ଜାନୁୟାରୀ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୬-୧୨ ଜାନୁୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୧-୨
“ଯିହୋବା ପୃଥିବୀରେ ଜୀବନର ଆରମ୍ଭ କରନ୍ତି”
ଇନସାଇଟ୍-୧ ୫୨୭-୫୨୮
ସୃଷ୍ଟି
ଈଶ୍ୱର ସୃଷ୍ଟିର ପ୍ରଥମ ଦିନରେ କହିଲେ, “ଦୀପ୍ତି ହେଉ” ଏବଂ ବିଚ୍ଛୁରିତ ଆଲୋକ ମେଘମାଳାକୁ ଭେଦି ପୃଥିବୀରେ ପହଞ୍ଚିଲା । କିନ୍ତୁ ଏହି ଆଲୋକ କେଉଁଠାରୁ ଆସୁଥିଲା, ତାହା ପୃଥିବୀରୁ ଜାଣି ହେଉ ନ ଥିଲା । ଏପରି ଲାଗେ ଏହି ପ୍ରକ୍ରିୟା ଧୀରେ ଧୀରେ ହେଲା । ଅନୁବାଦକ ଜେ. ଡବ୍ଲ୍ୟୁ. ୱାଟ୍ସ ମଧ୍ୟ କହିଛନ୍ତି: “ଆଲୋକ ଧୀରେ ଧୀରେ ଅସ୍ତିତ୍ୱରେ ଆସିଲା ।” (ଆଦି ୧:୩, ଡିଷ୍ଟିଙ୍କ୍ଟିବ ଟ୍ରାନ୍ସଲେସନ ଅଫ ଜେନେସିସ) ଈଶ୍ୱର ଅନ୍ଧାରରୁ ଆଲୋକକୁ ଭିନ୍ନ କଲେ ଏବଂ ଆଲୋକକୁ ଦିନ ଓ ଅନ୍ଧାରକୁ ରାତି କହିଲେ । ଏହା ଦେଖାଏ ଯେ ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ସଙ୍ଗେ ସଙ୍ଗେ ସୂର୍ଯ୍ୟର ଚାରିପଟେ ଘୂରେ, ଯାହାଫଳରେ ପୂର୍ବ ଓ ପଶ୍ଚିମ ଗୋଲାର୍ଦ୍ଧରେ ଦିନ ଓ ରାତି ହୋଇଥାଏ ।—ଆଦି ୧:୩, ୪.
ଦ୍ୱିତୀୟ ଦିନରେ ଈଶ୍ୱର “ଜଳକୁ ଦୁଇ ଭାଗରେ ଭିନ୍ନ” କରି ଜଳ ମଧ୍ୟରେ ଶୂନ୍ୟ ଜାତ କଲେ । କିଛି ପାଣି ପୃଥିବୀ ପୃଷ୍ଠରେ ରହିଗଲା, କିନ୍ତୁ ଅଧିକାଂଶ ପାଣି ପୃଥିବୀ ପୃଷ୍ଠରୁ ଉପରକୁ ଉଠିଗଲା । ଏହି ଉଭୟ ଭାଗର ମଧ୍ୟରେ ଶୂନ୍ୟ ଜାଗା ହୋଇଗଲା । ଏହି ଶୂନ୍ୟ ଜାଗାକୁ ଯିହୋବା ଆକାଶମଣ୍ଡଳ କହିଲେ । କିନ୍ତୁ ଏହିପରି ପୃଥିବୀ ଦୃଷ୍ଟିରୁ ଥିଲା । ଶୂନ୍ୟର ଉପରେ ଯେଉଁ ପାଣି ରହି ଯାଇଥିଲା, ସେ ଭିତରେ ହିଁ ତାରାଗୁଡ଼ିକ କିମ୍ବା ଅନ୍ୟ ବସ୍ତୁଗୁଡ଼ିକ ଅଛି ବୋଲି କୁହାଯାଇ ନ ପାରେ ।—ଆଦି ୧:୬-୮.
ତୃତୀୟ ଦିନ ଈଶ୍ୱର ନିଜ ଶକ୍ତିରେ ପୃଥିବୀର ପାଣିକୁ ଏକତ୍ରୀତ କଲେ, ଯାହାଫଳରେ ଶୁଖିଲା ଭୂମି ଦେଖାଗଲା । ଏହି ଶୁଖିଲା ଭୂମିକୁ ଈଶ୍ୱର ପୃଥିବୀ କହିଲେ । ଏହି ଦିନ ଈଶ୍ୱର ବସ୍ତୁର ପରମାଣୁରେ ଜୀବନ ପ୍ରକ୍ରିୟା ପ୍ରଦାନ କଲେ ଏବଂ ଘାସ, ଗଛଲତା ଓ ଫଳଦାୟକ ବୃକ୍ଷ ଅସ୍ତିତ୍ୱରେ ଆସିଲା । ଏସବୁ ଆପେ ଆପେ କିମ୍ବା କ୍ରମବିକାଶ ବା ବିବର୍ତ୍ତନରୁ ଆସି ନ ଥିଲା । ଈଶ୍ୱର ଏହି ତିନି ପ୍ରକାର ଉଦ୍ଭିଦଗୁଡ଼ିକୁ ଏପରି ଭାବେ ସୃଷ୍ଟି କଲେ ଯେ ସେଗୁଡ଼ିକ “ସ୍ୱ ସ୍ୱ ଜାତି” ଅନୁସାରେ ବଢ଼ିବାକୁ ଲାଗିଲେ ।—ଆଦି ୧:୯-୧୩.
ଇନସାଇଟ୍-୧ ୫୨୮ ¶୫-୮
ସୃଷ୍ଟି
ଏହା ଧ୍ୟାନ ଦେବାର ବିଷୟ ଯେ ଆଦି ପୁସ୍ତକ ୧:୧୬ ପଦରେ ଏବ୍ରୀ କ୍ରିୟା ବାରା ବ୍ୟବହାର କରାଯାଇ ନାହିଁ, ଯାହାର ଅର୍ଥ ହେଉଛି “ସୃଷ୍ଟି କରିବା ।” ବରଂ ଏଠାରେ ଏବ୍ରୀ କ୍ରିୟା ଅସାହ ବ୍ୟବହୃତ ହୋଇଛି, ଯାହାର ଅର୍ଥ “ନିର୍ମାଣ କରିବା ।” ତେଣୁ ଏହି ପଦରେ ଈଶ୍ୱର “ଦୁଇ ମହାଜ୍ୟୋତି . . . ନିର୍ମାଣ କଲେ” କୁହାଯିବାର ଅର୍ଥ ନୁହେଁ ଯେ ଏଗୁଡ଼ିକୁ ସୃଷ୍ଟି କରାଗଲା । ଏଗୁଡ଼ିକର ସୃଷ୍ଟି ଚତୁର୍ଥ ଦିନଠାରୁ ବହୁତ ପୂର୍ବରୁ ହୋଇ ସାରିଥିଲା ଏବଂ ଏହା ଆଦି ପୁସ୍ତକ ୧:୧ ପଦରୁ ଜଣାପଡ଼େ । ସେଠି କୁହାଯାଇଛି ଯେ ଆରମ୍ଭରେ ଈଶ୍ୱର “ସ୍ୱର୍ଗ” ଅର୍ଥାତ୍ ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗୁଡ଼ିକୁ ସୃଷ୍ଟି କଲେ । ତେବେ ଚତୁର୍ଥ ଦିନ ଏହି ଜ୍ୟୋତିଗୁଡ଼ିକୁ “ନିର୍ମାଣ” କରାଯିବାର ଅର୍ଥ ହେଉଛି, ଏଗୁଡ଼ିକ ଏବେ ପୃଥିବୀ ପୃଷ୍ଠରୁ ଦେଖାଗଲା, ଯେପରି ଏଗୁଡ଼ିକ ଶୂନ୍ୟ ଜାଗାରେ ଅଛନ୍ତି । ଏହା ଆଦି ପୁସ୍ତକ ୧:୧୭, ୧୮ ପଦରୁ ଜଣାପଡ଼େ, ଯେଉଁଠି ଲେଖା ଅଛି, “ପୃଥିବୀରେ ଦୀପ୍ତି ଦେବା ପାଇଁ . . . ପରମେଶ୍ୱର ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ ।” କେବଳ ଏତିକି ନୁହେଁ, ଏଗଡ଼ିକୁ “ନିର୍ମାଣ” କରିବାରେ ଆଦି ପୁସ୍ତକ ୧:୧୪ ପଦରେ ଥିବା କଥା ମଧ୍ୟ ସାମିଲ୍: “ଜ୍ୟୋତିର୍ଗଣ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ ।” ଆଗକୁ ଯାଇ ଏହି ଜ୍ୟୋତିଗୁଡ଼ିକ ମାନବଜାତି ପାଇଁ ବହୁତ ଲାଭ ହୁଅନ୍ତା ।
ସୃଷ୍ଟିର ପଞ୍ଚମ ଦିନରେ ଈଶ୍ୱର ପୃଥିବୀରେ ପ୍ରଥମେ ଜୀବଜନ୍ତୁମାନଙ୍କର ସୃଷ୍ଟି କଲେ । ଈଶ୍ୱର କେବଳ ଗୋଟିଏ ଜୀବର ସୃଷ୍ଟି କଲେ ନାହିଁ, ଯେଉଁଥିରୁ ଆଗକୁ ଯାଇ ଭିନ୍ନ ଭିନ୍ନ ପ୍ରଜାତିର ଜୀବଜନ୍ତୁମାନେ ଆସିଥାʼନ୍ତେ, ବରଂ ସେ ନିଜ ଶକ୍ତିରେ ଅନେକ ପ୍ରକାରର ଜୀବଜନ୍ତୁମାନଙ୍କୁ ସୃଷ୍ଟି କଲେ । ବାଇବଲରେ ଲେଖା ଅଛି, “ପରମେଶ୍ୱର ବୃହତ ତିମିଙ୍ଗିଳ ପ୍ରଭୃତି ଓ ସ୍ୱ ସ୍ୱ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ଓ ସ୍ୱ ସ୍ୱ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ ।” ଈଶ୍ୱର ନିଜ ସୃଷ୍ଟିକୁ ଦେଖି ଆନନ୍ଦିତ ହୋଇ ସେମାନଙ୍କୁ ଆଶିଷ ଦେଇ କହିଲେ, ‘ବହୁବଂଶ ହୁଅ ।’ ଏହା ଏଥିପାଇଁ ସମ୍ଭବ ହୋଇପାରିଲା, କାରଣ ଈଶ୍ୱର ଏହି ଜୀବଜନ୍ତୁମାନଙ୍କୁ “ସ୍ୱ ସ୍ୱ ଜାତି ଅନୁସାରେ” ସେମାନଙ୍କ ସଂଖ୍ୟାରେ ବଢ଼ିବାକୁ ସାମର୍ଥ୍ୟ ଦେଇଥିଲେ ।—ଆଦି ୧:୨୦-୨୩.
ସୃଷ୍ଟିର ଷଷ୍ଠ ଦିନରେ “ପରମେଶ୍ୱର ସ୍ୱ ସ୍ୱ ଜାତି ଅନୁଯାୟୀ ବନ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ ।” ଈଶ୍ୱରଙ୍କ ଏସବୁ ସୃଷ୍ଟି ଆଗରୁ କରାଯାଇଥିବା ସୃଷ୍ଟିଗୁଡ଼ିକ ଭଳି ବହୁତ ସୁନ୍ଦର ଥିଲା ।—ଆଦି ୧:୨୪, ୨୫.
ଷଷ୍ଠ ଦିନର ଶେଷରେ ଈଶ୍ୱର ମଣିଷକୁ ସୃଷ୍ଟି କଲେ, ଯିଏ ଅନ୍ୟ ପଶୁଗୁଡ଼ିକଠାରୁ ଶ୍ରେଷ୍ଠ ଥିଲା, କିନ୍ତୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନତର ଥିଲା । ଈଶ୍ୱର ମଣିଷକୁ ନିଜ ପ୍ରତିମୂର୍ତ୍ତିରେ ଓ ନିଜ ସାଦୃଶ୍ୟରେ ସୃଷ୍ଟି କଲେ । ଆଦି ପୁସ୍ତକ ୧:୨୭ ପଦରେ କେବଳ ଏହା କୁହାଯାଇଛି: “ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ ।” କିନ୍ତୁ ଆଦି ପୁସ୍ତକ ୨:୭-୯ ପଦରେ କୁହାଯାଇଛି ଯେ ଯିହୋବା ଈଶ୍ୱର ଭୂମିର ଧୂଳିରୁ ପୁରୁଷକୁ ସୃଷ୍ଟି କଲେ ଏବଂ ତାʼର ନାସିକାରନ୍ଧ୍ରରେ ପ୍ରାଣବାୟୁ ଫୁଙ୍କିଲେ । ତାʼପରେ ସେ ଜୀବିତ ପ୍ରାଣୀ ହୋଇଗଲା । ଯିହୋବା ତାକୁ ଏକ ସୁନ୍ଦର ଉଦ୍ୟାନରେ ରଖିଲେ ଏବଂ ତାʼ ପାଇଁ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କଲେ । ଏହା ସ୍ପଷ୍ଟ ଯେ ପୁରୁଷକୁ ସୃଷ୍ଟି କରିବା ସମୟରେ ଯିହୋବା ପୃଥିବୀରେ ମିଳୁଥିବା ଜିନିଷଗୁଡ଼ିକର ବ୍ୟବହାର କଲେ । ତାʼପରେ ଯିହୋବା ପୁରୁଷର ପଞ୍ଜରାରୁ ଏକ ସ୍ତ୍ରୀ ସୃଷ୍ଟି କଲେ । (ଆଦି ୨:୧୮-୨୫) ସ୍ତ୍ରୀକୁ ସୃଷ୍ଟି କରିବା ପରେ, ମଣିଷ ମଧ୍ୟ ଏକ ସମ୍ପୂର୍ଣ୍ଣ “ଜାତି” ଭାବେ ପରିଚିତ ହେଲା, କାରଣ ଏବେ ମଣିଷର ସୃଷ୍ଟିରେ ପୁରୁଷ ଓ ସ୍ତ୍ରୀ ଉଭୟ ସାମିଲ୍ ଥିଲେ ।—ଆଦି ୫:୧, ୨.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୫-ଇଂ ୬/୧ ୫
ବିଜ୍ଞାନ କିପରି ଆପଣଙ୍କ ଜୀବନରେ ପ୍ରଭାବ ପକାଏ
ଏହି ପୃଥିବୀ ଓ ବିଶ୍ୱ କେତେ ବର୍ଷ ପୁରୁଣା ?
ବୈଜ୍ଞାନିକମାନେ ଅନୁମାନ କରି କହନ୍ତି ଯେ ଏହି ପୃଥିବୀ ୪୦୦ କୋଟି ବର୍ଷ ପୁରୁଣା ଏବଂ ଏହି ବିଶ୍ୱର ଆରମ୍ଭ ପ୍ରାୟ ୧୩୦୦ରୁ ୧୪୦୦ କୋଟି ବର୍ଷ ପୂର୍ବରୁ ହୋଇଥିଲା । ବାଇବଲରେ ଏହା କୁହାଯାଇ ନାହିଁ ଯେ ବିଶ୍ୱର ସୃଷ୍ଟି କେବେ ହେଲା ଏବଂ ଏହା ମଧ୍ୟ କୁହାଯାଇ ନାହିଁ ଯେ ପୃଥିବୀ ମାତ୍ର କିଛି ହଜାର ବର୍ଷ ପୁରୁଣା । ବାଇବଲର ପ୍ରଥମ ବହି ଆଦି ପୁସ୍ତକ ୧:୧ ପଦରେ ଲେଖା ଅଛି, “ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ ।” ଏହି ପଦରେ ବିଶ୍ୱ ଆରମ୍ଭ ହେବାର କୌଣସି ତାରିଖ ଦିଆଯାଇ ନାହିଁ । ତେଣୁ ବୈଜ୍ଞାନିକମାନେ କିଛି ବୈଜ୍ଞାନିକ ସିଦ୍ଧାନ୍ତଗୁଡ଼ିକର ଆଧାରରେ ଅନୁମାନ କରି କହନ୍ତି ଯେ ପୃଥିବୀ ଓ ଆକାଶ କେବେ ଅସ୍ତିତ୍ୱରେ ଆସିଲା ।
ଇନସାଇଟ୍-୨ ୫୨
ଯୀଶୁ ଖ୍ରୀଷ୍ଟ
ଯୀଶୁ ସୃଷ୍ଟିକର୍ତ୍ତା ନୁହନ୍ତି । ଯୀଶୁ ସୃଷ୍ଟି କରିବାରେ ନିଜ ପିତାଙ୍କ ସହ କାମ କଲେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ମଧ୍ୟ ନିଜ ପିତାଙ୍କ ଭଳି ଏକ ସୃଷ୍ଟିକର୍ତ୍ତା । ଦେଖିବାକୁ ଗଲେ ସେ ଈଶ୍ୱରଙ୍କ ପବିତ୍ର ଶକ୍ତିର ସାହାଯ୍ୟରେ ସୃଷ୍ଟି କଲେ । (ଆଦି ୧:୨; ଗୀତ ୩୩:୬) ଯିହୋବା ହିଁ ଜୀବନଦାତା । ତେଣୁ ପ୍ରତ୍ୟେକ ଦୃଶ୍ୟ ଓ ଅଦୃଶ୍ୟ ପ୍ରାଣୀର ଜୀବନ ଉପରେ ତାହାଙ୍କର ହିଁ ଅଧିକାର ଅଛି । (ଗୀତ ୩୬:୯) ଯୀଶୁ କେବଳ ଏକ ମାଧ୍ୟମ ଥିଲେ, ଯାହାଙ୍କ ଜରିଆରେ ଆମ ସୃଷ୍ଟିକର୍ତ୍ତା ଯିହୋବା ସବୁକିଛି ସୃଷ୍ଟି କଲେ । ଯୀଶୁ ନିଜେ କହିଥିଲେ ଯେ ଯିହୋବା ହିଁ ସୃଷ୍ଟିକର୍ତ୍ତା ଅଟନ୍ତି ଏବଂ ବାଇବଲର ଅନ୍ୟ ପଦଗୁଡ଼ିକ ମଧ୍ୟ ଏହିପରି କହିଥାଏ ।—ମାଥି ୧୯:୪-୬.
୧୩-୧୯ ଜାନୁୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩-୫
“ପ୍ରଥମ ମିଥ୍ୟାର ଭୟଙ୍କର ପରିଣତି”
ପ୍ର୧୭.୦୨-ହି ୫ ¶୯
ଯିହୋବାଙ୍କ ଉଦ୍ଦେଶ୍ୟ ନିଶ୍ଚୟ ପୂରଣ ହେବ !
୯ ଶୟତାନ ଏକ ସାପ ମାଧ୍ୟମରେ ହବାକୁ ପ୍ରଲୋଭିତ କଲା ଯେ ସେ ନିଜ ପିତା ଯିହୋବାଙ୍କ ଆଜ୍ଞା ଉଲ୍ଲଙ୍ଘନ କରୁ । (ଆଦି ପୁସ୍ତକ ୩:୧-୫ ପଢ଼ନ୍ତୁ; ପ୍ରକାଶିତ ବାକ୍ୟ ୧୨:୯) ଈଶ୍ୱର ଆଦମ ଓ ହବାଙ୍କୁ କେବଳ ଗୋଟିଏ ଗଛର ଫଳ ଖାଇବାକୁ ମନା କରିଥିଲେ । କିନ୍ତୁ ଶୟତାନ ପ୍ରଶ୍ନ ଉଠାଇଲା ଯେ ଈଶ୍ୱର ସେମାନଙ୍କୁ “ଉଦ୍ୟାନର କୌଣସି ବୃକ୍ଷର ଫଳ” ଖାଇବାକୁ ନିଷେଧ କରିଛନ୍ତି । ଏକ ପ୍ରକାରେ ସେ କହୁଥିଲା: ‘ଏହାର ଅର୍ଥ ତୁମେ ଯାହା କରିବାକୁ ଚାହଁ, ତାହା କରିପାରିବ ନାହିଁ ?’ ତାʼପରେ ସେ ହବାକୁ ଏକ ଲଜ୍ଜାହୀନ ମିଥ୍ୟା କହିଲା: “ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ ।” ତାʼପରେ ସେ ହବାର ମନରେ ଏହା ଭରିବାକୁ ଚେଷ୍ଟା କଲା ଯେ ସେ ଈଶ୍ୱରଙ୍କ ଆଜ୍ଞା ମାନିବା ଆବଶ୍ୟକ ନୁହେଁ । ଶୟତାନ କହିଲା, “ପରମେଶ୍ୱର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ ।” ଏହିପରି ଭାବେ ଶୟତାନ ଯିହୋବାଙ୍କ ଉପରେ ମିଥ୍ୟା ଦୋଷାରୋପ କଲା । ସେ କହିଲା, ଯିହୋବା ଚାହାନ୍ତି ନାହିଁ ଯେ ତୁମେ ଏହି ଫଳକୁ ଖାଅ, କାରଣ ତାକୁ ଖାଇଲେ ତୁମେ ବିଶେଷ ପ୍ରକାରର ଜ୍ଞାନ ପାଇଯିବ । ଶେଷରେ ସେ ଏହି ମିଥ୍ୟା ପ୍ରତିଜ୍ଞା କଲା: “ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ ।”
ପ୍ର୦୦-ହି ୧୧/୧୫ ୨୫-୨୬
ପ୍ରଥମ ମାନବ ଯୋଡ଼ାଠାରୁ ଆମକୁ ଶିକ୍ଷା ମିଳେ
କʼଣ ହବା ଏହି ପାପକୁ ଏଡ଼ାଇପାରିଥାʼନ୍ତା ? ହଁ, ଏଥିରେ କୌଣସି ସନ୍ଦେହ ନାହିଁ ! କଳ୍ପନା କରନ୍ତୁ ଯେ ଯଦି ଆପଣ ହବାର ଜାଗାରେ ଥାʼନ୍ତେ, ତେବେ କʼଣ କରନ୍ତେ ? ଆପଣ ଯାହାକୁ ପ୍ରେମ କରନ୍ତି ଏବଂ ଯାହା ଉପରେ ଭରସା କରନ୍ତି, ସେ ମିଛୁଆ ବୋଲି ଯଦି ଜଣେ ଅଜଣା ବ୍ୟକ୍ତି ଦୋଷାରୋପ କରେ, ତେବେ ଆପଣଙ୍କୁ କିପରି ଲାଗିବ ? ସାପ ଯାହା ଦାବି କରିଥିଲା, ତାହା ଈଶ୍ୱର ଓ ଆଦମଙ୍କ କଥାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ହବା ଶୟତାନର କଥା ଶୁଣି ସମ୍ପୂର୍ଣ୍ଣ ଭିନ୍ନ ଭାବେ ପ୍ରତିକ୍ରିୟା ଦେଖାଇବାର ଥିଲା । ଏକଥା ଶୁଣିବା ମାତ୍ରେ ହିଁ ହବା ଏପରି ଦୋଷାରୋପକୁ ଘୃଣା କରିବାର ଥିଲା ଏବଂ କ୍ରୋଧରେ ଭରି ସେଠାରୁ ଚାଲିଯିବାର ଥିଲା । ଆଉ ଆଗକୁ ସର୍ପର କଥା ଶୁଣିବାର ହିଁ ନ ଥିଲା । ଈଶ୍ୱର ଧର୍ମୀ ଅଟନ୍ତି ନା ନୁହନ୍ତି ଏବଂ ତାʼର ପତି ଯାହା କହିଛନ୍ତି, ତାହା ସତ ନା ନୁହେଁ, ଏହି ପ୍ରଶ୍ନ କରିବାର କʼଣ ସାପ ପାଖରେ ଅଧିକାର ଥିଲା ? ନିଜ ପତିଙ୍କ ଅଧୀନରେ ରହିବାର ବ୍ୟବସ୍ଥାକୁ ଆଦର କରି ହବା କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅତି କମ୍ରେ ନିଜ ପତିର ପରାମର୍ଶ ଶୁଣିବାର ଥିଲା । ଯଦି କେବେ ଆମକୁ ମଧ୍ୟ ଏପରି କିଛି ତଥ୍ୟ ଦିଆଯାଏ, ଯାହା ଈଶ୍ୱରଙ୍କ ଆଦେଶଗୁଡ଼ିକର ବିପରୀତ, ତେବେ ଆମେ ଏପରି କଥା ପ୍ରତି ଆଦୌ କାନ ଦେବା ଉଚିତ୍ ନୁହେଁ । କିନ୍ତୁ ହବା ସେହି ପ୍ରଲୋଭନକାରୀର କଥାରେ ପଡ଼ିଗଲା । କʼଣ ସଠିକ୍ ଓ କʼଣ ଭୁଲ୍, ତାହା ସେ ନିଜେ ନିର୍ଣ୍ଣୟ କରିବାକୁ ଚାହୁଁଥିଲା । ଏକଥା ଉପରେ ସେ ଯେତେ ଅଧିକ ଚିନ୍ତା କଲା, ସେତେ ବେଶୀ ତାକୁ ଭଲ ଲାଗିଲା । ସେ ଏହି ଚିନ୍ତାଧାରାକୁ ନିଜ ମନରୁ ସମ୍ପୂର୍ଣ୍ଣ ଭାବେ ବାହାର କରିଦେବାର ଥିଲା । କିମ୍ବା ନିଜ ପରିବାରର ମୁରବୀ ସହିତ ଏବିଷୟରେ କଥା ହେବାର ଥିଲା । କିନ୍ତୁ ଏପରି କରିବା ପରିବର୍ତ୍ତେ ସେ ମନ୍ଦ କାମନା କରି କେତେ ବଡ଼ ଭୁଲ୍ କଲା ।—୧ କରିନ୍ଥୀୟ ୧୧:୩; ଯାକୁବ ୧:୧୪, ୧୫.
ଆଦମ ନିଜ ପତ୍ନୀର କଥା ଶୁଣିଲା
ହବା ତୁରନ୍ତ ଆଦମକୁ ମଧ୍ୟ ନିଜ ପାପରେ ସାମିଲ୍ ହେବା ପାଇଁ ପ୍ରଲୋଭିତ କଲା । ବିନା କୌଣସି ପ୍ରଶ୍ନ କରି ଆଦମ ନିଜ ପତ୍ନୀର କଥା କାହିଁକି ମାନି ନେଲା ? (ଆଦି ପୁସ୍ତକ ୩:୬, ୧୭) ଏବେ ଆଦମ ଏପରି ଦୋଛକିରେ ଛିଡ଼ା ହୋଇଥିଲା, ଯେଉଁଠି ଏକ ପକ୍ଷରେ ଈଶ୍ୱରଙ୍କ ପାଇଁ ବିଶ୍ୱସ୍ତତା ଥିଲା ଏବଂ ଅନ୍ୟ ପକ୍ଷରେ ନିଜ ପତ୍ନୀ ସହ ସମ୍ପର୍କ । ଏବେ ସେ କʼଣ କରିବ ? କʼଣ ସେ ନିଜ ସୃଷ୍ଟିକର୍ତ୍ତାଙ୍କ ଆଜ୍ଞା ପାଳନ କରିବ, ଯିଏ ତାକୁ ସବୁକିଛି ଦେଇଥିଲେ, ଏପରିକି ତାʼର ପତ୍ନୀ ହବାକୁ ମଧ୍ୟ ? ନା ସେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଯିହୋବାଙ୍କୁ ପଚାରିବ ? ନା ସେ ନିଜ ପତ୍ନୀଙ୍କ ସହ ତାର ପାପରେ ସାମିଲ ହେବ ? ଆଦମ ଭଲ ଭାବେ ଜାଣିଥିଲା ଯେ ହବା ଯାହା ପାଇବା ଆଶାରେ ମନା କରାଯାଇଥିବା ଫଳ ଖାଇଥିଲା, ତାହା କେବଳ ଏକ ସ୍ୱପ୍ନ ଥିଲା । ପ୍ରେରିତ ପାଉଲ ଈଶ୍ୱରଙ୍କ ପ୍ରେରଣାରେ ଲେଖିଥିଲେ: “ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ, ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞାଲଙ୍ଘନ ଦୋଷରେ ଦୋଷୀ ହେଲେ ।” (୧ ତୀମଥି ୨:୧୪) ତେଣୁ ଆଦମ ଜାଣିଶୁଣି ଯିହୋବାଙ୍କ ବିରୁଦ୍ଧରେ ଯିବା ପାଇଁ ନିଷ୍ପତ୍ତି ନେଲା । ଏହା ସ୍ପଷ୍ଟ ଯେ ତାʼଠାରେ ନିଜ ପତ୍ନୀଠାରୁ ଅଲଗା ହେବାର କେତେ ଡର ଥିଲା । ତାʼଠାରେ ଏହା ମଧ୍ୟ ବିଶ୍ୱାସ ନ ଥିଲା ଯେ ଈଶ୍ୱର ଏହି ପରିସ୍ଥିତିକୁ ଠିକ୍ କରିବା ପାଇଁ କିଛି ନା କିଛି ବାଟ ନିଶ୍ଚୟ ବାହାର କରିଥାʼନ୍ତେ ।
ପ୍ର୧୨-ଇଂ ୯/୧ ୪ ¶୨
କʼଣ ଈଶ୍ୱର ପ୍ରକୃତରେ ସ୍ତ୍ରୀମାନଙ୍କ ପାଇଁ ଚିନ୍ତା କରନ୍ତି ?
କʼଣ ଈଶ୍ୱର ସ୍ତ୍ରୀମାନଙ୍କୁ ଅଭିଶାପ ଦେଇଛନ୍ତି ?
ନା । ଏହା ପରିବର୍ତ୍ତେ ଈଶ୍ୱର ଶୟତାନକୁ କହିଲେ, “ତୁମ୍ଭେ ଅଧିକ ଶାପଗ୍ରସ୍ତ ହେଲ,” ଯାହାକୁ ବାଇବଲରେ “ଦିଆବଳ” ବା “ପୁରାତନ ନାଗ” ବୋଲି କୁହାଯାଇଛି । (ପ୍ରକାଶିତ ବାକ୍ୟ ୧୨:୯; ଆଦି ପୁସ୍ତକ ୩:୧୪) ଯେତେବେଳେ ଈଶ୍ୱର କହିଲେ ଯେ ଆଦମ ନିଜ ପତ୍ନୀ ଉପରେ “କର୍ତ୍ତୃତ୍ୱ କରିବ,” ସେତେବେଳେ ସେ ଏହାକୁ ମଞ୍ଜୁର କରୁଛନ୍ତି ବୋଲି କହୁ ନ ଥିଲେ । (ଆଦି ପୁସ୍ତକ ୩:୧୬) ଏହା ପରିବର୍ତ୍ତେ, ସେ କେବଳ କହୁଥଲେ ଯେ ପ୍ରଥମ ମାନବ ଯୋଡ଼ାଙ୍କ ପାପର ପରିଣତି କʼଣ ହେବ ।
ପ୍ର୦୪-ହି ୧/୧ ୨୯ ¶୨
ଆଦି ପୁସ୍ତକ ବହିର ମୁଖ୍ୟାଂଶ—୧
୩:୧୭—ଭୂମି କେଉଁ ଅର୍ଥରେ ଏବଂ କେବେ ପର୍ଯ୍ୟନ୍ତ ଶାପଗ୍ରସ୍ତ ହେଲା ? ଭୂମି ଶାପଗ୍ରସ୍ତ ହେବାର ଅର୍ଥ ଥିଲା, ଏବେଠାରୁ ସେଥିରେ ଚାଷ କାମ କରିବା ଖୁବ୍ କଷ୍ଟକର ହୋଇଥାʼନ୍ତା । ଭୂମି ଶାପଗ୍ରସ୍ତ ହେବା ଯୋଗୁଁ ସେଥିରେ କଣ୍ଟା ଓ ଗୋଖରା ଗଛ ବାହାରି ଥିଲା । ଫଳସ୍ୱରୂପ, ଆଦମର ଉତ୍ତରାଧିକାରୀମାନଙ୍କୁ ଏତେ କଠିନ ପରିଶ୍ରମ କରିବାକୁ ପଡ଼ିଲା ଯେ ନୋହଙ୍କ ପିତା ଲେମକ କହିଲେ: ‘ପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମେ କଠିନ ପରିଶ୍ରମ କରି କାର୍ଯ୍ୟ କରୁଛୁ ।’ (ଆଦି ପୁସ୍ତକ ୫:୨୯, NIBV) ଜଳପ୍ଳାବନ ପରେ, ଯିହୋବା ନୋହ ଓ ତାଙ୍କ ପୁତ୍ରମାନଙ୍କୁ ଆଶିଷ ଦେଲେ ଏବଂ ନିଜ ଉଦ୍ଦେଶ୍ୟ ଅନୁଯାୟୀ ସେମାନଙ୍କୁ ପୃଥିବୀକୁ ପରିପୂର୍ଣ୍ଣ କରିବାର ଆଜ୍ଞା ଦେଇଥିଲେ । (ଆଦି ପୁସ୍ତକ ୯:୧) ସେତେବେଳେ ଈଶ୍ୱର ସମ୍ଭବତଃ ଭୂମିରୁ ନିଜ ଶାପ ହଟାଇ ନେଇଥିଲେ ।—ଆଦି ପୁସ୍ତକ ୧୩:୧୦.
ଇନସାଇଟ୍-୨ ୧୮୬
ପ୍ରସବବେଦନା
ସନ୍ତାନ ଜନ୍ମ କରିବା ସମୟରେ ଯେଉଁ ବେଦନା ହୁଏ, ଏଠାରେ ସେହି ବେଦନା ବିଷୟରେ କୁହାଯାଇଛି । ଈଶ୍ୱର ପ୍ରଥମ ସ୍ତ୍ରୀ ହବାକୁ କହିଲେ ଯେ ପାପ କରିଥିବା ଯୋଗୁଁ ସେ ସନ୍ତାନ ଜନ୍ମ କରିବା ସମୟରେ ଖୁବ୍ କଷ୍ଟ ଭୋଗିବ । ଯଦି ସେ ଈଶ୍ୱରଙ୍କ ଆଜ୍ଞା ପାଳନ କରିଥାʼନ୍ତା, ତେବେ ଈଶ୍ୱରଙ୍କ ଆଶିଷ ତାʼ ଉପରେ ରହିଥାʼନ୍ତା ଏବଂ ସନ୍ତାନ ଜନ୍ମ କରିବା ସମୟରେ ତାକୁ କଷ୍ଟ ହୋଇ ନ ଥାʼନ୍ତା, ବରଂ ସେ ଖୁସି ହୁଅନ୍ତା । ଆମେ ଏପରି ଏଥିପାଇଁ କହିପାରିବା, କାରଣ ହିତୋପଦେଶ ୧୦:୨୨ ପଦରେ ଲେଖା ଅଛି, “ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ କରେ, ପୁଣି ସେ ତାହା ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ ।” କିନ୍ତୁ ବର୍ତ୍ତମାନ ଶାରୀରିକ ଅସିଦ୍ଧତା ଯୋଗୁଁ ଏହି କଷ୍ଟ ହୋଇଥାଏ । ଯେପରି ଆଦି ପୁସ୍ତକ ୩:୧୬ ପଦରେ ଈଶ୍ୱର କହିଥିଲେ, “ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ ।” (ଈଶ୍ୱର ଯେତେବେଳେ କୌଣସି ଅନୁମତି ଦିଅନ୍ତି, ସେତେବେଳେ ପ୍ରାୟ ଏପରି କୁହାଯାଏ, ସତେ ଯେପରି ସେ ନିଜେ ତାହା କରୁଛନ୍ତି ।)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୨ ୧୯୨ ¶୫
ଲେମକ
ଲେମକ ନିଜ ପତ୍ନୀମାନଙ୍କ ପାଇଁ ଯେଉଁ କବିତା ଲେଖିଥିଲେ, ସେଥିରୁ ଜଣାପଡ଼େ ଯେ ସେସମୟରେ ଲୋକେ ବହୁତ ହିଂସ୍ର ହୋଇଯାଇଥିଲେ । (ଆଦି ୪:୨୩, ୨୪) ତାଙ୍କ କବିତାରେ ଲେଖା ଅଛି, “ମୋʼ କଥା ଶୁଣ; ଆଗୋ ଲେମକର ଭାର୍ଯ୍ୟାଗଣ, ତୁମ୍ଭେମାନେ ମୋʼ ବାକ୍ୟରେ କର୍ଣ୍ଣପାତ କର; ମୁଁ ଆଘାତର ପରିଶୋଧରେ ଜଣେ ମନୁଷ୍ୟକୁ ଓ ପ୍ରହାରର ପରିଶୋଧରେ ଜଣେ ଯୁବାକୁ ବଧ କରିଅଛି; ଯେବେ କୟିନର ବଧର ପ୍ରତିଫଳ ସାତଗୁଣ ହୁଏ, ତେବେ ଲେମକର ପ୍ରତିଫଳ ସତସ୍ତରି ଗୁଣ ନିଶ୍ଚୟ ହେବ ।” ଏହି ପଦଗୁଡ଼ିକରେ ଲେମକ ନିଜକୁ ନିର୍ଦୋଷ ବୋଲି ପ୍ରମାଣିତ କରୁଥିଲେ । ସେ କହୁଥିଲେ ଯେ ସେ କୟିନଙ୍କ ଭଳି ଜାଣିଶୁଣି ସେହି ବ୍ୟକ୍ତିଙ୍କୁ ହତ୍ୟା କରି ନ ଥିଲେ । ସେହି ବ୍ୟକ୍ତି ତାଙ୍କୁ ଆଘାତ କରି ଆହତ କରି ଦେଇଥିଲା ଏବଂ ସେ ନିଜ ଜୀବନ ବଞ୍ଚାଇବାକୁ ଯାଇ ସେହି ବ୍ୟକ୍ତିକୁ ହତ୍ୟା କରି ଦେଇଥିଲେ ବୋଲି ସେ ଦାବି କରୁଥିଲେ । ଲେମକ ନିଜ କବିତା ମାଧ୍ୟମରେ ଅନୁରୋଧ କରୁଥିଲେ ଯେ ଯେଉଁମାନେ ତାଙ୍କ ଜୀବନ ନେବା ପାଇଁ ଚାହୁଁଥିଲେ, ସେମାନେ ତାଙ୍କୁ କ୍ଷମା କରିଦିଅନ୍ତୁ ।
ଇନସାଇଟ୍-୧ ୩୩୮ ¶୨
ନିନ୍ଦା
ଜଳପ୍ଳାବନର ପୂର୍ବରୁ ଈନୋଶଙ୍କ ସମୟରେ, ଯେତେବେଳେ ଲୋକେ “ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ,” ଏହାର ଅର୍ଥ ନ ଥିଲା ଯେ ସେମାନେ ପ୍ରଥମ ଥର ପାଇଁ ଯିହୋବାଙ୍କ ନାମ ନେଉଥିଲେ । କାରଣ ବହୁ ସମୟ ପୂର୍ବେ ହେବଲ ମଧ୍ୟ ନିଶ୍ଚୟ ଯିହୋବାଙ୍କ ନାମ ନେଇଥିବେ । (ଆଦି ୪:୨୬; ଏବ୍ରୀ ୧୧:୪) ପ୍ରକୃତରେ ଦେଖିବାକୁ ଗଲେ ସେସମୟରେ ଲୋକେ ଯିହୋବାଙ୍କ ନାମର ଭୁଲ୍ ବ୍ୟବହାର କରୁଥିଲେ । କିଛି ବିଦ୍ୱାନ୍ମାନେ ବିଶ୍ୱାସ କରନ୍ତି ଯେ ସେସମୟରେ ଲୋକେ ମଣିଷମାନଙ୍କୁ ଓ ଉପାସନାରେ ବ୍ୟବହୃତ ହେଉଥିବା ଜିନିଷଗୁଡ଼ିକୁ ଯିହୋବାଙ୍କ ନାମ ଦେଉଥିଲେ । ଯଦି ଏହା ସତ, ତେବେ ଏପରି କରିବା ଈଶ୍ୱରଙ୍କ ନିନ୍ଦା କରିବା ଥିଲା ।
୨୦-୨୬ ଜାନୁୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୬-୮
“ନୋହ ସେରୂପ କଲେ”
ପ୍ର୧୮. ୦୨-ହି ୪ ¶୪
ନୋହ, ଦାନିୟେଲ ଓ ଆୟୁବଙ୍କ ଭଳି ବିଶ୍ୱାସ ରଖନ୍ତୁ ଏବଂ ଆଜ୍ଞା ପାଳନ କରନ୍ତୁ
୪ ନୋହଙ୍କୁ କେତେ କଠିନ ସମସ୍ୟାର ସାମନା କରିବାକୁ ପଡ଼ିଲା ? ନୋହଙ୍କ ଅଜାଙ୍କ ବାପା ହନୋକଙ୍କ ସମୟ ପର୍ଯ୍ୟନ୍ତ ଲୋକେ ଅତି ଦୁଷ୍ଟ ହୋଇଯାଇଥିଲେ । ସେମାନେ ଯିହୋବାଙ୍କ ବିଷୟରେ “କଟୁ କଥା” କହୁଥିଲେ । (ଯିହୂଦା ୧୪, ୧୫) ସେସମୟରେ ହିଂସା ବଢ଼ି ବଢ଼ି ଯାଉଥିଲା ଏବଂ ନୋହଙ୍କ ସମୟ ପର୍ଯ୍ୟନ୍ତ “ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା ।” ଦୁଷ୍ଟ ସ୍ୱର୍ଗଦୂତମାନେ ମଣିଷ ରୂପରେ ପୃଥିବୀକୁ ଆସି ଯାଇଥିଲେ ଏବଂ ସେମାନେ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ । କେବଳ ସେତିକି ନୁହେଁ, ସେମାନଙ୍କଠାରୁ ଯେଉଁ ସନ୍ତାନମାନେ ଜାତ ହେଲେ, ସେମାନେ ଅତି ହିଂସ୍ର ଓ ନିର୍ଦ୍ଦୟୀ ଥିଲେ । (ଆଦି. ୬:୨-୪, ୧୧, ୧୨) କିନ୍ତୁ ନୋହ ନିଜ ସମୟର ଲୋକମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ । ବାଇବଲ କହେ ଯେ ସେ ‘ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ । . . . ଆପଣା ସମୟର ଲୋକମାନଙ୍କ ମଧ୍ୟରେ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ ।’—ଆଦି. ୬:୮, ୯.
ପ୍ର୧୩-ଇଂ ୪/୧ ୧୪ ¶୧
ସେ “ପରମେଶ୍ୱରଙ୍କ ସହିତ ଗମନାଗମନ କଲେ”
ଏହି କାମକୁ କରିବା ପାଇଁ ଅନେକ ବର୍ଷ ଲାଗିଲା । ହୁଏତ ୪୦ରୁ ୫୦ ବର୍ଷ । ସେମାନଙ୍କୁ ଗଛ କାଟିବାର ଥିଲା, କାଠ ଗଣ୍ଡିଗୁଡ଼ିକୁ ବୋହି ନେଇଯିବାର ଥିଲା, ସେଗୁଡ଼ିକୁ କାଟି ଆକାର ଦେବାର ଥିଲା ଏବଂ ଯୋଡ଼ିବାର ଥିଲା । ଜାହାଜରେ ତିନି ମହଲା ଥିଲା, ଅନେକ ତଳ ବା ଚଟାଣ ଥିଲା ଏବଂ ଗୋଟିଏ ପଟେ କବାଟ ଥିଲା । ଏହା ସ୍ପଷ୍ଟ ଯେ ଉପର ଆଡ଼କୁ ଝରକାଗୁଡ଼ିକ ଥିଲା । ଆଉ, ଛାତ ମଧ୍ୟ ମଝିରେ ଟିକିଏ ଉଠିଥିବ, ଯାହାଫଳରେ ପାଣି ତଳକୁ ବୋହିଯାଇଥିବ ।—ଆଦି ପୁସ୍ତକ ୬:୧୪-୧୬.
ପ୍ର୧୧-ହି ୯/୧୫ ୧୮ ¶୧୩
ଧୈର୍ଯ୍ୟ ସହକାରେ ଗନ୍ତବ୍ୟ ପଥରେ ଧାବମାନ ହୁଅନ୍ତୁ
୧୩ ଯିହୋବାଙ୍କ ଏହି ସେବକମାନଙ୍କୁ ଧୈର୍ଯ୍ୟର ସହ ଦୌଡ଼ିବାରେ ସଫଳ ହେବା ପାଇଁ କʼଣ ସାହାଯ୍ୟ କଲା ? ଧ୍ୟାନ ଦିଅନ୍ତୁ ପାଉଲ ନୋହଙ୍କ ବିଷୟରେ କʼଣ ଲେଖିଲେ । (ଏବ୍ରୀ ୧୧:୭ ପଢ଼ନ୍ତୁ ।) ‘ଭୂପୃଷ୍ଠରେ ପ୍ରାଣଧାରୀ ସମସ୍ତଙ୍କୁ ବିନାଶ କରିବାକୁ ଜଳପ୍ଳାବନ ଘଟାଇବା’ ଏପରି ଥିଲା, ଯାହା ନୋହଙ୍କ ପାଇଁ “ଅପ୍ରକାଶିତ ବିଷୟ” ଥିଲା । (ଆଦି. ୬:୧୭) ଏପରି ପୂର୍ବରୁ କେବେ ହୋଇ ନ ଥିଲା, ଏହା ସମ୍ପୂର୍ଣ୍ଣ ଅବିଶ୍ୱାସନୀୟ ଥିଲା । ତଥାପି ନୋହ ଏହା ଭାବି ଅଣଦେଖା କଲେ ନାହିଁ ଯେ ଏହା ଅସମ୍ଭବ । କାହିଁକି ? କାରଣ ତାଙ୍କର ପୂରା ଭରସା ଥିଲା ଯେ ଯିହୋବା ଯାହା ମଧ୍ୟ କହନ୍ତି, ତାହା ସେ ନିଶ୍ଚୟ ପୂରଣ କରନ୍ତି । ନୋହ କେବେ ଭାବିଲେ ନାହିଁ ଯେ ତାଙ୍କୁ ଏତେ କଠିନ କାମ ଦିଆଯାଇଛି, ସେ କିପରି ସମ୍ପୂର୍ଣ୍ଣ କରିବେ ? ଏହା ପରିବର୍ତ୍ତେ ଈଶ୍ୱର ତାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେ “ସେରୂପ କଲେ ।” (ଆଦି. ୬:୨୨) ନୋହ ଯାହା କିଛି କଲେ, ତାʼ ପ୍ରତି ଧ୍ୟାନ ଦିଅନ୍ତୁ । ଯେପରି— ଜାହାଜ ତିଆରି କରିବା, ଜୀବଜନ୍ତୁଗୁଡ଼ିକୁ ଏକତ୍ରୀତ କରିବା, ଜାହାଜରେ ଜୀବଜନ୍ତୁ ଓ ନିଜ ପରିବାର ପାଇଁ ଖାଇବା ଜିନିଷ ସଞ୍ଚୟ କରିବା, ଲୋକମାନଙ୍କୁ ଆଗାମୀ ବିନାଶ ବିଷୟରେ ସତର୍କ କରାଇବା ଏବଂ ନିଜ ପରିବାରକୁ ଆଧ୍ୟାତ୍ମିକ ରୂପେ ମଜବୁତ୍ କରିବା । ଏଥିରେ କୌଣସି ସନ୍ଦେହ ନାହିଁ ଯେ ସବୁକିଛି ‘ସେରୂପ କରିବା’ ସହଜ ନ ଥିଲା । କିନ୍ତୁ ନୋହଙ୍କ ବିଶ୍ୱାସ ଓ ଧୈର୍ଯ୍ୟ ଯୋଗୁଁ ତାଙ୍କର ଓ ତାଙ୍କ ପରିବାରର ଜୀବନ ରକ୍ଷା ପାଇଲା ଏବଂ ସେମାନଙ୍କୁ ବହୁତ ଆଶିଷ ମିଳିଲା ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୪-ହି ୧/୧ ୨୯ ¶୭
ଆଦି ପୁସ୍ତକ ବହିର ମୁଖ୍ୟାଂଶ—୧
୭:୨—କେଉଁ ଆଧାରରେ ନିର୍ଦ୍ଧାରିତ କରାଯାଇଥିଲା ଯେ କେଉଁ ପଶୁ ଶୁଚି ଓ କେଉଁ ପଶୁ ଅଶୁଚି ? ଏହାର ଆଧାର ଏଇୟା ନ ଥିଲା ଯେ କେଉଁ ପଶୁର ମାଂସ ଖାଇପାରିବା ଏବଂ କେଉଁ ପଶୁର ନୁହେଁ । ବରଂ କେଉଁ ପଶୁଗୁଡ଼ିକୁ ଉପାସନା ପାଇଁ ବଳି ଚଢ଼ା ଯାଇପାରିବ, ସେହି ଆଧାରରେ ଏହା ନିର୍ଦ୍ଧାରିତ କରାଯାଇଥିଲା । ଜଳପ୍ଳାବନର ପୂର୍ବରୁ ମଣିଷମାନେ ପଶୁଗୁଡ଼ିକର ମାଂସ ଖାଉ ନ ଥିଲେ । ଖାଇବା ଜିନିଷ ମାମଲାରେ “ଶୁଚି” ଓ “ଅଶୁଚି” ଭଳି ଶବ୍ଦର ବ୍ୟବହାର ମୋଶାଙ୍କ ବ୍ୟବସ୍ଥାରୁ ଆରମ୍ଭ ହେଲା । ଯେତେବେଳେ ବ୍ୟବସ୍ଥାକୁ ରଦ୍ଦ କରାଗଲା, ସେତେବେଳେ ଏହି କଟକଣା ଆଉ ରହିଲା ନାହିଁ । (ପ୍ରେରିତ ୧୦:୯-୧୬; ଏଫିସୀୟ ୨:୧୫) ନୋହ ହୁଏତ ଜାଣିଥିଲେ ଯେ ଯିହୋବାଙ୍କ ଉପାସନା ପାଇଁ କେଉଁ ପଶୁଗୁଡ଼ିକର ବଳି ଚଢ଼ାଇବା ଠିକ୍ ହେବ । ତେଣୁ ଜାହାଜରୁ ବାହାରକୁ ଆସିବା ପରେ ନୋହ ସର୍ବପ୍ରଥମେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ, ପୁଣି ସର୍ବପ୍ରକାର ଶୁଚି ପଶୁ ଓ ଶୁଚି ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦି ଉପରେ ହୋମବଳି ଉତ୍ସର୍ଗ କଲେ ।”—ଆଦି ୮:୨୦.
ପ୍ର୦୪-ହି ୧/୧ ୩୦ ¶୧
ଆଦି ପୁସ୍ତକ ବହିର ମୁଖ୍ୟାଂଶ—୧
୭:୧୧—ଜଳପ୍ଳାବନର ପାଣି କେଉଁଠୁ ଆସିଥିଲା ? ସୃଷ୍ଟିର ଦ୍ୱିତୀୟ ‘ଦିବସର’ ସମୟ ଅବଧିରେ ଯେତେବେଳେ ପୃଥିବୀ ଉପରେ “ଶୂନ୍ୟ” ନିର୍ମାଣ କରାଗଲା, ସେତେବେଳେ “ଶୂନ୍ୟର ଊର୍ଦ୍ଧ୍ୱସ୍ଥ” ଜଳ ଓ “ଶୂନ୍ୟର ଅଧଃସ୍ଥ” ଜଳ ଥିଲା, ଅର୍ଥାତ୍ ଶୂନ୍ୟର ଉପରେ ଓ ତଳେ ପାଣି ଥିଲା । (ଆଦି ୧:୬, ୭) “ଅଧଃସ୍ଥ” ଜଳ ପୃଥିବୀରେ ପୂର୍ବରୁ ଥିଲା । ଆଉ, “ଊର୍ଦ୍ଧ୍ୱସ୍ଥ” ଜଳ ପ୍ରଚୁର ମାତ୍ରାରେ ଆର୍ଦ୍ର ରୂପେ ପୃଥିବୀ ଉପରେ ଭାସୁଥିଲା ଏବଂ ଏହି ପାଣି ‘ମହା ସମୁଦ୍ରର ସମସ୍ତ ଜଳାକରରେ’ ପରିଣତ ହେଲା । ନୋହଙ୍କ ଦିନରେ ଏହି ପାଣି ପୃଥିବୀ ଉପରେ ବର୍ଷିଲା ।
୨୭ ଜାନୁୟାରୀ–୨ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୯-୧୧
“ସମୁଦାୟ ପୃଥିବୀରେ ଏକ ଭାଷା ଥିଲା”
ଇନସାଇଟ୍-୧ ୨୩୯
ପ୍ରାଚୀନ ବାବିଲର ପରିଚୟ । ଶିନୀୟର ଦେଶର ପ୍ରାନ୍ତରରେ ଯେତେବେଳେ ବାବିଲ ନଗରର ବସତି ଆରମ୍ଭ କରାଯାଉଥିଲା, ସେତେବେଳେ ବାବିଲର ଉଚ୍ଚ ଗଡ଼ ବା ମୀନାରର ନିର୍ମାଣ କାମ ମଧ୍ୟ ଚାଲୁଥିଲା । (ଆଦି ୧୧:୨-୯) ମୀନାର ଓ ସହର ନିର୍ମାଣ କରିବାର ଉଦ୍ଦେଶ୍ୟ ଏହା ନ ଥିଲା ଯେ ଯିହୋବାଙ୍କ ନାମର ମହିମା ହେଉ, ବରଂ ଏଗୁଡ଼ିକର ନିର୍ମାଣକାରୀମାନେ ଚାହୁଁଥିଲେ, ସେମାନଙ୍କର “ନାମ ବିଖ୍ୟାତ” ହେଉ । ପ୍ରାଚୀନ ବାବିଲର ଧ୍ୱଂସାବଶେଷରୁ ଓ ମେସୋପଟାମିଆର ଅନ୍ୟ ଜାଗାଗୁଡ଼ିକରେ ମୀନାରଗୁଡ଼ିକର ଅନେକ ଜିନିଷ ମିଳିଛି । ଏହି ଜିନିଷସବୁରୁ ଲାଗେ ଯେ ପ୍ରାଚୀନ ବାବିଲର ମୀନାରଗୁଡ଼ିକର ଗଠନ ଯେମିତି ହୋଇଥାଉ ପଛେ ସେଗୁଡ଼ିକୁ ନିର୍ମାଣ କରିବା ପଛରେ ଧାର୍ମିକ ଉଦ୍ଦେଶ୍ୟ ଥିଲା । ଯିହୋବା ଈଶ୍ୱର ଏହି ମୀନାରର ନିର୍ମାଣକୁ ରୋକିବା ପାଇଁ ଯାହା କଲେ, ସେଥିରୁ ଜଣାପଡ଼େ ଯେ ଏହାର ସମ୍ପର୍କ ମିଥ୍ୟା ଧର୍ମ ସହ ଥିଲା । ଏହା ସତ ଯେ ଏହି ନଗରକୁ ଏବ୍ରୀ ନାମ ବାବିଲ ଦିଆଯାଇଥିଲା, ଯାହାର ଅର୍ଥ “ଭେଦ” ବା ବିଭିନ୍ନତା । କିନ୍ତୁ ଲୋକେ ଏହାକୁ ସୁମେରୀୟ ନାମ (କା-ଡିଙ୍ଗିର-ରା) ଓ ଅକ୍କଦୀୟ ନାମ (ବାବ-ଇଲୁ) ମଧ୍ୟ ଦେଲେ, ଯାହାର ଅର୍ଥ “ଈଶ୍ୱରଙ୍କ ଫାଟକ ।” ଏହିପରି ଭାବେ ସେଠାକାର ଅବଶିଷ୍ଟ ଅଧିବାସୀମାନେ ଏହି ନଗରର ନାମକୁ ବଦଳାଇ ଦେଲେ । ସେମାନେ ଚାହୁଁ ନ ଥିଲେ ଯେ ଏହି ନଗରକୁ ପୁରୁଣା ନାମରେ ମନେ ପକାଯାଉ, କାରଣ ଈଶ୍ୱର ଲୋକଙ୍କ ବିଦ୍ରୋହୀ ମନୋଭାବ ଯୋଗୁଁ ଏହି ନାମ ରଖିଥିଲେ । କିନ୍ତୁ ଏହି ନାମଗୁଡ଼ିକରୁ ଏହା ହିଁ ଜଣାପଡ଼େ ଯେ ଏହି ନଗରର ଧର୍ମ ସହ ସମ୍ପର୍କ ଥିଲା ।
ଇନସାଇଟ୍-୨ ୨୦୨ ¶୨
ଭାଷା
ଆଦି ପୁସ୍ତକର ବିବରଣୀରେ କୁହାଯାଇଛି ଯେ ଜଳପ୍ଳାବନ ପରେ ଯେତେବେଳେ ନୋହଙ୍କ ପରିବାର ବଢ଼ିବାକୁ ଲାଗିଲା, କିଛି ଲୋକ ଏକଜୁଟ ହୋଇ ଏପରି କାମରେ ଲାଗିଗଲେ, ଯାହା ଈଶ୍ୱରଙ୍କ ଉଦ୍ଦେଶ୍ୟର ବିରୁଦ୍ଧରେ ଥିଲା । ଈଶ୍ୱର ନୋହ ଓ ତାଙ୍କ ପୁତ୍ରମାନଙ୍କୁ ଆଶିଷ ଦେଇଥିଲେ ଯେ ସେମାନେ “ପୃଥିବୀକି ପରିପୂର୍ଣ୍ଣ” କରନ୍ତୁ । (ଆଦି ୯:୧) କିନ୍ତୁ କିଛି ଲୋକ ଚାହୁଁ ନ ଥିଲେ ଯେ ସେମାନେ ପୃଥିବୀରେ ଅଲଗା ଅଲଗା ଜାଗାରେ ରହନ୍ତୁ । ଏହା ପରିବର୍ତ୍ତେ, ସେମାନେ ଗୋଟିଏ ଜାଗାରେ ବସତି ସ୍ଥାପନ କରିବାକୁ ଚାହୁଁଥିଲେ । ଆଉ ସେମାନେ ମେସୋପଟାମିଆର ଶିନୀୟର ପ୍ରାନ୍ତରରେ ରହିବାକୁ ଲାଗିଲେ । ଆଗକୁ ଯାଇ ଏହି ଶିନୀୟର ପ୍ରାନ୍ତର ଏକ ଧାର୍ମିକ କେନ୍ଦ୍ର ହେଲା, ଯେଉଁଠି ଉପାସନା ସହ ଜଡ଼ିତ ଏକ ମୀନାର ମଧ୍ୟ ଥିଲା ।—ଆଦି ୧୧:୨-୪.
ଇନସାଇଟ୍-୨ ୨୦୨ ¶୩
ଭାଷା
ସର୍ବଶକ୍ତିମାନ ଈଶ୍ୱର ନିଜ ଲୋକମାନଙ୍କ ଭାଷାରେ ଭେଦ ବା ବିଭିନ୍ନତା ଜନ୍ମାଇଲେ । କାରଣ ସେ ଚାହୁଁଥିଲେ ଯେ ତାହାଙ୍କ ଉଦ୍ଦେଶ୍ୟ ବିରୁଦ୍ଧରେ ଲୋକେ ରଖିଥିବା ବଡ଼ ବଡ଼ ଲକ୍ଷ୍ୟଗୁଡ଼ିକୁ ଯେପରି ସେମାନେ ହାସଲ କରିପାରିବେ ନାହିଁ । ଏହି କାରଣରୁ ସେମାନଙ୍କ ନିର୍ମାଣ କାମ ବନ୍ଦ ହୋଇଗଲା ଏବଂ ସେମାନେ ସାରା ପୃଥିବୀରେ ଛିନ୍ନ ଭିନ୍ନ ହୋଇଗଲେ । ଆଗକୁ ଯାଇ ଯଦି ଏହି ଲୋକମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟ ବିରୁଦ୍ଧରେ କିଛି କରିବା ପାଇଁ ଚିନ୍ତା କରନ୍ତେ, ତେବେ ସେମାନଙ୍କୁ କେବଳ ନିଜ ଭାଷା କହୁଥିବା ଲୋକମାନଙ୍କର ବୁଦ୍ଧି ଓ ଶକ୍ତି ଉପରେ ନିର୍ଭର ରହିବାକୁ ପଡ଼ନ୍ତା । ଏହା ଛଡ଼ା, ସେମାନେ ନିଜ ଅନୁଭବ ଓ ଗବେଷଣାରୁ ଯେଉଁ ଜ୍ଞାନ ହାସଲ କରିଥିଲେ, ତାହା ଏବେ ସେମାନଙ୍କ ମଧ୍ୟରେ ସୀମିତ ରହନ୍ତା । ପରସ୍ପରର ଭାଷା ବୁଝି ନ ପାରିବା ଯୋଗୁଁ ସେମାନେ ଏହି ଜ୍ଞାନ ଅନ୍ୟମାନଙ୍କୁ ବାଣ୍ଟି ପାରି ନ ଥାʼନ୍ତେ । (ଉପ ୭:୨୯; ଦ୍ୱିବି ୩୨:୫ ସହ ତୁଳନା କରନ୍ତୁ ।) ଏହା ସତ ଯେ ଭାଷାରେ ବିଭିନ୍ନତା ମଣିଷମାନଙ୍କୁ ଭାଗ ଭାଗ କରିଦେଲା, କିନ୍ତୁ ଏଥିରୁ ସେମାନଙ୍କର ହିଁ ଲାଭ ହେଲା । ଏବେ ସେମାନେ ଏପରି ଲକ୍ଷ୍ୟ ସହଜରେ ହାସଲ କରିପାରି ନ ଥାʼନ୍ତେ, ଯେଉଁଥିରୁ ଲୋକଙ୍କୁ ବିପଦ ବା କ୍ଷତି ପହଞ୍ଚନ୍ତା । (ଆଦି ୧୧:୫-୯; ଯିଶା ୮:୯, ୧୦ ସହ ତୁଳନା କରନ୍ତୁ ।) ଆଜି ମଧ୍ୟ ଆମେ ଦେଖୁ ଯେ ମଣିଷମାନେ ନିଜ ବୁଦ୍ଧି ଓ ଜ୍ଞାନର ଭୁଲ ବ୍ୟବହାର କରି କେତେ କ୍ଷତି ପହଞ୍ଚାଇଛନ୍ତି । ଈଶ୍ୱର ବହୁତ ଆଗରୁ ଜାଣିଥିଲେ ଯେ ବାବିଲରେ ଯେଉଁ କାମ ହେଉଥିଲା, ତାର ପରିଣତି କʼଣ ହେବ । ତେଣୁ ସେ ଏହି କାମରେ ବାଧା ସୃଷ୍ଟି କରି ଏହାକୁ ବନ୍ଦ କରିଦେଲେ ।
ଇନସାଇଟ୍-୨ ୪୭୨
ଗୋଷ୍ଠୀ
ଭାଷାର ଭେଦ ବା ବିଭିନ୍ନତା ଯୋଗୁଁ ଲୋକେ ଭିନ୍ନ ଭିନ୍ନ ସମୂହରେ ଅଲଗା ହୋଇଗଲେ । ପ୍ରତ୍ୟେକ ସମୂହ ନିଜ ସଂସ୍କୃତି, କଳା, ରୀତିନୀତି, ଚାଲିଚଳନ ଓ ଧର୍ମ ଆପଣାଇଲେ । ପ୍ରତ୍ୟେକ ସମୂହର କାମ କରିବାର ପଦ୍ଧତି ଭିନ୍ନ ହୋଇଗଲା । (ଲେବୀ ୧୮:୩) ସେମାନେ ଈଶ୍ୱରଙ୍କଠାରୁ ଦୂରେଇ ଗଲେ ଏବଂ ନିଜ ନିଜ ମନଗଢ଼ା ଦେବତା ଓ ମୂର୍ତ୍ତି ନିର୍ମାଣ କଲେ ।—ଦ୍ୱିବି ୧୨:୩୦; ୨ରାଜା ୧୭:୨୯, ୩୩.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୧ ୧୦୨୩ ¶୪
ହାମ
ସମ୍ଭବତଃ, ଏହି ଘଟଣାରେ କିଣାନ ନିଜେ ସାମିଲ୍ ଥିଲା ଏବଂ ତାʼ ପିତା ହାମ ତାକୁ ସୁଧାରିଲା ନାହିଁ । କିମ୍ବା ନୋହ ଈଶ୍ୱରଙ୍କ ପ୍ରେରଣାରେ ଏକଥା କହିଥିଲେ, କାରଣ ସେ ଜାଣିଗଲେ ଯେ ହାମଠାରେ ଯେଉଁ ମନ୍ଦ ପ୍ରବୃତ୍ତି ଥିଲା, ତାହା ତାʼ ପୁତ୍ର କିଣାନଠାରେ ମଧ୍ୟ ଥିଲା ଏବଂ ଆଗକୁ ଯାଇ କିଣାନର ବଂଶରେ ମଧ୍ୟ ହୁଅନ୍ତା । ନୋହଙ୍କ ଅଭିଶାପ କେବେ ପୂରଣ ହେଲା ? ଯେତେବେଳେ ଇସ୍ରାଏଲୀୟମାନେ କିଣାନୀୟମାନଙ୍କ ଉପରେ ଆକ୍ରମଣ କରି ପରାସ୍ତ କଲେ, ସେତେବେଳେ ନୋହଙ୍କ ଶବ୍ଦଗୁଡ଼ିକ ପ୍ରଥମ ଥର ପାଇଁ ପୂରଣ ହେଲା । ଯେଉଁମାନଙ୍କର ବିନାଶ ହେଲା ନାହିଁ (ଯେପରି ଗିବୀୟୋନୀୟ [ଯିହୋ ୯]), ସେମାନେ ଇସ୍ରାଏଲୀୟମାନଙ୍କର ଦାସ ହୋଇଗଲେ । ବହୁ ବର୍ଷ ପରେ ତାହାଙ୍କ ଶବ୍ଦଗୁଡ଼ିକ ଦ୍ୱିତୀୟ ଥର ପାଇଁ ପୂରଣ ହେଲା, ଯେତେବେଳେ ହାମର ପୁତ୍ର କିଣାନର ବଂଶଜମାନଙ୍କ ଉପରେ ମାଦୀୟ-ଫାରସିକ, ଗ୍ରୀସ୍ ଓ ରୋମ ଭଳି ବିଶ୍ୱଶକ୍ତିମାନେ ଶାସନ କରିବାକୁ ଲାଗିଲେ, ଯେଉଁଠାର ଲୋକମାନେ ଯେଫତ୍ଙ୍କ ବଂଶଜ ଥିଲେ ।
ଇନସାଇଟ୍-୨ ୫୦୩
ନିମ୍ରୋଦ୍
ନିମ୍ରୋଦ୍ର ଶାସନର ଆରମ୍ଭରେ ଶିନୀୟର ଦେଶରେ ବାବିଲ, ଏରକ, ଅକ୍କଦ୍ ଓ କଲନୀ ନାମକ ନଗରସବୁ ଥିଲା । (ଆଦି ୧୦:୧୦) ତେଣୁ ନିମ୍ରୋଦ୍ର ନିର୍ଦ୍ଦେଶନାରେ ହିଁ ବାବିଲ ଓ ଏହାର ମୀନାରର ନିର୍ମାଣ କାମ ଆରମ୍ଭ ହୋଇଥିବ ଏବଂ ଯିହୁଦୀମାନେ ମଧ୍ୟ ଏହା ବିଶ୍ୱାସ କରୁଥିଲେ । ଯିହୁଦୀ ଐତିହାସିକ ଯୋଷେଫସ ନିଜ ବହିରେ ଲେଖିଥିଲେ: ‘ନିମ୍ରୋଦ୍ ଧୀରେ ଧୀରେ ଏକ ନିଷ୍ଠୁର ଶାସକ ହୋଇଗଲା ଏବଂ ସେ ଭାବୁଥିଲା ଯେ ଲୋକମାନଙ୍କ ହୃଦୟରେ ଈଶ୍ୱରଙ୍କ ଭୟ ଦୂର କରିବାର ଏକମାତ୍ର ଉପାୟ ହେଉଛି, ସେମାନେ ଈଶ୍ୱରଙ୍କ ପରିବର୍ତ୍ତେ କେବଳ ନିମ୍ରୋଦର ଶକ୍ତି ଉପରେ ନିର୍ଭର କରନ୍ତୁ । ସେ ଭାବି ନେଇଥିଲା ଯେ ଯଦି ଈଶ୍ୱର ପୁଣିଥରେ ପୃଥିବୀକୁ ବିନାଶ କରିବା ପାଇଁ ଚାହିଁବେ, ତେବେ ସେ ଏତେ ଉଚ୍ଚ ଗଡ଼ ବା ମୀନାର ନିର୍ମାଣ କରିବ ଯେ ପାଣି ଆଉ ବୁଡ଼ାଇପାରିବ ନାହିଁ ଏବଂ ଏହିପରି ଭାବେ ସେ ନିଜ ପୁର୍ବପୁରୁଷମାନଙ୍କର ମୃତ୍ୟୁର ପ୍ରତିଶୋଧ ନେବ । ଲୋକେ ନିମ୍ରୋଦ୍ର କଥା ମାନିବା ପାଇଁ ପ୍ରସ୍ତୁତ ଥିଲେ । ସେମାନଙ୍କ ପାଇଁ ଈଶ୍ୱରଙ୍କ ଅଧୀନରେ ରହିବା ତାହାଙ୍କ ଦାସତ୍ୱରେ ରହିବା ଭଳି ଥିଲା । ତେଣୁ ସେମାନେ ମୀନାର ନିର୍ମାଣର କାମରେ ଲାଗି ପଡ଼ିଲେ ଏବଂ ଏହି କାମ ଖୁବ୍ ବେଗରେ ଆଗେଇ ଚାଲିଲା ।’