ପାଠ ୪୭
ଯିହୋବା ଏଲୀୟଙ୍କୁ ସାହସ ଦେଲେ
ଯେବେ ଈଷେବଲ୍ ଶୁଣିଲା ଯେ ବାଲ୍ର ଭବିଷ୍ୟଦ୍ବକ୍ତାମାନଙ୍କ ସହ କʼଣ ହେଲା, ତେବେ ସେ ବହୁତ ରାଗିଗଲା । ସେ ଏଲୀୟଙ୍କ ପାଖକୁ ଏହି ସନ୍ଦେଶ ପଠାଇଲା: ‘କାଲି ତମକୁ ବି ବାଲ୍ର ଭବିଷ୍ୟଦ୍ବକ୍ତାମାନଙ୍କ ଭଳି ହତ୍ୟା କରି ଦିଆଯିବ ।’ ଏଲୀୟ ବହୁତ ଡରିଗଲେ ଏବଂ ପ୍ରାନ୍ତରକୁ ପଳାଇଗଲେ । ସେ ପ୍ରାର୍ଥନା କଲେ, ‘ହେ ଯିହୋବା, ଏବେ ମୁଁ ଆଉ ସହିପାରିବି ନାହିଁ । ମୁଁ ମରିବାକୁ ଚାହେଁ ।’ ସେ ବହୁତ ଥକି ଯାଇଥିଲେ, ତେଣୁ ଗୋଟିଏ ଗଛ ତଳେ ଶୋଇଗଲେ ।
ଜଣେ ସ୍ୱର୍ଗଦୂତ ତାଙ୍କୁ ଉଠାଇ ପ୍ରେମର ସହ କହିଲେ, ‘ଉଠ କିଛି ଖାଇ ନିଅ ।’ ଏଲୀୟ ଦେଖିଲେ ଯେ ଗରମ ପଥରଗୁଡ଼ିକରେ ଗୋଟିଏ ଗୋଲ ରୁଟି ରଖା ହୋଇଛି, ତାʼସହିତ ଗୋଟିଏ ପାତ୍ରରେ ପାଣି ଅଛି । ସେ ଖାଇ ପିଇ ପୁଣି ଶୋଇଗଲେ । ସ୍ୱର୍ଗଦୂତ ତାଙ୍କୁ ପୁଣି ଉଠାଇ କହିଲେ, ‘କିଛି ଖାଇ ନିଅ । ତମକୁ ଯାତ୍ରା କରିବା ପାଇଁ ଶକ୍ତି ଦରକାର ।’ ତେଣୁ ଏଲୀୟ ଉଠି ଖାଇଲେ । ତାʼପରେ ସେ ୪୦ ଦିନ ଓ ୪୦ ରାତି ଚାଲି ହୋରେବ ପାହାଡ଼ ପାଖକୁ ପହଞ୍ଚିଲେ । ସେଠାରେ ସେ ଶୋଇବା ପାଇଁ ଗୋଟିଏ ଗୁମ୍ଫା ଭିତରକୁ ଗଲେ । କିନ୍ତୁ ଯିହୋବା ତାଙ୍କ ସହ କଥା ହେଲେ । ସେ କହିଲେ, ‘ଏଲୀୟ, ତମେ ଏଠାରେ କʼଣ କରୁଛ ?’ ଏଲୀୟ କହିଲେ, ‘ଇସ୍ରାଏଲୀୟମାନେ ଆପଣଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ଭାଙ୍ଗିଦେଲେ । ସେମାନେ ଆପଣଙ୍କ ବେଦିଗୁଡ଼ିକୁ ନଷ୍ଟ କରିଦେଇଛନ୍ତି ଏବଂ ଆପଣଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କରିଦେଲେ । ଏବେ ସେମାନେ ମୋତେ ବି ମାରିଦେବା ପାଇଁ ଚାହାନ୍ତି ।’
ଯିହୋବା ତାଙ୍କୁ କହିଲେ, ‘ଯାଅ ପାହାଡ଼ ଉପରେ ଛିଡ଼ା ହୋଇଯାଅ ।’ ପ୍ରଥମେ, ଗୁମ୍ଫା ଆଗରେ ପ୍ରବଳ ପବନ ବହିଲା । ତାʼପରେ ଏକ ଭୂମିକମ୍ପ ହେଲା ଏବଂ ପରେ ତାଙ୍କୁ ଏକ ବଡ଼ ନିଆଁ ଦେଖାଗଲା । ଶେଷରେ ଏଲୀୟଙ୍କୁ ଗୋଟିଏ ଶାନ୍ତ ଓ କୋମଳ ଶବ୍ଦ ଶୁଣାଗଲା । ସେ କପଡ଼ାରେ ନିଜ ମୁହଁକୁ ଢାଙ୍କିଲେ ଏବଂ ଗୁମ୍ଫାରୁ ବାହାରକୁ ଆସି ଛିଡ଼ା ହୋଇଗଲେ । ସେସମୟରେ ଯିହୋବା ତାଙ୍କୁ ପଚାରିଲେ ତମେ କାହିଁକି ପଳାଉଛ । ଏଲୀୟ କହିଲେ, ‘ମୁଁ ଏକୁଟିଆ ବଞ୍ଚିଛି ।’ କିନ୍ତୁ ଯିହୋବା ତାଙ୍କୁ କହିଲେ, ‘ତମେ ଏକୁଟିଆ ନାହଁ । ଇସ୍ରାଏଲରେ ୭୦୦୦ ଜଣ ଲୋକ ଅଛନ୍ତି ଯେଉଁମାନେ ଏବେ ବି ମୋର ଉପାସନା କରନ୍ତି । ଯାଅ ଇଲୀଶାୟକୁ ତମ ଜାଗାରେ ଭବିଷ୍ୟଦ୍ବକ୍ତା ଭାବେ ନିଯୁକ୍ତ କର ।’ ଏଲୀୟ ତୁରନ୍ତ ଯାଇ ଏପରି କଲେ । ଆପଣଙ୍କୁ କʼଣ ଲାଗେ, ଯଦି ଆପଣ ଯିହୋବାଙ୍କ କଥା ମାନିବେ ତେବେ କʼଣ ସେ ଆପଣଙ୍କର ମଧ୍ୟ ସାହାଯ୍ୟ କରିବେ ? ନିଶ୍ଚୟ କରିବେ । ଏବେ ଆସନ୍ତୁ ଗୋଟିଏ ଘଟଣା ଦେଖିବା ଯାହା ମରୁଡ଼ି ସମୟରେ ହୋଇଥିଲା ।
“କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ ।”—ଫିଲିପ୍ପୀୟ ୪:୬