ପାଠ ୨୧
ଦଶମ ଦଣ୍ତ
ମୋଶା ଫାରୋଙ୍କୁ ପ୍ରତିଜ୍ଞା କଲେ ଯେ ସେ ପୁଣି ତାଙ୍କ ସାମନାକୁ ଆସିବେ ନାହିଁ । କିନ୍ତୁ ଫାରୋଙ୍କ ପାଖରୁ ଯିବା ପୂର୍ବରୁ ସେ କହିଲେ, ‘ଆଜି ଅଧରାତିରେ ମିଶରରେ ସମସ୍ତ ପରିବାରର ପ୍ରଥମଜାତ ପୁତ୍ର ମରିଯିବ । ଫାରୋଙ୍କ ପୁଅଙ୍କଠୁ ନେଇ ଦାସମାନଙ୍କ ପୁଅ ପର୍ଯ୍ୟନ୍ତ ସମସ୍ତେ ମରିଯିବେ ।’
ଯିହୋବା ଇସ୍ରାଏଲୀୟମାନଙ୍କୁ ଗୋଟିଏ ବିଶେଷ ପ୍ରକାର ଖାଦ୍ୟ ଖାଇବା ପାଇଁ କୁହନ୍ତି । ସେ କହିଲେ, ‘ବର୍ଷୀୟ ଅଣ୍ଡିରା ମେଣ୍ଢା କିମ୍ବା ବର୍ଷୀୟ ଛେଳିକୁ କାଟ ଏବଂ ତାର ରକ୍ତ କବାଟର ଚୌକାଠରେ ଲଗାଅ । ତାର ମାଂସ ନିଆଁରେ ଜାଳି ତାକୁ ତାଡ଼ିଶୂନ୍ୟ ରୋଟୀ (ଖମୀରଶୂନ୍ୟ ରୋଟୀ) ସହ ଖାଅ । ତମେମାନେ କପଡ଼ା ଏବଂ ଜୋତା ପିନ୍ଧି ବାହାରିବା ପାଇଁ ପ୍ରସ୍ତୁତ ରହିବ । ଆଜି ରାତି ମୁଁ ତମମାନଙ୍କୁ ଏଠାରୁ ବାହାର କରି ନେଇଯିବି ।’ ଟିକେ ଭାବନ୍ତୁ ଏହା ଶୁଣି ଇସ୍ରାଏଲୀୟମାନେ କେତେ ଖୁସି ହୋଇଥିବେ !
ଅଧରାତିରେ ଯିହୋବାଙ୍କ ଜଣେ ସ୍ୱର୍ଗଦୂତ ମିଶରର ପ୍ରତ୍ୟେକ ଘର ପାଖକୁ ଗଲେ । ଯେଉଁ ଘରର ଚୌକାଠରେ ରକ୍ତ ଲାଗି ନ ଥିଲା ସେଠାର ପ୍ରଥମ ପୁଅକୁ ସ୍ୱର୍ଗଦୂତ ମାରିଦେଲେ । କିନ୍ତୁ ଯେଉଁ ଘରର ଚୌକାଠରେ ରକ୍ତ ଲାଗି ଥିଲା ସେଠାରେ ସ୍ୱର୍ଗଦୂତ କିଛି କଲେ ନାହିଁ । ମିଶରୀୟମାନଙ୍କ ପ୍ରତ୍ୟେକ ପରିବାରରେ, ଧନୀ ହେଉ ବା ଗରିବ ସମସ୍ତଙ୍କ ପରିବାରରେ ଜଣେ ଛୁଆର ମୃତ୍ୟୁ ହୋଇଗଲା । କିନ୍ତୁ ଇସ୍ରାଏଲୀୟମାନଙ୍କର ଜଣେ ବି ଛୁଆ ମରିଲେ ନାହିଁ ।
ଏପରିକି ଫାରୋଙ୍କ ପୁଅ ମଧ୍ୟ ମରିଗଲା । ଶେଷରେ ଫାରୋ ରାଜି ହୋଇଗଲେ । ସେ ତୁରନ୍ତ ମୋଶା ଆଉ ହାରୋଣଙ୍କୁ କହିଲେ, ʼତମେମାନେ ଏଇଠୁ ପଳାଅ । ଯାଅ, ନିଜ ଈଶ୍ୱରଙ୍କ ଉପାସନା କର । ଆଉ ନିଜ ପଶୁମାନଙ୍କୁ ବି ସାଙ୍ଗରେ ନେଇ ଯାଅ !ʼ
ସେହି ରାତି ପୂର୍ଣ୍ଣିମା ଥିଲା । ତାର କିରଣରେ ଇସ୍ରାଏଲୀୟମାନେ ମିଶରରୁ ବାହାରି ପଡ଼ିଲେ । ସେମାନଙ୍କ ମଧ୍ୟରେ ଭଲ ବ୍ୟବସ୍ଥା ଥିଲା । ସେମାନେ ସମସ୍ତେ ନିଜ ନିଜ ପରିବାର ଏବଂ ଗୋଷ୍ଠୀ ସହ ସମୂହରେ ବାହାରି ପଡ଼ିଲେ । ଇସ୍ରାଏଲୀୟ ପୁରୁଷମାନଙ୍କ ସଂଖ୍ୟା ୬,୦୦,୦୦୦ ଥିଲା । ତାʼଛଡ଼ା ଅନେକ ସ୍ତ୍ରୀ ଓ ଛୁଆପିଲା ମଧ୍ୟ ଥିଲେ । ଇସ୍ରାଏଲୀୟମାନଙ୍କ ସହ ଅନ୍ୟ ଲୋକମାନେ ମଧ୍ୟ ଥିଲେ କାରଣ ସେମାନେ ବି ଯିହୋବାଙ୍କ ଉପାସନା କରିବା ପାଇଁ ଚାହୁଁଥିଲେ । ଶେଷରେ ଇସ୍ରାଏଲୀୟମାନେ ମୁକ୍ତ ହୋଇଗଲେ !
ଯେଉଁ ଦିନ ଯିହୋବା ସେମାନଙ୍କୁ ରକ୍ଷା କରିଥିଲେ ସେହି ଦିନକୁ ମନେପକାଇବା ପାଇଁ ଇସ୍ରାଏଲୀୟମାନେ ବର୍ଷରେ ଥରେ ସେହି ବିଶେଷ ପ୍ରକାର ଖାଦ୍ୟ ଖାଉଥିଲେ । ଏପରି ଭାବେ ନିସ୍ତାର ପର୍ବ ପାଳନ କରୁଥିଲେ ।
‘ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହା ପାଇଁ ଆମ୍ଭେ ତୁମ୍ଭକୁ ଜୀବିତ ଛାଡ଼ିଛୁ ।’—ରୋମୀୟ ୯:୧୭