ବାଇବଲ—ସତ୍ୟ ଜାଣିବାର ଭରସାଯୋଗ୍ୟ ଜରିଆ
ଅଲଗା ଅଲଗା ଜାତି ଏବଂ ସଂସ୍କୃତିର ଲୋକମାନେ ଶହ ଶହ ବର୍ଷରୁ ଏହା ମାନନ୍ତି ଯେ ସତ୍ୟ ଜାଣିବା ପାଇଁ ବାଇବଲ ଉପରେ ଭରସା କରାଯାଇପାରିବ । ଆଜି ଲକ୍ଷ ଲକ୍ଷ ଲୋକ ଏହାର ଶିକ୍ଷାଗୁଡ଼ିକୁ ମାନନ୍ତି । କିନ୍ତୁ ଅନ୍ୟପଟେ ଆଉ କିଛି ଲୋକ ବାଇବଲକୁ ବେକାର କିମ୍ବା କଥା କାହାଣୀର ବହି ଭାବି ଏହା ଉପରେ ଧ୍ୟାନ ଦିଅନ୍ତି ନାହିଁ । ଆପଣ ଏବିଷୟରେ କʼଣ ଭାବନ୍ତି ? କʼଣ ଆପଣଙ୍କୁ ବାଇବଲରୁ ସତ୍ୟ ମିଳିପାରିବ ?
ଆପଣ ବାଇବଲ ଉପରେ କାହିଁକି ଭରସା କରିପାରିବେ ?
ଆପଣ ଏକଥାର ପୂରା ଭରସା ରଖିପାରିବେ, ଯେ ବାଇବଲ ଆପଣଙ୍କ ଭରସାକୁ ଭାଙ୍ଗିବ ନାହିଁ । ଉଦାହରଣ ପାଇଁ ଯଦି ଅନେକ ବର୍ଷରୁ ଆପଣଙ୍କ ସାଙ୍ଗ ଆପଣଙ୍କୁ ସତ କହି ଆସିଛି, ତେବେ ଆପଣ ସବୁବେଳେ ତାʼଉପରେ ଭରସା କରିବେ ଏବଂ କେବେ ସନ୍ଦେହ କରିବେ ନାହିଁ । ଭରସାଯୋଗ୍ୟ ସାଙ୍ଗ ଭଳି ବାଇବଲ ମଧ୍ୟ ସବୁବେଳେ ସତ କହିଛି । ଆସନ୍ତୁ କିଛି ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦେବା ।
ସଚ୍ଚୋଟ ଲେଖକ
ବାଇବଲର ଲେଖକମାନେ ସଚ୍ଚୋଟ ଥିଲେ, ତେଣୁ ସେମାନେ ନିଜ ଦୁର୍ବଳତାଗୁଡ଼ିକୁ ଲୁଚାଇଲେନି । ଉଦାହରଣ ପାଇଁ, ଭବିଷ୍ୟଦ୍ବକ୍ତା ଯୂନସ ବାଇବଲରେ ଲେଖିଲେ ଯେ ସେ ଈଶ୍ୱରଙ୍କ କଥାକୁ ମାନିଲେନି । (ଯୂନସ ୧:୧-୩) ନିଜ ବହିର ଶେଷରେ ସେ ଲେଖିଲେ ଯେ ଈଶ୍ୱର ତାଙ୍କ ଚିନ୍ତାଧାରା ସୁଧାରିଲେ । କିନ୍ତୁ ଯୂନସ ଏହା ଲେଖିଲେ ନାହିଁ ଯେ ସେ ନିଜ ସ୍ୱଭାବକୁ କିପରି ବଦଳାଇଲେ, କାରଣ ଏପରି କରିଥିଲେ ଲୋକଙ୍କ ଧ୍ୟାନ ତାଙ୍କ ଆଡ଼କୁ ଆସିଥାʼନ୍ତା । (ଯୂନସ ୪:୧, ୪, ୧୦, ୧୧) ବାଇବଲର ଲେଖକମାନେ ପ୍ରତ୍ୟେକ କଥାକୁ ସତ ସତ ଲେଖିବା ପାଇଁ ଚାହୁଁଥିଲେ ତେଣୁ ସେମାନେ ସବୁ କଥାକୁ ପୂରା ସଚ୍ଚୋଟତାର ସହ ଲେଖିଲେ ।
ଲାଭଦାୟକ ସତ
କʼଣ ଜୀବନର ମାମଲାଗୁଡ଼ିକରେ ବାଇବଲର ପରାମର୍ଶ ସବୁବେଳେ ଲାଭଦାୟକ ହୋଇଥାଏ ? ହଁ । ଉଦାହରଣ ପାଇଁ, ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ବିଷୟରେ ବାଇବଲ କହେ, “ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହିସବୁ କର ।” (ମାଥିଉ ୭:୧୨) “କୋମଳ ଉତ୍ତର କ୍ରୋଧକୁ ଦମନ କରେ; ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ ।” (ହିତୋପଦେଶ ୧୫:୧) ସତରେ, ଆଜି ବି ବାଇବଲର ସତ୍ୟଗୁଡ଼ିକ ସେତିକି ଲାଭଦାୟକ ଅଟେ, ଯେତେ ଆଗରୁ ଥିଲା ।
ଇତିହାସ ଅନୁସାରେ ସତ
ପ୍ରାଚୀନ ଧ୍ୱଂସାବଶେଷର ଗବେଷଣାକାରୀମାନଙ୍କ ଅନୁସନ୍ଧାନରୁ ଏପରି ଲୋକମାନଙ୍କ ଏବଂ ଜାଗାଗୁଡ଼ିକ ବିଷୟରେ ସତ୍ୟତା ପ୍ରମାଣିତ ହୋଇଛି, ଯାହା ବିଷୟରେ ବାଇବଲରେ ଲେଖା ଯାଇଥିଲା । ଉଦାହରଣ ପାଇଁ ବାଇବଲରେ ଦିଆଯାଇଥିବା ଗୋଟିଏ ଛୋଟ ତଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ସେଥିରେ କୁହାଯାଇଛି ଯେ ନିହିମୀୟାଙ୍କ ସମୟରେ ଯିରୂଶାଲମରେ ରହୁଥିବା ସୋରୀୟ ଅର୍ଥାତ୍ ଫୈନୀକିଆର ଲୋକମାନେ “ମତ୍ସ୍ୟ ଓ ସର୍ବପ୍ରକାର ବିକ୍ରେୟ ଦ୍ରବ୍ୟ” ସହରକୁ ଆଣୁଥିଲେ ।—ନିହିମୀୟା ୧୩:୧୬.
କʼଣ ଏପରି କିଛି ପ୍ରମାଣ ରହିଛି ଯେଉଁଥିରୁ ଜଣାପଡ଼େ ଯେ ବାଇବଲର ଏହି ପଦ ସତ ଅଟେ ? ହଁ । ପ୍ରାଚୀନ ଧ୍ୱଂସାବଶେଷର ଗବେଷଣାକାରୀମାନଙ୍କ ଅନୁସନ୍ଧାନ ସମୟରେ ଇସ୍ରାଏଲରେ ଫୈନୀକିଆର ଜିନିଷଗୁଡ଼ିକ ମିଳିଛି । ଏଥିରୁ ଜଣାପଡ଼େ ଯେ ଉଭୟ ସହର ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଥିଲା । ଏହା ଛଡ଼ା ଯିରୂଶାଲମରେ ଭୂମଧ୍ୟ ସାଗରର ମାଛଗୁଡ଼ିକ ମିଳିଥିବାର ପ୍ରମାଣ ମିଳିଛି । ପ୍ରାଚୀନ ଧ୍ୱଂସାବଶେଷର ଗବେଷଣାକାରୀମାନେ ମାନନ୍ତି ଯେ ବ୍ୟବସାୟୀମାନେ ଦୂରଦୂରାନ୍ତ ସମୁଦ୍ର ଅଞ୍ଚଳରୁ ଏହି ମାଛଗୁଡ଼ିକୁ ଆଣୁଥିଲେ । ସବୁ ପ୍ରମାଣଗୁଡ଼ିକ ଉପରେ ଯାଞ୍ଚ କଲା ପରେ ଜଣେ ବିଦ୍ୱାନ କହନ୍ତି, “ନିହିମୀୟା ୧୩:୧୬ ପଦରେ ଲେଖାଥିବା କଥା ବିଲକୁଲ୍ ସତ ଅଟେ ଯେ ସୋରୀୟ ଲୋକେ ଯିରୂଶାଲମରେ ମାଛ ବିକୁଥିଲେ ।”
ବିଜ୍ଞାନ ଅନୁସାରେ ସତ
ବାଇବଲ ପ୍ରକୃତରେ ଧାର୍ମିକ ଏବଂ ଐତିହାସିକ ବହି ଅଟେ । କିନ୍ତୁ ଏହା ବିଜ୍ଞାନ ସହ ଜଡ଼ିତ କଥାଗୁଡ଼ିକ ବିଷୟରେ ମଧ୍ୟ ପୂରାପୂରି ସଠିକ୍ ତଥ୍ୟ ଦେଇଥାଏ । ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ ।
ପ୍ରାୟ ୩,୫୦୦ ବର୍ଷ ପୂର୍ବେ ବାଇବଲରେ ଆୟୁବ ନାମକ ବହିରେ ଲେଖା ଯାଇଥିଲା ଯେ ପୃଥିବୀ ‘ଅବସ୍ତୁ ଉପରେ ଝୁଲୁଛି ।’ (ଆୟୁବ ୨୬:୭) ଏହା ସେହି କଥା କାହାଣୀଗୁଡ଼ିକରୁ ପୂରାପୂରି ଅଲଗା, ଯେଉଁଥିରେ କୁହାଯାଏ ଯେ ପୃଥିବୀ ପାଣି ଉପରେ ଭାସୁଛି କିମ୍ବା ଗୋଟିଏ ବିଶାଳ କଇଁଛ ଉପରେ ଅଛି । ଆୟୁବ ବହିର ଲେଖା ଶେଷ ହେବାର ୧,୧୦୦ ବର୍ଷ ପରେ ବି ଲୋକମାନେ ଏହା ମାନୁଥିଲେ ଯେ ପୃଥିବୀ ନିଶ୍ଚୟ କୌଣସି ନା କୌଣସି ଜିନିଷ ଉପରେ ଅଛି, ଆଉ ଏହା ବିନା କୌଣସି ଜିନିଷ ସାହାଯ୍ୟରେ ଝୁଲିପାରିବନି । ଆଜିଠୁ ପ୍ରାୟ ୩୦୦ ବର୍ଷ ପୂର୍ବେ ଅର୍ଥାତ୍ ୧୬୮୭ରେ ଆଇଜାକ ନିଉଟନ ମାଧ୍ୟାକର୍ଷଣ ବଳ ବିଷୟରେ କିଛି ତଥ୍ୟଗୁଡ଼ିକୁ ପ୍ରକାଶିତ କଲେ । ସେଥିରେ ସେ କହିଲେ ଯେ ପୃଥିବୀ ନିଜ କକ୍ଷରେ ଅଦୃଶ୍ୟ ବଳ ସାହାଯ୍ୟରେ ଝୁଲିଛି । ଏହି ଅନୁସନ୍ଧାନ ଏକଥାକୁ ପୂରାପୂରି ପ୍ରମାଣିତ କରିଦିଏ ଯେ ବାଇବଲରେ ୩,୦୦୦ ବର୍ଷ ପୂର୍ବେ ଯାହା ଲେଖା ଯାଇଥିଲା ତାହା ପୂରାପୂରି ସତ ଅଟେ ।
ଭବିଷ୍ୟତବାଣୀ ଅନୁସାରେ ସତ
ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କେତେ ସତ ଅଟେ, ତାହା ଜାଣିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ: ବାବିଲର ବିନାଶ ବିଷୟରେ କରାଯାଇଥିବା ଯିଶାଇୟଙ୍କ ଭବିଷ୍ୟତବାଣୀ ।
ଭବିଷ୍ୟତବାଣୀ: ବାବିଲ ଭବିଷ୍ୟତରେ ଗୋଟିଏ ଶକ୍ତିଶାଳୀ ସାମ୍ରାଜ୍ୟର ରାଜଧାନୀ ହେବାକୁ ଯାଉଥିଲା । କିନ୍ତୁ ତାʼ ବିଷୟରେ ଖ୍ରୀଷ୍ଟ ପୂର୍ବ ଅଷ୍ଟମ ଶତାବ୍ଦୀରେ, ବାଇବଲର ଜଣେ ଲେଖକ ଯିଶାଇୟ ଭବିଷ୍ୟତବାଣୀ କଲେ ଯେ ସେହି ସହରକୁ ଧ୍ୱଂସ କରିଦିଆଯିବ ଏବଂ ପୁଣି କେହି ସେଥିରେ ବାସ କରିବେ ନାହିଁ । (ଯିଶାଇୟ ୧୩:୧୭-୨୦) ଯିଶାଇୟ ଏହା ବି କହିଲେ ଯେ ଏହି କାମକୁ କୋରସ୍ ନାମକ ଜଣେ ବ୍ୟକ୍ତି କରିବେ । କୋରସ୍ ଏହାକୁ କିପରି କରିବେ ? ଯିଶାଇୟ କହିଲେ ଯେ ସେ ନଦୀକୁ “ଶୁଷ୍କ” କରିଦେବେ ଏବଂ ସହରର ଫାଟକ ମଧ୍ୟ ଖୋଲା ରହିବ ।—ଯିଶାଇୟ ୪୪:୨୭–୪୫:୧.
ପୂରା ହେଲା: ଯିଶାଇୟଙ୍କ ଭବିଷ୍ୟତବାଣୀର ପ୍ରାୟ ୨୦୦ ବର୍ଷ ପରେ ପାରସ୍ୟର ରାଜା ବାବିଲ ଉପରେ ଆକ୍ରମଣ କଲା । ତାଙ୍କ ନାମ କʼଣ ଥିଲା ? କୋରସ୍ । ବାବିଲ ବହୁତ ମଜବୁତ୍ ସହର ଥିଲା ଯାହାକୁ ଜିତିବା ବହୁତ କଠିନ ଥିଲା । ତେଣୁ କୋରସ୍ ଭାବିଲେ ଯେ ଫରାତ୍ ନଦୀର ପାଣୀକୁ କମ୍ କରି ବାବିଲ ସହରକୁ ପହଞ୍ଚିପାରିବା । ଏହି ନଦୀ ସହର ମଧ୍ୟ ଦେଇ ପ୍ରବାହିତ ହେଉଥିଲା । ତାଙ୍କ ଲୋକମାନେ ନଦୀର ପାଣିକୁ କମ୍ କରିବା ପାଇଁ ଗୋଟିଏ କେନାଲ ଖୋଳିଲେ ଏବଂ ପାଣିର ଦିଗକୁ ସନ୍ତସନ୍ତିଆ ଜମି ଆଡ଼କୁ ମୋଡ଼ି ଦେଲେ । ଏଥିରୁ ନଦୀର ପାଣି ବହୁତ ମାତ୍ରାରେ କମ୍ ହୋଇଗଲା ଏବଂ କୋରସ୍ର ସେନା ଜଙ୍ଘ ଯାଏ ଥିବା ପାଣିରେ ଚାଲି ସହର ନିକଟକୁ ପହଞ୍ଚିଗଲା । ଆଉ ଆଶ୍ଚର୍ଯ୍ୟର କଥା ବାବିଲର ଲୋକମାନେ ନଦୀ ଆଡ଼କୁ ଥିବା ଫାଟକକୁ ଖୋଲା ଛାଡ଼ି ଦେଇଥିଲେ । କୋରସ୍ର ସେନା ଖୋଲା ଫାଟକଗୁଡ଼ିକ ମଧ୍ୟ ଦେଇ ବାବିଲ ଭିତରକୁ ପଶିଗଲା ଏବଂ ଏହାକୁ ଧ୍ୱଂସ କରିଦେଲା ।
ଭବିଷ୍ୟତବାଣୀର ଆଉ ଗୋଟିଏ କଥା ମଧ୍ୟ ପୂରା ହେବାର ଥିଲା । ଆଉ ତାହା ଥିଲା ଯେ ବାବିଲରେ ପୁଣିଥରେ ବସତି ସ୍ଥାପନ ହେବ ନାହିଁ । କʼଣ ଏହି କଥା ବି ସତ ପ୍ରମାଣିତ ହେଲା ? କିଛି ବର୍ଷ ଯାଏ ତ ଲୋକମାନେ ସେଇଠି ରହିଲେ । କିନ୍ତୁ ପରେ ତାହା ଧ୍ୱଂସ ହୋଇଗଲା, ଯାହା ଆଜି ବାଗ୍ଦାଦ୍ ପାଖରେ ଇରାକ୍ରେ ଦେଖା ଯାଇପାରିବ । ଏହି ଧ୍ୱଂସାବଶେଷ ଏକଥାର ପ୍ରମାଣ ଦିଏ ଯେ ଏହି ଭବିଷ୍ୟତବାଣୀର ଗୋଟେ ଗୋଟେ କଥା ପୂରାପୂରି ଭାବେ ସତ ହେଲା । ସତରେ, ଯେବେ ବାଇବଲ ଭବିଷ୍ୟତ ବିଷୟରେ କିଛି କହେ, ତେବେ ଏହା ଉପରେ ଭରସା କରାଯାଇପାରିବ ।