ପାଠ ୮୮
ଯୀଶୁଙ୍କୁ ଗିରଫ କରାଗଲା
ଯୀଶୁ ଓ ତାଙ୍କ ପ୍ରେରିତମାନେ କିଦ୍ରୋଣ ଘାଟି ହୋଇ ଜୀତ ପର୍ବତକୁ ଗଲେ । ଅଧରାତି ହୋଇ ଯାଇଥିଲା କିନ୍ତୁ ଚନ୍ଦ୍ର ଯୋଗୁଁ ଆଲୋକ ଥିଲା । ଯେବେ ସେମାନେ ଗେଥ୍ଶିମାନୀ ନାମକ ବଗିଚାକୁ ପହଞ୍ଚିଲେ ତେବେ ଯୀଶୁ ପ୍ରେରିତମାନଙ୍କୁ କହିଲେ, ‘ତମେମାନେ ଏଠାରେ ରୁହ ଏବଂ ଜାଗି ରହ ।’ ତାʼପରେ ଯୀଶୁ ଟିକେ ଆଗକୁ ଗଲେ ଏବଂ ଆଣ୍ଠୁମାଡ଼ି ନଇଁ ପଡ଼ିଲେ । ସେ ବହୁତ ଦୁଃଖୀ ଥିଲେ ଏବଂ ସେ ଯିହୋବାଙ୍କୁ ପ୍ରାର୍ଥନା କରି କହିଲେ, ‘ଆପଣଙ୍କ ଇଚ୍ଛା ପୂରା ହେଉ ।’ ଯିହୋବା ଯୀଶୁଙ୍କ ସାହସ ବଢ଼ାଇବା ପାଇଁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ । ଯେବେ ଯୀଶୁ ଫେରି ପ୍ରେରିତମାନଙ୍କ ପାଖକୁ ଗଲେ, ତେବେ ସେ ଦେଖିଲେ ଯେ ସେମାନେ ଶୋଇଛନ୍ତି । ସେ କହିଲେ, ‘ଉଠ ! ଏହା ଶୋଇବାର ସମୟ ନୁହେଁ । ସେହି ସମୟ ଆସିଯାଇଛି ଯେବେ ମୋତେ ଶତ୍ରୁମାନଙ୍କ ହାତରେ ସମର୍ପିତ କରିଦିଆଯିବ ।’
କିଛି ସମୟ ପରେ ଯିହୂଦା ସେଠାକୁ ପହଞ୍ଚିଗଲା ଏବଂ ସେ ନିଜ ସହ ଏକ ବଡ଼ ଭିଡ଼କୁ ଆଣିଥିଲା । ଭିଡ଼ର ଲୋକମାନଙ୍କ ପାଖରେ ଖଣ୍ଡା ଓ ବାଡ଼ିଗୁଡ଼ିକ ଥିଲା । ଯିହୂଦା ଜାଣିଥିଲା ଯେ ସେ ଯୀଶୁଙ୍କୁ କେଉଁଠି ପାଇବ କାରଣ ସେମାନେ ପ୍ରାୟ ସେହି ବଗିଚାକୁ ଯାଉଥିଲେ । ଯିହୂଦା ସୈନିକମାନଙ୍କୁ କହିଲା ଯେ ସେ ସେମାନଙ୍କୁ ଯୀଶୁଙ୍କୁ ଚିହ୍ନିବା ପାଇଁ ସାହାଯ୍ୟ କରିବ । ସେ ସିଧା ଯୀଶୁଙ୍କ ପାଖକୁ ଗଲା ଏବଂ ସେ ତାଙ୍କୁ କହିଲା, ‘ନମସ୍କାର ଗୁରୁ’ ଏବଂ ପରେ ସେ ଯୀଶୁଙ୍କୁ ଚୁମ୍ବନ କଲା । ଯୀଶୁ କହିଲେ, ‘ଯିହୂଦା, କʼଣ ତମେ ମୋତେ ଚୁମ୍ବନ କରି ଶତ୍ରୁମାନଙ୍କ ହାତରେ ସମର୍ପିତ କରୁଛ ?’
ଯୀଶୁ ଆଗକୁ ଆସି ଭିଡ଼କୁ ପଚାରିଲେ, ‘ତମେମାନେ କାହାକୁ ଖୋଜୁଛ ?’ ସେମାନେ କହିଲେ, ‘ନାଜରିତୀୟ ଯୀଶୁଙ୍କୁ ।’ ଯୀଶୁ କହିଲେ, ‘ମୁଁ ହିଁ ଅଟେ ।’ ସେସମୟରେ ସେହି ବ୍ୟକ୍ତିମାନେ ପଛକୁ ହଟିଗଲେ ଏବଂ ଜମିରେ ପଡ଼ିଗଲେ । ଯୀଶୁ ପୁଣି ଭିଡ଼କୁ ପଚାରିଲେ, ‘ତମେମାନେ କାହାକୁ ଖୋଜୁଛ ?’ ସେମାନେ ପୁଣି କହିଲେ, ‘ନାଜରିତୀୟ ଯୀଶୁଙ୍କୁ ।’ ଯୀଶୁ କହିଲେ, ‘ମୁଁ ତମମାନଙ୍କୁ କହିଲି ଯେ ମୁଁ ହିଁ ଅଟେ । ମୋ ଶିଷ୍ୟମାନଙ୍କୁ ଯିବାକୁ ଦିଅ ।’
ଯେବେ ପିତର ବୁଝିଗଲେ ଯେ କʼଣ ହେଉଛି, ତେବେ ସେ ଖଣ୍ଡା ବାହାର କଲେ ଏବଂ ମହାଯାଜକର ଜଣେ ଦାସ ମାଲ୍ଖର ଗୋଟିଏ କାନ କାଟିଦେଲେ । କିନ୍ତୁ ଯୀଶୁ ସେହି ବ୍ୟକ୍ତିର କାନକୁ ଛୁଇଁ ଠିକ୍ କରିଦେଲେ । ଯୀଶୁ ପିତରଙ୍କୁ କହିଲେ, ‘ଖଣ୍ଡା ରଖି ନିଅ । ଯଦି ତମେ ଖଣ୍ଡାରେ ଲଢ଼ିବ ତାହେଲେ ତମକୁ ବି ଖଣ୍ଡାରେ ମାରି ଦିଆଯିବ ।’ ତେବେ ସୈନିକମାନେ ଯୀଶୁଙ୍କୁ ଧରି ପକାଇଲେ ଏବଂ ତାଙ୍କ ହାତ ବାନ୍ଧି ଦେଲେ । ସମସ୍ତ ପ୍ରେରିତ ପଳାଇଗଲେ । ତାʼପରେ ସେହି ଭିଡ଼ ଯୀଶୁଙ୍କୁ ପ୍ରଧାନ ଯାଜକ ହାନାନ ପାଖକୁ ନେଇଗଲା । ହାନାନ ଅନେକ ପ୍ରଶ୍ନ ପଚାରିଲା ଏବଂ ତାʼପରେ ତାଙ୍କୁ ମହାଯାଜକ କୟାଫା ଘରକୁ ପଠାଇଦେଲେ । କିନ୍ତୁ ପ୍ରେରିତମାନଙ୍କର କʼଣ ହେଲା ?
“ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି ।”—ଯୋହନ ୧୬:୩୩