତାହା ଇତିହାସ ମାମଲାରେ ସଠିକ୍ ଅଟେ।
ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୧୨ ¶୧୫
“ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର”
୧୫ କେବଳ ଯିହୋବାଙ୍କ ପାଇଁ ଆଉ ଏକ ଉପାଧି ବ୍ୟବହାର କରାଯାଇଛି। ତାହା ହେଲା “ଅନନ୍ତକାଳୀନ ରାଜା।” (୧ ତୀମଥି ୧:୧୭; ପ୍ରକାଶିତ ବାକ୍ୟ ୧୫:୩) ଏହାର ଅର୍ଥ କʼଣ ? ଆମ ନିଜର ସୀମାଗୁଡ଼ିକ ଯୋଗୁଁ ଏକଥା ବୁଝିବା ବହୁତ କଠିନ। କିନ୍ତୁ ସତ ତ ଏହା ଯେ ଯିହୋବା ଅନନ୍ତକାଳୀନ ଅଟନ୍ତି। ଅର୍ଥାତ୍, ଅତୀତରେ ହେଉ ବା ଭବିଷ୍ୟତରେ ଉଭୟ ଦିଗରେ ସେ ଅନାଦିକାଳରୁ ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ। ଗୀତସଂହିତା ୯୦:୨ ପଦ କହେ, “ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ।” ତେଣୁ ଯିହୋବାଙ୍କ କୌଣସି ଆରମ୍ଭ ନାହିଁ; ସେ ସର୍ବଦାରୁ ଅସ୍ତିତ୍ୱରେ ଅଛନ୍ତି। ତେଣୁ ତାହାଙ୍କୁ “ଅନେକ କାଳର ବୃଦ୍ଧ” କୁହାଯାଇଛି। ଆଉ, ଏହା ସତ ମଧ୍ୟ। ଏହି ଜଗତରେ କୌଣସି ଜିନିଷ କିମ୍ବା କୌଣସି ବ୍ୟକ୍ତି ଅସ୍ତିତ୍ୱରେ ଆସିବା ବହୁ ପୂର୍ବରୁ ସେ ଅସ୍ତିତ୍ୱରେ ଅଛନ୍ତି। (ଦାନିୟେଲ ୭:୯, ୧୩, ୨୨) ତେବେ କିଏ ଅଛି ଯିଏ ଯିହୋବାଙ୍କ ସମଗ୍ର ବିଶ୍ୱର ଅଧିକାରୀ ହେବାର ଅଧିକାର ଉପରେ ପ୍ରଶ୍ନ କରିବାର ସାହସ କରିପାରିବ ?
୨୯ ଜୁଲାଇ-୪ ଅଗଷ୍ଟ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ତୀମଥି ୪-୬
“ଈଶ୍ୱରଙ୍କ ଉପାସନା ନା ଧନ ସମ୍ପତ୍ତି ?”
ପ୍ର୦୩-ହି ୬/୧ ୯ ¶୧-୨
ସନ୍ତୁଷ୍ଟି ପାଇବାର ରହସ୍ୟ ଜାଣିବା
ପାଉଲଙ୍କ ଖୁସିର ରହସ୍ୟ ଥିଲା, ତାଙ୍କ ସନ୍ତୋଷଭାବ, ଅର୍ଥାତ ସନ୍ତୁଷ୍ଟିର ଭାବନା। କିନ୍ତୁ ସନ୍ତୁଷ୍ଟିର ଭାବନାର ଅର୍ଥ କʼଣ ? ସାଧାରଣ ଶବ୍ଦରେ ଏହାର ଅର୍ଥ ହେଉଛି, ଅତ୍ୟାବଶ୍ୟକ ଜିନିଷଗୁଡ଼ିକରେ ଖୁସିରେ ରହିବା। ଏବିଷୟରେ ପାଉଲ ନିଜ ପ୍ରଚାର ସାଥି ତୀମଥିଙ୍କୁ କହିଲେ, “ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ; କାରଣ ଆମ୍ଭମାନେ ଜଗତକୁ କିଛି ଆଣି ନାହୁଁ, ପୁଣି ଏଠାରୁ କିଛି ଘେନିଯାଇ ନ ପାରୁ; ଏଣୁ ଅନ୍ନବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ।”—୧ ତୀମଥି ୬:୬-୮.
ଧ୍ୟାନ ଦିଅନ୍ତୁ ଯେ ପାଉଲ ସନ୍ତୁଷ୍ଟିକୁ ଈଶ୍ୱରପରାୟଣତା ବା ଈଶ୍ୱରୀୟ ଭକ୍ତି ସହ ଯୋଡ଼ିଲେ। ସେ ଜାଣିପାରିଲେ ଯେ ପ୍ରକୃତ ଖୁସି ଈଶ୍ୱରୀୟ ଭକ୍ତିରୁ ମିଳେ। ଏହାର ଅର୍ଥ ହେଲା, ଭୌତିକ ଜିନିଷ କିମ୍ବା ଧନ ସମ୍ପତ୍ତି ପରିବର୍ତ୍ତେ ଈଶ୍ୱରଙ୍କ ସେବାକୁ ପ୍ରଥମ ସ୍ଥାନ ଦେବା। ପାଉଲଙ୍କ ପାଖରେ କେବଳ “ଅନ୍ନବସ୍ତ୍ର” ବା ଅତ୍ୟାବଶ୍ୟକ ଜିନିଷଗୁଡ଼ିକ ଥିଲା, ଯାହାଫଳରେ ସେ ନିଜ ଲକ୍ଷ୍ୟ ହାସଲ କରିପାରିଲେ ଅର୍ଥାତ୍ ଈଶ୍ୱରଙ୍କ ଭକ୍ତି କରିବା ଜାରି ରଖିପାରିଲେ। ତେଣୁ ପାଉଲଙ୍କ ପାଇଁ ସନ୍ତୁଷ୍ଟି ପାଇବାର ରହସ୍ୟ ଥିଲା— ପରିସ୍ଥିତି ଯାହା ବି ହେଉ ନା କାହିଁକି ଯିହୋବାଙ୍କ ଉପରେ ଭରସା ରଖିବା।
ସଜା-ଇଂ ୬/୦୭ ୬ ¶୨
ଧନୀ ହେବାର ଅତ୍ୟଧିକ ଇଚ୍ଛା ହେଲେ କʼଣ ହୋଇପାରେ ?
ଏହା ସତ ଯେ ଧନ ସମ୍ପତ୍ତି ପଛରେ ଗୋଡ଼ାଇବା ଦ୍ୱାରା ଅଧିକାଂଶ ଲୋକଙ୍କ ମୃତ୍ୟୁ ହୁଏ ନାହିଁ। ତଥାପି ଯେଉଁମାନେ ଏପରି କରନ୍ତି ସେମାନଙ୍କ ଜୀବନ ଏହି ଦୌଡ଼ରେ ବିତିଯାଏ। ସେମାନେ ନିଜ ଖୁସି ହରାନ୍ତି, କାରଣ ସେମାନଙ୍କ କାମ ଜାଗାରେ ଚିନ୍ତା ଥାଏ, କିମ୍ବା ପଇସାକୁ ନେଇ ଆସୁଥିବା ମାନସିକ ଚିନ୍ତାଗୁଡ଼ିକ ଯୋଗୁଁ ହଠାତ୍ ଭୟ ପଶିଯାଏ, ନିଦ ଆସେ ନାହିଁ, ସବୁବେଳେ ମୁଣ୍ଡବ୍ୟଥା ଥାଏ କିମ୍ବା ଅଲସର୍ ରୋଗ ହୋଇଯାଏ। ଏହି ରୋଗଗୁଡ଼ିକ ଯୋଗୁଁ ସମୟ ପୂର୍ବରୁ ସେମାନଙ୍କର ମୃତ୍ୟୁ ହୋଇଯାଏ। ଯେତେବେଳେ ଜଣେ ବ୍ୟକ୍ତି ହୋସ୍ରେ ଆସେ ଯେ ତାକୁ ଜୀବନରେ ଅନ୍ୟ ବିଷୟଗୁଡ଼ିକୁ ମହତ୍ତ୍ୱ ଦେବାକୁ ହେବ, ସେତେବେଳେ ବହୁତ ଡେରି ହୋଇଯାଏ। ସେ ନିଜ ଜୀବନସାଥୀର ଭରସା ହରାଏ, ପିଲାମାନେ ଆଉ ତାକୁ ଆଦର କରନ୍ତି ନାହିଁ ଏବଂ ତାʼର ସ୍ୱାସ୍ଥ୍ୟ ଖରାପ ରହେ। ଏହା ସତ ଯେ ଏଗୁଡ଼ିକ ମଧ୍ୟରୁ କିଛି ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିବ, କିନ୍ତୁ ଏଥିରେ ବହୁତ ପରିଶ୍ରମ ଲାଗେ। ଏପରି ଲୋକେ “ବହୁ ଦୁଃଖରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ” କରିଦିଅନ୍ତି।—୧ ତୀମଥି ୬:୧୦.
ସଜା-ହି ୧/୦୯ ୬ ¶୪-୬
ପ୍ରକୃତ ସଫଳତା ପାଇବାର ଛʼଟି ଉପାୟ
ଯେପରି ଆମେ ପ୍ରଥମ ଲେଖାରେ ଦେଖିଲୁ, ଅନେକ ଲୋକ ଭାବନ୍ତି ଯେ ଖୁବ୍ ପଇସା ହେବା ହିଁ ସଫଳତାର ମାନଦଣ୍ଡ। କିନ୍ତୁ ପ୍ରକୃତରେ ଧନ ସମ୍ପତ୍ତି ଏକ ଧୋକା ଅଟେ। ଏହା ପଛରେ ଗୋଡ଼ାଇଲେ ଲୋକଙ୍କୁ ସଫଳତା ପରିବର୍ତ୍ତେ ନିରାଶା ମିଳେ। ଦୁଃଖ ଓ ଯନ୍ତ୍ରଣା ମିଳେ। ଉଦାହରଣ ପାଇଁ, ଲୋକେ ସାଧାରଣତଃ ଧନ ସମ୍ପତ୍ତି ପାଇଁ ନିଜ ସବୁ ସମ୍ପର୍କ ଓ ବନ୍ଧୁତାକୁ ଜଳାଞ୍ଜଳି ଦେଇଦିଅନ୍ତି। ଅନ୍ୟମାନେ ନିଜ କାମ କିମ୍ବା ଚିନ୍ତା ଯୋଗୁଁ ରାତିରେ ଶୋଇପାରନ୍ତି ନାହିଁ। ବାଇବଲର ଉପଦେଶକ ନାମକ ବହିର ୫:୧୨ ପଦ କହେ: “ଶ୍ରମଜୀବୀ ଲୋକ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ; ମାତ୍ର ଧନବାନର ପୁର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହି।”
ଧନ ସମ୍ପତ୍ତି କେବଳ ଏକ ନିର୍ଦୟ ମାଲିକ ନୁହେଁ, ବରଂ ଏକ ବଡ଼ ବିଶ୍ୱାସଘାତକ ମଧ୍ୟ। ଯୀଶୁ ଖ୍ରୀଷ୍ଟ ମଧ୍ୟ “ଧନର ମୋହମାୟା” ବିଷୟରେ କହିଲେ। (ମାର୍କ ୪:୧୯) ଅର୍ଥାତ୍, ଆମକୁ ଲାଗେ ଯେ ଧନ ସମ୍ପତ୍ତିରୁ ଆମକୁ ଖୁସି ମିଳିବ, କିନ୍ତୁ ଏପରି ହୋଇ ନ ଥାଏ। ଏହାର ବିପରୀତ, ଧନ ସମ୍ପତ୍ତିର ଭୋକ ଆହୁରି ବଢ଼ିଥାଏ। ଉପଦେଶକ ୫:୧୦(NIBV)ପଦ କହେ: “ଯେ ଧନକୁ ପ୍ରିୟ ମଣେ, ସେ କେବେ ଧନରେ ସନ୍ତୁଷ୍ଟ ହେବ ନାହିଁ।”
କମ୍ ଶବ୍ଦରେ କହିବାକୁ ଗଲେ, ଧନ ସମ୍ପତ୍ତିକୁ ଲୋଭ କରିବା ନିଜ ଗୋଡ଼ରେ ଟାଙ୍ଗିଆ ମାରିବା ସଙ୍ଗେ ସମାନ। ଏଥିରେ ନିରାଶା ଓ ଅସଫଳତା ଛଡ଼ା ଆଉ କିଛି ମିଳେ ନାହିଁ। ଏପରିକି ଜଣେ ବ୍ୟକ୍ତି ଅପରାଧର ଦୁନିଆକୁ ମଧ୍ୟ ଚାଲିଯାଇପାରେ। (ହିତୋପଦେଶ ୨୮:୧୯ NIBV) କିନ୍ତୁ ପ୍ରକୃତ ସଫଳତା ଓ ଖୁସିର ରହସ୍ୟ ହେଉଛି— ପ୍ରେମ, ଉଦାରତା, ଅନ୍ୟକୁ କ୍ଷମା କରିବାର ମନୋଭାବ, ଶୁଦ୍ଧ ଚରିତ୍ର ଏବଂ ଈଶ୍ୱରଙ୍କ ସହିତ ଏକ ଭଲ ସମ୍ପର୍କ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ରେମରେ ସ୍ଥିର (ହିନ୍ଦୀ) ୨୩-୨୪ ¶୧୭
ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ବିବେକ
୧୭ ପ୍ରେରିତ ପାଉଲ ଲେଖିଲେ, “ନିଜର ବିବେକ ନିର୍ମଳ ରଖ।”(୧ ପିତର ୩:୧୬, NIBV) ଦୁଃଖର କଥା ଯେ ଯେତେବେଳେ କେହି ବାରମ୍ବାର ଈଶ୍ୱରଙ୍କ ସିଦ୍ଧାନ୍ତଗୁଡ଼ିକର ବିରୁଦ୍ଧରେ କାମ କରେ, କିଛି ସମୟ ପରେ ତାʼର ବିବେକ ତାʼକୁ ଏହା କହିବା ଛାଡ଼ି ଦିଏ ଯେ ସେ ଯାହା କରୁଛି ତାହା ଭୁଲ ଅଟେ। ପାଉଲ କହିଲେ, “ତପ୍ତ ଲୁହାରେ ପୋଡ଼ିଗଲା ପରି ଏମାନଙ୍କ ବିବେକ ପୋଡ଼ିଯାଇଛି।”(୧ ତୀମଥି ୪:୨, NIBV) ଯଦି କାହାରି ଶରୀରର କୌଣସି ଅଂଶ ପୋଡ଼ିଯାଏ, ତେବେ କିଛି ସମୟ ପରେ ସେଠାରେ ଦାଗ ହୋଇଯାଏ ଏବଂ ସେହି ଅଂଶରେ ସେ କିଛି ଅନୁଭବ କରିପାରି ନ ଥାʼଏ। ଠିକ୍ ସେହିପରି ଯଦି ଜଣେ ବ୍ୟକ୍ତି ବାରମ୍ବାର ଭୁଲ କାମ କରିଚାଲି ଥାଏ, ତେବେ ତାʼ ବିବେକ ବି ‘ପୋଡ଼ିଯାଏ’ ଏବଂ କାମ କରିବା ବନ୍ଦ କରିଦିଏ।
ଇନସାଇଟ୍-୨ ୭୧୪ ¶୧-୨
ଲୋକଙ୍କ ସାମନାରେ ପଢ଼ି ଶୁଣାଇବା
ଖ୍ରୀଷ୍ଟୀୟ ମଣ୍ଡଳୀରେ। ପ୍ରଥମ ଶତାବ୍ଦୀରେ ବହୁତ କମ ଲୋକଙ୍କ ପାଖରେ ବାଇବଲର ନଳାକାର ପୁସ୍ତକ ରହୁଥିଲା। ତେଣୁ ଲୋକଙ୍କ ସମ୍ମୁଖରେ ନଳାକାର ପୁସ୍ତକ ପଢ଼ି ଶୁଣାଇବାକୁ ପଡ଼ୁଥିଲା। ପ୍ରେରିତ ପାଉଲ କହିଲେ ଯେ ସେ ମଣ୍ଡଳୀଗୁଡ଼ିକ ଯେଉଁ ଚିଠିସବୁ ଲେଖିଥିଲେ, ସେଗୁଡ଼ିକୁ ସଭାରେ ସମସ୍ତଙ୍କ ସମ୍ମୁଖରେ ପଢ଼ାଯାଉ, ଯାହାଫଳରେ ଅନ୍ୟମାନେ ଶୁଣିପାରିବେ। ସେ ଏହା ମଧ୍ୟ କହିଲେ ଯେ ଏକ ମଣ୍ଡଳୀକୁ ଯେଉଁ ଚିଠି ପଠାଯାଏ, ତାକୁ ସେମାନେ ଅନ୍ୟ ମଣ୍ଡଳୀଗୁଡ଼ିକୁ ମଧ୍ୟ ଦିଅନ୍ତୁ, ଯାହାଫଳରେ ଅନ୍ୟମାନେ ମଧ୍ୟ ଶୁଣିପାରିବେ। (କଲ ୪:୧୬; ୧ଥେସ ୫:୨୭) ପାଉଲ ଯୁବା ଖ୍ରୀଷ୍ଟିୟାନ ଅଧ୍ୟକ୍ଷ ତୀମଥିଙ୍କୁ ପରାମର୍ଶ ଦେଲେ ଯେ ସେ ‘ଲୋକଙ୍କ ନିକଟରେ ଶାସ୍ତ୍ରପଠନ, ପ୍ରଚାର ଓ ଶିକ୍ଷା ଦାନରେ ମନୋନିବେଶ କରନ୍ତୁ।’—୧ ତୀମ ୪:୧୩.
ଯେତେବେଳେ ଜଣେ ବ୍ୟକ୍ତି ଲୋକଙ୍କ ସାମନାରେ କିଛି ପଢ଼ି ଶୁଣାନ୍ତି, ସେ ଭଲ ଭାବେ ପଢ଼ିବା ଉଚିତ୍। (ହବ ୨:୨) ସେ ଏପରି ଭାବେ ପଢ଼ିବା ଉଚିତ୍, ଯାହାଦ୍ୱାରା ଲୋକେ କିଛି ଶିଖିପାରିବେ। ତେଣୁ ସେ ଭଲ ଭାବେ ଜାଣିବା ଉଚିତ୍ ଯେ ସେ କʼଣ ପଢ଼ୁଛନ୍ତି ଏବଂ ସେସବୁ କେଉଁ ଉଦ୍ଦେଶ୍ୟରେ ଲେଖାଯାଇଛି। ସେ ଧ୍ୟାନର ସହ ପଢ଼ିବା ଉଚିତ୍, ନହେଲେ ଲୋକେ ଭୁଲ ଅର୍ଥରେ ନେଇପାରନ୍ତି। ପ୍ରକାଶିତ ବାକ୍ୟ ୧:୩ ପଦ ଅନୁଯାୟୀ, ଯେଉଁମାନେ ପ୍ରକାଶିତ ବାକ୍ୟ ବହିରେ ଥିବା ଭବିଷ୍ୟତବାଣୀ ପଢ଼ି ଶୁଣାନ୍ତି ଏବଂ ଯେଉଁମାନେ ଏଗୁଡ଼ିକୁ ଶୁଣନ୍ତି ଆଉ ତାʼ ମୁତାବକ ଚାଲନ୍ତି, ସେମାନେ ଖୁସିରେ ରହନ୍ତି।