ପାଠ ୪୮
ଜଣେ ବିଧବାଙ୍କ ପୁଅକୁ ପୁଣିଜୀବିତ କରାଗଲା
ମରୁଡ଼ି ସମୟରେ ଯିହୋବା ଏଲୀୟଙ୍କୁ କହିଲେ, ‘ତମେ ସାରିଫତ୍ ନଗରକୁ ଯାଅ । ସେଠାରେ ଜଣେ ବିଧବା ତମକୁ ଖାଇବାକୁ ଦେବେ ।’ ଯେବେ ସେ ନଗର ଫାଟକକୁ ପହଞ୍ଚିଲେ ତେବେ ସେ ଦେଖିଲେ ଯେ ଜଣେ ଗରିବ ବିଧବା କାଠ ସଂଗ୍ରହ କରୁଛନ୍ତି । ଏଲୀୟ ତାଙ୍କୁ ପିଇବା ପାଇଁ ପାଣି ମାଗିଲେ । ଯେବେ ସେ ପାଣି ନେବା ପାଇଁ ଯାଉଥିଲେ, ତେବେ ଏଲୀୟ ତାଙ୍କୁ କହିଲେ, ‘ମୋ ପାଇଁ ଗୋଟିଏ ରୁଟି ଖାଇବା ପାଇଁ ଆଣ ।’ କିନ୍ତୁ ବିଧବା କହିଲେ, ‘ମୋ ପାଖରେ ଆପଣଙ୍କୁ ଦେବା ପାଇଁ ଗୋଟିଏ ବି ରୁଟି ନାହିଁ । ମୋ ପାଖରେ କେବଳ ଏତିକି ମଇଦା ଓ ତେଲ ଅଛି ଯେତିକିରେ ମୁଁ ମୋ ପାଇଁ ଓ ମୋ ପୁଅ ପାଇଁ ଟିକିଏ ଖାଦ୍ୟ ତିଆରି କରିପାରିବି ।’ ଏଲୀୟ ତାଙ୍କୁ କହିଲେ, ‘ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଯଦି ତମେ ମୋତେ ରୁଟି ଖାଇବା ପାଇଁ ଦେବ, ତାହେଲେ ବର୍ଷା ନ ହେବା ଯାଏ ତମ ମଇଦା ଓ ତେଲ ଶେଷ ହେବ ନାହିଁ ।’
ତେବେ ବିଧବା ଘରକୁ ଗଲେ ଏବଂ ସେ ଯିହୋବାଙ୍କ ଭବିଷ୍ୟଦ୍ବକ୍ତାଙ୍କ ପାଇଁ ରୁଟି କଲେ । ଯେପରି ଯିହୋବା ପ୍ରତିଜ୍ଞା କରିଥିଲେ, ମରୁଡ଼ି ଶେଷ ହେବା ଯାଏ ସେହି ବିଧବା ଓ ତାଙ୍କ ପୁଅର ଖାଇବାର କୌଣସି ଅଭାବ ହେଲା ନାହିଁ । ସେମାନଙ୍କ ମାଠିଆର ମଇଦା ଓ ତେଲ ସବୁବେଳେ ଭରି ରହିଲା ।
ଏହାପରେ ଏକ ଅଘଟଣ ଘଟିଲା । ବିଧବାଙ୍କ ପୁଅ ରୋଗରେ ପୀଡ଼ିତ ହୋଇଗଲା ଏବଂ ଏହି ରୋଗ ଏତେ ଗମ୍ଭୀର ହୋଇଗଲା ଯେ ପରେ ତାʼର ମୃତ୍ୟୁ ହୋଇଗଲା । ବିଧବା ଏଲୀୟଙ୍କୁ ସାହାଯ୍ୟ ପାଇଁ ବିନତି କଲେ । ଏଲୀୟ ପିଲାକୁ ଧରି ଉପରେ ନିଜ କୋଠରିକୁ ନେଇଗଲେ । ସେ ତାକୁ ନିଜ ବିଛଣାରେ ଶୁଆଇଲେ ଏବଂ ପ୍ରାର୍ଥନା କରି କହିଲେ, ‘ହେ ଯିହୋବା, ଏହି ପିଲାକୁ ପୁଣିଥରେ ଜୀବିତ କରିଦିଅନ୍ତୁ ।’ କʼଣ ଆପଣ ଜାଣନ୍ତି, ଯଦି ଯିହୋବା ତାକୁ ଜୀବିତ କରିଦିଅନ୍ତେ ତାହେଲେ ଏହା କାହିଁକି ଆଶ୍ଚର୍ଯ୍ୟର କଥା ହୁଅନ୍ତା ? କାରଣ ଏହା ପୂର୍ବରୁ ମୃତ୍ୟୁ ହୋଇଥିବା କୌଣସି ବ୍ୟକ୍ତିକୁ ପୁଣିଜୀବିତ କରାଯାଇ ନ ଥିଲା । ତାʼସହ ଏହି ବିଧବା ଓ ତାଙ୍କ ପୁଅ ଇସ୍ରାଏଲୀୟ ମଧ୍ୟ ନ ଥିଲେ ।
ତଥାପି ଯିହୋବା ପିଲାକୁ ଜୀବିତ କଲେ ଏବଂ ସେ ପୁଣି ନିଃଶ୍ୱାସ ନେବାକୁ ଲାଗିଲା । ଏଲୀୟ ବିଧବାଙ୍କୁ କହିଲେ, ‘ଦେଖ, ତମର ପୁଅ ପୁଣିଜୀବିତ ହୋଇଯାଇଛି ।’ ଏହା ଦେଖି ତାଙ୍କ ଖୁସିର ସୀମା ରହିଲା ନାହିଁ ଏବଂ ସେ ଏଲୀୟଙ୍କୁ କହିଲେ, ‘ଆପଣ ନିଶ୍ଚୟ ଈଶ୍ୱରଙ୍କ ସେବକ ଅଟନ୍ତି । ଏହା ମୁଁ ଏଥିପାଇଁ କହିପାରୁଛି କାରଣ ଆପଣ ତାହା ହିଁ କହନ୍ତି ଯାହା ଯିହୋବା ଆପଣଙ୍କୁ କହନ୍ତି ।’
“କୁଆମାନଙ୍କ ବିଷୟ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି ସେମାନଙ୍କର ଗୋଲାଘର ବା ଅମାର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ !”—ଲୂକ ୧୨:୨୪