ଅଧିବେଶନର ଷ୍ଟେଜ୍ ଓ ଉପରେ ଲଗାଯାଇଥିବା ବ୍ୟାନର
୧୯୨୨—ଶହେ ବର୍ଷ ପୂର୍ବର ଇତିହାସ
ଯେବେ ବାଇବଲ ବିଦ୍ୟାର୍ଥୀମାନେ ୧୯୨୨ ମସିହାର ବାର୍ଷିକ ପଦ ପଢ଼ିଥିବେ, ତେବେ ସେମାନଙ୍କର ଭରସା ବଢ଼ିଯାଇଥିବ ଯେ ଯଦି ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହିବେ, ତାହେଲେ ସେ ନିଶ୍ଚୟ ସେମାନଙ୍କୁ ଆଶିଷ ଦେବେ । ସେ ବର୍ଷର ବାର୍ଷିକ ପଦ ଥିଲା, ‘ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମକୁ ବିଜୟ କରାନ୍ତି ।’ (୧ କରି. ୧୫:୫୭, ହିନ୍ଦୀ—ଓ.ୱି.) ଆଉ ସେହି ବର୍ଷରୁ ଯିହୋବା ସତରେ ବାଇବଲ ବିଦ୍ୟାର୍ଥୀମାନଙ୍କୁ ଅନେକ ଆଶିଷ ଦେଲେ । ସେହି ବର୍ଷରୁ ଆମେ ନିଜେ ନିଜ ପାଇଁ ବହି ଛାପିବା ଆରମ୍ଭ କଲୁ ଓ ରେଡିଓ ଜରିଆରେ ଲୋକମାନଙ୍କୁ ଖୁସିର ଖବର ଶୁଣାଇବାକୁ ଲାଗିଲୁ । ସେହି ବର୍ଷ ଆମେରିକାର ଓହାୟୋ ରାଜ୍ୟର ସିଡର ପଏଣ୍ଟରେ ଗୋଟିଏ ଐତିହାସିକ ଅଧିବେଶନ ମଧ୍ୟ ରଖାଗଲା । ସେହି ଅଧିବେଶନର କାର୍ଯ୍ୟକ୍ରମ ଆମ କାମ ଉପରେ ବହୁତ ଗଭୀର ପ୍ରଭାବ ପକାଇଲା ଓ ଏହା ସ୍ପଷ୍ଟ ହୋଇଗଲା ଯେ ଯିହୋବା ନିଜ ଲୋକମାନଙ୍କୁ ଆଶିଷ ଦେଉଛନ୍ତି ।
ଗୋଟିଏ ବଢ଼ିଆ ପରାମର୍ଶ
୧୯୨୨ ମସିହା ଯାଏ ଆମେ ବ୍ରୁକଲିନ୍ ବୈଥେଲରେ କେବଳ ପତ୍ରିକାଗୁଡ଼ିକୁ ଛାପୁଥିଲୁ ଓ ମୋଟା କଭର ଥିବା ବହିଗୁଡ଼ିକୁ ଅନ୍ୟ କମ୍ପାନୀଗୁଡ଼ିକରୁ ଛପାଉଥିଲୁ । କିନ୍ତୁ ସେସମୟରେ ଖୁବ୍ ମାତ୍ରାରେ ପ୍ରଚାର କାମ କରାଯାଉଥିଲା, ତେଣୁ ଆହୁରି ବହି ପତ୍ରିକାଗୁଡ଼ିକର ଆବଶ୍ୟକତା ଥିଲା । କିନ୍ତୁ ପରେ କିଛି ସମସ୍ୟା ହେବାକୁ ଲାଗିଲା । ସେସମୟରେ ଆମେ ଯେଉଁ କମ୍ପାନୀରୁ ବହି ଛପାଉଥିଲୁ, ତାହା ସେତେ ବହି ଛାପି ପାରୁ ନ ଥିଲା ଯେତେ ଆମକୁ ଦରକାର ଥିଲା । ଏପରି ଅନେକ ମାସ ଯାଏ ଚାଲିଲା । ତାʼପରେ ଭାଇ ରଦରଫୋର୍ଡ ଛାପାଖାନାର ଅଧ୍ୟକ୍ଷ ଭାଇ ରବର୍ଟ ମାର୍ଟିନଙ୍କୁ ପଚାରିଲେ ଯେ କʼଣ ଆମେ ପତ୍ରିକାଗୁଡ଼ିକ ସହ ବହିଗୁଡ଼ିକୁ ବି ଛାପି ପାରିବା ।
ନ୍ୟୁ ୟର୍କର ବ୍ରୁକଲିନ୍ର କୋନ୍କଡ ଷ୍ଟ୍ରିଟ୍ରେ ଥିବା ଆମ ଫେକ୍ଟ୍ରି
ଭାଇ ମାର୍ଟିନ କହନ୍ତି ଯେ ଭାଇ ରଦରଫୋର୍ଡଙ୍କ ପରାମର୍ଶ ବହୁତ ବଢ଼ିଆ ଥିଲା, କେବଳ ଆମକୁ ବହି ଛାପିବା ପାଇଁ, ତାʼ ଉପରେ କଭର ଲଗାଇବା ପାଇଁ ଓ ଏପରି ଅନ୍ୟ କାମଗୁଡ଼ିକ ପାଇଁ କିଛି ମେସିନ୍ଗୁଡ଼ିକର ଆବଶ୍ୟକତା ଥିଲା । ତାʼପରେ ଭାଇମାନେ ବ୍ରୁକଲିନ୍ର ୧୮ କୋନ୍କଡ ଷ୍ଟ୍ରିଟ୍ରେ ଗୋଟିଏ ଜାଗା ଭଡ଼ାରେ ନେଲେ ଓ ସେଠାରେ ଛାପା ମେସିନ୍ଗୁଡ଼ିକୁ ଲଗାଇଲେ ।
ଆମ ନୂଆ ଛାପାଖାନା ଦେଖି ଭାଇଭଉଣୀମାନେ ବହୁତ ଖୁସି ଥିଲେ, କିନ୍ତୁ ଅନ୍ୟ କମ୍ପାନୀଗୁଡ଼ିକୁ ଏହା ଭଲ ଲାଗିଲାନି । ଆମେ ପୂର୍ବରୁ ଯେଉଁ କମ୍ପାନୀଗୁଡ଼ିକରୁ ନିଜ ବହିଗୁଡ଼ିକୁ ଛପାଉଥିଲୁ, ସେମଧ୍ୟରୁ ଗୋଟିଏ କମ୍ପାନୀର ଅଧ୍ୟକ୍ଷ ଆମ ଛାପାଖାନା ଦେଖିବାକୁ ଆସିଲେ । ସେ ସବୁକିଛି ଦେଖିବା ପରେ କହିଲେ, “ତମେମାନେ ମେସିନ୍ଗୁଡ଼ିକ ତ ଫାଷ୍ଟ କ୍ଲାସ ଲଗାଇଛ, କିନ୍ତୁ କʼଣ କାହାରିକୁ ଏଗୁଡ଼ିକୁ ଚଲାଇବା ଆସେ ? ଦେଖିବ, ଏହା ୬ ମାସ ବି ଯିବନି । ତମେ ସବୁ ଖରାପ କରିଦେବ ।”
ଭାଇ ମାର୍ଟିନ କହନ୍ତି, ‘ଯଦି ଅନ୍ୟ କୌଣସି କମ୍ପାନୀ ଥାʼନ୍ତା, ତାହେଲେ ବୋଧେ ଏପରି ହିଁ ହୁଅନ୍ତା । କିନ୍ତୁ ସେମାନଙ୍କୁ ଜଣା ନ ଥିଲା ଯେ ଯିହୋବା ଆମ ସାଙ୍ଗରେ ଅଛନ୍ତି ।’ ଆଉ ସତରେ, ଯିହୋବା ଆମ କାମ ଉପରେ ବହୁତ ଆଶିଷ ଦେଲେ । ଦେଖୁ ଦେଖୁ ଆମେ ପ୍ରତିଦିନ ୨,୦୦୦ ବହି ଛାପିବାକୁ ଲାଗିଲୁ ।
ଆମ ଫେକ୍ଟ୍ରିରେ ଲାଇନୋଟାଇପ୍ ମେସିନ୍ ଚଳାଉଥିବା ଭାଇମାନେ
ହଜାର ହଜାର ଲୋକଙ୍କୁ ରେଡିଓ ଜରିଆରେ ଖୁସିର ଖବର ଶୁଣାଇ ଦିଆଗଲା
ବହିଗୁଡ଼ିକୁ ଛାପିବା ସହ, ୧୯୨୨ ମସିହାରେ ଯିହୋବାଙ୍କ ଲୋକମାନେ ଗୋଟିଏ ନୂଆ ଉପାୟରେ ଲୋକମାନଙ୍କୁ ସାକ୍ଷ୍ୟ ଦେବା ଆରମ୍ଭ କଲେ । ଏବେ ଆମେ ରେଡିଓ ଜରିଆରେ ମଧ୍ୟ ଲୋକମାନଙ୍କୁ ଖୁସିର ଖବର ଶୁଣାଇବାକୁ ଲାଗିଲୁ । ରବିବାର, ୨୬ ଫେବୃଆରୀର ଦ୍ୱିପହରରେ ଭାଇ ରଦରଫୋର୍ଡ ପ୍ରଥମ ଥର ରେଡିଓରେ ଭାଷଣ ଦେଲେ । ତାଙ୍କ ଭାଷଣର ବିଷୟ ଥିଲା, “ଆଜି ଜୀବିତ ଥିବା ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ କେବେ ହେବ ନାହିଁ ।” ଏହା କାଲିଫର୍ନିଆ ରାଜ୍ୟର ଲସ୍ ଏଞ୍ଜଲେସ୍ ସହରର ଗୋଟିଏ ରେଡିଓ ଷ୍ଟେସନ୍ରୁ ପ୍ରସାରିତ କରାଗଲା ।
ପ୍ରାୟ ୨୫ ହଜାର ଲୋକମାନେ ଭାଇଙ୍କର ଭାଷଣ ଶୁଣିଲେ । ସେ ମଧ୍ୟରୁ ଅନେକ ଲୋକ ଚିଠି ଲେଖି ଜଣାଇଲେ ଯେ ସେମାନଙ୍କୁ ଏହା କେତେ ଭଲ ଲାଗିଲା । ସେ ମଧ୍ୟରୁ ଗୋଟିଏ ଚିଠି କାଲିଫର୍ନିଆ ରାଜ୍ୟର ସେଣ୍ଟା ଏନାରେ ରହୁଥିବା ୱିଲଡ ଏସ୍ଫର୍ଡଙ୍କର ଥିଲା । ସେ ଭାଇ ରଦରଫୋର୍ଡଙ୍କୁ ଲେଖିଲେ, ‘ଆପଣଙ୍କ ଭାଷଣ ବହୁତ ମଜାଦାର ଓ ଆକର୍ଷକୀୟ ଥିଲା । ଆମ ଘରେ ତିନି ଜଣ ରୋଗରେ ପଡ଼ିଥିଲେ, ତେଣୁ ଯଦି ଆପଣ ଆମ ପଡ଼ୋଶୀ ଘରେ ବି ଆସି ଭାଷଣ ଦିଅନ୍ତେ ତେବେ ବି ଆମେ ତାହା ଶୁଣିବା ପାଇଁ ଆସି ପାରି ନ ଥାʼନ୍ତୁ । କିନ୍ତୁ ଏହା ରେଡିଓରେ ଥିଲା, ତେଣୁ ଆମେ ଏହାର ମଜା ନେଇପାରିଲୁ ।’
ପରବର୍ତ୍ତୀ ସପ୍ତାହଗୁଡ଼ିକରେ ରେଡିଓରେ ଆହୁରି ଅନେକ ଭାଷଣ ଦିଆଗଲା । ଗୋଟିଏ ପ୍ରହରୀଦୁର୍ଗରେ କୁହାଗଲା ଯେ ୧୯୨୨ ମସିହାର ଶେଷ ଯାଏ କମ୍ ରୁ କମ୍ ୩ ଲକ୍ଷ ଲୋକ ରେଡିଓ ଜରିଆରେ ଖୁସିର ଖବର ଶୁଣି ସାରିଥିଲେ ।
ରେଡିଓରେ ଦିଆଯାଉଥିବା ଆମର ଏହି ଭାଷଣଗୁଡ଼ିକୁ ଲୋକମାନେ ବହୁତ ପ୍ରଶଂସା କଲେ ଓ ଅନେକ ଚିଠି ପଠାଇଲେ । ତେଣୁ ଭାଇମାନେ ଭାବିଲେ ଯେ ସେମାନେ ବ୍ରୁକଲିନ୍ ବୈଥେଲର ପାଖରେ ଷ୍ଟାଏଟନ୍ ଆଇଲାଣ୍ଡରେ ନିଜର ରେଡିଓ ଷ୍ଟେସନ୍ ଆରମ୍ଭ କରିବେ । ସେମାନେ ତାʼର ନାମ ଡବ୍ଲ୍ୟୁ.ବି.ବି.ଆର. ରଖିଲେ । ପରବର୍ତ୍ତୀ କିଛି ବର୍ଷରେ ବାଇବଲ ବିଦ୍ୟାର୍ଥୀମାନେ ଏହି ଷ୍ଟେସନ୍ ଜରିଆରେ ଦୂର ଦୂର ଅଞ୍ଚଳରେ ରହୁଥିବା ଅନେକ ଲୋକମାନଙ୍କୁ ଖୁସିର ଖବର ଶୁଣାଇଲେ ।
“ଏ.ଡି.ଭି.”
୧୫ ଜୁନ୍, ୧୯୨୨ ମସିହାର ପ୍ରହରୀଦୁର୍ଗରେ କୁହାଗଲା ଯେ ୫-୧୩ ସେପ୍ଟେମ୍ବର ଯାଏ ଓହାୟୋ ରାଜ୍ୟର ସିଡର ପଏଣ୍ଟରେ ଗୋଟିଏ ଅଧିବେଶନ ରଖାଯିବ । ଦେଖୁ ଦେଖୁ ସେହି ଦିନ ଆସିଗଲା । ସବୁ ଭାଇଭଉଣୀମାନେ ବହୁତ ଖୁସି ଥିଲେ ଓ ସେମାନେ ଏହା ଜାଣିବା ପାଇଁ ଆଗ୍ରହର ସହ ଅପେକ୍ଷା କରୁଥିଲେ ଯେ ସେଠାରେ ସେମାନଙ୍କୁ କʼଣ ଶିଖାଯିବ ।
ଭାଇ ରଦରଫୋର୍ଡ ପ୍ରଥମ ଭାଷଣ ଦେଲେ । ସେ ଭାଇଭଉଣୀମାନଙ୍କୁ କହିଲେ, ‘ମୋତେ ପୂରା ଭରସା ଅଛି ଯେ ପ୍ରଭୁ ଏହି ଅଧିବେଶନ ଉପରେ ଆଶିଷ ଦେବେ ଓ ଏହା ପରେ ପୂରା ଦୁନିଆରେ ଏତେ ବଡ଼ ମାତ୍ରାରେ ସାକ୍ଷ୍ୟ ଦିଆଯିବ, ଯେତେ ପୂର୍ବେ କେବେ ଦିଆଯାଇନି ।’ ପୂରା ଅଧିବେଶନରେ ଭାଇଭଉଣୀମାନଙ୍କୁ ଅନେକ ଥର କୁହାଗଲା ଯେ ସେମାନେ ଉତ୍ସାହର ସହ ପ୍ରଚାର କରନ୍ତୁ ।
୧୯୨୨ ମସିହାରେ ଓହାୟୋର ସିଡର ପଏଣ୍ଟରେ ରଖାଯାଇଥିବା ଅଧିବେଶନ
ତାʼପରେ ଅଧିବେଶନର ଚତୁର୍ଥ ଦିନ ଶୁକ୍ରବାର, ୮ ସେପ୍ଟେମ୍ବରରେ ପ୍ରାୟ ୮,୦୦୦ ଭାଇଭଉଣୀ ହଲ୍ ଭିତରକୁ ଆସିବାକୁ ଲାଗିଲେ । ସେମାନେ ସମସ୍ତେ ଭାଇ ରଦରଫୋର୍ଡଙ୍କ ଭାଷଣ ଶୁଣିବା ପାଇଁ ଆଗ୍ରହର ସହ ଅପେକ୍ଷା କରୁଥିଲେ । ସେମାନେ ଜାଣିବାକୁ ଚାହୁଁଥିଲେ ଯେ ଅଧିବେଶନର ନିମନ୍ତ୍ରଣ ପତ୍ରରେ ଯେଉଁ “ଏ.ଡି.ଭି.” ଛପା ହୋଇଛି, ତାʼର ଅର୍ଥ କʼଣ । ଭାଇଭଉଣୀମାନେ ନିଜ ଜାଗାରେ ବସିବା ସମୟରେ ଦେଖିଥିବେ ଯେ ଷ୍ଟେଜ୍ର ଉପରେ ଗୋଟିଏ ବଡ଼ ବ୍ୟାନର ଲଗାଯାଇଛି ଯାହା ଏବେ ବନ୍ଦ ଅଛି । ସେଠାରେ ଆସିଥିବା ଲୋକମାନଙ୍କ ମଧ୍ୟରେ ଜଣେ ଥିଲେ ଭାଇ ଆର୍ଥର କ୍ଲୋସ୍ । ସେ ଓକଲାହୋମା ରାଜ୍ୟର ଟଲସା ସହରରୁ ଆସିଥିଲେ । ସେ ବହୁତ କଷ୍ଟରେ ଗୋଟିଏ ଏପରି ଜାଗା ଖୋଜି ବାହାର କଲେ ଯେଉଁଠାରୁ ସେ ଭାଷଣକୁ ଭଲଭାବେ ଶୁଣିପାରିବେ । କାରଣ ସେ ହଲ୍ରେ ମାଇକ ଓ ଲାଉଡ୍ସ୍ପିକର ନ ଥିଲା ।
“ଆମେ ଗୋଟିଏ ଗୋଟିଏ ଶବ୍ଦ ବହୁତ ଧ୍ୟାନର ସହ ଶୁଣୁଥିଲୁ ।”
ଚେୟାରମ୍ୟାନ ଘୋଷଣା କଲେ ଯେ ଭାଇ ରଦରଫୋର୍ଡଙ୍କ ଭାଷଣ ସମୟରେ କାହାରିକୁ ବି ହଲ୍ ଭିତରକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ଯାହା ଦ୍ୱାରା ଭାଷଣ ସମୟରେ କୌଣସି ବାଧା ନ ହେଉ । ସକାଳ ୯:୩୦ ଘଟିକାରେ ଭାଇ ରଦରଫୋର୍ଡଙ୍କ ଭାଷଣ ଆରମ୍ଭ ହେଲା । ସେ ନିଜ ଭାଷଣ ମାଥିଉ ୪:୧୭ ପଦରେ ଲେଖାଥିବା ଯୀଶୁଙ୍କ ଶବ୍ଦରୁ ଆରମ୍ଭ କଲେ ଯେଉଁଠି ଲେଖାଅଛି, “ସ୍ୱର୍ଗୀୟ ରାଜ୍ୟ ପାଖେଇ ଆସିଛି ।” (ୱାଲ୍ଦ-ବୁଲ୍କେ ଅନୁବାଦ) ତାʼପରେ ଭାଇ କହିଲେ ଯେ ଲୋକମାନେ କିପରି ଈଶ୍ୱରଙ୍କ ରାଜ୍ୟ ବିଷୟରେ ଜାଣିବେ । ସେ କହିଲେ, “ଯୀଶୁ ନିଜେ କହିଥିଲେ ଯେ ତାଙ୍କ ଆଗମନ ସମୟରେ କାଟିବା କାମ ହେବ ଓ ସେସମୟରେ ସେ ଅନେକ ଲୋକମାନଙ୍କୁ ଏକାଠି କରିବେ ଯେଉଁମାନେ ତାଙ୍କର ବିଶ୍ୱସ୍ତ ରହିବେ ।”
ଭାଇ କ୍ଲୋସ୍ କହନ୍ତି, “ଆମେ ଗୋଟିଏ ଗୋଟିଏ ଶବ୍ଦ ବହୁତ ଧ୍ୟାନର ସହ ଶୁଣୁଥିଲୁ ।” କିନ୍ତୁ ହଠାତ୍ ଭାଇ କ୍ଲୋସ୍ଙ୍କ ଦେହ ଖରାପ ହୋଇଗଲା । ସେ ହଲ୍ ଛାଡ଼ି ଯିବାକୁ ଚାହୁଁ ନ ଥିଲେ, କାରଣ ସେ ଜାଣିଥିଲେ ଯେ ଯଦି ସେ ଥରେ ବାହାରକୁ ଚାଲିଯିବେ, ତାହେଲେ ପୁଣି ତାଙ୍କୁ ଭିତରକୁ ଆସିବାକୁ ଦିଆଯିବ ନାହିଁ । କିନ୍ତୁ ତାଙ୍କ ଦେହ ଖରାପ ହେବା ଯୋଗୁଁ ତାଙ୍କୁ ଯିବାକୁ ହିଁ ପଡ଼ିଲା ।
କିଛି ସମୟ ପରେ ତାଙ୍କ ଦେହ ଭଲ ହୋଇଗଲା ତେଣୁ ସେ ପୁଣି ହଲ୍ ଆଡ଼କୁ ଗଲେ । ସେସମୟରେ ସେ ଜୋର୍ ଜୋର୍ରେ ତାଳି ମାରିବାର ଶବ୍ଦ ଶୁଣିଲେ । ଭାଇ ଭାବିଲେ ଭିତରେ କʼଣ ହେଉଛି ! ସେ ଭାଷଣ ଶୁଣିବା ପାଇଁ ଛାତ ଉପରେ ବି ଚଢ଼ିବା ପାଇଁ ପ୍ରସ୍ତୁତ ଥିଲେ । କ୍ଲୋସ୍ ସେସମୟରେ ୨୩ ବର୍ଷର ଥିଲେ ତେଣୁ ଭାଷଣ ଶୁଣିବା ପାଇଁ ସେ ଛାତ ଉପରକୁ ବି ଚଢ଼ିଗଲେ । ଆଉ ଯେତେବେଳେ ସେ ଛାତ ଉପରେ ପହଞ୍ଚିଲେ ସେ ଦେଖିଲେ ଯେ ଛାତର ତଳ ଝରକା ଖୋଲା ଅଛି ଆଉ ସେଠାରୁ ଭାଷଣ ବହୁତ ଭଲଭାବେ ଶୁଣାଯାଉଛି ।
ତେବେ ଭାଇ ଦେଖିଲେ ଯେ ଛାତ ଉପରେ ତାଙ୍କର ଆଉ ବି ସାଙ୍ଗ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଭାଇ ଫ୍ରେଙ୍କ୍ ଜୋନସନ୍ । ସେ ଦୌଡ଼ିକି ଭାଇଙ୍କ ପାଖକୁ ଗଲେ ଆଉ ତାଙ୍କୁ ପଚାରିଲେ, “ତମ ପାଖରେ ଛୁରି ଅଛି ?”
ଭାଇ କ୍ଲୋସ୍ କହିଲେ, “ହଁ, ଅଛି ।”
ତେବେ ଭାଇ ଫ୍ରେଙ୍କ୍ କହିଲେ, “ଯିହୋବା ଆମ ପ୍ରାର୍ଥନା ଶୁଣିଲେ । ଦେଖୁଛ ଏହି ବଡ଼ ବ୍ୟାନରକୁ ? ଧ୍ୟାନର ସହ ଜଜ୍ରa ଶୁଣୁଥିବ । ଯେପରି ସେ କହିବେ, ‘ଘୋଷଣା କର, ଘୋଷଣା କର,’ ତମେ ଏହି ଚାରୋଟି ରଶି କାଟିଦେବ ଓ ବ୍ୟାନର ଖୋଲିଯିବ ।”
ଭାଇ କ୍ଲୋସ୍ ହାତରେ ଛୁରି ନେଇ ପ୍ରସ୍ତୁତ ଥିଲେ ଯେ ଯେବେ ଭାଇ ରଦରଫୋର୍ଡ କହିବେ, “ଘୋଷଣା କର, ଘୋଷଣା କର,” ତେବେ ସେ ସେହି ରଶିକୁ କାଟି ପକାଇବେ । ଶେଷରେ ସେହି ସମୟ ଆସିଗଲା । ଭାଇ ରଦରଫୋର୍ଡ ବହୁତ ଉତ୍ସାହର ସହ ଭାଷଣ ଦେଉଥିଲେ ଓ ତାʼପରେ ସେ ଜୋର୍ଦାର ଆବାଜ୍ରେ କହିଲେ, “ପ୍ରଭୁଙ୍କ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ହୁଅ । ଲଢ଼େଇରେ ଆଗକୁ ବଢ଼ି ବଢ଼ି ଯାଅ, ଯେବେ ଯାଏ ବାବିଲ ବିନାଶ ହୋଇଯାଏ ନାହିଁ । ଏହି ସନ୍ଦେଶକୁ ଦୂର ଦୂର ଯାଏ ଘୋଷଣା କର । ଦୁନିଆକୁ ଜଣାପଡ଼ିବା ଉଚିତ୍ ଯେ ଯିହୋବା ହିଁ ଈଶ୍ୱର ଅଟନ୍ତି ଓ ଯୀଶୁ ଖ୍ରୀଷ୍ଟ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ଅଟନ୍ତି । ଏହା ବହୁତ ବିଶେଷ ସମୟ ଅଟେ । ଦେଖ, ରାଜା ଶାସନ କରୁଛି ! ତମେ ତାହାର ପ୍ରଚାରକ ଅଟ । ରାଜା ଓ ତାଙ୍କ ରାଜ୍ୟର ଘୋଷଣା କର, ଘୋଷଣା କର, ଘୋଷଣା କର !”
ଭାଇ କ୍ଲୋସ୍ କହନ୍ତି ଯେ ସେ ଓ ଅନ୍ୟ ଭାଇମାନେ ରଶି କାଟିଦେଲେ, ତେବେ ବ୍ୟାନର ଖୋଲିଗଲା ଓ ସମସ୍ତେ ଚକିତ ହୋଇଗଲେ । ସେଥିରେ ଲେଖାଥିଲା, “ରାଜା ଓ ତାଙ୍କ ରାଜ୍ୟର ଘୋଷଣା କର ।” ତେବେ ସମସ୍ତେ ବୁଝିଗଲେ ଯେ ନିମନ୍ତ୍ରଣ ପତ୍ରରେ ଯେଉଁ ଇଂରାଜୀ ଅକ୍ଷର “ଏ.ଡି.ଭି.” ଲେଖାଥିଲା ତାʼର ଅର୍ଥ କʼଣ ଅଟେ (“ଏ.ଡି.ଭି.” ଇଂରାଜୀ ଶବ୍ଦ ଆଡଭାଟାଇଜ୍ରୁ ନିଆ ଯାଇଥିଲା ତାʼ ଅର୍ଥ ହେଉଛି, ଘୋଷଣା କରିବା) ।
ଗୋଟିଏ ବହୁତ ଜରୁରୀ କାମ
ସିଡର ପଏଣ୍ଟରେ ଯେଉଁ ଅଧିବେଶନ ହେଲା ସେଥିରୁ ଭାଇଭଉଣୀ ବୁଝିଗଲେ ଯେ ଲୋକମାନଙ୍କୁ ପ୍ରଚାର କରିବା କେତେ ଜରୁରୀ । ଅଧିବେଶନ ଶେଷ ହେବା ପରେ ଅନେକ ଭାଇଭଉଣୀ ଏହି କାମରେ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ । ଆଉ ସେମାନେ ଏହା ହୃଦୟରୁ କରିବାକୁ ଲାଗିଲେ । ଓକଲାହୋମା ରାଜ୍ୟରେ ଜଣେ କଲପର୍ଟର (ଯାହାକୁ ଆଜି ଅଗ୍ରଦୂତ କୁହାଯାଏ) କହିଲେ, ‘ଆମେ ଯେଉଁ ଅଞ୍ଚଳରେ ପ୍ରଚାର କରୁଥିଲୁ ସେଠାର ଅଧିକାଂଶ ଲୋକ କୋଇଲା ଖଣିରେ କାମ କରୁଥିଲେ ଏବଂ ସେମାନେ ବହୁତ ଗରିବ ଥିଲେ । ଅନେକଥର ଯେବେ ଆମେ ସେମାନଙ୍କୁ ସ୍ୱର୍ଣ୍ଣ ଯୁଗ (ଯାହାକୁ ଆଜି ସଜାଗ ହୁଅ ! କୁହାଯାଏ) ପତ୍ରିକାରୁ କିଛି କଥା କହୁଥିଲୁ ତେବେ ସେମାନଙ୍କ ଆଖିରୁ ଲୁହ ଝରି ଯାଉଥିଲା । ସେହି ଲୋକମାନଙ୍କୁ ଖୁସିର ଖବର ଶୁଣାଇ ଓ ସାନ୍ତ୍ୱନା ଦେଇ ଆମକୁ ବହୁତ ଭଲ ଲାଗୁଥିଲା ।’
ଯୀଶୁ କହିଥିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ ।” (ଲୂକ ୧୦:୨) ବାଇବଲ ବିଦ୍ୟାର୍ଥୀମାନେ ଯୀଶୁଙ୍କ ଏହି କଥା ମନେ ରଖିଲେ । ସେମାନେ ବୁଝିଗଲେ ଯେ ସମୟ ବହୁତ କମ୍ ଅଛି ଆଉ କାମ ବହୁତ ବେଶି ଅଛି । ତେଣୁ ସେମାନେ ଦୃଢ଼ ନିଷ୍ପତ୍ତି ନେଲେ ଯେ ସେମାନେ ରାଜ୍ୟର ଖୁସିର ଖବର ଦୁନିଆର ସବୁଠୁ ଦୂର ଅଞ୍ଚଳଗୁଡ଼ିକ ଯାଏ ପହଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିବେ ।
a ଭାଇ ରଦରଫୋର୍ଡକୁ ଲୋକମାନେ ବେଳେବେଳେ ଜଜ୍ କହୁଥିଲେ, କାରଣ ଅନେକଥର ସେ ମିଜୁରୀ ରାଜ୍ୟରେ ଜଣେ ଜଜ୍ ଭାବେ କାମ କରିଥିଲେ ।