-
ଯିହୋବାଙ୍କ ସାକ୍ଷୀମାନେ କେଉଁ ପ୍ରକାରର ଲୋକ ଅଟନ୍ତି ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୧
ଯିହୋବାଙ୍କ ସାକ୍ଷୀମାନେ କେଉଁ ପ୍ରକାରର ଲୋକ ଅଟନ୍ତି ?
ଡେନମାର୍କ୍
ତାଇୱାନ୍
ଭେନେଜୁଏଲା
ଭାରତ
ଆପଣ କୌଣସି ଯିହୋବାଙ୍କ ସାକ୍ଷୀଙ୍କୁ ଜାଣିଛନ୍ତି କି ? ଆମ ମଧ୍ୟରୁ ହୁଏତ କେହି ଆପଣଙ୍କ ପଡ଼ୋଶୀ ହୋଇଥିବେ, ସାଙ୍ଗରେ କାମ କରୁଥିବେ, କିମ୍ବା ସ୍କୁଲ କଲେଜରେ ପଢ଼ୁଥିବେ । ହୁଏତ କେହି ଆପଣଙ୍କ ସହିତ ବାଇବଲରୁ ଚର୍ଚ୍ଚା କରିଥିବେ । ବୋଧ ହୁଏ, ଆପଣ ଜାଣିବାକୁ ଚାହିଁବେ ଯେ ଆମେ ପ୍ରକୃତରେ କିଏ ଏବଂ ଆମେ କାହିଁକି ଅନ୍ୟମାନଙ୍କୁ ନିଜ ବିଶ୍ୱାସ ବିଷୟରେ କହିଥାଉ ?
ଆମେ ଆପଣଙ୍କ ପରି ସାଧାରଣ ଲୋକ ଅଟୁ । ଆମେ ସମାଜର ବିଭିନ୍ନ ସମ୍ପ୍ରଦାୟରୁ ଆସିଛୁ ଏବଂ ଅଲଗା ଅଲଗା ପରିବେଶରେ ବଢ଼ି ଆସିଛୁ । ଆମ ମଧ୍ୟରୁ କେତେକ ପୂର୍ବେ ଅନ୍ୟ ଧର୍ମକୁ ମାନୁଥିଲେ ଏବଂ କେତେକ ଈଶ୍ୱରଙ୍କୁ ବିଶ୍ୱାସ ମଧ୍ୟ କରୁ ନ ଥିଲେ । କିନ୍ତୁ ଆମ ମଧ୍ୟରୁ ପ୍ରତ୍ୟେକେ ବାଇବଲର ଶିକ୍ଷାଗୁଡ଼ିକୁ ଗଭୀର ଭାବେ ଅଧ୍ୟୟନ କଲୁ । (ପ୍ରେରିତ ୧୭:୧୧) ଯେତେବେଳେ ଆମକୁ ବିଶ୍ୱାସ ହେଲା ଯେ ଆମେ ଯାହା ଶିଖୁଛୁ ତାହା ହିଁ ସତ୍ୟ ଅଟେ, ସେତେବେଳେ ଆମେ ନିଜେ ଯିହୋବାଙ୍କ ଉପାସନା କରିବା ପାଇଁ ନିଷ୍ପତ୍ତି ନେଲୁ ।
ଆମକୁ ବାଇବଲ ଅଧ୍ୟୟନରୁ ଲାଭ ମିଳେ । ଅନ୍ୟମାନଙ୍କ ପରି ଆମକୁ ମଧ୍ୟ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ଏବଂ ଆମ ଦୁର୍ବଳତା ସହିତ ଲଢ଼ିବାକୁ ହୁଏ । କିନ୍ତୁ ଆମେ ଦେଖିଛୁ ଯେ ପ୍ରତିଦିନ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଲାଗୁ କରିବା ଦ୍ୱାରା ଆମ ଜୀବନରେ ବହୁତ ପରିବର୍ତ୍ତନ ଆସିଛି । (ଗୀତସଂହିତା ୧୨୮:୧, ୨) ଆମେ ବାଇବଲର ଭଲ କଥାସବୁ ଅନ୍ୟମାନଙ୍କୁ କହିବାର କାରଣଗୁଡ଼ିକ ମଧ୍ୟରୁ ଏହା ଗୋଟିଏ କାରଣ ଅଟେ ।
ଆମେ ଈଶ୍ୱରଙ୍କ ସ୍ତର ଅନୁସାରେ ଚାଲୁ । ବାଇବଲରେ ଥିବା ସ୍ତର ଅନୁସାରେ ଚାଲିବା ଦ୍ୱାରା ଆମ ଶରୀର ଏବଂ ମନ ସୁସ୍ଥ ରହେ । ଏହି ସ୍ତର ଆମକୁ ଅନ୍ୟମାନଙ୍କୁ ସମ୍ମାନ ଦେବା ଏବଂ ସଚ୍ଚୋଟତା ଓ ଦୟା ଭଳି ଗୁଣ ବଢ଼ାଇବା ପାଇଁ ସାହାଯ୍ୟ କରେ । ଏହି ସ୍ତର ସାହାଯ୍ୟରେ ଆମେ ଭଲ ମଣିଷ ହୋଇପାରୁ, ଯାହାଦ୍ୱାରା ସମାଜର ଲାଭ ହୁଏ । ତାʼ ସହିତ, ଏହା ପରିବାରଗୁଡ଼ିକୁ ଭାଙ୍ଗିବାଠାରୁ ରକ୍ଷା କରେ ଏବଂ ଶୁଦ୍ଧ ଚାଲିଚଳନ ଶିଖାଏ । ଆମେ ସାରା ଦୁନିଆରେ ଭାଇ ଭାଇ ପରି ଏକତାରେ ରହୁ । ଆମ ଧାର୍ମିକ ବିଶ୍ୱାସ ସମାନ ଅଟେ ଏବଂ ଆମେ ଦେଶ ଏବଂ ଜାତି ନାମରେ ଭାଗ ଭାଗ ହୋଇ ନ ଥାଉ । କାରଣ ‘ଈଶ୍ୱର ଭେଦଭାବ କରନ୍ତି ନାହିଁ’ ବୋଲି ଆମେ ମାନିଥାଉ । ଆମେ ସାଧାରଣ ଲୋକ ହୋଇଥିଲେ ମଧ୍ୟ ଏକ ସମୂହ ଭାବରେ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଅଟୁ ।—ପ୍ରେରିତ ୪:୧୩; ୧୦:୩୪, ୩୫.
ଯିହୋବାଙ୍କ ସାକ୍ଷୀମାନଙ୍କ ଏବଂ ଅନ୍ୟ ଲୋକମାନଙ୍କ ମଧ୍ୟରେ କʼଣ ସମାନତା ରହିଛି ?
ବାଇବଲର ଅଧ୍ୟୟନରୁ ଯିହୋବାଙ୍କ ସାକ୍ଷୀମାନେ କେଉଁ ସ୍ତରଗୁଡ଼ିକୁ ମାନିବା ଶିଖିଛନ୍ତି ?
-
-
ଆମକୁ ଯିହୋବାଙ୍କ ସାକ୍ଷୀ କାହିଁକି କୁହାଯାଏ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୨
ଆମକୁ ଯିହୋବାଙ୍କ ସାକ୍ଷୀ କାହିଁକି କୁହାଯାଏ ?
ନୋହ
ଅବ୍ରହାମ ଏବଂ ସାରା
ମୋଶା
ଯୀଶୁ ଖ୍ରୀଷ୍ଟ
ଅନେକ ଲୋକ ଭାବନ୍ତି ଯେ ଯିହୋବାଙ୍କ ସାକ୍ଷୀ ଏକ ନୂଆ ଧର୍ମ ଅଟେ । କିନ୍ତୁ ବାଇବଲରୁ ଜଣାପଡ଼େ ଯେ ଆଜିଠାରୁ ପ୍ରାୟ ୨,୭୦୦ ବର୍ଷ ପୂର୍ବେ ଏକମାତ୍ର ସତ୍ୟ ଈଶ୍ୱରଙ୍କ ଉପାସକମାନଙ୍କୁ “ସାକ୍ଷୀ” ବୋଲି କୁହାଯାଇଥିଲା । (ଯିଶାଇୟ ୪୩:୧୦-୧୨) ଆମେ ୧୯୩୧ ମସିହାରେ ଯିହୋବାଙ୍କ ସାକ୍ଷୀ ନାମ ଧାରଣ କଲୁ । ଏହା ପୂର୍ବରୁ ଆମେ ବାଇବଲ ବିଦ୍ୟାର୍ଥୀ ନାମରେ ପରିଚିତ ଥିଲୁ । ଯିହୋବାଙ୍କ ସାକ୍ଷୀ ନାମ ଆମେ କାହିଁକି ଧାରଣ କଲୁ ?
ଏହି ନାମରୁ ଜଣାପଡ଼େ ଯେ ଆମେ କେଉଁ ଈଶ୍ୱରଙ୍କୁ ଉପାସନା କରୁ । ପ୍ରାଚୀନ ହସ୍ତଲିପିଗୁଡ଼ିକ ଅନୁସାରେ ଈଶ୍ୱରଙ୍କ ନାମ ଯିହୋବା ବାଇବଲରେ ପ୍ରାୟ ୭,୦୦୦ ଥର ଆସେ । କିନ୍ତୁ ବାଇବଲର ଅନେକ ଅନୁବାଦରେ ଏହି ନାମ ପରିବର୍ତ୍ତେ ସଦାପ୍ରଭୁ କିମ୍ବା ଈଶ୍ୱର ଭଳି ଉପାଧିଗୁଡ଼ିକ ବ୍ୟବହାର କରାଯାଇଛି । କିନ୍ତୁ ପ୍ରାଚୀନ ସମୟରେ ଯେତେବେଳେ ସତ୍ୟ ଈଶ୍ୱର ନିଜ ନାମ ଯିହୋବା ବୋଲି ମୋଶାଙ୍କୁ ପରିଚୟ ଦେଲେ, ସେ କହିଲେ: “ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ ।” (ଯାତ୍ରାପୁସ୍ତକ ୩:୧୫) ଏହିପରି ଭାବରେ ଯିହୋବା ନିଜକୁ ଅନ୍ୟ ମିଥ୍ୟା ଦେବତାଙ୍କଠାରୁ ଅଲଗା କଲେ । ଈଶ୍ୱରଙ୍କ ପବିତ୍ର ନାମ ଧାରଣ କରୁଥିବାରୁ ଆମେ ନିଜକୁ ଗର୍ବ ଅନୁଭବ କରିଥାଉ ।
ଏହି ନାମରୁ ଆମ ଉଦ୍ଦେଶ୍ୟ ବିଷୟରେ ଜଣା ପଡ଼େ । ପ୍ରାଚୀନ ସମୟରୁ ଅନେକ ଲୋକ ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ବିଷୟରେ ପ୍ରଚାର କରିଆସୁଛନ୍ତି । ନମ୍ର ହେବଲ ଏହାର ଆରମ୍ଭ କରିଥିଲେ । ତାʼପରେ ନୋହ, ଅବ୍ରହାମ, ସାରା, ଦାଉଦ ଏବଂ ଆହୁରି ଅନେକେ ଏହି “ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ” ମଧ୍ୟରେ ସାମିଲ୍ ହେଲେ । (ଏବ୍ରୀ ୧୧:୪–୧୨:୧) ଯେପରି ନିର୍ଦ୍ଦୋଷ ବ୍ୟକ୍ତିଙ୍କ ସପକ୍ଷରେ ସାକ୍ଷ୍ୟ ଦେବା ଜଣେ ସାକ୍ଷୀର କର୍ତ୍ତବ୍ୟ ଅଟେ, ଠିକ୍ ସେହିପରି ଆମ ଈଶ୍ୱର ଯିହୋବାଙ୍କ ପକ୍ଷରେ ସାକ୍ଷ୍ୟ ଦେବା ଆମର କର୍ତ୍ତବ୍ୟ ଅଟେ । ଆମେ ଦୃଢ଼ ସଂକଳ୍ପ କରିଛୁ ଯେ ଯିହୋବାଙ୍କ ବିଷୟରେ ଲୋକଙ୍କୁ ସତ୍ୟ କହିବାରେ ପଛଘୁଞ୍ଚା ହେବୁ ନାହିଁ ।
ଆମେ ଯୀଶୁଙ୍କୁ ଅନୁକରଣ କରୁଛୁ । ବାଇବଲ ଯୀଶୁଙ୍କୁ “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ” କହେ । (ପ୍ରକାଶିତ ବାକ୍ୟ ୩:୧୪) ଯୀଶୁ ନିଜେ କହିଥିଲେ, ‘ମୁଁ ଈଶ୍ୱରଙ୍କ ନାମ ଜଣାଇଛି’ ଏବଂ ଈଶ୍ୱରଙ୍କ ବିଷୟରେ “ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ ।” (ଯୋହନ ୧୭:୨୬; ୧୮:୩୭) ସେ ଯିହୋବାଙ୍କ ସବୁଠାରୁ ବଡ଼ ସାକ୍ଷୀ, ତେଣୁ ଯୀଶୁଙ୍କ ପ୍ରକୃତ ଶିଷ୍ୟମାନଙ୍କୁ ଯିହୋବାଙ୍କ ନାମ ଧାରଣ କରିବା ଏବଂ ଅନ୍ୟମାନଙ୍କୁ ଏହି ନାମ ବିଷୟରେ କହିବା ଉଚିତ୍ । ଯିହୋବାଙ୍କ ସାକ୍ଷୀମାନେ ଏହା ହିଁ କରିବାକୁ ଚେଷ୍ଟା କରନ୍ତି ।
ବାଇବଲ ବିଦ୍ୟାର୍ଥୀମାନେ ଯିହୋବାଙ୍କ ସାକ୍ଷୀ ନାମ କାହିଁକି ଧାରଣ କଲେ ?
ଯିହୋବାଙ୍କ ସେବକମାନେ କେବେଠାରୁ ତାଙ୍କ ବିଷୟରେ ସାକ୍ଷ୍ୟ ଦେବା ଆରମ୍ଭ କଲେ ?
ଯିହୋବାଙ୍କ ସବୁଠାରୁ ବଡ଼ ସାକ୍ଷୀ କିଏ ?
-
-
ବାଇବଲର ସତ୍ୟକୁ କିପରି ପୁଣିଥରେ ଖୋଜାଗଲା ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୩
ବାଇବଲର ସତ୍ୟକୁ କିପରି ପୁଣିଥରେ ଖୋଜାଗଲା ?
ବାଇବଲ ବିଦ୍ୟାର୍ଥୀ, ୧୮୭୦ର ଦଶନ୍ଧୀ
୧୮୭୯ ଖ୍ରୀଷ୍ଟାବ୍ଦ, ପ୍ରହରୀଦୁର୍ଗର ପ୍ରଥମ ସଂସ୍କରଣ
ବର୍ତ୍ତମାନ ସମୟର ପ୍ରହରୀଦୁର୍ଗ ପତ୍ରିକା
ବାଇବଲରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ଯୀଶୁଙ୍କ ମୃତ୍ୟୁ ପରେ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ମିଥ୍ୟା ଶିକ୍ଷକମାନେ ଦେଖା ଦେବେ, ଯେଉଁମାନେ ବାଇବଲର ସତ୍ୟ ପରିବର୍ତ୍ତେ ବିପରୀତ କଥାଗୁଡ଼ିକ ଶିଖାଇବେ । (ପ୍ରେରିତ ୨୦:୨୯, ୩୦) ସମୟକ୍ରମେ ତାହା ହିଁ ହେଲା । ଏହି ଶିକ୍ଷକମାନେ ଯୀଶୁଙ୍କ ଶିକ୍ଷାରେ ମିଥ୍ୟା ଧର୍ମର ଶିକ୍ଷାସବୁ ମିଶାଇବାକୁ ଲାଗିଲେ ଏବଂ ଏକ ମିଥ୍ୟା ଖ୍ରୀଷ୍ଟିୟାନ ଧର୍ମର ଆରମ୍ଭ ହେଲା । (୨ ତୀମଥି ୪:୩, ୪) ତେଣୁ ଆମେ କିପରି ନିଶ୍ଚିତ ହୋଇପାରିବା ଯେ ବାଇବଲ ଆମକୁ ଯାହା ଶିଖାଏ, ତାʼ ବିଷୟରେ ସଠିକ୍ ଜ୍ଞାନ ଆଜି ଆମ ପାଖରେ ଅଛି ?
ସତ୍ୟରେ ଆଲୋକ ଦେବା ପାଇଁ ଯିହୋବାଙ୍କ ସମୟ ଆସିଲା । ଯିହୋବା ପୂର୍ବରୁ କହିଥିଲେ ଯେ ‘ଶେଷ କାଳରେ ଜ୍ଞାନର ବୃଦ୍ଧି ହେବ ।’ (ଦାନିୟେଲ ୧୨:୪) ତାହା ହିଁ ହେଲା । ୧୮୭୦ ମସିହାରେ ସତ୍ୟକୁ ଖୋଜୁଥିବା ଏକ ଛୋଟ ସମୂହ ଜାଣିପାରିଲା ଯେ ଗୀର୍ଜାର ଅନେକ ଶିକ୍ଷାଗୁଡ଼ିକ ବାଇବଲ ଆଧାରିତ ନ ଥିଲା । ତେଣୁ ସେମାନେ ଏହା ଖୋଜିବାକୁ ଲାଗିଲେ ଯେ ବାଇବଲ ପ୍ରକୃତରେ କʼଣ ଶିଖାଏ ଏବଂ ଯିହୋବା ସେମାନଙ୍କୁ ବାଇବଲର ସଠିକ୍ ଜ୍ଞାନ ହାସଲ କରିବା ପାଇଁ ସାହାଯ୍ୟ କଲେ ।
ସଚ୍ଚୋଟ ଲୋକମାନେ ଗଭୀର ଭାବରେ ବାଇବଲ ଅଧ୍ୟୟନ କଲେ । ସେହି ବାଇବଲ ବିଦ୍ୟାର୍ଥୀମାନେ ଆଜି ଯିହୋବାଙ୍କ ସାକ୍ଷୀ ନାମରେ ପରିଚିତ । ସେମାନେ ଅଧ୍ୟୟନର ଏମିତି ଏକ ପଦ୍ଧତି ବ୍ୟବାହାର କଲେ, ଯାହା ଆଜି ମଧ୍ୟ ଆମେ ବ୍ୟବାହାର କରୁଛୁ । ସେମାନେ ଗୋଟିଏ ବିଷୟ ବାଛୁଥିଲେ ଏବଂ ବାଇବଲରୁ ତାହା ଉପରେ ଚର୍ଚ୍ଚା କରୁଥିଲେ । ଯେତେବେଳେ ବାଇବଲର କିଛି ଭାଗ ସେମାନଙ୍କୁ ବୁଝିବା ପାଇଁ କଷ୍ଟ ହେଉଥିଲା, ତାହାକୁ ଠିକ୍ ଭାବରେ ବୁଝିବା ପାଇଁ ଅନ୍ୟ ପଦଗୁଡ଼ିକ ଦେଖୁଥିଲେ । ଯେତେବେଳେ ସେମାନେ କୌଣସି ସିଦ୍ଧାନ୍ତରେ ପହଞ୍ଚୁଥିଲେ, ଯାହା ବାଇବଲର ଅନ୍ୟ ପଦଗୁଡ଼ିକ ସହିତ ମେଳ ଖାଉଥିଲା, ସେମାନେ ତାହା ଲେଖି ରଖୁଥିଲେ । ଏପରି ଭାବରେ ସେମାନେ ବାଇବଲକୁ ଭଲ ଭାବରେ ବୁଝିବା ପାଇଁ ବାଇବଲର ହିଁ ସାହାଯ୍ୟ ନେଉଥିଲେ । ଏପରି କରିବା ଦ୍ୱାରା ସେମାନେ ବାଇବଲର ସତ୍ୟଗୁଡ଼ିକୁ ପୁଣିଥରେ ଖୋଜି ପାଇଲେ, ଯେଉଁଗୁଡ଼ିକ ଅନ୍ଧାରରେ ଲୁଚି ଯାଇଥିଲା । ଯେପରି ସେମାନେ ଈଶ୍ୱରଙ୍କ ନାମ ଓ ତାଙ୍କ ରାଜ୍ୟ, ମଣିଷମାନଙ୍କ ଓ ପୃଥିବୀ ପାଇଁ ତାଙ୍କ ଉଦ୍ଦେଶ୍ୟ, ମରିଯାଇଥିବା ଲୋକଙ୍କ ଅବସ୍ଥା ଏବଂ ସେମାନେ ପୁଣିଥରେ ଜୀବିତ ହେବା ବିଷୟରେ ସତ୍ୟ ବୁଝିପାରିଲେ । ଏହି ଅନୁସନ୍ଧାନରୁ ସେମାନେ ଅନେକ ମିଥ୍ୟା ଶିକ୍ଷା ଏବଂ ମିଥ୍ୟା ରୀତିନୀତିରୁ ମୁକ୍ତ ହୋଇପାରିଲେ ।—ଯୋହନ ୮:୩୧, ୩୨.
୧୮୭୯ ଖ୍ରୀଷ୍ଟାବ୍ଦ ଆସୁ ଆସୁ ବାଇବଲ ବିଦ୍ୟାର୍ଥୀମାନେ ବୁଝିଗଲେ ଯେ ବର୍ତ୍ତମାନ ସାରା ପୃଥିବୀରେ ସତ୍ୟର ପ୍ରଚାର କରାଯିବାର ସମୟ ଆସି ଯାଇଛି । ସେଥିପାଇଁ ସେମାନେ ସେହି ବର୍ଷରୁ ଏକ ପତ୍ରିକା ଛାପିବା ଆରମ୍ଭ କଲେ, ଯାହା ଆଜି ପର୍ଯ୍ୟନ୍ତ ଛପାଯାଉଛି । ଏହା ହେଉଛି, ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ । ଆଜି ଆମେ ୨୪୦ଟି ଦେଶ ଓ ଦ୍ୱୀପଗୁଡ଼ିକରେ ଏବଂ ୭୫୦ରୁ ଅଧିକ ଭାଷାରେ ଲୋକମାନଙ୍କୁ ବାଇବଲର ସତ୍ୟ ପହଞ୍ଚାଇ ପାରୁଛୁ । ପ୍ରକୃତରେ, ସତ୍ୟର ଜ୍ଞାନ ବହୁତ ବଢ଼ିଯାଇଛି !
ଯୀଶୁଙ୍କ ମୃତ୍ୟୁ ପରେ ବାଇବଲରେ ଥିବା ସତ୍ୟର କʼଣ ହେଲା ?
ଆମେ କିପରି ଈଶ୍ୱରଙ୍କ ବାକ୍ୟରେ ଥିବା ସତ୍ୟକୁ ପୁଣିଥରେ ଖୋଜି ପାଇଲୁ ?
-
-
ଆମେ ନୂତନ ଜଗତ ଅନୁବାଦ କାହିଁକି ବାହାର କଲୁ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୪
ଆମେ ନୂତନ ଜଗତ ଅନୁବାଦ କାହିଁକି ବାହାର କଲୁ ?
କଙ୍ଗୋ (କିନ୍ଶାସା)
ରୱାଣ୍ଡା
ତୃତୀୟ କିମ୍ବା ଚତୁର୍ଥ ଶତାବ୍ଦୀର ସାଇମେକସ୍ର ଏକ ଖଣ୍ଡ, ଯେଉଁଥିରେ ଗୀତସଂହିତା ୬୯:୩୧ରେ ଈଶ୍ୱରଙ୍କ ନାମ ଦିଆଯାଇଛି
ଯିହୋବାଙ୍କ ସାକ୍ଷୀମାନେ ଅନେକ ଦଶନ୍ଧି ଧରି ବାଇବଲର ଭିନ୍ନ ଭିନ୍ନ ଅନୁବାଦ ଛାପିଲେ, ବାଣ୍ଟିଲେ ଏବଂ ବ୍ୟବହାର କଲେ । କିନ୍ତୁ ପରେ ଆମେ ଏକ ନୂଆ ଅନୁବାଦର ଆବଶ୍ୟକତା ଅନୁଭବ କଲୁ, ଯାହା ଲୋକଙ୍କୁ “ସତ୍ୟ ସମ୍ବନ୍ଧରେ ଜ୍ଞାନ” ପାଇବା ପାଇଁ ଆହୁରି ସାହାଯ୍ୟ କରିବ, କାରଣ ସମସ୍ତଙ୍କ ପାଇଁ ଈଶ୍ୱରଙ୍କ ଏହା ହିଁ ଇଚ୍ଛା ଅଟେ । (୧ ତୀମଥି ୨:୩, ୪) ତେଣୁ ୧୯୫୦ରୁ ଆମେ ଭିନ୍ନ ଭିନ୍ନ ଭାଗରେ ଇଂରାଜୀର ନୂତନ ଜଗତ ଅନୁବାଦ ବାହାର କରିବା ଆରମ୍ଭ କଲୁ । ଏଥିରେ ଆମ ସମୟରେ ପ୍ରଚଳିତ ଭାଷା ବ୍ୟବହାର କରାଯାଇଛି । ଏହି ବାଇବଲର ଅନୁବାଦ ୧୩୦ରୁ ଅଧିକ ଭାଷାରେ କରାଯାଇଛି ଏବଂ ଅନୁବାଦ କିପରି ନିର୍ଭୁଲ ହୋଇପାରିବ, ତାହା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।
ଏପରି ଏକ ବାଇବଲ ଆବଶ୍ୟକ ଥିଲା, ଯାହା ସହଜରେ ବୁଝି ହେଉଥିବ । ସମୟ ସହିତ ଭାଷା ମଧ୍ୟ ବଦଳିଥାଏ । ବାଇବଲର ଅନେକ ଅନୁବାଦ ବହୁତ ଆଗରୁ କରାଯାଇଥିଲା । ସେଥିପାଇଁ ସେଗୁଡ଼ିକର ଭାଷା ପୁରୁଣା ହୋଇଯାଇଥିଲା ଏବଂ ଅନେକ ଶବ୍ଦ ବୁଝି ମଧ୍ୟ ହେଉ ନ ଥିଲା । ତାʼ ସହିତ, ବାଇବଲର ଆହୁରି ଅନେକ ପ୍ରାଚୀନ ହସ୍ତଲିପି ମିଳିଲା, ଯେଉଁଗୁଡ଼ିକ ବାଇବଲର ମୂଳ-ହସ୍ତଲିପି ସହିତ ସଠିକ୍ ଭାବରେ ମିଶୁଥିଲା । ଏହି ହସ୍ତଲିପିଗୁଡ଼ିକ ସାହାଯ୍ୟରେ ସେହି ସମୟର ଏବ୍ରୀ, ଆରାମୀ ଏବଂ ଗ୍ରୀକ୍ ଭାଷାକୁ ଆହୁରି ଭଲ ଭାବେ ବୁଝି ହେଲା, ଯେଉଁ ସମୟରେ ବାଇବଲ ଲେଖାଯାଇଥିଲା ।
ଏପରି ଏକ ବାଇବଲ ଆବଶ୍ୟକ ଥିଲା, ଯେଉଁଥିରେ ଈଶ୍ୱରଙ୍କ ବାକ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବ । ଈଶ୍ୱରଙ୍କ ପ୍ରେରଣାରେ ଲେଖାଯାଇଥିବା ବାକ୍ୟରେ ମନଇଚ୍ଛା ପରିବର୍ତ୍ତନ କରିବା ପରିବର୍ତ୍ତେ ବାଇବଲ ଅନୁବାଦକମାନଙ୍କୁ ପୂରା ସଚ୍ଚୋଟତାର ସହିତ ମୂଳ-ହସ୍ତଲିପିର ସଠିକ୍ ଅନୁବାଦ କରିବା ଉଚିତ୍ । କିନ୍ତୁ ଅଧିକାଂଶ ଅନୁବାଦଗୁଡ଼ିକରେ ଈଶ୍ୱରଙ୍କ ନାମ ଯିହୋବାକୁ କାଢ଼ି ଦିଆଯାଇଛି ।
ଏପରି ଏକ ବାଇବଲ ଆବଶ୍ୟକ ଥିଲା, ଯାହା ବାଇବଲର ପ୍ରକୃତ ଲେଖକ ଅର୍ଥାତ୍ ଯିହୋବାଙ୍କୁ ମହିମା ଦେବ । (୨ ଶାମୁୟେଲ ୨୩:୨) ବାଇବଲର ସବୁଠାରୁ ପୁରୁଣା ହସ୍ତଲିପିଗୁଡ଼ିକରେ ଯିହୋବାଙ୍କ ନାମ ପ୍ରାୟ ୭,୦୦୦ ଥର ଆସେ ଏବଂ ନୂତନ ଜଗତ ଅନୁବାଦରେ ସେହି ସମସ୍ତ ଜାଗାଗୁଡ଼ିକରେ ଏହି ନାମ ପୁଣିଥରେ ଲେଖାଯାଇଛି । ତଳେ ଠିକ୍ ସେମିତି ଏକ ହସ୍ତଲିପିର ଚିତ୍ର ଦିଆଯାଇଛି । (ଯାତ୍ରା ପୁସ୍ତକ ୬:୩) ବର୍ଷ ବର୍ଷର ପରିଶ୍ରମ ଓ ଗବେଷଣା ପରେ ନୂତନ ଜଗତ ଅନୁବାଦ ବାଇବଲ ପ୍ରସ୍ତୁତ କରାଯାଇଛି । ଏହାକୁ ପଢ଼ି ବହୁତ ଖୁସି ମିଳେ, କାରଣ ଏହା ଆମକୁ ଈଶ୍ୱରଙ୍କ ଚିନ୍ତାଧାରା ବିଷୟରେ ସଠିକ୍ ଭାବରେ କହିଥାଏ । ଆପଣଙ୍କ ପାଖରେ ନିଜ ଭାଷାରେ ନୂତନ ଜଗତ ଅନୁବାଦ ଥାଉ କିମ୍ବା ନ ଥାଉ, ଆମେ ଆପଣଙ୍କୁ ଉତ୍ସାହିତ କରୁ ଯେ ପ୍ରତିଦିନ ଯିହୋବାଙ୍କ ବାକ୍ୟ ପଢ଼ିବାର ଭଲ ଅଭ୍ୟାସ ଜାରି ରଖନ୍ତୁ ।—ଯିହୋଶୂୟ ୧:୮; ଗୀତସଂହିତା ୧:୨, ୩.
ଆମକୁ ବାଇବଲର ଏକ ନୂଆ ଅନୁବାଦ କାହିଁକି ଆବଶ୍ୟକ ହେଲା ?
ଯଦି କେହି ଈଶ୍ୱରଙ୍କ ଇଚ୍ଛା ଜାଣିବାକୁ ଚାହାନ୍ତି, ତାଙ୍କୁ ପ୍ରତିଦିନ କʼଣ କରିବାକୁ ହେବ ?
-