ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ୧୨ ଜଣ ଗୁପ୍ତଚର
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଇସ୍ରାଏଲୀୟ ପୁରୁଷମାନେ କିଣାନ ଦେଶର ଗୁପ୍ତଚରି କରୁଛନ୍ତି

      ପାଠ ୨୬

      ୧୨ ଜଣ ଗୁପ୍ତଚର

      ଇସ୍ରାଏଲୀୟ ସୀନୟ ପାହାଡ଼ ପାଖରୁ ଆଗକୁ ବଢ଼ିଲେ । ସେମାନେ ପାରଣ ପ୍ରାନ୍ତର ଦେଇ କାଦେଶ ନାମକ ଜାଗାକୁ ପହଞ୍ଚିଲେ । ସେଠାରେ ଯିହୋବା ମୋଶାଙ୍କୁ କହିଲେ, ‘ପ୍ରତ୍ୟେକ ବଂଶରୁ ଜଣେ ବ୍ୟକ୍ତିକୁ ବାଛ ଏବଂ ସେହି ୧୨ ଜଣ ବ୍ୟକ୍ତିଙ୍କୁ କିଣାନ ଦେଶରେ ଗୁପ୍ତଚରି କରିବା ପାଇଁ ପଠାଅ ଯାହା ମୁଁ ଇସ୍ରାଏଲୀୟମାନଙ୍କୁ ଦେବା ପାଇଁ ଯାଉଛି ।’ ମୋଶା ୧୨ ଜଣ ବ୍ୟକ୍ତିଙ୍କୁ ବାଛି କହିଲେ, ‘ତମେମାନେ କିଣାନ ଯାଅ ଏବଂ ଦେଖ ଯେ ସେଠାର ଜମି ଚାଷ ପାଇଁ ଭଲ ଅଛି ନା ନାହିଁ । ଏହା ବି ଦେଖିବ ଯେ ସେଠାର ଲୋକମାନେ ବହୁତ ଶକ୍ତିଶାଳୀ ଅଟନ୍ତି ନା ଦୁର୍ବଳ, ସେମାନେ ତମ୍ବୁଗୁଡ଼ିକରେ ରହନ୍ତି ନା ସହରଗୁଡ଼ିକରେ ।’ ତେବେ ୧୨ ଜଣ ଗୁପ୍ତଚର କିଣାନ ଗଲେ । ସେମାନଙ୍କ ମଧ୍ୟରେ ଯିହୋଶୂୟ ଓ କାଲେବ ମଧ୍ୟ ଥିଲେ ।

      ଇସ୍ରାଏଲୀୟମାନେ ଅଭିଯୋଗ କରୁଛନ୍ତି ଏବଂ ନିରାଶ ହୋଇଯାଇଛନ୍ତି

      ୪୦ ଦିନ ପରେ ସେହି ଗୁପ୍ତଚରମାନେ ଫେରିଲେ । ସେମାନେ ନିଜ ସହ ଡିମିରି, ଡାଳିମ୍ବ ଓ ଅଙ୍ଗୁର ଆଣିଲେ । ସେମାନେ ଏହି ଖବର ଦେଲେ, ‘ସେଠାର ଜମି ଭଲ ଅଛି, କିନ୍ତୁ ଲୋକମାନେ ବହୁତ ଶକ୍ତିଶାଳୀ ଅଟନ୍ତି ଏବଂ ସେମାନଙ୍କ ସହରଗୁଡ଼ିକରେ ଉଚ୍ଚ ଉଚ୍ଚ ପ୍ରାଚୀର ଅଛି ।’ ସେସମୟରେ କାଲେବ କହିଲେ, ‘ଆମେ ସେମାନଙ୍କୁ ପରାସ୍ତ କରିପାରିବା ! ଚାଲ, ଆମେ ତୁରନ୍ତ ଯାଇ ସେମାନଙ୍କ ଦେଶ ଉପରେ ଆକ୍ରମଣ କରିବା !’ କʼଣ ଆପଣ ଜାଣନ୍ତି, କାଲେବ ଏପରି କାହିଁକି କହିଲେ ? କାରଣ କାଲେବ ଓ ଯିହୋଶୂୟଙ୍କୁ ଯିହୋବାଙ୍କ ଉପରେ ଭରସା ଥିଲା । କିନ୍ତୁ ଅନ୍ୟ ୧୦ ଜଣ ଗୁପ୍ତଚର କହିଲେ, ‘ନା ! ସେଠାର ଲୋକମାନେ ବହୁତ ଲମ୍ବା ଚୌଡ଼ା ଅଛନ୍ତି ! ଆମେ ସେମାନଙ୍କ ସାମନାରେ ଝିଣ୍ଟିକା ଭଳି ଦେଖା ଯାଉଥିଲୁ ।’

      ଏହା ଶୁଣି ଇସ୍ରାଏଲୀୟମାନେ ନିରାଶ ହୋଇଗଲେ । ସେମାନେ ଅଭିଯୋଗ କରି ପରସ୍ପରକୁ କହିବାକୁ ଲାଗିଲେ, ‘ଚାଲ, ଆମେ ଅନ୍ୟ କାହାରିକୁ ପ୍ରଧାନ ବାଛିବା ଏବଂ ମିଶରକୁ ଫେରି ଯିବା । ଆମେ ସେହି ଦେଶକୁ କାହିଁକି ଯିବା ଯେଉଁଠି ଆମକୁ ମାରି ଦିଆଯିବ ?’ ଯିହୋଶୂୟ ଓ କାଲେବ ସେମାନଙ୍କୁ କହିଲେ, ‘ଯିହୋବାଙ୍କ ଆଜ୍ଞା ଭାଙ୍ଗ ନାହିଁ । ତମେମାନେ ଡର ନାହିଁ, ଯିହୋବା ଆମ ରକ୍ଷା କରିବେ ।’ କିନ୍ତୁ ଇସ୍ରାଏଲୀୟମାନେ ସେମାନଙ୍କ କଥା ଶୁଣିଲେ ନାହିଁ । ସେମାନେ ଯିହୋଶୂୟ ଓ କାଲେବଙ୍କୁ ମାରିଦେବା ପାଇଁ ଚାହୁଁଥିଲେ ।

      ତେବେ ଯିହୋବା କʼଣ କଲେ ? ସେ ମୋଶାଙ୍କୁ କହିଲେ, ‘ମୁଁ ଇସ୍ରାଏଲୀୟମାନଙ୍କ ପାଇଁ କେତେ କʼଣ କଲି, ତଥାପି ସେମାନେ ମୋ କଥା ମାନୁ ନାହାନ୍ତି । ତେଣୁ ସେମାନେ ୪୦ ବର୍ଷ ଯାଏ ପ୍ରାନ୍ତରରେ ରହିବେ ଏବଂ ସେଠାରେ ମରିଯିବେ । କେବଳ ସେମାନଙ୍କ ପିଲାମାନେ, ଯିହୋଶୂୟ ଓ କାଲେବ ସେହି ଦେଶକୁ ଯିବେ ଯାହାକୁ ଦେବାର ପ୍ରତିଜ୍ଞା ମୁଁ କରିଥିଲି ।’

      “ହେ ଅଳ୍ପବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ ?”—ମାଥିଉ ୮:୨୬

      ପ୍ରଶ୍ନ: ଯେବେ ୧୨ ଜଣ ଗୁପ୍ତଚର କିଣାନରୁ ଫେରିଲେ ତେବେ କʼଣ ହେଲା ? ଯିହୋଶୂୟ ଓ କାଲେବ କିପରି ଦେଖାଇଲେ ଯେ ସେମାନଙ୍କୁ ଯିହୋବାଙ୍କ ଉପରେ ଭରସା ଅଛି ?

      ଗଣନା ପୁସ୍ତକ ୧୩:୧–୧୪:୩୮; ଦ୍ୱିତୀୟ ବିବରଣ ୧:୨୨-୩୩; ଗୀତସଂହିତା ୭୮:୨୨; ଏବ୍ରୀ ୩:୧୭-୧୯

  • ସେମାନେ ଯିହୋବାଙ୍କ ବିରୁଦ୍ଧରେ ହୋଇଗଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • କୋରହ ଓ ତାଙ୍କ ସାଥୀ ମୋଶା ଓ ହାରୋଣଙ୍କ ସାମନାରେ ଛିଡ଼ା ହୋଇଛନ୍ତି

      ପାଠ ୨୭

      ସେମାନେ ଯିହୋବାଙ୍କ ବିରୁଦ୍ଧରେ ହୋଇଗଲେ

      ଯେବେ ଇସ୍ରାଏଲୀୟମାନେ ପ୍ରାନ୍ତରରେ ଥିଲେ ତାର କିଛି ସମୟ ପରେ କୋରହ, ଦାଥନ୍‌, ଅବୀରାମ ଓ ୨୫୦ ଜଣ ଲୋକ ମୋଶାଙ୍କ ବିରୁଦ୍ଧରେ ହୋଇଗଲେ । ସେମାନେ ତାଙ୍କୁ କହିବାକୁ ଲାଗିଲେ, ‘ଯଥେଷ୍ଟ ହେଲାଣି ! କିଏ ତମକୁ ଆମମାନଙ୍କ ନେତା ଏବଂ ହାରୋଣଙ୍କୁ ମହାଯାଜକ ନିଯୁକ୍ତ କରିଛନ୍ତି ? ଯିହୋବା କେବଳ ତମ ସହିତ ଏବଂ ହାରୋଣଙ୍କ ସହିତ ନୁହେଁ, ଆମ ସମସ୍ତଙ୍କ ସହିତ ଅଛନ୍ତି ।’ ଯିହୋବାଙ୍କୁ ଏହି କଥା ଭଲ ଲାଗିଲାନି । ତାଙ୍କ ଦୃଷ୍ଟିରେ ଏହା ତାଙ୍କର ବିରୁଦ୍ଧରେ କାମ କରିବା ଭଳି ଥିଲା !

      ମୋଶା, କୋରହ ଓ ତାଙ୍କ ସାଥୀମାନଙ୍କୁ କହିଲେ, ‘ତମେ ସମସ୍ତେ କାଲି ପବିତ୍ର ତମ୍ବୁ ପାଖକୁ ଆସିବ । ନିଜ ସହ ଅଙ୍ଗାରଧାନୀରେ ଧୂପ ପକାଇ ଆଣିବ । ଯିହୋବା ଦେଖାଇବେ ଯେ ସେ କାହାକୁ ବାଛିଛନ୍ତି ।’

      ତା ପରଦିନ କୋରହ ଓ ତାଙ୍କ ୨୫୦ ଜଣ ଲୋକ ମୋଶାଙ୍କୁ ଭେଟିବା ପାଇଁ ପବିତ୍ର ତମ୍ବୁ ପାଖକୁ ଗଲେ । ସେମାନେ ସେଠାରେ ଧୂପ ଜଳାଇଲେ ଯେପରିକି ସେମାନେ ଯାଜକ ଅଟନ୍ତି । ଯିହୋବା ମୋଶା ଓ ହାରୋଣଙ୍କୁ କହିଲେ, ‘ତମେ ଦୁହେଁ କୋରହ ଓ ତାଙ୍କ ଲୋକମାନଙ୍କଠାରୁ ଅଲଗା ହୋଇ ଦୂରକୁ ଚାଲି ଯାଅ ।’

      କୋରହ ପବିତ୍ର ତମ୍ବୁ ପାଖକୁ ଗଲେ ଯେଉଁଠି ମୋଶା ଥିଲେ, କିନ୍ତୁ ଦାଥନ୍‌, ଅବୀରାମ ଓ ସେମାନଙ୍କ ପରିବାର ଲୋକ ସେଠାକୁ ଯିବା ପାଇଁ ମନା କରିଦେଲେ । ଯିହୋବା ଇସ୍ରାଏଲୀୟମାନଙ୍କୁ କହିଲେ ଯେ ସେମାନେ କୋରହ, ଦାଥନ୍‌ ଓ ଅବୀରାମଙ୍କ ତମ୍ବୁଗୁଡ଼ିକରୁ ଦୂରେଇ ଯାʼନ୍ତୁ । ଇସ୍ରାଏଲୀୟମାନେ ତୁରନ୍ତ ସେଠାରୁ ଦୂରେଇ ଗଲେ । ଦାଥନ୍‌, ଅବୀରାମ ଓ ସେମାନଙ୍କ ପରିବାର ଲୋକ ନିଜ ତମ୍ବୁଗୁଡ଼ିକ ପାଖରେ ଛିଡ଼ା ହୋଇ ରହିଲେ । ହଠାତ୍‌ ଜମି ଫାଟିଗଲା ଏବଂ ସମସ୍ତ ଲୋକଙ୍କୁ ଗିଳି ପକାଇଲା ! ପବିତ୍ର ତମ୍ବୁ ପାଖକୁ ନିଆଁ ବର୍ଷା ହେଲା ଏବଂ କୋରହ ଓ ତାଙ୍କ ୨୫୦ ଜଣ ଲୋକ ଜଳି ପାଉଁଶ ହୋଇଗଲେ ।

      ଜମି ଫାଟିଯାଏ ଏବଂ ଦାଥନ୍‌, ଅବୀରାମ ଓ ସେମାନଙ୍କ ପରିବାର ସେଥିରେ ଧସିଯାʼନ୍ତି

      ତାʼପରେ ଯିହୋବା ମୋଶାଙ୍କୁ କହିଲେ, ‘ପ୍ରତ୍ୟେକ ଗୋଷ୍ଠୀର ପ୍ରଧାନଙ୍କଠାରୁ ଗୋଟିଏ ବାଡ଼ି ନିଅ ଏବଂ ସେଥିରେ ତାଙ୍କ ନାମ ଲେଖ । କିନ୍ତୁ ଲେବୀ ଗୋଷ୍ଠୀର ବାଡ଼ିରେ ହାରୋଣଙ୍କ ନାମ ଲେଖ । ସେହି ବାଡ଼ିଗୁଡ଼ିକୁ ପବିତ୍ର ତମ୍ବୁ ଭିତରେ ରଖ । ମୁଁ ଯେଉଁ ବ୍ୟକ୍ତିକୁ ବାଛିବି ତାʼ ବାଡ଼ିରେ ଫୁଲ ଫୁଟିଥିବ ।’

      ତା ପରଦିନ ମୋଶା ସବୁ ବାଡ଼ି ନେଇ ବାହାରକୁ ଆସିଲେ ଏବଂ ସେ ପ୍ରଧାନମାନଙ୍କୁ ଦେଖାଇଲେ । ହାରୋଣଙ୍କ ବାଡ଼ିରେ ଫୁଲ ଫୁଟିଥିଲା ଏବଂ ପାଚିଲା ବାଦାମ ଫଳିଥିଲା । ଏଥିରୁ ଯିହୋବା ସ୍ପଷ୍ଟ କରିଦେଲେ ଯେ ସେ ହାରୋଣଙ୍କୁ ହିଁ ମହାଯାଜକ ଭାବେ ବାଛିଛନ୍ତି ।

      “ଯେଉଁମାନେ ତମମାନଙ୍କର ନେତୃତ୍ୱ ନିଅନ୍ତି ସେମାନଙ୍କର ଆଜ୍ଞା ପାଳନ କର ଏବଂ ସେମାନଙ୍କର ଅଧୀନରେ ରହ ।”—ଏବ୍ରୀ ୧୩:୧୭, NWT

      ପ୍ରଶ୍ନ: କୋରହ ଓ ତାଙ୍କ ସାଥୀ ମୋଶାଙ୍କ ବିରୁଦ୍ଧରେ କାହିଁକି ହୋଇଗଲେ ? ଆମେ କିପରି ଜାଣୁ ଯେ ଯିହୋବା ହାରୋଣଙ୍କୁ ମହାଯାଜକ ବାଛିଥିଲେ ?

      ଗଣନା ପୁସ୍ତକ ୧୬:୧–୧୭:୧୩; ୨୬:୯-୧୧; ଗୀତସଂହିତା ୧୦୬:୧୬-୧୮

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ