-
ଆୟୁବ କିଏ ଥିଲେ ?ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
-
-
ପାଠ ୧୬
ଆୟୁବ କିଏ ଥିଲେ ?
ଊଷ ଦେଶରେ ଆୟୁବ ନାମକ ଜଣେ ବ୍ୟକ୍ତି ରହୁଥିଲେ ଯିଏ ଯିହୋବାଙ୍କ ଉପାସନା କରୁଥିଲେ । ସେ ବହୁତ ଧନୀ ଥିଲେ ଏବଂ ତାଙ୍କ ବଡ଼ ପରିବାର ଥିଲା । ସେ ଜଣେ ଭଲ ବ୍ୟକ୍ତି ଥିଲେ, ସେ ଗରିବମାନଙ୍କୁ ଏବଂ ସ୍ତ୍ରୀମାନଙ୍କୁ ସାହାଯ୍ୟ କରୁଥିଲେ ଯେଉଁମାନଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ସେ ଏପରି ପିଲାମାନଙ୍କୁ ବି ସାହାଯ୍ୟ କରୁଥିଲେ ଯେଉଁମାନଙ୍କ ବାପାମାଆ ନ ଥିଲେ । ସେ ସବୁବେଳେ ସଠିକ୍ କାମ କରୁଥିଲେ । ତାହେଲେ କʼଣ ଏସବୁ ଯୋଗୁଁ ତାଙ୍କ ଉପରେ କୌଣସି କଷ୍ଟ ଆସିଲା ନାହିଁ ?
ଶୟତାନ, ଆୟୁବଙ୍କୁ ଦେଖୁଥିଲା କିନ୍ତୁ ଏହି କଥା ଆୟୁବଙ୍କୁ ଜଣା ନ ଥିଲା । ଯିହୋବା ଶୟତାନକୁ କହିଲେ, ‘କʼଣ ତମେ ମୋ ସେବକ ଆୟୁବ ଉପରେ ଧ୍ୟାନ ଦେଲ ? ତାʼ ଭଳି ପୃଥିବୀରେ ଆଉ କେହି ନାହାନ୍ତି । ସେ ମୋ କଥା ମାନେ ଏବଂ ସଠିକ୍ କାମ କରେ ।’ ଶୟତାନ କହିଲା, ‘ନିଶ୍ଚୟ ସେ ଆପଣଙ୍କ କଥା ମାନିବ ! କାରଣ ଆପଣ ତାକୁ ରକ୍ଷା କରନ୍ତି ଏବଂ ଆଶିଷ ଦିଅନ୍ତି । ଆପଣ ତାକୁ ଜମି ଏବଂ ଅନେକ ପଶୁ ଦେଇଛନ୍ତି । ଆପଣ ସେସବୁ ଛଡ଼ାଇ ନିଅନ୍ତୁ ଓ ତାʼପରେ ଦେଖନ୍ତୁ ସେ ଆପଣଙ୍କୁ ଉପାସନା କରିବା ଛାଡ଼ିଦେବ ।’ ଯିହୋବା କହିଲେ, ‘ତମେ ଚାହିଁଲେ ଆୟୁବର ପରୀକ୍ଷା କରିପାର, କିନ୍ତୁ ତାକୁ ଜୀବନରୁ ମାରିବ ନାହିଁ ।’ ଯିହୋବା କାହିଁକି ଶୟତାନକୁ ଆୟୁବଙ୍କ ପରୀକ୍ଷା କରିବା ପାଇଁ ଦେଲେ ? କାରଣ ତାଙ୍କୁ ପୂରା ଭରସା ଥିଲା ଯେ ଆୟୁବ ତାଙ୍କ ଉପାସନା କରିବା କେବେ ବି ଛାଡ଼ିବ ନାହିଁ ।
ଶୟତାନ, ଆୟୁବଙ୍କ ପରୀକ୍ଷା କରିବା ପାଇଁ ଅନେକ କଷ୍ଟ ଆଣିଲା । ପ୍ରଥମେ ସେ ଶିବାୟୀୟ ଲୋକମାନଙ୍କୁ ପଠାଇଲା ଯେଉଁମାନେ ଆୟୁବଙ୍କ ଗାଈ, ବଳଦ ଓ ଗଧମାନଙ୍କୁ ଚୋରି କରି ନେଇଗଲେ । ତାʼପରେ ଆୟୁବଙ୍କ ମେଣ୍ଢାମାନଙ୍କ ଉପରେ ନିଆଁ ବର୍ଷା ହେବା ଯୋଗୁଁ ସମସ୍ତେ ମରିଗଲେ । ଏହାପରେ କଲଦୀୟ ଲୋକମାନେ ତାଙ୍କ ଓଟମାନଙ୍କୁ ଚୋରି କରି ନେଲେ । ଏହି ପଶୁମାନଙ୍କ ଦେଖାଶୁଣା କରୁଥିବା ସେବକମାନଙ୍କୁ ମଧ୍ୟ ହତ୍ୟା କରି ଦିଆଗଲା । ଏହାପରେ ଆୟୁବଙ୍କ ଉପରେ ସବୁଠୁ ବଡ଼ କଷ୍ଟ ଆସିଲା । ତାଙ୍କ ସମସ୍ତ ପିଲା ଯେଉଁ ଘରେ ବସି ଖାଉଥିଲେ, ସେହି ଘର ଭୁସୁଡ଼ି ପଡ଼ିଲା ଏବଂ ସେମାନଙ୍କ ମୃତ୍ୟୁ ହୋଇଗଲା । ଆୟୁବ ବହୁତ ଦୁଃଖୀ ହୋଇଗଲେ, ତଥାପି ସେ ଯିହୋବାଙ୍କୁ ଉପାସନା କରିବା ଛାଡ଼ିଲେ ନାହିଁ ।
ଶୟତାନ ଆୟୁବଙ୍କୁ ଆହୁରି ଦୁଃଖ ଦେବା ପାଇଁ ଚାହୁଁଥିଲା, ତେଣୁ ସେ ଆୟୁବଙ୍କୁ ଗୋଟିଏ ରୋଗରେ ପୀଡ଼ିତ କଲା । ତାଙ୍କ ଶରୀରରେ ବଥ ବାହାରି ଆସିଲା, ଯାହାଯୋଗୁଁ ତାଙ୍କୁ ବହୁତ କଷ୍ଟ ହେଲା । ସେ ଜାଣି ନ ଥିଲେ ଯେ ତାଙ୍କ ସହ ଏସବୁ କାହିଁକି ହେଉଛି । ତଥାପି ସେ ଯିହୋବାଙ୍କୁ ଉପାସନା କରିବା ଜାରି ରଖିଲେ । ଏହା ଦେଖି ଈଶ୍ୱର ଆୟୁବଙ୍କଠୁ ବହୁତ ଖୁସି ହେଲେ ।
ଏହାପରେ ଶୟତାନ ଆୟୁବଙ୍କ ପରୀକ୍ଷା କରିବା ପାଇଁ ତାଙ୍କ ପାଖକୁ ତିନି ଜଣ ବ୍ୟକ୍ତିକୁ ପଠାଇଲା । ସେମାନେ ତାଙ୍କୁ କହିଲେ, ‘ତମେ ନିଶ୍ଚୟ ଲୁଚି କୌଣସି ପାପ କରିଥିବ, ତେଣୁ ଈଶ୍ୱର ତମକୁ ଦଣ୍ଡ ଦେଉଛନ୍ତି ।’ ଆୟୁବ କହିଲେ, ‘ମୁଁ କୌଣସି ଭୁଲ କରିନାହିଁ ।’ କିନ୍ତୁ ପରେ ସେ ଭାବିବାକୁ ଲାଗିଲେ ଯେ ଯିହୋବା ତାଙ୍କୁ କଷ୍ଟଗୁଡ଼ିକ ଦେଉଛନ୍ତି ଏବଂ ସେ କହିଲେ ଯେ ଈଶ୍ୱର ତାଙ୍କ ସହ ଅନ୍ୟାୟ କରୁଛନ୍ତି ।
ଇଲୀହୂ ନାମକ ଜଣେ ଯୁବା ବ୍ୟକ୍ତି ଚୁପ୍ଚାପ ସେମାନଙ୍କ କଥା ଶୁଣୁଥିଲେ । ତାʼପରେ ସେ କହିଲେ, ‘ଆପଣମାନେ ଯାହା କହୁଛନ୍ତି ତାହା ଭୁଲ ଅଟେ । ଯିହୋବା ସବୁଠୁ ମହାନ ଅଟନ୍ତି । ସେ କେବେ ବି କୌଣସି ଖରାପ କାମ କରିପାରିବେ ନାହିଁ । ସେ ସବୁକିଛି ଦେଖନ୍ତି ଏବଂ ଲୋକମାନଙ୍କୁ କଷ୍ଟଗୁଡ଼ିକ ସହିବା ପାଇଁ ସାହାଯ୍ୟ କରନ୍ତି ।’
ତାʼପରେ ଯିହୋବା ଆୟୁବଙ୍କ ସହ କଥା ହେଲେ । ସେ କହିଲେ, ‘ଯେବେ ମୁଁ ଆକାଶ ଓ ପୃଥିବୀ ସୃଷ୍ଟି କଲି ତେବେ ତମେ କେଉଁଠି ଥିଲ ? ତମେ କାହିଁକି କହିଲ ଯେ ମୁଁ ତମ ସହ ଅନ୍ୟାୟ କରିଛି ? ତମକୁ ଜଣା ନ ଥିବା ପରେ ବି ତମେ ଏପରି କାହିଁକି କହୁଛ ।’ ତେବେ ଆୟୁବ କହିଲେ, ‘ମୁଁ ଯାହା କହିଛି ତାହା ଭୁଲ ଅଟେ । ମୁଁ ଆପଣଙ୍କ ବିଷୟରେ ଶୁଣିଥିଲି, କିନ୍ତୁ ଏବେ ମୁଁ ସତରେ ତାହା ଜାଣିପାରିଛି । ଆପଣ ଯାହା ଚାହିଁବେ ତାହା କରିପାରିବେ । ମୁଁ ଯାହା କହିଲି ତାʼପାଇଁ ମୋତେ କ୍ଷମା କରିଦିଅନ୍ତୁ ।’
ଆୟୁବଙ୍କ ପରୀକ୍ଷା ଶେଷ ହେବା ପରେ ଯିହୋବା ତାଙ୍କ ରୋଗ ଠିକ୍ କରିଦେଲେ ଏବଂ ତାଙ୍କ ପାଖରେ ଆଗରୁ ଯେତେ ଥିଲା ତାʼଠୁ ଅଧିକ ତାଙ୍କୁ ଦେଲେ । ଆୟୁବ ଅନେକ ବର୍ଷ ଯାଏ ବଞ୍ଚିଲେ ଏବଂ ତାଙ୍କ ଜୀବନରେ ସେ ବହୁତ ଖୁସି ଥିଲେ । ସେ ସମସ୍ୟାରେ ବି ଯିହୋବାଙ୍କ କଥା ମାନିଲେ, ତେଣୁ ଯିହୋବା ତାଙ୍କୁ ଆଶିଷ ଦେଲେ । କʼଣ ଆପଣ ମଧ୍ୟ ଆୟୁବଙ୍କ ଭଳି ସମସ୍ୟାଗୁଡ଼ିକ ସତ୍ତ୍ୱେ ଯିହୋବାଙ୍କ ଉପାସନା କରିବା ଜାରି ରଖିବେ ?
‘ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି ଯିହୋବାଙ୍କ ଶେଷ କାର୍ଯ୍ୟ [“ପୁରସ୍କାର,” NWT] ଦେଖିଅଛ ।’—ଯାକୁବ ୫:୧୧
-
-
ମୋଶା ଯିହୋବାଙ୍କ ଉପାସନା କରିବାର ନିଷ୍ପତ୍ତି ନେଲେବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
-
-
ପାଠ ୧୭
ମୋଶା ଯିହୋବାଙ୍କ ଉପାସନା କରିବାର ନିଷ୍ପତ୍ତି ନେଲେ
ମିଶରରେ ଯାକୁବଙ୍କ ପରିବାରକୁ ଇସ୍ରାଏଲୀୟ କୁହାଯାଉଥିଲା । ଯାକୁବ ଓ ଯୋଷେଫଙ୍କ ମୃତ୍ୟୁ ପରେ ଜଣେ ନୂଆ ଫାରୋ ଶାସନ କରିବାକୁ ଲାଗିଲେ । ତାଙ୍କୁ ଡର ଥିଲା ଯେ ଇସ୍ରାଏଲୀୟମାନେ ମିଶରର ଲୋକମାନଙ୍କଠୁ ଅଧିକ ଶକ୍ତିଶାଳୀ ହୋଇଯିବେ । ତେଣୁ ସେ ସେମାନଙ୍କୁ ଦାସ କରିନେଲେ । ସେ ସେମାନଙ୍କଠାରୁ ଜବରଦସ୍ତି ଇଟା ତିଆରି କରିବା ପାଇଁ କହୁଥିଲେ ଏବଂ କ୍ଷେତଗୁଡ଼ିକରେ ବହୁତ ପରିଶ୍ରମ କରାଉଥିଲେ । ମିଶରୀୟମାନେ ଇସ୍ରାଏଲୀୟମାନଙ୍କୁ ବହୁତ ହଇରାଣ କଲେ, ତଥାପି ଇସ୍ରାଏଲୀୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା । ଫାରୋଙ୍କୁ ଏହା ଭଲ ଲାଗିଲା ନାହିଁ, ତେଣୁ ସେ ଆଜ୍ଞା ଦେଲେ ଯେ ଏବେଠୁ ଇସ୍ରାଏଲୀୟମାନଙ୍କ ଯେତେ ବି ପୁଅ ପିଲା ଜନ୍ମ ହେବେ ସେମାନଙ୍କୁ ମାରି ଦିଆଯାଉ । କʼଣ ଆପଣ ଭାବିପାରିବେ, ଏହା ଶୁଣି ଇସ୍ରାଏଲୀୟମାନେ କେତେ ଡରି ଯାଇଥିବେ ?
ଯୋକେବଦ ନାମକ ଜଣେ ଇସ୍ରାଏଲୀୟ ସ୍ତ୍ରୀ ଜଣେ ପୁଅକୁ ଜନ୍ମ ଦେଲେ ଯିଏ ବହୁତ ସୁନ୍ଦର ଥିଲା । ସେ ଛୁଆକୁ ରକ୍ଷା କରିବା ପାଇଁ ତାକୁ ଗୋଟିଏ ଟୋକେଇରେ ରଖି ନୀଳ ନଦୀର ନଳବନ ଅର୍ଥାତ୍ ଲମ୍ବା ଲମ୍ବା ଘାସ ମଝିରେ ଲୁଚାଇ ଦେଲେ । ଛୁଆର ଭଉଣୀ ମରୀୟମ, ଏହା ଦେଖିବା ପାଇଁ ପାଖରେ ଛିଡ଼ା ହୋଇଥିଲେ, ଯେ ଛୁଆ ସହିତ କʼଣ ହେବ ।
ଫାରୋଙ୍କ ଝିଅ ନଦୀରେ ଗାଧୋଇବା ପାଇଁ ଆସିଲେ ଏବଂ ସେ ଟୋକେଇରେ ଛୁଆକୁ କାନ୍ଦିବାର ଦେଖିଲେ । ତାଙ୍କୁ ସେହି ଛୁଆ ଉପରେ ଦୟା ଆସିଲା । ମରୀୟମ ତାଙ୍କୁ ପଚାରିଲେ, ‘କʼଣ ମୁଁ ଯାଇ କୌଣସି ସ୍ତ୍ରୀକୁ ଡାକି ଆଣିବି ଯିଏ ଏହି ବାଳକକୁ ସ୍ତନ୍ୟପାନ କରାଇବ ଏବଂ ତାʼର ଦେଖାଶୁଣା କରିବ ?’ ଫାରୋଙ୍କ ଝିଅ ‘ହଁ’ କହିଲେ ଏବଂ ମରୀୟମ ଯାଇ ନିଜ ମାଆ ଯୋକେବଦଙ୍କୁ ଡାକି ଆଣିଲେ । ଫାରୋଙ୍କ ଝିଅ ଯୋକେବଦଙ୍କୁ କହିଲେ, ‘ଏହି ଛୁଆକୁ ନେଇଯାଅ ଏବଂ ସ୍ତନ୍ୟପାନ କରାଅ ଆଉ ତାʼର ଯତ୍ନ ନିଅ । ମୁଁ ତମକୁ ଏହାର ମଜୁରୀ ଦେବି ।’
ଛୁଆ ବଡ଼ ହେଲା ପରେ ଯୋକେବଦ ତାଙ୍କୁ ଫାରୋଙ୍କ ଝିଅଙ୍କ ପାଖକୁ ନେଇ ଆସିଲେ । ଫାରୋଙ୍କ ଝିଅ ତାଙ୍କ ନାମ ମୋଶା ରଖିଲେ ଏବଂ ତାଙ୍କୁ ନିଜ ପୁଅ ଭଳି ଲାଳନପାଳନ କଲେ । ମୋଶା ରାଜାଙ୍କ ପୁଅ ଭାବେ ବଡ଼ ହେଲେ ଏବଂ ଯାହା ଚାହୁଁଥିଲେ ତାହା ପାଇଲେ । କିନ୍ତୁ ସେ ଯିହୋବାଙ୍କୁ କେବେ ବି ଭୁଲିଲେ ନାହିଁ । ସେ ଜାଣିଥିଲେ ଯେ ସେ ଜଣେ ମିଶରୀୟ ନୁହନ୍ତି ବରଂ ଜଣେ ଇସ୍ରାଏଲୀୟ ଅଟନ୍ତି । ସେ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଲେ ।
ଯେବେ ମୋଶା ୪୦ ବର୍ଷର ହେଲେ ତେବେ ସେ ଭାବିଲେ ଯେ ସେ ନିଜ ଲୋକମାନଙ୍କ ସାହାଯ୍ୟ କରିବେ । ଯେବେ ସେ ଦେଖିଲେ ଯେ ଜଣେ ମିଶରୀୟ ବ୍ୟକ୍ତି ଜଣେ ଇସ୍ରାଏଲୀୟ ଦାସକୁ ମାରୁଛି, ତେବେ ସେ ସେହି ମିଶରୀୟ ବ୍ୟକ୍ତିକୁ ଏତେ ଜୋରରେ ମାରିଲେ ଯେ ସେ ମରିଗଲା । ମୋଶା ତାʼର ଶବକୁ ଲୁଚାଇବା ପାଇଁ ବାଲିରେ ପୋତିଦେଲେ । ଯେବେ ଫାରୋଙ୍କୁ ଜଣାପଡ଼ିଲା ତେବେ ସେ ମୋଶାଙ୍କୁ ମାରିଦେବା ପାଇଁ ଚେଷ୍ଟା କଲେ । କିନ୍ତୁ ମୋଶା ପଳାଇ ମିଦୀୟନ ଦେଶକୁ ଗଲେ । ସେଠାରେ ଯିହୋବା ତାଙ୍କ ଦେଖାଶୁଣା କଲେ ।
‘ବିଶ୍ୱାସ ଦ୍ୱାରା ମୋଶା ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ମନା କଲେ ଏବଂ ଈଶ୍ୱରଙ୍କ ଲୋକମାନଙ୍କ ସହିତ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ ।’—ଏବ୍ରୀ ୧୧:୨୪, ୨୫
-