ପାଠ ୭୮
ଯୀଶୁ ରାଜ୍ୟର ପ୍ରଚାର କଲେ
ବାପ୍ତିସ୍ମର କିଛି ସମୟ ପରେ ଯୀଶୁ ଏହା ପ୍ରଚାର କରିବାକୁ ଲାଗିଲେ ‘ଈଶ୍ୱରଙ୍କ ରାଜ୍ୟ ପାଖେଇ ଆସିଛି ।’ ସେ ସାରା ଗାଲିଲୀ ଓ ଯିହୁଦାରେ ଯାତ୍ରା କଲେ ଏବଂ ତାଙ୍କ ଶିଷ୍ୟମାନେ ମଧ୍ୟ ତାଙ୍କ ସହିତ ଗଲେ । ଯେବେ ଯୀଶୁ ଫେରି ନିଜ ସହର ନାଜରିତକୁ ଗଲେ, ତେବେ ସେ ସେଠାର ସଭାଘରକୁ ଗଲେ । ସେ ଯିଶାଇୟଙ୍କ ଚର୍ମପତ୍ର ଖୋଲିଲେ ଏବଂ ସେଠାରୁ ଏହା ପଢ଼ି ଶୁଣାଇଲେ ‘ଯିହୋବା ମୋତେ ପବିତ୍ର ଶକ୍ତି ଦେଇଛନ୍ତି ଯାହାଦ୍ୱାରା ମୁଁ ଖୁସିର ଖବର ଶୁଣାଇପାରିବି ।’ ଏହାର ଅର୍ଥ କʼଣ ଥିଲା ? ଏହାର ଅର୍ଥ ଥିଲା ଯେ ଲୋକମାନେ ଯଦିଓ ଚାହୁଁଥିଲେ ଯେ ଯୀଶୁ ଚତ୍ମକାର କରନ୍ତୁ, କିନ୍ତୁ ତାଙ୍କୁ ପବିତ୍ର ଶକ୍ତି ଦେବାର ବିଶେଷ କାରଣ ଏହା ଥିଲା ଯେ ସେ ଖୁସିର ଖବର ଶୁଣାନ୍ତୁ । ତାʼପରେ ସେ ଲୋକମାନଙ୍କୁ କହିଲେ, ‘ଆଜି ଏହି ଭବିଷ୍ୟତବାଣୀ ପୂରା ହେଲା ।’
ଏହାପରେ ଯୀଶୁ ଗାଲିଲୀର ସମୁଦ୍ର କୂଳ ପାଖକୁ ଗଲେ । ସେଠାରେ ସେ ଚାରି ଜଣ ମାଛ ଧରାଳିମାନଙ୍କୁ ଭେଟିଲେ ଯେଉଁମାନେ ପରେ ତାଙ୍କ ଶିଷ୍ୟ ହେଲେ । ସେମାନେ ଥିଲେ ପିତର, ଆନ୍ଦ୍ରିୟ, ଯାକୁବ ଓ ଯୋହନ । ଯୀଶୁ ସେମାନଙ୍କୁ କହିଲେ, ‘ମୋ ସହ ଚାଲ ଯେପରି ତମେ ମାଛ ଧର ମୁଁ ତମକୁ ମନୁଷ୍ୟ ଧରିବା ଶିଖାଇବି ।’ ସେମାନେ ତୁରନ୍ତ ତାଙ୍କ ମାଛ ଧରିବା କାମ ଛାଡ଼ିଦେଲେ ଏବଂ ଯୀଶୁଙ୍କ ଶିଷ୍ୟ ହୋଇଗଲେ । ସେମାନେ ସାରା ଗାଲିଲୀକୁ ଯାଇ ଯିହୋବାଙ୍କ ରାଜ୍ୟର ପ୍ରଚାର କଲେ । ସେମାନେ ସଭାଘର, ବଜାର ଏବଂ ରାସ୍ତାଗୁଡ଼ିକରେ ପ୍ରଚାର କଲେ । ସେମାନେ ଯେଉଁଠି ବି ଯାଉଥିଲେ ଲୋକମାନଙ୍କ ଏକ ବଡ଼ ଭିଡ଼ ସେମାନଙ୍କ ସହିତ ଯାଉଥିଲା । ଯୀଶୁଙ୍କ ବିଷୟରେ ଖବର ଚାରିଆଡ଼େ ବ୍ୟାପିଗଲା ଏପରି କି ଦୂର ସୁରୀୟା ପର୍ଯ୍ୟନ୍ତ ମଧ୍ୟ ।
କିଛି ସମୟ ପରେ ଯୀଶୁ ନିଜ କିଛି ଶିଷ୍ୟଙ୍କୁ ରୋଗଗୁଡ଼ିକ ଠିକ୍ କରିବା ଏବଂ ଲୋକମାନଙ୍କଠାରୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ବାହାର କରିବାର ଶକ୍ତି ଦେଲେ । ଯୀଶୁ ସହର ଓ ଗାଁଗୁଡ଼ିକରେ ପ୍ରଚାର କରୁଥିବା ସମୟରେ କିଛି ଶିଷ୍ୟ ତାଙ୍କ ସହିତ ଯାଉଥିଲେ । ଅନେକ ବିଶ୍ୱସ୍ତ ସ୍ତ୍ରୀମାନେ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କ ସେବା କରୁଥିଲେ । ଯେପରି ମଗ୍ଦଲିନୀ ମରୀୟମ, ଯୋହାନା ଓ ଶୋଶନ୍ନା ।
ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରଚାର କରିବା ଶିଖାଇବା ପରେ ସେମାନଙ୍କୁ ପ୍ରଚାର କାମ ପାଇଁ ପଠାଇଲେ । ଯେବେ ସେମାନେ ସାରା ଗାଲିଲୀରେ ପ୍ରଚାର କଲେ ତେବେ ଅନେକ ଲୋକ ଶିଷ୍ୟ ହୋଇଗଲେ ଏବଂ ସେମାନେ ବାପ୍ତିସ୍ମ ନେଲେ । ଏତେଗୁଡ଼ାଏ ଲୋକ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ଚାହୁଁଥିଲେ ଯେ ଯୀଶୁ କହିଲେ ସେମାନେ ଏପରି କ୍ଷେତ ଭଳି ଅଟନ୍ତି ଯାହା କଟା ଯିବା ପାଇଁ ପ୍ରସ୍ତୁତ ଅଛି । ସେ କହିଲେ, ‘ଯିହୋବାଙ୍କୁ ପ୍ରାର୍ଥନା କର ଯେ ସେ ଶସ୍ୟ କାଟିବା ପାଇଁ ଆହୁରି ଶସ୍ୟ କଟାଳି ପଠାନ୍ତୁ ।’ ପରେ ସେ ୭୦ ଜଣ ଶିଷ୍ୟମାନଙ୍କୁ ବାଛିଲେ ଏବଂ ସେମାନଙ୍କୁ ଦୁଇ ଦୁଇ ଜଣ କରି ସାରା ଯିହୁଦାରେ ପ୍ରଚାର କରିବା ପାଇଁ ପଠାଇଲେ । ସେମାନେ ସବୁ ପ୍ରକାର ଲୋକମାନଙ୍କୁ ରାଜ୍ୟ ବିଷୟରେ ଶିଖାଇଲେ । ଯେବେ ସେମାନେ ଫେରିଲେ ତେବେ ସେମାନେ ବହୁତ ଖୁସି ଥିଲେ ଏବଂ ଯୀଶୁଙ୍କୁ ଯେତେ ଶୀଘ୍ର ହୋଇପାରିବ କହିବା ପାଇଁ ଚାହୁଁଥିଲେ ଯେ ସେମାନଙ୍କ ପ୍ରଚାର କାମ କିପରି ଥିଲା । ଶୟତାନ ସେମାନଙ୍କ ପ୍ରଚାର କାମକୁ କୌଣସି ଉପାୟରେ ବି ରୋକିପାରିଲା ନାହିଁ ।
ଯୀଶୁ ଚାହୁଁଥିଲେ ଯେ ତାଙ୍କ ସ୍ୱର୍ଗ ଫେରିବା ପରେ ମଧ୍ୟ ଶିଷ୍ୟମାନେ ଏହି ଜରୁରୀ କାମ କରୁଥାʼନ୍ତୁ । ତେଣୁ ସେ ସେମାନଙ୍କୁ କହିଲେ, ‘ତମେମାନେ ସାରା ଦୁନିଆରେ ଖୁସିର ଖବର ଶୁଣାଇବ । ଲୋକମାନଙ୍କୁ ଈଶ୍ୱରଙ୍କ ବାକ୍ୟ ବିଷୟରେ ଶିଖାଇବ ଏବଂ ସେମାନଙ୍କୁ ବାପ୍ତିସ୍ମ ଦେବ ।’
“ଅନ୍ୟାନ୍ୟ ନଗରରେ ମଧ୍ୟ ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି ।”—ଲୂକ ୪:୪୩