ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bhs ଅଧ୍ୟା ୬ ପୃଷ୍ଠା ୬୨-୭୦
  • ମୃତ୍ୟୁ ପରେ ଆମର କʼଣ ହୁଏ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୃତ୍ୟୁ ପରେ ଆମର କʼଣ ହୁଏ ?
  • ବାଇବଲ ଆମକୁ କʼଣ ଶିଖାଏ?
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ମୃତ୍ୟୁ ପରେ ଆମର କʼଣ ହୁଏ ?
  • ମୃତ୍ୟୁ ବିଷୟରେ ଯୀଶୁ ଖ୍ରୀଷ୍ଟ କʼଣ କହିଲେ
  • ଆମେ କାହିଁକି ମରିଥାଉ ?
  • ସତ୍ୟ ଆମକୁ ମୁକ୍ତ କରେ
  • ସେମାନେ ଶୟତାନର କଥା ଶୁଣିଲେ, ଏହାର ପରିଣାମ କʼଣ ହେଲା?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ମୃତ ପ୍ରିୟଜନଙ୍କ ନିମନ୍ତେ କିଛି ଆଶା ଅଛି କି ?
    ମୃତ ପ୍ରିୟଜନଙ୍କ ନିମନ୍ତେ କିଛି ଆଶା ଅଛି କି?
  • ଆଦମ ଓ ହବା ଈଶ୍ୱରଙ୍କ କଥା ମାନିଲେ ନାହିଁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପାରାଦୀଶରେ ଜୀବନ କିପରି ଥିଲା?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
ଆହୁରି ଦେଖନ୍ତୁ
ବାଇବଲ ଆମକୁ କʼଣ ଶିଖାଏ?
bhs ଅଧ୍ୟା ୬ ପୃଷ୍ଠା ୬୨-୭୦

ଛଅ ଅଧ୍ୟାୟ

ମୃତ୍ୟୁ ପରେ ଆମର କʼଣ ହୁଏ ?

୧-୩. (କ) ମୃତ୍ୟୁ ବିଷୟରେ ଲୋକେ କʼଣ କʼଣ ପ୍ରଶ୍ନ ପଚାରିଥାʼନ୍ତି ? (ଖ) ବିଭିନ୍ନ ଧର୍ମ ସେଗୁଡ଼ିକର କିପରି ଉତ୍ତର ଦେଇଥାଏ ?

ବାଇବଲ ଆମକୁ ପ୍ରତିଜ୍ଞା କରେ ଯେ ଏପରି ଏକ ଦିନ ଆସିବ, ଯେତେବେଳେ “ମୃତ୍ୟୁ ଆଉ ଘଟିବ ନାହିଁ ।” (ପ୍ରକାଶିତ ବାକ୍ୟ ୨୧:୪) ଆମେ ୫ ଅଧ୍ୟାୟରେ ଶିଖିଲୁ ଯେ ମୁକ୍ତିର ମୂଲ୍ୟ ଯୋଗୁଁ ଆମ ପାଇଁ ଅନନ୍ତ ଜୀବନ ସମ୍ଭବ ହୋଇପାରିଛି । କିନ୍ତୁ ଲୋକେ ଆଜି ମଧ୍ୟ ମରୁଛନ୍ତି । (ଉପଦେଶକ ୯:୫) ତେଣୁ ଏକ ସାଧାରଣ ପ୍ରଶ୍ନ ଆମ ସମସ୍ତଙ୍କ ମନରେ ଆସିଥାଏ— ମୃତ୍ୟୁ ପରେ ଆମର କʼଣ ହୁଏ ?

୨ ଏହି ପ୍ରଶ୍ନର ଉତ୍ତର ବିଶେଷ କରି ଏପରି ସମୟରେ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ, ଯେତେବେଳେ ଆମର କୌଣସି ଆତ୍ମୀୟଙ୍କ ମୃତ୍ୟୁ ହୁଏ । ସେତେବେଳେ ହୁଏତ ଆମ ମନରେ ପ୍ରଶ୍ନ ଉଠେ: ‘ସେ କେଉଁଠିକୁ ଗଲେ ? ସେ ଆମକୁ ଦେଖିପାରନ୍ତି କି ? ସେ ଆମକୁ ସାହାଯ୍ୟ କରିପାରିବେ କି ? ଆମେ ତାଙ୍କୁ ପୁଣିଥରେ କେବେ ଦେଖିପାରିବା କି ?’

୩ ବିଭିନ୍ନ ଧର୍ମଗୁଡ଼ିକ ଏସବୁ ପ୍ରଶ୍ନର ଭିନ୍ନ ଭିନ୍ନ ଉତ୍ତର ଦେଇଥାଏ । କିଛି ଧର୍ମ ଶିଖାଏ ଯେ ଯେଉଁମାନେ ଭଲ କାମ କରନ୍ତି, ସେମାନେ ସ୍ୱର୍ଗକୁ ଯାଆନ୍ତି ଏବଂ ଯେଉଁମାନେ ଖରାପ କାମ କରନ୍ତି, ସେମାନେ ନର୍କରେ ଦଣ୍ଡ ଭୋଗନ୍ତି । ଆଉ କିଛି ଧର୍ମ କହେ, ଯେତେବେଳେ କେହି ଜଣେ ମରିଯାଏ, ସେ ଆତ୍ମା ହୋଇଯାଏ ଏବଂ ଆଗରୁ ମରିଯାଇଥିବା ନିଜ ପରିବାର ସଦସ୍ୟମାନଙ୍କ ସହିତ ଯାଇ ରହେ । ତାʼ ଛଡ଼ା, କିଛି ଧର୍ମ ଏହା ମଧ୍ୟ କହେ ଯେ ଜଣେ ମଣିଷର ମୃତ୍ୟୁ ପରେ ତାʼର ବିଚାର କରାଯାଏ । ଏହା ପରେ ସେ ଏକ ଭିନ୍ନ ଶରୀର ନେଇ ହୁଏତ ଅନ୍ୟ ଜଣେ ମଣିଷ ଭାବରେ କିମ୍ବା ଏପରିକି ଏକ ପଶୁ ଭାବରେ ପୁଣିଥରେ ଜନ୍ମ ନିଏ ।

୪. ମୃତ୍ୟୁ ବିଷୟରେ ପ୍ରାୟ ସବୁ ଧର୍ମରେ କେଉଁ ସାଧାରଣ ଶିକ୍ଷା ରହିଛି ?

୪ ଧର୍ମଗୁଡ଼ିକ ମୃତ୍ୟୁ ବିଷୟରେ ଭିନ୍ନ ଭିନ୍ନ ଶିକ୍ଷା ଦେଇଥାଏ । କିନ୍ତୁ ଦେଖିବାକୁ ଗଲେ ପ୍ରାୟ ସବୁ ଧର୍ମରେ ଗୋଟିଏ ସାଧାରଣ ଶିକ୍ଷା ରହିଛି । ଅଧିକାଂଶ ଧର୍ମ କହେ, ଯେତେବେଳେ କେହି ଜଣେ ମରିଯାଏ, ତାʼର ଶରୀରର ମୃତ୍ୟୁ ହୁଏ, କିନ୍ତୁ ଆତ୍ମା ଜୀବିତ ରହେ । ଏହା କʼଣ ସତ ଅଟେ ?

ମୃତ୍ୟୁ ପରେ ଆମର କʼଣ ହୁଏ ?

୫, ୬. ମୃତ୍ୟୁ ପରେ ଆମର କʼଣ ହୁଏ, ଏବିଷୟରେ ବାଇବଲ କʼଣ ଶିଖାଏ ?

୫ ଯିହୋବା ଜାଣନ୍ତି ଯେ ମୃତ୍ୟୁ ପରେ ଆମର କʼଣ ହୁଏ । ସେ ଆମକୁ କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ତାʼର ଜୀବନ ସେଇଠି ଶେଷ ହୋଇଯାଏ । ମୃତ୍ୟୁ ଜୀବନର ବିପରୀତ ଅଟେ । ତେଣୁ ଯେତେବେଳେ କେହି ଜଣେ ମରିଯାଏ, ତାʼର ଭାବନା ଓ ସ୍ମରଣ ଶକ୍ତି ଆଗକୁ ଅନ୍ୟ କୌଣସି ଏକ ଜାଗାରେ ଜୀବିତ ରହେ ନାହିଁ ।a ଅତଏବ, ମୃତ୍ୟୁ ପରେ ଆମେ ଦେଖିପାରି ନ ଥାଉ, ଶୁଣିପାରି ନ ଥାଉ ଏବଂ ଆଉ କିଛି ଚିନ୍ତା ମଧ୍ୟ କରିପାରି ନ ଥାଉ ।

୬ ରାଜା ଶଲୋମନ ଲେଖିଥିଲେ ଯେ “ମୃତ ଲୋକମାନେ କିଛି ଜାଣନ୍ତି ନାହିଁ ।” ମୃତ ଲୋକେ ନା ପ୍ରେମ କରିପାରନ୍ତି ନା ଘୃଣା କରିପାରନ୍ତି । “କବରରେ କୌଣସି କାର୍ଯ୍ୟ, କି କଳ୍ପନା, କି ବିଦ୍ୟା, କି ଜ୍ଞାନ ନାହିଁ ।” (ଉପଦେଶକ ୯:୫, ୬, ୧୦ ପଢ଼ନ୍ତୁ ।) ଗୀତସଂହିତା ୧୪୬:୪ ପଦରେ ବାଇବଲ ଆମକୁ କହେ ଯେ ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, “ତାହାର ସଙ୍କଳ୍ପସବୁ” ନଷ୍ଟ ହୋଇଯାଏ ।

ମୃତ୍ୟୁ ବିଷୟରେ ଯୀଶୁ ଖ୍ରୀଷ୍ଟ କʼଣ କହିଲେ

ପତି-ପନୀ ବଗିଚାରେ ବସିଛନ୍ତି ଏବଂ ଗୋଟିଏ ଫୁଲକୁ ଦେଖୁଛନ୍ତି

ଯିହୋବା ମାନବଜାତିକୁ ପୃଥିବୀରେ ଚିରଦିନ ଜୀବିତ ରହିବା ପାଇଁ ସୃଷ୍ଟି କରିଥିଲେ

୭. ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବିଷୟରେ କʼଣ କହିଲେ ?

୭ ଯୀଶୁଙ୍କର ଜଣେ ପ୍ରିୟ ବନ୍ଧୁ ଥିଲେ, ତାଙ୍କ ନାମ ଥିଲା ଲାଜାର । ଯେତେବେଳେ ଲାଜାର ମରିଗଲେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ: “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି ।” କିନ୍ତୁ ଯୀଶୁଙ୍କର କହିବାର ଅର୍ଥ ଏହା ନ ଥିଲା ଯେ ଲାଜାର ନିଦରେ ଶୋଇଥିଲେ । ଯୀଶୁ ଆଗକୁ କହିଲେ: “ଲାଜାର ମରିଯାଇଛନ୍ତି ।” (ଯୋହନ ୧୧:୧୧-୧୪) ଅତଏବ, ଯୀଶୁ ମୃତ୍ୟୁକୁ ନିଦ ସହିତ ତୁଳନା କରିଥିଲେ । ସେ ଏହା କହି ନ ଥିଲେ ଯେ ଲାଜାର ସ୍ୱର୍ଗରେ ଥିଲେ, କିମ୍ବା ମରିଯାଇଥିବା ନିଜ ପରିବାର ସଦସ୍ୟମାନଙ୍କ ସହିତ ଥିଲେ । ତାʼ ଛଡ଼ା, ସେ ଏହା ମଧ୍ୟ କହି ନ ଥିଲେ ଯେ ଲାଜାର ନର୍କରେ ଦଣ୍ଡ ଭୋଗୁଥିଲେ, କିମ୍ବା ଅନ୍ୟ ଜଣେ ମଣିଷ କିମ୍ବା ପଶୁ ରୂପେ ପୁଣିଥରେ ଜନ୍ମ ହେବାକୁ ଯାଉଥିଲେ । ଏହା ଏପରି ଥିଲା, ସତେ ଯେପରି ଲାଜାର ଘୋର ନିଦରେ ଶୋଇଥିଲେ । ବାଇବଲର ଅନ୍ୟ ପଦଗୁଡ଼ିକରେ ମଧ୍ୟ ମୃତ୍ୟୁକୁ ଗଭୀର ନିଦ୍ରା ସହିତ ତୁଳନା କରାଯାଇଛି । ବାଇବଲ କହେ ଯେ ଯେତେବେଳେ ସ୍ତିଫାନଙ୍କୁ ହତ୍ୟା କରାଗଲା, “ସେ ମହାନିଦ୍ରା ପ୍ରାପ୍ତ ହେଲେ ।” (ପ୍ରେରିତ ୭:୬୦) ପାଉଲ ମଧ୍ୟ ଲେଖିଥିଲେ ଯେ କେତେକ ଖ୍ରୀଷ୍ଟିୟାନମାନେ “ମହାନିଦ୍ରା ପ୍ରାପ୍ତ” ହୋଇଥିଲେ ।— ୧ କରିନ୍ଥୀୟ ୧୫:୬.

୮. ଆମେ କିପରି ଜାଣୁ ଯେ ଈଶ୍ୱର ମଣିଷଙ୍କୁ ମରିବା ପାଇଁ ସୃଷ୍ଟି କରି ନ ଥିଲେ ?

୮ ଈଶ୍ୱର ଆଦମ ଓ ହବାକୁ କʼଣ ସମୟକ୍ରମେ ମରିବା ପାଇଁ ସୃଷ୍ଟି କରିଥିଲେ ? ନା ! ଯିହୋବା ସେମାନଙ୍କୁ ଚିରଦିନ ଜୀବିତ ରହିବା ପାଇଁ ସୃଷ୍ଟି କରିଥିଲେ ଏବଂ ସେମାନଙ୍କୁ ସେ ଉତ୍ତମ ସ୍ୱାସ୍ଥ୍ୟ ଦେଇଥିଲେ । ଏହା ଛଡ଼ା, ଯିହୋବା ସେମାନଙ୍କ ହୃଦୟରେ ଅନନ୍ତ କାଳ ଜୀବିତ ରହିବାର ଇଚ୍ଛା ମଧ୍ୟ ଦେଇଥିଲେ । (ଉପଦେଶକ ୩:୧୧) କୌଣସି ପିତାମାତା ଚାହାନ୍ତି ନାହିଁ ଯେ ସେମାନଙ୍କ ପିଲାମାନେ ବୃଦ୍ଧାବସ୍ଥାର ସାମନା କରନ୍ତୁ ଏବଂ ମରିଯାʼନ୍ତୁ । ଠିକ୍‌ ସେହିପରି, ଯିହୋବା ମଧ୍ୟ ଚାହାନ୍ତି ନାହିଁ ଯେ ଆମ ସହିତ ଏପରି ହେଉ । କିନ୍ତୁ ଯଦି ଯିହୋବା ଆମକୁ ଚିରଦିନ ଜୀବିତ ରହିବା ପାଇଁ ସୃଷ୍ଟି କରିଥିଲେ, ତେବେ ଆମେ କାହିଁକି ମରିଥାଉ ?

ଆମେ କାହିଁକି ମରିଥାଉ ?

୯. (କ) ଆଦମ ଓ ହବା ପାଇଁ ଯିହୋବାଙ୍କ ଆଜ୍ଞାକୁ ପାଳନ କରିବା କାହିଁକି କଠିନ ନ ଥିଲା ? (ଖ) ଯିହୋବାଙ୍କ ଆଜ୍ଞା ପାଳନ କରିବା ଦ୍ୱାରା ସେମାନେ କʼଣ ଦେଖାଇ ପାରିଥାʼନ୍ତେ ?

୯ ଏଦନ ଉଦ୍ୟାନରେ ଯିହୋବା ଆଦମକୁ ଆଜ୍ଞା ଦେଇଥିଲେ: ‘ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର, ମାତ୍ର ସତ୍‌ ଓ ଅସତ୍‌ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ ।’ (ଆଦି ପୁସ୍ତକ ୨:୯, ୧୬, ୧୭) ଆଦମ ଓ ହବା ପାଇଁ ସେହି ଆଜ୍ଞାକୁ ପାଳନ କରିବା ଆଦୌ କଠିନ ନ ଥିଲା । ଆଦମ ଓ ହବା ପାଇଁ କʼଣ ଠିକ୍‌ ଓ କʼଣ ଭୁଲ୍‌, ତାହା ନିର୍ଣ୍ଣୟ କରିବା ପାଇଁ ଯିହୋବାଙ୍କ ପାଖରେ ପୂରା ଅଧିକାର ଥିଲା । ଯିହୋବାଙ୍କ ଆଜ୍ଞା ପାଳନ କରିବା ଦ୍ୱାରା ସେମାନେ ଦେଖାଇ ପାରିଥାʼନ୍ତେ ଯେ ସେମାନେ ତାହାଙ୍କ ଅଧିକାରକୁ ସମ୍ମାନ କରୁଥିଲେ । ସେମାନେ ଏହା ମଧ୍ୟ ଦେଖାଇ ପାରିଥାʼନ୍ତେ ଯେ ଯିହୋବା ସେମାନଙ୍କୁ ଯାହା ଯାହା ଦେଇଥିଲେ, ତାʼ ପାଇଁ ସେମାନେ କେତେ କୃତଜ୍ଞ ଅଟନ୍ତି ।

୧୦, ୧୧. (କ) ଶୟତାନ ଆଦମ ଓ ହବାକୁ କିପରି ଭୁଲ୍‌ ବାଟରେ ନେଇଗଲା ? (ଖ) ଆଦମ ଓ ହବା ଯାହା କଲେ, ସେହି ଭୁଲ୍‌ ପାଇଁ କାହିଁକି କୌଣସି କ୍ଷମା ନ ଥିଲା ?

୧୦ କିନ୍ତୁ ଦୁଃଖର କଥା ଯେ ଆଦମ ଓ ହବା ଯିହୋବାଙ୍କ ଆଜ୍ଞା ପାଳନ କଲେ ନାହିଁ । ଶୟତାନ ହବାକୁ କହିଲା: ‘ଏହା କʼଣ ସତ ଯେ ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି ?’ ହବା ଉତ୍ତର ଦେଲା: ‘ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ; କେବଳ ଉଦ୍ୟାନର ମଝିରେ ଥିବା ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ ।’— ଆଦି ପୁସ୍ତକ ୩:୧-୩.

୧୧ ଏହାପରେ ଶୟତାନ କହିଲା: ‘ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ; ବରଂ ପରମେଶ୍ୱର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ଖୋଲିଯିବ ଏବଂ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ ।’ (ଆଦି ପୁସ୍ତକ ୩:୪-୬) ଶୟତାନ ହବା ମନରେ ଏହା ଭରିବାକୁ ଚାହୁଁଥିଲା ଯେ ହବା ପାଇଁ କʼଣ ଭଲ ଓ କʼଣ ମନ୍ଦ, ତାହା ସେ ନିଜେ ସ୍ଥିର କରିପାରିବ । ଶୟତାନ ହବାକୁ ମିଛ କହିଲା ଯେ ଯଦି ସେ ଈଶ୍ୱରଙ୍କ ଆଜ୍ଞାକୁ ଉଲ୍ଲଙ୍ଘନ କରେ, ତେବେ ସେ ମରିବ ନାହିଁ । ତେଣୁ ହବା ସେହି ଫଳ ଖାଇଲା ଏବଂ ତାʼପରେ ନିଜ ପତିକୁ ମଧ୍ୟ ଦେଲା । ଆଦମ ଓ ହବା ଭଲ ଭାବେ ଜାଣିଥିଲେ ଯେ ଯିହୋବା ସେହି ଫଳ ନ ଖାଇବାକୁ କହିଥିଲେ । ସେମାନେ ଏହା ମଧ୍ୟ ଜାଣିଥିଲେ ଯେ ତାହା ପାଳନ କରିବା କଠିନ ନ ଥିଲା । ତଥାପି ସେମାନେ ଜାଣିଶୁଣି ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କଲେ ଏବଂ ସେହି ଗଛର ଫଳ ଖାଇଲେ । ଏହିପରି ଭାବେ ସେମାନେ ଦେଖାଇଲେ ଯେ ସେମାନଙ୍କ ହୃଦୟରେ ନିଜ ପ୍ରେମମୟ ସ୍ୱର୍ଗୀୟ ପିତାଙ୍କ ପାଇଁ ଆଦର ନ ଥିଲା । ଆଉ, ସେମାନେ ଯାହା କଲେ, ସେହି ଭୁଲ୍‌ ପାଇଁ କୌଣସି କ୍ଷମା ନ ଥିଲା !

୧୨. ଆଦମ ଓ ହବା ଯିହୋବାଙ୍କ ଆଜ୍ଞାକୁ ଉଲ୍ଲଙ୍ଘନ କରିବା କାହିଁକି ନିରାଶଜନକ ଅଟେ ?

୧୨ ଆମର ପ୍ରଥମ ପିତାମାତାଙ୍କ ହୃଦୟରେ ସେମାନଙ୍କ ସୃଷ୍ଟିକର୍ତ୍ତାଙ୍କ ପାଇଁ ଏପରି ଅନାଦରର ଭାବନା କେତେ ନିରାଶଜନକ ଅଟେ ! ଟିକିଏ ଭାବି ଦେଖନ୍ତୁ, ଯଦି ଆପଣ ନିଜର ପୁଅଝିଅଙ୍କୁ ବଡ଼ କରିବାରେ କଠିନ ପରିଶ୍ରମ କରନ୍ତି, କିନ୍ତୁ ପରେ ସେମାନେ ଆପଣଙ୍କ ବିରୁଦ୍ଧରେ ହୋଇଯାʼନ୍ତି ଏବଂ ଆପଣ ସେମାନଙ୍କୁ ଯାହା କରିବା ପାଇଁ କହନ୍ତି, ସେମାନେ ତାʼର ଓଲଟା କରନ୍ତି । ଏହା ଆପଣଙ୍କ ହୃଦୟକୁ କʼଣ କଷ୍ଟ ଦେବ ନାହିଁ ?

ଆଦମକୁ ଷ୍ଟି କରାଯାଉଛି

ଆଦମକୁ ଧୂଳିରୁ ସୃଷ୍ଟି କରାଯାଇଥିଲା ଏବଂ ସେ ପୁଣି ଧୂଳିରେ ମିଶିଗଲା

୧୩. ଯେତେବେଳେ ଯିହୋବା କହିଲେ, ‘ତୁମ୍ଭେ ଧୂଳିରେ ପୁନର୍ବାର ମିଶିଯିବ,’ ଏହାର ଅର୍ଥ କʼଣ ଥିଲା ?

୧୩ ଯେତେବେଳେ ଆଦମ ଓ ହବା ଈଶ୍ୱରଙ୍କ ଆଜ୍ଞା ପାଳନ କଲେ ନାହିଁ, ସେମାନେ ଚିରଦିନ ଜୀବିତ ରହିବାର ସୁଯୋଗ ହରାଇଲେ । ତାʼପରେ ଯିହୋବା ଆଦମକୁ କହିଲେ: “ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ ।” (ଆଦି ପୁସ୍ତକ ୩:୧୯ ପଢ଼ନ୍ତୁ ।) ଏହାର ଅର୍ଥ ଥିଲା ଯେ ଆଦମକୁ ଧୂଳିରୁ ସୃଷ୍ଟି କରାଯାଇଥିଲା ଏବଂ ମୃତ୍ୟୁ ପରେ ସେ ପୁଣିଥରେ ଧୂଳିରେ ମିଶି ଯାଇଥାʼନ୍ତା । (ଆଦି ପୁସ୍ତକ ୨:୭) ଠିକ୍‌ ଯେପରି ଆଦମକୁ ସୃଷ୍ଟି କରାଯିବା ପୂର୍ବରୁ ତାʼର କୌଣସି ଅସ୍ତିତ୍ୱ ନ ଥିଲା, ସେହିପରି ମୃତ୍ୟୁ ପରେ ମଧ୍ୟ ତାʼର ଆଉ କୌଣସି ଅସ୍ତିତ୍ୱ ରହିଲା ନାହିଁ ।

୧୪. ଆମେ କାହିଁକି ମରିଥାଉ ?

୧୪ ଯଦି ଆଦମ ଓ ହବା ଈଶ୍ୱରଙ୍କ ଆଜ୍ଞା ପାଳନ କରିଥାʼନ୍ତେ, ତେବେ ସେମାନେ ଆଜି ମଧ୍ୟ ଜୀବିତ ରହିଥାʼନ୍ତେ । କିନ୍ତୁ ସେମାନେ ତାହାଙ୍କ ଆଜ୍ଞା ପାଳନ କଲେ ନାହିଁ । ତେଣୁ ସେମାନେ ପାପୀ ହେଲେ ଏବଂ ସମୟକ୍ରମେ ମରିଗଲେ । ଠିକ୍‌ ଯେପରି ପିତାମାତାଙ୍କଠାରେ ଥିବା କୌଣସି ମାରାତ୍ମକ ରୋଗ ସେମାନଙ୍କ ପିଲାଙ୍କୁ ମିଳିଥାଏ, ସେହିପରି ଆମକୁ ନିଜ ପ୍ରଥମ ପିତାମାତା ଆଦମ ଓ ହବାଠାରୁ ପାପ ମିଳିଛି । ଆମେ ସମସ୍ତେ ଜନ୍ମରୁ ପାପୀ ଅଟୁ ଏବଂ ସେଥିପାଇଁ ଆମେ ମରିଥାଉ । (ରୋମୀୟ ୫:୧୨) କିନ୍ତୁ ଏହା ମାନବଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ ନ ଥିଲା । ଈଶ୍ୱର କେବେ ମଧ୍ୟ ଚାହୁଁ ନ ଥିଲେ ଯେ ମଣିଷର ମୃତ୍ୟୁ ହେଉ । ଏହା ଛଡ଼ା, ବାଇବଲ ମୃତ୍ୟୁକୁ “ଶତ୍ରୁ” ବୋଲି କହିଥାଏ ।— ୧ କରିନ୍ଥୀୟ ୧୫:୨୬.

ସତ୍ୟ ଆମକୁ ମୁକ୍ତ କରେ

୧୫. ମୃତ୍ୟୁ ବିଷୟରେ ସତ୍ୟ ଆମକୁ କିପରି ମୁକ୍ତ କରିଥାଏ ?

୧୫ ମୃତ୍ୟୁ ବିଷୟରେ ସତ୍ୟ ଜାଣିବା ଦ୍ୱାରା ଆମେ ଅନେକ ଭୁଲ୍‌ ଧାରଣାରୁ ମୁକ୍ତ ହୋଇଥାଉ । ବାଇବଲ ଆମକୁ କହେ ଯେ ମରିଯାଇଥିବା ଲୋକେ ଯନ୍ତ୍ରଣା କିମ୍ବା ଦୁଃଖ ଅନୁଭବ କରନ୍ତି ନାହିଁ । ଆମେ ନା ସେମାନଙ୍କ ସହିତ କଥା ହୋଇପାରିବା, ନା ସେମାନେ ଆମ ସହିତ କଥା ହୋଇପାରିବେ । ଆମେ ନା ସେମାନଙ୍କୁ ସାହାଯ୍ୟ କରିପାରିବା, ନା ସେମାନେ ଆମକୁ ସାହାଯ୍ୟ କରିପାରିବେ । ତାʼ ଛଡ଼ା, ସେମାନେ ଆମର କୌଣସି କ୍ଷତି କରିପାରିବେ ନାହିଁ । ତେଣୁ ଆମେ ସେମାନଙ୍କୁ ଭୟ କରିବା ଉଚିତ୍‌ ନୁହଁ । କିନ୍ତୁ ଅନେକ ଧର୍ମ ଶିଖାଏ ଯେ ମୃତ ଲୋକର ଆତ୍ମା କୌଣସି ଏକ ଜାଗାରେ ଜୀବିତ ଅଛି ଏବଂ ଆମେ ଧର୍ମଗୁରୁମାନଙ୍କୁ ପଇସା ଦେଇ ଆମ ମୃତ ଆତ୍ମୀୟମାନଙ୍କୁ ସାହାଯ୍ୟ କରିପାରିବା । କିନ୍ତୁ ଯେତେବେଳେ ଆମେ ମୃତ୍ୟୁ ବିଷୟରେ ସତ୍ୟ ଜାଣୁ, ଆମେ ସେହି ମିଛଗୁଡ଼ିକର ଫାନ୍ଦରେ ପଡ଼ି ନ ଥାଉ ।

୧୬. ମୃତ ଲୋକଙ୍କ ବିଷୟରେ ଅନେକ ଧର୍ମ କʼଣ ମିଥ୍ୟା ଶିକ୍ଷା ଦେଇଥାଏ ?

୧୬ ଶୟତାନ ଆମକୁ ଠକିବା ପାଇଁ ମିଥ୍ୟା ଧର୍ମଗୁଡ଼ିକୁ ବ୍ୟବହାର କରେ ଏବଂ ଆମ ମନରେ ଏହି ଭାବନା ଭରିଦିଏ ଯେ ମୃତ ଲୋକମାନଙ୍କ ଆତ୍ମା ଏପର୍ଯ୍ୟନ୍ତ ଜୀବିତ ଅଛି । ଆପଣଙ୍କ ଧର୍ମ ମଧ୍ୟ କʼଣ ଏପରି ଶିକ୍ଷା ଦିଏ ? ନା ଏହା ମୃତ ଲୋକଙ୍କ ବିଷୟରେ ବାଇବଲ ଯାହା କହେ, ତାହା ଶିଖାଏ ? ଶୟତାନ ଏହିପରି ଭାବେ ମିଥ୍ୟା ଶିକ୍ଷାଗୁଡ଼ିକ ଜରିଆରେ ଲୋକମାନଙ୍କୁ ଯିହୋବାଙ୍କଠାରୁ ଦୂରେଇ ନେଇଯିବା ପାଇଁ ଚେଷ୍ଟା କରିଥାଏ ।

୧୭. ଲୋକମାନେ ନର୍କର ନିଆଁରେ ଯନ୍ତ୍ରଣା ଭୋଗିବାର ଧାରଣା କାହିଁକି ଯିହୋବାଙ୍କୁ ଅପମାନ ଦିଏ ?

୧୭ ଅଧିକାଂଶ ଧର୍ମ ମୃତ୍ୟୁ ବିଷୟରେ ଯାହା ଶିଖାଏ, ତାହା ଶୁଣି ଲୋକଙ୍କ ମନରେ ଭୟ ଜାତ ହୁଏ । ଉଦାହରଣସ୍ୱରୂପ, କେତେକ ଧର୍ମ ଶିଖାଏ ଯେ ଦୁଷ୍ଟ ଲୋକମାନେ ନର୍କର ନିଆଁରେ ଚିରକାଳ ପାଇଁ ଯନ୍ତ୍ରଣା ଭୋଗନ୍ତି । ଏପରି ମିଛ ଯିହୋବାଙ୍କୁ ଅପମାନ ଦିଏ । ସେ କେବେ ମଧ୍ୟ ଲୋକମାନଙ୍କୁ ଏହିପରି ଭାବେ ଯନ୍ତ୍ରଣା ଦିଅନ୍ତି ନାହିଁ ! (୧ ଯୋହନ ୪:୮ ପଢ଼ନ୍ତୁ ।) ଆପଣ ଏପରି ଜଣେ ପିତାଙ୍କ ବିଷୟରେ କʼଣ ଭାବିବେ, ଯିଏ ନିଜ ଛୋଟ ପିଲାକୁ ଦଣ୍ଡ ଦେବା ପାଇଁ ତାʼର ହାତକୁ ନିଆଁରେ ପୋଡ଼ିଦେବ ? ଆପଣ ଭାବିବେ ଯେ ସେ କେତେ ନିଷ୍ଠୁର ଅଟେ ! ଯିହୋବାଙ୍କ ବିଷୟରେ ମଧ୍ୟ ଆମେ ଠିକ୍‌ ଏହିପରି ଧାରଣା ରଖୁ ବୋଲି ଶୟତାନ ଚାହେଁ ।

୧୮. ଆମେ ମୃତ ଲୋକଙ୍କୁ କାହିଁକି ଭୟ କରିବା ଉଚିତ୍‌ ନୁହଁ ?

୧୮ କିଛି ଧର୍ମ ଶିଖାଏ ଯେ ଯେତେବେଳେ ଲୋକେ ମରିଯାʼନ୍ତି, ସେମାନେ ଆତ୍ମା ହୋଇଯାʼନ୍ତି । ସେହି ଧର୍ମଗୁଡ଼ିକ ଏହା ମଧ୍ୟ ଶିଖାଏ ଯେ ଆମେ ଏହି ଆତ୍ମାଗୁଡ଼ିକୁ ସମ୍ମାନ ଦେବା ସହିତ ଏପରିକି ସେଗୁଡ଼ିକୁ ଭୟ ମଧ୍ୟ କରିବା ଜରୁରୀ ଅଟେ, କାରଣ ସେମାନେ ହୁଏତ ଆମର ମିତ୍ର ହୋଇପାରନ୍ତି କିମ୍ବା ଭୟଙ୍କର ଶତ୍ରୁ ହୋଇପାରନ୍ତି । ଅନେକ ଲୋକ ଏହି ମିଛକୁ ବିଶ୍ୱାସ କରିଥାʼନ୍ତି । ସେମାନେ ମୃତ ଲୋକମାନଙ୍କୁ ଭୟ କରନ୍ତି, ତେଣୁ ସେମାନେ ଯିହୋବାଙ୍କ ପରିବର୍ତ୍ତେ ସେମାନଙ୍କୁ ଉପାସନା କରିଥାʼନ୍ତି । ମନେ ରଖନ୍ତୁ ଯେ ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିମ୍ବା କିଛି ଅନୁଭବ କରିପାରନ୍ତି ନାହିଁ । ତେଣୁ ଆମେ ସେମାନଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଯିହୋବା ଆମର ସୃଷ୍ଟିକର୍ତ୍ତା ଅଟନ୍ତି । ସେ ହିଁ ସତ୍ୟ ଈଶ୍ୱର ଅଟନ୍ତି ଏବଂ ଆମେ କେବଳ ତାହାଙ୍କୁ ଉପାସନା କରିବା ଉଚିତ୍‌ ।— ପ୍ରକାଶିତ ବାକ୍ୟ ୪:୧୧.

୧୯. ମୃତ୍ୟୁ ବିଷୟରେ ସତ୍ୟ ଜାଣିବା ଦ୍ୱାରା ଆମର କʼଣ ଲାଭ ହୋଇଥାଏ ?

୧୯ ଯେତେବେଳେ ମୃତ୍ୟୁ ବିଷୟରେ ଆମେ ସତ୍ୟ ଜାଣୁ, ଆମେ ଧର୍ମଗୁଡ଼ିକର ମିଥ୍ୟା ଶିକ୍ଷାସବୁରୁ ମୁକ୍ତ ହୋଇଯାଉ । କେବଳ ଏତିକି ନୁହେଁ, ଏହି ସତ୍ୟ ଆମକୁ ଯିହୋବାଙ୍କ ସେହି ସୁନ୍ଦର ଉଦ୍ଦେଶ୍ୟକୁ ବୁଝିବାରେ ମଧ୍ୟ ସାହାଯ୍ୟ କରେ, ଯାହା ସେ ଆମର ଭବିଷ୍ୟତ ପାଇଁ ପ୍ରତିଜ୍ଞା କରିଛନ୍ତି ।

୨୦. ପରବର୍ତ୍ତୀ ଅଧ୍ୟାୟରେ ଆମେ କʼଣ ଶିଖିବା ?

୨୦ ବହୁବର୍ଷ ପୂର୍ବେ ଆୟୁବ ନାମକ ଜଣେ ଈଶ୍ୱରଙ୍କ ସେବକ ପଚାରିଥିଲେ: “ମନୁଷ୍ୟ ମଲେ କʼଣ ପୁନର୍ବାର ବଞ୍ଚିବ ?” (ଆୟୁବ ୧୪:୧୪) ଏହା କʼଣ ସତରେ ସମ୍ଭବ ଯେ ଜଣେ ମରିଯାଇଥିବା ଲୋକ ପୁଣିଥରେ ଜୀବିତ ହୋଇପାରିବ ? ବାଇବଲରେ ଈଶ୍ୱର ଆମକୁ ଏହାର ଯେଉଁ ଉତ୍ତର ଦିଅନ୍ତି, ତାହା ଅତି ରୋମାଞ୍ଚକର ଅଟେ । ଆମେ ଏହା ପରବର୍ତ୍ତୀ ଅଧ୍ୟାୟରେ ଦେଖିବା ।

a କିଛି ଲୋକ ବିଶ୍ୱାସ କରନ୍ତି ଯେ ଜଣେ ମଣିଷର ମୃତ୍ୟୁ ପରେ ତାʼର ପ୍ରାଣ ବା ଆତ୍ମା ଜୀବିତ ରହେ । ଏହା ବିଷୟରେ ଅଧିକ ଜାଣିବା ପାଇଁ ଅଧିକ ବିବରଣୀ-୧୭ ଏବଂ ୧୮ ଦେଖନ୍ତୁ ।

ସାରାଂଶ

ସତ୍ୟ-୧: ଯେତେବେଳେ ଜଣେ ମଣିଷ ମରିଯାଏ, ତାʼର ଜୀବନ ସେଇଠି ଶେଷ ହୋଇଯାଏ

“ମୃତ ଲୋକମାନେ କିଛି ଜାଣନ୍ତି ନାହିଁ ।”— ଉପଦେଶକ ୯:୫

ମୃତ୍ୟୁ ପରେ ଆମର କʼଣ ହୁଏ ?

  • ଗୀତସଂହିତା ୧୪୬:୩, ୪; ଉପଦେଶକ ୯:୬, ୧୦

    ଯେତେବେଳେ ଆମର ମୃତ୍ୟୁ ହୁଏ, ଆମେ ଦେଖିପାରି ନ ଥାଉ, ଶୁଣିପାରି ନ ଥାଉ ଏବଂ ଆଉ କିଛି ଚିନ୍ତା ମଧ୍ୟ କରିପାରି ନ ଥାଉ ।

  • ଯୋହନ ୧୧:୧୧-୧୪

    ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ନିଦ ସହିତ ତୁଳନା କରିଥିଲେ ।

ସତ୍ୟ-୨: ଈଶ୍ୱର କେବେ ମଧ୍ୟ ଚାହିଁ ନ ଥିଲେ ଯେ ମଣିଷର ମୃତ୍ୟୁ ହେଉ

‘ମାତ୍ର ସତ୍‌ ଓ ଅସତ୍‌ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ ।’— ଆଦି ପୁସ୍ତକ ୨:୧୭

ଆମେ କାହିଁକି ମରିଥାଉ ?

  • ଆଦି ପୁସ୍ତକ ୩:୧-୬

    ଶୟତାନ ହବାକୁ ମିଛ କହିଲା ଯେ ଯଦି ସେ ଈଶ୍ୱରଙ୍କ ଆଜ୍ଞାକୁ ଉଲ୍ଲଙ୍ଘନ କରେ, ତେବେ ସେ ମରିବ ନାହିଁ । ଆଦମ ଓ ହବା ଈଶ୍ୱରଙ୍କ ଆଜ୍ଞାକୁ ଉଲ୍ଲଙ୍ଘନ କରି ପାପ କଲେ ଏବଂ ସମୟକ୍ରମେ ମରିଗଲେ ।

  • ଆଦି ପୁସ୍ତକ ୩:୧୯

    ଆଦମର ମୃତ୍ୟୁ ପରେ ତାʼର ଆଉ କୌଣସି ଅସ୍ତିତ୍ୱ ରହିଲା ନାହିଁ ।

  • ରୋମୀୟ ୫:୧୨

    ଠିକ୍‌ ଯେପରି ପିତାମାତାଙ୍କଠାରେ ଥିବା କୌଣସି ମାରାତ୍ମକ ରୋଗ ସେମାନଙ୍କ ପିଲାଙ୍କୁ ମିଳିଥାଏ, ସେହିପରି ଆମକୁ ନିଜ ପ୍ରଥମ ପିତାମାତା ଆଦମ ଓ ହବାଠାରୁ ପାପ ମିଳିଛି । ଆମେ ସମସ୍ତେ ଜନ୍ମରୁ ପାପୀ ଅଟୁ ଏବଂ ସେଥିପାଇଁ ଆମେ ମରିଥାଉ ।

  • ୧ କରିନ୍ଥୀୟ ୧୫:୨୬

    ବାଇବଲ ମୃତ୍ୟୁକୁ ଶତ୍ରୁ ବୋଲି କହେ ।

ସତ୍ୟ-୩: ମୃତ୍ୟୁ ବିଷୟରେ ସତ୍ୟ ଆମକୁ ମୁକ୍ତ କରିଥାଏ

“ମନୁଷ୍ୟ ମଲେ କʼଣ ପୁନର୍ବାର ବଞ୍ଚିବ ? ମୋହର ମୁକ୍ତି ଉପସ୍ଥିତ ନୋହିବା ପର୍ଯ୍ୟନ୍ତ ମୁଁ . . . ଅପେକ୍ଷା କରିବି ।”— ଆୟୁବ ୧୪:୧୪

ମୃତ୍ୟୁ ବିଷୟରେ ସତ୍ୟ ଜାଣିବା ଦ୍ୱାରା ଆମେ କିପରି ଅନେକ ଭୁଲ୍‌ ଧାରଣାରୁ ମୁକ୍ତ ହୋଇଥାଉ ?

  • ୧ ଯୋହନ ୪:୮

    ନର୍କର ନିଆଁରେ ଯନ୍ତ୍ରଣା ଭୋଗିବାର ଶିକ୍ଷା ଯିହୋବାଙ୍କୁ ଅପମାନ ଦିଏ । ସେ କେବେ ମଧ୍ୟ ଲୋକମାନଙ୍କୁ ଏହିପରି ଭାବେ ଯନ୍ତ୍ରଣା ଦିଅନ୍ତି ନାହିଁ ।

  • ପ୍ରକାଶିତ ବାକ୍ୟ ୪:୧୧

    ଅନେକ ଲୋକ ମୃତ ଲୋକମାନଙ୍କୁ ଭୟ କରନ୍ତି, ତେଣୁ ସେମାନେ ଯିହୋବାଙ୍କ ପରିବର୍ତ୍ତେ ସେମାନଙ୍କୁ ଉପାସନା କରିଥାʼନ୍ତି । କିନ୍ତୁ ଯିହୋବା ହିଁ ସତ୍ୟ ଈଶ୍ୱର ଅଟନ୍ତି ଏବଂ ଆମେ କେବଳ ତାହାଙ୍କୁ ଉପାସନା କରିବା ଉଚିତ୍‌ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ