ଏପ୍ରିଲ୍—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୧୩-୧୯ ଏପ୍ରିଲ୍
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୧
“ଯାକୁବ ଓ ଲାବନ ଶାନ୍ତିର ଚୁକ୍ତି କଲେ”
ଇନସାଇଟ୍-୧ ୮୮୩ ¶୧
ଗଲ-ୟଦ୍
ଯାକୁବ ଓ ଲାବନ ଶାନ୍ତିରେ ନିଜ ମଧ୍ୟରେ ଚାଲିଥିବା କଳହର ସମାଧାନ କଲେ। ତାʼପରେ ସେମାନେ ପରସ୍ପର ମଧ୍ୟରେ ଏକ ଚୁକ୍ତି କଲେ। ଏହା ପରେ ଯାକୁବ ଏକ ପଥର ନେଲେ ଏବଂ ତାକୁ ଠିଆ କଲେ। ସେ ନିଜ “କୁଟୁମ୍ବମାନଙ୍କୁ” ମଧ୍ୟ କହିଲେ ଯେ କିଛି ପଥର ଜମା କରି ତାହାର ଏକ ସ୍ତୁପ ତିଆରି କରନ୍ତୁ। ହୁଏତ ଏହି ସ୍ତୁପକୁ ଏକ ଟେବୁଲ ଆକୃତିରେ ତିଆରି କରାଯାଇଥିଲା। ଯାକୁବ ଓ ଲାବନ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା, ତାର ଚିହ୍ନ ଭାବରେ ସେମାନେ ସେହି ସ୍ତୁପ ଉପରେ ଭୋଜନ କଲେ। ଲାବନ ଆରାମୀ (କିମ୍ବା ସିରିୟାନ) ଭାଷାରେ ସେହି ସ୍ତୁପର ନାମ “ଯିଗର-ସାହଦୂଥା” ରଖିଲେ। କିନ୍ତୁ ଯାକୁବ ଏହି ସ୍ତୁପକୁ ଏବ୍ରୀରେ “ଗଲ-ୟଦ୍” କହିଲେ। ଏହି ଉଭୟ ନାମର ଗୋଟିଏ ହିଁ ଅର୍ଥ ଅଛି। ଏହି ସ୍ତୁପର ନାମ ଅନୁସାରେ ହିଁ ସେହି ଜାଗାର ନାମ ଦିଆଗଲା, ଯେଉଁଠାରେ ସେ ଦୁହେଁ ଚୁକ୍ତି କରିଥିଲେ। ଲାବନ କହିଲା “ଏହି ରାଶୀ [ଏବ୍ରୀରେ ଗଲ୍] ଆଜି ତୁମ୍ଭ ଆମ୍ଭର ସାକ୍ଷୀ [ଏବ୍ରୀରେ ୟଦ୍] ହୋଇ ରହିଲା।” (ଆଦି ୩୧:୪୪-୪୮) ସେହି ରାଶୀ (ଓ ସ୍ତମ୍ଭ) ଲୋକମାନଙ୍କ ପାଇଁ କେଉଁ କଥାର ଚିହ୍ନ ହୁଅନ୍ତା? ୪୯ ପଦ ଅନୁସାରେ “ପ୍ରହରୀ-ସ୍ଥାନ [ଏବ୍ରୀରେ ମିସ୍ପା]” ଏହାର ଚିହ୍ନ ହୁଅନ୍ତା ଯେ ସେମାନେ ପରସ୍ପର ସହ ଏବଂ ନିଜ ନିଜ ପରିବାର ମଧ୍ୟରେ ଶାନ୍ତି ବଜାୟ ରଖିବାର ପ୍ରତିଜ୍ଞା କରିଛନ୍ତି। (ଆଦି ୩୧:୫୦-୫୩) ଆଗକୁ ଯାଇ ଆହୁରି କିଛି ଘଟଣାରେ ମଧ୍ୟ ପଥରଗୁଡ଼ିକୁ ଚୁକ୍ତିର ଚିହ୍ନ ଭାବରେ ବ୍ୟବହାର କରାଗଲା।—ଯିହୋ ୪:୪-୭; ୨୪:୨୫-୨୭.
ଇନସାଇଟ୍-୨ ୧୧୭୨
ପ୍ରହରୀ-ସ୍ଥାନ
ଯାକୁବ ଯେଉଁ ସ୍ତୁପ ତିଆରି କରିଥିଲେ, ତାର ନାମ “ଗଲ-ୟଦ୍” (ଅର୍ଥାତ୍ ସାକ୍ଷୀ ରାଶୀ) ଓ “ପ୍ରହରୀ-ସ୍ଥାନ” ରଖିଲେ। ପଥରର ଏହି ସ୍ତୁପ ଯାକୁବ ଓ ଲାବନଙ୍କ ମଧ୍ୟରେ ଏକ ସାକ୍ଷୀ ହୁଅନ୍ତା। କେଉଁ ଅର୍ଥରେ? ଲାବନ କହିଲା, “ଆମ୍ଭେମାନେ ପରସ୍ପର ଅଦୃଶ୍ୟ ହେଲେ, ସଦାପ୍ରଭୁ ମୋହର ଓ ତୁମ୍ଭର ପ୍ରହରୀ ଥିବେ।” —ଆଦି ୩୧:୪୫-୪୯.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୨ ୧୦୮୭-୧୦୮୮
ଠାକୁର
ମେସୋପଟାମିଆ ଓ ଆଖପାଖ ଅଞ୍ଚଳର ପ୍ରତ୍ନତତ୍ତ୍ୱବିତମାନଙ୍କ ଗବେଷଣାରୁ ଜଣାଯାଇଛି ଯେ ପରିବାରର ଯେଉଁ ସଦସ୍ୟ ପାଖରେ ଠାକୁର (ବା କୁଳଦେବତାର ମୂର୍ତ୍ତି, NW) ରହୁଥିଲା, ସେ ପରିବାରର ଉତ୍ତରାଧିକାରୀ ହେଉଥିଲା। ନୁଜୀ ନାମକ ସହରରେ ମିଳିଥିବା ଏକ ଶିଳାଲିପି ଅନୁସାରେ, କେତେକ ପରିସ୍ଥିତିରେ କୁଳଦେବତାମାନଙ୍କ ମୂର୍ତ୍ତି ଥିଲେ ଜଣେ ଜ୍ୱାଇଁ ନିଜ ଶ୍ୱଶୁରର ମୃତ୍ୟୁ ପରେ ଅଦାଲତକୁ ଯାଇ ତାଙ୍କ ସମ୍ପତ୍ତି ପାଇବା ପାଇଁ ଦାବି କରିପାରୁଥିଲା। (ପୂର୍ବର ପ୍ରାଚୀନ ପାଠ ଇଂରାଜୀ, ଜେ. ପ୍ରିଚର୍ଡ଼ଙ୍କ ଦ୍ୱାରା ସମ୍ପାଦିତ, ୧୯୭୪, ପୃ ୨୧୯, ୨୨୦ ଏବଂ ପାଟୀ ୫୧) ହୁଏତ ରାହେଲ ଏହା ହିଁ ଭାବି ନିଜ ପିତାଙ୍କ ମୂର୍ତ୍ତି ଚୋରି କରିଥିବ। ହୁଏତ ତାକୁ ଲାଗିଥିବ ଯେ ସେ କିଛି ଭୁଲ କରୁ ନାହିଁ, କାରଣ ତାʼ ପିତା ନିଜେ ତାʼ ପତି ଯାକୁବଙ୍କୁ ଅନେକ ଥର ବିଶ୍ୱାସଘାତ କରିଥିଲା। (ଆଦି ୩୧:୧୪-୧୬. ସହ ତୁଳନା କରନ୍ତୁ।) ଆମେ ଦେଖିଲୁ, ସେହି ବ୍ୟକ୍ତି ସମ୍ପତ୍ତିର ଅଧିକାରୀ ହେଉଥିଲା, ଯାହା ପାଖରେ ଠାକୁର ବା କୁଳଦେବତାମାନଙ୍କର ମୂର୍ତ୍ତି ରହୁଥିଲା। ତେଣୁ ଯେତେବେଳେ ଲାବନ ଜାଣିଲା ଯେ ତାʼ ମୂର୍ତ୍ତିଗୁଡ଼ିକ ନ ଥିଲା, ସେ ଯେକୌଣସି ପରିସ୍ଥିତିରେ ସେଗୁଡ଼ିକୁ ପୁଣି ହାସଲ କରିବା ପାଇଁ ଚାହୁଁଥିଲା। ସେ ନିଜ କୁଟୁମ୍ବମାନଙ୍କ ସହ ଯାକୁବଙ୍କ ପଛେ ପଛେ ସାତ ଦିନ ପର୍ଯ୍ୟନ୍ତ ଗୋଡ଼ାଇଲା। (ଆଦି ୩୧:୧୯-୩୦) କିନ୍ତୁ ଯାକୁବ ଜାଣି ନ ଥିଲେ ଯେ ରାହେଲ ଲାବନର ମୂର୍ତ୍ତିଗୁଡ଼ିକୁ ଚୋରି କରିଥିଲା। (ଆଦି ୩୧:୩୨) ଏହାର ମଧ୍ୟ କୌଣସି ପ୍ରମାଣ ମିଳେ ନାହିଁ ଯେ ଯାକୁବ ସେହି ମୂର୍ତ୍ତିଗୁଡ଼ିକୁ ବ୍ୟବହାର କରି ଲାବନର ପୁତ୍ରମାନଙ୍କଠାରୁ ସମ୍ପତ୍ତି ହଡ଼ପ କରିବାକୁ ଚେଷ୍ଟା କରିଥିଲା। ଯାକୁବଙ୍କର ଏହି ମୂର୍ତ୍ତିଗୁଡ଼ିକ ସହ କୌଣସି ସମ୍ପର୍କ ନ ଥିଲା। ତେବେ ଲାବନର ଏହି ମୂର୍ତ୍ତିଗୁଡ଼ିକର କʼଣ ହେଲା? ଯାକୁବ କହିବା ପରେ ତାଙ୍କ କୁଟୁମ୍ବର ଲୋକମାନେ ମିଥ୍ୟା ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ନିଜ ମଧ୍ୟରୁ ଦୂର କଲେ ଏବଂ ଯାକୁବ ସେଗୁଡ଼ିକୁ ଶିଖିମ ପାଖରେ ଏକ ବଡ଼ ଗଛ ତଳେ ପୋତି ଦେଇଥିଲେ। ଏପରି ଜଣାପଡ଼େ ଯେ ଯାକୁବ ସେତେବେଳେ ଲାବନର ମୂର୍ତ୍ତିଗୁଡ଼ିକୁ ମଧ୍ୟ ସେଗୁଡ଼ିକ ସହ ପୋତି ଦେଇଥିଲେ।—ଆଦି ୩୫:୧-୪.
ପ୍ର୧୩-ହି ୩/୧୫ ୨୧ ¶୮
ଯିହୋବା ଆମର ନିବାସସ୍ଥାନ
୮ ଯେତେବେଳେ ଯାକୁବ ହାରଣ ପହଞ୍ଚିଲେ, ତାଙ୍କ ମାମୁଁ ଲାବନ ତାଙ୍କୁ ଖୁସିରେ ସ୍ୱାଗତ କଲା ଏବଂ ଆଗକୁ ଯାଇ ଲେୟା ଓ ରାହେଲକୁ ତାଙ୍କ ପତ୍ନୀ ହେବା ପାଇଁ ଦେଇଦେଲା। କିନ୍ତୁ କିଛି ସମୟ ପରେ ଲାବନ ଯାକୁବଙ୍କ ସହ ଅନ୍ୟାୟ କରିବାକୁ ଲାଗିଲା ଏବଂ ସେ ତାଙ୍କ ମଜୁରି ଦଶ ଥର ପରିବର୍ତ୍ତନ କଲା। (ଆଦି. ୩୧:୪୧, ୪୨) ଯାକୁବ ଏସବୁ ସହିଲେ, କାରଣ ତାଙ୍କ ଭରସା ଥିଲା ଯେ ଯିହୋବା ତାଙ୍କୁ ସମ୍ଭାଳିବେ। ପରିଣାମସ୍ୱରୂପ, ଯିହୋବା ଯାକୁବଙ୍କୁ ଆଶିଷ ଦେଲେ। ଯେତେବେଳେ ସେ ଯାକୁବଙ୍କୁ କିଣାନ ଫେରିଯିବାକୁ କହିଲେ, ସେତେବେଳ ପର୍ଯ୍ୟନ୍ତ ଯାକୁବଙ୍କ ପାଖରେ ‘ପଶୁ, ଦାସଦାସୀ, ଓଟ ଓ ଗର୍ଦ୍ଦଭ ଯଥେଷ୍ଟ ହୋଇଯାଇଥିଲେ।’ (ଆଦି. ୩୦:୪୩) ନିଜ କୃତଜ୍ଞତା ଦେଖାଇ ଯାକୁବ ଯିହୋବାଙ୍କୁ ପ୍ରାର୍ଥନା କଲେ: “ତୁମ୍ଭେ ଏହି ଦାସ ପ୍ରତି ଯେସମସ୍ତ ଦୟା ଓ ଯେସମସ୍ତ ବିଶ୍ୱସ୍ତତା ପ୍ରକାଶ କରିଅଛ, ମୁଁ ତହିଁର କିଞ୍ଚିତ ହିଁ ପାଇବାର ଯୋଗ୍ୟ ନୁହେଁ; ଯେହେତୁ ମୁଁ ନିଜର ଯଷ୍ଟିମାତ୍ର ଘେନି ଏହି ଯର୍ଦ୍ଦନ ପାର ହୋଇଥିଲି, ମାତ୍ର ଏବେ ମୁଁ ଦୁଇଦଳ ହୋଇଅଛି।”—ଆଦି. ୩୨:୧୦.
୨୦-୨୬ ଏପ୍ରିଲ୍
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୨-୩୩
“ଆଶୀର୍ବାଦ ପାଇବା ପାଇଁ କʼଣ ଆପଣ ଯୁଦ୍ଧ କରୁଛନ୍ତି?”
ପ୍ର୦୩-ହି ୮/୧୫ ୨୫ ¶୩
କʼଣ ଆପଣ ସମ୍ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ ଅନ୍ୱେଷଣ କରୁଛନ୍ତି?
ବାଇବଲରେ ଏପରି ଅନେକ ଲୋକଙ୍କ ଉଦାହରଣ ଅଛି, ଯେଉଁମାନେ ସମ୍ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ ଅନ୍ୱେଷଣ କରିଥିଲେ। ଯାକୁବ ଏହିପରି ଜଣେ ବ୍ୟକ୍ତି ଥିଲେ। ସେ ସକାଳ ହେବା ପର୍ଯ୍ୟନ୍ତ ମଣିଷ ଶରୀର ଧାରଣ କରିଥିବା ଈଶ୍ୱରଙ୍କ ଏକ ସ୍ୱର୍ଗଦୂତ ସହିତ ମଲ୍ଲଯୁଦ୍ଧ କଲେ। ଏହାର ପରିଣାମ ଯାକୁବଙ୍କୁ ଇସ୍ରାଏଲ (ପରମେଶ୍ୱରଙ୍କ ସହିତ ଯୋଦ୍ଧା) ନାମ ଦିଆଗଲା, କାରଣ ସେ ଈଶ୍ୱରଙ୍କ ସହିତ “ଯୁଦ୍ଧ” କଲେ। ଅର୍ଥାତ୍ ସେ ମଲ୍ଲଯୁଦ୍ଧ କରିବା ଛାଡ଼ିଲେ ନାହିଁ, ଚେଷ୍ଟା ଜାରି ରଖିଲେ ଓ ଅଟଳ ରହିଲେ। ଯାକୁବ ପୂର୍ଣ୍ଣ ହୃଦୟର ସହିତ ଚେଷ୍ଟା କରିଥିବାରୁ ସ୍ୱର୍ଗଦୂତ ତାଙ୍କୁ ଆଶୀର୍ବାଦ କଲେ।—ଆଦି ପୁସ୍ତକ ୩୨:୨୪-୩୦.
ଇନସାଇଟ୍-୨ ୧୯୦
ଛୋଟା, ଛୋଟାଇବା
ଯାକୁବ ଛୋଟାଇ ଚାଲିଲେ। ଯେତେବେଳେ ଯାକୁବ ୯୭ ବର୍ଷର ଥିଲେ, ସେ ସାରା ରାତି ସ୍ୱର୍ଗଦୂତଙ୍କ ସହ ମଲ୍ଲଯୁଦ୍ଧ କଲେ। ଯାକୁବ ସେହି ସ୍ୱର୍ଗଦୂତଙ୍କୁ ସେପର୍ଯ୍ୟନ୍ତ ଛାଡ଼ିଲେ ନାହିଁ, ଯେପର୍ଯ୍ୟନ୍ତ ସେ ତାଙ୍କୁ ଆଶୀର୍ବାଦ କଲେ ନାହିଁ। ମଲ୍ଲଯୁଦ୍ଧ ସମୟରେ ସ୍ୱର୍ଗଦୂତ ଯାକୁବଙ୍କ ଜଙ୍ଘର ସନ୍ଧିକୁ ଛୁଇଁଲେ ଏବଂ ଯାକୁବଙ୍କ ସେହି ସନ୍ଧି ଖସିଗଲା। ତେଣୁ ଯାକୁବ ଛୋଟେଇ ଛୋଟେଇ ଚାଲିବାକୁ ଲାଗିଲେ। (ଆଦି ୩୨:୨୪-୩୨; ହୋଶେ ୧୨:୨-୪) ଏହା ସର୍ବଦା ତାଙ୍କୁ ମନେ ପକାଇ ଦିଅନ୍ତା ଯେ ସେ ଈଶ୍ୱରଙ୍କ ଶକ୍ତିଶାଳୀ ସ୍ୱର୍ଗଦୂତଙ୍କୁ ହରାଇ ନ ଥିଲେ। ତେବେ ସେହି ସ୍ୱର୍ଗଦୂତ କାହିଁକି କହିଲେ ଯେ ଯାକୁବ ‘ପରମେଶ୍ୱର [ଅର୍ଥାତ୍ ପରମେଶ୍ୱରଙ୍କ ସ୍ୱର୍ଗଦୂତ] ଓ ମନୁଷ୍ୟ ସହିତ ଯୁଦ୍ଧ କରି ଶେଷରେ ଜୟ ହୋଇଛନ୍ତି’? କାରଣ ଏହା ଈଶ୍ୱରଙ୍କ ଉଦ୍ଦେଶ୍ୟ ଥିଲା ଏବଂ ସେ ନିଜେ ଯାକୁବଙ୍କୁ ସ୍ୱର୍ଗଦୂତଙ୍କ ସହ ଯୁଦ୍ଧ କରିବାକୁ ଅନୁମତି ଦେଲେ। ସ୍ୱର୍ଗଦୂତଙ୍କ ସହ ମଲ୍ଲଯୁଦ୍ଧ କରି ଯାକୁବଙ୍କୁ ଏହା ଦେଖାଇବାର ସୁଯୋଗ ମିଳିଲା ଯେ ସେ ଯିହୋବାଙ୍କ ଆଶୀର୍ବାଦକୁ ହୃଦୟରୁ ବହୁମୂଲ୍ୟ ମନେ କରନ୍ତି ଏବଂ ତାକୁ ଯେକୌଣସି ପରିସ୍ଥିତିରେ ପାଇବାକୁ ଚାହାନ୍ତି।
ଇନସାଇଟ୍-୧ ୧୨୨୮
ଇସ୍ରାଏଲ
୧. ଏହି ନାମ ଈଶ୍ୱର ଯାକୁବଙ୍କୁ ଦେଇଥିଲେ, ଯେତେବେଳେ ସେ ପ୍ରାୟ ୯୭ ବର୍ଷର ଥିଲେ। ଏହା ସେତେବେଳର କଥା ଯେତେବେଳେ ଯାକୁବ ନିଜ ଭାଇ ଏଷୌକୁ ଭେଟିବା ପାଇଁ ଯାଉଥିଲେ। ସେତେବେଳେ ରାତି ହୋଇଯାଇଥିଲା। ଯାକୁବ ଯବ୍ବୋକ ନଦୀ ପାର କରି ଜଣେ ପୁରୁଷଙ୍କ ସହ ମଲ୍ଲଯୁଦ୍ଧ କଲେ, ଯିଏ ପ୍ରକୃତରେ ଜଣେ ସ୍ୱର୍ଗଦୂତ ଥିଲେ। ସେ ବହୁତ ସମୟ ପର୍ଯ୍ୟନ୍ତ ଯୁଦ୍ଧ କଲେ ଏବଂ ହାର୍ ମାନିଲେ ନାହିଁ, ତେଣୁ ତାଙ୍କୁ ଯିହୋବାଙ୍କ ତରଫରୁ ଏକ ଆଶିଷ ମିଳିଲା। ତାଙ୍କ ନାମ ବଦଳାଇ ଇସ୍ରାଏଲ ରଖାଗଲା। ଏହି ଘଟଣାର ସ୍ମୃତିରେ ଯାକୁବ ସେହି ଜାଗାର ନାମ ପନୂୟେଲ ରଖିଲେ। (ଆଦି ୩୨:୨୨-୩୧) କିଛି ସମୟ ପରେ, ଯେତେବେଳେ ଯାକୁବ ବୈଥେଲ ନାମକ ଜାଗାରେ ଥିଲେ, ସେତେବେଳେ ଈଶ୍ୱର ପୁଣି କହିଲେ ଯେ ଏବେଠାରୁ ତାଙ୍କ ନାମ ଯାକୁବ ନୁହେଁ, ଇସ୍ରାଏଲ ହେବ। ସେହି ସମୟଠାରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଯାକୁବଙ୍କୁ ବାରମ୍ବାର ଇସ୍ରାଏଲ ନାମରେ ଡକାଗଲା। (ଆଦି ୩୫:୧୦, ୧୫; ୫୦:୨; ୧ବଂଶା ୧:୩୪) ବାଇବଲରେ ଇସ୍ରାଏଲ ନାମ ୨,୫୦୦ରୁ ମଧ୍ୟ ଅଧିକ ଥର ଆସେ। କିନ୍ତୁ ସବୁବେଳେ ସେଠାରେ ଯାକୁବଙ୍କ ବିଷୟରେ କୁହାଯାଇ ନାହିଁ, ବରଂ ଏକ ରାଷ୍ଟ୍ର ଭାବେ ତାଙ୍କ ବଂଶଜମାନଙ୍କ ବିଷୟରେ କୁହାଯାଇଛି।—ଯାତ୍ରା ୫:୧, ୨.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୦-ହି ୬/୧୫ ୨୨ ¶୧୦-୧୧
ମନୋହର କଥାରୁ ସମ୍ପର୍କ ମଜବୁତ ହୁଏ
୧୦ ମନୋହର ଓ ଭଲ କଥାବାର୍ତ୍ତା ସମ୍ପର୍କ ଗଢ଼ିବା ଏବଂ ଶାନ୍ତି ସ୍ଥାପନ କରିବାରେ ସାହାଯ୍ୟ କରେ। ଖାଲି ଏତିକି ନୁହେଁ, ସମ୍ପର୍କକୁ ଯୋଡ଼ିବା ପାଇଁ ଯଦି ଆମେ ଭଲ କାମ କରିବା ପାଇଁ ଚେଷ୍ଟା କରୁ, ତେବେ ଆମ କଥାବାର୍ତ୍ତାର ଶୈଳୀରେ ମଧ୍ୟ ଉନ୍ନତି ହୋଇପାରିବ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସୁଯୋଗ ଖୋଜିବା, ଉପହାର ଦେବା ଓ ଅତିଥି ସତ୍କାର କରିବା— ଏପରି ଭଲ କାମସବୁ ସେମାନଙ୍କ ସହ ମନ ଖୋଲି କଥାବାର୍ତ୍ତା କରିବାର ସୁଯୋଗ ଦିଏ। ଏପରି କରିବା ଦ୍ୱାରା ଆମେ ସେହି ବ୍ୟକ୍ତିର “ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର” ରଖିଥାଉ, ଯାହାଫଳରେ ତାଙ୍କ ଭଲ ଗୁଣଗୁଡ଼ିକରେ ଉନ୍ନତି ହୋଇପାରେ ଏବଂ ମାମଲାକୁ ସହଜରେ ସମାଧାନ କରାଯାଇପାରେ।—ରୋମୀ. ୧୨:୨୦, ୨୧.
୧୧ କୁଳପିତା ଯାକୁବ ଏହି କଥାକୁ ବୁଝିଥିଲେ। ତାଙ୍କ ଜାଆଁଳା ଭାଇ ଏଷୌ ତାଙ୍କ ଉପରେ ଏତେ ରାଗିଯାଇଥିଲା ଯେ ତାଙ୍କୁ ନିଜ ଜୀବନ ରକ୍ଷା କରିବା ପାଇଁ ପଳାଇବାକୁ ପଡ଼ିଲା। ଯାକୁବ ଅନେକ ବର୍ଷ ପରେ ଫେରିଲେ। ସେତେବେଳେ ଏଷୌ ୪୦୦ ଲୋକଙ୍କ ସହ ତାଙ୍କୁ ଭେଟିବା ପାଇଁ ଆସିଲା। ଯାକୁବ ସାହାଯ୍ୟ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲେ। ତାʼପରେ ଏଷୌକୁ ଅନେକ ଗୃହପାଳିତ ପଶୁ ଉପହାର ଦେଲେ। ସେହି ଉପହାରର ଭଲ ପ୍ରଭାବ ପଡ଼ିଲା। ଯେତେବେଳେ ଦୁଇ ଭାଇ ଭେଟିଲେ, ସେତେବେଳ ପର୍ଯ୍ୟନ୍ତ ଏଷୌର ହୃଦୟ ତରଳି ଯାଇଥିଲା। ସେ ଦୌଡ଼ି ଯାଇ ନିଜ ଭାଇଙ୍କୁ ଆଲିଙ୍ଗନ କଲା।—ଆଦି. ୨୭:୪୧-୪୪; ୩୨:୬, ୧୧, ୧୩-୧୫; ୩୩:୪, ୧୦.
ଇନସାଇଟ୍-୧ ୯୮୦
ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର
ପନୂୟେଲରେ ଯିହୋବାଙ୍କ ଏକ ସ୍ୱର୍ଗଦୂତଙ୍କ ସହ ମଲ୍ଲଯୁଦ୍ଧ କରିବା ପରେ ଯାକୁବଙ୍କୁ ଇସ୍ରାଏଲ ନାମ ଦିଆଗଲା। ତାʼପରେ ସେ ନିଜ ଭାଇ ଏଷୌକୁ ଭେଟିଲେ ଏବଂ ତାʼ ସହ ବୁଝାମଣା କଲେ। ଏହାପରେ ସେ ସୁକ୍କୋତରେ ରହିଲେ ଏବଂ କିଛି ସମୟ ପରେ ଶିଖିମକୁ ଗଲେ। ଶିଖିମରେ ସେ ହମୋରର ସନ୍ତାନମାନଙ୍କଠାରୁ ଖଣ୍ଡେ ଭୂମି କିଣିଲେ ଏବଂ ସେଠାରେ ତମ୍ବୁ ଠିଆ କଲେ। (ଆଦି ୩୨:୨୪-୩୦; ୩୩:୧-୪, ୧୭-୧୯) ‘ପୁଣି ସେଠାରେ ଏକ ବେଦୀ ନିର୍ମାଣ କରି ତାହାର ନାମ “ପରମେଶ୍ୱର ଇସ୍ରାଏଲର ପରମେଶ୍ୱର” ରଖିଲେ।’ (ଆଦି ୩୩:୨୦) ଯାକୁବ ବେଦୀର ନାମ ନିଜ ନୂଆ ନାମ ଅନୁସାରେ କାହିଁକି ରଖିଲେ? ସେ ଏହା ଦେଖାଇବାକୁ ଚାହୁଁଥିଲେ ଯେ ସେ ଏହି ନାମକୁ ସ୍ୱୀକାର କରିଛନ୍ତି ଏବଂ ଖୁବ୍ ଆନନ୍ଦିତ ଅଛନ୍ତି। ସେ ଏହା ପାଇଁ ମଧ୍ୟ କୃତଜ୍ଞ ଥିଲେ ଯେ ଈଶ୍ୱର ତାଙ୍କୁ ପ୍ରତିଜ୍ଞା କରିଥିବା ଦେଶକୁ ସୁରକ୍ଷିତ ଭାବେ ଫେରାଇ ଆଣିଲେ। “ପରମେଶ୍ୱର ଇସ୍ରାଏଲର ପରମେଶ୍ୱର”, ଏହା ବାଇବଲରେ ମାତ୍ର ଥରେ ଆସେ।
୨୭ ଏପ୍ରିଲ୍–୩ ମେ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୪-୩୫
“କୁସଙ୍ଗତିର ଭୟଙ୍କର ପରିଣାମ”
ପ୍ର୯୭-ହି ୨/୧ ୩୦ ¶୪
ଶିଖିମ—ପ୍ରାନ୍ତରରେ ଥିବା ସହର
ଯେତେବେଳେ ଏହି କୁଆଁରୀ ଯୁବତୀ ଦୀଣା ବାରମ୍ବାର ସହରକୁ ଯାଉଥିଲା, ସେତେବେଳେ ସେଠାକାର ଯୁବକମାନଙ୍କୁ କିପରି ଲାଗିଥିବ? କʼଣ ସେମାନଙ୍କୁ ଲାଗିଥିବ ଯେ ସେ ଏକୁଟିଆ ଅଛି ଓ ତାʼ ସହ କେହି ନାହାନ୍ତି? ହୋଇପାରେ ଏପରି ଲାଗିଥିବ। ସେହି ସହରର ଦେଶାଧିପତିର ପୁତ୍ର ‘ଦୀଣାକୁ ଦେଖିଲା; ପୁଣି ତାହାକୁ ନେଇ ତାହା ସହିତ ଶୟନ କରି ତାହାକୁ ଭ୍ରଷ୍ଟା କଲା।’ ଦୀଣା ଅନୈତିକ କାମ କରୁଥିବା କିଣାନୀୟମାନଙ୍କ ସହ ସଙ୍ଗତି କରି କାହିଁକି ବିପଦକୁ ଡାକିଲା? କʼଣ ତାକୁ ଲାଗିଲା ଯେ ସେ ନିଜ ବୟସର ଯୁବତୀମାନଙ୍କ ସହ ମିଳାମିଶା କରିବା ଉଚିତ୍? କʼଣ ସେ ତାର କିଛି ଭାଇମାନଙ୍କ ଭଳି ଜିଦ୍ଖୋର ଥିଲା ଓ ନିଜ ଇଚ୍ଛା ଅନୁସାରେ ଚାଲୁଥିଲା? ସେ ଯାହା ବି ଭାବିଥାଉ ପଛେ, କିନ୍ତୁ ବାରମ୍ବାର ସହରକୁ ଯିବାର ଭୟଙ୍କର ପରିଣାମ ହେଲା। ଏହି ଘଟଣା ବିଷୟରେ ଆଦି ପୁସ୍ତକରେ ଦିଆଯାଇଛି। ଏହା ପଢ଼ନ୍ତୁ ଓ ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଯେଉଁ ଭୟଙ୍କର ପରିଣତି ହେଲା, ସେଥିରୁ ଯାକୁବ ଓ ଲେୟାଙ୍କୁ କେତେ ଦୁଃଖ ସହିବାକୁ ପଡ଼ିଥିବ ଏବଂ ସେମାନେ କେତେ ଲଜ୍ଜା ଅନୁଭବ କରିଥିବେ।—ଆଦି ପୁସ୍ତକ ୩୪:୧-୩୧; ୪୯:୫-୭.
“ବ୍ୟଭିଚାରଠାରୁ ପଳାୟନ କର”
୧୪ ଶିଖିମ ଦୀଣା ପ୍ରତି ଆକର୍ଷିତ ହୋଇଯାଇଥିଲା। ତେଣୁ ଦିନେ ସେ ‘ତାହାକୁ ନେଇ ଭ୍ରଷ୍ଟା କଲା।’ ଏହି କାମ ଶିଖିମର ଦୃଷ୍ଟିରେ ଭୁଲ ନ ଥିଲା, କାରଣ କିଣାନୀୟମାନଙ୍କ ପାଇଁ ଏହା ସାଧାରଣ କଥା ଥିଲା। (ଆଦି ପୁସ୍ତକ ୩୪:୧-୪ ପଢ଼ନ୍ତୁ।) ଏହି ଗୋଟିଏ ଅପରାଧ ଯୋଗୁଁ ଏପରି ଘଟଣାଗୁଡ଼ିକ ଘଟିଲା ଯେ ଦୀଣା ଓ ତାʼ ପରିବାରକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଲା।—ଆଦି ପୁସ୍ତକ ୩୪:୭, ୨୫-୩୧; ଗାଲାତୀୟ ୬:୭, ୮.
ପ୍ର୧୦-ହି ୧/୧ ୧୧ ¶୧-୨
ଯେବେ କେହି ଆପଣଙ୍କ ହୃଦୟକୁ ଆଘାତ ଦିଏ
ଯେଉଁମାନେ ପ୍ରତିଶୋଧ ନେବାର ସୁଯୋଗ ଖୋଜୁଥାʼନ୍ତି, ସେମାନେ ପ୍ରାୟ ନିଜ ହୃଦୟକୁ ଲାଗିଥିବା ଆଘାତକୁ କମ୍ କରିବା ପାଇଁ ଏପରି କରନ୍ତି। ଉଦାହରଣ ପାଇଁ, ବାଇବଲରେ ଥିବା ଏକ ଘଟଣା ପ୍ରତି ଧ୍ୟାନ ଦିଅନ୍ତୁ। କିଣାନ ଦେଶରେ ରହୁଥିବା ଶିଖିମ ଏବ୍ରୀ କୁଳପିତା ଯାକୁବଙ୍କ ଝିଅ ଦୀଣାକୁ ଭ୍ରଷ୍ଟା କରିଥିଲା। ଯେତେବେଳେ ଯାକୁବଙ୍କ ପୁଅମାନେ ଏହା ଜାଣିଲେ, ସେତେବେଳେ “ସେମାନେ ଅତ୍ୟନ୍ତ ଦୁଃଖିତ ଓ କ୍ରୋଧାନ୍ୱିତ ହେଲେ।” (ଆଦି ପୁସ୍ତକ ୩୪:୧-୭, NIBV) ସେମାନଙ୍କ ମଧ୍ୟରୁ ଶିମୀୟୋନ୍ ଓ ଲେବୀ ପ୍ରତିଶୋଧ ନେବା ପାଇଁ ଦୃଢ଼ ନିଷ୍ପତ୍ତି ନେଲେ। ସେମାନେ ଶଖିମ ଓ ତାʼ କୁଟୁମ୍ବ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ସେମାନେ ଛଳନା କରି କିଣାନୀୟମାନଙ୍କ ସହରରେ ପଶି ଶିଖିମ ଓ ତାʼ ସହିତ ସମସ୍ତ ପୁରୁଷମାନଙ୍କୁ ଜୀବନରେ ମାରିଦେଲେ।—ଆଦି ପୁସ୍ତକ ୩୪:୧୩-୨୭.
କʼଣ ଏପରି ରକ୍ତର ହୋରି ଖେଳିବା ଦ୍ୱାରା ମାମଲାଟି ସମାଧାନ ହୋଇଗଲା? ଯେତେବେଳେ ଯାକୁବ ତାଙ୍କ ପୁଅମାନଙ୍କର ଏହି କାମ ବିଷୟରେ ଜାଣିଲେ, ସେତେବେଳେ ସେ ଅତ୍ୟନ୍ତ ରାଗିଯାଇ ସେମାନଙ୍କୁ କହିଲେ: ‘ତୁମ୍ଭେମାନେ ଏ ଦେଶରେ ମୋତେ ଦୁର୍ଗନ୍ଧ ସ୍ୱରୂପ କରି ବ୍ୟାକୁଳ କଲ; ଏଣୁକରି ସେମାନେ ମୋʼ ବିରୁଦ୍ଧରେ ଏକତ୍ର ହୋଇ ମତେ ବଧ କରିବେ; ତହିଁରେ ସପରିବାରରେ ବିନଷ୍ଟ ହେବି।’ (ଆଦି ପୁସ୍ତକ ୩୪:୩୦) ହଁ, ପ୍ରତିଶୋଧ ନେବା ଦ୍ୱାରା ମାମଲାଟି ସମାଧାନ ହେବା ପରିବର୍ତ୍ତେ ଆହୁରି ବିଗିଡ଼ି ଗଲା। କ୍ରୋଧରେ ଥିବା ସେହି ଦେଶର ଲୋକେ ଏବେ ଯାକୁବଙ୍କ ପରିବାରର ଶତ୍ରୁ ପାଲଟି ଯାଇଥିଲେ ଏବଂ ସେମାନେ ମଧ୍ୟ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଲେ। ସେମାନେ ଯେକୌଣସି ସମୟରେ ସେମାନଙ୍କ ଉପରେ ଆକ୍ରମଣ କରିପାରିଥାʼନ୍ତେ। ତେଣୁ ଈଶ୍ୱର ଯାକୁବଙ୍କୁ ପରାମର୍ଶ ଦେଲେ ଯେ ସେ ନିଜ ପରିବାରକୁ ନେଇ ବୈଥେଲ ଚାଲିଯାʼନ୍ତୁ।—ଆଦି ପୁସ୍ତକ ୩୫:୧, ୫.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୧ ୬୦୦ ¶୪
ଦବୋରା
୧. ରିବିକାଙ୍କ ଧାତ୍ରୀ। ଯେତେବେଳେ ରିବିକା ଇସ୍ହାକଙ୍କୁ ବିବାହ କରିବା ପାଇଁ ନିଜ ପିତା ବଥୂୟେଲଙ୍କ ଘର ଛାଡ଼ି ପ୍ରତିଜ୍ଞାତ ଦେଶକୁ ଆସିଲେ, ସେତେବେଳେ ଦବୋରା ମଧ୍ୟ ତାଙ୍କ ସହ ଆସିଥିଲେ। (ଆଦି ୨୪:୫୯) ଦବୋରା ଅନେକ ବର୍ଷ ଧରି ଇସ୍ହାକଙ୍କ ଘରେ ସେବା କଲେ। ରିବିକାଙ୍କ ମୃତ୍ୟୁ ପରେ ସେ ଯାକୁବଙ୍କ କୁଟୁମ୍ବରେ ସେବା କରିବାକୁ ଲାଗିଲେ। ଏପରି ଲାଗେ ଯେ ଇସ୍ହାକ ଓ ରିବିକାଙ୍କ ବିବାହର ୧୨୫ ବର୍ଷ ପରେ ଦବୋରାଙ୍କ ମୃତ୍ୟୁ ହେଲା। ତାଙ୍କୁ ବୈଥେଲ ପାଖରେ ଏକ ବଡ଼ ଗଛ ମୂଳେ କବର ଦିଆଗଲା। ସେହି ଗଛର ନାମ ଅଲୋନ-ବାଖୁତ୍ ରଖାଗଲା, ଯାହାର ଅର୍ଥ ହେଉଛି “ଶୋକ ବୃକ୍ଷ।” ଏଥିରୁ ଜଣାପଡ଼େ ଯେ ଯାକୁବ ଓ ତାଙ୍କ ପରିବାର ଦବୋରାଙ୍କୁ ବହୁତ ପ୍ରେମ କରୁଥିଲେ।—ଆଦି ୩୫:୮.
ପ୍ର୧୭.୧୨-ହି ୧୪
ପାଠକମାନଙ୍କ ପ୍ରଶ୍ନ
କʼଣ ଖ୍ରୀଷ୍ଟଙ୍କ ପୂର୍ବପୁରୁଷ ହେବା ପାଇଁ ପ୍ରଥମଜାତ ସନ୍ତାନ ହେବା ଜରୁରୀ ଥିଲା?
ପୂର୍ବରୁ ଆମ ପ୍ରକାଶନଗୁଡ଼ିକରେ ଏପରି ହିଁ କୁହାଯାଉଥିଲା। କାରଣ ଏବ୍ରୀ ୧୨:୧୬ ପଦ ପଢ଼ି ଆମକୁ ଏପରି ହିଁ ଲାଗୁଥିଲା। ସେଠାରେ ଲେଖା ଅଛି ଯେ ଏଷୌ “ବିଧର୍ମାଚାରୀ” ହେଲା ଏବଂ ଥରକର ଖାଦ୍ୟ ନିମନ୍ତେ “ଜ୍ୟେଷ୍ଠାଧିକାର [ଯାକୁବଙ୍କୁ] ବିକ୍ରୟ” କଲା। ଏହି ପଦ ପଢ଼ି ଆମେ ବୁଝିଥିଲୁ ଯେ ଯତେବେଳେ ଯାକୁବଙ୍କୁ “ଜ୍ୟେଷ୍ଠାଧିକାର” ମିଳିଲା, ସେତେବେଳେ ତାଙ୍କୁ ଖ୍ରୀଷ୍ଟଙ୍କ ପୂର୍ବପୁରୁଷ ହେବାର ସମ୍ମାନ ମଧ୍ୟ ମିଳିଲା।—ମାଥି. ୧:୨, ୧୬; ଲୂକ ୩:୨୩, ୩୪.
କିନ୍ତୁ ବାଇବଲର ଅନ୍ୟ ପଦଗୁଡ଼ିକୁ ଅଧ୍ୟୟନ କଲେ ଜଣାପଡ଼େ ଯେ ଖ୍ରୀଷ୍ଟଙ୍କ ପୂର୍ବପୁରଷ ହେବା ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରଥମଜାତ ସନ୍ତାନ ହେବା ଜରୁରୀ ନ ଥିଲା। ଆସନ୍ତୁ ଏହାର କିଛି ଉଦାହରଣ ଦେଖିବା।
ଯାକୁବଙ୍କ (ବା ଇସ୍ରାଏଲଙ୍କ) ବଡ଼ ପୁଅ ଥିଲା ରୁବେନ୍, ଯିଏ ଲେୟାଙ୍କଠାରୁ ଜନ୍ମ ହୋଇଥିଲା। ପରେ ତାଙ୍କ ପ୍ରିୟ ପତ୍ନୀ ରାହେଲଙ୍କଠାରୁ ଯେଉଁ ପୁତ୍ର ଜନ୍ମ ହେଲେ, ସେ ଯୋଷେଫ ଥିଲେ। ଆଗକୁ ଯାଇ ରୁବେନ୍ ଏକ ଘୃଣ୍ୟ କାମ କଲା, ଯାହା ଯୋଗୁଁ ଜ୍ୟେଷ୍ଠାଧିକାର ଯୋଷେଫଙ୍କୁ ମିଳିଗଲା। (ଆଦି. ୨୯:୩୧-୩୫; ୩୦:୨୨-୨୫; ୩୫:୨୨-୨୬; ୪୯:୨୨-୨୬; ୧ ବଂଶା. ୫:୧, ୨) କିନ୍ତୁ, ଖ୍ରୀଷ୍ଟ ନା ରୁବେନ୍ର ବଂଶରୁ ଆସିଲେ, ନା ଯୋଷେଫଙ୍କ। ସେ ଯିହୁଦାଙ୍କ ବଂଶରୁ ଆସିଲେ, ଯିଏ ଲେୟାଙ୍କ ଚତୁର୍ଥ ପୁତ୍ର ଥିଲେ।—ଆଦି. ୪୯:୧୦.