ଅଧ୍ୟୟନ ଲେଖା ୨୦
ନିଜ ପ୍ରାର୍ଥନାକୁ ଆହୁରି ଭଲ କରନ୍ତୁ
“ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ ।”—ଗୀତ. ୬୨:୮.
ଗୀତ ୪୫ ମେରେ ମନ୍ କେ ୱିଚାର
ଲେଖାର ଝଲକa
ଯିହୋବାଙ୍କୁ ଲଗାତାର ପ୍ରାର୍ଥନା କରନ୍ତୁ ଓ ପ୍ରତ୍ୟେକ ମାମଲାରେ ତାଙ୍କଠାରୁ ମାର୍ଗଦର୍ଶନ ମାଗନ୍ତୁ (ପାରାଗ୍ରାଫ ୧)
୧. ଯିହୋବା ନିଜ ସେବକମାନଙ୍କୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
ଯଦି ଆମକୁ କେବେ ସାନ୍ତ୍ୱନାର ଆବଶ୍ୟକ ପଡ଼େ କିମ୍ବା ଆମକୁ ବୁଝାପଡ଼େନି ଯେ ଆମେ କʼଣ କରିବା, ତାହେଲେ ଆମେ କାହାର ସାହାଯ୍ୟ ନେବା ? ଆମେ ସମସ୍ତେ ଏପ୍ରଶ୍ନର ଉତ୍ତର ଜାଣୁ । ଆମେ ଯିହୋବାଙ୍କୁ ପ୍ରାର୍ଥନା କରି ସାହାଯ୍ୟ ମାଗିପାରିବା । ଯିହୋବା ନିଜେ ବି ଆମକୁ ଏପରି କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତି । ସେ ଚାହାନ୍ତି ଯେ ଆମେ କେବଳ ଥରେ ନୁହେଁ, ବରଂ ‘ନିରନ୍ତର ପ୍ରାର୍ଥନା କରୁ ।’ (୧ ଥେସ. ୫:୧୭) ଆମେ ବିନା ସଙ୍କୋଚରେ ତାଙ୍କୁ ପ୍ରାର୍ଥନା କରିପାରିବା ଓ ଜୀବନର କୌଣସି ମାମଲାରେ ବି ତାଙ୍କୁ ମାର୍ଗଦର୍ଶନ ମାଗିପାରିବା । (ହିତୋ. ୩:୫, ୬) ଯିହୋବା ବହୁତ ଉଦାର ଈଶ୍ୱର ଅଟନ୍ତି, ସେ ଆମ ପାଇଁ କୌଣସି ସୀମା ନିର୍ଦ୍ଧାରିତ କରି ନାହାନ୍ତି । ଆମେ କେବେ ବି ଓ କେତେଥର ବି ତାଙ୍କୁ ପ୍ରାର୍ଥନା କରିପାରିବା ।
୨. ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ?
୨ ଆମେ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ଆମକୁ ପ୍ରାର୍ଥନା କରିବା ପାଇଁ ସୁଯୋଗ ଦେଇଛନ୍ତି । କିନ୍ତୁ ପୂରା ଦିନ ଆମକୁ ଏତେ କାମ କରିବାକୁ ପଡ଼େ ଯେ ହୁଏତ ପ୍ରାର୍ଥନା କରିବା ପାଇଁ ସମୟ ବାହାର କରିବା କଷ୍ଟ ଲାଗିପାରେ । କିମ୍ବା ହୁଏତ ଆମକୁ ଲାଗିପାରେ ଯେ ଆମକୁ ଆହୁରି ଭଲଭାବେ ପ୍ରାର୍ଥନା କରିବା ଉଚିତ୍ । କିନ୍ତୁ ଖୁସିର କଥା, ବାଇବଲରୁ ଆମେ ଜାଣିପାରିବା ଯେ ଆମେ ଆହୁରି ଭଲଭାବେ ପ୍ରାର୍ଥନା କିପରି କରିପାରିବା । ଏହି ଲେଖାରେ ଆମେ ଯୀଶୁଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଓ ଜାଣିବା ଯେ ଆମେ ପ୍ରାର୍ଥନା କରିବା ପାଇଁ ସମୟ କିପରି ବାହାର କରିପାରିବା । ତାʼଛଡ଼ା ଆମେ ଆହୁରି ପାଞ୍ଚୋଟି କଥା ଉପରେ ଚର୍ଚ୍ଚା କରିବା ଯାହାକୁ ଆମେ ପ୍ରାର୍ଥନା କରିବା ସମୟରେ ମନେ ରଖିପାରିବା । ଏପରି କଲେ ଆମେ ଆହୁରି ଭଲଭାବେ ପ୍ରାର୍ଥନା କରିପାରିବା ।
ଯୀଶୁ ପ୍ରାର୍ଥନା କରିବା ପାଇଁ ସମୟ ବାହାର କଲେ
୩. ଯୀଶୁ ପ୍ରାର୍ଥନା ବିଷୟରେ କʼଣ ଜାଣିଥିଲେ ?
୩ ଯୀଶୁ ଜାଣିଥିଲେ ଯେ ଯିହୋବା ଆମ ପ୍ରାର୍ଥନା ବହୁତ ଧ୍ୟାନର ସହ ଶୁଣନ୍ତି । ସ୍ୱର୍ଗରେ ଥିବା ସମୟରେ ସେ ଦେଖିଥିଲେ ଯେ ଯିହୋବା କିପରି ନିଜ ବିଶ୍ୱସ୍ତ ସେବକମାନଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ଦିଅନ୍ତି । ଯେପରି ସେ ଦେଖିଲେ ଯେ ଯେବେ ହାନ୍ନା, ଦାଉଦ ଓ ଏଲୀୟ ହୃଦୟର ସହ ଯିହୋବାଙ୍କୁ ପ୍ରାର୍ଥନା କଲେ, ତେବେ ସେ ତାହା ଶୁଣିଲେ । (୧ ଶାମୁ. ୧:୧୦, ୧୧, ୨୦; ୧ ରାଜା. ୧୯:୪-୬; ଗୀତ. ୩୨:୫) ତେଣୁ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ସେମାନେ ବିନା ସଙ୍କୋଚରେ ଯିହୋବାଙ୍କୁ ବାରମ୍ବାର ପ୍ରାର୍ଥନା କରନ୍ତୁ ।—ମାଥି. ୭:୭-୧୧.
୪. ପ୍ରାର୍ଥନା କରିବା ମାମଲାରେ ଆମେ ଯୀଶୁଙ୍କଠାରୁ କʼଣ ଶିଖୁ ?
୪ ପ୍ରାର୍ଥନା କରିବା ମାମଲାରେ ଯୀଶୁ ନିଜ ଶିଷ୍ୟମାନଙ୍କ ପାଇଁ ଗୋଟିଏ ଭଲ ଉଦାହରଣ ରଖିଲେ । ପୃଥିବୀରେ ସେବା କରିବା ସମୟରେ ସେ ବାରମ୍ବାର ଯିହୋବାଙ୍କୁ ପ୍ରାର୍ଥନା କରୁଥିଲେ । ସେ ପ୍ରାୟ ବହୁତ ବ୍ୟସ୍ତ ରହୁଥିଲେ ଓ ସବୁବେଳେ ଲୋକମାନେ ତାଙ୍କ ଆଖପାଖରେ ରହୁଥିଲେ, ତେଣୁ ସେ ପୂର୍ବରୁ ଭାବୁଥିଲେ ଯେ ସେ କେତେବେଳେ ପ୍ରାର୍ଥନା କରିବେ । (ମାର୍କ ୬:୩୧, ୪୫, ୪୬) ସେ ସକାଳେ ଶୀଘ୍ର ଉଠି ଏକୁଟିଆରେ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲେ । (ମାର୍କ ୧:୩୫) ଆଉ ବାଇବଲରେ ଲେଖାଅଛି ଯେ ଥରେ ଯେବେ ତାଙ୍କୁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଥିଲା, ତେବେ ସେ ରାତିସାରା ଯିହୋବାଙ୍କୁ ପ୍ରାର୍ଥନା କଲେ । (ଲୂକ ୬:୧୨, ୧୩) ନିଜ ମୃତ୍ୟୁର ପୂର୍ବ ରାତିରେ ସେ ଅନେକଥର ପ୍ରାର୍ଥନା କଲେ, କାରଣ ଏବେ ପୃଥିବୀରେ ତାଙ୍କୁ ଯିହୋବାଙ୍କ ତରଫରୁ ମିଳିଥିବା ବଡ଼ ଦାୟିତ୍ୱକୁ ପୂରା କରିବାର ଥିଲା ।—ମାଥି. ୨୬:୩୯, ୪୨, ୪୪.
୫. ଯେବେ ପ୍ରାର୍ଥନା କରିବାର ମାମଲା ଆସେ, ତେବେ ଆମେ ଯୀଶୁଙ୍କ ଭଳି କʼଣ କରିପାରିବା ?
୫ ଯୀଶୁଙ୍କଠାରୁ ଆମେ ଶିଖୁ ଯେ ଆମେ ଯେତେ ବ୍ୟସ୍ତ ହେଲେ ବି ପ୍ରାର୍ଥନା କରିବା ପାଇଁ ସମୟ ବାହାର କରିବା ଦରକାର । ଯୀଶୁଙ୍କ ଭଳି ଆମେ ବି ଶୀଘ୍ର ଉଠି କିମ୍ବା ରାତିରେ ପ୍ରାର୍ଥନା କରିବା ପାଇଁ ସମୟ ନିର୍ଦ୍ଧାରିତ କରିବା । ଏପରି କରି ଆମେ ଦେଖାଇବା ଯେ ଯିହୋବା ଆମକୁ ପ୍ରାର୍ଥନା କରିବା ପାଇଁ ଯେଉଁ ଆଶିଷ ଦେଇଛନ୍ତି, ତାʼପାଇଁ ଆମେ ତାଙ୍କ କୃତଜ୍ଞ ମନେକରୁ । ଲିନି ନାମକ ଭଉଣୀ କହନ୍ତି ଯେ ଯେବେ ସେ ପ୍ରଥମ ଥର ଜାଣିଲେ ଯେ ସେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବେ, ତେବେ ଏହା ତାଙ୍କ ହୃଦୟକୁ ଛୁଇଁ ଗଲା । ସେ କହନ୍ତି, “ଯେବେ ମୁଁ ଜାଣିଲି ଯେ ମୁଁ କେତେବେଳେ ବି ଯିହୋବାଙ୍କୁ ପ୍ରାର୍ଥନା କରିପାରିବି, ତେବେ ମୁଁ ବୁଝିପାରିଲି ଯେ ଯିହୋବା ଜଣେ ଭଲ ସାଙ୍ଗ ଭଳି ଅଟନ୍ତି ଓ ମୋତେ ଲାଗିଲା ଯେ ମୋତେ ଆହୁରି ଭଲଭାବେ ପ୍ରାର୍ଥନା କରିବା ଉଚିତ୍ ।” ଆମ ମଧ୍ୟରୁ ଅନେକ ଲୋକ ଏପରି ହିଁ ଅନୁଭବ କରନ୍ତି । ତେବେ ଆସନ୍ତୁ ଆମେ ଏପରି ପାଞ୍ଚୋଟି କଥା ଉପରେ ଚର୍ଚ୍ଚା କରିବା ଯାହା ପ୍ରାର୍ଥନା କରିବା ସମୟରେ ଆମେ ଧ୍ୟାନରେ ରଖିପାରିବା ।
ପାଞ୍ଚୋଟି ମହତ୍ତ୍ୱପୂର୍ଣ୍ଣ କଥା—ଯାହାକୁ ପ୍ରାର୍ଥନା କରିବା ସମୟରେ ଧ୍ୟାନରେ ରଖିପାରିବା
୬. ପ୍ରକାଶିତ ବାକ୍ୟ ୪:୧୦, ୧୧ ପଦ ଅନୁସାରେ ଯିହୋବା କʼଣ ପାଇବାର ଯୋଗ୍ୟ ଅଟନ୍ତି ?
୬ ଯିହୋବାଙ୍କ ପ୍ରଶଂସା କରନ୍ତୁ । ପ୍ରେରିତ ଯୋହନ ଗୋଟିଏ ଦର୍ଶନରେ ଦେଖିଲେ ଯେ ୨୪ ଜଣ ପ୍ରାଚୀନ ସ୍ୱର୍ଗରେ ଯିହୋବାଙ୍କ ଉପାସନା କରୁଛନ୍ତି । ସେମାନେ ଯିହୋବାଙ୍କ ପ୍ରଶଂସା କରୁଥିଲେ ଓ କହୁଥିଲେ ଯେ ସେ ‘ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାର ଯୋଗ୍ୟ ଅଟନ୍ତି ।’ (ପ୍ରକାଶିତ ବାକ୍ୟ ୪:୧୦, ୧୧ ପଢ଼ନ୍ତୁ ।) ଯିହୋବାଙ୍କ ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କ ପାଖରେ ବି ଯିହୋବାଙ୍କ ପ୍ରଶଂସା ଓ ମହିମା କରିବାର ଅନେକ କାରଣ ଅଛି । ସେମାନେ ସ୍ୱର୍ଗରେ ଯିହୋବାଙ୍କ ସାଙ୍ଗରେ ରହନ୍ତି ଓ ସେମାନେ ଯିହୋବାଙ୍କୁ ଭଲଭାବେ ଜାଣନ୍ତି । ଯିହୋବା ଯାହା କରନ୍ତି, ତାହାକୁ ଦେଖି ସେମାନେ ବୁଝିପାରନ୍ତି ଯେ ସେ କିପରି ଈଶ୍ୱର ଅଟନ୍ତି ଓ ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିଛି । ତେଣୁ ସେମାନେ ଯିହୋବାଙ୍କ ପ୍ରଶଂସା କରିପାରନ୍ତି ।—ଆୟୁ. ୩୮:୪-୭.
୭. ଆମେ କେଉଁ କଥାଗୁଡ଼ିକ ପାଇଁ ଯିହୋବାଙ୍କ ପ୍ରଶଂସା କରିପାରିବା ?
୭ ଆମକୁ ବି ପ୍ରାର୍ଥନାରେ ଯିହୋବାଙ୍କ ପ୍ରଶଂସା କରିବା ଉଚିତ୍ ଓ ତାଙ୍କୁ କହିବା ଉଚିତ୍ ଯେ ଆମକୁ ତାଙ୍କର କେଉଁ କଥା ଭଲ ଲାଗେ ଓ କାହିଁକି । ତେଣୁ ଯେବେ ବି ଆପଣ ବାଇବଲ ପଢ଼ନ୍ତି ଓ ତାʼର ଅଧ୍ୟୟନ କରନ୍ତି, ତେବେ ଭାବନ୍ତୁ ଯେ ଆପଣଙ୍କୁ ଯିହୋବାଙ୍କ କେଉଁ କଥା ଓ ଗୁଣଗୁଡ଼ିକ ଭଲ ଲାଗେ । (ଆୟୁ. ୩୭:୨୩; ରୋମୀ. ୧୧:୩୩) ତାʼପରେ ପ୍ରାର୍ଥନା କରିବା ସମୟରେ ଏବିଷୟରେ ଯିହୋବାଙ୍କୁ କହନ୍ତୁ ଓ ତାଙ୍କର ପ୍ରଶଂସା କରନ୍ତୁ । ତାʼଛଡ଼ା ଭାବନ୍ତୁ ଯେ ଯିହୋବା ଆପଣଙ୍କ ପାଇଁ ଓ ଭାଇଭଉଣୀମାନଙ୍କ ପାଇଁ କେତେ କʼଣ କରନ୍ତି । ସେ ସବୁବେଳେ ଆମର ଯତ୍ନ ନିଅନ୍ତି ଓ ଆମ ସୁରକ୍ଷା କରନ୍ତି, ତେଣୁ ତାʼପାଇଁ ମଧ୍ୟ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ।—୧ ଶାମୁ. ୧:୨୭; ୨:୧, ୨.
୮. ଯିହୋବାଙ୍କୁ ଧନ୍ୟବାଦ ଦେବାର କିଛି କାରଣ କହନ୍ତୁ । (୧ ଥେସଲନୀକୀୟ ୫:୧୮)
୮ ଯିହୋବାଙ୍କ ଧନ୍ୟବାଦ କରନ୍ତୁ । ଆମ ପାଖରେ ଯିହୋବାଙ୍କୁ ଧନ୍ୟବାଦ ଦେବା ପାଇଁ ଅନେକ କାରଣ ଅଛି । (୧ ଥେସଲନୀକୀୟ ୫:୧୮ ପଢ଼ନ୍ତୁ ।) ଆମେ ଭାବିପାରିବା ଯେ ଆମ ପାଖରେ କେଉଁ ଭଲ ଜିନିଷଗୁଡ଼ିକ ଅଛି ଓ ତାʼପାଇଁ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଇପାରିବା । କାରଣ ସବୁ ଭଲ ଉପହାର ଆମକୁ ଯିହୋବା ହିଁ ଦେଇଛନ୍ତି ! (ଯାକୁ. ୧:୧୭) ଯେପରି ସୁନ୍ଦର ପୃଥିବୀ ଓ ସେ ସୃଷ୍ଟି କରିଥିବା ଅନ୍ୟ ନିଆରା ଜିନିଷଗୁଡ଼ିକ ପାଇଁ ମଧ୍ୟ ଆମେ ତାଙ୍କୁ ଧନ୍ୟବାଦ ଦେଇପାରିବା । ଆମେ ଏକଥା ପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇପାରିବା ଯେ ସେ ଆମକୁ ବଢ଼ିଆ ଜୀବନ, ଗୋଟିଏ ପରିବାର ଓ ଭଲ ସାଙ୍ଗ ଦେଇଛନ୍ତି ଆଉ ଭବିଷ୍ୟତ ପାଇଁ ଗୋଟିଏ ବଢ଼ିଆ ଆଶା ଦେଇଛନ୍ତି । ଯିହୋବା ଆମକୁ ତାଙ୍କ ସାଙ୍ଗ ହେବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି, ଆମେ ତାʼପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇପାରିବା ।
୯. ଆମକୁ କାହିଁକି କୃତଜ୍ଞ ହେବା ପାଇଁ ଶିଖିବା ଦରକାର ?
୯ ଆମ ପ୍ରତ୍ୟେକ ଜଣକୁ ହୁଏତ ଟିକେ ସମୟ ବାହାର କରି ଭାବିବାକୁ ପଡ଼ିବ ଯେ ଯିହୋବା ଆମ ପାଇଁ କʼଣ କʼଣ କରିଛନ୍ତି, ତେବେ ଆମେ ତାଙ୍କ କୃତଜ୍ଞ ରହିପାରିବା । ଆଜି ଦୁନିଆରେ ଯଦି ଦେଖିବା, ତାହେଲେ ଅଧିକାଂଶ ଲୋକ ଅନ୍ୟମାନଙ୍କ ପାଇଁ କୃତଜ୍ଞ ମନେ କରନ୍ତିନି । ଆଉ ତାଙ୍କ ପାଖରେ ଯାହା ଅଛି, ତାʼପାଇଁ ସେମାନେ କୃତଜ୍ଞ ରହିବା ପରିବର୍ତ୍ତେ କେବଳ ଏକଥା ଉପରେ ଧ୍ୟାନ ଦିଅନ୍ତି ଯେ ସେମାନଙ୍କୁ ଆହୁରି କʼଣ କʼଣ ଦରକାର ଆଉ କିପରି ତାହା ସେମାନେ ହାସଲ କରିପାରିବେ । ଯଦି ଆମେ ସାବଧାନ ରହିବାନି, ତେବେ ଆମେ ମଧ୍ୟ ତାଙ୍କ ଭଳି ହୋଇଯିବା । ତାʼପରେ ହୁଏତ ଆମେ ପ୍ରାର୍ଥନାରେ ଯିହୋବାଙ୍କୁ ଧନ୍ୟବାଦ ଦେବା ପରିବର୍ତ୍ତେ କେବଳ ତାଙ୍କୁ କିଛି ନା କିଛି ମାଗୁଥିବା । ତେଣୁ ଆମକୁ କୃତଜ୍ଞ ରହିବା ଶିଖିବା ଦରକାର, ଯାହାଫଳରେ ଯିହୋବା ଆମ ପାଇଁ ଯାହା କରିଛନ୍ତି ତାʼପାଇଁ ଆମେ ଧନ୍ୟବାଦ ଦେଇପାରିବା ।—ଲୂକ ୬:୪୫.
ଯିହୋବାଙ୍କ ଭଲ କାମଗୁଡ଼ିକ ପାଇଁ ତାଙ୍କୁ ଧନ୍ୟବାଦ ଦେବା ଦ୍ୱାରା ଆମେ ସମସ୍ୟାଗୁଡ଼ିକରେ ଧୈର୍ଯ୍ୟ ଧରିପାରିବା (ପାରାଗ୍ରାଫ ୧୦)
୧୦. କୃତଜ୍ଞ ହେବା ଯୋଗୁଁ ଜଣେ ଭଉଣୀ ସମସ୍ୟା ସମୟରେ କିପରି ଧୈର୍ଯ୍ୟ ଧରିପାରିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୦ ଯେବେ ଆମେ ଛୋଟ ଛୋଟ କଥା ପାଇଁ ମଧ୍ୟ କୃତଜ୍ଞ ରହୁ, ତେବେ ଆମେ ବଡ଼ ବଡ଼ ସମସ୍ୟାଗୁଡ଼ିକର ମଧ୍ୟ ସାହସର ସହ ସାମନା କରିପାରୁ । ଟିକେ ଭଉଣୀ କ୍ୟଙ୍ଗ ସୁକ୍ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ବିଷୟରେ ୧୫ ଜାନୁଆରୀ, ୨୦୧୫ ମସିହାର ପ୍ରହରୀଦୁର୍ଗରେ କୁହାଯାଇଥିଲା । ଡାକ୍ତରମାନେ ତାଙ୍କୁ କହିଲେ ଯେ ତାଙ୍କୁ ଫୁସ୍ଫୁସ୍ର କ୍ୟାନସର୍ ହୋଇଯାଇଛି ଓ ତାହା ବହୁତ ବଢ଼ିଯାଇଛି । ସେ କହନ୍ତି, “ଯେବେ ମୋତେ ମୋ ରୋଗ ବିଷୟରେ ଜଣାପଡ଼ିଲା, ତେବେ ମୋତେ ବହୁତ ଧକ୍କା ଲାଗିଲା । ମୋତେ ଲାଗିଲା ଯେପରି ସବୁ ଶେଷ ହୋଇଗଲା ଓ ମୁଁ ବହୁତ ଡରି ଗଲି ।” ଏହି କଠିନ ପରିସ୍ଥିତିର ଭଉଣୀ କିପରି ସାମନା କରିପାରିଲେ ? ସେ କହନ୍ତି ଯେ ପ୍ରତି ରାତିରେ ଶୋଇବା ପୂର୍ବରୁ ସେ ନିଜ ଘରର ଛାତ ଉପରକୁ ଯାଉଥିଲେ ଓ ଯିହୋବାଙ୍କୁ ଜୋର୍ ଜୋର୍ରେ ପ୍ରାର୍ଥନା କରୁଥିଲେ । ଆଉ ପୂରା ଦିନରେ ହୋଇଥିବା ଏପରି ପାଞ୍ଚୋଟି କଥା ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଉଥିଲେ, ଯାହା ପାଇଁ ସେ କୃତଜ୍ଞ ଥିଲେ । ଏପରି କରିବା ଦ୍ୱାରା ତାଙ୍କ ଚିନ୍ତା ଟିକେ କମ୍ ହୋଇଯାଉଥିଲା ଓ ସେ ଯିହୋବାଙ୍କ ପାଇଁ ନିଜ ପ୍ରେମ ଦେଖାଇ ପାରୁଥିଲେ । ସେ ଦେଖିଲେ ଯେ ଯେବେ ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ କୌଣସି ପରୀକ୍ଷାର ସାମନା କରନ୍ତି, ତେବେ ଯିହୋବା ସେମାନଙ୍କୁ କିପରି ସମ୍ଭାଳନ୍ତି । ସେ ଏହା ବି ଅନୁଭବ କରିଲେ ଯେ ଆମ ଜୀବନରେ ଯେତେ କଷ୍ଟ ଆସେ, ତାʼଠୁ ବି ଅଧିକ ଯିହୋବା ଆମକୁ ଆଶିଷ ଦିଅନ୍ତି । ଭଉଣୀ କ୍ୟଙ୍ଗ ସୁକ୍ଙ୍କ ଭଳି ହୁଏତ ଆମେ ବି କୌଣସି ସମସ୍ୟାର ସାମନା କରୁଥିବା । କିନ୍ତୁ ସେସମୟରେ ବି ଆମେ ଅନେକ କଥା ପାଇଁ ଯିହୋବାଙ୍କ କୃତଜ୍ଞ ରହିପାରିବା । ଯଦି ଆମେ ଯିହୋବାଙ୍କୁ ପ୍ରାର୍ଥନା କରି ତାଙ୍କୁ ଧନ୍ୟବାଦ ଦେବା, ତେବେ ଆମେ ସମସ୍ୟାଗୁଡ଼ିକର ଧୈର୍ଯ୍ୟର ସହ ସାମନା କରିପାରିବା ଓ ଖୁସି ରହିବା ।
୧୧. ଯୀଶୁଙ୍କ ସ୍ୱର୍ଗ ଯିବା ପରେ ତାଙ୍କ ଶିଷ୍ୟମାନଙ୍କୁ କାହିଁକି ସାହସର ସହ କାମ କରିବାର ଥିଲା ?
୧୧ ପ୍ରଚାର କରିବା ପାଇଁ ସାହସ ମାଗନ୍ତୁ । ସ୍ୱର୍ଗ ଯିବା ପୂର୍ବରୁ ଯୀଶୁ ନିଜ ଶିଷ୍ୟମାନଙ୍କୁ ମନେପକାଇଲେ ଯେ ସେମାନଙ୍କୁ ଗୋଟିଏ ବିଶେଷ ଦାୟିତ୍ୱ ଦିଆଯାଇଛି । ସେମାନଙ୍କୁ “ଯିରୂଶାଲମ, ସମସ୍ତ ଯିହୁଦା ପ୍ରଦେଶ ଓ ଶମିରୋଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା” ତାଙ୍କ ବିଷୟରେ ସାକ୍ଷ୍ୟ ଦେବାର ଥିଲା । (ପ୍ରେରି. ୧:୮; ଲୂକ ୨୪:୪୬-୪୮) ତାʼର କିଛି ସମୟ ପରେ ଯିହୁଦୀ ଧର୍ମଗୁରୁମାନେ ପିତର ଓ ଯୋହନଙ୍କୁ ଧରିନେଲେ ଓ ସେମାନଙ୍କୁ ଯିହୁଦା ମହାସଭା ସାମନାରେ ନେଲେ । ସେଠାରେ ଧର୍ମଗୁରୁମାନେ ସେମାନଙ୍କୁ ପ୍ରଚାର କରିବା ବନ୍ଦ କରିବା ପାଇଁ କହିଲେ ଓ ଧମକ ବି ଦେଲେ । (ପ୍ରେରି. ୪:୧୮, ୨୧) ଏପରି ସମୟରେ ପିତର ଓ ଯୋହନ କʼଣ କଲେ ?
୧୨. ପ୍ରେରିତ ୪:୨୯, ୩୧ ପଦ ଅନୁସାରେ ଯୀଶୁଙ୍କ ଶିଷ୍ୟମାନେ କʼଣ କଲେ ?
୧୨ ଯିହୁଦୀ ଧର୍ମଗୁରୁମାନଙ୍କ ଧମକ ଶୁଣିବା ପରେ ପିତର ଓ ଯୋହନ କହିଲେ, “ଈଶ୍ୱରଙ୍କ କଥା ଶୁଣିବା ଅପେକ୍ଷା ଆପଣମାନଙ୍କ କଥା ଶୁଣିବା ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କି ନା, ତାହା ଆପଣମାନେ ବିଚାର କରନ୍ତୁ । କାରଣ ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହିସବୁ ନ କହି ରହି ନ ପାରୁ ।” (ପ୍ରେରି. ୪:୧୯, ୨୦) ଯେବେ ପିତର ଓ ଯୋହନଙ୍କୁ ମୁକ୍ତ କରାଗଲା, ତେବେ ସେମାନେ ଯିହୋବାଙ୍କ ଇଚ୍ଛା ପୂରା କରିବା ବିଷୟରେ ଜୋର୍ଦାର ଆବାଜରେ ପ୍ରାର୍ଥନା କଲେ, “ତୁମ୍ଭର ଦାସମାନଙ୍କୁ ପୂର୍ଣ୍ଣ ସାହସ ସହ ତୁମ୍ଭର ବାକ୍ୟ କହିବାକୁ ଶକ୍ତି ଦିଅ ।” ସେମାନଙ୍କ ହୃଦୟରୁ କରିଥିବା ପ୍ରାର୍ଥନାକୁ ଯିହୋବା ଶୁଣିଲେ ।—ପ୍ରେରିତ ୪:୨୯, ୩୧ ପଢ଼ନ୍ତୁ ।
୧୩. ଆମେ ଭାଇ ଜିନ୍-ହୁକ୍ଙ୍କଠାରୁ କʼଣ ଶିଖିପାରିବା ?
୧୩ ଯଦି ସରକାରୀ ଅଧିକାରୀ ଆମକୁ ପ୍ରଚାର କରିବା ପାଇଁ ମନା କରନ୍ତି, ତେବେ ବି ଆମେ ପ୍ରଥମ ଶତାବ୍ଦୀର ଶିଷ୍ୟମାନଙ୍କ ଭଳି ପ୍ରଚାର କରିବା ଜାରି ରଖିବା । ଟିକେ ଭାଇ ଜିନ୍-ହୁକ୍ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯିଏ ସେନାରେ ଭର୍ତ୍ତୀ ହେବା ପାଇଁ ମନା କରିଦେଇଥିଲେ । ତେଣୁ ତାଙ୍କୁ ଜେଲ ହୋଇଯାଇଥିଲା । ସେଠାରେ ତାଙ୍କୁ ଏପରି କଏଦୀମାନଙ୍କ ଦେଖାରେଖା କରିବାର କାମ ଦିଆଯାଇଥିଲା, ଯେଉଁମାନଙ୍କୁ ଏକୁଟିଆ ବନ୍ଦୀ କରି ରଖାଯାଇଥିଲା । ଭାଇଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେ କଏଦୀମାନଙ୍କ ସହ କେବଳ ତାଙ୍କ ଆବଶ୍ୟକତାଗୁଡ଼ିକ ବିଷୟରେ କଥା ହୋଇପାରିବେ ଅନ୍ୟ କୌଣସି ବିଷୟରେ ନୁହେଁ, ବାଇବଲ ବିଷୟରେ ବି ନୁହେଁ । ଭାଇ ଯିହୋବାଙ୍କୁ ସାହସ ଓ ବୁଦ୍ଧି ପାଇଁ ପ୍ରାର୍ଥନା କଲେ, ଯାହାଦ୍ୱାରା ଯେବେ ବି ତାଙ୍କୁ ସୁଯୋଗ ମିଳେ ସେ ବୁଝିବିଚାରି ଲୋକମାନଙ୍କ ସହ ସତ୍ୟ ବିଷୟରେ କଥା ହୋଇପାରନ୍ତୁ । (ପ୍ରେରି. ୫:୨୯) ଭାଇ ଜିନ୍-ହୁକ୍ କହନ୍ତି, “ଯିହୋବା ମୋ ପ୍ରାର୍ଥନା ଶୁଣିଲେ । ସେ ମୋତେ ସାହସ ଓ ବୁଦ୍ଧି ଦେଲେ, ତେଣୁ ମୁଁ ଅନେକ ବାଇବଲ ଅଧ୍ୟୟନ ଆରମ୍ଭ କରିପାରିଲି । ମୁଁ ସେମାନଙ୍କ କୋଠରୀର କବାଟରେ ଠିଆ ହୋଇ ପାଞ୍ଚ ମିନିଟ୍ ପାଇଁ ସେମାନଙ୍କ ସହ ବାଇବଲ ଅଧ୍ୟୟନ କରୁଥିଲି । ତାʼପରେ ରାତିରେ ମୁଁ ସେମାନଙ୍କ ପାଇଁ ଚିଠିଗୁଡ଼ିକ ଲେଖୁଥିଲି ଓ ତାʼ ପରଦିନ ତାହା ତାଙ୍କୁ ଦେଇ ଦେଉଥିଲି ।” ଭାଇ ଜିନ୍-ହୁକ୍ଙ୍କ ଭଳି ଆମେ ବି ଯିହୋବାଙ୍କୁ ସାହସ ଓ ବୁଦ୍ଧି ପାଇଁ ପ୍ରାର୍ଥନା କରିପାରିବା ଓ ଭରସା ରଖିପାରିବା ଯେ ସେ ଆମକୁ ନିଜ ସେବା ଭଲଭାବେ ପୂରା କରିବା ପାଇଁ ସାହାଯ୍ୟ କରିବେ ।
୧୪. ଯେବେ ଆମ ଉପରେ କୌଣସି ସମସ୍ୟା ଆସେ, ତେବେ ଆମେ କʼଣ କରିପାରିବା ? (ଗୀତସଂହିତା ୩୭:୩, ୫)
୧୪ ସମସ୍ୟାର ସାମନା କରିବା ପାଇଁ ସାହାଯ୍ୟ ମାଗନ୍ତୁ । ଆମ ମଧ୍ୟରୁ ଅନେକ ଲୋକ ରୋଗରେ ପୀଡ଼ିତ ଅଛନ୍ତି କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ନିରାଶ ଅଛନ୍ତି । ହୋଇପାରେ, ଆମ କୌଣସି ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଇଥିବ, ପରିବାରରେ କୌଣସି ସମସ୍ୟା ଥିବ, ବିରୋଧ କରାଯାଉଥିବ କିମ୍ବା ଆମକୁ ଅନ୍ୟ କୌଣସି ସମସ୍ୟାର ସାମନା କରିବାକୁ ପଡ଼ୁଥିବ । ତାʼସହ ମହାମାରୀ ଓ ଯୁଦ୍ଧ ଯୋଗୁଁ ଏହି ସମସ୍ୟାଗୁଡ଼ିକର ସାମନା କରିବା ଆହୁରି କଷ୍ଟ ହୋଇଯାଇଛି । ତେଣୁ ହୃଦୟ ଖୋଲି ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ଠିକ୍ ଯେପରି ଆପଣ ନିଜ ସାଙ୍ଗକୁ ନିଜ ମନ କଥା କହନ୍ତି, ଯିହୋବାଙ୍କୁ କହନ୍ତୁ ଯେ ଆପଣଙ୍କ ଉପରେ କʼଣ ଘଟୁଛି ଓ ଆପଣଙ୍କୁ କିପରି ଲାଗୁଛି । ତାʼପରେ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ “ସଫଳ କରିବେ ।”—ଗୀତସଂହିତା ୩୭:୩, ୫ ପଢ଼ନ୍ତୁ ।
୧୫. ପ୍ରାର୍ଥନା କରିବା ଦ୍ୱାରା ଆମେ “କ୍ଳେଶରେ” କିପରି ଧୈର୍ଯ୍ୟ ଧରିପାରିବା ? ଗୋଟିଏ ଉଦାହରଣ ଦିଅନ୍ତୁ ।
୧୫ ଲଗାତାର ପ୍ରାର୍ଥନା କରିବା ଯୋଗୁଁ ଆମେ “କ୍ଳେଶରେ” ଧୈର୍ଯ୍ୟ ଧରିପାରିବା । (ରୋମୀ. ୧୨:୧୨) ଯିହୋବା ଜାଣନ୍ତି ଯେ ତାଙ୍କ ସେବକମାନେ କେଉଁ ପରିସ୍ଥିତିର ସାମନା କରୁଛନ୍ତି ଓ ‘ସେ ସେମାନଙ୍କର ଡାକ ଶୁଣନ୍ତି ।’ (ଗୀତ. ୧୪୫:୧୮, ୧୯) ଅଣତିରିଶ ବର୍ଷର ଭଉଣୀ କ୍ରିଷ୍ଟି ମଧ୍ୟ ଏକଥାକୁ ଅନୁଭବ କଲେ । ତାଙ୍କର ଜୀବନରେ ସବୁକିଛି ଭଲ ଚାଲୁଥିଲା ଓ ସେ ଅଗ୍ରଦୂତ ସେବା କରୁଥିଲେ । ତାʼପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଗଲା । ତେଣୁ ସେ ବହୁତ ନିରାଶ ହୋଇଗଲେ । ପରେ ଡାକ୍ତରମାନେ କହିଲେ ଯେ ତାଙ୍କ ମାଆଙ୍କୁ ଗୋଟିଏ ମାରାତ୍ମକ ରୋଗ ହୋଇଯାଇଛି । ଭଉଣୀ କ୍ରିଷ୍ଟି କହନ୍ତି, “ପ୍ରତିଦିନ ମୁଁ ହୃଦୟ ଖୋଲି ଯିହୋବାଙ୍କୁ ପ୍ରାର୍ଥନା କରୁଥିଲି । ସେହି ଦିନଗୁଡ଼ିକ କଟି ଯାଉ, ତାʼପାଇଁ ତାଙ୍କୁ ସାହାଯ୍ୟ ମାଗୁଥିଲି । ମୁଁ ପୂରା ଚେଷ୍ଟା କରୁଥିଲି ଯେ ମୋ ଦ୍ୱାରା ଗୋଟେ ବି ସଭା ଛାଡ଼ି ନ ହେଉ ଓ ମୁଁ ଲଗାତାର ବ୍ୟକ୍ତିଗତ ଅଧ୍ୟୟନ ବି କରୁଥିଲି ।” ସେ ଏହା ବି କହନ୍ତି, “ବେଳେବେଳେ ମୋତେ ଏପରି ଲାଗୁଥିଲା ଯେ ମୁଁ ଆଉ ସହିପାରିବିନି, ତେବେ ପ୍ରାର୍ଥନା କରିବାରୁ ମୋତେ ବହୁତ ସାହସ ମିଳୁଥିଲା । ମୁଁ ଜାଣିଥିଲି ଯେ ଯିହୋବା ସବୁବେଳେ ମୋ ସାଙ୍ଗେ ଅଛନ୍ତି । ଏବିଷୟରେ ଭାବି ମୋତେ ବହୁତ ସାନ୍ତ୍ୱନା ମିଳୁଥିଲା । ଏହା ସତ ଯେ ମୋ ସ୍ୱାସ୍ଥ୍ୟ ତୁରନ୍ତ ଠିକ୍ ହେଲାନି, କିନ୍ତୁ ଯିହୋବା ମୋ ପ୍ରାର୍ଥନା ଶୁଣିଲେ ଓ ମୋତେ ମନର ଶାନ୍ତି ଦେଲେ ।” ତେବେ ଆସନ୍ତୁ ଆମେ ସବୁବେଳେ ମନେରଖିବା, ‘ଯିହୋବା ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ଜାଣନ୍ତି ।’—୨ ପିତ. ୨:୯.
ଖରାପ ଇଚ୍ଛାଗୁଡ଼ିକରୁ ଲଢ଼ିବା ପାଇଁ (୧) ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ (୨) ନିଜ ପ୍ରାର୍ଥନାଗୁଡ଼ିକ ଅନୁସାରେ ପଦକ୍ଷେପ ନିଅନ୍ତୁ ଓ (୩) ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରନ୍ତୁ (ପାରାଗ୍ରାଫ ୧୬-୧୭)
୧୬. ଖରାପ କାମ କରିବାର ଇଚ୍ଛାରୁ ଲଢ଼ିବା ପାଇଁ ଆମକୁ ଯିହୋବାଙ୍କ ସାହାଯ୍ୟ କାହିଁକି ଦରକାର ?
୧୬ ଖରାପ ଇଚ୍ଛାଗୁଡ଼ିକୁ କାବୁରେ ରଖିବା ପାଇଁ ସାହାଯ୍ୟ ମାଗନ୍ତୁ । ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ, ତେଣୁ ଆମକୁ ସବୁବେଳେ ଖରାପ କାମ କରିବାର ଇଚ୍ଛାଗୁଡିକରୁ ଲଢ଼ିବାକୁ ପଡ଼େ । ତାʼସହ ଶୟତାନ ଆମ ଚିନ୍ତାଧାରାକୁ ଭ୍ରଷ୍ଟ କରିବାକୁ ଚେଷ୍ଟା କରେ, ଯାହାଯୋଗୁଁ ଆମ ଲଢ଼େଇ ଆହୁରି କଠିନ ହୋଇଯାଏ । ଅନେକଥର ସେ ମନୋରଞ୍ଜନ ଜରିଆରେ ଏପରି କରେ । ଯଦି ଆମେ ଏପରି ମନୋରଞ୍ଜନ କରିବା ଯେଉଁଥିରେ ଅନୈତିକ କାମଗୁଡ଼ିକ ଦେଖାଯାଇଛି, ତେବେ ଆମ ମନ ଖରାପ କଥାଗୁଡ଼ିକରୁ ଭରିଯିବ । ଆଉ ଏହି କାରଣ ଯୋଗୁଁ ଆମେ ଯିହୋବାଙ୍କ ଦୃଷ୍ଟିରେ ଅଶୁଦ୍ଧ ହୋଇଯିବା ଓ ହୁଏତ କୌଣସି ବଡ଼ ପାପ ମଧ୍ୟ କରିଦେବା ।—ମାର୍କ ୭:୨୧-୨୩; ଯାକୁ. ୧:୧୪, ୧୫.
୧୭. ଯିହୋବାଙ୍କୁ ପ୍ରାର୍ଥନା କରିବା ଛଡ଼ା ଆମେ ଆହୁରି କʼଣ କରିପାରିବା, ଯାହାଦ୍ୱାରା ଆମ ମନରେ ଖରାପ ଇଚ୍ଛାଗୁଡ଼ିକ ନ ଆସୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୭ ଯଦି ଆମେ ଖରାପ କାମ କରିବାର ଇଚ୍ଛାଗୁଡ଼ିକରୁ ଲଢ଼ିବା ପାଇଁ ଚାହୁଁ, ତେବେ ଆମକୁ ଯିହୋବାଙ୍କ ସାହାଯ୍ୟ ଦରକାର । ଯେବେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ଶିଖାଉଥିଲେ, ତେବେ ସେ ସେମାନଙ୍କୁ ଏବିଷୟରେ ବି ପ୍ରାର୍ଥନା କରିବା ପାଇଁ କହିଲେ, “ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର ।” (ମାଥି. ୬:୧୩) ଯିହୋବା ଆମ ସାହାଯ୍ୟ କରିବା ପାଇଁ ଚାହାନ୍ତି, କିନ୍ତୁ ଏହା ଆମର ବି ଦାୟିତ୍ୱ ଅଟେ ଯେ ଆମେ ତାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗିବା । ତାʼପରେ ଆମକୁ ତାʼଅନୁସାରେ କାମ ମଧ୍ୟ କରିବାକୁ ପଡ଼ିବ । ଆମେ ପୂରା ଚେଷ୍ଟା କରିବା ଉଚିତ୍ ଯେ ଆମେ ଏପରି ମନୋରଞ୍ଜନ କରିବାନି ଯେଉଁଥିରୁ ଆମ ମନ ଖରାପ କଥାଗୁଡ଼ିକରୁ ଭରିଯିବ, ଅର୍ଥାତ୍ ଏପରି କଥାଗୁଡ଼ିକରୁ ଯାହାକୁ ଶୟତାନର ଏହି ଦୁନିଆ ଭୁଲ ମନେ କରେନି । (ଗୀତ. ୯୭:୧୦) ଆମେ ଆହୁରି କʼଣ କରିପାରିବା ? ଆମେ ବାଇବଲ ପଢ଼ି ଓ ତାʼର ଅଧ୍ୟୟନ କରି ନିଜ ମନରେ ଭଲ କଥାଗୁଡ଼ିକୁ ଭରିପାରିବା । ସଭାରେ ଯାଇ ଓ ପ୍ରଚାର କରି ମଧ୍ୟ ଆମ ମନ ଭଲ କଥାଗୁଡ଼ିକ ଉପରେ ଲାଗି ରହିବ । ଯିହୋବା ଆମକୁ ପ୍ରତିଜ୍ଞା କରନ୍ତି ଯେ ଯଦି ଆମେ ଏପରି କରିବା, ତେବେ ସେ ଆମକୁ ଏପରି କୌଣସି ବି ପରୀକ୍ଷାରୁ ରକ୍ଷା କରିବେ ଯାହା ଆମେ ସହିପାରିବାନି ।—୧ କରି. ୧୦:୧୨, ୧୩.
୧୮. ଯେବେ ପ୍ରାର୍ଥନା କରିବାର ମାମଲା ଆସେ, ତେବେ ଆମେ କʼଣ ଧ୍ୟାନ ରଖିପାରିବା ?
୧୮ ସମସ୍ୟା ଭରା ଏହି ଶେଷ ଦିନରେ ଆମ ସମସ୍ତଙ୍କୁ ଆହୁରି ଅଧିକ ପ୍ରାର୍ଥନା କରିବା ଦରକାର, ତେବେ ଯାଇ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବା । ଯିହୋବା ମଧ୍ୟ ଚାହାନ୍ତି ଯେ ଆମେ ‘ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କହୁ ।’ (ଗୀତ. ୬୨:୮) ତାହେଲେ ପ୍ରତିଦିନ ତାଙ୍କୁ ପ୍ରାର୍ଥନା କରିବା ପାଇଁ ସମୟ ନିର୍ଦ୍ଧାରିତ କରନ୍ତୁ । ଯିହୋବାଙ୍କ ପ୍ରଶଂସା କରନ୍ତୁ ଓ ସେ ଆପଣଙ୍କ ପାଇଁ ଯାହା କରିଛନ୍ତି ତାʼପାଇଁ ତାଙ୍କୁ ଧନ୍ୟବାଦ ଦିଅନ୍ତୁ । ପ୍ରଚାର କାମ କରିବା ପାଇଁ ସାହସ ମାଗନ୍ତୁ, ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ସମସ୍ୟାଗୁଡ଼ିକର ସାମନା କରିବା ଓ ଖରାପ ଇଚ୍ଛାଗୁଡ଼ିକୁ କାବୁରେ ରଖିବା ପାଇଁ ଆପଣଙ୍କ ସାହାଯ୍ୟ କରିବେ । ତେଣୁ ନିଷ୍ପତ୍ତି ନିଅନ୍ତୁ ଯେ ଆପଣଙ୍କୁ କୌଣସି ବି କଥା କିମ୍ବା କେହି ବି ମଣିଷ ଯିହୋବାଙ୍କୁ ପ୍ରାର୍ଥନା କରିବାରୁ ରୋକି ନ ପାରୁ । ଆଉ ଭରସା ରଖନ୍ତୁ ଯେ ସେ ଆପଣଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ନିଶ୍ଚୟ ଦେବେ । ସେ ଏହା କିପରି କରନ୍ତି ? ଏବିଷୟରେ ଆମେ ପରବର୍ତ୍ତୀ ଲେଖାରେ ଜାଣିବା ।
ଗୀତ ୪୨ ୟହୋୱା କେ ସେୱକୋଁ କି ପ୍ରାର୍ଥନା
a ଆମେ ସମସ୍ତେ ଚାହୁଁ ଯେ ଆମ ପ୍ରାର୍ଥନା ନିଜ ସାଙ୍ଗକୁ ପ୍ରେମର ସହ ଲେଖିଥିବା ଚିଠି ଭଳି ହେଉ । କିନ୍ତୁ ଅନେକଥର ଆମକୁ ପ୍ରାର୍ଥନା କରିବା ପାଇଁ ସମୟ ବାହାର କରିବା କଷ୍ଟ ଲାଗିପାରେ କିମ୍ବା ଆମେ କେଉଁ ବିଷୟରେ ପ୍ରାର୍ଥନା କରିବା ହୁଏତ ତାହା ବୁଝାପଡ଼େନି । ଏହି ଲେଖାରେ ଆମେ ଏହି ଦୁଇଟି ବିଶେଷ କଥା ଉପରେ ଚର୍ଚ୍ଚା କରିବା ।