ପାଠ ୧୦
ଲୋଟଙ୍କ ସ୍ତ୍ରୀକୁ ମନେ ରଖ
ଲୋଟ ନିଜ କକା ଅବ୍ରହାମଙ୍କ ସହ କିଣାନ ଦେଶରେ ରହୁଥିଲେ । କିଛି ସମୟ ପରେ ଅବ୍ରହାମ ଓ ଲୋଟଙ୍କ ପାଖରେ ଅନେକଗୁଡ଼ାଏ ପଶୁ ହୋଇଗଲେ ଏବଂ ସେମାନଙ୍କ ପାଇଁ ଜାଗା କମ୍ ପଡ଼ୁଥିଲା । ତେଣୁ ଅବ୍ରହାମ ଲୋଟଙ୍କୁ କହିଲେ, ‘ଏବେ ଆମେ ସମସ୍ତେ ଗୋଟିଏ ଜାଗାରେ ରହିପାରିବା ନାହିଁ । ତେଣୁ ତମେ ବାଛ ଯେ ତମେ କେଉଁଠିକୁ ଯିବାକୁ ଚାହଁ ଏବଂ ମୁଁ ଅନ୍ୟ ଜାଗାକୁ ଯିବି ।’ ଆପଣ ଦେଖିଲେ, ଅବ୍ରହାମ ନିଜ ଲାଭ ବିଷୟରେ ନୁହେଁ ବରଂ ଅନ୍ୟମାନଙ୍କ ବିଷୟରେ ଭାବିଲେ !
ଲୋଟ ଦେଖିଲେ ଯେ ସଦୋମ ନାମକ ସହର ପାଖରେ ଜମି ବହୁତ ଭଲ ଅଛି । ସେଠାରେ ଅଧିକ ପାଣି ଏବଂ ବହୁତ ବେଶି ଘାସ ଅଛି । ତେଣୁ ସେ ସେହି ଜାଗାକୁ ବାଛିଲେ ଏବଂ ନିଜ ପରିବାରକୁ ନେଇ ସେଠାରେ ରହିବାକୁ ଲାଗିଲେ । ପରେ ସେମାନେ ସଦୋମ ସହର ଭିତରକୁ ରହିବାକୁ ଲାଗିଲେ ।
ସଦୋମ ଓ ପାଖ ସହର ହମୋରାର ଲୋକମାନେ ବହୁତ ଦୁଷ୍ଟ ଥିଲେ । ସେମାନେ ଏତେ ଦୁଷ୍ଟ ଥିଲେ ଯେ ଯିହୋବା ସେହି ସହରଗୁଡ଼ିକୁ ବିନାଶ କରିବା ପାଇଁ ନିଷ୍ପତ୍ତି ନେଲେ । କିନ୍ତୁ ସେ ଲୋଟ ଓ ତାଙ୍କ ପରିବାରକୁ ବଞ୍ଚାଇବା ପାଇଁ ଚାହୁଁଥିଲେ । ତେଣୁ ସେ ନିଜ ଦୁଇ ଜଣ ସ୍ୱର୍ଗଦୂତଙ୍କୁ ପଠାଇଲେ । ସେମାନେ ଲୋଟ ଓ ତାଙ୍କ ପରିବାରକୁ କହିଲେ, ‘ତମେ ଶୀଘ୍ର ଏହି ସହରରୁ ବାହାରି ଯାଅ ! ଯିହୋବା ଏ ନଗରକୁ ବିନାଶ କରିବା ପାଇଁ ଯାଉଛନ୍ତି ।’
ଲୋଟ ସହର ଛାଡ଼ିବା ପାଇଁ ଡେରି କରୁଥିଲେ । ତେଣୁ ସ୍ୱର୍ଗଦୂତମାନେ ଲୋଟ, ତାଙ୍କ ସ୍ତ୍ରୀ ଓ ଦୁଇ ଜଣ ଝିଅଙ୍କ ହାତ ଧରିଲେ ଏବଂ ସେମାନଙ୍କୁ ଶୀଘ୍ର ସହରଠୁ ବାହାରକୁ ନେଇଗଲେ । ସେମାନେ କହିଲେ, ‘ଜୀବନ ରକ୍ଷା କରି ପଳାଅ ! ପଛ ଆଡ଼କୁ ଦେଖିବ ନାହିଁ, ନହେଲେ ତମେ ମରିଯିବ !’
ଯେବେ ସେମାନେ ସୋୟର ସହର ପହଞ୍ଚିଲେ ତେବେ ଯିହୋବା ସଦୋମ ଓ ହମୋରା ଉପରେ ନିଆଁ ଓ ଗନ୍ଧକ ପକାଇଲେ । ଉଭୟ ସହର ପୂରାପୂରି ଧ୍ୱଂସ ହୋଇଗଲା । ଲୋଟଙ୍କ ସ୍ତ୍ରୀ ଯିହୋବାଙ୍କ କଥା ମାନିଲା ନାହିଁ, ସେ ପଛ ଆଡ଼କୁ ଦେଖିଲା ଏବଂ ସେ ଲବଣ ସ୍ତମ୍ଭ ହୋଇଗଲା ! କିନ୍ତୁ ଲୋଟ ଓ ତାଙ୍କ ଝିଅମାନଙ୍କୁ କିଛି ହେଲା ନାହିଁ କାରଣ ସେମାନେ ଯିହୋବାଙ୍କ କଥା ମାନିଲେ । ସେମାନେ ବହୁତ ଦୁଃଖୀ ହୋଇଥିବେ ଯେ ଲୋଟଙ୍କ ସ୍ତ୍ରୀ ଈଶ୍ୱରଙ୍କ କଥା ମାନିଲା ନାହିଁ । କିନ୍ତୁ ସେମାନେ ଏକଥା ପାଇଁ ଖୁସି ଥିଲେ ଯେ ସେମାନେ ଯିହୋବାଙ୍କ କଥା ମାନିଲେ ।
“ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର ।”—ଲୂକ ୧୭:୩୨