ପାଠ ୬୧
ସେମାନେ ମୂର୍ତ୍ତି ଆଗରେ ମୁଣ୍ଡ ନୁଆଁଇଲେ ନାହିଁ
ରାଜା ନବୂଖଦ୍ନିତ୍ସର ମୂର୍ତ୍ତିର ସ୍ୱପ୍ନ ଦେଖିବାର କିଛି ସମୟ ପରେ ସୁନାର ଗୋଟିଏ ବିଶାଳ ମୂର୍ତ୍ତି ତିଆରି କରାଇଲେ । ସେ ସେହି ମୂର୍ତ୍ତିକୁ ଦୂରା ନାମକ ପଡ଼ିଆରେ ରଖିଲେ ଏବଂ ଦେଶର ବିଶେଷ ଲୋକମାନଙ୍କୁ ତାହା ଆଗରେ ଏକାଠି ହେବା ପାଇଁ କହିଲେ । ସେମାନଙ୍କ ମଧ୍ୟରେ ଶଦ୍ରକ୍, ମୈଶକ ଓ ଅବେଦ୍-ନଗୋ ମଧ୍ୟ ଥିଲେ । ରାଜା ସେମାନଙ୍କୁ ଆଦେଶ ଦେଲେ, ‘ତମେମାନେ ତୂରୀଗୁଡ଼ିକ, ବୀଣା ଓ ଅନ୍ୟ ବାଦ୍ୟଯନ୍ତ୍ରଗୁଡ଼ିକର ଯେପରି ଶବ୍ଦ ଶୁଣିବ ତେବେ ତମେମାନେ ମୂର୍ତ୍ତି ଆଗରେ ମୁଣ୍ଡ ନୁଆଁଇବ ! ଯଦି କେହି ନୁଆଁଇବେ ନାହିଁ ତେବେ ତାକୁ ଅଗ୍ନିକୁଣ୍ଡରେ ଫିଙ୍ଗି ଦିଆଯିବ ।’ କʼଣ ସେହି ତିନି ଜଣ ଏବ୍ରୀ ପୁରୁଷ ମୂର୍ତ୍ତି ଆଗରେ ମୁଣ୍ଡ ନୁଆଁଇଲେ ନା ସେମାନେ କେବଳ ଯିହୋବାଙ୍କ ଉପାସନା କଲେ ?
ରାଜା ସଂଗୀତ ବଜାଇବା ପାଇଁ ଆଦେଶ ଦେଲେ । ସେସମୟରେ ସମସ୍ତେ ନଇଁ ମୂର୍ତ୍ତିକୁ ପୂଜା କଲେ, କେବଳ ଶଦ୍ରକ୍, ମୈଶକ ଓ ଅବେଦ୍-ନଗୋଙ୍କୁ ଛାଡ଼ି । କିଛି ପୁରୁଷ ଏହା ଦେଖିଲେ ଓ ସେମାନେ ଯାଇ ରାଜାଙ୍କୁ କହିଲେ, ‘ସେହି ତିନି ଏବ୍ରୀ ପୁରୁଷ ଆପଣଙ୍କ ମୂର୍ତ୍ତିର ପୂଜା କରିବା ପାଇଁ ମନା କରିଦେଲେ ।’ ସେସମୟରେ ନବୂଖଦ୍ନିତ୍ସର ସେ ତିନି ଜଣଙ୍କୁ ଡକାଇଲେ ଓ କହିଲେ, ‘ମୁଁ ତମମାନଙ୍କୁ ମୂର୍ତ୍ତିର ପୂଜା କରିବାର ଆଉ ଗୋଟିଏ ସୁଯୋଗ ଦେଉଛି । ଯଦି ତମେମାନେ ଏପରି କରିବ ନାହିଁ ତାହେଲେ ମୁଁ ତମମାନଙ୍କୁ ଅଗ୍ନିକୁଣ୍ଡରେ ଫିଙ୍ଗିଦେବି । ଏପରି କୌଣସି ଈଶ୍ୱର ନାହାନ୍ତି ଯିଏ ତମମାନଙ୍କୁ ମୋ ହାତରୁ ରକ୍ଷା କରିପାରିବେ ।’ ସେମାନେ କହିଲେ, ‘ଆମକୁ ଆଉ ଗୋଟିଏ ସୁଯୋଗ ଦରକାର ନାହିଁ । ଆମ ଈଶ୍ୱର ଆମକୁ ରକ୍ଷା କରିବେ । କିନ୍ତୁ ଯଦି ବି ସେ ଆମକୁ ରକ୍ଷା କରନ୍ତି ନାହିଁ ତେବେ ବି ହେ ରାଜା, ଆମେ ଏହି ମୂର୍ତ୍ତିର ପୂଜା କରିବୁ ନାହିଁ ।’
ନବୂଖଦ୍ନିତ୍ସର ବହୁତ ରାଗିଗଲେ । ସେ ନିଜର ଲୋକମାନଙ୍କୁ କହିଲେ, ‘ଅଗ୍ନିକୁଣ୍ଡକୁ ସାତଗୁଣ ଅଧିକ ଗରମ କର ।’ ତାʼପରେ ସେ ନିଜ ସୈନିକମାନଙ୍କୁ ଆଦେଶ ଦେଲେ, ‘ଏହି ପୁରୁଷମାନଙ୍କୁ ବାନ୍ଧି ଦିଅ ଏବଂ ଅଗ୍ନିକୁଣ୍ଡରେ ଫିଙ୍ଗି ଦିଅ !’ ଅଗ୍ନିକୁଣ୍ଡ ଏତେ ଗରମ ଥିଲା ଯେ ଯେପରି ସୈନିକମାନେ ତା ପାଖକୁ ଗଲେ ସେମାନେ ନିଆଁ ଝାସରେ ମରିଗଲେ । ତିନି ଜଣ ଏବ୍ରୀ ପୁରୁଷ କୁଣ୍ଡରେ ପଡ଼ିଗଲେ । କିନ୍ତୁ ନବୂଖଦ୍ନିତ୍ସର ଦେଖିଲେ ଯେ କୁଣ୍ଡରେ ତିନି ଜଣ ନୁହେଁ ବରଂ ଚାରି ଜଣ ପୁରୁଷ ବୁଲୁଛନ୍ତି ! ସେ ଡରିଗଲେ ଓ ନିଜ ଅଧିକାରୀମାନଙ୍କୁ ପଚାରିଲେ, ‘କʼଣ ଆମେ ତିନି ଜଣ ପୁରୁଷଙ୍କୁ ନିଆଁରେ ଫିଙ୍ଗି ନ ଥିଲୁ ? ମୋତେ ଚାରି ଜଣ ଦେଖାଯାଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ସ୍ୱର୍ଗଦୂତ ଭଳି ଲାଗୁଛନ୍ତି !’
ନବୂଖଦ୍ନିତ୍ସର ଅଗ୍ନିକୁଣ୍ଡ ପାଖକୁ ଗଲେ ଓ ସେମାନଙ୍କୁ ଡାକିଲେ, ‘ହେ ପରମ ପ୍ରଧାନ ଈଶ୍ୱରଙ୍କ ସେବକମାନେ ବାହାରକୁ ଆସ !’ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଶଦ୍ରକ୍, ମୈଶକ ଓ ଅବେଦ୍-ନଗୋଙ୍କୁ ନିଆଁରୁ କିଛି ହେଲା ନାହିଁ । ସେମାନଙ୍କ ଚର୍ମ, ଚୁଟି ଓ କପଡ଼ା ବିଲକୁଲ୍ ଜଳି ନ ଥିଲା । ସେମାନଙ୍କ ମଧ୍ୟରୁ ଜଳିବାର ଗନ୍ଧ ବି ଆସୁ ନ ଥିଲା ।
ନବୂଖଦ୍ନିତ୍ସର କହିଲେ, ‘ଶଦ୍ରକ୍, ମୈଶକ ଓ ଅବେଦ୍-ନଗୋଙ୍କ ଈଶ୍ୱର ମହାନ ଅଟନ୍ତି । ସେ ନିଜ ସ୍ୱର୍ଗଦୂତଙ୍କୁ ପଠାଇ ସେମାନଙ୍କୁ ରକ୍ଷା କଲେ । ସେମାନଙ୍କ ଈଶ୍ୱର ଭଳି ଆଉ କେହି ନାହାନ୍ତି ।’
ସେହି ତିନି ଏବ୍ରୀ ପୁରୁଷମାନଙ୍କ ଭଳି କʼଣ ଆପଣ ବି ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଯେ ଯାହା ବି ହୋଇଯାଉ ନା କାହିଁକି ଆପଣ ଯିହୋବାଙ୍କ ବିଶ୍ୱସ୍ତ ରହିବେ ?
‘ତୁମ୍ଭେ ଆପଣା ଯିହୋବା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ ।’—ମାଥିଉ ୪:୧୦