ପାଠ ୦୬
ସବୁକିଛି ଆପେ ଆପେ ଆସିଛି ନା କେହି ଏସବୁକୁ ସୃଷ୍ଟି କରିଛନ୍ତି ?
ବାଇବଲରେ ଲେଖାଅଛି ଯେ ଈଶ୍ୱର ହିଁ ମଣିଷ, ଗଛଲତା, ଜୀବଜନ୍ତୁ ଓ ସବୁକିଛିକୁ ସୃଷ୍ଟି କରିଛନ୍ତି । (ପ୍ରକାଶିତ ବାକ୍ୟ ୪:୧୧) କିନ୍ତୁ କିଛି ଲୋକ ଭାବନ୍ତି ଯେ ସବୁକିଛି ଆପେ ଆପେ ଆସିଛି, କେହି ଏସବୁକୁ ସୃଷ୍ଟି କରି ନାହାନ୍ତି । କʼଣ ଆପଣଙ୍କୁ ବି ଏପରି ଲାଗେ ? କିନ୍ତୁ ଯଦି ଯିହୋବା ଈଶ୍ୱର ସବୁକିଛି ସୃଷ୍ଟି କରିଛନ୍ତି, ତାହେଲେ ସେ ନିଶ୍ଚୟ କିଛି ଭାବିଚିନ୍ତି ସୃଷ୍ଟି କରିଥିବେ ।a ଏହି ପାଠରେ ଆପଣ ଶିଖିବେ ଯେ ବାଇବଲରେ ଜୀବନର ଆରମ୍ଭ ବିଷୟରେ କʼଣ କୁହାଯାଇଛି ଏବଂ ଏଥିରେ ଲେଖା ହୋଇଥିବା କଥା କାହିଁକି ସଠିକ୍ ଅଟେ ।
୧. ବିଶ୍ୱର ସୃଷ୍ଟି କିପରି ହେଲା ?
ବାଇବଲରେ ଲେଖାଅଛି, “ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ ।” (ଆଦି ପୁସ୍ତକ ୧:୧) ଅଧିକାଂଶ ବୈଜ୍ଞାନିକମାନେ ଏହା ବିଶ୍ୱାସ କରନ୍ତି ଯେ ଏହି ବିଶ୍ୱର ଆରମ୍ଭ ହୋଇଥିଲା । ଈଶ୍ୱର ଏହାକୁ କିପରି ସୃଷ୍ଟି କଲେ ? ଈଶ୍ୱର ନିଜ ପବିତ୍ର ଶକ୍ତି ସାହାଯ୍ୟରେ ତାରା, ଗ୍ରହ ଓ ଅନ୍ୟ ସମସ୍ତ ବସ୍ତୁଗୁଡ଼ିକୁ ସୃଷ୍ଟି କଲେ ।—ଆଦି ପୁସ୍ତକ ୧:୨.
୨. ଈଶ୍ୱର କାହିଁକି ପୃଥିବୀକୁ ସୃଷ୍ଟି କଲେ ?
ଯିହୋବା ‘ପୃଥିବୀକୁ ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ ।’ (ଯିଶାଇୟ ୪୫:୧୮) ସେ ପୃଥିବୀକୁ ଏପରି ଭାବେ ତିଆରି କରିଛନ୍ତି, ଯାହାଫଳରେ ଆମେ ଏଠାରେ ସବୁଦିନ ପାଇଁ ଖୁସିରେ ରହିପାରିବା । (ଯିଶାଇୟ ୪୦:୨୮ ଓ ୪୨:୫ ପଢ଼ନ୍ତୁ ।) ବୈଜ୍ଞାନିକମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ କେବଳ ପୃଥିବୀ ହିଁ ଏପରି ଏକ ଗ୍ରହ ଯେଉଁଠି ମଣିଷ ବଞ୍ଚି ରହିପାରିବ ।
୩. ମଣିଷ ପଶୁପକ୍ଷୀମାନଙ୍କଠାରୁ କିପରି ଭିନ୍ନ ?
ଯିହୋବା ପୃଥିବୀକୁ ସୃଷ୍ଟି କଲାପରେ ଗଛଲତା ଓ ପଶୁପକ୍ଷୀମାନଙ୍କୁ ସୃଷ୍ଟି କଲେ । ଏସବୁକୁ ସୃଷ୍ଟି କଲାପରେ “ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ ।” (ଆଦି ପୁସ୍ତକ ୧:୨୭ ପଢ଼ନ୍ତୁ ।) ଅର୍ଥାତ୍, ଆମ ଭିତରେ ଈଶ୍ୱରଙ୍କ ଭଳି ଗୁଣ ରହିଛି । ତେଣୁ ଆମେ ଠିକ୍ ଭୁଲ କʼଣ ତାହା ଜାଣିପାରୁ ଓ ପରସ୍ପରକୁ ପ୍ରେମ କରୁ । ସେ ଆମକୁ ଭିନ୍ନ ଭିନ୍ନ ଭାଷା ଶିଖିବାର ଓ ସଂଗୀତର ଆନନ୍ଦ ନେବାର ଦକ୍ଷତା ମଧ୍ୟ ଦେଇଛନ୍ତି । ତାʼସହ କେବଳ ଆମେ ମଣିଷମାନେ ହିଁ ଈଶ୍ୱରଙ୍କ ଉପାସନା କରିପାରୁ । ତେଣୁ ଆମେ ପଶୁପକ୍ଷୀମାନଙ୍କଠାରୁ ଭିନ୍ନ ଅଟୁ ।
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ଆମେ କାହିଁକି ଭରସା ରଖିପାରିବା ଯେ ଈଶ୍ୱର ସବୁକିଛି ସୃଷ୍ଟି କରିଛନ୍ତି ଏବଂ ବାଇବଲରେ ସୃଷ୍ଟି ବିଷୟରେ ଯାହା କୁହାଯାଇଛି, ତାହା ସଠିକ୍ ଅଟେ । ଏହା ମଧ୍ୟ ଜାଣନ୍ତୁ ଯେ ମଣିଷମାନଙ୍କଠାରେ ଯେଉଁ ଭଲ ଗୁଣ ରହିଛି, ସେଥିରୁ ଈଶ୍ୱରଙ୍କ ବିଷୟରେ କʼଣ ଜଣାପଡ଼େ ।
୪. ସବୁକିଛି ଆପେ ଆପେ ଆସିନି
ଯେତେବେଳେ ଜଣେ ମଣିଷ ସୃଷ୍ଟିର କୌଣସି ଜିନିଷକୁ ନକଲ କରି କିଛି ତିଆରି କରେ, ସେତେବେଳେ ତାକୁ ପ୍ରଶଂସା କରାଯାଏ । ତାହେଲେ ସୃଷ୍ଟିରେ ମିଳୁଥିବା ଜିନିଷଗୁଡ଼ିକ ପାଇଁ କାହାକୁ ପ୍ରଶଂସା କରାଯିବା ଉଚିତ୍ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।
ମଣିଷମାନେ ସୃଷ୍ଟିକୁ ନକଲ କରି କʼଣ କʼଣ ତିଆରି କରିଛନ୍ତି ?
ପ୍ରତ୍ୟେକ ଘରକୁ କେହି ନା କେହି ତିଆରି କରିଛନ୍ତି, ତାହେଲେ ସୃଷ୍ଟିରେ ମିଳୁଥିବା ଜିନିଷଗୁଡ଼ିକୁ କିଏ ତିଆରି କରିଛନ୍ତି ? ଏବ୍ରୀ ୩:୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ପ୍ରକୃତିର କେଉଁ କେଉଁ ଜିନିଷ ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗେ ଏବଂ କାହିଁକି ?
କʼଣ ଆପଣଙ୍କୁ ଲାଗେ ଏହି ବିଶ୍ୱ ଓ ଅନ୍ୟସବୁ ଜିନିଷଗୁଡ଼ିକୁ କେହି ସୃଷ୍ଟି କରିଛନ୍ତି ? ଆପଣଙ୍କୁ ଏପରି କାହିଁକି ଲାଗେ ?
କʼଣ ଆପଣ ଜାଣନ୍ତି ?
jw.org ୱେବସାଇଟ୍ରେ “କʼଣ ଏହାକୁ ସୃଷ୍ଟି କରାଯାଇଥିଲା ?” ଓ “ଜୀବନର ଆରମ୍ଭ ବିଷୟରେ ଅନ୍ୟମାନଙ୍କର ମତ” ଭାଗରେ ଆପଣ ଆହୁରି ଅଧିକ ଲେଖା ଓ ଭିଡିଓ ଦେଖିପାରିବେ ।
“ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ, କିନ୍ତୁ ସମସ୍ତ ବିଷୟର ଯେ ସ୍ଥାପନକର୍ତ୍ତା, ସେ ଈଶ୍ୱର”
୫. ସୃଷ୍ଟି ବିଷୟରେ ବାଇବଲରେ ଯାହା ଲେଖାଯାଇଛି, ତାʼ ଉପରେ ବିଶ୍ୱାସ କରାଯାଇପାରେ
ବାଇବଲର ପ୍ରଥମ ବହି ଆଦି ପୁସ୍ତକର ଅଧ୍ୟାୟ ୧ରେ ଲେଖାଅଛି ଯେ ପୃଥିବୀ ଓ ସମସ୍ତ ଜୀବଜନ୍ତୁକୁ କିପରି ସୃଷ୍ଟି କରାଗଲା । କʼଣ ଏପରି ସତରେ ହୋଇଥିଲା ନା ଏହା କେବଳ ଏକ କାହାଣୀ ଅଟେ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।
ବାଇବଲରେ ଲେଖାଅଛି ଯେ ପୃଥିବୀ, ଜୀବଜନ୍ତୁ ଓ ମଣିଷକୁ ଛଅ ଦିନରେ ସୃଷ୍ଟି କରାଯାଇଥିଲା । କʼଣ ଏହି ଦିନଗୁଡ଼ିକ ୨୪ ଘଣ୍ଟାର ଥିଲା ?
ବାଇବଲରେ ସୃଷ୍ଟି ବିଷୟରେ ଯାହା ଲେଖାଯାଇଛି, କʼଣ ତା ଉପରେ ବିଶ୍ୱାସ କରାଯାଇପାରେ ଏବଂ କାହିଁକି ?
ଆଦି ପୁସ୍ତକ ୧:୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ବୈଜ୍ଞାନିକମାନେ କହନ୍ତି ଯେ ଏହି ବିଶ୍ୱର ଆରମ୍ଭ ହୋଇଥିଲା । ସେମାନଙ୍କ ଏହି କଥା ବାଇବଲର ଏହି ପଦ ସହ କିପରି ମେଳ ଖାଏ ?
କିଛି ଲୋକ ଭାବନ୍ତି, ବୋଧେ ଈଶ୍ୱର କ୍ରମବିକାଶ ବା ବିବର୍ତ୍ତନରୁ (ଏଭଲ୍ୟୁସନ୍) ସବୁକିଛି ତିଆରି କରିଛନ୍ତି । ସେମାନେ ଭାବନ୍ତି ଯେ ଈଶ୍ୱର ଗୋଟିଏ ସୂକ୍ଷ୍ମ ବା ବହୁତ ଛୋଟ ଜୀବ ସୃଷ୍ଟି କଲେ ଏବଂ ସେଥିରୁ ଆପେ ଆପେ ପଶୁପକ୍ଷୀ ଓ ମଣିଷମାନଙ୍କର ବିକାଶ ହେଲା । ଆଦି ପୁସ୍ତକ ୧:୨୧, ୨୫, ୨୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
କʼଣ ବାଇବଲରେ କୁହାଯାଇଛି ଯେ ଈଶ୍ୱର କ୍ରମବିକାଶ ଜରିଆରେ ମଣିଷ ଓ ପଶୁପକ୍ଷୀମାନଙ୍କୁ ତିଆରି କରିଥିଲେ ? ନା ଈଶ୍ୱର ସବୁ ‘ଜାତିର’ ଗଛଲତା ଓ ଜୀବଜନ୍ତୁକୁ ଅଲଗା ଅଲଗା ସୃଷ୍ଟି କରିଥିଲେ ?
୬. ଈଶ୍ୱର ଯାହା ବି ସୃଷ୍ଟି କରିଛନ୍ତି ସେମଧ୍ୟରୁ ମଣିଷ ସବୁଠୁ ଅଲଗା
ମଣିଷ ପଶୁପକ୍ଷୀରୁ ପୂରା ଅଲଗା । ଆଦି ପୁସ୍ତକ ୧:୨୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଈଶ୍ୱର ଆମମାନଙ୍କୁ ନିଜ ପ୍ରତିମୂର୍ତ୍ତିରେ ସୃଷ୍ଟି କରିଛନ୍ତି । ତେଣୁ ଆମେ ଅନ୍ୟମାନଙ୍କୁ ପ୍ରେମ କରୁ ଓ ଦୟା ଦେଖାଉ । ତାହେଲେ ଭାବନ୍ତୁ ଈଶ୍ୱର ନିଜେ କିପରି ଥିବେ ?
କିଛି ଲୋକ କହନ୍ତି: “ସୃଷ୍ଟି ବିଷୟରେ ବାଇବଲରେ ଯାହା କୁହାଯାଇଛି, ତାହା କେବଳ ଏକ ମନଗଢ଼ା କାହାଣୀ ।”
ଆପଣ କʼଣ ଭାବନ୍ତି ଏବଂ କାହିଁକି ?
ଆମେ କʼଣ ଶିଖିଲୁ ?
ଯିହୋବା ଈଶ୍ୱର ବିଶ୍ୱ ଓ ସମସ୍ତ ଜୀବଜନ୍ତୁକୁ ସୃଷ୍ଟି କରିଛନ୍ତି ।
ଆପଣ କʼଣ କହିବେ ?
ବିଶ୍ୱର ଆରମ୍ଭ ବିଷୟରେ ବାଇବଲରେ କʼଣ ଲେଖାଅଛି ?
କʼଣ ଈଶ୍ୱର ଏକ ସୂକ୍ଷ୍ମ ଜୀବ ସୃଷ୍ଟି କଲେ ଏବଂ ସେଥିରୁ ସମସ୍ତ ଜୀବଜନ୍ତୁର ବିକାଶ ହେଲା ନା ଈଶ୍ୱର ସବୁ ଜୀବଜନ୍ତୁକୁ ଅଲଗା ଅଲଗା କରି ସୃଷ୍ଟି କଲେ ?
ମଣିଷ କିପରି ସବୁ ଜୀବଜନ୍ତୁଠାରୁ ଅଲଗା ?
ଅଧିକ ଜାଣନ୍ତୁ
ଜାଣନ୍ତୁ ଯେ ପ୍ରକୃତିରେ ମିଳୁଥିବା ଜିନିଷଗୁଡ଼ିକରୁ କʼଣ ଜଣାପଡ଼େ ।
ଦେଖନ୍ତୁ ଯେ ଜଣେ ପିତା କିପରି ନିଜ ଛୋଟ ପିଲାକୁ ବୁଝାଉଛନ୍ତି ଯେ ଯିହୋବା ହିଁ ସବୁକିଛି ସୃଷ୍ଟି କରିଛନ୍ତି ।
କିଛି ଲୋକ କହନ୍ତି ଯେ ଈଶ୍ୱର ବିବର୍ତ୍ତନ (ଏଭଲ୍ୟୁସନ୍) ଜରିଆରେ ସବୁକିଛି ସୃଷ୍ଟି କରିଥିଲେ । କʼଣ ବାଇବଲରେ ବି ଏହା ଲେଖାଅଛି ?
“କʼଣ ଈଶ୍ୱର ବିବର୍ତ୍ତନରୁ ସମସ୍ତ ଜୀବଜନ୍ତୁକୁ ସୃଷ୍ଟି କଲେ ?” (jw.org ୱେବସାଇଟ୍ରେ ଥିବା ଲେଖା)
ଜାଣନ୍ତୁ ଯେ ଜୀବଜନ୍ତୁମାନଙ୍କର ହାଡ଼କୁ ପରୀକ୍ଷା କରିବା ଦ୍ୱାରା ଓ ବୈଜ୍ଞାନିକମାନଙ୍କ ପରୀକ୍ଷଣ ଦ୍ୱାରା କʼଣ ପ୍ରମାଣିତ ହୋଇଛି, ଆମକୁ ସୃଷ୍ଟି କରାଯାଇଛି ନା ସବୁକିଛି ଆପେ ଆପେ ଆସିଛି ।
ଜୀବନର ଆରମ୍ଭ, ପାଞ୍ଚଟି ପ୍ରଶ୍ନର ଉତ୍ତର ପାଇବା ଜରୁରୀ (ପୁସ୍ତିକା-ହି)