ପାଠ ୬୦
ଏପରି ଏକ ଶାସନ ଯାହା ସବୁଦିନ ପାଇଁ ରହିବ
ଦିନେ ରାତିରେ ରାଜା ନବୂଖଦ୍ନିତ୍ସର ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ସେ ଏତେ ଚିନ୍ତିତ ହୋଇଗଲେ ଯେ ଶୋଇପାରିଲେ ନାହିଁ । ସେ ନିଜ ଯାଦୁଗରମାନଙ୍କୁ ଡାକିଲେ ଏବଂ ସେମାନଙ୍କୁ କହିଲେ, ‘ମୋ ସ୍ୱପ୍ନର ଅର୍ଥ କୁହ ।’ ସେମାନେ କହିଲେ, ‘ହେ ରାଜା, ଆମକୁ କହନ୍ତୁ ଯେ ଆପଣ କʼଣ ସ୍ୱପ୍ନ ଦେଖିଲେ ।’ କିନ୍ତୁ ନବୂଖଦ୍ନିତ୍ସର କହିଲେ, ‘ନା, ତମେମାନେ ମୋତେ କୁହ ଯେ ମୁଁ କʼଣ ସ୍ୱପ୍ନ ଦେଖିଥିଲି ନ ହେଲେ ତମମାନଙ୍କୁ ମାରି ଦିଆଯିବ ।’ ସେମାନେ ପୁଣି କହିଲେ, ‘ଆପଣ ଆମକୁ ନିଜ ସ୍ୱପ୍ନ କୁହନ୍ତୁ, ତାʼପରେ ଆମେ ତାର ଅର୍ଥ ଆପଣଙ୍କୁ କହିବା ।’ ସେ କହିଲେ, ‘ତମେ ସମସ୍ତେ ମୋତେ ଧୋକା ଦେବା ପାଇଁ ଚାହୁଁଛ । କୁହ ଯେ ମୁଁ କʼଣ ସ୍ୱପ୍ନ ଦେଖିଲି !’ ସେମାନେ ରାଜାଙ୍କୁ କହିଲେ, ‘ଦୁନିଆରେ ଏପରି କୌଣସି ବ୍ୟକ୍ତି ନାହିଁ ଯିଏ କହିପାରିବ ଯେ ଆପଣ କʼଣ ସ୍ୱପ୍ନ ଦେଖିଲେ । ଏହା ଅସମ୍ଭବ ଅଟେ !’
ନବୂଖଦ୍ନିତ୍ସର ଏତେ ରାଗିଗଲେ ଯେ ସେ ଦେଶର ସମସ୍ତ ଜ୍ଞାନୀଙ୍କୁ ଓ ଯାଦୁଗରଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଲେ । ସେହି ଜ୍ଞାନୀମାନଙ୍କ ମଧ୍ୟରେ ଦାନିୟେଲ, ଶଦ୍ରକ୍, ମୈଶକ ଓ ଅବେଦ୍ନଗୋ ମଧ୍ୟ ଥିଲେ । ଦାନିୟେଲ ରାଜାଙ୍କୁ କହିଲେ ଯେ ତାଙ୍କୁ ସ୍ୱପ୍ନର ଅର୍ଥ କହିବା ପାଇଁ ଟିକେ ସମୟ ଦିଆଯାଉ । ତାʼପରେ ସେ ଆଉ ତାଙ୍କ ସାଙ୍ଗମାନେ ଯିହୋବାଙ୍କୁ ପ୍ରାର୍ଥନା କଲେ ଏବଂ ତାଙ୍କୁ ସାହାଯ୍ୟ ମାଗିଲେ । ଯିହୋବା କʼଣ କଲେ ?
ଏକ ଦର୍ଶନରେ ଯିହୋବା ଦାନିୟେଲଙ୍କୁ ନବୂଖଦ୍ନିତ୍ସରଙ୍କ ସ୍ୱପ୍ନ ଦେଖାଇଲେ ଏବଂ ତାର ଅର୍ଥ କହିଲେ । ଆରଦିନ ଦାନିୟେଲ ରାଜାଙ୍କ ସେବକଙ୍କ ପାଖକୁ ଯାଇ କହିଲେ, ‘କୌଣସି ବି ଜ୍ଞାନୀକୁ ହତ୍ୟା କରିବ ନାହିଁ । ମୁଁ ରାଜାଙ୍କୁ ସ୍ୱପ୍ନର ଅର୍ଥ କହିପାରିବି ।’ ସେବକ ଦାନିୟେଲଙ୍କୁ ନବୂଖଦ୍ନିତ୍ସରଙ୍କ ପାଖକୁ ନେଇଗଲେ । ଦାନିୟେଲ ରାଜାଙ୍କୁ କହିଲେ, ‘ଈଶ୍ୱର ଆପଣଙ୍କୁ କହିଛନ୍ତି ଯେ ଭବିଷ୍ୟତରେ କʼଣ କʼଣ ହେବ । ଆପଣ ଏହି ସ୍ୱପ୍ନ ଦେଖିଥିଲେ: ଆପଣ ଗୋଟିଏ ବଡ଼ ମୂର୍ତ୍ତି ଦେଖିଲେ ଯାହାର ମସ୍ତକ ସୁନାର ଥିଲା, ଛାତି ଓ ବାହୁ ରୂପାର ଥିଲା, ପେଟ ଓ ଜଙ୍ଘ ତମ୍ବାର ଥିଲା, ଚରଣ ଲୁହାର ଥିଲା ଏବଂ ପାଦର କିଛି ଅଂଶ ଲୁହାର ଆଉ କିଛି ମାଟିର ଥିଲା । ଗୋଟିଏ ପାହାଡ଼ ଉପରୁ ଏକ ପଥର ଆସିଲା ଏବଂ ମୂର୍ତ୍ତିର ପାଦକୁ ଯାଇ ପିଟି ହେଲା । ତେବେ ମୂର୍ତ୍ତି ଖଣ୍ତ ଖଣ୍ତ ହୋଇଗଲା ଆଉ ତାର ଖଣ୍ତ ପବନରେ ଉଡ଼ିଗଲା । ତାʼପରେ ସେହି ପଥର ଏକ ବଡ଼ ପାହାଡ଼ ହୋଇଗଲା ଯାହା ସାରା ପୃଥିବୀକୁ ପରିପୂର୍ଣ୍ଣ କଲା ।’
ଦାନିୟେଲ କହିଲେ, ‘ଆପଣଙ୍କ ସ୍ୱପ୍ନର ଅର୍ଥ ଏହା ଅଟେ: ସୁନାର ମସ୍ତକ ଆପଣଙ୍କ ରାଜ୍ୟ ଅଟେ । ରୂପାର ଭାଗ ଆପଣଙ୍କ ପରେ ଆସୁଥିବା ରାଜ୍ୟ ହେବ । ଏହାପରେ ଯେଉଁ ରାଜ୍ୟ ଆସିବ ତାହା ତମ୍ବା ଭଳି ହେବ ଏବଂ ସାରା ପୃଥିବୀ ଉପରେ ଶାସନ କରିବ । ତାʼପରେ ଯେଉଁ ରାଜ୍ୟ ଆସିବ ତାହା ଲୁହା ଭଳି ମଜବୁତ ହେବ । ଶେଷରେ ଏପରି ଏକ ରାଜ୍ୟ ଆସିବ ଯାହା ବିଭକ୍ତ ହେବ, ଅର୍ଥାତ୍ ତାʼର କିଛି ଅଂଶ ଲୁହା ଭଳି ମଜବୁତ ହେବ ଏବଂ କିଛି ଅଂଶ ମାଟି ଭଳି ଦୁର୍ବଳ ହେବ । ଯେଉଁ ପଥର ପାହାଡ଼ ହୋଇଗଲା ତାହା ଈଶ୍ୱରଙ୍କ ରାଜ୍ୟ ଅଟେ । ସେହି ରାଜ୍ୟ ଏହି ସମସ୍ତ ଶାସନକୁ ଖଣ୍ତ ଖଣ୍ତ କରିଦେବ ଏବଂ ତାହା ସବୁଦିନ ପାଇଁ ରହିବ ।’
ସେସମୟରେ ନବୂଖଦ୍ନିତ୍ସର ମୁହଁମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲେ । ସେ କହିଲେ, ‘ତମ ଈଶ୍ୱର ତମକୁ ଏହି ସ୍ୱପ୍ନ କହିଲେ ତାଙ୍କ ଭଳି ଈଶ୍ୱର ଆଉ କେହି ନାହାନ୍ତି ।’ ନବୂଖଦ୍ନିତ୍ସର ଦାନିୟେଲଙ୍କୁ ମାରିଲେ ନାହିଁ ବରଂ ତାଙ୍କୁ ସମସ୍ତ ଜ୍ଞାନୀଙ୍କ ମୁଖିଆ ଏବଂ ବାବିଲର ଗୋଟିଏ ପ୍ରଦେଶର ଶାସନ ଭାର ଦେଲେ । ଦେଖିଲେ ଆପଣ, ଯିହୋବା ଦାନିୟେଲଙ୍କୁ ପ୍ରାର୍ଥନାର ଉତ୍ତର କିପରି ଦେଲେ ?
‘ସେମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍ ନାମକ ସ୍ଥାନରେ ଏକତ୍ର କଲେ ।’—ପ୍ରକାଶିତ ବାକ୍ୟ ୧୬:୧୬