ଏକ ଅଧ୍ୟାୟ
ଈଶ୍ୱର କିଏ ଅଟନ୍ତି ?
୧, ୨. ଲୋକମାନେ ସାଧାରଣତଃ କେଉଁ ପ୍ରଶ୍ନଗୁଡ଼ିକ ପଚାରିଥାʼନ୍ତି ?
ଛୋଟ ପିଲାମାନେ ବହୁତ ପ୍ରଶ୍ନ ପଚାରିଥାʼନ୍ତି । ଆପଣ ସେମାନଙ୍କ ପ୍ରଶ୍ନର ଉତ୍ତର ଯେତେ ଭଲ ଭାବରେ ଦେବା ପାଇଁ ଚେଷ୍ଟା କରନ୍ତୁ ନା କାହିଁକି, ସେମାନେ ପୁଣି ପଚାରନ୍ତି: ‘ଏପରି କାହିଁକି ?’
୨ ଆମେ ଛୋଟ ହେଉ କିମ୍ବା ବଡ଼ ହେଉ, ଆମ ସମସ୍ତଙ୍କ ମନରେ କିଛି ନା କିଛି ପ୍ରଶ୍ନ ଉଠିଥାଏ । ଯେପରି— ଆମେ କʼଣ ଖାଇବା ଓ କʼଣ ପିନ୍ଧିବା, କିମ୍ବା କʼଣ କିଣିବା । ଏହା ଛଡ଼ା, ଆମ ମନରେ ହୁଏତ ଆମ ଜୀବନ ଓ ଭବିଷ୍ୟତ ବିଷୟରେ କିଛି ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଥାଏ । କିନ୍ତୁ ଯେତେବେଳେ ଆମେ ଏହି ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ପାଇ ନ ଥାଉ, ସେଗୁଡ଼ିକର ଉତ୍ତର ଖୋଜିବା ବନ୍ଦ କରିଦେଉ ।
୩. ଅଧିକାଂଶ ଲୋକେ କାହିଁକି ଭାବନ୍ତି ଯେ ସେମାନେ ନିଜ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ଉତ୍ତର ପାଇପାରିବେ ନାହିଁ ?
୩ ଆମ ମନରେ ଯେଉଁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକ ଉଠେ, କʼଣ ସେଗୁଡ଼ିକର ଉତ୍ତର ମିଳିବା ସମ୍ଭବ ଅଟେ ? କିଛି ଲୋକ ହୁଏତ ଭାବନ୍ତି, ‘ନା । କାରଣ ସେଗୁଡ଼ିକର ଉତ୍ତର କେବଳ ଈଶ୍ୱରଙ୍କ ପାଖରେ ରହିଛି ଏବଂ ଆମ ମଣିଷମାନଙ୍କୁ ଏସବୁ ଜାଣିବାର ଅଧିକାର ନାହିଁ ।’ ଆଉ କେତେକେ କହନ୍ତି, ‘ଏହି ପ୍ରଶ୍ନଗୁଡ଼ିକର ଉତ୍ତର କେବଳ ଧର୍ମଗୁରୁ ଓ ଜ୍ଞାନୀମାନେ ହିଁ ଜାଣନ୍ତି ।’ ଏହା ଛଡ଼ା, ଏପରି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ଏଗୁଡ଼ିକର ଉତ୍ତର ଜାଣନ୍ତି ନାହିଁ ବୋଲି ସ୍ୱୀକାର କରିବାକୁ ଲଜ୍ଜିତ ମନେ କରନ୍ତି । ଆପଣ କʼଣ ଭାବନ୍ତି ?
୪, ୫. ଆପଣ କେଉଁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବାକୁ ଚାହାନ୍ତି ? ଆପଣ କାହିଁକି ସେଗୁଡ଼ିକର ଉତ୍ତର ଖୋଜିବା ଜାରି ରଖିବା ଉଚିତ୍ ?
୪ ଆପଣ ହୁଏତ ଏପରି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବାକୁ ଚାହାନ୍ତି, ଯେପରି— ମୋ ଜୀବନର ଉଦ୍ଦେଶ୍ୟ କʼଣ ? ମୃତ୍ୟୁ ପରେ ମୋର କʼଣ ହେବ ? ଈଶ୍ୱର ପ୍ରକୃତରେ କିପରି ଅଟନ୍ତି ? ମହାନ ଶିକ୍ଷକ ଯୀଶୁ ଖ୍ରୀଷ୍ଟ କହିଥିଲେ: “ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ ।” (ମାଥିଉ ୭:୭) ହଁ, ଯେପର୍ଯ୍ୟନ୍ତ ଆପଣଙ୍କୁ ସଠିକ୍ ଉତ୍ତର ମିଳି ନାହିଁ, ସେପର୍ଯ୍ୟନ୍ତ ଖୋଜିବା ଜାରି ରଖନ୍ତୁ ।
୫ କିନ୍ତୁ ଆପଣ ଏହି ପ୍ରଶ୍ନଗୁଡ଼ିକର ଉତ୍ତର କେଉଁଠି ‘ଖୋଜି’ ପାଇବେ ? ପବିତ୍ର ଶାସ୍ତ୍ର ବାଇବଲରେ । (ହିତୋପଦେଶ ୨:୧-୫) ତାʼ ଛଡ଼ା, ଏହି ଉତ୍ତରଗୁଡ଼ିକୁ ବୁଝିବା କଷ୍ଟକର ନୁହେଁ । ଏଗୁଡ଼ିକୁ ଜାଣିବା ଦ୍ୱାରା ଆପଣ ବର୍ତ୍ତମାନ ଜୀବନରେ ପ୍ରକୃତ ଖୁସି ପାଇବା ସହିତ ଏକ ସୁନ୍ଦର ଭବିଷ୍ୟତର ଆଶା ମଧ୍ୟ ପାଇପାରିବେ । ବର୍ତ୍ତମାନ ଆସନ୍ତୁ ଏପରି ଏକ ପ୍ରଶ୍ନ ପ୍ରତି ଧ୍ୟାନ ଦେବା, ଯାହା ଆଜି ଅଧିକାଂଶ ଲୋକଙ୍କୁ ଦ୍ୱନ୍ଦରେ ରଖିଛି ।
ଈଶ୍ୱର ଆମ ବିଷୟରେ ଚିନ୍ତା କରନ୍ତି ନା ସେ ନିଷ୍ଠୁର ଅଟନ୍ତି ?
୬. କିଛି ଲୋକ କାହିଁକି ଭାବନ୍ତି ଯେ ଈଶ୍ୱର ଆମ ବିଷୟରେ ଚିନ୍ତା କରନ୍ତି ନାହିଁ ?
୬ ଅଧିକାଂଶ ଲୋକେ ଭାବନ୍ତି ଯେ ଈଶ୍ୱର ଆମ ବିଷୟରେ ଚିନ୍ତା କରନ୍ତି ନାହିଁ । ସେମାନେ କହନ୍ତି ଯେ ଯଦି ଈଶ୍ୱର ପ୍ରକୃତରେ ଆମ ବିଷୟରେ ଚିନ୍ତା କରନ୍ତେ, ତେବେ ଆଜି ପୃଥିବୀର ପରିସ୍ଥିତି ଏପରି ନ ଥାʼନ୍ତା । ପୃଥିବୀର ଚାରିଆଡ଼େ ଯୁଦ୍ଧ ଚାଲିଛି, ଲୋକେ ପରସ୍ପରକୁ ଘୃଣା କରନ୍ତି ଏବଂ ଲୋକଙ୍କ ଜୀବନରେ ଦୁଃଖକଷ୍ଟ ଭରି ରହିଛି । ଲୋକେ ରୋଗରେ ପୀଡ଼ିତ ହୁଅନ୍ତି, ଯନ୍ତ୍ରଣା ଭୋଗନ୍ତି ଏବଂ ଶେଷରେ ମରିଯାʼନ୍ତି । ସେଥିପାଇଁ ଲୋକଙ୍କ ମନରେ ପ୍ରଶ୍ନ ଉଠେ, ‘ଯଦି ଈଶ୍ୱର ଆମ ବିଷୟରେ ଚିନ୍ତା କରନ୍ତି, ତେବେ ସେ ଏସମସ୍ତ ଦୁଃଖକଷ୍ଟକୁ କାହିଁକି ଦୂର କରନ୍ତି ନାହିଁ ?’
୭. (କ) ଧର୍ମଗୁରୁମାନେ କିପରି ଶିଖାଇଥାʼନ୍ତି ଯେ ଈଶ୍ୱର ନିଷ୍ଠୁର ଅଟନ୍ତି ? (ଖ) ଆମେ କାହିଁକି ନିଶ୍ଚିତ ହୋଇପାରିବା ଯେ ଦୁଷ୍ଟତା ଓ ଦୁଃଖକଷ୍ଟ ପଛରେ ଈଶ୍ୱରଙ୍କ ହାତ ନାହିଁ ?
୭ ଧର୍ମଗୁରୁମାନେ ବେଳେ ବେଳେ ଲୋକଙ୍କୁ ଏପରି ଶିକ୍ଷା ଦିଅନ୍ତି, ଯାହାଫଳରେ ଲୋକେ ବିଶ୍ୱାସ କରନ୍ତି ଯେ ଈଶ୍ୱର ନିଷ୍ଠୁର ଅଟନ୍ତି । ଯେତେବେଳେ କୌଣସି ଅଘଟଣ ହୁଏ, ସେମାନେ କହନ୍ତି ଯେ ଏହା ଈଶ୍ୱରଙ୍କ ଇଚ୍ଛା ଥିଲା ଏବଂ ଏପରି ହେଉ ବୋଲି ଈଶ୍ୱର ଚାହୁଁଥିଲେ । ଯେତେବେଳେ ସେମାନେ ଏପରି କହନ୍ତି, ପ୍ରକୃତରେ ସେମାନେ ଈଶ୍ୱରଙ୍କ ଉପରେ ଦୋଷ ଲଦି ଦେଇଥାʼନ୍ତି । କିନ୍ତୁ ବାଇବଲ ଶିଖାଏ ଯେ ଈଶ୍ୱର କେବେ ମଧ୍ୟ ଦୁଷ୍ଟତା ଓ ଦୁଃଖକଷ୍ଟ ପାଇଁ ଦାୟୀ ନୁହନ୍ତି । ଯାକୁବ ୧:୧୩ ଆମକୁ କହେ ଯେ ଈଶ୍ୱର କାହାରିକୁ ଦୁଃଖକଷ୍ଟ ଦେଇ ପରୀକ୍ଷା କରନ୍ତି ନାହିଁ । ଏହା କହେ: “କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ୱରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ୱର ମନ୍ଦରେ ପରୀକ୍ଷିତ ହୋଇ ପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ ।” ଏହି ପଦରୁ ସ୍ପଷ୍ଟ ଜଣାପଡ଼େ ଯେ ଦୁଷ୍ଟତା ଓ ଦୁଃଖକଷ୍ଟ ପଛରେ ଈଶ୍ୱରଙ୍କ ହାତ ନାହିଁ । କିନ୍ତୁ ଏହା ମଧ୍ୟ ସତ ଯେ ଆଜି ଈଶ୍ୱର ଏଗୁଡ଼ିକୁ ରୋକନ୍ତି ନାହିଁ । ତେବେ ଏହାର ଅର୍ଥ କʼଣ ଏଇୟା ଯେ ଈଶ୍ୱର ଏସବୁ ନିଜେ କରାଇଥାʼନ୍ତି ? ଆଦୌ ନୁହଁ । (ଆୟୁବ ୩୪:୧୦, ୧୨ ପଢ଼ନ୍ତୁ ।) ଏହାକୁ ବୁଝିବା ପାଇଁ ଆସନ୍ତୁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦେବା ।
୮, ୯. ଆମ ସମସ୍ୟାଗୁଡ଼ିକ ପାଇଁ ଈଶ୍ୱରଙ୍କୁ ଦୋଷ ଦେବା କାହିଁକି ଭୁଲ୍ ଅଟେ ? ଗୋଟିଏ ଉଦାହରଣ ଦିଅନ୍ତୁ ।
୮ ଗୋଟିଏ ପରିବାରରେ ଜଣେ ଯୁବକ ନିଜ ପିତାମାତାଙ୍କ ସହିତ ରହେ । ତାʼର ପିତା ତାʼକୁ ବହୁତ ଭଲ ପାʼନ୍ତି ଏବଂ ସେ ତାʼକୁ ଶିଖାଇଛନ୍ତି ଯେ ସଠିକ୍ ନିଷ୍ପତ୍ତି କିପରି ନିଆଯିବା ଉଚିତ୍ । କିନ୍ତୁ ପରେ ଯୁବକଟି ନିଜ ପିତାଙ୍କ ଇଚ୍ଛା ବିରୁଦ୍ଧରେ କାମ କରେ ଏବଂ ଘର ଛାଡ଼ି ଚାଲିଯାଏ । ସେ ଜୀବନରେ ଖରାପ କାମଗୁଡ଼ିକ କରେ ଏବଂ ଶେଷରେ ସମସ୍ୟାରେ ପଡ଼ିଯାଏ । ଯୁବକଟିର ଜୀବନରେ ଯାହା ଘଟିଲା, ସେଥିପାଇଁ କʼଣ ଆପଣ ପିତାଙ୍କୁ ଦୋଷ ଦେବେ, କାରଣ ତାଙ୍କ ପୁଅ ଘର ଛାଡ଼ି ଚାଲିଗଲା ସମୟରେ ସେ ତାʼକୁ ରୋକି ନ ଥିଲେ ? ଆଦୌ ନୁହଁ ! (ଲୂକ ୧୫:୧୧-୧୩) ଠିକ୍ ସେହିପରି, ଯେତେବେଳେ ମାନବଜାତି ଈଶ୍ୱରଙ୍କ ବିରୁଦ୍ଧରେ ହୋଇଗଲେ ଏବଂ ଦୁଷ୍ଟତାର ମାର୍ଗ ଆପଣାଇଲେ, ଈଶ୍ୱର ସେମାନଙ୍କୁ ରୋକିଲେ ନାହିଁ । ତେଣୁ ଯେତେବେଳେ କୌଣସି ଅଘଟଣ ହୁଏ, ଆମେ ମନେ ରଖିବା ଉଚିତ୍ ଯେ ତାହା ଈଶ୍ୱର ଆଦୌ କରି ନ ଥାʼନ୍ତି । ଏପରି ସମୟରେ ଈଶ୍ୱରଙ୍କୁ ଦୋଷ ଦେବା ସମ୍ପୂର୍ଣ୍ଣ ଭୁଲ୍ ଅଟେ ।
୯ ଦୁଷ୍ଟତା ଓ ଦୁଃଖକଷ୍ଟକୁ ଈଶ୍ୱର କାହିଁକି ଏପର୍ଯ୍ୟନ୍ତ ଦୂର କରି ନାହାନ୍ତି, ତାʼ ପଛରେ ଏକ ଯୁକ୍ତିଯୁକ୍ତ କାରଣ ରହିଛି । ଏହି କାରଣ ବାଇବଲରେ ଦିଆଯାଇଛି ଏବଂ ଏବିଷୟରେ ଆପଣ ଏହି ବହିର ୧୧ ଅଧ୍ୟାୟରେ ଶିଖିପାରିବେ । କିନ୍ତୁ ଆପଣ ନିଶ୍ଚିତ ହୁଅନ୍ତୁ ଯେ ଈଶ୍ୱର ଆମକୁ ବହୁତ ଭଲ ପାʼନ୍ତି ଏବଂ ସେ କେବେ ମଧ୍ୟ ଆମ ସମସ୍ୟାଗୁଡ଼ିକ ପାଇଁ ଦାୟୀ ନୁହନ୍ତି । ଏହା ପରିବର୍ତ୍ତେ, କେବଳ ସେ ହିଁ ସମସ୍ତ ସମସ୍ୟାକୁ ସମାଧାନ କରିପାରିବେ ।— ଯିଶାଇୟ ୩୩:୨.
୧୦. ଆମେ କିପରି ନିଶ୍ଚିତ ହୋଇପାରିବା ଯେ ଈଶ୍ୱର ଦୁଷ୍ଟ ଲୋକମାନଙ୍କ ଦ୍ୱାରା କରାଯାଇଥିବା ସମସ୍ତ ହାନିର କ୍ଷତିପୂରଣ କରିବେ ?
୧୦ ଈଶ୍ୱର ଧର୍ମମୟ (ପବିତ୍ର) ଅଟନ୍ତି । (ଯିଶାଇୟ ୬:୩) ସେ ଯାହା କିଛି କରନ୍ତି, ତାହା ସର୍ବଦା ଶୁଦ୍ଧ, ନିର୍ମଳ ଓ ଉତ୍ତମ ହୋଇଥାଏ । ତେଣୁ ଆମେ ତାହାଙ୍କୁ ସମ୍ପୂର୍ଣ୍ଣ ଭରସା କରିପାରିବା । କିନ୍ତୁ ମଣିଷମାନେ ସେପରି ନୁହନ୍ତି, ସେମାନେ ବେଳେ ବେଳେ ଭୁଲ୍ କାମ କରିଥାʼନ୍ତି । ଏହା ଛଡ଼ା, ଦୁଷ୍ଟଲୋକମାନେ ସମାଜକୁ ଯେଉଁ ହାନି ପହଞ୍ଚାଇଥାʼନ୍ତି, ସେଗୁଡ଼ିକର କ୍ଷତିପୂରଣ କରିବାର ସାମର୍ଥ୍ୟ ଏପରିକି ସବୁଠାରୁ ସଚ୍ଚୋଟ ଶାସକ ପାଖରେ ମଧ୍ୟ ନ ଥାଏ । ଅନ୍ୟପକ୍ଷରେ, ଈଶ୍ୱରଙ୍କ ପାଖରେ ଯେତେ ଶକ୍ତି ରହିଛି, ଆଉ କାହାରି ପାଖରେ ନାହିଁ । ସେ ଦୁଷ୍ଟଲୋକଙ୍କ ଦ୍ୱାରା କରାଯାଇଥିବା ସମସ୍ତ ହାନିର କ୍ଷତିପୂରଣ କରିପାରିବେ ଏବଂ ସେ ଏପରି ନିଶ୍ଚୟ କରିବେ । ସେ ସମସ୍ତ ପ୍ରକାରର ଦୁଷ୍ଟତା ଓ ଦୁଃଖକଷ୍ଟକୁ ଚିରଦିନ ପାଇଁ ଦୂର କରିଦେବେ ।— ଗୀତସଂହିତା ୩୭:୯-୧୧ ପଢ଼ନ୍ତୁ ।
ଲୋକଙ୍କୁ ଦୁଃଖକଷ୍ଟରେ ପୀଡ଼ିତ ଦେଖି ଈଶ୍ୱର କିପରି ଅନୁଭବ କରନ୍ତି ?
୧୧. ଈଶ୍ୱର ଆପଣଙ୍କ ଦୁଃଖକଷ୍ଟ ଦେଖି କିପରି ଅନୁଭବ କରନ୍ତି ?
୧୧ ଆଜି ଦୁନିଆରେ ଯାହାସବୁ ଘଟୁଛି ଏବଂ ଆପଣ ଯାହା ସାମନା କରୁଛନ୍ତି, ତାହା ଦେଖି ଈଶ୍ୱର କିପରି ଅନୁଭବ କରନ୍ତି ? ବାଇବଲ ଶିଖାଏ ଯେ ଈଶ୍ୱର ‘ନ୍ୟାୟକୁ ଭଲ ପାଆନ୍ତି ।’ (ଗୀତସଂହିତା ୩୭:୨୮) ସେ ଚାହାନ୍ତି ନାହିଁ ଯେ କାହାରି ସହିତ ଅନ୍ୟାୟ ହେଉ । ତେଣୁ ଯେତେବେଳେ ଲୋକେ କୌଣସି ଦୁଃଖଦ ପରିସ୍ଥିତିର ସାମନା କରନ୍ତି, ଏହା ଦେଖି ତାହାଙ୍କୁ ଅତି ଦୁଃଖ ଲାଗେ । ବାଇବଲ କହେ ଯେ ଅତୀତରେ ଈଶ୍ୱର ଯେତେବେଳେ ଦୁଷ୍ଟତାରେ ଭରିଯାଇଥିବା ପୃଥିବୀକୁ ଦେଖିଲେ, ଏହା ତାହାଙ୍କ “ହୃଦୟକୁ ଯନ୍ତ୍ରଣା ଦେଲା ।” (ଆଦି ପୁସ୍ତକ ୬:୫, ୬, ଇଜି-ଟୁ-ରିଡ୍ ଭର୍ସନ) ଈଶ୍ୱର ପରିବର୍ତ୍ତନ ହୋଇ ନାହାନ୍ତି । (ମଲାଖି ୩:୬) ବାଇବଲ କହେ ଯେ ଈଶ୍ୱର ପ୍ରକୃତରେ ଆପଣଙ୍କ ବିଷୟରେ ଚିନ୍ତା କରନ୍ତି ।— ୧ ପିତର ୫:୭ ପଢ଼ନ୍ତୁ ।
ବାଇବଲ ଶିଖାଏ ଯେ ଯିହୋବା ପ୍ରେମମୟ ସୃଷ୍ଟିକର୍ତ୍ତା ଅଟନ୍ତି, ଯିଏ ସମଗ୍ର ବିଶ୍ୱକୁ ସୃଷ୍ଟି କରିଛନ୍ତି
୧୨, ୧୩. (କ) ଆମେ କାହିଁକି ଅନ୍ୟମାନଙ୍କୁ ପ୍ରେମ କରୁ ଏବଂ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରୁ ? ତାʼ ଛଡ଼ା, ଜଗତର ଦୁଃଖକଷ୍ଟ ବିଷୟରେ ଆମେ କିପରି ଅନୁଭବ କରିଥାଉ ? (ଖ) ଆମେ କାହିଁକି ନିଶ୍ଚିତ ହୋଇପାରିବା ଯେ ଈଶ୍ୱର ସମସ୍ତ ଦୁଃଖକଷ୍ଟ ଓ ଅନ୍ୟାୟକୁ ନିଶ୍ଚୟ ଦୂର କରିବେ ?
୧୨ ବାଇବଲ ଏହା ମଧ୍ୟ କହେ ଯେ ଈଶ୍ୱର ଆମକୁ ନିଜ ପ୍ରତିମୂର୍ତ୍ତିରେ ସୃଷ୍ଟି କରିଛନ୍ତି । (ଆଦି ପୁସ୍ତକ ୧:୨୬) ଅର୍ଥାତ୍, ତାହାଙ୍କ ପାଖରେ ଯେଉଁ ମହାନ ଗୁଣଗୁଡ଼ିକ ରହିଛି, ସେହି ଗୁଣଗୁଡ଼ିକୁ ସେ ଆମକୁ ମଧ୍ୟ ଦେଇଛନ୍ତି । ତେଣୁ ଯଦି ଆପଣ ନିରୀହ ଲୋକଙ୍କ ପ୍ରତି ଅନ୍ୟାୟ ଏବଂ ସେମାନଙ୍କ ଦୁଃଖକଷ୍ଟକୁ ଦେଖି ଦୁଃଖିତ ହୁଅନ୍ତି, ତେବେ ଏହା ଦେଖି ଈଶ୍ୱର କେତେ ଯେ ଦୁଃଖିତ ହେଉ ନ ଥିବେ ! ଏହା ଆମେ କିପରି ଜାଣୁ ?
୧୩ ବାଇବଲ ଆମକୁ ଶିଖାଏ ଯେ ‘ଈଶ୍ୱର ପ୍ରେମ ଅଟନ୍ତି ।’ (୧ ଯୋହନ ୪:୮) ଈଶ୍ୱର ଯାହା ମଧ୍ୟ କରନ୍ତି, ସବୁକିଛି ତାହାଙ୍କ ଏହି ପ୍ରେମ ଗୁଣ ଯୋଗୁଁ ହିଁ କରିଥାʼନ୍ତି । ଈଶ୍ୱରଙ୍କଠାରେ ଏହି ପ୍ରେମ ଗୁଣ ଥିବା ଯୋଗୁଁ ଆମଠାରେ ମଧ୍ୟ ଏହା ରହିଛି । ଟିକିଏ ଭାବି ଦେଖନ୍ତୁ, ଯଦି ଆପଣଙ୍କ ପାଖରେ ଜଗତର ସମସ୍ତ ଦୁଃଖକଷ୍ଟ ଓ ଅନ୍ୟାୟକୁ ଦୂର କରିବାର ସାମର୍ଥ୍ୟ ଥାʼନ୍ତା, ତେବେ କʼଣ ଆପଣ ସେସବୁ ଦୂର କରନ୍ତେ ନାହିଁ ? ନିଶ୍ଚୟ କରନ୍ତେ, କାରଣ ଆପଣ ଲୋକମାନଙ୍କୁ ପ୍ରେମ କରନ୍ତି । ଈଶ୍ୱରଙ୍କ ବିଷୟରେ ଆପଣ କʼଣ କହିବେ ? ଯେହେତୁ ତାହାଙ୍କ ପାଖରେ ସାମର୍ଥ୍ୟ ରହିଛି ଏବଂ ସେ ଆମକୁ ପ୍ରେମ କରନ୍ତି, ସେ ସମସ୍ତ ଦୁଃଖକଷ୍ଟ ଓ ଅନ୍ୟାୟକୁ ନିଶ୍ଚୟ ଦୂର କରିବେ । ଆପଣ ନିଶ୍ଚିତ ହୋଇପାରିବେ ଯେ ଏହି ବହିର ଆରମ୍ଭରେ ଦିଆଯାଇଥିବା ଈଶ୍ୱରଙ୍କ ପ୍ରତ୍ୟେକ ପ୍ରତିଜ୍ଞା ନିଶ୍ଚୟ ପୂରଣ ହେବ ! କିନ୍ତୁ ଏହି ପ୍ରତିଜ୍ଞାଗୁଡ଼ିକ ଉପରେ ବିଶ୍ୱାସ ବଢ଼ାଇବା ପାଇଁ ଆପଣଙ୍କୁ ଈଶ୍ୱରଙ୍କ ବିଷୟରେ ଅଧିକ ଜାଣିବାକୁ ହେବ ।
ଈଶ୍ୱର ଚାହାନ୍ତି ଯେ ଆପଣ ତାହାଙ୍କ ବିଷୟରେ ଜାଣନ୍ତୁ
ଯଦି ଆପଣ କାହାରି ସହିତ ବନ୍ଧୁତା କରନ୍ତି, ତେବେ ଆପଣ ସର୍ବପ୍ରଥମେ ତାଙ୍କୁ ନିଜ ନାମ କହନ୍ତି । ଠିକ୍ ସେହିପରି, ଈଶ୍ୱର ଆମକୁ ବାଇବଲରେ ତାହାଙ୍କ ନାମ ଜଣାଇଛନ୍ତି
୧୪. ଈଶ୍ୱରଙ୍କ ନାମ କʼଣ ଅଟେ ଏବଂ ଆମେ କାହିଁକି ତାହାଙ୍କ ନାମକୁ ବ୍ୟବହାର କରିବା ଉଚିତ୍ ?
୧୪ ଯଦି ଆପଣ କାହାରି ସହିତ ବନ୍ଧୁତା କରିବାକୁ ଚାହାନ୍ତି, ତେବେ ପ୍ରଥମେ ଆପଣ ସାଧାରଣତଃ କʼଣ କହନ୍ତି ? ଆପଣଙ୍କ ନାମ । ତେବେ କʼଣ ଈଶ୍ୱରଙ୍କ ମଧ୍ୟ ଏକ ନାମ ଅଛି ? ଅଧିକାଂଶ ଧର୍ମଗୁଡ଼ିକରେ ଶିଖାଯାଏ ଯେ ତାହାଙ୍କ ନାମ “ଈଶ୍ୱର” କିମ୍ବା “ପ୍ରଭୁ” ଅଟେ । କିନ୍ତୁ ଏସବୁ ଈଶ୍ୱରଙ୍କ ନାମ ନୁହେଁ । ଏଗୁଡ଼ିକ କେବଳ ଉପାଧି ଅଟେ, ଯେପରି “ରାଜା” କିମ୍ବା “ପ୍ରଧାନମନ୍ତ୍ରୀ ।” ଈଶ୍ୱର ଆମକୁ କହିଛନ୍ତି ଯେ ତାହାଙ୍କ ନାମ “ଯିହୋବା” ଅଟେ । ଯାତ୍ରା ପୁସ୍ତକ ୬:୨, ୩ ପଦ କହେ: ‘ଆମ୍ଭେ ଯିହୋବା (ସଦାପ୍ରଭୁ); ଆମ୍ଭେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବା ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ ।’ ବାଇବଲର ଲେଖକମାନେ ଈଶ୍ୱରଙ୍କ ନାମକୁ ହଜାର ହଜାର ଥର ଏଥିରେ ଉଲ୍ଲେଖ କରିଛନ୍ତି । ଯିହୋବା ଚାହାନ୍ତି ଯେ ଆପଣ ତାହାଙ୍କ ନାମ ଜାଣନ୍ତୁ ଏବଂ ଏହାକୁ ବ୍ୟବହାର କରନ୍ତୁ । ସେ ଆପଣଙ୍କୁ ତାହାଙ୍କ ନାମ କହନ୍ତି, ଯାହାଫଳରେ ଆପଣ ତାହାଙ୍କ ମିତ୍ର ହୋଇପାରିବେ ।
୧୫. “ଯିହୋବା” ନାମର ଅର୍ଥ କʼଣ ଅଟେ ?
୧୫ ଈଶ୍ୱରଙ୍କ ନାମ ଯିହୋବାର ଗଭୀର ଅର୍ଥ ରହିଛି । ଏହାର ଅର୍ଥ ହେଉଛି, ଈଶ୍ୱର ତାହାଙ୍କ ଯେକୌଣସି ପ୍ରତିଜ୍ଞାକୁ ପୂରା କରିପାରନ୍ତି ଏବଂ ନିଜ ଉଦ୍ଦେଶ୍ୟକୁ ହାସଲ୍ କରିପାରନ୍ତି । କୌଣସି ବ୍ୟକ୍ତି କିମ୍ବା ଶକ୍ତି ଈଶ୍ୱରଙ୍କୁ ରୋକିପାରିବ ନାହିଁ । ତେଣୁ କେବଳ ଯିହୋବା ହିଁ ଏହି ନାମ ଧାରଣ କରିପାରିବେ ।a
୧୬, ୧୭. ଏହି ଉପାଧିଗୁଡ଼ିକରୁ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖୁ: (କ) “ସର୍ବଶକ୍ତିମାନ” ? (ଖ) “ଅନନ୍ତକାଳୀନ ରାଜା” ? (ଗ) “ସୃଷ୍ଟିକର୍ତ୍ତା” ?
୧୬ ଗୀତସଂହିତା ୮୩:୧୮ ପଦରେ ଯିହୋବାଙ୍କ ବିଷୟରେ କୁହାଯାଇଛି: ‘କେବଳ ତୁମ୍ଭେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ ।’ ଏହା ଛଡ଼ା, ପ୍ରକାଶିତ ବାକ୍ୟ ୧୫:୩ କହେ: “ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର କାର୍ଯ୍ୟସମୂହ ମହତ୍ ଓ ଆଶ୍ଚର୍ଯ୍ୟ ।” ଏଥିରେ ଥିବା “ସର୍ବଶକ୍ତିମାନ” ଉପାଧିର ଅର୍ଥ କʼଣ ? ଏହାର ଅର୍ଥ ହେଉଛି, ଯିହୋବା ସମଗ୍ର ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ଅଟନ୍ତି । ୧ ତୀମଥି ୧:୧୭ ପଦରେ ଯିହୋବାଙ୍କୁ “ଅନନ୍ତକାଳୀନ ରାଜା” ବୋଲି କୁହାଯାଇଛି । ଏହି “ଅନନ୍ତକାଳୀନ ରାଜା” ଉପାଧିର ଅର୍ଥ ହେଉଛି ସେ ସର୍ବଦା ଅସ୍ତିତ୍ୱରେ ରହି ଆସିଛନ୍ତି । ଗୀତସଂହିତା ୯୦:୨ ପଦରେ କୁହାଯାଇଛି ଯେ ସେ ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ପରମେଶ୍ୱର ଅଟନ୍ତି । ଏହା ଜାଣି ଆମ ହୃଦୟରେ କେତେ ବିସ୍ମୟର ଭାବନା ଭରିଯାଏ !
୧୭ ଯିହୋବାଙ୍କର ଆଉ ଏକ ଉପାଧି ହେଉଛି ସୃଷ୍ଟିକର୍ତ୍ତା, କାରଣ ସେ ହିଁ ସବୁକିଛି ସୃଷ୍ଟି କରିଛନ୍ତି । ପ୍ରକାଶିତ ବାକ୍ୟ ୪:୧୧ କହେ: “ହେ ପ୍ରଭୁ ! ଆମ୍ଭର ପରମେଶ୍ୱର ! ତୁମ୍ଭେ ଗୌରବ, ସମ୍ମାନ ଓ କ୍ଷମତା ପାଇବା ପାଇଁ ଯୋଗ୍ୟ । ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ । ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହୋଇଛି ଓ ଅସ୍ତିତ୍ୱ ପାଇଅଛି ।” (ଇଜି-ଟୁ-ରିଡ୍ ଭର୍ସନ) ସ୍ୱର୍ଗର ସ୍ୱର୍ଗଦୂତ ହୁଅନ୍ତୁ କିମ୍ବା ଆକାଶର ତାରା, ଗଛର ଫଳ ହେଉ କିମ୍ବା ସମୁଦ୍ରର ମାଛ, ସୃଷ୍ଟିର ସମସ୍ତ ବସ୍ତୁଗୁଡ଼ିକ ଆଜି ଏଥିପାଇଁ ଅସ୍ତିତ୍ୱରେ ରହିଛି, କାରଣ ଯିହୋବା ଏଗୁଡ଼ିକୁ ସୃଷ୍ଟି କରିଛନ୍ତି ।
କʼଣ ଆପଣ ଯିହୋବାଙ୍କ ମିତ୍ର ହୋଇପାରିବେ ?
୧୮. କିଛି ଲୋକ କାହିଁକି ଭାବନ୍ତି ଯେ ସେମାନେ କେବେ ମଧ୍ୟ ଈଶ୍ୱରଙ୍କ ମିତ୍ର ହୋଇପାରିବେ ନାହିଁ ? ବାଇବଲ ଏବିଷୟରେ କʼଣ କହେ ?
୧୮ କିଛି ଲୋକ ଯେତେବେଳେ ଯିହୋବାଙ୍କ ଏହି ମହାନ ଗୁଣଗୁଡ଼ିକ ବିଷୟରେ ପଢ଼ନ୍ତି, ସେମାନଙ୍କ ମନରେ ଏକ ପ୍ରକାର ଭୟ ଜାତ ହୁଏ । ସେମାନେ ଭାବନ୍ତି: ‘ଈଶ୍ୱର ଏତେ ଶକ୍ତିଶାଳୀ ଓ ମହାନ ଅଟନ୍ତି ଏବଂ ସେ ଏତେ ଦୂରରେ ରହନ୍ତି, ସେ ଅବା କାହିଁକି ମୋ ବିଷୟରେ ଚିନ୍ତା କରିବେ ?’ କିନ୍ତୁ କʼଣ ଈଶ୍ୱର ଚାହାନ୍ତି ଯେ ଆମ ମନରେ ଏପରି ଭାବନା ରହୁ ? ଆଦୌ ନୁହଁ । ଯିହୋବା ଆମର ନିକଟବର୍ତ୍ତୀ ହେବାକୁ ଚାହାନ୍ତି । ବାଇବଲ କହେ ଯେ ଈଶ୍ୱର “ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି ।” (ପ୍ରେରିତ ୧୭:୨୭) ଈଶ୍ୱର ଚାହାନ୍ତି ଯେ ଆପଣ ତାହାଙ୍କ ନିକଟବର୍ତ୍ତୀ ହୁଅନ୍ତୁ ଏବଂ ସେ ପ୍ରତିଜ୍ଞା କରିଛନ୍ତି ଯେ ‘ସେ ଆପଣମାନଙ୍କର ନିକଟବର୍ତ୍ତୀ ହେବେ ।’— ଯାକୁବ ୪:୮.
୧୯. (କ) ଆପଣ କିପରି ଈଶ୍ୱରଙ୍କ ମିତ୍ର ହୋଇପାରିବେ ? (ଖ) ଯିହୋବାଙ୍କ କେଉଁ ଗୁଣଟି ଆପଣଙ୍କୁ ସବୁଠାରୁ ଅଧିକ ଭଲ ଲାଗେ ?
୧୯ ଆପଣ ଈଶ୍ୱରଙ୍କ ମିତ୍ର କିପରି ହୋଇପାରିବେ ? ଯୀଶୁ ଖ୍ରୀଷ୍ଟ କହିଥିଲେ: “ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।” (ଯୋହନ ୧୭:୩) ଆପଣ ଶିଖିବା ଜାରି ରଖନ୍ତୁ, ଯାହାଫଳରେ ଧୀରେ ଧୀରେ ଯିହୋବା ଓ ଯୀଶୁ ଖ୍ରୀଷ୍ଟଙ୍କୁ ଭଲ ଭାବେ ଜାଣିପାରିବେ ଏବଂ ଭବିଷ୍ୟତରେ ଅନନ୍ତ ଜୀବନ ପାଇପାରିବେ । ଉଦାହରଣସ୍ୱରୂପ, ଆମେ ଆଗରୁ ଜାଣି ସାରିଛୁ ଯେ ‘ଈଶ୍ୱର ପ୍ରେମ ଅଟନ୍ତି ।’ (୧ ଯୋହନ ୪:୧୬) କିନ୍ତୁ ତାହାଙ୍କଠାରେ ଆହୁରି ଅନେକ ମହାନ ଗୁଣଗୁଡ଼ିକ ରହିଛି । ବାଇବଲ ଆମକୁ କହେ ଯେ ଯିହୋବା “ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ” ଅଟନ୍ତି । (ଯାତ୍ରା ପୁସ୍ତକ ୩୪:୬) ଯିହୋବା ‘ମଙ୍ଗଳମୟ ଅଟନ୍ତି ଓ କ୍ଷମା କରିବାକୁ ପ୍ରସ୍ତୁତ ଥାʼନ୍ତି ।’ (ଗୀତସଂହିତା ୮୬:୫) ଈଶ୍ୱର ଦୀର୍ଘସହିଷ୍ଣୁ ବା ଧୈର୍ଯ୍ୟବାନ ଓ ବିଶ୍ୱସ୍ତ ଅଟନ୍ତି । (୨ ପିତର ୩:୯; ଏବ୍ରୀ ୧୦:୨୩) ଯଦି ଆପଣ ବାଇବଲରୁ ତାହାଙ୍କ ବିଷୟରେ ପଢ଼ିବା ଜାରି ରଖିବେ, ତେବେ ତାହାଙ୍କର ଏହି ମହାନ ଗୁଣଗୁଡ଼ିକ ବିଷୟରେ ଆହୁରି ଶିଖିପାରିବେ ।
୨୦-୨୨. (କ) ଯଦି ଆମେ ଈଶ୍ୱରଙ୍କୁ ଦେଖିପାରି ନ ଥାଉ, ତଥାପି ତାହାଙ୍କ ନିକଟବର୍ତ୍ତୀ କିପରି ହୋଇପାରିବା ? (ଖ) ଯଦି ଅନ୍ୟମାନେ ଆପଣଙ୍କୁ ବାଇବଲ ଅଧ୍ୟୟନ ବନ୍ଦ କରିବାକୁ ଚାପ ପକାନ୍ତି, ଆପଣ କʼଣ କରିବା ଉଚିତ୍ ?
୨୦ ଆପଣ କିପରି ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରିବେ, ଯାହାକୁ ଆପଣ ଦେଖିପାରନ୍ତି ନାହିଁ ? (ଯୋହନ ୧:୧୮; ୪:୨୪; ୧ ତୀମଥି ୧:୧୭) ଯେତେବେଳେ ଆପଣ ବାଇବଲରେ ଯିହୋବାଙ୍କ ବିଷୟରେ ପଢ଼ିବେ, ଆପଣ ତାହାଙ୍କୁ ଜଣେ ବାସ୍ତବିକ ବ୍ୟକ୍ତି ଭାବରେ ଜାଣିପାରିବେ । (ଗୀତସଂହିତା ୩୧:୧୯; ରୋମୀୟ ୧:୨୦) ଆପଣ ଯିହୋବାଙ୍କ ବିଷୟରେ ଯେତେ ଅଧିକ ଶିଖିବେ, ସେତେ ଅଧିକ ତାହାଙ୍କୁ ପ୍ରେମ କରିବାକୁ ଲାଗିବେ ଏବଂ ଅନୁଭବ କରିବେ ଯେ ଆପଣ ତାହାଙ୍କ ନିକଟରେ ଅଛନ୍ତି ।
ଜଣେ ପିତା ନିଜ ପିଲାମାନଙ୍କୁ ଯେତେ ପ୍ରେମ କରନ୍ତି, ତାʼଠାରୁ କାହିଁ କେତେ ଅଧିକ ପ୍ରେମ ଆମ ସ୍ୱର୍ଗୀୟ ପିତା ଆମକୁ କରିଥାʼନ୍ତି
୨୧ ଆପଣ ବୁଝିପାରିବେ ଯେ ଯିହୋବା ଆମର ପିତା ଅଟନ୍ତି । (ମାଥିଉ ୬:୯) ସେ ଆମକୁ ନା କେବଳ ଜୀବନ ଦେଇଛନ୍ତି, ବରଂ ସେ ଚାହାନ୍ତି ଯେ ଆମେ ପୃଥିବୀରେ ଉତ୍ତମ ଜୀବନର ଆନନ୍ଦ ନେଉ । ତାହା ହିଁ ଜଣେ ପ୍ରେମମୟ ପିତା ନିଜ ସନ୍ତାନମାନଙ୍କ ପାଇଁ ଚାହାନ୍ତି । (ଗୀତସଂହିତା ୩୬:୯) ହଁ, ବାଇବଲ ଶିଖାଏ ଯେ ଆପଣ ଯିହୋବାଙ୍କ ମିତ୍ର ହୋଇପାରିବେ । (ଯାକୁବ ୨:୨୩) କଳ୍ପନା କରନ୍ତୁ, ସମଗ୍ର ବିଶ୍ୱର ସୃଷ୍ଟିକର୍ତ୍ତା ଯିହୋବା ଚାହାନ୍ତି ଯେ ଆପଣ ତାହାଙ୍କ ମିତ୍ର ହୁଅନ୍ତୁ !
୨୨ କିଛି ଲୋକ ହୁଏତ ଆପଣଙ୍କ ଉପରେ ଚାପ ପକାଇପାରନ୍ତି ଯେ ଆପଣ ବାଇବଲ ଅଧ୍ୟୟନ ବନ୍ଦ କରି ଦିଅନ୍ତୁ । ସେମାନେ ହୁଏତ ଡରନ୍ତି ଯେ ଆପଣ ନିଜ ଧର୍ମର ଶିକ୍ଷାଗୁଡ଼ିକୁ ମାନିବା ଛାଡ଼ିଦେବେ । କିନ୍ତୁ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ କେହି ମଧ୍ୟ ଆପଣଙ୍କୁ ଯିହୋବାଙ୍କ ମିତ୍ର ହେବାରେ ବାଧା ଆଣିପାରିବ ନାହିଁ, କାରଣ ତାହାଙ୍କ ଭଳି ଉତ୍ତମ ମିତ୍ର ଆଉ କେହି ହୋଇପାରିବେ ନାହିଁ ।
୨୩, ୨୪. (କ) ଆପଣ କାହିଁକି ପ୍ରଶ୍ନ ପଚାରିବା ଜାରି ରଖିବା ଉଚିତ୍ ? (ଖ) ପରବର୍ତ୍ତୀ ଅଧ୍ୟାୟରେ ଆମେ କʼଣ ଜାଣିପାରିବା ?
୨୩ ଯେପରି ଆପଣ ବାଇବଲ ଅଧ୍ୟୟନ କରିବା ଜାରି ରଖିବେ, ହୁଏତ ଏପରି କେତେକ ବିଷୟ ପାଇବେ, ଯେଉଁଗୁଡ଼ିକୁ ବୁଝିବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ । ଏପରି ସମୟରେ ପ୍ରଶ୍ନ ପଚାରିବା ଏବଂ ସାହାଯ୍ୟ ମାଗିବା ପାଇଁ ଲଜ୍ଜିତ ମନେ କରନ୍ତୁ ନାହିଁ । ଯୀଶୁ କହିଥିଲେ ଯେ ଆମେ ଛୋଟ ପିଲାଙ୍କ ଭଳି ନମ୍ର ହେବା ଉଚିତ୍ । ସାଧାରଣତଃ, ପିଲାମାନେ ବହୁତ ପ୍ରଶ୍ନ ପଚାରିଥାʼନ୍ତି । (ମାଥିଉ ୧୮:୨-୪) ଈଶ୍ୱର ଚାହାନ୍ତି ଯେ ଆପଣ ମଧ୍ୟ ପ୍ରଶ୍ନ ପଚାରନ୍ତୁ ଏବଂ ସେଗୁଡ଼ିକର ଉତ୍ତର ପାଆନ୍ତୁ । ତେଣୁ ବାଇବଲକୁ ଧ୍ୟାନର ସହିତ ଅଧ୍ୟୟନ କରନ୍ତୁ ଏବଂ ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯାହା ଶିଖୁଛନ୍ତି, ତାହା ସତ୍ୟ କି ନୁହେଁ ।— ପ୍ରେରିତ ୧୭:୧୧ ପଢ଼ନ୍ତୁ ।
୨୪ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଉଛି, ବାଇବଲକୁ ଅଧ୍ୟୟନ କରିବା । ପରବର୍ତ୍ତୀ ଅଧ୍ୟାୟରେ ଆମେ ଜାଣିପାରିବା ଯେ ବାଇବଲ କିପରି ଅନ୍ୟ ସମସ୍ତ ବହିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
a ବାଇବଲର କେତେକ ଅନୁବାଦରେ “ଯିହୋବା” ନାମ ନାହିଁ । ଯଦି ଆପଣ ଏହି ନାମର ଅର୍ଥ ଓ ଉଚ୍ଚାରଣ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ତେବେ ଦୟାକରି ଅଧିକ ବିବରଣୀ-୧ ଦେଖନ୍ତୁ ।