ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr20 ଜୁଲାଇ ପୃଷ୍ଠା ୧-୭
  • ଜୁଲାଇ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜୁଲାଇ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୨୦)
  • ଉପଶୀର୍ଷକ
  • ୧୩-୧୯ ଜୁଲାଇ
  • ୨୦-୨୬ ଜୁଲାଇ
  • ୨୭ ଜୁଲାଇ–୨ ଅଗଷ୍ଟ
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୨୦)
mwbr20 ଜୁଲାଇ ପୃଷ୍ଠା ୧-୭

ଜୁଲାଇ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୬-୧୨ ଜୁଲାଇ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୬-୭

“ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ”

ଇନସାଇଟ୍‌-୨ ୪୩୬ ¶୩

ମୋଶା

ଇସ୍ରାଏଲୀୟମାନଙ୍କ ବିଷୟରେ ଯଦି ଦେଖିବା, ଆରମ୍ଭରେ ସେମାନଙ୍କ ପୂରା ବିଶ୍ୱାସ ଥିଲା ଯେ ମୋଶାଙ୍କୁ ଈଶ୍ୱର ପଠାଇଛନ୍ତି । କିନ୍ତୁ, ଯେତେବେଳେ ଫାରୋ ସେମାନଙ୍କ ଦ୍ୱାରା ଆହୁରି କଠିନ ପରିଶ୍ରମ କରାଇବାକୁ ଲାଗିଲା, ସେତେବେଳେ ସେମାନେ ମୋଶାଙ୍କୁ ଦୋଷ ଦେବାକୁ ଲାଗିଲେ । ସେମାନଙ୍କ କଥା ଶୁଣି ମୋଶା ଏତେ ନିରାଶ ହୋଇଗଲେ ଯେ ସେ ଅତି ଦୁଃଖରେ ଯିହୋବାଙ୍କୁ ପ୍ରାର୍ଥନା କଲେ । (ଯାତ୍ରା ୪:୨୯-୩୧; ୫:୧୯-୨୩) ତାʼପରେ ସର୍ବୋପରିସ୍ଥ ଈଶ୍ୱର ମୋଶାଙ୍କର ସାହସ ବଢ଼ାଇଲେ । ସେ ମୋଶାଙ୍କୁ କହିଲେ ଯେ ଏବେ ସେ ଏପରି କିଛି କରିବାକୁ ଯାଉଛନ୍ତି, ଯାହା ଅବ୍ରହାମ, ଇସ୍‌ହାକ ଓ ଯାକୁବ ଆଶା କରିଥିଲେ । ଯିହୋବା କହିଲେ ଯେ ସେ ମୋଶାଙ୍କ ଜରିଆରେ ତାହାଙ୍କ ନାମର ଅର୍ଥ ଇସ୍ରାଏଲୀୟମାନଙ୍କୁ ଜଣାଇବେ, ଅର୍ଥାତ୍‌ ଇସ୍ରାଏଲୀୟମାନଙ୍କୁ ଦାସତ୍ୱରୁ ମୁକ୍ତ କରିବେ ଏବଂ ପ୍ରତିଜ୍ଞା କରାଯାଇଥିବା ଦେଶରେ ସେମାନଙ୍କୁ ଏକ ବଡ଼ ରାଷ୍ଟ୍ର ଭାବେ ସଂଗଠିତ କରିବେ । (ଯାତ୍ରା ୬:୧-୮) ଏହାପରେ ମଧ୍ୟ ଇସ୍ରାଏଲୀୟମାନେ ମୋଶାଙ୍କୁ ବିଶ୍ୱାସ କଲେ ନାହିଁ । କିନ୍ତୁ ନବମ ବିପତ୍ତି ପରେ ସେମାନଙ୍କଠାରେ ଏକ ପରିବର୍ତ୍ତନ ଦେଖାଗଲା । ବର୍ତ୍ତମାନ ସେମାନେ ସମ୍ପୂର୍ଣ୍ଣ ଭାବେ ମୋଶାଙ୍କୁ ସହଯୋଗ କରିବାକୁ ଲାଗିଲେ । ସେଥିପାଇଁ ଦଶମ ବିପତ୍ତି ପରେ ମୋଶା ସେମାନଙ୍କୁ ସହଜରେ ସଂଗଠିତ କରିପାରିଲେ ଏବଂ ସେମାନେ “ସସଜ୍ଜ ହୋଇ” ବା ବ୍ୟବସ୍ଥିତ ଭାବେ ମିଶର ଦେଶରୁ ବାହାରି ଆସିପାରିଲେ ।—ଯାତ୍ରା ୧୩:୧୮.

ଇନସାଇଟ୍‌-୨ ୪୩୬ ¶୧-୨

ମୋଶା

ମିଶରର ଫାରୋ ସାମନାରେ— ଏହି ଲଢ଼େଇ ମିଶରର ଦେବତାମାନଙ୍କ ଓ ଯିହୋବାଙ୍କ ମଧ୍ୟରେ ଥିଲା । ଗୋଟିଏ ପକ୍ଷରେ, ମୋଶା ଓ ହାରୋଣ ଯିହୋବାଙ୍କ ତରଫରୁ ଏହି ଲଢ଼େଇରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲେ । ଅନ୍ୟ ପକ୍ଷରେ, ମିଶରର ମନ୍ତ୍ରଜ୍ଞ ବା ଯାଦୁବିଦ୍ୟା କରୁଥିବା ପଣ୍ଡିତମାନଙ୍କର ମୁଖିଆ ଯନ୍ନୀସ୍‌ ଓ ଯମ୍ବ୍ରୀସ୍‌ ମୋଶାଙ୍କୁ ବିରୋଧ କରୁଥିଲେ । (୨ତୀମ ୩:୮) ଫାରୋ ଏହି ମୁଖିଆମାନଙ୍କ ମାଧ୍ୟମରେ ମିଶରର ସବୁ ଦେବତାମାନଙ୍କୁ ଡାକିଲା । ସେ ଚାହୁଁଥିଲା ଯେ ସେହି ଦେବତାମାନେ ଯିହୋବାଙ୍କ ବିରୁଦ୍ଧରେ ନିଜ ଶକ୍ତି ଦେଖାନ୍ତୁ । ମୋଶାଙ୍କ ନିର୍ଦ୍ଦେଶ ପାଇ ହାରୋଣ ଫାରୋ ସାମନାରେ ଯେଉଁ ପ୍ରଥମ ଆଶ୍ଚର୍ଯ୍ୟକର୍ମ ବା ଚମତ୍କାର କଲେ, ସେଥିରୁ ପ୍ରମାଣିତ ହୋଇଗଲା ଯେ ଯିହୋବା ମିଶରର ଦେବତାମାନଙ୍କଠାରୁ ଅଧିକ ଶକ୍ତିଶାଳୀ । କିନ୍ତୁ ଏଥିରେ ଫାରୋ ପରିବର୍ତ୍ତନ ହେଲା ନାହିଁ ଏବଂ ନିଜ ଜିଦ୍‌ ଛାଡ଼ିଲା ନାହିଁ । (ଯାତ୍ରା ୭:୮-୧୩) ଏହାର କିଛି ସମୟ ପରେ, ଯେତେବେଳେ ଯିହୋବା ତୃତୀୟ ବିପତ୍ତି ଆଣିଲେ, ସେତେବେଳେ ମନ୍ତ୍ରଜ୍ଞମାନଙ୍କୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିଲା: “ଏ ତ ପରମେଶ୍ୱରଙ୍କ ଅଙ୍ଗୁଳିକୃତ କର୍ମ ।” ତାʼପରେ, ଯେତେବେଳେ ଯିହୋବା ଆଉ ଏକ ବିପତ୍ତି ଆଣିଲେ ଏବଂ ମନ୍ତ୍ରଜ୍ଞମାନଙ୍କ ଶରୀରରେ ବଥ ବାହାରି ଆସିଲା, ସେତେବେଳେ ସେମାନଙ୍କ ପରିସ୍ଥିତି ଏତେ ଦୟନୀୟ ହୋଇଗଲା ଯେ ସେମାନେ ନା ଫାରୋ ସାମନାରେ ଆସିପାରିଲେ ନା ସେସମୟରେ ମୋଶାଙ୍କୁ ବିରୋଧ କରିପାରିଲେ ।—ଯାତ୍ରା ୮:୧୬-୧୯; ୯:୧୦-୧୨.

ବିପତ୍ତିରୁ କିଛି ଲୋକଙ୍କ ହୃଦୟ ନରମ ହେଲା, ତ ଆଉ କିଛି ଲୋକଙ୍କ କଠୋର । ମୋଶା ଓ ହାରୋଣ ପ୍ରତ୍ୟେକ ବିପତ୍ତି ଆସିବା ପୂର୍ବରୁ ତାର ଘୋଷଣା କଲେ । ସେମାନେ ଯେପରି କହିଲେ, ଠିକ୍‌ ସେହିପରି ହେଲା । ଏଥିରୁ ପ୍ରମାଣିତ ହୋଇଗଲା ଯେ ମୋଶାଙ୍କୁ ଯିହୋବା ହିଁ ପଠାଇଛନ୍ତି । ମିଶରରେ ପ୍ରତ୍ୟେକ ଜାଗାରେ ଯିହୋବାଙ୍କ ନାମର ପ୍ରଚାର ହେଉଥିଲା ଏବଂ ତାହାଙ୍କ ବିଷୟରେ ଚର୍ଚ୍ଚା ହେଉଥିଲା । ଏହାଫଳରେ ଯିହୋବାଙ୍କ ନାମ ପ୍ରତି ଲୋକମାନଙ୍କର ଦୁଇଟି ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଦେଖାଗଲା । ଇସ୍ରାଏଲୀୟ ଓ କିଛି ମିଶରୀୟମାନଙ୍କ ହୃଦୟ ନରମ ହେଲା, କିନ୍ତୁ ଅନ୍ୟପକ୍ଷରେ ଫାରୋ, ତାର ସବୁ ପରାମର୍ଶଦାତା ଓ ତାକୁ ସମର୍ଥନ କରୁଥିବା ସମସ୍ତଙ୍କର ହୃଦୟ ଆହୁରି କଠୋର ହୋଇଗଲା । (ଯାତ୍ରା ୯:୧୬; ୧୧:୧୦; ୧୨:୨୯-୩୯) ମିଶରୀୟମାନେ ଭଲ ଭାବେ ଜାଣିଥିଲେ ଯେ ସେମାନଙ୍କ ଉପରେ ଏସବୁ ବିପତ୍ତି ଏଥିପାଇଁ ଆସି ନ ଥିଲା କାରଣ ସେମାନଙ୍କ ଦେବତାମାନେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଥିଲେ, ବରଂ ଏଥିପାଇଁ ଯେ ଯିହୋବା ସେମାନଙ୍କ ଦେବତାମାନଙ୍କୁ ଦଣ୍ଡ ଦେଉଥିଲେ । ନବମ ବିପତ୍ତି ପରେ “ଫାରୋଙ୍କର ଦାସମାନଙ୍କ ଓ ଲୋକମାନଙ୍କ ଦୃଷ୍ଟିରେ ମୋଶା ଅତି ସମ୍ଭ୍ରାନ୍ତ ପୁରୁଷ ହେଲେ,” ଅର୍ଥାତ୍‌ ସେମାନେ ମୋଶାଙ୍କୁ ବହୁତ ସମ୍ମାନ କରିବାକୁ ଲାଗିଲେ ।—ଯାତ୍ରା ୧୧:୩.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୧ ୭୮ ¶୩-୪

ସର୍ବଶକ୍ତିମାନ

ଅବ୍ରହାମଙ୍କଠାରୁ ଇସ୍‌ହାକ ଜନ୍ମ ହେବେ ବୋଲି ଯେତେବେଳେ ଯିହୋବା ତାଙ୍କୁ ପ୍ରତିଜ୍ଞା କଲେ, ସେତେବେଳେ ଯିହୋବା ନିଜ ପାଇଁ “ସର୍ବଶକ୍ତିମାନ ପରମେଶ୍ୱର” (ଏବ୍ରୀ ଭାଷାରେ ଏଲ୍‌ ସଦ୍ଦାୟ) ଉପାଧି ବ୍ୟବହାର କଲେ । ଏହି ପ୍ରତିଜ୍ଞା ଉପରେ ଭରସା କରିବା ପାଇଁ ଅବ୍ରହାମଙ୍କୁ ଦୃଢ଼ ବିଶ୍ୱାସ ରଖିବାର ଥିଲା ଯେ ଯିହୋବାଙ୍କ ପାଖରେ ନିଜ ପ୍ରତିଜ୍ଞା ପୂରଣ କରିବାର ଶକ୍ତି ରହିଛି । ଏହାପରେ, ଯେତେବେଳେ ଯିହୋବା ଅବ୍ରହାମଙ୍କ ସହ କରିଥିବା ଚୁକ୍ତିର ଆଶିଷଗୁଡ଼ିକୁ ତାଙ୍କ ଉତ୍ତରାଧିକାରୀ ଇସ୍‌ହାକ ଓ ଯାକୁବଙ୍କୁ ଦେଲେ, ସେତେବେଳେ ମଧ୍ୟ ସେ ନିଜକୁ “ସର୍ବଶକ୍ତିମାନ ପରମେଶ୍ୱର” ବୋଲି କହିଲେ ।—ଆଦି ୧୭:୧; ୨୮:୩; ୩୫:୧୧; ୪୮:୩.

ଏକଥାକୁ ଧ୍ୟାନରେ ରଖି, ପରେ ଯିହୋବା ମୋଶାଙ୍କୁ କହିଲେ, “ଆମ୍ଭେ ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ୱର [ବି ଏଲ୍‌ ସଦ୍ଦାୟ] ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବାଃ ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ ।” (ଯାତ୍ରା ୬:୩) ଏହାର ଅର୍ଥ ନୁହେଁ ଯେ ଏହି କୁଳପିତାମାନେ ଯିହୋବାଙ୍କ ନାମ ଜାଣି ନ ଥିଲେ । ସେମାନେ ଓ ସେମାନଙ୍କ ପୂର୍ବରୁ ବଞ୍ଚିଥିବା ଲୋକମାନେ ଅନେକଥର ଯିହୋବାଙ୍କ ନାମ ନେଇଥିଲେ । (ଆଦି ୪:୧, ୨୬; ୧୪:୨୨; ୨୭:୨୭; ୨୮:୧୬) ଆଦି ପୁସ୍ତକ ବହିରେ କୁଳପିତାମାନଙ୍କର ଜୀବନୀ ବିଷୟରେ କୁହାଯାଇଛି । କିନ୍ତୁ ମୂଳ ଏବ୍ରୀ ପାଠରେ ଏହି ବହିରେ “ସର୍ବଶକ୍ତିମାନ” ଶବ୍ଦ କେବଳ ଛଅ ଥର ଆସେ, କିନ୍ତୁ ଯିହୋବାଙ୍କ ନାମ ୧୭୨ ଥର ଆସେ । ଯିହୋବା ହିଁ “ସର୍ବଶକ୍ତିମାନ” ଉପାଧିର ଅଧିକାରୀ ଅଟନ୍ତି ବୋଲି ଏହି କୁଳପିତାମାନେ ନିଜ ଅନୁଭବରୁ ଜାଣିଲେ ତାହା ସତ, କିନ୍ତୁ ସେମାନେ ଏହା ଜାଣି ନ ଥିଲେ କିମ୍ବା ଅନୁଭବ କରି ନ ଥିଲେ ଯେ ଯିହୋବା ନାମର ପ୍ରକୃତ ଅର୍ଥ କʼଣ । ଏବିଷୟରେ ଦି ଇଲୁଷ୍ଟ୍ରେଟେଡ ବାଇବଲ ଡିକ୍ସନାରୀର ସମ୍ପାଦକ ଜେ. ଡି. ଡଗ୍ଲାସ କହିଲେ ଯେ ଈଶ୍ୱର କୁଳପିତାମାନଙ୍କର ଭବିଷ୍ୟତ ବିଷୟରେ ଅନେକ ପ୍ରତିଜ୍ଞା କରିଥିଲେ । ସର୍ବଶକ୍ତିମାନ ହୋଇଥିବାରୁ ଯିହୋବା ସେଗୁଡ଼ିକୁ ପୂରଣ କରିବାର ସାମର୍ଥ୍ୟ ରଖନ୍ତି । ଯେତେବେଳେ ସେ ଜଳୁଥିବା ବୁଦା ପାଖରେ ମୋଶାଙ୍କ ସହ କଥା ହେଲେ, ସେତେବେଳେ ସେ ଦୂର ଭବିଷ୍ୟତରେ ହେବାକୁ ଯାଉଥିବା କୌଣସି କଥା ବିଷୟରେ କହୁ ନ ଥିଲେ । ଯିହୋବା ନାମର ଅର୍ଥ ଅନୁସାରେ ସେ ମୋଶାଙ୍କୁ ଏହି ଭରସା ଦେଉଥିଲେ ଯେ ସେ ଏବେଠାରୁ ତାଙ୍କୁ ଜରୁରୀ ସାମର୍ଥ୍ୟ ଦେବେ ଏବଂ ତାଙ୍କ ସହିତ ରହିବେ ।

ଇନସାଇଟ୍‌-୨ ୪୩୫ ¶୫

ମୋଶା

ମୋଶା ଲାଜକୁଳା ସ୍ୱଭାବର ବ୍ୟକ୍ତି ଥିଲେ, ତଥାପି ଯିହୋବା ତାଙ୍କୁ ଅଯୋଗ୍ୟ ମନେ କଲେ ନାହିଁ । ୪୦ ବର୍ଷ ପୂର୍ବେ ମୋଶା ଭାବୁଥିଲେ ଯେ ସେ ହିଁ ଇସ୍ରାଏଲୀୟମାନଙ୍କୁ ଦାସତ୍ୱରୁ ମୁକ୍ତ କରିବେ । ଏ କ୍ଷେତ୍ରରେ ସେ କିଛି ପଦକ୍ଷେପ ମଧ୍ୟ ନେଇଥିଲେ । କିନ୍ତୁ ବର୍ତ୍ତମାନ ସେ କେତେ ବଦଳି ଯାଇଥିଲେ ! ସେ ନିଜକୁ ଏହି ଦାୟିତ୍ୱ ପାଇଁ ଯୋଗ୍ୟ ଭାବୁ ନ ଥିଲେ । ଏପରିକି ସେ ଏହା ମଧ୍ୟ କହିଲେ ଯେ ସେ ସ୍ପଷ୍ଟ ଭାବେ କଥା ହୋଇପାରନ୍ତି ନାହିଁ । ମୋଶା ଆଦୌ ରାଜି ହେଲେ ନାହିଁ ଏବଂ ଶେଷରେ ସେ ଯିହୋବାଙ୍କୁ କହିଲେ ଯେ ଏହି କାମ ସେ ଅନ୍ୟ କାହାରିକୁ ଦେଇ ଦିଅନ୍ତୁ । ଏହା ସତ ଯେ ଏହା ଶୁଣି ଯିହୋବା ରାଗିଗଲେ, ତଥାପି ସେ ମୋଶାଙ୍କୁ ପରିତ୍ୟାଗ କଲେ ନାହିଁ, ବରଂ ସେ ତାଙ୍କ ଭାଇ ହାରୋଣଙ୍କୁ ନିଯୁକ୍ତ କଲେ, ଯିଏ ମୋଶାଙ୍କ ତରଫରୁ କହନ୍ତେ । ମୋଶା ଇଶ୍ୱରଙ୍କ ବାର୍ତ୍ତା ହାରୋଣଙ୍କୁ ଦିଅନ୍ତେ ଏବଂ ହାରୋଣ ସେହି ବାର୍ତ୍ତାକୁ ଅନ୍ୟମାନଙ୍କୁ ଶୁଣାନ୍ତେ । ଆଗକୁ ଯାଇ, ଯେତେବେଳେ ମୋଶା ଇସ୍ରାଏଲର ପ୍ରାଚୀନମାନଙ୍କୁ ଭେଟିଲେ ଏବଂ ପରେ ଫାରୋର ସମ୍ମୁଖରେ ବାରମ୍ବାର ଗଲେ (୪୦ ବର୍ଷ ପୂର୍ବେ ମୋଶା ଯେଉଁ ଫାରୋଠାରୁ ପଳାୟନ କରିଥିଲେ, ଏହି ଫାରୋ ତାର ବଂଶଜ ଥିଲା), ସେତେବେଳେ ଏପରି ଜଣାପଡ଼େ ଯେ ଯିହୋବା ଯେଉଁ ପରାମର୍ଶ ଓ ଆଜ୍ଞାଗୁଡ଼ିକ ମୋଶାଙ୍କୁ ଦେଲେ, ମୋଶା ସେଗୁଡ଼ିକୁ ହାରୋଣଙ୍କୁ କହିଲେ ଏବଂ ହାରୋଣ ସେ ସବୁକଥା ଫାରୋକୁ ଜଣାଇଲେ । ଏହିପରି ଭାବେ, ମୋଶା ହାରୋଣଙ୍କ ପାଇଁ “ପରମେଶ୍ୱର” ଭଳି ହେଲେ । (ଯାତ୍ରା ୨:୨୩; ୪:୧୦-୧୭) ପରେ ଯିହୋବା ହାରୋଣଙ୍କୁ ମୋଶାଙ୍କ “ଭବିଷ୍ୟଦ୍‌ବକ୍ତା” କହିଲେ । ଏହାର ଅର୍ଥ ଥିଲା ଯେ ଯେପରି ମୋଶା ଈଶ୍ୱରଙ୍କ ଭବିଷ୍ୟଦ୍‌ବକ୍ତା ଥିଲେ, ଅର୍ଥାତ୍‌ ତାହାଙ୍କ ନିର୍ଦ୍ଦେଶଗୁଡ଼ିକ ଅନୁଯାୟୀ କାମ କରୁଥିଲେ, ଠିକ୍‌ ସେହିପରି ହାରୋଣ ମଧ୍ୟ ମୋଶାଙ୍କ ନିର୍ଦ୍ଦେଶଗୁଡ଼ିକ ଅନୁଯାୟୀ କାମ କରୁଥିଲେ । ଈଶ୍ୱର ଏହା ମଧ୍ୟ କହିଲେ ଯେ ସେ ମୋଶାଙ୍କୁ “ଫାରୋ ନିକଟରେ ପରମେଶ୍ୱର ତୁଲ୍ୟ” କରିବେ, ଅର୍ଥାତ୍‌ ତାଙ୍କୁ ଈଶ୍ୱରଙ୍କ ତରଫରୁ ଶକ୍ତି ଓ ଫାରୋ ଉପରେ ଅଧିକାର ମିଳିବ । ଏହି କାରଣରୁ ମୋଶା ମିଶରର ରାଜାକୁ ଡରିବାର ଆବଶ୍ୟକ ନ ଥିଲା ।—ଯାତ୍ରା ୭:୧, ୨.

୧୩-୧୯ ଜୁଲାଇ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୮-୯

“ଅହଙ୍କାରୀ ଫାରୋ ଅଜାଣତରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ କଲା”

ଇନସାଇଟ୍‌-୨ ୧୦୪୦-୧୦୪୧

ଜିଦ୍‌ଖୋର

ଏହା ସତ ଯେ କିଛି ଲୋକ ଓ ରାଷ୍ଟ୍ରଗୁଡ଼ିକ ମୃତ୍ୟୁଦଣ୍ଡର ଯୋଗ୍ୟ ଥିଲେ, କିନ୍ତୁ ଯିହୋବା ଧୈର୍ଯ୍ୟ ଦେଖାଇଲେ ଏବଂ ସେମାନଙ୍କୁ ଜୀବିତ ରହିବାକୁ ଦେଲେ । (ଆଦି ୧୫:୧୬; ୨ପିତ ୩:୯) କିଛି ଲୋକମାନେ ଯିହୋବାଙ୍କ ଦୟା ପାଇବା ପାଇଁ ନିଜକୁ ପରିବର୍ତ୍ତନ କଲେ । (ଯିହୋ ୨:୮-୧୪; ୬:୨୨, ୨୩; ୯:୩-୧୫) କିନ୍ତୁ କିଛି ଲୋକମାନଙ୍କର ମନ ଆହୁରି କଠୋର ହୋଇଗଲା ଏବଂ ସେମାନେ ଈଶ୍ୱର ଓ ତାହାଙ୍କ ଲୋକମାନଙ୍କୁ କଡ଼ା ବିରୋଧ କରିବାକୁ ଲାଗିଲେ । (ଦ୍ୱିବି ୨:୩୦-୩୩; ଯିହୋ ୧୧:୧୯, ୨୦) ଯିହୋବା ଏହି ଲୋକମାନଙ୍କୁ ଜିଦ୍‌ଖୋର ହେବାକୁ ଦେଲେ । ତେଣୁ ଏହା କୁହାଯାଇପାରିବ ଯେ ସେ ସେମାନଙ୍କୁ “ଜିଦ୍‌ଖୋର ରହିବାକୁ ଦେଲେ” କିମ୍ବା ସେମାନଙ୍କ ‘ମନ କଠିନ କରିଦେଲେ ।’ ଯିହୋବା ସଠିକ୍‌ ସମୟରେ ଜିଦ୍‌ଖୋର ଲୋକମାନଙ୍କୁ ବିନାଶ କରି ପ୍ରମାଣିତ କରନ୍ତି ଯେ ତାହାଙ୍କ ପାଖରେ କେତେ ଶକ୍ତି ଅଛି । ଆଉ, ଏପରି କରି ସେ ନିଜ ନାମର ମହିମା କରନ୍ତି ।—ଯାତ୍ରା ୪:୨୧; ଯୋହ ୧୨:୪୦; ରୋମୀ ୯:୧୪-୧୮ ସହ ତୁଳନା କରନ୍ତୁ ।

ଇନସାଇଟ୍‌-୨ ୧୧୮୧ ¶୩-୫

ଦୁଷ୍ଟତା

ଏହା ଛଡ଼ା, ଯିହୋବା ଈଶ୍ୱର ଘଟଣାଗୁଡ଼ିକୁ ଏପରି ମୋଡ଼ ଦିଅନ୍ତି, ଯାହାଫଳରେ ଦୁଷ୍ଟଲୋକମାନେ ଅଜାଣତରେ ତାହାଙ୍କ ଉଦ୍ଦେଶ୍ୟ ପୂରା କରନ୍ତି । ଏହା ସତ ଯେ ଦୁଷ୍ଟ ଲୋକମାନେ ଈଶ୍ୱରଙ୍କର ବିରୋଧ କରନ୍ତି, କିନ୍ତୁ ଯିହୋବା ସେମାନଙ୍କୁ ଏହି ଅନୁମତି ଦିଅନ୍ତି ନାହିଁ ଯେ ସେମାନେ ତାହାଙ୍କ ବିଶ୍ୱସ୍ତ ସେବକମାନଙ୍କର ପ୍ରାଣ ନେଇପାରିବେ । ଯିହୋବା ସେମାନଙ୍କ ଦୁଷ୍ଟ କାମଗୁଡ଼ିକରୁ ମଧ୍ୟ ନିଜକୁ ଧାର୍ମିକ ପ୍ରମାଣିତ କରିପାରନ୍ତି । (ରୋମୀ ୩:୩-୫, ୨୩-୨୬; ୮:୩୫-୩୯; ଗୀତ ୭୬:୧୦) ଏହି କଥା ହିତୋପଦେଶ ୧୬:୪ ପଦରେ କୁହାଯାଇଛି: “ସଦାପ୍ରଭୁ ପ୍ରତ୍ୟେକ ବିଷୟକୁ ତହିଁର ନିଜ ଉଦ୍ଦେଶ୍ୟ ସାଧନ ନିମନ୍ତେ କରିଅଛନ୍ତି; ଦୁଷ୍ଟକୁ ହିଁ ଦୁର୍ଦ୍ଦିନ ନିମନ୍ତେ ।”

ଫାରୋର ଉଦାହରଣ ନିଅନ୍ତୁ । ଯିହୋବା ମୋଶା ଓ ହାରୋଣଙ୍କ ମାଧ୍ୟମରେ ତାକୁ କହିଲେ ଯେ ସେ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେଉ, ଯେଉଁମାନେ ମିଶରରେ ଦାସତ୍ୱରେ ଥିଲେ । ଈଶ୍ୱର ଫାରୋକୁ ଦୁଷ୍ଟ କରି ନ ଥିଲେ, କିନ୍ତୁ ସେ ଫାରୋକୁ ଜୀବିତ ରହିବାକୁ ଦେଲେ ଏବଂ ଘଟଣାଗୁଡ଼ିକର ମୋଡ଼ ଏପରି ଭାବେ ବଦଳାଇଦେଲେ, ଯାହାଫଳରେ ଏହା ପ୍ରମାଣିତ ହୋଇଗଲା ଯେ ସେ ଦୁଷ୍ଟ ଅଟେ ଏବଂ ମୃତ୍ୟୁଦଣ୍ଡର ଯୋଗ୍ୟ ଅଟେ । ଯାତ୍ରା ପୁସ୍ତକ ୯:୧୬ ପଦରେ ଆମେ ବୁଝିପାରୁ ଯେ ଯିହୋବା ଏପରି କାହିଁକି କରିଥିଲେ । ସେଠାରେ ଲେଖା ଅଛି, “ତୁମ୍ଭକୁ ଆପଣା ପରାକ୍ରମ ଦେଖାଇବାକୁ ଓ ସମୁଦାୟ ପୃଥିବୀରେ ଯେପରି ଆମ୍ଭର ନାମ କୀର୍ତ୍ତିତ ହେବ, ପ୍ରକୃତରେ ଏଥିପାଇଁ ଆମ୍ଭେ ତୁମ୍ଭକୁ ସ୍ଥାପନ କରି ରଖିଅଛୁ ।”

ମିଶର ଦେଶରେ ଦଶଟି ବିପତ୍ତି ଆସିଲା । ତାʼପରେ ଫାରୋ ଓ ତାʼର ସେନାକୁ ଲାଲ ସାଗରରେ ଯିହୋବା ବିନାଶ କରିଦେଲେ । ଏହା ଯିହୋବାଙ୍କ ଶକ୍ତିର ଅସାଧାରଣ ପ୍ରମାଣ ଥିଲା । (ଯାତ୍ରା ୭:୧୪–୧୨:୩୦; ଗୀତ ୭୮:୪୩-୫୧; ୧୩୬:୧୫) ଏହି ଘଟଣାର ବହୁ ବର୍ଷ ପରେ ମଧ୍ୟ ମିଶରର ଆଖପାଖରେ ଥିବା ରାଷ୍ଟ୍ରଗୁଡ଼ିକର ଲୋକମାନେ ଏବିଷୟରେ ଚର୍ଚ୍ଚା କରୁଥିଲେ ଯେ ଯିହୋବା କିପରି ଭାବେ ନିଜ ଲୋକମାନଙ୍କୁ ରକ୍ଷା କଲେ । ଏହିପରି ଭାବେ, ସାରା ପୃଥିବୀରେ ଯିହୋବାଙ୍କ ନାମର ପ୍ରଚାର ହେଲା । (ଯିହୋ ୨:୧୦, ୧୧; ୧ଶାମୁ ୪:୮) ଯଦି ଯିହୋବା ଫାରୋକୁ ପୂର୍ବରୁ ବିନାଶ କରିଥାʼନ୍ତେ, ତେବେ ତାଙ୍କ ଶକ୍ତି ଏଭଳି ଅସାଧାରଣ ଭାବେ ପ୍ରମାଣିତ ହୋଇ ନ ଥାʼନ୍ତା । ଏହା ସହିତ, ତାହାଙ୍କ ନାମର ଏପରି ମହିମା ହୋଇ ନ ଥାʼନ୍ତା ଏବଂ ତାହାଙ୍କ ଲୋକମାନଙ୍କୁ ଏଭଳି ଅସାଧାରଣ ଭାବେ ଉଦ୍ଧାର କରାଯାଇ ନ ଥାʼନ୍ତା ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୧ ୮୭୮

ଦଂଶକାଦିର ଝାଙ୍କ

ମିଶରରେ ଆସିଥିବା ଚତୁର୍ଥ ବିପତ୍ତିରେ ମାଛିମାନଙ୍କର ଆକ୍ରମଣ ହେଲା (ଚତୁର୍ଥ ବିପତ୍ତି ଓ ତାʼପରେ ଆସିଥିବା ସମସ୍ତ ବିପତ୍ତି ଗୋଶନ ପ୍ରଦେଶରେ ରହୁଥିବା ଇସ୍ରାଏଲୀୟମାନଙ୍କ ଉପରେ ଆସିଲା ନାହିଁ) । ଏହି ମାଛିମାନଙ୍କ ପାଇଁ ମୂଳ ଏବ୍ରୀ ପାଠରେ ଯେଉଁ ଏବ୍ରୀ ଶବ୍ଦର ବ୍ୟବହାର କରାଯାଇଛି, ତାହା ହେଉଛି ଏରଭ । କିନ୍ତୁ ଏହି ମାଛି କେଉଁ ପ୍ରକାରର ମାଛି ଥିଲେ, ଏବିଷୟରେ ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ । (ଯାତ୍ରା ୮:୨୧, ୨୨, ୨୪, ୨୯, ୩୧; ଗୀତ ୭୮:୪୫; ୧୦୫:୩୧) ଏରଭ ଶବ୍ଦର ଅନୁବାଦ “ଦଂଶକାଦିର ଝାଙ୍କ” ବୋଲି କରାଯାଇଛି । ବିଭିନ୍ନ ବାଇବଲରେ ଏହାକୁ ଭିନ୍ନ ଭିନ୍ନ ଭାବେ ଅନୁବାଦ କରାଯାଇଛି, ଯେପରି—“ଡାଉଁଶ ଝାଙ୍କ” (NIBV) ଓ “ରକ୍ତ ଶୋଷୁଥିବା ମାଛି” (ନୂତନ ଜଗତ ଅନୁବାଦ) ।

ଏହି ରକ୍ତ ଶୋଷୁଥିବା ମାଛିମାନେ ହୁଏତ ଭିନ୍ନ ଭିନ୍ନ ପ୍ରକାରର ଘୋଡ଼ାମାଛି (ହର୍ସଫ୍ଲାଏଜ୍‌) କିମ୍ବା ଗାଈମାଛି (ବଟଫ୍ଲାଏଜ୍‌) ହୋଇଥିବେ । ମାଈ ଘୋଡ଼ାମାଛି ସାଧାରଣତଃ ପଶୁ ଓ ମଣିଷମାନଙ୍କୁ ଡଙ୍କ ମାରେ ଏବଂ ସେମାନଙ୍କ ରକ୍ତ ଶୋଷିଥାଏ । ସେହିପରି ଗାଈମାଛି ଯେତେବେଳେ ଡଙ୍କ ମାରେ, ତାର ଲାର୍ଭା (କୀଟର ପ୍ରଥମ ଅବସ୍ଥା) ପଶୁ ଓ ମଣିଷମାନଙ୍କ ଶରୀରରେ ପରଜୀବି ଭଳି ରହିଯାଏ । ଗ୍ରୀଷ୍ମ ଓ ଉଷ୍ମମଣ୍ଡଳ ଅଞ୍ଚଳରେ ଦେଖା ଯାଉଥିବା ଗାଈମାଛିମାନେ ପ୍ରାୟ ସବୁବେଳେ ମଣିଷମାନଙ୍କୁ ହଇରାଣ କରନ୍ତି । ତେଣୁ ଆମେ ଅନୁମାନ କରିପାରିବା ଯେ ଯେତେବେଳେ ମିଶରର ଲୋକମାନଙ୍କୁ ଓ ସେମାନଙ୍କ ପଶୁମାନଙ୍କୁ ଏହି ରକ୍ତ ଶୋଷୁଥିବା ମାଛିମାନେ ଆକ୍ରମଣ କରିଥିବେ, ସେତେବେଳେ ସେମାନେ କେତେ କଷ୍ଟ ପାଇଥିବେ ଏବଂ ହୁଏତ କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିବ ।

ପ୍ର୦୪-ହି ୩/୧୫ ୨୫ ¶୯

ଯାତ୍ରା ପୁସ୍ତକ ବହିର ମୁଖ୍ୟାଂଶ

୮:୨୬, ୨୭—ମୋଶା କାହିଁକି କହିଲେ ଯେ ଇସ୍ରାଏଲୀୟମାନଙ୍କ ବଳିଦାନ “ମିସ୍ରୀୟମାନଙ୍କର ଘୃଣାଜନକ ବଳିଦାନ” ହେବ ? ମିଶର ଦେଶରେ ଅନେକ ପଶୁମାନଙ୍କୁ ପୂଜା କରାଯାଉଥିଲା । ତେଣୁ ସେମାନଙ୍କ ଦୃଷ୍ଟିରେ ପଶୁଗୁଡ଼ିକର ବଳି ଚଢ଼ାଇବା ଏକ ଘୃଣିତ କାମ ଥିଲା । ଯେତେବେଳେ ମୋଶା ଯିହୋବାଙ୍କ ଉପାସନା କରିବା ପାଇଁ ଇସ୍ରାଏଲୀୟମାନଙ୍କୁ ଛାଡ଼ି ଦେବାକୁ ଅନୁରୋଧ କଲେ, ସେତେବେଳେ ବଳିଦାନ ବିଷୟରେ କହିବାରୁ ତାଙ୍କୁ ନିଜ ଅନୁରୋଧକୁ ଯୁକ୍ତିଯୁକ୍ତ ପ୍ରମାଣିତ କରିବା ପାଇଁ ଯଥାର୍ଥ କାରଣ ମିଳିଲା ।

୨୦-୨୬ ଜୁଲାଇ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୦-୧୧

“ମୋଶା ଓ ହାରୋଣ ଅଦ୍ଭୁତ ସାହସ ଦେଖାଇଲେ”

ପ୍ର୦୯-ହି ୭/୧୫ ୨୦ ¶୬

ଯୀଶୁଙ୍କ ଭଳି ସାହସର ସହିତ ପ୍ରଚାର କରନ୍ତୁ

୬ ଟିକେ ଭାବନ୍ତୁ, ଫାରୋ ସହ କଥା ହେବା ପାଇଁ ମୋଶାଙ୍କୁ କେତେ ସାହସ ବାନ୍ଧିବାକୁ ପଡ଼ିଥିବ ! କାହିଁକି ? କାରଣ ମିଶରର ରାଜାମାନଙ୍କୁ ଲୋକେ ନା କେବଳ ଦେବତାମାନଙ୍କର ପ୍ରତିନିଧି ବରଂ ସାକ୍ଷାତ ଦେବତା ବୋଲି ମାନୁଥିଲେ । ସେମାନଙ୍କୁ ଲୋକେ ରା ବା ସୂର୍ଯ୍ୟଦେବତାର ପୁତ୍ର ଭାବେ ଉପାସନା କରୁଥିଲେ । ଅନ୍ୟ ରାଜାମାନଙ୍କ ଭଳି ଏହି ଫାରୋ ମଧ୍ୟ ହୁଏତ ନିଜ ମୂର୍ତ୍ତିର ପୂଜା କରିଥାଇପାରେ । ଫାରୋ ଯାହା ଆଦେଶ କରୁଥିଲା ତାହା ନିୟମ ହୋଇ ଯାଉଥିଲା ଏବଂ ସେହି ନିୟମକୁ କେହି ବଦଳାଇପାରୁ ନ ଥିଲେ । ସେ ଅନ୍ୟ କାହାରି କଥାକୁ ଶୁଣୁ ନ ଥିଲା । ସେହି ଶକ୍ତିଶାଳୀ, ଅହଙ୍କାରୀ ଓ ଜିଦ୍‌ଖୋର ମଣିଷ ସାମନାରେ ମୋଶାଙ୍କୁ ବାରମ୍ବାର ଆସିବାର ଥିଲା । କିନ୍ତୁ ଯଦି କେହି ଫାରୋର ବିନା ଅନୁମତିରେ ତାʼ ପାଖକୁ ଯାଉଥିଲା, ତେବେ ଫାରୋ ଏହା ଆଦୌ ପସନ୍ଦ କରୁ ନ ଥିଲା । ମୋଶା ଫାରୋକୁ କʼଣ ସନ୍ଦେଶ ଶୁଣାଇଲେ ? ମିଶର ଦେଶ ଉପରେ ଭୟଙ୍କର ବିପତ୍ତିଗୁଡ଼ିକ ଆସିବ । ଆଉ, ମୋଶା ଫାରୋ ସାମନାରେ କʼଣ ଦାବି କଲେ ? ସେ କହିଲେ ଯେ ଫାରୋ ନିଜ ଲକ୍ଷ ଲକ୍ଷ ଇସ୍ରାଏଲୀୟ ଦାସମାନଙ୍କୁ ମିଶର ଛାଡ଼ିବା ପାଇଁ ଅନୁମତି ଦେଉ । କʼଣ ଏହି କାମ ପାଇଁ ମୋଶାଙ୍କୁ ସାହସ ଦରକାର ଥିଲା ? ହଁ ନିଶ୍ଚୟ ।—ଗଣ. ୧୨:୩; ଏବ୍ରୀ ୧୧:୨୭.

ଇନସାଇଟ୍‌-୨ ୪୩୬ ¶୪

ମୋଶା

ଫାରୋର ସାମନାକୁ ଯିବା ପାଇଁ ସାହସ ଓ ବିଶ୍ୱାସ ଆବଶ୍ୟକ ଥିଲା । ମୋଶା ଓ ହାରୋଣ ଯିହୋବାଙ୍କ ଶକ୍ତିରେ ହିଁ ଫାରୋ ସାମନାରେ ଉପସ୍ଥିତ ହୋଇପାରିଲେ । ସେମାନଙ୍କ ଉପରେ ଯିହୋବାଙ୍କ ପବିତ୍ର ଶକ୍ତି କାମ କରୁଥିଲା । ଟିକେ ଏ ଦୃଶ୍ୟ ବିଷୟରେ କଳ୍ପନା କରନ୍ତୁ । ସେତେବେଳର ସବୁଠାରୁ ଶକ୍ତିଶାଳୀ ଦେଶ ବା ବିଶ୍ୱଶକ୍ତି ମିଶରର ରାଜା ଫାରୋ ନିଜ ଦରବାରରେ ବସିଛି । ତାʼର ରାଜକୀୟ ବୈବଭ ଅତି ସୁନ୍ଦର ! ଅହଙ୍କାରୀ ଫାରୋ ନିଜକୁ ଦେବତା ବୋଲି ଭାବେ । ତାʼ ଆଖପାଖରେ ତାʼର ପରାମର୍ଶଦାତା, ସେନାପତି, ପ୍ରହରୀ ଓ ଦାସମାନେ ଠିଆ ହୋଇଛନ୍ତି । ଏହା ଛଡ଼ା, ସେଠାକାର ମନ୍ତ୍ରଜ୍ଞ ବା ଯାଦୁବିଦ୍ୟା କରୁଥିବା ପଣ୍ଡିତମାନେ ମଧ୍ୟ ଅଛନ୍ତି, ଯେଉଁମାନେ ମୋଶାଙ୍କ ବିରୁଦ୍ଧରେ ଅଛନ୍ତି । ଏ ସମସ୍ତେ ମିଶରର ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି ଏବଂ ସେମାନେ ବିଶ୍ୱାସ କରନ୍ତି ଯେ ଫାରୋକୁ ସହଯୋଗ କରି ସେମାନେ ପ୍ରକୃତରେ ମିଶରର ଦେବାଦେବୀମାନଙ୍କର ଭକ୍ତି କରୁଛନ୍ତି । ମୋଶା ଓ ହାରୋଣ ଫାରୋ ସାମନାରେ ଥରେ ନୁହେଁ, ବରଂ ଅନେକ ଥର ଆସିଛନ୍ତି । କିନ୍ତୁ ଫାରୋ ତାର ଜିଦ୍‌ ଆଦୌ ଛାଡ଼ୁ ନାହିଁ ଏବଂ ସେ ନିଜ ମନକୁ କଠୋର କରି ନେଇଛି । ସେ ଚାହେଁ ଯେ ଇସ୍ରାଏଲୀୟମାନେ ତାର ଦାସ ହୋଇ ରହନ୍ତୁ । ଯେତେବେଳେ ମୋଶା ଓ ହାରୋଣ ଫାରୋକୁ ଅଷ୍ଟମ ବିପତ୍ତି ବିଷୟରେ କୁହନ୍ତି, ସେମାନଙ୍କୁ ଦରବାରରୁ ତଡ଼ି ଦିଆଯାଏ । ନବମ ବିପତ୍ତି ପରେ ଫାରୋ ସେମାନଙ୍କୁ ଚେତାବନୀ ଦିଏ ଯେ ସେମାନେ ଯେପରି ଆଉ କେବେ ତାʼ ସାମନାରେ ଆସିବାକୁ ସାହସ ନ କରିବେ ଏବଂ ଯଦି ସେମାନେ ଆସିବେ, ତାହେଲେ ସେମାନେ ନିଜ ପ୍ରାଣ ହରାଇବେ ।—ଯାତ୍ରା ୧୦:୧୧, ୨୮.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୯୫-ହି ୯/୧ ୧୧ ¶୧୧

ମିଥ୍ୟା ଈଶ୍ୱରମାନଙ୍କ ବିରୁଦ୍ଧରେ ସାକ୍ଷୀ

୧୧ ଯେତେବେଳେ ଇସ୍ରାଏଲୀୟମାନେ ମିଶରରେ ହିଁ ଥିଲେ, ଯିହୋବା ମୋଶାଙ୍କୁ ଫାରୋ ପାଖକୁ ପଠାଇଲେ ଏବଂ କହିଲେ: “ତୁମ୍ଭେ ଫାରୋ ନିକଟକୁ ଯାଅ; କାରଣ ଆମ୍ଭେ ଯେପରି ଲୋକମାନଙ୍କ ମଧ୍ୟରେ ଏହି ସକଳ ଚିହ୍ନ ଦର୍ଶାଇବା, ପୁଣି ଆମ୍ଭେ ମିସ୍ରୀୟମାନଙ୍କ ପ୍ରତି ଯାହା ଯାହା କରିଅଛୁ ଓ ସେମାନଙ୍କ ମଧ୍ୟରେ ଆପଣାର ଚିହ୍ନ ସ୍ୱରୂପେ ଯେ ଯେ କର୍ମ କରିଅଛୁ, ସେସବୁର ବୃତ୍ତାନ୍ତ ତୁମ୍ଭେ ଯେପରି ଆପଣା ପୁତ୍ର ଓ ପୌତ୍ରର କର୍ଣ୍ଣଗୋଚରରେ କହିବ, ପୁଣି ଆମ୍ଭେ ଯେ ସଦାପ୍ରଭୁ-ଏହା ଜ୍ଞାତ ହେବ, ଏନିମନ୍ତେ ଆମ୍ଭେ ଫାରୋ ଓ ତାହାର ଦାସଗଣର ହୃଦୟ ଭାରୀ କଲୁ ।” (ଯାତ୍ରା ପୁସ୍ତକ ୧୦:୧, ୨) ଆଜ୍ଞାପାଳନ କରୁଥିବା ଇସ୍ରାଏଲୀୟମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କ ଶକ୍ତିଶାଳୀ କାମଗୁଡ଼ିକ ବିଷୟରେ କହନ୍ତେ । ଆଗକୁ ଯାଇ ସେମାନଙ୍କ ପିଲାମାନେ ସେହି କାମଗୁଡ଼ିକ ବିଷୟରେ ସେମାନଙ୍କ ନିଜ ପିଲାଙ୍କୁ କହନ୍ତେ । ଏହିପରି ଭାବେ, ଏହା ପିଢ଼ିରୁ ପିଢ଼ି ଚାଲିଥାʼନ୍ତା । ଆଉ, ଏହିପରି ଭାବେ ଯିହୋବାଙ୍କ ଶକ୍ତିଶାଳୀ କାମଗୁଡ଼ିକୁ ମନେ ରଖାଯାʼନ୍ତା । ଠିକ୍‌ ସେହିପରି, ଆଜି ମଧ୍ୟ ପିତାମାତାମାନଙ୍କୁ ଏହି ଦାୟିତ୍ୱ ମିଳିଛି ଯେ ସେମାନେ ନିଜ ପିଲାଙ୍କୁ ଯିହୋବାଙ୍କ କାମଗୁଡ଼ିକ ବିଷୟରେ ସାକ୍ଷ୍ୟ ଦିଅନ୍ତୁ ।—ଦ୍ୱିତୀୟ ବିବରଣ ୬:୪-୭; ହିତୋପଦେଶ ୨୨:୬.

ଇନସାଇଟ୍‌-୧ ୭୮୩ ¶୫

ଇସ୍ରାଲୀୟମାନଙ୍କ ମିଶର ଦେଶରୁ ବାହାରିବା

ଯିହୋବା ଅସାଧାରଣ ଭାବେ ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କଲେ ଏବଂ ବିଜୟ ହାସଲ କଲେ । ଏହିପରି ଭାବେ ସେ ନିଜ ନାମର ମହିମା କଲେ । ଯେତେବେଳେ ଇସ୍ରାଏଲୀୟମାନେ ଲାଲ ସାଗର ପାରି ହେଲେ, ସେତେବେଳେ ମୋଶା ଇସ୍ରାଏଲୀୟମାନଙ୍କ ସହ ଗୀତ ଗାଇଲେ । ସେସମୟରେ ତାଙ୍କ ଭଉଣୀ ମରୀୟମ, ଯିଏ ଜଣେ ଭବିଷ୍ୟଦ୍‌ବକ୍ତ୍ରୀ ଥିଲେ, ଅନ୍ୟ ସ୍ତ୍ରୀମାନଙ୍କ ସହ ମିଶି ଦାରା ବା ଖଞ୍ଜଣୀ ବଜାଇବାକୁ ଲାଗିଲେ ଏବଂ ନାଚିବାକୁ ଲାଗିଲେ । (ଯାତ୍ରା ୧୫:୧, ୨୦, ୨୧) ଇସ୍ରାଏଲୀୟମାନଙ୍କୁ ବର୍ତ୍ତମାନ ନିଜ ଶତ୍ରୁମାନଙ୍କଠାରୁ ସ୍ୱାଧୀନତା ମିଳିଯାଇଥିଲା । ଯେତେବେଳେ ସେମାନେ ମିଶରରୁ ବାହାରୁଥିଲେ, ସେତେବେଳେ ସେମାନଙ୍କ ଉପରେ ଗୋଟିଏ କୁକୁର ସୁଦ୍ଧା ଜିହ୍ୱା ପଜାଇଲା ନାହିଁ ବା ଭୋକିଲା ନାହିଁ । ଏହାଛଡ଼ା, କୌଣସି ମଣିଷ କିମ୍ବା କୌଣସି ପଶୁ ସେମାନଙ୍କୁ କୌଣସି କ୍ଷତି ପହଞ୍ଚାଇଲା ନାହିଁ । (ଯାତ୍ରା ୧୧:୭) ଯାତ୍ରା ପୁସ୍ତକ ବହିରେ ଏବିଷୟରେ ଲେଖା ନାହିଁ ଯେ ଫାରୋ ନିଜ ସେନା ସହିତ ଲାଲ ସାଗରରେ ବିନାଶ ହେଲା । କିନ୍ତୁ ଗୀତସଂହିତା ୧୩୬:୧୫ ପଦରେ ସ୍ପଷ୍ଟ ଭାବେ ଲେଖାଅଛି ଯେ ଯିହୋବା “ଫାରୋ ଓ ତାହାର ସୈନ୍ୟଗଣକୁ ସୂଫ ସାଗରରେ ଠେଲି ଦେଲେ ।”

୨୭ ଜୁଲାଇ–୨ ଅଗଷ୍ଟ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୨

“ନିସ୍ତାର ପର୍ବରୁ ଖ୍ରୀଷ୍ଟିୟାନମାନେ କʼଣ ଶିଖିପାରିବେ”

ପ୍ର୦୭-ହି ୧/୧ ୨୨ ¶୪

‘ତୁମ୍ଭେ ଆନନ୍ଦିତ ହେବ’

୪ ଯୀଶୁଙ୍କର ମୃତ୍ୟୁ ୩୩ ଖ୍ରୀଷ୍ଟାବ୍ଦର ନୀସନ୍‌ ମାସର ୧୪ ତାରିଖରେ ହୋଇଥିଲା । ଇସ୍ରାଏଲରେ ପ୍ରତିବର୍ଷ ନୀସନ୍‌ ମାସର ୧୪ ତାରିଖରେ ନିସ୍ତାର ପର୍ବ ପାଳନ କରାଯାଉଥିଲା । ଏହା ଅତି ଆନନ୍ଦର ଦିନ ଥିଲା । ଏହି ଦିନ ଇସ୍ରାଏଲୀୟମାନ ନିଜ ନିଜ ପରିବାର ସହ ଏକାଠି ମିଶି ଭୋଜନ କରୁଥିଲେ । ଏହି ଭୋଜିରେ ସେମାନେ କୌଣସି ଦୋଷ ବା ତ୍ରୁଟି ନ ଥିବା ଏକ ମେଷଛୁଆର ମାଂସ ଖାଉଥିଲେ । ଏହିପରି ଭାବେ, ସେମାନେ ମନେ ପକାଉଥିଲେ ଯେ ଖ୍ରୀ.ପୂ. ୧୫୧୩ର ନୀସନ୍‌ ୧୪ ତାରିଖରେ ଇସ୍ରାଏଲୀୟମାନଙ୍କ ବଡ଼ ପୁଅମାନଙ୍କୁ ରକ୍ଷା କରିବାରେ ମେଷଛୁଆର ରକ୍ତର କେତେ ବିଷେଶ ଭୂମିକା ଥିଲା । ଅନ୍ୟ ପକ୍ଷରେ, ମୃତ୍ୟୁର ସ୍ୱର୍ଗଦୂତ ମିଶରର ସମସ୍ତ ବଡ଼ ପୁଅମାନଙ୍କ ଜୀବନ ନେଇଥିଲେ । (ଯାତ୍ରା ପୁସ୍ତକ ୧୨:୧-୧୪) ନିସ୍ତାର ପର୍ବର ମେଷଶାବକ ଯୀଶୁଙ୍କୁ ଦର୍ଶାଉଥିଲା । ଏବିଷୟରେ ପ୍ରେରିତ ପାଉଲ କହିଲେ: “ଆମ୍ଭମାନଙ୍କ ନିସ୍ତାର. . . ଖ୍ରୀଷ୍ଟ, ମଧ୍ୟ ବଳୀକୃତ ହୋଇଅଛନ୍ତି ।” (୧ କରିନ୍ଥୀୟ ୫:୭) ନିସ୍ତାର ପର୍ବର ମେଷଛୁଆର ରକ୍ତ ଭଳି ନିଜ ମୃତ୍ୟୁ ସମୟରେ ଯୀଶୁଙ୍କ ରକ୍ତ ମଧ୍ୟ ଅନେକଙ୍କୁ ଉଦ୍ଧାର ପାଇବାରେ ସାହାଯ୍ୟ କରେ ।—ଯୋହନ ୩:୧୬, ୩୬.

ଇନସାଇଟ୍‌-୨ ୫୮୩ ¶୬

ନିସ୍ତାର ପର୍ବ

ନିସ୍ତାର ପର୍ବ ଓ ଯୀଶୁଙ୍କ ବଳିଦାନ ମଧ୍ୟରେ ଅନେକ ସମାନତା ରହିଛି । ଉଦାହରଣ ପାଇଁ, ଯଦି ମିଶରରେ ଏକ ପରିବାର ନିଜ ଘରର ଦ୍ୱାରବନ୍ଧରେ ରକ୍ତର ଲେପ ଲଗାନ୍ତା, ତେବେ ସ୍ୱର୍ଗଦୂତ ସେହି ରାସ୍ତାରେ ଯିବା ସମୟରେ ସେହି ପରିବାରର ବଡ଼ ପୁଅର ଜୀବନ ରକ୍ଷା ହୁଅନ୍ତା । ପ୍ରଥମ ଶତାବ୍ଦୀରେ ମଧ୍ୟ ପାଉଲ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ପ୍ରଥମଜାତମାନଙ୍କର ମଣ୍ଡଳୀ ବୋଲି କହିଲେ, ଯେଉଁମାନଙ୍କୁ ଖ୍ରୀଷ୍ଟଙ୍କ ରକ୍ତ ଜରିଆରେ ଉଦ୍ଧାର କରାଯାଇଛି । (ଏଫି ୧:୭; ୧ଥେସ ୧:୧୦; ଏବ୍ରୀ ୧୨:୨୩) ଏହା ଛଡ଼ା, ନିସ୍ତାର ପର୍ବର ମେଷଛୁଆର ଗୋଟିଏ ମଧ୍ୟ ହାଡ଼ ଭଙ୍ଗାଯିବାର ନ ଥିଲା । ଠିକ୍‌ ସେହିପରି, ଏହି ଭବିଷ୍ୟତବାଣୀ କରାଯାଇଥିଲା ଯେ ଯୀଶୁଙ୍କ ମଧ୍ୟ ଗୋଟିଏ ବି ହାଡ଼ ଭଙ୍ଗାଯିବ ନାହିଁ । ଏହି ଭବିଷ୍ୟତବାଣୀ ତାହାଙ୍କ ମୃତ୍ୟୁ ସମୟରେ ପୂରଣ ହେଲା । (ଗୀତ ୩୪:୨୦; ଯୋହ ୧୯:୩୬) ଯିହୁଦୀମାନେ ଯେଉଁ ବହୁବର୍ଷ ଧରି ନିସ୍ତାର ପର୍ବ ପାଳନ କରି ଆସୁଥିଲେ, ତାହା ବ୍ୟବସ୍ଥାର ଏପରି କଥାଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା, ଯାହା ଆଗାମୀ ବିଷୟର ଛାୟା ଭଳି ଥିଲା ଏବଂ ଯାହା “ଈଶ୍ୱରଙ୍କ ମେଷଶାବକ” ଅର୍ଥାତ୍‌ ଯୀଶୁ ଖ୍ରୀଷ୍ଟଙ୍କ କ୍ଷେତ୍ରରେ ପୂରଣ ହୁଅନ୍ତା ।—ଏବ୍ରୀ ୧୦:୧; ଯୋହ ୧:୨୯.

ପ୍ର୧୩-ହି ୧୨/୧୫ ୨୦ ¶୧୩-୧୪

“ସେହିଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ”

୧୩ ଇସ୍ରାଏଲୀୟମାନେ ପିଢ଼ିରୁ ପିଢ଼ି ନିଜ ପିଲାଙ୍କୁ ନିସ୍ତାର ପର୍ବ ବିଷୟରେ ଜରୁରୀ ଶିକ୍ଷା ଦେବା ଜାରି ରଖିଲେ । ସେମଧ୍ୟରୁ ଗୋଟିଏ ଶିକ୍ଷା ଏହା ଥିଲା ଯେ ଯିହୋବା ନିଜ ଉପାସକମାନଙ୍କୁ ସୁରକ୍ଷା ଦେଇପାରନ୍ତି । ଏଥିରୁ ପିଲାମାନେ ଶିଖିଲେ ଯେ ଯିହୋବା ସତ୍ୟ ଓ ଜୀବିତ ଈଶ୍ୱର ଅଟନ୍ତି, ଯିଏ ନିଜ ସେବକମାନଙ୍କ ପାଇଁ ଚିନ୍ତା କରନ୍ତି ଏବଂ ସେମାନଙ୍କ ପାଇଁ ପଦକ୍ଷେପ ନିଅନ୍ତି । ଯିହୋବା ମିଶର ଉପରେ ଆଣିଥିବା ଦଶମ ବିପତ୍ତିରେ ଇସ୍ରାଏଲୀୟମାନଙ୍କ ବଡ଼ ପୁଅମାନଙ୍କୁ ରକ୍ଷା କରି ସେ ଏକଥା ପ୍ରମାଣିତ କଲେ ।

୧୪ ଆଜିର ସମୟରେ ଖ୍ରୀଷ୍ଟିୟାନ ପିତାମାତାମାନେ ପ୍ରତିବର୍ଷ ନିଜ ପିଲାଙ୍କୁ ନିସ୍ତାର ପର୍ବର କାହାଣୀ ଶୁଣାନ୍ତି ନାହିଁ । କିନ୍ତୁ କʼଣ ଆପଣ ଯିହୁଦୀ ପିତାମାତାଙ୍କ ଭଳି ନିଜ ପିଲାଙ୍କୁ ଏହି ଶିକ୍ଷା ଦିଅନ୍ତି ଯେ ଯିହୋବା ନିଜ ଲୋକମାନଙ୍କୁ ସୁରକ୍ଷା ଦିଅନ୍ତି ? କʼଣ ଆପଣଙ୍କ ପିଲାମାନେ ଏହା ସ୍ପଷ୍ଟ ଦେଖିପାରନ୍ତି ଯେ ଯିହୋବା ଆଜି ମଧ୍ୟ ଆମକୁ ସୁରକ୍ଷା ଦିଅନ୍ତି ବୋଲି ଆପଣ ପୂରା ଭରସା କରନ୍ତି ? (ଗୀତ. ୨୭:୧୧; ଯିଶା. ୧୨:୨) ସେମାନଙ୍କୁ ଏହି ଶିକ୍ଷା ଦେବା ପାଇଁ କʼଣ ଆପଣ ଏକ ଲମ୍ବା ଚଉଡ଼ା ଭାଷଣ ଦିଅନ୍ତି, କିମ୍ବା ସେମାନଙ୍କ ସହ ଏବିଷୟରେ ମଜାଦାର୍‌ ଆଲୋଚନା କରନ୍ତି ? ଆପଣ ପରିବାର ସହ ଏହି ଶିକ୍ଷା ଉପରେ ଆଲୋଚନା କରିବା ପାଇଁ ପୂରା ଚେଷ୍ଟା କରନ୍ତୁ, କାରଣ ଏପରି କରିବା ଦ୍ୱାରା ଯିହୋବାଙ୍କ ଉପରେ ଆପଣଙ୍କ ପରିବାରର ଭରସା ଆହୁରି ବଢ଼ିବ ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୨ ୫୮୨ ¶୨

ନିସ୍ତାର ପର୍ବ

ମିଶର ଉପରେ ଆସିଥିବା ଦଶଟି ବିପତ୍ତି ସେଠାକାର ଦେବାଦେବୀମାନଙ୍କ ପାଇଁ ଏକ ନ୍ୟାୟଦଣ୍ଡ ଥିଲା, ବିଶେଷ କରି ଦଶମ ବିପତ୍ତି, ଯେଉଁଥିରେ ସେମାନଙ୍କ ପ୍ରଥମଜାତ ବା ବଡ଼ ପୁଅମାନେ ମରି ଯାଇଥିଲେ । (ଯାତ୍ରା ୧୨:୧୨) ଏହା ଏଥିପାଇଁ କୁହାଯାଇପାରେ କାରଣ ରା ନାମକ ଏକ ମିଶରୀୟ ଦେବତାର ଉପାସକମାନଙ୍କ ଦୃଷ୍ଟିରେ ମେଷ ଏକ ପବିତ୍ର ପଶୁ ଥିଲା । ତେଣୁ ଯେତେବେଳେ ନିସ୍ତାର ପର୍ବର ମେଷଛୁଆର ରକ୍ତ ଘରର ଦ୍ୱାରବନ୍ଧରେ ଲଗାଯାଇଥିବ, ସେତେବେଳେ ଏହା ମିଶରୀୟମାନଙ୍କ ଦୃଷ୍ଟିରେ ସେମାନଙ୍କ ଦେବତା, ରା ପାଇଁ ଅପମାନଜନକ ଥିଲା । ଠିକ୍‌ ସେହିପରି, ମିଶରର ଲୋକମାନେ ବଳଦକୁ ମଧ୍ୟ ପବିତ୍ର ମାନୁଥିଲେ । ଏହି କାରଣରୁ ଯେତେବେଳେ ପ୍ରଥମଜାତ ବଳଦମାନଙ୍କୁ ହତ୍ୟା କରାଗଲା, ସେତେବେଳେ ମିଶରୀୟ ଦେବତା ଓସିରିସ୍‌ର ଅପମାନ ହୋଇଥିବ । ନିଜେ ଫାରୋ ମଧ୍ୟ ରା ଦେବତାର ପୁତ୍ର ଥିଲା ଏବଂ ସେଠାକାର ଲୋକମାନେ ତାକୁ ପୂଜା କରୁଥିଲେ ବୋଲି କୁହାଯାଏ । ତେଣୁ ଯେତେବେଳେ ଫାରୋର ବଡ଼ ପୁଅର ମୃତ୍ୟୁ ହେଲା, ସେତେବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ଫାରୋ ଓ ରା କେତେ ଅସହାୟ ଅଟନ୍ତି ।

ଇନସାଇଟ୍‌-୧ ୫୦୪ ¶୧

ପବିତ୍ର ସଭା

‘ପବିତ୍ର ସଭାଗୁଡ଼ିକର’ ବିଶେଷତା ଏହା ଥିଲା ଯେ ସେହି ସମୟରେ ଲୋକମାନଙ୍କୁ କଠିନ ପରିଶ୍ରମ ଆବଶ୍ୟକ ହେଉଥିବା କୌଣସି କାମ କରିବାର ନ ଥିଲା । ଉଦାହରଣ ପାଇଁ, ତାଡ଼ିଶୂନ୍ୟ ରୋଟୀର ପର୍ବର ପ୍ରଥମ ଓ ସପ୍ତମ ଦିନରେ ‘ପବିତ୍ର ସଭାଗୁଡ଼ିକ’ ରଖାଯାଉଥିଲା । ଯିହୋବା କହିଥିଲେ, “ସେହି ଦୁଇ ଦିନରେ ପ୍ରତ୍ୟେକ ପ୍ରାଣୀର ଖାଦ୍ୟର ଆୟୋଜନ ବିନୁ ଆଉ କୌଣସି କର୍ମ କରାଯିବ ନାହିଁ, କେବଳ ସେହି କର୍ମ ତୁମ୍ଭେମାନେ କରି ପାରିବ ।” (ଯାତ୍ରା ୧୨:୧୫, ୧୬) ଏହି ‘ପବିତ୍ର ସଭାଗୁଡ଼ିକ’ ସମୟରେ ଯାଜକମାନେ ଯିହୋବାଙ୍କୁ ବଳିଦାନ ଚଢ଼ାଇବାରେ ବ୍ୟସ୍ତ ରହୁଥିଲେ । (ଲେବୀ ୨୩:୩୭, ୩୮) କିନ୍ତୁ ଏହାର ଅର୍ଥ ନ ଥିଲା ଯେ ଯିହୋବା ସେମାନଙ୍କୁ କାମ ନ କରିବା ବିଷୟରେ ଯେଉଁ ଆଜ୍ଞା ଦେଇଥିଲେ, ସେହି ଆଜ୍ଞା ବିରୁଦ୍ଧରେ ସେମାନେ ଯାଉଥିଲେ । ଏହି ଆଜ୍ଞାର ଅର୍ଥ ଏହା ମଧ୍ୟ ନ ଥିଲା ଯେ ଏ ଅବସରରେ ଲୋକମାନେ ସେମିତି ହିଁ ଖାଲି ବସି ରହିବେ, ବରଂ ସେମାନଙ୍କୁ ଏହି ସମୟର ଭଲ ବ୍ୟବହାର କରିବାର ଥିଲା । ପ୍ରତି ସପ୍ତାହ ବିଶ୍ରାମବାରରେ ଲୋକେ ଏକାଠି ମିଶି ଶିଖୁଥିଲେ ଓ ଉପାସନା କରୁଥିଲେ । ସେମାନଙ୍କ ଆଗରେ ଈଶ୍ୱରଙ୍କ ବାକ୍ୟ ପଢ଼ାଯାଉଥିଲା ଏବଂ ତାର ଅର୍ଥ ଉପରେ ଗଭୀର ଭାବେ ଆଲୋଚନା କରାଯାଉଥିଲା । ଆଗକୁ ଯାଇ, ସମାଜଗୃହ ବା ସଭାଘରଗୁଡ଼ିକରେ ମଧ୍ୟ ଏହିପରି ଭାବେ ଶିଖାଗଲା । (ପ୍ରେରି ୧୫:୨୧) ଏ ସବୁରୁ ସ୍ପଷ୍ଟ ଜଣାପଡ଼େ ଯେ ବିଶ୍ରାମବାର କିମ୍ବା ‘ପବିତ୍ର ସଭାଗୁଡ଼ିକ’ ସମୟରେ ଲୋକମାନଙ୍କୁ ନିଜ କାମଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବାର ନ ଥିଲା । ଏହା ପରିବର୍ତ୍ତେ, ସେମାନଙ୍କୁ ନିଜ ସମୟକୁ ପ୍ରାର୍ଥନା କରିବା, ଈଶ୍ୱରଙ୍କୁ ଭଲ ଭାବେ ଜାଣିବା ଏବଂ ତାହାଙ୍କ ଉଦ୍ଦେଶ୍ୟଗୁଡ଼ିକ ବିଷୟରେ ଗଭୀର ଭାବେ ଚିନ୍ତନ କରିବାରେ ଲଗାଇବାର ଥିଲା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ