ପାଠ ୯୩
ଯୀଶୁ ସ୍ୱର୍ଗକୁ ଫେରିଗଲେ
ଯୀଶୁ ଗାଲିଲୀରେ ନିଜ ଶିଷ୍ୟମାନଙ୍କୁ ଭେଟିଲେ । ସେ ସେମାନଙ୍କୁ ଗୋଟିଏ ଆଜ୍ଞା ଦେଲେ ଯାହାକୁ ମାନିବା ବହୁତ ଜରୁରୀ ଥିଲା । ସେ କହିଲେ, ‘ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କର ଏବଂ ମୁଁ ତୁମ୍ଭମାନଙ୍କୁ ଯେଉଁସବୁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିଖାଅ ଏବଂ ସେମାନଙ୍କୁ ବାପ୍ତିସ୍ମ ଦିଅ ।’ ତାʼପରେ ଯୀଶୁ ସେମାନଙ୍କୁ ପ୍ରତିଜ୍ଞା କଲେ, ‘ମନେରଖ, ମୁଁ ସଦାସର୍ବଦା ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।’
ଯୀଶୁ ଜୀବିତ ହେବା ପରେ ୪୦ ଦିନ ଯାଏ ଗାଲିଲୀ ଓ ଯିରୂଶାଲମରେ ଶହ ଶହ ଶିଷ୍ୟଙ୍କୁ ଦେଖା ଦେଲେ । ସେ ସେମାନଙ୍କୁ ଜରୁରୀ କଥାଗୁଡ଼ିକ ଶିଖାଇଲେ ଏବଂ ଅନେକ ଚମତ୍କାର କଲେ । ତାʼପରେ ଶେଷ ଥର ସେ ନିଜ ପ୍ରେରିତମାନଙ୍କୁ ଜୀତ ପର୍ବତ ଉପରେ ଭେଟିଲେ । ସେ ସେମାନଙ୍କୁ କହିଲେ, ‘ତମେମାନେ ଯିରୂଶାଲମ ଛାଡ଼ି ଯିବ ନାହିଁ । ପିତା ଯେଉଁ ପ୍ରତିଜ୍ଞା କରିଛନ୍ତି ତାହା ପୂରା ହେବାର ଅପେକ୍ଷା କରିବ ।’
ପ୍ରେରିତମାନେ ତାଙ୍କ କଥା ବୁଝିପାରିଲେ ନାହିଁ । ସେମାନେ ତାଙ୍କୁ ପଚାରିଲେ, ‘କʼଣ ଆପଣ ଏବେ ଇସ୍ରାଏଲର ରାଜା ହେବାକୁ ଯାଉଛନ୍ତି ?’ ଯୀଶୁ କହିଲେ, ‘ଏବେ ଯାଏ ଯିହୋବାଙ୍କ ସମୟ ଆସି ନାହିଁ ଯେ ମୁଁ ରାଜା ହେବି । ଶୀଘ୍ର ଯେବେ ତମମାନଙ୍କ ଉପରେ ପବିତ୍ର ଶକ୍ତି ଆସିବ, ତେବେ ତମେମାନେ ଶକ୍ତି ପାଇବ ଏବଂ ମୋ ବିଷୟରେ ସାକ୍ଷ୍ୟ ଦେବ । ଯିରୂଶାଲମ, ଯିହୁଦା ଓ ଶମିରୋଣ ଏବଂ ଦୁନିଆର ସବୁଠୁ ଦୂର ଜାଗାଗୁଡ଼ିକରେ ତମେମାନେ ପ୍ରଚାର କରିବ ।’
ଏହାପରେ ଯୀଶୁଙ୍କୁ ଆକାଶ ଉପରକୁ ଉଠାଇ ନିଆଗଲା ଏବଂ ଗୋଟିଏ ମେଘ ତାଙ୍କୁ ଢାଙ୍କି ଦେଲା । ଶିଷ୍ୟମାନେ ଉପରକୁ ଅନାଇ ରହିଲେ, କିନ୍ତୁ ସେ ଚାଲି ଯାଇଥିଲେ ।
ଶିଷ୍ୟମାନେ ଜୀତ ପର୍ବତରୁ ଯିରୂଶାଲମକୁ ଗଲେ । ସେମାନେ ଲଗାତାର ଗୋଟିଏ ଉପର କୋଠରିରେ ଏକାଠି ହୋଇ ପ୍ରାର୍ଥନା କରୁଥିଲେ । ସେମାନେ ଅପେକ୍ଷା କରୁଥିଲେ ଯେ ଯୀଶୁ ସେମାନଙ୍କୁ କହିବେ ଯେ ଆଗକୁ କʼଣ କରିବାର ଅଛି ।
“ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ ।”—ମାଥିଉ ୨୪:୧୪