ପାଠ ୨୬
୧୨ ଜଣ ଗୁପ୍ତଚର
ଇସ୍ରାଏଲୀୟ ସୀନୟ ପାହାଡ଼ ପାଖରୁ ଆଗକୁ ବଢ଼ିଲେ । ସେମାନେ ପାରଣ ପ୍ରାନ୍ତର ଦେଇ କାଦେଶ ନାମକ ଜାଗାକୁ ପହଞ୍ଚିଲେ । ସେଠାରେ ଯିହୋବା ମୋଶାଙ୍କୁ କହିଲେ, ‘ପ୍ରତ୍ୟେକ ବଂଶରୁ ଜଣେ ବ୍ୟକ୍ତିକୁ ବାଛ ଏବଂ ସେହି ୧୨ ଜଣ ବ୍ୟକ୍ତିଙ୍କୁ କିଣାନ ଦେଶରେ ଗୁପ୍ତଚରି କରିବା ପାଇଁ ପଠାଅ ଯାହା ମୁଁ ଇସ୍ରାଏଲୀୟମାନଙ୍କୁ ଦେବା ପାଇଁ ଯାଉଛି ।’ ମୋଶା ୧୨ ଜଣ ବ୍ୟକ୍ତିଙ୍କୁ ବାଛି କହିଲେ, ‘ତମେମାନେ କିଣାନ ଯାଅ ଏବଂ ଦେଖ ଯେ ସେଠାର ଜମି ଚାଷ ପାଇଁ ଭଲ ଅଛି ନା ନାହିଁ । ଏହା ବି ଦେଖିବ ଯେ ସେଠାର ଲୋକମାନେ ବହୁତ ଶକ୍ତିଶାଳୀ ଅଟନ୍ତି ନା ଦୁର୍ବଳ, ସେମାନେ ତମ୍ବୁଗୁଡ଼ିକରେ ରହନ୍ତି ନା ସହରଗୁଡ଼ିକରେ ।’ ତେବେ ୧୨ ଜଣ ଗୁପ୍ତଚର କିଣାନ ଗଲେ । ସେମାନଙ୍କ ମଧ୍ୟରେ ଯିହୋଶୂୟ ଓ କାଲେବ ମଧ୍ୟ ଥିଲେ ।
୪୦ ଦିନ ପରେ ସେହି ଗୁପ୍ତଚରମାନେ ଫେରିଲେ । ସେମାନେ ନିଜ ସହ ଡିମିରି, ଡାଳିମ୍ବ ଓ ଅଙ୍ଗୁର ଆଣିଲେ । ସେମାନେ ଏହି ଖବର ଦେଲେ, ‘ସେଠାର ଜମି ଭଲ ଅଛି, କିନ୍ତୁ ଲୋକମାନେ ବହୁତ ଶକ୍ତିଶାଳୀ ଅଟନ୍ତି ଏବଂ ସେମାନଙ୍କ ସହରଗୁଡ଼ିକରେ ଉଚ୍ଚ ଉଚ୍ଚ ପ୍ରାଚୀର ଅଛି ।’ ସେସମୟରେ କାଲେବ କହିଲେ, ‘ଆମେ ସେମାନଙ୍କୁ ପରାସ୍ତ କରିପାରିବା ! ଚାଲ, ଆମେ ତୁରନ୍ତ ଯାଇ ସେମାନଙ୍କ ଦେଶ ଉପରେ ଆକ୍ରମଣ କରିବା !’ କʼଣ ଆପଣ ଜାଣନ୍ତି, କାଲେବ ଏପରି କାହିଁକି କହିଲେ ? କାରଣ କାଲେବ ଓ ଯିହୋଶୂୟଙ୍କୁ ଯିହୋବାଙ୍କ ଉପରେ ଭରସା ଥିଲା । କିନ୍ତୁ ଅନ୍ୟ ୧୦ ଜଣ ଗୁପ୍ତଚର କହିଲେ, ‘ନା ! ସେଠାର ଲୋକମାନେ ବହୁତ ଲମ୍ବା ଚୌଡ଼ା ଅଛନ୍ତି ! ଆମେ ସେମାନଙ୍କ ସାମନାରେ ଝିଣ୍ଟିକା ଭଳି ଦେଖା ଯାଉଥିଲୁ ।’
ଏହା ଶୁଣି ଇସ୍ରାଏଲୀୟମାନେ ନିରାଶ ହୋଇଗଲେ । ସେମାନେ ଅଭିଯୋଗ କରି ପରସ୍ପରକୁ କହିବାକୁ ଲାଗିଲେ, ‘ଚାଲ, ଆମେ ଅନ୍ୟ କାହାରିକୁ ପ୍ରଧାନ ବାଛିବା ଏବଂ ମିଶରକୁ ଫେରି ଯିବା । ଆମେ ସେହି ଦେଶକୁ କାହିଁକି ଯିବା ଯେଉଁଠି ଆମକୁ ମାରି ଦିଆଯିବ ?’ ଯିହୋଶୂୟ ଓ କାଲେବ ସେମାନଙ୍କୁ କହିଲେ, ‘ଯିହୋବାଙ୍କ ଆଜ୍ଞା ଭାଙ୍ଗ ନାହିଁ । ତମେମାନେ ଡର ନାହିଁ, ଯିହୋବା ଆମ ରକ୍ଷା କରିବେ ।’ କିନ୍ତୁ ଇସ୍ରାଏଲୀୟମାନେ ସେମାନଙ୍କ କଥା ଶୁଣିଲେ ନାହିଁ । ସେମାନେ ଯିହୋଶୂୟ ଓ କାଲେବଙ୍କୁ ମାରିଦେବା ପାଇଁ ଚାହୁଁଥିଲେ ।
ତେବେ ଯିହୋବା କʼଣ କଲେ ? ସେ ମୋଶାଙ୍କୁ କହିଲେ, ‘ମୁଁ ଇସ୍ରାଏଲୀୟମାନଙ୍କ ପାଇଁ କେତେ କʼଣ କଲି, ତଥାପି ସେମାନେ ମୋ କଥା ମାନୁ ନାହାନ୍ତି । ତେଣୁ ସେମାନେ ୪୦ ବର୍ଷ ଯାଏ ପ୍ରାନ୍ତରରେ ରହିବେ ଏବଂ ସେଠାରେ ମରିଯିବେ । କେବଳ ସେମାନଙ୍କ ପିଲାମାନେ, ଯିହୋଶୂୟ ଓ କାଲେବ ସେହି ଦେଶକୁ ଯିବେ ଯାହାକୁ ଦେବାର ପ୍ରତିଜ୍ଞା ମୁଁ କରିଥିଲି ।’
“ହେ ଅଳ୍ପବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ ?”—ମାଥିଉ ୮:୨୬