ପାଠ ୧୯
ଆରମ୍ଭର ତିନୋଟି ଦଣ୍ଡ
ଇସ୍ରାଏଲୀୟମାନଙ୍କୁ ଜବରଦସ୍ତି ଦାସ ଭାବେ କାମ କରାଉଥିଲେ । ଯିହୋବା ମୋଶା ଓ ହାରୋଣଙ୍କ ଜରିଆରେ ଫାରୋକୁ ଏହି ସନ୍ଦେଶ ଦେଲେ, ‘ମୋ ଲୋକମାନଙ୍କୁ ଯିବାକୁ ଦିଅ ଯାହାଦ୍ୱାରା ସେମାନେ ପ୍ରାନ୍ତରରେa ମୋ ଉପାସନା କରିବେ ।’ କିନ୍ତୁ ଫାରୋ ଅହଙ୍କାର ସହିତ କହିଲେ, ‘ମୁଁ ଯିହୋବାଙ୍କ କଥା କାହିଁକି ମାନିବି ! ମୁଁ ଇସ୍ରାଏଲୀୟମାନଙ୍କୁ ଯିବା ପାଇଁ ଦେବି ନାହିଁ ।’ ତେବେ ସେ ଇସ୍ରାଏଲୀୟମାନଙ୍କଠାରୁ ଆହୁରି ଅଧିକ କାମ କରାଇବାକୁ ଲାଗିଲେ । ଏବେ ଯିହୋବା ଫାରୋଙ୍କୁ ତାଡ଼ନା ଦେଇ ସୁଧାରିଲେ । ଜାଣିଛ କିପରି ? ସେ ମିଶର ଉପରେ ଦଶଟି ଦଣ୍ଡ ଆଣିଲେ । ଯିହୋବା ମୋଶାଙ୍କୁ କହିଲେ, ‘ଫାରୋ ମୋ କଥା ଶୁଣୁ ନାହିଁ । କାଲି ସକାଳେ ସେ ନୀଳ ନଦୀ ପାଖରେ ଥିବ । ତମେ ଯାଇ ତାʼକୁ କହିବ ଯେ ନୀଳ ନଦୀର ପାଣି ରକ୍ତରେ ବଦଳି ଯିବ କାରଣ ସେ ମୋ ଲୋକମାନଙ୍କୁ ଯିବା ପାଇଁ ଦେଉ ନାହିଁ ।’ ମୋଶା ଯିହୋବାଙ୍କ କଥା ମାନି ଫାରୋଙ୍କ ପାଖକୁ ଗଲେ । ଫାରୋଙ୍କ ଆଗରେ ହାରୋଣ ନିଜ ବାଡ଼ିକୁ ନୀଳ ନଦୀରେ ମାରିଲେ ଏବଂ ନଦୀର ପାଣି ରକ୍ତରେ ବଦଳିଗଲା । ନଦୀର ସବୁ ମାଛ ମରିଗଲେ ଏବଂ ନଦୀରୁ ଦୁର୍ଗନ୍ଧ ଆସିବାକୁ ଲାଗିଲା । ଏବେ ନଦୀର ପାଣି କେହି ବି ପିଇ ପାରୁ ନ ଥିଲେ । ତଥାପି ଫାରୋ ଇସ୍ରାଏଲୀୟମାନଙ୍କୁ ଯିବା ପାଇଁ ଦେଲେ ନାହିଁ ।
ସାତ ଦିନ ପରେ, ଯିହୋବା ଫାରୋଙ୍କ ପାଖକୁ ମୋଶାଙ୍କୁ ଏହା କହିବା ପାଇଁ ପଠାଇଲେ, ‘ଯଦି ତମେ ମୋ ଲୋକମାନଙ୍କୁ ଛାଡ଼ିବ ନାହିଁ ତେବେ ମିଶର ଦେଶ ବେଙ୍ଗ ଦ୍ୱାରା ଭରିଯିବ ।’ ହାରୋଣ ନିଜ ବାଡ଼ି ଉପରକୁ ଉଠାଇଲେ ଏବଂ ସାରା ଦେଶରେ ଚାରିଆଡ଼େ ବେଙ୍ଗ ଭରିଗଲେ । ଲୋକମାନଙ୍କ ଘରେ, ବିଛଣାରେ ଏବଂ ବାସନକୁସନରେ, ସବୁ ଜାଗାରେ ବେଙ୍ଗ ଥିଲେ ! ଫାରୋ ମୋଶାଙ୍କୁ କହିଲେ ଯେ ସେ ଯିହୋବାଙ୍କୁ ବିନତି କରନ୍ତୁ ଯେ ଏହି ଦଣ୍ଡ ସେ ଦୂର କରିଦେବେ । ସେ ପ୍ରତିଜ୍ଞା କଲେ ଯେ ସେ ଇସ୍ରାଏଲୀୟମାନଙ୍କୁ ଛାଡ଼ିଦେବେ । ଯିହୋବା ଏହି ଦଣ୍ଡ ଦୂର କରିଦେଲେ । ମିଶରୀୟମାନେ ମରିଯାଇଥିବା ବେଙ୍ଗମାନଙ୍କୁ ଜମା କଲେ ଯେଉଁଥିରୁ ଅନେକ ଜାଗାରେ ବେଙ୍ଗ ଗଦା ହୋଇଗଲା । ସାରା ଦେଶରେ ଦୁର୍ଗନ୍ଧ ବ୍ୟାପିଗଲା । କିନ୍ତୁ ତେବେ ବି ଫାରୋ ଇସ୍ରାଏଲୀୟମାନଙ୍କୁ ଛାଡ଼ିବା ପାଇଁ ମନା କରିଦେଲେ ।
ଯିହୋବା ମୋଶାଙ୍କୁ କହିଲେ, ‘ହାରୋଣଙ୍କୁ କୁହ ଯେ ସେ ବାଡ଼ିକୁ ଜମିରେ ପ୍ରହାର କରିବେ, ତେବେ ଜମିର ଧୂଳି ଉକୁଣିଆ ପୋକରେ (ମଶା) ବଦଳି ଯିବ ।’ ହାରୋଣ ଏପରି କଲା ପରେ ସବୁଆଡ଼ୁ ଉକୁଣିଆ ପୋକ ଆସିଗଲା । ଫାରୋଙ୍କ କିଛି ଲୋକ ତାଙ୍କୁ କହିଲେ, ‘ଏହି ଦଣ୍ଡ ଈଶ୍ୱର ଆଣିଛନ୍ତି ।’ କିନ୍ତୁ ତେବେ ବି ଫାରୋ ଇସ୍ରାଏଲୀୟମାନଙ୍କୁ ଯିବା ପାଇଁ ଦେଲେ ନାହିଁ ।
a ନିଛାଟିଆ ଜାଗା ଯେଉଁଠି କେହି ବି ରହନ୍ତି ନାହିଁ ।
‘ଆମ୍ଭେ ସେମାନଙ୍କୁ ଆମ୍ଭର ଶକ୍ତି ଓ ଆମ୍ଭର ପରାକ୍ରମ ଦେଖାଇବା; ତହିଁରେ ଆମ୍ଭର ନାମ ଯେ ଯିହୋବା, ଏହା ସେମାନେ ଜାଣିବେ ।’—ଯିରିମୀୟ ୧୬:୨୧