ପାଠ ୬
ମରିଯାଇଥିବା ଲୋକଙ୍କ ପାଇଁ କʼଣ ଆଶା ଅଛି?
୧. ମରିଯାଇଥିବା ଲୋକଙ୍କ ପାଇଁ କʼଣ ଖୁସିର ଖବର ଅଛି?
ଯୀଶୁଙ୍କ ଏକ ସାଙ୍ଗ ଲାଜାର ଯୀରୂଶାଲମ ପାଖରେ ବେଥନୀୟା ନାମକ ଗାଁରେ ରହୁଥିଲେ। ଯୀଶୁ ଯେତେବେଳେ ସେଠାରେ ପହଞ୍ଚିଲେ, ସେ ଜାଣିବାକୁ ପାଇଲେ ଯେ ଲାଜାରଙ୍କୁ ମରିବାର ଚାରିଦିନ ବିତିଯାଇଛି। ଯୀଶୁ ଲାଜାରଙ୍କ ଭଉଣୀ ମାର୍ଥା ଓ ମରୀୟମ ସାଙ୍ଗରେ ତାଙ୍କ କବର ପାଖକୁ ଗଲେ। ଶୀଘ୍ର ସେଠାରେ ଏକ ଭିଡ଼ ଜମା ହୋଇଗଲା। ଯୀଶୁ ଲାଜାରକୁ ପୁଣିଥରେ ଜୀବିତ କରିଦେଲେ। କଳ୍ପନା କରନ୍ତୁ, ଏହା ଦେଖି ମାର୍ଥା ଏବଂ ମରୀୟମ କେତେ ଖୁସି ହୋଇଥିବେ!—ଯୋହନ ୧୧:୨୧-୨୪, ୩୮-୪୪ ପଢ଼ନ୍ତୁ।
ମାର୍ଥା ଏହି ଖୁସିର ଖବର ଆଗରୁ ଜାଣିଥିଲେ ଯେ ଯିହୋବା ମରିଯାଇଥିବା ଲୋକଙ୍କୁ ପୁଣିଥରେ ଜୀବିତ କରିବେ ଏବଂ ସେମାନେ ଏହି ପୃଥିବୀରେ ପୁଣିଥରେ ଜୀବନର ଆନନ୍ଦ ନେବେ।—ଆୟୁବ ୧୪:୧୪, ୧୫ ପଢ଼ନ୍ତୁ।
୨. ମରିଯାଇଥିବା ଲୋକେ କେଉଁ ଅବସ୍ଥାରେ ଅଛନ୍ତି?
ପରମେଶ୍ୱର ଆଦମକୁ କହିଲେ: “ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ।”—ଆଦି ପୁସ୍ତକ ୩:୧୯.
ମଣିଷକୁ ଧୂଳିରୁ ସୃଷ୍ଟି କରାଯାଇଛି। (ଆଦି ପୁସ୍ତକ ୨:୭; ୩:୧୯) ଆମ ହାଡ଼ମାଂସର ଶରୀର ଭିତରେ କୌଣସି ଅମର ଆତ୍ମା ନ ଥାଏ। ଯେତେବେଳେ ଆମେ ମରିଯାଉ, ସେତେବଳେ ଆମର ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ ଏବଂ ସ୍ମରଣ ଶକ୍ତି ମଧ୍ୟ ଶେଷ ହୋଇଯାଏ, ଅର୍ଥାତ୍ ଆମେ ପୂରା ନଷ୍ଟ ହୋଇଯାଉ। ଯେତେବେଳେ ଲାଜାରଙ୍କୁ ପୁଣି ଜୀବିତ କରାଗଲା, ସେତେବେଳେ ସେ ଏପରି କିଛି କହି ନ ଥିଲେ ଯେ ମୃତ୍ୟୁ ପରେ ତାʼଙ୍କ ସହିତ କʼଣ ହୋଇଥିଲା। ଏହାର ଅର୍ଥ, ମରିଯାଇଥିବା ଲୋକ କିଛି ଜାଣନ୍ତି ନାହିଁ।—ଗୀତସଂହିତା ୧୪୬:୪; ଉପଦେଶକ ୯:୫, ୬, ୧୦ ପଢ଼ନ୍ତୁ।
ପରମେଶ୍ୱର ମରିଯାଇଥିବା ଲୋକଙ୍କୁ କʼଣ ନିଆଁରେ ଜଳାଇ ଯନ୍ତ୍ରଣା ଦିଅନ୍ତି? ବାଇବଲ କହେ ଯେ ମରିଯାଇଥିବା ଲୋକେ କିଛି ଜାଣନ୍ତି ନାହିଁ। ତେଣୁ ମରିଯାଇଥିବା ଲୋକଙ୍କୁ ନର୍କରେ ଦଣ୍ଡ ଦେବା ଶିକ୍ଷା ମିଛ ଅଟେ, ଯାହା ପରମେଶ୍ୱରଙ୍କୁ ବଦ୍ନାମ୍ କରେ। ଲୋକଙ୍କୁ ନିଆଁରେ ଜଳାଇବାର ଭାବନାକୁ ହିଁ ପରମେଶ୍ୱର ଘୃଣା କରନ୍ତି।—ଯିରିମିୟ ୭:୩୧ ପଢ଼ନ୍ତୁ।
ମରିଯାଇଥିବା ଲୋକେ କେଉଁ ଅବସ୍ଥାରେ ଅଛନ୍ତି ? ଭିଡିଓ ଦେଖନ୍ତୁ ।
୩. ମରିଯାଇଥିବା ଲୋକ କʼଣ ଆମ ସହିତ କଥା ହୋଇପାରିବେ?
ମରିଯାଇଥିବା ଲୋକ କଥା ହୋଇପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ। (ଗୀତସଂହିତା ୧୧୫:୧୭) କିନ୍ତୁ କିଛି ଦୁଷ୍ଟ ସ୍ୱର୍ଗଦୂତ ଅଛନ୍ତି, ଯେଉଁମାନେ ଲୋକଙ୍କ ସହିତ ଏପରି କଥା ହୁଅନ୍ତି ସତେ ଯେପରି ମରିଯାଇଥିବା ଲୋକ କଥା ହେଉଛନ୍ତି। (୨ ପିତର ୨:୪) ଯିହୋବା ଆମକୁ ଏମାନଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିବାକୁ ମଧ୍ୟ ମନା କରନ୍ତି।—ଦ୍ୱିତୀୟ ବିବରଣ ୧୮:୧୦, ୧୧ ପଢ଼ନ୍ତୁ।
୪. କେଉଁମାନଙ୍କୁ ପୁଣିଥରେ ଜୀବିତ କରାଯିବ?
ମରିଯାଇଥିବା ଲୋକଙ୍କ ମଧ୍ୟରୁ ଲକ୍ଷ ଲକ୍ଷ ଲୋକଙ୍କୁ ପୁଣିଥରେ ପୃଥିବୀରେ ଜୀବନ ଦିଆଯିବ। ଏମାନଙ୍କ ମଧ୍ୟରୁ ଅନେକ ଏମିତି ହୋଇଥିବେ, ଯେଉଁମାନେ ଯିହୋବାଙ୍କୁ ଜାଣି ନ ଥିଲେ, ଏପରିକି ଯେଉଁମାନେ ଖରାପ କାମ କରୁଥିଲେ, ସେମାନଙ୍କୁ ମଧ୍ୟ ପୁଣିଥରେ ଜୀବନ ଦିଆଯିବ।—ଲୂକ ୨୩:୪୩; ପ୍ରେରିତ ୨୪:୧୫ ପଢ଼ନ୍ତୁ।
ଜୀବିତ କରାଯାଇଥିବା ଲୋକଙ୍କୁ ପରମେଶ୍ୱରଙ୍କ ବିଷୟରେ ସତ୍ୟ ଶିଖିବା ଏବଂ ଯୀଶୁଙ୍କ ଆଜ୍ଞା ପାଳନ କରି ତାଙ୍କ ପ୍ରତି ବିଶ୍ୱାସ ଦେଖାଇବା ପାଇଁ ପୁଣିଥରେ ସୁଯୋଗ ଦିଆଯିବ। (ପ୍ରକାଶିତ ବାକ୍ୟ ୨୦:୧୧-୧୩) ତାʼପରେ ଯଦି ସେମାନେ ଭଲ କାମ କରିବେ, ପୃଥିବୀରେ ଅନନ୍ତ ଜୀବନର ଆନନ୍ଦ ନେଇପାରିବେ।—ଯୋହନ ୫:୨୮, ୨୯ ପଢ଼ନ୍ତୁ।
୫. ମରିଯାଇଥିବା ଲୋକଙ୍କୁ ପୁଣିଥରେ ଜୀବିତ କରିବାର ବ୍ୟବସ୍ଥାରୁ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖିପାରିବା?
ପରମେଶ୍ୱର ନିଜ ପୁତ୍ରଙ୍କୁ ଆମ ପାଇଁ ଜୀବନ ଦେବାକୁ ପଠାଇଲେ। ଏହାଦ୍ୱାରା ହିଁ ମରିଯାଇଥିବା ଲୋକେ ପୁଣିଥରେ ଜୀବନ ପାଇପାରିବେ। ଏହି ବ୍ୟବସ୍ଥା ପରମେଶ୍ୱରଙ୍କ ଗଭୀର ପ୍ରେମ ଏବଂ ତାଙ୍କ ଅସୀମ ଦୟାର ପ୍ରମାଣ ଦିଏ। ଯେତେବେଳେ ମରିଯାଇଥିବା ଲୋକଙ୍କୁ ପୁଣିଥରେ ଜୀବିତ କରାଯିବ, ସେତେବେଳେ ଆପଣ ପ୍ରଥମେ କାହାକୁ ଦେଖିବାକୁ ଚାହିଁବେ?—ଯୋହନ ୩:୧୬; ରୋମୀୟ ୬:୨୩ ପଢ଼ନ୍ତୁ।