ପାଠ ୪୧
ଦାଉଦ ଓ ଶାଉଲ
ଯେବେ ଦାଉଦ ଗଲୀୟାତକୁ ମାରିଦେଲେ ତେବେ ରାଜା ଶାଉଲ ତାଙ୍କୁ ନିଜ ସେନାପତି କରିନେଲେ । ଦାଉଦ ଅନେକ ଯୁଦ୍ଧ ଜିତିଲେ ଏବଂ ସେ ବହୁତ ପ୍ରସିଦ୍ଧ ହୋଇଗଲେ । ଯେବେ ବି ସେ ଯୁଦ୍ଧ ଜିତିଲା ପରେ ଘରକୁ ଫେରୁଥିଲେ, ସ୍ତ୍ରୀ ଲୋକମାନେ ଖୁସିରେ ନାଚୁଥିଲେ ଏବଂ ଏହି ଗୀତ ଗାଉଥିଲେ, “ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ ।” ଶାଉଲ ଦାଉଦଙ୍କୁ ଈର୍ଷା କରିବାକୁ ଲାଗିଲେ ଏବଂ ତାଙ୍କୁ ମାରିଦେବା ପାଇଁ ଚାହୁଁଥିଲେ ।
ଦାଉଦ ବୀଣା ନାମକ ଗୋଟିଏ ବାଦ୍ୟଯନ୍ତ୍ର ବହୁତ ଭଲଭାବେ ବଜାଉଥିଲେ । ଦିନେ ଯେବେ ସେ ଶାଉଲଙ୍କ ପାଇଁ ବୀଣା ବଜାଉଥିଲେ ତେବେ ଶାଉଲ ନିଜ ବର୍ଚ୍ଛା ଜୋର୍ରେ ତାଙ୍କ ଆଡ଼କୁ ଫିଙ୍ଗିଲେ । ଦାଉଦ ତୁରନ୍ତ ହଟିଗଲେ ଓ ବର୍ଚ୍ଛା କାନ୍ଥରେ ଯାଇ ବାଜିଲା । ଏହାପରେ ମଧ୍ୟ ଶାଉଲ ଦାଉଦଙ୍କୁ ମାରିବା ପାଇଁ ଅନେକ ଥର ଚେଷ୍ଟା କଲେ । ଶେଷରେ ଦାଉଦ ପଳାଇଗଲେ ଏବଂ ପ୍ରାନ୍ତରରେ ଲୁଚି ରହିବାକୁ ଲାଗିଲେ ।
ଶାଉଲ ୩,୦୦୦ ସୈନିକ ସହ ଦାଉଦଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଲେ । ଥରେ ଏପରି ହେଲା ଯେ ସେ ସେହି ଗୁମ୍ଫାକୁ ଗଲେ ଯେଉଁଠି ଦାଉଦ ଓ ତାଙ୍କ ଲୋକମାନେ ଲୁଚିଥିଲେ । ଦାଉଦଙ୍କ ଲୋକମାନେ ତାଙ୍କୁ ଫୁସ୍ ଫୁସ୍ କରି କହିଲେ, ‘ଶାଉଲଙ୍କୁ ମାରିବାର ଏହା ହିଁ ସୁଯୋଗ ।’ ଦାଉଦ ଲୁଚି ଶାଉଲଙ୍କ ପାଖକୁ ଗଲେ ଏବଂ ତାଙ୍କ କପଡ଼ାର ଖଣ୍ତ କାଟି ନେଲେ । ଶାଉଲଙ୍କୁ ଜଣା ହିଁ ପଡ଼ିଲା ନାହିଁ । ପରେ ଦାଉଦଙ୍କୁ ଏହା ଭାବି ଦୁଃଖ ଲାଗିଲା ଯେ ସେ ଯିହୋବାଙ୍କ ଦ୍ୱାରା ଅଭିଷିକ୍ତ କରାଯାଇଥିବା ରାଜାଙ୍କର ଆଦର କଲେ ନାହିଁ । ସେ ନିଜ ଲୋକମାନଙ୍କୁ ଶାଉଲଙ୍କ ଉପରେ ଆକ୍ରମଣ କରିବା ପାଇଁ ଦେଲେ ନାହିଁ । ସେ ଜୋର୍ ପାଟି କରି ଶାଉଲଙ୍କୁ କହିଲେ ଯେ ତାଙ୍କ ପାଖରେ ସୁଯୋଗ ଥିଲା ଯେ ସେ ଚାହିଁଥିଲେ ଶାଉଲଙ୍କୁ ମାରିପାରିଥାʼନ୍ତେ । କିନ୍ତୁ ସେ ଏପରି କଲେ ନାହିଁ । କʼଣ ଏହାପରେ ଶାଉଲଙ୍କ ମନ ବଦଳିଗଲା ?
ନୁହେଁ, ସେ ଦାଉଦଙ୍କ ପିଛା କରିବା ଜାରି ରଖିଲେ । ଦିନେ ରାତିରେ ଦାଉଦ ଓ ତାଙ୍କ ଭଣଜା ଅବୀଶୟ ଲୁଚି ଶାଉଲଙ୍କ ଛାଉଣିରେ ପଶିଗଲେ । ଶାଉଲଙ୍କ ଅଙ୍ଗରକ୍ଷୀ ଅବ୍ନର ଶୋଇଥିଲେ । ଅବୀଶୟ କହିଲେ, ‘ଏହା ଏକ ବଢ଼ିଆ ସୁଯୋଗ । ମୋତେ ମାରିବା ପାଇଁ ଅନୁମତି ଦିଅନ୍ତୁ ।’ ଦାଉଦ କହିଲେ, ‘ଶାଉଲଙ୍କ କଥା ଯିହୋବା ଦେଖିବେ । ଆମେ କେବଳ ବର୍ଚ୍ଛା ଓ ଜଳପାତ୍ର ନେଇ ଏଠାରୁ ଯିବା ।’
ଦାଉଦ ପାଖରେ ଥିବା ଏକ ପାହାଡ଼ ଉପରେ ଚଢ଼ିଗଲେ ଯେଉଁଠାରୁ ଶାଉଲଙ୍କ ଛାଉଣି ଦେଖା ଯାଉଥିଲା । ତାʼପରେ ସେ ଜୋର୍ରେ କହିଲେ, ‘ଅବ୍ନର, ତମେ ନିଜ ମାଲିକଙ୍କ ରକ୍ଷା କାହିଁକି କଲ ନାହିଁ ? ତାଙ୍କ ଜଳପାତ୍ର ଓ ବର୍ଚ୍ଛା କାହିଁ ?’ ଶାଉଲ ଦାଉଦଙ୍କ ଆବାଜ୍ ଚିହ୍ନିଲେ । ସେ ଦାଉଦଙ୍କୁ କହିଲେ, ‘ତମେ ଚାହିଁଲେ ମୋତେ ମାରିଦେଇଥାʼନ୍ତ, କିନ୍ତୁ ତମେ ଏପରି କଲ ନାହିଁ । ମୁଁ ଜାଣିଛି ଯେ ତମେ ଇସ୍ରାଏଲର ପରବର୍ତ୍ତୀ ରାଜା ହେବ ।’ ଶାଉଲ ନିଜ ମହଲକୁ ଫେରିଗଲେ । କିନ୍ତୁ ଶାଉଲଙ୍କ ପରିବାରରେ ସମସ୍ତେ ଦାଉଦଙ୍କୁ ଘୃଣା କରୁ ନ ଥିଲେ ।
“ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ । ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ ।”—ରୋମୀୟ ୧୨:୧୮, ୧୯