ଫେବୃୟାରୀ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୩-୯ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୧୨-୧୪
“ଆପଣଙ୍କୁ ଲାଭ ପହଞ୍ଚାଉଥିବା ଏକ ଚୁକ୍ତି”
ଇନସାଇଟ୍-୧ ୫୨୨ ¶୪
ଚୁକ୍ତି
ଅବ୍ରହାମଙ୍କ ସହ ଚୁକ୍ତି: ଯେତେବେଳେ ଅବ୍ରାମ (ଅବ୍ରହାମ) କିଣାନ ଦେଶରେ ପାଦ ଦେବା ପାଇଁ ଫରାତ୍ ନଦୀ ପାର ହେଲେ, ସେତେବେଳେ ଏହି ଚୁକ୍ତି ଲାଗୁ ହେବା ଆରମ୍ଭ ହେଲା । ଏହାର ୪୩୦ ବର୍ଷ ପରେ ବ୍ୟବସ୍ଥାର ଚୁକ୍ତି କରାଗଲା । (ଗାଲା ୩:୧୭) ଯେତେବେଳେ ଅବ୍ରହାମ ମେସୋପଟାମିଆର ଅଞ୍ଚଳରେ କଲଦୀୟମାନଙ୍କ ସହର ଊରରେ ରହୁଥିଲେ, ସେତେବେଳେ ଯିହୋବା ତାଙ୍କୁ ଏପରି ଏକ ଦେଶକୁ ଯିବା ପାଇଁ କହିଲେ, ଯାହା ସେ ତାଙ୍କୁ ଦେଖାନ୍ତେ । (ପ୍ରେରି ୭:୨, ୩; ଆଦି ୧୧:୩୧; ୧୨:୧-୩) ସେପ୍ଟୁଆଜେଣ୍ଟ ବାଇବଲରେ ଯାତ୍ରା ପୁସ୍ତକ ୧୨:୪୦, ୪୧ ପଦରୁ ଜଣାପଡ଼େ ଯେ ଯେଉଁ ଦିନ କିଣାନ ଓ ମିଶର ଦେଶରେ ଇସ୍ରାଏଲୀୟମାନଙ୍କର ୪୩୦ ବର୍ଷ ପୂରଣ ହେଲା, “ସେହି ଦିନରେ” ସେମାନେ ମିଶରର ଦାସତ୍ୱରୁ ମୁକ୍ତ ହୋଇ ବାହାରିଲେ । ଏହା ଖ୍ରୀ.ପୂ. ୧୫୧୩ରେ ନୀସନ୍ ମାସର ୧୪ତମ ଦିନ ଥିଲା । ସେହି ଦିନ ନିସ୍ତାର ପର୍ବ ପାଳନ କରାଯାଇଥିଲା । (ଯାତ୍ରା ପୁସ୍ତକ ୧୨:୨, ୬, ୭) ଏଥିରୁ ଜଣାପଡ଼େ ଯେ ୪୩୦ ବର୍ଷ ପୂର୍ବେ ଅବ୍ରହାମ ଖ୍ରୀ.ପୂ. ୧୯୪୩ରେ ନୀସନ୍ ମାସର ୧୪ତମ ଦିନ ଫରାତ୍ ନଦୀ ପାର ହୋଇଥିଲେ । ସେହି ସମୟରେ ତାଙ୍କ ସହ କରାଯାଇଥିବା ଚୁକ୍ତି ଲାଗୁ ହେବା ଆରମ୍ଭ ହେଲା । ଯେତେବେଳେ ଅବ୍ରହାମ କିଣାନର ଯାତ୍ରା କରୁ କରୁ ଶିଖିମକୁ ପହଞ୍ଚିଲେ, ସେତେବେଳେ ଯିହୋବା ତାଙ୍କ ସମ୍ମୁଖରେ ପୁଣିଥରେ ଦର୍ଶନ ଦେଲେ ଏବଂ ନିଜ ପ୍ରତିଜ୍ଞା ବିଷୟରେ ଆହୁରି ତଥ୍ୟ ଦେଲେ । ସେ ଅବ୍ରହାମଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ।” ଏଥିରୁ ସ୍ପଷ୍ଟ ହେଲା ଯେ ଏହି ଚୁକ୍ତି ଏବଂ ଏଦନ ଉଦ୍ୟାନରେ ପ୍ରତିଜ୍ଞା କରାଯାଇଥିବା ବଂଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଏଥିରୁ ଏହା ମଧ୍ୟ ଜଣା ପଡ଼ିଲା ଯେ ଏହି ବଂଶ ଜଣେ ମଣିଷ ହୁଅନ୍ତେ । (ଆଦି ପୁସ୍ତକ ୧୨:୪-୭) ଯିହୋବା ଆଗକୁ ଯାଇ ଏହି ବଂଶ ବିଷୟରେ ଆହୁରି ତଥ୍ୟ ଦେଲେ, ଯାହା ଆଦି ପୁସ୍ତକ ୧୩:୧୪-୧୭; ୧୫:୧୮; ୧୭:୨-୮, ୧୯; ୨୨:୧୫-୧୮ ପଦରେ ମିଳେ ।
ପ୍ର୮୯-ଇଂ ୭/୧ ୩ ¶୪
ଆପଣ ଅବ୍ରହାମଙ୍କ ବିଷୟରେ ସତ୍ୟତା କାହିଁକି ଜାଣିବା ଉଚିତ୍ ?
ଏହି ପ୍ରତିଜ୍ଞା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ । ଯିହୋବା ଅବ୍ରହାମଙ୍କ ସହ ଏହି ପ୍ରତିଜ୍ଞାକୁ ଆହୁରି ଦୁଇଟି ଘଟଣାରେ ଦୋହରାଇଥିଲେ । (ଆଦି ପୁସ୍ତକ ୧୮:୧୮; ୨୨:୧୮) ତାହାଙ୍କ ଏହି ପ୍ରତିଜ୍ଞାକୁ ପୂରଣ କରିବା ପାଇଁ ଈଶ୍ୱର ଏପରି କୁଳର ଲୋକମାନଙ୍କୁ ମଧ୍ୟ ପୁଣିଥରେ ଜୀବିତ କରିବେ, ଯେଉଁମାନଙ୍କ ଅସ୍ତିତ୍ୱ ଲୋପ ପାଇସାରିଛି । ଏହା ପ୍ରକୃତରେ ସେମାନଙ୍କ ପାଇଁ ଏକ ଆଶିଷ ହେବ, କାରଣ ସେସମୟରେ ପୃଥିବୀ ପୁଣିଥରେ ଏଦନ ଉଦ୍ୟାନ ଭଳି ହୋଇଯିବ । ତାʼପରେ ସେହି ଲୋକମାନଙ୍କୁ ଶିଖାଯିବ ଯେ ସେମାନଙ୍କୁ ଅନନ୍ତ ଜୀବନ ପାଇବା ପାଇଁ କʼଣ କରିବାକୁ ହେବ ।—ଆଦି ପୁସ୍ତକ ୨:୮, ୯, ୧୫-୧୭; ୩:୧୭-୨୩.
ଇନସାଇଟ୍-୨ ୨୧୩ ¶୩
ନିୟମ
ଇତିହାସରୁ ମିଳୁଥିବା ପ୍ରମାଣଗୁଡ଼ିକର ଆଧାରରେ କିଛି ବିଦ୍ୱାନ୍ମାନେ କହନ୍ତି ଯେ ଯେତେବେଳେ ଜମିର କିଣାବିକା କରାଯାଉଥିଲା, ସେତେବେଳେ ଯିଏ କିଣୁଥିଲା ତାକୁ ଏକ ଉଚ୍ଚ ଜାଗାକୁ ନିଆ ଯାଉଥିଲା । ତାʼପରେ ତାକୁ ଜମି ଓ ତାର ସୀମା ଦେଖାଇ ଦିଆଯାଉଥିଲା । ଯଦି କିଣୁଥିବା ବ୍ୟକ୍ତି କହୁଥିଲା, “ମୁଁ ଦେଖିଲି,” ଏହାର ଅର୍ଥ ଥିଲା ଯେ ସେହି ଜମିକୁ ସେ ପସନ୍ଦ କରୁଛି ଏବଂ ଏବେ ନିୟମ ଅନୁସାରେ ସେହି ଜମିର ସେ ଅଧିକାରୀ ହେବ । ଯେତେବେଳେ ଯିହୋବା ଅବ୍ରହାମଙ୍କୁ କିଣାନ ଦେଶ ଦେବାର ପ୍ରତିଜ୍ଞା କରିଥିଲେ, ସେତେବେଳେ ଅବ୍ରହାମଙ୍କୁ କହିଲେ ସେ ପ୍ରଥମେ ଆଖି ଉଠାଇ ଚାରିଆଡ଼େ ଦେଖୁ । କିନ୍ତୁ ଅବ୍ରହାମ କହିଲେ ନାହିଁ ଯେ “ମୁଁ ଦେଖିଲି ।” ଏହାର କାରଣ ହୋଇପାରେ ଯେ ଈଶ୍ୱର ଏହି ଦେଶ ଅବ୍ରହାମଙ୍କ ଆଗାମୀ ବଂଶକୁ ଦେବାର ପ୍ରତିଜ୍ଞା କରିଥିଲେ, ତାଙ୍କୁ ଦେବାକୁ ନୁହେଁ । (ଆଦି ୧୩:୧୪, ୧୫) ଇସ୍ରାଏଲର ପ୍ରତିନିଧି ମୋଶାଙ୍କୁ ମଧ୍ୟ କୁହାଯାଇଥିଲା ଯେ ସେ ପ୍ରତିଜ୍ଞା କରାଯାଇଥିବା ଦେଶକୁ ‘ଦେଖନ୍ତୁ’ । ଯଦି ସେହି ବିଦ୍ୱାନ୍ମାନଙ୍କର ମତ ସଠିକ୍, ତେବେ ମୋଶାଙ୍କ ଦେଖିବାର ଅର୍ଥ ଥିଲା ଯେ ଯିହୋବା ଏହି ଦେଶ ଇସ୍ରାଏଲୀୟମାନଙ୍କୁ ଦେଉଛନ୍ତି ଏବଂ ଯିହୋଶୂୟ ସେମାନଙ୍କ ନେତୃତ୍ୱ ନେଇ ସେମାନଙ୍କୁ ସେହି ଦେଶରେ ନେଇଯାʼନ୍ତେ । (ଦ୍ୱିବି ୩:୨୭, ୨୮; ୩୪:୪; ଏହା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଯେ ମାଥି ୪:୮ ପଦରେ ଶୟତାନ କିଭଳି ଯୀଶୁଙ୍କୁ ଲୋଭ ଦେଖାଇଲା ।) ଏହା ଛଡ଼ା, ଯଦି ଜଣେ ବ୍ୟକ୍ତି କୌଣସି ଜମି ଉପରେ ପାଦ ରଖୁଥିଲା କିମ୍ବା ବୁଲି ସବୁଆଡ଼େ ଦେଖୁଥିଲା, ତେବେ ସେହି ଜମି ନିୟମ ଅନୁସାରେ ସେହି ବ୍ୟକ୍ତିର ହୋଇ ଯାଉଥିଲା । (ଆଦି ୧୩:୧୭; ୨୮:୧୩) କିଛି ପୁରାତନ ଦଲିଲ୍ଗୁଡ଼ିକ ଅନୁସାରେ, ଜମି ବିକିବା ସମୟରେ ଏହା ମଧ୍ୟ ଲେଖା ଯାଉଥିଲା ଯେ ସେହି ଜମିରେ କେତେ ଗଛ ଅଛି ।—ଆଦି ୨୩:୧୭, ୧୮ ପଦ ସହ ତୁଳନା କରନ୍ତୁ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୬.୦୫-ହି ୫ ¶୧୨
ମତଭେଦକୁ ପ୍ରେମର ସହ ସମାଧାନ କରନ୍ତୁ
୧୨ ଯେପରି ଆମେ ଲେଖାର ଆରମ୍ଭରେ ଦେଖିଲୁ, ବାଇବଲରେ ବର୍ଣ୍ଣିତ ଏକ ଘଟଣାରେ ଈଶ୍ୱରଙ୍କ ସେବକମାନେ ଏପରି ଏକ ମତଭେଦକୁ ଶାନ୍ତିର ସହ ସମାଧାନ କଲେ, ଯେଉଁଥିରେ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଥାʼନ୍ତା । ସେହି ମତଭେଦ ହୋଇଥିଲା ଅବ୍ରହାମ ଓ ତାଙ୍କ ପୁତୁରା ଲୋଟଙ୍କ ମଧ୍ୟରେ । ଦୁହିଙ୍କ ପାଖରେ ମେଷ ଓ ଗୋରୁ ଥିଲେ ଏବଂ ଏପରି ଲାଗେ ଯେ ସେମାନଙ୍କ ପଶୁପାଳକମାନଙ୍କ ମଧ୍ୟରେ ଚରାଭୂମି ପାଇଁ କଳହ ଚାଲିଥଲା । ଅବ୍ରହାମ ଶୀଘ୍ର କଳହକୁ ସମାଧାନ କରିବାକୁ ଚାହୁଁଥିଲେ । ତେଣୁ ସେ ଲୋଟଙ୍କୁ କହିଲେ ଯେ ସେ ପ୍ରଥମେ ନିଜ ପରିବାରବର୍ଗ ପାଇଁ ଅଞ୍ଚଳ ବାଛି ନିଅନ୍ତୁ । (ଆଦି. ୧୩:୧, ୨, ୫-୯) କେତେ ବଢ଼ିଆ ଉଦାହରଣ ! ଅବ୍ରହାମ ନିଜ ସ୍ୱାର୍ଥକୁ ନ ଦେଖି ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କଲେ । ଉଦାରତା ଦେଖାଇବା ଯୋଗୁଁ କʼଣ ତାଙ୍କୁ କ୍ଷତି ସହିବାକୁ ପଡ଼ିଲା ? ଆଦୌ ନୁହେଁ । ଏହି ଘଟଣାର ତୁରନ୍ତ ପରେ, ଯିହୋବା ଅବ୍ରହାମଙ୍କୁ ଅନେକ ମହାନ ଆଶିଷଗୁଡ଼ିକ ଦେବାର ପ୍ରତିଜ୍ଞା କଲେ । (ଆଦି. ୧୩:୧୪-୧୭) ଯଦି ଈଶ୍ୱରଙ୍କ ସେବକମାନେ ବାଇବଲରେ ଥିବା ସିଦ୍ଧାନ୍ତଗୁଡ଼ିକ ଅନୁଯାୟୀ ଚାଲିବେ ଏବଂ ପ୍ରେମର ସହ ମତଭେଦକୁ ସମାଧାନ କରିବେ, ତେବେ ଈଶ୍ୱର ସେମାନଙ୍କର ଏପରି କୌଣସି କ୍ଷତି ହେବାକୁ ଦେବେ ନାହିଁ, ଯାହାର କେବେ ମଧ୍ୟ କ୍ଷତିପୂରଣ କରାଯାଇପାରିବ ନାହିଁ ।
ଇନସାଇଟ୍-୨ ୬୮୩ ¶୧
ଯାଜକ
ମଲ୍କୀଷେଦକ ଶାଲମର ରାଜା ଓ ଯାଜକ (କୋ-ହେନ୍) ମଧ୍ୟ ଥିଲେ । ତାଙ୍କ ଭଳି ଯାଜକ କେହି ନ ଥିଲେ । ବାଇବଲରେ ତାଙ୍କ ବଂଶାବଳୀ, ଜନ୍ମ କିମ୍ବା ମୃତ୍ୟୁ ବିଷୟରେ କିଛି ମିଳେ ନାହିଁ । ମଲ୍କୀଷେଦକଙ୍କୁ ଯାଜକ ପଦ ଉତ୍ତରାଧିକାରୀ ଭାବେ ମିଳି ନ ଥିଲା ଏବଂ ତାଙ୍କ ସ୍ଥାନରେ ପୂର୍ବରୁ କେହି ଯାଜକ ନ ଥିଲେ, କିମ୍ବା ତାଙ୍କ ପରେ କେହି ହୋଇ ନ ଥିଲେ । ସେ ରାଜା ଓ ଯାଜକ ଉଭୟ ପଦରେ ସେବା କରିଥିଲେ । ତାଙ୍କ ଯାଜକ ପଦ ଲେବୀ ଗୋତ୍ରର ଯାଜକ ପଦ ଅପେକ୍ଷା ଶ୍ରେଷ୍ଠ ଥିଲା, କାରଣ ଲେବୀ ମଲ୍କୀଷେଦକଙ୍କୁ ଦଶମାଂଶ ଦେଲେ । ତାହା କିପରି ? ଦେଖିବାକୁ ଗଲେ, ଲେବୀ ଭବିଷ୍ୟତରେ ଅବ୍ରହାମଙ୍କ ବଂଶରୁ ହୁଅନ୍ତେ ଏବଂ ଯେତେବେଳେ ଅବ୍ରହାମ ମଲ୍କୀଷେଦକଙ୍କୁ ଦଶମାଂଶ ଦେଲେ ଏବଂ ବଦଳରେ ତାଙ୍କଠାରୁ ଆଶିଷ ପାଇଲେ, ଏହା ଏପରି ଥିଲା ସତେ ଯେପରି ଲେବୀ ଦଶମାଂଶ ଦେଲେ । (ଆଦି ପୁସ୍ତକ ୧୪:୧୮-୨୦; ଏବ୍ରୀ ୭:୪-୧୦) ଏହିପରି ଭାବେ, ମଲ୍କୀଷେଦକ ଯୀଶୁ ଖ୍ରୀଷ୍ଟଙ୍କୁ ସୂଚାନ୍ତି, ଯିଏ “ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ” ଅଟନ୍ତି ।—ଏବ୍ରୀ ୭:୧୭.
୧୦-୧୬ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୧୫-୧୭
“ଯିହୋବା ଅବ୍ରାମ ଓ ସାରୀଙ୍କ ନାମ କାହିଁକି ବଦଳାଇ ଦେଲେ ?”
ଇନସାଇଟ୍-୧ ୮୧୭
ଦୋଷ, ଦୋଷ ବାହାର କରିବା
ଯଦି ମଣିଷମାନଙ୍କ ବିଷୟରେ ଦେଖିବା, ତେବେ ସେମାନଙ୍କ କାମ କରିବାର ପଦ୍ଧତି ଓ ସେମାନେ ତିଆରି ଥିବା ଜିନିଷଗୁଡ଼ିକରେ ସାଧାରଣତଃ ଦୋଷ ବା ତ୍ରୁଟି ଦେଖାଯାଏ । କାରଣ ସବୁ ମଣିଷମାନଙ୍କୁ ଆଦମର ଉତ୍ତରାଧିକାରୀ ଭାବେ ପାପ ମିଳିଛି ଏବଂ ସେମାନଙ୍କଠାରେ ଦୋଷ ରହିଛି । (ରୋମୀ ୫:୧୨; ଗୀତ ୫୧:୫) ଯିହୋବାଙ୍କଠାରେ କୌଣସି ଦୋଷ ବା ତ୍ରୁଟି ନାହିଁ । ତଥାପି “ସେ ଆମ୍ଭମାନଙ୍କର ଗଠନ ଜାଣନ୍ତି; ଆମ୍ଭେମାନେ ଯେ ଧୂଳିମାତ୍ର, ଏହା ସେ ସ୍ମରଣ କରନ୍ତି ।” ସେ ଆମ ଉପରେ ଦୟା କରନ୍ତି । (ଗୀତ ୧୦୩:୧୩, ୧୪) ନୋହ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଥିଲେ ଏବଂ ତାହାଙ୍କ ବିଶ୍ୱସ୍ତ ଥିଲେ । ଯିହୋବାଙ୍କ ଦୃଷ୍ଟିରେ ସେ ‘ଆପଣା ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ ।’ ଅନ୍ୟ ଶବ୍ଦରେ, ସେ ନିର୍ଦ୍ଦୋଷ ଥିଲେ । (ଆଦି ୬:୯) ଈଶ୍ୱର ଅବ୍ରହାମଙ୍କୁ ଆଜ୍ଞା ଦେଲେ, “ମୋର ଆଜ୍ଞାବହ ହୋଇ ନିର୍ଦ୍ଦୋଷ ଜୀବନ ଯାପନ କର ।” (ଆଦି ୧୭:୧, NIBV) ଏହା ସତ ଯେ ନୋହ ଓ ଅବ୍ରହାମ ଅସିଦ୍ଧ ଥିଲେ ଏବଂ ସେମାନଙ୍କ ମୃତ୍ୟୁ ମଧ୍ୟ ହେଲା । କିନ୍ତୁ ଯିହୋବାଙ୍କ ଦୃଷ୍ଟିରେ ସେମାନେ ନିର୍ଦ୍ଦୋଷ ଥିଲେ, କାରଣ ଯିହୋବା “ଅନ୍ତଃକରଣ ଦେଖନ୍ତି ।” (୧ଶାମୁ ୧୬:୭; ତାʼ ଛଡ଼ା, ୨ରାଜା ୨୦:୩ ଓ ୨ବଂଶା ୧୬:୯ ସହ ମଧ୍ୟ ତୁଳନା କରନ୍ତୁ ।) ଈଶ୍ୱର ଇସ୍ରାଏଲ ରାଷ୍ଟ୍ରକୁ କହିଲେ, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପ୍ରତି ତୁମ୍ଭେ ସିଦ୍ଧ ହେବ ।” (ଦ୍ୱିବି ୧୮:୧୩; ୨ଶାମୁ ୨୨:୨୪) ଈଶ୍ୱର ନିଜ ନିର୍ଦ୍ଦୋଷ ଓ ନିଷ୍କଳଙ୍କ ପୁତ୍ରଙ୍କୁ ମୁକ୍ତିର ମୂଲ୍ୟ ରୂପେ ଦେଲେ । (ଏବ୍ରୀ ୭:୨୬) ଯେଉଁମାନେ ଯୀଶୁଙ୍କ ବଳିଦାନ ଉପରେ ବିଶ୍ୱାସ କରନ୍ତି ଏବଂ ତାʼ ଅନୁସାରେ କାମ କରନ୍ତି, ସେମାନଙ୍କୁ ଯିହୋବା ଏହି ବଳିଦାନର ଆଧାରରେ “ଧାର୍ମିକ” ମନେ କରନ୍ତି । ସେମାନଙ୍କୁ ନିର୍ଦ୍ଦୋଷ ମନେ କରିବା ସମୟରେ ସେ ନିଜ ମାନଦଣ୍ଡଗୁଡ଼ିକୁ ଅଣଦେଖା କରନ୍ତି ନାହିଁ, କାରଣ ସେ ଜଣେ ଧାର୍ମିକ ଓ ନିର୍ଦ୍ଦୋଷ ବିଚାରକର୍ତ୍ତା ଅଟନ୍ତି ।—ରୋମୀ ୩:୨୫, ୨୬.
ଇନସାଇଟ୍-୧ ୩୧ ¶୧
ଅବ୍ରହାମ
ସମୟ ବିତିଗଲା । ଅବ୍ରହାମ ଓ ସାରା କିଣାନ ଦେଶକୁ ଆସିଥିବାର ପ୍ରାୟ ଦଶ ବର୍ଷ ହୋଇଯାଇଛି ଏବଂ ସାରା ଏବେ ମଧ୍ୟ ବନ୍ଧ୍ୟା ଅଛନ୍ତି । ଏହି କାରଣରୁ ସେ ଅବ୍ରହାମଙ୍କୁ ଅନୁରୋଧ କରନ୍ତି ଯେ ସେ ନିଜ ମିଶରୀୟ ଦାସୀ ହାଗାରଙ୍କ ମାଧ୍ୟମରେ ତାଙ୍କୁ ସନ୍ତାନ ଦିଅନ୍ତୁ । ଅବ୍ରହାମ ସାରାଙ୍କ କଥା ମାନି ନେଲେ ଏବଂ ଖ୍ରୀ.ପୂ. ୧୯୩୨ରେ ଇଶ୍ମାଏଲ ଜନ୍ମ ହେଲା । ସେତେବେଳେ ଅବ୍ରହାମଙ୍କୁ ୮୬ ବର୍ଷ ହେଉଥିଲା । (ଆଦି ୧୬:୩, ୧୫, ୧୬) ଏହାପରେ ଆଉ କିଛି ସମୟ ବିତିଗଲା । ଖ୍ରୀ.ପୂ. ୧୯୧୯ରେ ଯେତେବେଳେ ଅବ୍ରହାମ ୯୯ ବର୍ଷର ଥିଲେ, ଯିହୋବା ତାଙ୍କୁ ଆଜ୍ଞା ଦେଲେ ଯେ ତାଙ୍କର ଓ ତାଙ୍କ କୁଟୁମ୍ବରେ ଥିବା ସବୁ ପୁରୁଷମାନଙ୍କର ସୁନ୍ନତ କରାଯାଉ । ଯିହୋବା ଅବ୍ରହାମଙ୍କ ସହ ଯେଉଁ ବିଶେଷ ଚୁକ୍ତି କରିଥିଲେ, ସୁନ୍ନତ ହେବା ଏହାର ଚିହ୍ନ ହୁଅନ୍ତା । ଏହି ଅବସରରେ ଯିହୋବା ଅବ୍ରାମଙ୍କ ନାମ ବଦଳାଇ ଅବ୍ରହାମ ରଖିଲେ, କାରଣ ଯେପରି ଯିହୋବା କହିଲେ, “ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ ।” (ଆଦି ୧୭:୫, ୯-୨୭; ରୋମୀ ୪:୧୧) ଏହାର କିଛି ସମୟ ପରେ, ଅବ୍ରହାମଙ୍କ ଘରେ ତିନି ସ୍ୱର୍ଗଦୂତ ଆସିଲେ ଏବଂ ସେ ଯିହୋବାଙ୍କ ନାମରେ ସେମାନଙ୍କ ଅତିଥି ସତ୍କାର କଲେ । ସ୍ୱର୍ଗଦୂତମାନେ ତାହାଙ୍କୁ ଯିହୋବାଙ୍କ ବାର୍ତ୍ତା ଦେଲେ ଯେ ସାରା ଆଗାମୀ ବର୍ଷ ଗର୍ଭବତୀ ହେବେ ଏବଂ ଏକ ପୁତ୍ର ଜନ୍ମ ଦେବେ ।—ଆଦି ୧୮:୧-୧୫.
ପ୍ର୦୯-ଇଂ ୨/୧ ୧୩
କʼଣ କାହାରି ନାମ କୌଣସି ମହତ୍ତ୍ୱ ରଖେ ?
ଈଶ୍ୱର ଭବିଷ୍ୟତରେ ହେବାକୁ ଯାଉଥିବା କୌଣସି କଥା କିମ୍ବା ଘଟଣାକୁ ଦର୍ଶାଇବା ପାଇଁ କିଛି ଲୋକମାନଙ୍କର ନାମ ବଦଳାଇ ଦେଉଥିଲେ । ଯେପରି, ଅବ୍ରାମଙ୍କ ନାମର ଅର୍ଥ “ମହାପିତା” । ଯିହୋବା ତାଙ୍କ ନାମକୁ ବଦଳାଇ ଅବ୍ରହାମ ରଖିଲେ, ଯାହାର ଅର୍ଥ “ବହୁଲୋକର ପିତା” । ନିଜ ନାମ ଅନୁସାରେ ଅବ୍ରହାମ ବାସ୍ତବରେ ଅନେକ ଗୋଷ୍ଠୀର ପିତା ହେଲେ । (ଆଦି ପୁସ୍ତକ ୧୭:୫, ୬) ସେହିପରି ଅବ୍ରହାମଙ୍କ ପତ୍ନୀଙ୍କ ନାମ ସାରୀ ଥିଲା, ଯାହାର ଅର୍ଥ ହୋଇପାରେ, “କୁଳୀନା” । କିନ୍ତୁ ପରେ ଯିହୋବା ତାଙ୍କ ନାମ “ସାରା” ରଖିଲେ, ଯାହାର ଅର୍ଥ ହେଉଛି “ରାଣୀ” । ଏଥିରୁ ଜଣାପଡ଼େ ଯେ ସେ ରାଜାମାନଙ୍କର ଆଦିମାତା ହୁଅନ୍ତେ । ଟିକେ ଭାବନ୍ତୁ, ଏହି ନାମ ପାଇ ସାରା କେତେ ଖୁସି ହୋଇଥିବେ !—ଆଦି ପୁସ୍ତକ ୧୭:୧୫, ୧୬.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୧ ୪୬୦-୪୬୧
ଘଟଣାର କ୍ରମ
ଯିହୋବା ଅବ୍ରାମଙ୍କୁ (ଅବ୍ରାହମଙ୍କୁ) କହିଲେ, “ତୁମ୍ଭର ସନ୍ତାନଗଣ ଚାରି ଶହ ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ ।” (ଆଦି ୧୫:୧୩; ତାʼ ଛଡ଼ା, ପ୍ରେରି ୭:୬, ୭ ମଧ୍ୟ ଦେଖନ୍ତୁ ।) ଯିହୋବା ଏକଥା ଇସ୍ହାକଙ୍କ ଜନ୍ମ ପୂର୍ବରୁ କହିଥିଲେ, ଯାହାଙ୍କଠାରୁ ଏହି “ସନ୍ତାନଗଣ” ବା ବଂଶ ଆସିଥାʼନ୍ତେ । ଖ୍ରୀ.ପୂ. ୧୯୩୨ରେ ମିଶରୀୟ ଦାସୀ ହାଗାରଙ୍କଠାରୁ ଅବ୍ରାମଙ୍କର ଏକ ପୁତ୍ର ଜନ୍ମ ହେଲା, ଯାହାଙ୍କ ନାମ ଥିଲା ଇଶ୍ମାଏଲ । ତାʼପରେ ଖ୍ରୀ.ପୂ. ୧୯୧୮ରେ ଇସ୍ହାକ ଜନ୍ମ ହେଲେ । (ଆଦି ୧୬:୧୬; ୨୧:୫) ଖ୍ରୀ.ପୂ. ୧୫୧୩ରେ ଯେତେବେଳେ ଅବ୍ରହାମଙ୍କ ବଂଶ ବା ସନ୍ତାନମାନେ ମିଶରର ଦାସତ୍ୱରୁ ବାହାରିଲେ, ସେତେବେଳେ ସେମାନଙ୍କ “କ୍ଳେଶ ଭୋଗ” କରିବାର ସମୟ ଶେଷ ହେଲା । (ଆଦି ୧୫:୧୪) ଯଦି ଆମେ ଏହି ଘଟଣାରୁ ୪୦୦ ବର୍ଷ ପଛକୁ ଗଣିବା, ତେବେ ଆମେ ଖ୍ରୀ.ପୂ. ୧୯୧୩ରେ ପହଞ୍ଚିବା । ଏପରି ଜଣାପଡ଼େ ଯେ ଇସ୍ହାକ “ଅନ୍ୟ ଦେଶରେ ପ୍ରବାସୀ” ହୋଇ ରହିଥିଲେ । ସେସମୟରେ ସେ ପ୍ରାୟ ପାଞ୍ଚ ବର୍ଷର ଥିଲେ ଏବଂ ତାଙ୍କୁ ସ୍ତନପାନଠାରୁ ଦୂରେଇ ରଖାଯାଉଥିଲା । ଏତିକି ବେଳେ ୧୯ ବର୍ଷ ବୟସର ଇଶ୍ମାଏଲ ତାଙ୍କୁ “ପରିହାସ” କରୁଥିଲା । ଏହି ଘଟଣାରୁ ସନ୍ତାନଗଣର କ୍ଳେଶ ଭୋଗ କରିବାର ସମୟ ଆରମ୍ଭ ହେଲା, ଠିକ୍ ଯେପରି ଭବିଷ୍ୟତବାଣୀ କରାଯାଇଥିଲା । (ଆଦି ୨୧:୮, ୯) ଆଜି ହୁଏତ କିଛି ଲୋକ ଭାବିପାରନ୍ତି, ‘ଏହା କେଉଁ ବଡ଼ କଥା ଯେ ଇଶ୍ମାଏଲ ଅବ୍ରହାମଙ୍କ ସନ୍ତାନଙ୍କୁ ପରିହାସ କଲା ।’ କିନ୍ତୁ ସତ କଥା ହେଉଛି, କୁଳପିତାମାନଙ୍କ ସମୟରେ ଏହା କୌଣସି ସାମାନ୍ୟ କଥା ନ ଥିଲା । ଏହା ଏଥିପାଇଁ କୁହାଯାଇପାରେ କାରଣ ଯେତେବେଳେ ସାରା ଇଶ୍ମାଏଲର ଏହି ବ୍ୟବହାର ପ୍ରତି ଧ୍ୟାନ ଦେଲେ, ସେତେବେଳେ ତୁରନ୍ତ ଅବ୍ରହାମଙ୍କୁ କହିଲେ ଯେ ସେ ହାଗାର ଓ ତାଙ୍କ ପୁତ୍ରକୁ ଘରୁ ବାହାର କରିଦିଅନ୍ତୁ । ଈଶ୍ୱର ମଧ୍ୟ ଅବ୍ରହାମଙ୍କୁ ସାରାଙ୍କ କଥା ମାନିବା ପାଇଁ କହିଲେ । (ଆଦି ୨୧:୧୦-୧୩) ଏହି ଘଟଣାର ପ୍ରତ୍ୟେକ ଟିକିନିଖି କଥା ବାଇବଲରେ କାହିଁକି ଲେଖାଗଲା ? କାରଣ ଏଥିରୁ ଅବ୍ରହାମଙ୍କ ବଂଶ ବା ସନ୍ତାନଗଣ ୪୦୦ ବର୍ଷ ପର୍ଯ୍ୟନ୍ତ କ୍ଳେଶ ଭୋଗ କରିବାର ସମୟ କେବେ ଆରମ୍ଭ ହେଲା, ତାହା ଜଣାପଡ଼େ । ଯେତେବେଳେ ଇସ୍ରାଏଲୀୟମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରାଗଲା, ଏହି ସମୟ ଶେଷ ହେଲା ।—ଗାଲା ୪:୨୯.
ଇନସାଇଟ୍-୧ ୭୭୮ ¶୪
ଇସ୍ରାଏଲୀୟମାନେ ମିଶରରୁ ବାହାରିବା
“ବଂଶର ଚତୁର୍ଥ ପୁରୁଷ ।” ଆମେ ଏହା ମନେ ରଖିବା ଉଚିତ୍ ଯେ ଯିହୋବା ଅବ୍ରହାମଙ୍କୁ କʼଣ କହିଥିଲେ ? ସେ କହିଥିଲେ, ତାଙ୍କ ବଂଶର ଚତୁର୍ଥ ପୁରୁଷ କିଣାନକୁ ପୁଣିଥରେ ଫେରି ଆସିବ । (ଆଦି. ୧୫:୧୬ ) ବାଇବଲ କହେ ସେହି ସମୟର ଲୋକମାନଙ୍କର ଆୟୁ ଲମ୍ବା ହେଉଥିଲା । ତଥାପି ଅବ୍ରହାମଙ୍କ ସହ କରାଯାଇଥିବା ଚୁକ୍ତି ଲାଗୁ ହେବାଠାରୁ ଇସ୍ରାଏଲୀୟମାନେ ମିଶରରୁ ମୁକ୍ତ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ୪୩୦ ବର୍ଷରେ ଚାରିରୁ ମଧ୍ୟ ଅଧିକ ପିଢ଼ି ଆସିଥିଲେ । କିନ୍ତୁ, ଯଦି ଇସ୍ରାଏଲୀୟମାନେ ମିଶର ଦେଶରେ ରହିବା ବିଷୟରେ ଦେଖିବା, ତେବେ ସେମାନେ ସେଠାରେ ମାତ୍ର ୨୧୫ ବର୍ଷ ରହିଲେ । ଏହି ହିସାବ ଅନୁସାରେ ଯଦି ଆମେ ଇସ୍ରାଏଲର ଏକ ଗୋତ୍ରର ଉଦାହରଣ ନେବା, ଯେପରି ଲେବୀ ଗୋତ୍ରର, ତେବେ ମିଶରରେ ରହିବା ସମୟରେ ସେମାନଙ୍କ ‘ଚାରି ପୁରୁଷର’ ଲୋକମାନେ ଥିଲେ: (୧) ଲେବୀ, (୨) କହାତ୍, (୩) ଅମ୍ରମ ଓ (୪) ମୋଶା ।—ଯାତ୍ରା ୬:୧୬, ୧୮, ୨୦.
୧୭-୨୩ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୧୮-୧୯
“‘ସମସ୍ତ ପୃଥିବୀର ବିଚାରକର୍ତ୍ତା’ ସଦୋମ ଓ ହମୋରାର ବିନାଶ କରନ୍ତି”
ପ୍ର୧୭.୦୪-ହି ୧୮ ¶୧
“ସମସ୍ତ ପୃଥିବୀର ବିଚାରକର୍ତ୍ତା” ସର୍ବଦା ନ୍ୟାୟ ବିଚାର କରନ୍ତି
“ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ ?” (ଆଦି. ୧୮:୨୫) ଏହି ପ୍ରଶ୍ନ ଅବ୍ରହାମ କରିଥିଲେ । ଈଶ୍ୱର ନ୍ୟାୟ କରନ୍ତି ନାହିଁ ବୋଲି କʼଣ ଏହି ବିଶ୍ୱସ୍ତ ସେବକଙ୍କ ମନରେ କିଛି ସନ୍ଦେହ ଥିଲା ? ଆଦୌ ନୁହେଁ । ଏହା ପରିବର୍ତ୍ତେ ତାଙ୍କ ପ୍ରଶ୍ନରୁ ଜଣାପଡ଼େ, ଯିହୋବାଙ୍କ ଉପରେ ତାଙ୍କ ଭରସା ଥିଲା ଯେ ସେ ସଦୋମ ଓ ହମୋରା ପ୍ରତି ନ୍ୟାୟ ସହ ବିଚାର କରିବେ । ଅବ୍ରହାମ ଯିହୋବାଙ୍କୁ କହନ୍ତି, “ଦୁଷ୍ଟ ସହିତ ଧାର୍ମିକକୁ ବିନାଶ କରିବାର କର୍ମ ଆପଣଙ୍କଠାରୁ ଦୂରେ ଥାଉ ।” ଅବ୍ରହାମଙ୍କ ପକ୍ଷେ ଏପରି ଚିନ୍ତା କରିବା ଅସମ୍ଭବ ଥିଲା । ଆଗକୁ ଯାଇ ଯିହୋବା ନିଜ ବିଷୟରେ କହନ୍ତେ, “ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ; କାରଣ ତାହାଙ୍କର ସକଳ ପଥ ନ୍ୟାୟ; ସେ ବିଶ୍ୱସ୍ତ ଓ ଅଧର୍ମରହିତ ପରମେଶ୍ୱର; ସେ ଧାର୍ମିକ ଓ ସରଳ ଅଟନ୍ତି ।”—ଦ୍ୱିବି ୩୧:୧୯; ୩୨:୪.
ପ୍ର୧୮.୦୮-ହି ୩୦ ¶୪
ଧୈର୍ଯ୍ୟ—ଆଶା ଛାଡ଼ନ୍ତୁ ନାହିଁ
ଯିହୋବା ଧୈର୍ଯ୍ୟ ଧରିବାରେ ସବୁଠାରୁ ବଢ଼ିଆ ଉଦାହରଣ ଅଟନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । (୨ ପିତ. ୩:୧୫) ବାଇବଲରେ ଏପରି ଅନେକ ଘଟଣା ବିଷୟରେ ଲେଖା ଅଛି, ଯେଉଁଥିରେ ଯିହୋବା ବହୁତ ଧୈର୍ଯ୍ୟ ଧରିଲେ । (ନିହି. ୯:୩୦; ଯିଶା. ୩୦:୧୮) ମନେ ପକାନ୍ତୁ ଯେ ଅବ୍ରହାମ ଯେତେବେଳେ ସଦୋମର ବିନାଶ କରିବା ବିଷୟରେ ଯିହୋବାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କଲେ, ସେତେବେଳେ ଯିହୋବା ତାଙ୍କ ସହ କିପରି ବ୍ୟବହାର କଲେ । ପ୍ରଥମତଃ, ଯେତେବେଳେ ଅବ୍ରହାମ କହୁଥିଲେ, ଯିହୋବା ତାଙ୍କ କଥାକୁ ମଝିରେ କାଟିଲେ ନାହିଁ । ଏହା ପରିବର୍ତ୍ତେ, ଯେତେ ଥର ଅବ୍ରହାମ ତାହାଙ୍କୁ ପ୍ରଶ୍ନ କଲେ, କିମ୍ବା ନିଜ ଚିନ୍ତା ପ୍ରକାଶ କଲେ, ସେତେ ଥର ଯିହୋବା ଧୈର୍ଯ୍ୟର ସହ ତାଙ୍କ କଥା ଶୁଣିଲେ । ଦ୍ୱିତୀୟତଃ, ଯିହୋବା ତାଙ୍କ ଶବ୍ଦଗୁଡ଼ିକୁ ଦୋହରାଇଲେ, ଯାହା ଦେଖାଏ ଯେ ସେ ଧ୍ୟାନ ଦେଇ ଅବ୍ରହାମଙ୍କ କଥା ଶୁଣିଲେ । ତାʼପରେ ସେ ଅବ୍ରହାମଙ୍କୁ ଭରସା ଦେଲେ ଯେ ଯଦି ସଦୋମରେ କେବଳ ଦଶ ଜଣ ଲୋକ ମଧ୍ୟ ହେବେ, ତେବେ ସେ ସହରର ବିନାଶ କରିବେ ନାହିଁ । (ଆଦି. ୧୮:୨୨-୩୩) କାହାରି କଥାକୁ ଧୈର୍ଯ୍ୟର ସହ ଶୁଣିବା ଓ କ୍ରୋଧିତ ନ ହେବାରେ ଯିହୋବା କେତେ ବଢ଼ିଆ ଉଦାହରଣ ଅଟନ୍ତି !
ପ୍ର୧୦-ହି ୧୧/୧୫ ୨୬ ¶୧୨
ଯିହୋବା ଆମ ସର୍ବୋଚ୍ଚ ଶାସନକର୍ତ୍ତା
୧୨ ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଖୁବ୍ ଶୀଘ୍ର ନିଜକୁ ଶାସନ କରିବାର ଅଧିକାରୀ ଭାବେ ପ୍ରମାଣିତ କରିବେ । ସେ ସର୍ବଦା ଦୁଷ୍ଟତାକୁ ସହିବେ ନାହିଁ ଏବଂ ଆମେ ଏହା ମଧ୍ୟ ଜାଣିଛୁ ଯେ ଆମେ ଶେଷକାଳରେ ବଞ୍ଚୁଛୁ । ଜଳପ୍ଳାବନ ସମୟରେ ଯିହୋବା ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଥିଲେ । ସେ ସଦୋମ ଓ ହମୋରାର ବିନାଶ କରିଥିଲେ, ଫାରୋ ଓ ତାʼ ସୈନ୍ୟମାନଙ୍କୁ ମଧ୍ୟ ବିନାଶ କରିଥିଲେ । ସେ ସୀଷରା ଓ ତାʼ ସୈନ୍ୟମାନଙ୍କୁ ଏବଂ ପରେ ଅଶୂରୀୟ ରାଜା ସନ୍ହେରୀବ୍ ଓ ତାʼ ସୈନ୍ୟମାନଙ୍କୁ ମଧ୍ୟ ବିନାଶ କରିଥିଲେ । (ଆଦି. ୭:୧, ୨୩; ୧୯:୨୪, ୨୫; ଯାତ୍ରା. ୧୪:୩୦, ୩୧; ବିଚା. ୪:୧୫, ୧୬; ୨ ରାଜା. ୧୯:୩୫, ୩୬) ତେଣୁ ଆମେ ପୁରା ଭରସା ରଖିପାରିବା ଯେ ଯିହୋବା ଈଶ୍ୱର ନିଜ ନାମର ବଦନାମ୍ ଏବଂ ତାହାଙ୍କ ସାକ୍ଷୀମାନଙ୍କ ସହ ଦୁର୍ବ୍ୟବହାରକୁ ବେଶୀ ଦିନ ପର୍ଯ୍ୟନ୍ତ ସହିବେ ନାହିଁ । ଏହା ଛଡ଼ା, ଆଜି ଆମେ ଯୀଶୁଙ୍କର ଉପସ୍ଥିତି ଏବଂ ଏହି ଦୁଷ୍ଟ ଜଗତର ବ୍ୟବସ୍ଥାର ଅନ୍ତ ହେବାର ଚିହ୍ନ ନିଜ ଆଖିରେ ଦେଖିପାରୁଛୁ ।—ମାଥି. ୨୪:୩.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୮୮-ଇଂ ୫/୧୫ ୨୩ ¶୪-୫
କʼଣ କେହି ଈଶ୍ୱରଙ୍କୁ ଦେଖିଛନ୍ତି ?
ଏବେ ଆମେ ବୁଝିପାରୁଛୁ ଯେ ଅବ୍ରହାମ ମଣିଷ ରୂପ ଧାରଣ କରିଥିବା ସ୍ୱର୍ଗଦୂତଙ୍କ ସହ ଏପରି କଥା ହୋଇପାରୁଥିଲେ ସତେ ଯେପରି ସେ ଯିହୋବା ଈଶ୍ୱରଙ୍କ ସହ କଥା ହେଉଥିଲେ । ଏହି ସ୍ୱର୍ଗଦୂତଙ୍କୁ ଯିହୋବା ନିଜେ ପଠାଇଥିଲେ ଏବଂ ସେ ଯିହୋବାଙ୍କ ବାର୍ତ୍ତା ଟିକିନିଖି ଭାବେ ଅବ୍ରହାମଙ୍କୁ ଜଣାଇଲେ । ଏହି କାରଣରୁ ବାଇବଲ କହେ, “ସଦାପ୍ରଭୁ . . . ତାଙ୍କୁ ଦର୍ଶନ ଦେଲେ ।”—ଆଦି ପୁସ୍ତକ ୧୮:୧.
ଟେଲିଫୋନ୍ କିମ୍ବା ରେଡିଓରୁ ଜଣେ ମଣିଷର ସ୍ୱର ଅନ୍ୟ ମଣିଷ ପର୍ଯ୍ୟନ୍ତ ସଠିକ୍ ଭାବେ ପହଞ୍ଚିପାରେ । ଠିକ୍ ସେହିପରି ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ ଈଶ୍ୱରଙ୍କ ବାର୍ତ୍ତା ମଣିଷମାନଙ୍କ ପର୍ଯ୍ୟନ୍ତ ଠିକ୍ ଠିକ୍ ପହଞ୍ଚିପାରେ । ସେଇଥିପାଇଁ ଅବ୍ରହାମ, ମୋଶା, ମାନୋହ ଓ ଅନ୍ୟ ସେବକମାନେ ସ୍ୱର୍ଗଦୂତମାନଙ୍କ ସହ ଏପରି କଥା ହୋଇପାରିଲେ, ସତେ ଯେପରି ସେମାନେ ସିଧାସଳଖ ଈଶ୍ୱରଙ୍କ ସହ କଥା ହେଉଛନ୍ତି । ଏହା ସତ ଯେ ସେମାନେ ମଣିଷ ରୂପ ଧାରଣ କରିଥିବା ସେହି ସ୍ୱର୍ଗଦୂତମାନଙ୍କୁ ଦେଖିପାରିଲେ ଏବଂ ସେମାନଙ୍କ ମାଧ୍ୟମରେ ଯିହୋବାଙ୍କ ମହିମା ଦେଖିପାରିଲେ, କିନ୍ତୁ ସେମାନେ ଯିହୋବାଙ୍କୁ ଦେଖି ନ ଥିଲେ । ଏହିପରି ଭାବେ ପ୍ରେରିତ ଯୋହନଙ୍କ ଏକଥା ପୂରଣ ହେଲା—“କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ ।” (ଯୋହନ ୧:୧୮) ଏହିସବୁର ଆଧାରରେ କୁହାଯାଇପାରିବ ଯେ ଅବ୍ରହାମ, ମୋଶା ଓ ମାନୋହ ଯିହୋବାଙ୍କୁ ନୁହେଁ, ବରଂ ସେ ପଠାଇଥିବା ସ୍ୱର୍ଗଦୂତମାନଙ୍କୁ ଦେଖିଥିଲେ ।
ପ୍ର୧୯.୦୬-ହି ୨୦ ¶୩
ଚିନ୍ତାଗୁଡ଼ିକର ସାମନା କରିବାରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ
୩ ଯଦିଓ ସଦୋମ ଏକ ସମୃଦ୍ଧ ଅଞ୍ଚଳ ଥିଲା, କିନ୍ତୁ ସେଠାକାର ଲୋକେ ଘୃଣ୍ୟ ଅନୈତିକ କାମ କରୁଥିଲେ । (୨ ପିତର ୨:୭, ୮ ପଢ଼ନ୍ତୁ ।) ଲୋଟ ଏପରି ଅଞ୍ଚଳରେ ବାସ କରିବାର ନିଷ୍ପତ୍ତି ନେଇ ବହୁତ ବଡ଼ ଭୁଲ କଲେ ଏବଂ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଲା । (ଆଦି ପୁସ୍ତକ ୧୩:୮-୧୩; ୧୪:୧୨) ଏପରି ଜଣାପଡ଼େ ଯେ ଲୋଟଙ୍କ ପତ୍ନୀଠାରେ ସେହି ସହର କିମ୍ବା ସେଠାକାର କିଛି ଲୋକଙ୍କ ପ୍ରତି ଏତେ ଆସକ୍ତି ବଢ଼ିଯାଇଥିଲା ଯେ ସେ ଯିହୋବାଙ୍କ ଆଜ୍ଞା ଉଲ୍ଲଙ୍ଘନ କଲା । ଯେତେବେଳେ ଯିହୋବା ସେହି ଅଞ୍ଚଳ ଉପରେ ଗନ୍ଧକ ଓ ଅଗ୍ନି ବର୍ଷାଇଲେ, ସେତେବେଳେ ସେ ନିଜ ଜୀବନ ହରାଇ ବସିଲା । ଲୋଟଙ୍କ ଦୁଇ ଝିଅଙ୍କ ବିଷୟରେ ମଧ୍ୟ ଟିକେ ଭାବନ୍ତୁ । ଯେଉଁ ବ୍ୟକ୍ତିମାନଙ୍କ ସହ ସେମାନଙ୍କ ନିର୍ବନ୍ଧ ହୋଇଥିଲା, ସେମାନେ ସଦୋମରେ ହିଁ ମରିଗଲେ । ଲୋଟ ନିଜ ଘର, ଧନ ସମ୍ପତ୍ତି ଓ ନିଜ ପ୍ରିୟ ପତ୍ନୀଙ୍କୁ ହରାଇଲେ । (ଆଦି ପୁସ୍ତକ ୧୯:୧୨-୧୪, ୧୭, ୨୬) ଏହି କଠିନ ସମୟରେ ଯିହୋବା କିପରି ତାଙ୍କ ସହ ଧୈର୍ଯ୍ୟର ସହ ବ୍ୟବହାର କଲେ ? ଆସନ୍ତୁ ଦେଖିବା ।
୨୪ ଫେବୃୟାରୀ–୧ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୦-୨୧
“ଯିହୋବା ସର୍ବଦା ନିଜ ପ୍ରତିଜ୍ଞା ପୂରଣ କରନ୍ତି”
ପ୍ରସ୧୭-ହି ସଂ୫ ୧୪-୧୫
ଈଶ୍ୱର ତାଙ୍କୁ “ରାଣୀ” ଡାକିଲେ
କʼଣ ସାରା ଏଥିପାଇଁ ହସିଲେ ଯେ ଯିହୋବାଙ୍କ ଉପରେ ତାଙ୍କ ବିଶ୍ୱାସ ନ ଥିଲା ? ଆଦୌ ନୁହେଁ । ବାଇବଲରେ ଲେଖା ଅଛି, “ବିଶ୍ୱାସ ଦ୍ୱାରା ସାରା ନିଜେ ମଧ୍ୟ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତବୟସ୍କା ହେଲେ ହେଁ ଜାତିର ଆଦିମାତା ହେବାକୁ ଶକ୍ତି ପ୍ରାପ୍ତ ହେଲେ ।” (ଏବ୍ରୀ ୧୧:୧୧) ସାରା ଯିହୋବାଙ୍କୁ ଜାଣିଥିଲେ । ସେ ଜାଣିଥିଲେ ଯେ ଯିହୋବା ନିଜର ଯେକୌଣସି ପ୍ରତିଜ୍ଞା ପୂରଣ କରିପାରନ୍ତି । ଆମେ ସମସ୍ତେ ସାରାଙ୍କ ଭଳି ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା ଉଚିତ୍ । ଆମେ ଈଶ୍ୱରଙ୍କୁ ଭଲ ଭାବରେ ଜାଣିବା ଉଚିତ୍ । ଯଦି ଆମେ ବାଇବଲରୁ ତାଙ୍କ ବିଷୟରେ ଜାଣିବା, ତେବେ ବୁଝିପାରିବା ଯେ ଈଶ୍ୱରଙ୍କ ଉପରେ ସାରାଙ୍କ ଏପରି ବିଶ୍ୱାସ କାହିଁକି ଯଥାର୍ଥ ଥିଲା । ଯିହୋବା ପ୍ରକୃତରେ ବିଶ୍ୱସ୍ତ ଈଶ୍ୱର ଅଟନ୍ତି ଏବଂ ନିଜ ସମସ୍ତ ପ୍ରତିଜ୍ଞା ପୂରଣ କରନ୍ତି । କେବେ କେବେ ତ ସେ ନିଜ ପ୍ରତିଜ୍ଞା ଏପରି ଭାବେ ପୂରଣ କରିପାରନ୍ତି, ଯାହା ଦେଖି ଆମକୁ ଆଶ୍ଚର୍ଯ୍ୟ ଲାଗେ କିମ୍ବା ଆମକୁ ଅବ୍ରହାମଙ୍କ ପରି ହସିବାକୁ ହୁଏ ।
‘ସାରାର କଥାରେ ମନୋଯୋଗ କର’
ଶେଷରେ ୯୦ ବର୍ଷ ବୟସରେ ସାରା ସେହି ଖୁସିର ସମୟ ଦେଖିଲେ, ଯାହା ପାଇଁ ସେ ସାରା ଜୀବନ ଝୁରୁଥିଲେ । ସେ ନିଜ ପ୍ରିୟ ସ୍ୱାମୀଙ୍କୁ ଏକ ପୁଅ ଦେଲେ ! ଏବେ ଅବ୍ରହାମ ୧୦୦ ବର୍ଷର ଅଟନ୍ତି । ସେ ପୁଅର ନାମ ଇସ୍ହାକ ଅର୍ଥାତ୍ “ହାସ୍ୟ” ରଖିଲେ, ଯେପରି ଈଶ୍ୱର କହିଥିଲେ । ଭାବନ୍ତୁ ସାରା ଥକି ଯାଇଥିଲେ ମଧ୍ୟ ସାରାଙ୍କ ମୁଖରେ କିପରି ଖୁସି ଝଲସି ଉଠିଥିବ, ଯେତେବେଳେ ସେ କହିଲେ, “ପରମେଶ୍ୱର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋʼ ସହିତ ହସିବେ ।” (ଆଦି ପୁସ୍ତକ ୨୧:୬) ତାଙ୍କୁ ଯିହୋବାଙ୍କଠାରୁ ଅଲୌକିକ ଭାବେ ଯେଉଁ ଉପହାର ମିଳିଥିଲା, ସେଥିରୁ ତାକୁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଖୁସି ମିଳିଥିବ । କିନ୍ତୁ ତାଙ୍କ ଉପରେ ଅନେକ ଦାୟିତ୍ୱ ମଧ୍ୟ ଆସିଥାʼନ୍ତା ।
ଯେତେବେଳେ ଇସ୍ହାକ ପାଞ୍ଚ ବର୍ଷର ହେଲେ, ସେତେବେଳେ ତାଙ୍କ ପିତାମାତା ସ୍ତନପାନ ତ୍ୟାଗ କରାଇବା ଅବସରରେ ଏକ ମହାଭୋଜର ଆୟୋଜନ କଲେ । କିନ୍ତୁ ଏ ଦିନରେ ସମସ୍ତେ ଖୁସିରେ ନାହାନ୍ତି । ବାଇବଲ କହେ, ସାରା “ବାରମ୍ବାର ଦେଖିଲେ” (NW) ଯେ ୧୯ ବର୍ଷର ଇଶ୍ମାଏଲ ଇସ୍ହାକଙ୍କ ସହ ଦୁର୍ବ୍ୟବହାର କରୁଛି । ସେ ତାଙ୍କୁ ପରିହାସ କରୁଛି । ଏହା କୌଣସି ସାମାନ୍ୟ ଥଟ୍ଟାମଜା ନ ଥିଲା । ଶହ ଶହ ବର୍ଷ ପରେ ଈଶ୍ୱରଙ୍କ ପ୍ରେରଣାରେ ପାଉଲ ଲେଖିଲେ ଯେ ଇଶ୍ମାଏଲର ଏହି ବ୍ୟବହାର ତାଡ଼ନା ଥିଲା । ସାରା ବୁଝିଗଲେ ଯେ ଏହି ଉପହାସର ଅର୍ଥ କʼଣ । ଏହା ପ୍ରକୃତରେ ତାଙ୍କ ପୁଅ ପାଇଁ ଏକ ବଡ଼ ବିପଦ ଅଟେ । ସାରା ଜାଣନ୍ତି ଯେ ଇସ୍ହାକ କେବଳ ତାଙ୍କ ପୁଅ ନୁହନ୍ତି, ବରଂ ଯିହୋବାଙ୍କ ଉଦ୍ଦେଶ୍ୟ ପୂରଣ ହେବାରେ ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କାରଣରୁ ସେ ସାହସ ବାନ୍ଧି ଅବ୍ରହାମଙ୍କୁ ସ୍ପଷ୍ଟ ଭାବେ ଏକଥା ଜଣାନ୍ତି । ସେ ତାଙ୍କୁ କହନ୍ତି ଯେ ହାଗାର ଓ ଇଶ୍ମାଏଲଙ୍କୁ ଦୂରକୁ ପଠାଇ ଦିଆଯାଉ ।—ଆଦି ପୁସ୍ତକ ୨୧:୮-୧୦; ଗାଲାତୀୟ ୪:୨୨, ୨୩, ୨୯.
କʼଣ ଅବ୍ରହାମ ମାନି ନିଅନ୍ତି ? ବାଇବଲ କହେ, “ଏହି କଥା ଶୁଣି ଅବ୍ରହାମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ ।” ସେ ଇଶ୍ମାଏଲକୁ ବହୁତ ଭଲ ପାʼନ୍ତି । ନିଜ ସନ୍ତାନ ପାଇଁ ତାଙ୍କ ଭାବନା ଆହୁରି ଜାଗି ଉଠେ । ତେଣୁ ସେ ମାମଲାକୁ ଠିକ୍ ଭାବେ ବୁଝିପାରୁ ନାହାନ୍ତି । କିନ୍ତୁ ଯିହୋବା ମାମଲାକୁ ଭଲ ଭାବେ ବୁଝନ୍ତି । ତେଣୁ ସେ ଅବ୍ରହାମଙ୍କୁ ଏହା ମଧ୍ୟ ଭରସା ଦିଅନ୍ତି ଯେ ହାଗାର ଓ ତାଙ୍କ ପୁଅଙ୍କ ମଧ୍ୟ ଆବଶ୍ୟକତା ପୂରଣ କରାଯିବ । ଅବ୍ରହାମ ଯିହୋବାଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ତାହାଙ୍କ ଆଜ୍ଞା ପାଳନ କରନ୍ତି ।—ଆଦି ପୁସ୍ତକ ୨୧:୧୧-୧୪.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ରସ୧୭-ହି ସଂ୩ ୧୨, ପାଦ.
“ତୁମ୍ଭେ ଦେଖିବାକୁ ସୁନ୍ଦରୀ”
ସାରା ଅବ୍ରହାମଙ୍କର ସାବତ ଭଉଣୀ ଥିଲେ । ଉଭୟଙ୍କର ପିତା ଥିଲେ ତେରହ, କିନ୍ତୁ ସେମାନଙ୍କ ମାଆ ଭିନ୍ନ ଥିଲେ । (ଆଦି ପୁସ୍ତକ ୨୦:୧୨) ଏହା ସତ ଯେ ଆଜିକାଲି ଏପରି ବିବାହ ଯଥାର୍ଥ ବୋଲି ଧରାଯାଏ ନାହିଁ, କିନ୍ତୁ ଆମେ ମନେ ରଖିବା ଉଚିତ୍ ଯେ ସେସମୟରେ ବହୁତ କିଛି ଅଲଗା ଥିଲା । ସେତେବେଳେ ମଣିଷମାନଙ୍କର ଆୟୁ ଯଥେଷ୍ଟ ଲମ୍ବା ହେଉଥିଲା ଏବଂ ସେମାନେ ବହୁତ ହୃଷ୍ଟପୁଷ୍ଟ ଥିଲେ । କାରଣ ଯଦିଓ ସେମାନେ ସିଦ୍ଧ ବା ପରିପୂର୍ଣ୍ଣ ନ ଥିଲେ, ସିଦ୍ଧତାକୁ ହରାଇବାର ବେଶୀ ସମୟ ହୋଇ ନ ଥିଲା । ଏହି କାରଣରୁ ପାଖ ସମ୍ପର୍କୀୟଙ୍କ ସହ ବିବାହ କଲେ ମଧ୍ୟ ପିଲାଙ୍କଠାରେ ରୋଗ କିମ୍ବା ଅନ୍ୟାନ୍ୟ ତ୍ରୁଟି ରହିବାର ବିପଦ ନ ଥିଲା । କିନ୍ତୁ ଅବ୍ରହାମଙ୍କ ସମୟର ପ୍ରାୟ ୪୦୦ ବର୍ଷ ପରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଓ ଆୟୁ ପୂର୍ବ ଭଳି ଆଉ ରହିଲା ନାହିଁ । ତେଣୁ ଈଶ୍ୱର ଇସ୍ରାଏଲୀୟମାନଙ୍କୁ ଯେଉଁ ବ୍ୟବସ୍ଥା ଦେଲେ, ସେଥିରେ ପାଖ ସମ୍ପର୍କୀୟମାନଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ ମନା କରାଯାଇଥିଲା ।—ଲେବୀ ପୁସ୍ତକ ୧୮:୬.
ପ୍ର୮୯-ଇଂ ୭/୧ ୨୦ ¶୯
ଅବ୍ରହାମ—ଈଶ୍ୱରଙ୍କ ସହ ମିତ୍ରତା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ଉଦାହରଣ !
୯ ଅବ୍ରହାମ ଆଉ ଏକ ଉପାୟରେ ନିଜ ବିଶ୍ୱାସର ପ୍ରମାଣ ଦେଲେ । ଏବିଷୟରେ ବାଇବଲ କହେ, ଅବ୍ରାମ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କଲେ ।” (ଆଦି ପୁସ୍ତକ ୧୨:୭) ହୁଏତ ସେ ଏହି ବେଦି ଉପରେ ପଶୁ ବଳିଦାନ ଚଢ଼ାଇଥିବେ । କାରଣ ଯେଉଁ ଏବ୍ରୀ ଶବ୍ଦର ଅନୁବାଦ “ବେଦି” କରାଯାଇଛି, ତାର ଅର୍ଥ ହେଉଛି, “ବଳିଦାନର ଜାଗା ।” ପରେ ଅବ୍ରାମ ଯେଉଁଆଡ଼େ ମଧ୍ୟ ଗଲେ ଓ ବିଭିନ୍ନ ଜାଗାରେ ଯେତେବେଳେ ରହିଲେ, ସେ ନିଜ ବିଶ୍ୱାସର ପ୍ରମାଣ ଦେବା ପାଇଁ ବେଦିଗୁଡ଼ିକ ତିଆରି କଲେ ଏବଂ ସେ “[ଯିହୋବାଙ୍କ] ନାମରେ ପ୍ରାର୍ଥନା କଲେ ।” (ଆଦି ପୁସ୍ତକ ୧୨:୮; ୧୩:୧୮; ୨୧:୩୩) ଯେଉଁ ଏବ୍ରୀ ଶବ୍ଦଗୁଡ଼ିକର ଅନୁବାଦ “ନାମରେ ପ୍ରାର୍ଥନା କଲେ” ବୋଲି କୁହାଯାଇଛି, ସେଗୁଡ଼ିକର ଅର୍ଥ, “ନାମର ଘୋଷଣା (ପ୍ରଚାର) କରିବା” ମଧ୍ୟ ଅଟେ । ଅବ୍ରାମଙ୍କ କୁଟୁମ୍ବର ଲୋକେ ଓ କିଣାନର ଲୋକେ ନିଶ୍ଚୟ ତାଙ୍କୁ ଯିହୋବା ଈଶ୍ୱରଙ୍କ ନାମ ନିର୍ଭୟରେ ପ୍ରଚାର କରିବାର ଶୁଣିଥିବେ । (ଆଦି ପୁସ୍ତକ ୧୪:୨୨-୨୪) ଠିକ୍ ସେହିପରି, ଆଜି ଯେଉଁ ଲୋକମାନେ ଈଶ୍ୱରଙ୍କ ସହ ମିତ୍ରତା କରିବାକୁ ଚାହାନ୍ତି, ସେମାନଙ୍କୁ ବିଶ୍ୱାସର ସହ ଈଶ୍ୱରଙ୍କ ନାମରେ ତାହାଙ୍କୁ ଡାକିବାକୁ ହେବ । ଏଥିରେ ପ୍ରଚାର କାମ ମଧ୍ୟ ସାମିଲ୍ । ଅନ୍ୟ ଶବ୍ଦରେ କହିବାକୁ ଗଲେ, ଆମେ “ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧାର ଫଳ ନିତ୍ୟ ଉତ୍ସର୍ଗ” କରିବାକୁ ହେବ ।—ଏବ୍ରୀ ୧୩:୧୫; ରୋମୀୟ ୧୦:୧୦.