ପାଠ ୪୦
ଦାଉଦ ଓ ଗଲୀୟାତ
ଯିହୋବା ଶାମୁୟେଲଙ୍କୁ କହିଲେ, ‘ଯିଶୀଙ୍କ ଘରକୁ ଯାଅ । ତାଙ୍କ ପୁଅମାନଙ୍କ ମଧ୍ୟରୁ ଜଣେ ଇସ୍ରାଏଲର ପରବର୍ତ୍ତୀ ରାଜା ହେବେ ।’ ତେଣୁ ଶାମୁୟେଲ ଯିଶୀଙ୍କ ଘରକୁ ଗଲେ । ଯେବେ ସେ ଯିଶୀଙ୍କ ସବୁଠୁ ବଡ଼ ପୁଅକୁ ଦେଖିଲେ ତେବେ ସେ ଭାବିଲେ, ‘ଯିହୋବା ନିଶ୍ଚୟ ଏହି ଯୁବାକୁ ନିଯୁକ୍ତ କରିଥିବେ ।’ କିନ୍ତୁ ଯିହୋବା କହିଲେ ଯେ ସେ ତାକୁ ନିଯୁକ୍ତ କରି ନାହାନ୍ତି । ଯିହୋବା କହିଲେ, ‘ମୁଁ ମଣିଷର ରୂପରଙ୍ଗକୁ ଦେଖେ ନାହିଁ, ବରଂ ତାଙ୍କ ହୃଦୟକୁ ଦେଖେ ।’
ଯିଶୀ ତାଙ୍କ ଆଉ ଛଅ ଜଣ ପୁଅମାନଙ୍କୁ ଶାମୁୟେଲଙ୍କ ପାଖକୁ ଆଣିଲେ । କିନ୍ତୁ ଶାମୁୟେଲ କହିଲେ, ‘ଯିହୋବା ଏମାନଙ୍କ ମଧ୍ୟରୁ କାହାରିକୁ ନିଯୁକ୍ତ କରି ନାହାନ୍ତି । କʼଣ ଆପଣଙ୍କର ଆଉ ପୁଅ ନାହାନ୍ତି ?’ ଯିଶୀ କହିଲେ, ‘ମୋର ଆଉ ଜଣେ ପୁଅ ଅଛି । ତାʼର ନାମ ଦାଉଦ । ସେ ମେଣ୍ଢା ଚରାଇବା ପାଇଁ ଯାଇଛି ।’ ଯେବେ ଦାଉଦ ଘରକୁ ଆସିଲେ ତେବେ ଯିହୋବା ଶାମୁୟେଲଙ୍କୁ କହିଲେ, ‘ମୁଁ ଏହାକୁ ନିଯୁକ୍ତ କରିଛି !’ ଶାମୁୟେଲ ଦାଉଦଙ୍କ ମୁଣ୍ଡରେ ତେଲ ଢାଳି ଇସ୍ରାଏଲର ରାଜା ଭାବେ ତାଙ୍କୁ ଅଭିଷେକ କଲେ ।
କିଛି ସମୟ ମଧ୍ୟରେ ଇସ୍ରାଏଲୀୟମାନଙ୍କ ଓ ପଲେଷ୍ଟୀୟମାନଙ୍କ ମଧ୍ୟରେ ଯୁଦ୍ଧ ହେବାକୁ ଯାଉଥିଲା । ପଲେଷ୍ଟୀୟମାନଙ୍କ ଜଣେ ସୈନିକ ବହୁତ ଲମ୍ବା ଚଉଡ଼ା ଥିଲା । ତାʼର ନାମ ଗଲୀୟାତ ଥିଲା । ସେ ପ୍ରତିଦିନ ଇସ୍ରାଏଲୀୟମାନଙ୍କ ଥଟ୍ଟା କରୁଥିଲା । ସେ ଜୋର୍ ପାଟି କରି କହୁଥିଲା, ‘ମୋ ସହିତ ଲଢ଼ିବା ପାଇଁ ଜଣେ ବ୍ୟକ୍ତିକୁ ପଠାଅ । ଯଦି ସେ ଜିତିବ ତାହେଲେ ଆମେ ତମମାନଙ୍କ ଦାସ ହୋଇଯିବୁ । କିନ୍ତୁ ଯଦି ମୁଁ ଜିତିବି ତାହେଲେ ତମେମାନେ ଆମ ଦାସ ହୋଇଯିବ ।’
ଦାଉଦଙ୍କ ଭାଇମାନେ ସୈନିକ ଥିଲେ । ସେ ସେମାନଙ୍କ ପାଇଁ ଖାଇବା ନେଇ ଇସ୍ରାଏଲୀୟମାନଙ୍କ ଛାଉଣିକୁ ଗଲେ । ସେ ଗଲୀୟାତର କଥା ଶୁଣି କହିଲେ, ‘ମୁଁ ତାʼ ସହ ଲଢ଼ିବି ।’ ରାଜା ଶାଉଲ କହିଲେ, ‘କିନ୍ତୁ ତମେ ଜଣେ ଛୋଟ ପିଲାଟିଏ ।’ ଦାଉଦ କହିଲେ, ‘ଯିହୋବା ମୋତେ ସାହାଯ୍ୟ କରିବେ ।’
ଶାଉଲ ନିଜ କପଡ଼ା ଓ ହତିଆର ଦାଉଦଙ୍କୁ ଦେଲେ, କିନ୍ତୁ ଦାଉଦ କହିଲେ, ‘ମୁଁ ଏସବୁ ନେଇ ଲଢ଼ିପାରିବି ନାହିଁ ।’ ଦାଉଦ ନିଜ ଛାଟିଣୀ ନେଲେ ଏବଂ ନଦୀ ପାଖକୁ ଗଲେ । ସେଠାରୁ ସେ ପାଞ୍ଚୋଟି ଚିକ୍କଣ ପଥର ନେଇ ନିଜ ଥଳିରେ ରଖିଲେ । ତାʼପରେ ସେ ଗଲୀୟାତ ପାଖକୁ ଗଲେ । ଗଲୀୟାତ ଜୋର୍ରେ କହିଲା, ‘ମୋ ପାଖକୁ ଆ, ମୁଁ ତୋତେ ମାରି ତୋ ମାଂସ ଚଢ଼େଇ ଓ ବନ୍ୟପଶୁମାନଙ୍କୁ ଖୁଆଇ ଦେବି ।’ କିନ୍ତୁ ଦାଉଦ ଡରିଲେ ନାହିଁ । ସେ ମଧ୍ୟ ଜୋର୍ରେ କହିଲେ, ‘ତୁ ଗୋଟିଏ ଖଣ୍ଡା ଓ ବର୍ଚ୍ଛା ନେଇ ଆସିଛୁ, କିନ୍ତୁ ମୁଁ ଯିହୋବାଙ୍କ ନାମରେ ଆସିଛି । ତୁ ଆମ ସହିତ ନୁହେଁ ଈଶ୍ୱରଙ୍କ ସହିତ ଲଢ଼ୁଛୁ । ଏଠାରେ ସମସ୍ତେ ଦେଖିବେ ଯେ ଖଣ୍ଡା କିମ୍ବା ବର୍ଚ୍ଛା ଅପେକ୍ଷା ଯିହୋବା ଅଧିକ ଶକ୍ତିଶାଳୀ ଅଟନ୍ତି । ସେ ତମମାନଙ୍କୁ ଆମ ହାତରେ କରି ଦେଇଛନ୍ତି ।’
ଦାଉଦ ନିଜ ଛାଟିଣୀରେ ଗୋଟିଏ ପଥର ରଖିଲେ ଏବଂ ତାହା ବୁଲାଇ ଜୋର୍ରେ ଫିଙ୍ଗିଲେ । ପଥର ସିଧା ଯାଇ ଗଲୀୟାତର କପାଳରେ ବାଜିଲା ଏବଂ ଭିତରକୁ ପଶିଗଲା । ଏହା ପଛରେ ଯିହୋବାଙ୍କ ହାତ ଥିଲା । ସେ ବ୍ୟକ୍ତି ମରି ତଳେ ଜମିରେ ପଡ଼ିଗଲା । ସେସମୟରେ ପଲେଷ୍ଟୀୟ ନିଜ ଜୀବନ ରକ୍ଷା କରି ପଳାଇଗଲେ । କʼଣ ଆପଣ ଦାଉଦଙ୍କ ଭଳି ଯିହୋବାଙ୍କ ଉପରେ ଭରସା ରଖନ୍ତି ?
“ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ନୁହେଁ; କାରଣ ଈଶ୍ୱରଙ୍କର ସମସ୍ତ ସାଧ୍ୟ ।”—ମାର୍କ ୧୦:୨୭