ପାଠ ୯୪
ଶିଷ୍ୟମାନଙ୍କୁ ପବିତ୍ର ଶକ୍ତି ମିଳିଲା
ଯୀଶୁ ସ୍ୱର୍ଗକୁ ଫେରିବାର ଦଶ ଦିନ ପରେ ତାଙ୍କ ଶିଷ୍ୟମାନଙ୍କୁ ପବିତ୍ର ଶକ୍ତି ମିଳିଲା । ଏହା ୩୩ ଖ୍ରୀଷ୍ଟାବ୍ଦ ପେଣ୍ଟିକଷ୍ଟ ପର୍ବର ଦିନ ଥିଲା । ଏହି ପର୍ବ ପାଳନ କରିବା ପାଇଁ ଅନେକ ଜାଗାରୁ ଲୋକମାନେ ଯିରୂଶାଲମକୁ ଆସିଥିଲେ । ଯୀଶୁଙ୍କ ପ୍ରାୟ ୧୨୦ ଜଣ ଶିଷ୍ୟ ଗୋଟିଏ ଘରର ଉପର କୋଠରୀରେ ଏକାଠି ହେଲେ । ହଠାତ୍ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଘଟିଲା । ପ୍ରତ୍ୟେକ ଶିଷ୍ୟଙ୍କ ମୁଣ୍ଡ ଉପରେ ନିଆଁ ଭଳି କିଛି ଦେଖାଗଲା ଏବଂ ସେମାନେ ସମସ୍ତେ ଅଲଗା ଅଲଗା ଭାଷା କହିବାକୁ ଲାଗିଲେ । ପ୍ରବଳ ଝଡ଼ ଭଳି ଶବ୍ଦ ପୂରା ଘରେ ବ୍ୟାପିଗଲା ।
ଅନ୍ୟ ଦେଶଗୁଡ଼ିକରୁ ଆସିଥିବା ଲୋକମାନେ ଯେବେ ଏହି ଶବ୍ଦ ଶୁଣିଲେ ସେମାନେ ଦୌଡ଼ି ଯାଇ ସେହି ଘର ପାଖକୁ ଗଲେ । ସେମାନେ ଦେଖିବାକୁ ଚାହୁଁଥିଲେ ଯେ କʼଣ ହେଲା । ଯେବେ ଶିଷ୍ୟମାନେ ସେମାନଙ୍କ ନିଜ ଭାଷାରେ କଥା କହିବାକୁ ଲାଗିଲେ ତେବେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ କହିଲେ, ‘ଏମାନେ ତ ଗାଲିଲୀୟ ଲୋକ ଅଟନ୍ତି । ତାହେଲେ ଆମ ଭାଷା କିପରି କହିପାରୁଛନ୍ତି ?’
ସେସମୟରେ ପିତର ଓ ଅନ୍ୟ ପ୍ରେରିତମାନେ ଭିଡ଼ର ସାମନାକୁ ଯାଇ ଛିଡ଼ା ହେଲେ । ପିତର ଲୋକମାନଙ୍କୁ କହିଲେ ଯେ ଯୀଶୁଙ୍କୁ କିପରି ମାରି ଦିଆଯାଇଥିଲା ଏବଂ ଯିହୋବା କିପରି ତାଙ୍କୁ ଜୀବିତ କରିଦେଲେ । ପିତର କହିଲେ, ‘ଏବେ ଯୀଶୁ ସ୍ୱର୍ଗରେ ଈଶ୍ୱରଙ୍କ ଦକ୍ଷିଣ ହସ୍ତ ଆଡ଼କୁ ବସିଛନ୍ତି ଏବଂ ଯେପରି ସେ ପ୍ରତିଜ୍ଞା କରିଥିଲେ, ସେ ଆମକୁ ପବିତ୍ର ଶକ୍ତି ଦେଇଛନ୍ତି । ତେଣୁ ଆଜି ଏହି ଚମତ୍କାର ହୋଇଛି ଯାହା ତମେ ଦେଖି ଓ ଶୁଣିପାରୁଛ ।’
ପିତରଙ୍କ କଥାଗୁଡ଼ିକର ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପଡ଼ିଲା । ସେମାନେ ପଚାରିଲେ, ‘ଏବେ ଆମକୁ କʼଣ କରିବା ଉଚିତ୍ ?’ ପିତର ସେମାନଙ୍କୁ କହିଲେ, ‘ପଶ୍ଚାତାପ କର ଓ ଯୀଶୁଙ୍କ ନାମରେ ବାପ୍ତିସ୍ମ ନିଅ । ତମେମାନେ ବି ପବିତ୍ର ଶକ୍ତିର ବରଦାନ ପାଇବ ।’ ସେହି ଦିନ ପ୍ରାୟ ୩୦୦୦ ଜଣ ଲୋକ ବାପ୍ତିସ୍ମ ନେଲେ । ସେସମୟରେ ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାକୁ ଲାଗିଲା । ପବିତ୍ର ଶକ୍ତିର ସାହାଯ୍ୟରେ ପ୍ରେରିତମାନେ ଆହୁରି ଅନେକ ମଣ୍ଡଳୀ ଗଠନ କଲେ ଯାହାଦ୍ୱାରା ସେମାନେ ଶିଷ୍ୟମାନଙ୍କୁ ସେହି କଥାଗୁଡ଼ିକ ଶିଖାଇପାରିବେ ଯାହା ଯୀଶୁ ସେମାନଙ୍କୁ ଶିଖାଇବା ପାଇଁ ଆଜ୍ଞା ଦେଇଥିଲେ ।
“ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ ।”—ରୋମୀୟ ୧୦:୯