ପାଠ ୮୭
ଯୀଶୁଙ୍କ ଶେଷ ଭୋଜ
ଯିହୁଦୀ ପ୍ରତ୍ୟେକ ବର୍ଷ ନୀସନ୍ ମାସ ୧୪ ତାରିଖ ଦିନ ନିସ୍ତାର ପର୍ବ ପାଳନ କରୁଥିଲେ । ସେମାନଙ୍କୁ ଏହି ପର୍ବ ଏଥିପାଇଁ ପାଳନ କରିବାର ଥିଲା, ଯାହାଦ୍ୱାରା ସେମାନଙ୍କୁ ମନେ ରହିବ ଯେ ଯିହୋବା କିପରି ସେମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିଥିଲେ ଏବଂ ପ୍ରତିଜ୍ଞାତ ଦେଶକୁ ନେଇଥିଲେ । ୩୩ ଖ୍ରୀଷ୍ଟାବ୍ଦରେ ଯୀଶୁ ଓ ତାଙ୍କ ପ୍ରେରିତମାନେ ଯିରୂଶାଲମର ଉପର କୋଠରିରେ ନିସ୍ତାର ପର୍ବ ପାଳନ କଲେ । ଯେବେ ସେମାନଙ୍କ ଖାଇବା ଶେଷ ହେବାକୁ ଥିଲା ତେବେ ଯୀଶୁ କହିଲେ, ‘ତମମାନଙ୍କ ମଧ୍ୟରୁ ଜଣେ ମୋ ସହିତ ବିଶ୍ୱାସଘାତ କରିବ ।’ ଏହା ଶୁଣି ପ୍ରେରିତମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଯୀଶୁଙ୍କୁ ପଚାରିବାକୁ ଲାଗିଲେ, ‘ସେ କିଏ ଅଟେ ?’ ଯୀଶୁ କହିଲେ, ‘ଯାହାକୁ ମୁଁ ରୁଟି ଖଣ୍ଡ ଦେବି, ସେ ହିଁ ଅଟେ ।’ ତାʼପରେ ସେ ରୁଟି ଖଣ୍ଡକୁ ଇଷ୍କାରିୟୋତୀୟ ଯିହୂଦାକୁ ଦେଲେ । ଏହାପରେ ଯିହୂଦା ତୁରନ୍ତ ଉଠି କୋଠରିରୁ ବାହାରି ଗଲା ।
ତାʼପରେ ଯୀଶୁ ଏକ ପ୍ରାର୍ଥନା କଲେ, ଏକ ରୁଟିକୁ ଖଣ୍ଡ କଲେ ଏବଂ ବାକି ପ୍ରେରିତମାନଙ୍କୁ ଦେଲେ । ସେ ସେମାନଙ୍କୁ କହିଲେ, ‘ନିଅ ଖାଅ, ଏହା ମୋ ଶରୀରର ପ୍ରତୀକ ଅଟେ ଯାହା ମୁଁ ତମମାନଙ୍କ ପାଇଁ ଦେବି ।’ ତାʼପରେ ସେ ଦ୍ରାକ୍ଷାରସ ପାଇଁ ପ୍ରାର୍ଥନା କଲେ ଏବଂ ନିଜ ପ୍ରେରିତମାନଙ୍କୁ ଦେଲେ । ସେ କହିଲେ, ‘ଏହି ଦ୍ରାକ୍ଷାରସ ପିଅ । ଏହା ମୋ ରକ୍ତର ପ୍ରତୀକ ଅଟେ, ଯାହା ମୁଁ ଏଥିପାଇଁ ଦେବି ଯେଉଁଥିରୁ ଲୋକମାନଙ୍କୁ ସେମାନଙ୍କ ପାପ ପାଇଁ କ୍ଷମା ମିଳିପାରିବ । ମୁଁ ତମମାନଙ୍କୁ ପ୍ରତିଜ୍ଞା କରୁଛି ଯେ ତମେମାନେ ସ୍ୱର୍ଗରେ ମୋ ସହ ରାଜା ହେବ । ତମେମାନେ ମୋତେ ମନେ ପକାଇବା ପାଇଁ ପ୍ରତ୍ୟେକ ବର୍ଷ ଏପରି ହିଁ କରିବ ।’ ଆଜି ମଧ୍ୟ ପ୍ରତ୍ୟେକ ବର୍ଷ ସେହି ଦିନ ସନ୍ଧ୍ୟାରେ ଯୀଶୁଙ୍କ ଶିଷ୍ୟମାନେ ଏକାଠି ହୁଅନ୍ତି । ସେହି ସଭାକୁ ‘ପ୍ରଭୁଭୋଜ’ କୁହାଯାଏ ।
ଖାଇବା ପରେ ପ୍ରେରିତମାନେ ପରସ୍ପର ସହ ଝଗଡ଼ା କରିବାକୁ ଲାଗିଲେ ଯେ ସେମାନଙ୍କ ମଧ୍ୟରେ ବଡ଼ କିଏ ଅଟେ । ସେସମୟରେ ଯୀଶୁ ସେମାନଙ୍କୁ ବୁଝାଇଲେ, ‘ତମମାନଙ୍କ ମଧ୍ୟରୁ ବଡ଼ ସେ ହିଁ ଅଟେ ଯିଏ ନିଜକୁ ସବୁଠୁ ଛୋଟ ମନେ କରେ ଅର୍ଥାତ୍ ଯିଏ ନିଜକୁ କମ୍ ମହତ୍ତ୍ୱ ଦିଏ ।
ତମେମାନେ ମୋ ସାଙ୍ଗ ଅଟ । ମୁଁ ତମମାନଙ୍କୁ ସେସବୁ କଥା କହିବି ଯାହା ପିତା ଚାହାନ୍ତି ଯେ ମୁଁ ତମମାନଙ୍କୁ କୁହେ । ଖୁବ୍ ଶୀଘ୍ର ମୁଁ ନିଜ ପିତାଙ୍କ ପାଖକୁ ସ୍ୱର୍ଗକୁ ଚାଲିଯିବି । ତମେମାନେ ଏଇଠି ରହିବ ଏବଂ ଯେବେ ତମେମାନେ ପରସ୍ପରକୁ ପ୍ରେମ କରିବ, ତେବେ ଲୋକମାନେ ଜାଣିବେ ଯେ ତମେମାନେ ମୋ ଶିଷ୍ୟ ଅଟ । ପରସ୍ପରକୁ ସେପରି ହିଁ ପ୍ରେମ କର ଯେପରି ମୁଁ ତମମାନଙ୍କୁ କରିଛି ।’
ଶେଷରେ ଯୀଶୁ ଯିହୋବାଙ୍କୁ ପ୍ରାର୍ଥନା କଲେ ଯେ ସେ ତାଙ୍କ ସମସ୍ତ ଶିଷ୍ୟଙ୍କୁ ରକ୍ଷା କରନ୍ତୁ । ସେ ଯିହୋବାଙ୍କୁ କହିଲେ ଯେ ସେ ସେମାନଙ୍କ ସାହାଯ୍ୟ କରନ୍ତୁ ଯେଉଁଥିରୁ ସେମାନେ ମିଳିମିଶି କାମ କରିପାରିବେ । ସେ ପ୍ରାର୍ଥନା କଲେ ଯେ ଯିହୋବାଙ୍କ ନାମ ପବିତ୍ର ହେଉ । ଏହାପରେ ଯୀଶୁ ଓ ତାଙ୍କ ପ୍ରେରିତମାନେ ଯିହୋବାଙ୍କ ପ୍ରଶଂସାରେ ଗୀତ ଗାଇଲେ ଏବଂ ବାହାରକୁ ଚାଲିଗଲେ । ଏବେ ଯୀଶୁଙ୍କୁ ଗିରଫ କରିବାର ସମୟ ଆସି ଯାଇଥିଲା ।
“ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପିତାଙ୍କର ସନ୍ତୋଷ ।”—ଲୂକ ୧୨:୩୨