ଅଧ୍ୟୟନ ଲେଖା ୨୬
ଯିହୋବାଙ୍କ ପ୍ରେମ, କରେ ଡରକୁ କାବୁ !
‘ଯିହୋବା ମୋହର ସପକ୍ଷ; ମୁଁ ଭୟ କରିବି ନାହିଁ ।’—ଗୀତ. ୧୧୮:୬.
ଗୀତ ୧୦୫ “ପାରମେଶ୍ୱର କା ପ୍ୟାର”
ଲେଖାର ଝଲକa
୧. କିଛି ଭାଇଭଉଣୀମାନେ କେଉଁ କଥାକୁ ନେଇ ଡରୁଥିଲେ ?
କିଛି ଭାଇଭଉଣୀମାନଙ୍କ ଉପରେ ଧ୍ୟାନ ଦିଅନ୍ତୁ, ଯେଉଁମାନେ କିଛି ନା କିଛି କଥାକୁ ନେଇ ଡରୁଥିଲେ । ନେଷ୍ଟର ଓ ତାʼର ସ୍ତ୍ରୀ ମାରିୟା ଏପରି ଜାଗାକୁ ଯାଇ ପ୍ରଚାର କରିବା ପାଇଁ ଚାହୁଁଥିଲେ, ଯେଉଁଠି ପ୍ରଚାରକଙ୍କ ବେଶି ଆବଶ୍ୟକତା ଅଛି ।b କିନ୍ତୁ ତାʼ ପାଇଁ ସେମାନଙ୍କୁ ଅନେକ ପରିବର୍ତ୍ତନ କରିବାକୁ ପଡ଼ନ୍ତା ଏବଂ କମ୍ ପଇସାରେ ଚଳିବାକୁ ପଡ଼ନ୍ତା । ସେଥିପାଇଁ ସେମାନେ ଡରୁଥିଲେ ଯେ ସେମାନେ ଏପରି ଜୀଇଁଲେ ଖୁସିରେ ରହିପାରିବେ ନାହିଁ । ବିନିୟମ ଏକ ଏପରି ଦେଶରେ ରହୁଥିଲେ ଯେଉଁଠି ଆମ କାମକୁ ବିରୋଧ କରାଯାଏ । ଯେବେ ସେ ସାକ୍ଷୀ ହେଲେ ତାଙ୍କୁ ଡର ଥିଲା ଯେ ଦିନେ ତାଙ୍କ ଉପରେ ବି ଅତ୍ୟାଚାର କରାଯିବ । ତାʼଠୁ ବି ବେଶି ଡର ତାଙ୍କୁ ଏହି କଥା ପାଇଁ ଥିଲା ଯେ ଯେତେବେଳେ ତାଙ୍କ ଘର ଲୋକଙ୍କୁ ଜଣାପଡ଼ିବ ଯେ ସେ ସାକ୍ଷୀ ହୋଇଯାଇଛନ୍ତି, ତେବେ ସେମାନେ କʼଣ କହିବେ । ୱେଲେରିକୁ କ୍ୟାନସର ହୋଇଯାଇଥିଲା ଆଉ ତାʼର ଶରୀରରେ ତାହା ଖୁବ୍ ଶୀଘ୍ର ବ୍ୟାପିଯାଉଥିଲା । ସେ ଏପରି ଡାକ୍ତରଙ୍କୁ ଖୋଜିବା ପାଇଁ ବହୁତ ଚେଷ୍ଟା କରୁଥିଲେ ଯିଏ ବିନା ରକ୍ତରେ ତାଙ୍କର ଚିକିତ୍ସା କରିବେ । ତାଙ୍କୁ ଡର ଥିଲା ଯେ ସେ ଏବେ ବେଶି ଦିନ ଯାଏ ବଞ୍ଚିପାରିବେ ନାହିଁ ।
୨. ଆମକୁ ନିଜ ଡର ଉପରେ କାହିଁକି କାବୁ କରିବା ଉଚିତ୍ ?
୨ ଆମ ମଧ୍ୟରୁ ଅନେକ ଲୋକ ଏପରି ପରିସ୍ଥିତିର ସାମନା କରୁ ଆଉ ଆମକୁ ଡର ଲାଗେ । କିନ୍ତୁ ଯଦି ଆମେ ଏହି ଡରକୁ ସାମନା କରିବା ନାହିଁ, ତେବେ ଆମେ ଭୁଲ ନିଷ୍ପତ୍ତି ନେଇପାରୁ । ତାଙ୍କ ସହିତ ଆମ ସମ୍ପର୍କ ଖରାପ ହୋଇପାରେ । ଶୟତାନ ବି ଏପରି ହିଁ ଚାହେଁ । ସେ ଏହା ବି ଚାହେଁ ଯେ ଆମେ ଡର ଯୋଗୁଁ ପ୍ରଚାର କରିବା ଛାଡ଼ିଦେଉ । ଆଉ ଯିହୋବାଙ୍କ ଅନ୍ୟ ଆଜ୍ଞାଗୁଡ଼ିକୁ ବି ମାନିବା ଛାଡ଼ିଦେଉ । (ପ୍ରକା. ୧୨:୧୭) ସେ ବହୁତ ଦୁଷ୍ଟ ଆଉ ବହୁତ ଶକ୍ତିଶାଳୀ ଅଟେ । ହେଲେ ବି ଆମେ ତାʼ ଫାନ୍ଦରେ ପଡ଼ିବାରୁ ରକ୍ଷା ପାଇପାରିବା । ତାହା କିପରି ?
୩. ଆମେ ନିଜ ଡର ଉପରେ କିପରି କାବୁ କରିପାରିବା ?
୩ ଆମକୁ ପୂରା ଭରସା ରଖିବା ଉଚିତ୍ ଯେ ଯିହୋବା ଆମକୁ ପ୍ରେମ କରନ୍ତି ଏବଂ ସେ ସବୁବେଳେ ଆମର ସାହାଯ୍ୟ କରିବେ । ଯଦି ଆମେ ଏପରି କରୁ, ତେବେ ଆମେ ଶୟତାନର ଫାନ୍ଦରେ ପଡ଼ିବା ନାହିଁ ଏବଂ ଡରିବା ନାହିଁ । (ଗୀତ. ୧୧୮:୬) ଗୀତସଂହିତା ୧୧୮ର ଲେଖକଙ୍କ ବିଷୟରେ ଭାବନ୍ତୁ । ସେ ଅନେକ ସମସ୍ୟାର ସାମନା କରୁଥିଲେ । ତାଙ୍କ ଅନେକ ଶତ୍ରୁ ଥିଲେ ଆଉ ସେ ମଧ୍ୟରୁ କିଛି ବଡ଼ ବଡ଼ ଲୋକ ଥିଲେ (ପଦ ୯, ୧୦) । ସେ ବହୁତ ଚିନ୍ତିତ ଥିଲେ (ପଦ ୧୩) ଆଉ ଥରେ ଯିହୋବା ତାଙ୍କୁ ତାଡ଼ନା ମଧ୍ୟ ଦେଲେ (ପଦ ୧୮) । କିନ୍ତୁ ସେ ଜାଣୁଥିଲେ ଯେ ଯିହୋବା ତାଙ୍କୁ ପ୍ରେମ କରନ୍ତି ଆଉ ସେ କେବେ ବି ତାଙ୍କୁ ଛାଡ଼ିବେନି, ସେଥିପାଇଁ ସେ କହିଲେ, “ମୁଁ ଭୟ କରିବି ନାହିଁ ।” ତାଙ୍କୁ ପୂରା ଭରସା ଥିଲା ଯେ ଯାହା ବି ହେଉ ନା କାହିଁକି ଯିହୋବା ସବୁବେଳେ ତାʼର ସାହାଯ୍ୟ କରିବେ ।—ଗୀତ. ୧୧୮:୨୯.
୪. ଯେବେ ଆମକୁ ଭରସା ହେବ ଯେ ଯିହୋବା ଆମକୁ ପ୍ରେମ କରନ୍ତି, ତେବେ ଆମେ କେଉଁ କଥାଗୁଡ଼ିକୁ ଭାବି ଡରିବା ନାହିଁ ?
୪ ଯିହୋବା ଆମ ସମସ୍ତଙ୍କୁ ପ୍ରେମ କରନ୍ତି । ଯଦି ଆମକୁ ଏହି କଥା ଉପରେ ପୂରା ଭରସା ଥିବ, ତେବେ ଆମେ ଡର ଉପରେ କାବୁ କରିପାରିବା । ଆମେ ନିଜ ପରିବାରର ଆବଶ୍ୟକତା ବିଷୟରେ ଭାବି ଡରିବା ନାହିଁ, ଅନ୍ୟ ଲୋକମାନଙ୍କୁ ଡରିବା ନାହିଁ, ଆଉ ଆମେ ମୃତ୍ୟୁକୁ ବି ଡରିବା ନାହିଁ । ଯେଉଁ ଭାଇଭଉଣୀମାନଙ୍କ ବିଷୟରେ ଆମେ ଆରମ୍ଭରେ କଥା ହୋଇଥିଲୁ, ସେମାନଙ୍କୁ ବି ଏହି କଥା ଉପରେ ଭରସା ଥିଲା ଯେ ଯିହୋବା ସେମାନଙ୍କୁ ପ୍ରେମ କରନ୍ତି । ଏହି କାରଣରୁ ସେମାନେ ନିଜ ଡର ଉପରେ କାବୁ କରିପାରିଲେ ।
ପରିବାରର ଆବଶ୍ୟକତାଗୁଡ଼ିକୁ ଭାବି
ଜଣେ ଭାଇ ନିଜ ପରିବାରର ଆବଶ୍ୟକତା ପୂରା କରିବା ପାଇଁ ମାଛ ଧରୁଛନ୍ତି ଓ ତାଙ୍କ ପୁଅ ତାଙ୍କୁ ସାହାଯ୍ୟ କରୁଛନ୍ତି (ପାରାଗ୍ରାଫ ୫)
୫. ଜଣେ ମୁଖିଆକୁ କେଉଁ କଥାଗୁଡ଼ିକର ଚିନ୍ତା ଲାଗିପାରେ ? (ବାହାରେ ଥିବା ଚିତ୍ର ଦେଖନ୍ତୁ ।)
୫ ଯିହୋବା ଚାହାନ୍ତି ଯେ ଜଣେ ମୁଖିଆ ନିଜ ପରିବାରର ଭଲଭାବେ ଦେଖାଶୁଣା କରୁ । (୧ ତୀମ. ୫:୮) ହୁଏତ ଏହି ମହାମାରୀ ସମୟରେ ଆପଣଙ୍କୁ ଏହି ବିଷୟରେ ଚିନ୍ତା ଲାଗିଥିବ ଯେ ମୋ ଚାକିରି ତ ଚାଲିଯିବନି । ହୁଏତ ଆପଣ ଭାବିଥିବେ, ଯଦି ଏହି ଚାକିରି ଚାଲିଯାଏ ହେଲେ ଜଣାନାହିଁ କʼଣ ହେବେ ? ଅନ୍ୟ ଚାକିରି ମିଳିବ ନା ନାହିଁ ? ଘରର ଆବଶ୍ୟକତା କିପରି ପୂରା କରିବି ? ଘରର କିସ୍ତି କିପରି ଦେବି ? କିମ୍ବା ଘରଭଡ଼ା କିପରି ଦେବା ? କିମ୍ବା ହୁଏତ ଏଷ୍ଟର ଓ ମାରିୟାଙ୍କ ଭଳି ଆପଣ ବି ଯିହୋବାଙ୍କ ସେବା ଅଧିକ କରିବା ପାଇଁ ଚାହାନ୍ତି କିନ୍ତୁ ଆପଣଙ୍କୁ ଡର ଲାଗୁଥିବ ଯେ ଆପଣ କମ୍ ପଇସାରେ ଚଳିପାରିବେନି । ଦୁଃଖର କଥା ଯେ ଶୟତାନ ଏହି ଡରର ଲାଭ ଉଠାଉଛି । ଏହା ଯୋଗୁଁ ଅନେକ ଭାଇଭଉଣୀ ଯିହୋବାଙ୍କ ସେବା ଉତ୍ସାହର ସହ କରିପାରୁ ନାହାନ୍ତି ।
୬. ଶୟତାନ ଆମ ମନରେ କʼଣ ପଶାଇବାକୁ ଚାହେଁ ?
୬ ଶୟତାନ ଚାହେଁ ଆମେ ଏହା ଭାବୁ ଯେ ଯିହୋବା ଆମର ଚିନ୍ତା କରନ୍ତିନି । ଆଉ ସେ ଆମ ପରିବାରର ଆବଶ୍ୟକତା ପୂରା କରିବେ ନାହିଁ, ଯାହା କରିବାର ଅଛି ଆମକୁ ହିଁ କରିବାକୁ ପଡ଼ିବ । ତେଣୁ ଆମକୁ ଲାଗିପାରେ ଆମ ଚାକିରି ହିଁ ସବୁକିଛି । ଆଉ ଆମକୁ ଏହାକୁ ଯେକୌଣସି ପରିସ୍ଥିତିରେ ବି ହାତଛଡ଼ା କରିବା ଉଚିତ୍ ନୁହେଁ । ତାʼ ପାଇଁ ଯଦିଓ ଆମକୁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଅଣଦେଖା କରିବାକୁ ପଡ଼ୁ ନା କାହିଁକି ।
୭. ଯୀଶୁ ଆମକୁ କେଉଁ କଥାର ଭରସା ଦେଇଛନ୍ତି ?
୭ ଯୀଶୁ ଯିହୋବାଙ୍କୁ ସବୁଠୁ ଭଲଭାବେ ଜାଣନ୍ତି ଓ ସେ ଆମକୁ ଭରସା ଦେଇଛନ୍ତି ଯେ ଯିହୋବା ‘ଆମମାନଙ୍କର କʼଣ ପ୍ରୟୋଜନ, ମାଗିବା ପୂର୍ବରୁ ତାହା ଜାଣନ୍ତି ।’ (ମାଥି. ୬:୮) ଯୀଶୁକୁ ପୂରା ଭରସା ଥିଲା ଯେ ଯିହୋବା ନିଜ ସେବକମାନଙ୍କ ଆବଶ୍ୟକତା ପୂରା କରିବେ । ଆମେ ସମସ୍ତେ ଯିହେବାଙ୍କ ପରିବାରର ଭାଗ ଅଟୁ ଓ ସେ ଆମ ପରିବାରର ମୁଖିଆ ଅଟନ୍ତି । ଯଦି ସେ ଚାହାନ୍ତି ଯେ ପରିବାରର ମୁଖିଆ ୧ ତୀମଥି ୫:୮ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ ମାନନ୍ତୁ, ତେବେ ଆମେ ଭରସା ରଖିପାରିବା ଯେ ସେ ନିଜେ ବି ଏହି ସିଦ୍ଧାନ୍ତକୁ ମାନିବେ ।
ଯିହୋବା ଏକଥାର ଧ୍ୟାନ ରଖିବେ ଯେ ଆମ ଆବଶ୍ୟକତାଗୁଡ଼ିକ ପୂରା ହେଉ । ହୁଏତ ସେ ଭାଇଭଉଣୀମାନଙ୍କ ଜରିଆରେ ଆମକୁ ସାହାଯ୍ୟ କରିବେ (ପାରାଗ୍ରାଫ ୮)d
୮. (କ) ଯଦି ଆମକୁ ପରିବାରର ଆବଶ୍ୟକତା ବିଷୟରେ ଭାବି ଚିନ୍ତା ଲାଗୁଛି ହେଲେ ଆମେ କʼଣ ମନେ ରଖିପାରିବା ? (ମାଥିଉ ୬:୩୧-୩୩) (ଖ) ଏହି ପାରାଗ୍ରାଫ ସହିତ ଚିତ୍ରରେ ଦିଆଯାଇଥିବା ସ୍ୱାମୀ ସ୍ତ୍ରୀଙ୍କଠାରୁ ଆମେ କʼଣ ଶିଖିପାରିବା ?
୮ ଯେବେ ଆମକୁ ଭରସା ହେବ ଯେ ଯିହୋବା ଆମକୁ ଓ ଆମ ପରିବାରକୁ ପ୍ରେମ କରନ୍ତି, ତେବେ ଆମେ ଏହା ଭାବି ଡରିବା ନାହିଁ ଯେ ଆମ ପରିବାରର ଆବଶ୍ୟକତା କିପରି ପୂରା ହେବ । (ମାଥିଉ ୬:୩୧-୩୩ ପଢ଼ନ୍ତୁ ।) ଯେବେ ସେ ପୃଥିବୀକୁ ସୃଷ୍ଟି କଲେ, ତେବେ ସେ କେବଳ କିଛି ଜିନିଷ ତିଆରି କଲେନି ବରଂ ବହୁତ କିଛି ତିଆରି କଲେ, ଯାହାଫଳରେ ଆମେ ଜୀବନର ପୂରା ପୂରା ମଜା ନେବା । (ଆଦି. ୨:୯) ଏଥିରୁ ଜଣାପଡ଼େ ଯେ ଯିହୋବା କେବଳ ଆମର ଆବଶ୍ୟକତା ପୂରା କରନ୍ତି ନାହିଁ, ବରଂ ଆମକୁ ବହୁତ ପ୍ରେମ ବି କରନ୍ତି । ହୁଏତ ଆମ ପାଖରେ ବହୁତ କିଛି ନ ଥିବ କିନ୍ତୁ ଆମେ ଧ୍ୟାନ ଦେଇପାରିବା ଯେ ଆମକୁ ଚଳିବା ପାଇଁ ଯେତେ ଦରକାର ସେତେ ଜିନିଷ ଆମ ପାଖରେ ଅଛି । ଆଉ ଯିହୋବା ଆମ ଆବଶ୍ୟକତା ପୂରା କରିଛନ୍ତି । (ମାଥି. ୬:୧୧) ଯଦିଓ ଆମକୁ କିଛି ତ୍ୟାଗ କରିବାକୁ ପଡ଼େ, କିନ୍ତୁ ତାʼ ବଦଳରେ ଯିହୋବା ଆମକୁ ବହୁତ କିଛି ଦେବେ, ଆଜି ଓ ଭବିଷ୍ୟତରେ ବି । ନେଷ୍ଟର ଓ ମାରିୟା ବି ଏହା ଅନୁଭବ କଲେ ।—ଯିଶା. ୬୫:୨୧, ୨୨.
୯. ନେଷ୍ଟର ଓ ମାରିୟାଙ୍କଠାରୁ ଆପଣ କ‘ଣ ଶିଖିପାରିବେ ?
୯ ନେଷ୍ଟର ଏବଂ ମାରିୟା କୋଲମ୍ବିୟାରେ ରହନ୍ତି । ସେମାନଙ୍କ ଏକ ଭଲ ଘର ଥିଲା ଏବଂ ଭଲ ଚାକିରି ମଧ୍ୟ ଥିଲା । ସେମାନେ କହନ୍ତି, “ଆମେ ଭାବୁଥିଲୁ ଯେ ଆମେ ନିଜ କିଛି ଜିନିଷକୁ ବିକି ଦେବା ଏବଂ ଏପରି ଜାଗାରେ ଯାଇ ପ୍ରଚାର ସେବା କରିବା, ଯେଉଁଠି ପ୍ରଚାରକଙ୍କ ବେଶି ଆବଶ୍ୟକତା ଅଛି । କିନ୍ତୁ ଆମେ ଏହା ଭାବିକି ଡରୁଥିଲୁ ଯେ କମ୍ ପଇସାରେ ଚଳିବା କଷ୍ଟ ହେବ ଏବଂ ଆମେ ଖୁସିରେ ରହିପାରିବାନି ।” କିନ୍ତୁ ତାʼପରେ ସେମାନେ ଭାବିଲେ ଯେ ଆଜି ଯାଏ ଯିହୋବା ସେମାନଙ୍କ ପାଇଁ କ‘ଣ କ‘ଣ କରିଛନ୍ତି ଆଉ ସେ ସେମାନଙ୍କୁ କେତେ ପ୍ରେମ କରନ୍ତି । ଏପରି ଭାବେ ସେମାନେ ଡର ଉପରେ କାବୁ କରିପାରିଲେ । ସେମାନଙ୍କୁ ଭରସା ହୋଇଗଲା ଯେ ଯିହୋବା ସେମାନଙ୍କ ପ୍ରତ୍ୟେକ ଆବଶ୍ୟକତାକୁ ପୂରା କରିବେ । ସେଥିପାଇଁ ସେମାନେ ନିଜ ଚାକିରି ଛାଡ଼ିଦେଲେ । ନିଜ ଘର ବିକ୍ରି କରିଦେଲେ ଆଉ କଲମ୍ୱିଆରେ ହିଁ ଯେଉଁ ଜାଗାରେ ପ୍ରଚାରକଙ୍କ ବେଶୀ ଆବଶ୍ୟକତା ଥିଲା ସେ ଜାଗାରେ ଯାଇ ସେବା କରିବାକୁ ଲାଗିଲେ । ନେଷ୍ଟର ନିଜ ନିଷ୍ପତ୍ତି ବିଷୟରେ କହନ୍ତି, “ଆମେ ନିଜେ ଅନୁଭବ କଲୁ ଯେ ମାଥିଉ ୬:୩୩ ପଦରେ ଲେଖାଥିବା କଥା ସତ ଅଟେ । ଆମକୁ କେବେ ବି କିଛି ଜିନିଷର ଅଭାବ ହେଲା ନାହିଁ । ଆମେ ଦୁଇ ଜଣ ଆଗ ଅପେକ୍ଷା ବେଶି ଖୁସିରେ ଅଛୁ ।”
ଅନ୍ୟ ଲୋକମାନଙ୍କ ବିଷୟରେ ଭାବି
୧୦. ମଣିଷ ମଣିଷକୁ କାହିଁକି ଡରେ ?
୧୦ ଯେବେଠୁ ଆଦମ ଓ ହବା ବିଦ୍ରୋହ କଲେ, ତେବେଠୁ ମଣିଷ ଏକଅନ୍ୟ ଉପରେ ଅତ୍ୟାଚାର କରିଆସୁଛି । (ଉପ. ୮:୯) ଅଧିକାରୀମାନେ ଅନ୍ୟମାନଙ୍କ ଉପରେ ଅଧିକାର ଜମାନ୍ତି । ଅପରାଧୀମାନେ ହଣାକଟା କରନ୍ତି । ସ୍କୁଲରେ ପିଲାମାନେ ଅନ୍ୟମାନଙ୍କୁ ହଇରାଣ କରନ୍ତି ଆଉ ସେମାନଙ୍କୁ ଡରାନ୍ତି ଓ ଧମକ ଦିଅନ୍ତି । କିଛି ଲୋକମାନେ ତ ନିଜ ପରିବାର ଲୋକମାନଙ୍କୁ ମାରପିଟ୍ କରନ୍ତି । ଏହା ହିଁ କାରଣ ଯେ ମଣିଷ ମଣିଷକୁ ଡରିବାକୁ ଲାଗୁଛି । ଆସନ୍ତୁ ଜାଣିବା ଯେ ଶୟତାନ ଏହି ଡରର କିପରି ଲାଭ ଉଠାଏ ।
୧୧-୧୨. ଶୟତାନ କେଉଁ ଉପାୟରେ ଆମ ମନରେ ଲୋକମାନଙ୍କ ଡର ପଶାଇବାକୁ ଚେଷ୍ଟା କରେ ?
୧୧ ଶୟତାନ ଚାହେଁ ଯେ ଆମେ ମଣିଷମାନଙ୍କୁ ଡରିଯାଇ ପ୍ରଚାର କରିବା ବନ୍ଦ କରିଦେଉ ଆଉ ଯିହେବାଙ୍କ ଅନ୍ୟ ଆଜ୍ଞାଗୁଡ଼ିକୁ ମାନିବା ବି ଛାଡ଼ିଦେଉ । ସେ ସରକାରମାନଙ୍କ ଜରିଆରେ ଆମ କାମ ଉପରେ କଟକଣା ଲଗାଇଦିଏ ଆଉ ଆମ ଉପରେ ଅତ୍ୟାଚାର କରେ । (ଲୂକ ୨୧:୧୨; ପ୍ରକା. ୨:୧୦) ସେ ଲୋକମାନଙ୍କ ଜରିଆରେ ସାକ୍ଷୀମାନଙ୍କ ବିଷୟରେ ମିଛ କଥା ପ୍ରସାର କରେ ଯାହା ମଧ୍ୟରୁ କିଛି କଥା ପୂରାପୂରି ମିଛ ଥାଏ । ଏହି କଥା ଶୁଣି ହୁଏତ ଅନ୍ୟମାନେ ଆମ ମଜାକ ଉଡ଼ାଇବେ କିମ୍ବା ଆମ ସହ ମାରପିଟ୍ କରିବେ । (ମାଥି. ୧୦:୩୬) ଏହା କୌଣସି ନୂଆ କଥା ନୁହେଁ । ଯୀଶୁଙ୍କ ଶିଷ୍ୟମାନଙ୍କ ସହ ମଧ୍ୟ ଏପରି ହିଁ ହୋଇଥିଲା ।—ପ୍ରେରି. ୫:୨୭, ୨୮, ୪୦.
ଯଦି ବି ଆମ ପରିବାର ଲୋକେ ଆମକୁ ବିରୋଧ କରନ୍ତି, ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ ପ୍ରେମ କରନ୍ତି (ପାରାଗ୍ରାଫ ୧୨-୧୪)e
୧୨ ଶୟତାନ ଆଉ ଗୋଟିଏ ଉପାୟରେ ଆମ ମନରେ ଡର ପଶାଇବାକୁ ଚେଷ୍ଟା କରେ । କିଛି ଲୋକେ ମାରପିଟ୍ଠାରୁ ଅଧିକ ଏହା ଭାବି ଡରନ୍ତି ଯେ ଯଦି ସେମାନେ ସାକ୍ଷୀ ହୋଇଯିବେ, ତେବେ ସେମାନଙ୍କ ଘର ଲୋକ ସେମାନଙ୍କୁ କʼଣ କହିବେ । ଏହି ଡର ସେମାନଙ୍କୁ ବହୁତ କଷ୍ଟ ଦିଏ । ସେମାନେ ନିଜ ସମ୍ପର୍କୀୟମାନଙ୍କୁ ବହୁତ ପ୍ରେମ କରନ୍ତି ଆଉ ଚାହାନ୍ତି ଯେ ସେମାନେ ବି ଯିହୋବାଙ୍କ ବିଷୟରେ ଶିଖନ୍ତୁ । କିନ୍ତୁ ସେମାନେ ଯେବେ ଯିହୋବା ବା ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ କିଛି ଖରାପ କଥା କହନ୍ତି, ତେବେ ସେମାନଙ୍କୁ ବହୁତ କଷ୍ଟ ହୁଏ । କିନ୍ତୁ ଅନେକ ଥର ଏପରି ହୋଇଛି ଯେ ଯେଉଁ ସମ୍ପର୍କୀୟମାନେ ଆଗେ ବିରୋଧ କରୁଥିଲେ, ପରେ ସେମାନେ ସାକ୍ଷୀ ବି ହୋଇଗଲେ । କିନ୍ତୁ ଯଦି ଆମ ଘର ଲୋକେ ଆମ ସହିତ ସବୁ ସମ୍ପର୍କ ଭାଙ୍ଗି ଦିଅନ୍ତି, ତେବେ ଆମେ କʼଣ ମନେରଖିବା ଉଚିତ୍ ?
୧୩. ଯଦି ଆମ ପରିବାର ଲୋକେ ଆମ ସହିତ ସମ୍ପର୍କ ଭାଙ୍ଗିଦେବେ, ତେବେ ଆମକୁ କେଉଁ କଥାରୁ ସାହସ ମିଳିପାରେ ? (ଗୀତସଂହିତା ୨୭:୧୦)
୧୩ ଗୀତସଂହିତା ୨୭:୧୦ ପଦରେ ଲେଖାଥିବା କଥାରୁ ଆମକୁ ବହୁତ ସାହସ ମିଳିପାରେ । (ପଢ଼ନ୍ତୁ ।) କେହି ଆମକୁ ସାହାଯ୍ୟ କରନ୍ତୁ ବା ନ କରନ୍ତୁ ଯିହୋବା ସଦାବେଳେ ଆମର ସାହାଯ୍ୟ କରିବେ । ସେ ଆମକୁ ବହୁତ ପ୍ରେମ କରନ୍ତି ଆଉ ଯଦି ଆମେ ତାଙ୍କ ବିଶ୍ୱସ୍ତ ରହିବା, ତେବେ ସେ ଆମକୁ ବହୁତ ଆଶିଷ ଦେବେ ଆଉ ଆମର ଏତେ ଭଲଭାବେ ଦେଖାଶୁଣା କରିବେ, ଯେତେ ଆଉ ଅନ୍ୟ କେହି କରିପାରିବେ ନାହିଁ । ସେ ଆମର ସବୁ ଆବଶ୍ୟକତା ପୂରା କରିବେ ଆଉ ଆମକୁ ମନର ଶାନ୍ତି ଦେବେ । ଆମେ ଖୁସିରେ ରହିପାରିବା ଆଉ ଯିହୋବାଙ୍କ ସହିତ ଆମ ସମ୍ପର୍କ ଭଲ ରହିବ । ବିନିୟମ ବି ଏପରି ହିଁ ଅନୁଭବ କଲେ ।
୧୪. ଆପଣ ବିନିୟମଠାରୁ କ‘ଣ ଶିଖିପାରିବେ ?
୧୪ ବିନିୟମ ଭଲଭାବେ ଜାଣିଥିଲେ ଯେ ତାଙ୍କ ଦେଶରେ ସାକ୍ଷୀମାନଙ୍କ ଉପରେ ଅତ୍ୟାଚାର କରାଯାଉଛି, ତଥାପି ସେ ସାକ୍ଷୀ ହୋଇଗଲେ । ସେ ମନେରଖିଲେ ଯେ ଯିହୋବା ତାଙ୍କୁ ବହୁତ ପ୍ରେମ କରନ୍ତି । ଏପରି ଭାବେ ସେ ନିଜ ଡରକୁ କାବୁ କରିପାରିଲେ । ସେ କହନ୍ତି, “ମୋ ଉପରେ ଏତେ ଅତ୍ୟାଚାର କରାଯିବ, ତାହା ମୁଁ ଭାବି ନ ଥିଲି । କିନ୍ତୁ ସରକାରର ବିରୋଧରୁ ଅଧିକ ମୋତେ ଏକଥାକୁ ନେଇ ଡର ଥିଲା ଯେ ମୋ ଘର ଲୋକେ ମୋର ବିରୋଧ କରିବେ । ମୋ ବାପା ଯିହୋବାଙ୍କ ସାକ୍ଷୀ ନୁହନ୍ତି ଆଉ ମୋତେ ଡର ଥିଲା ଯେ ଯଦି ତାଙ୍କୁ ଓ ଅନ୍ୟମାନଙ୍କୁ ଜଣାପଡ଼ିବ ଯେ ମୁଁ ସାକ୍ଷୀ ହୋଇଯାଇଛି, ତେବେ ସେମାନେ ଭାବିବେ ଯେ ମୁଁ ନିଜ ଜୀବନ ବରବାଦ କରିଦେଇଛି ଆଉ ମୁଁ କିଛି କାମର ନୁହେଁ ।” କିନ୍ତୁ ସେମାନଙ୍କୁ ପୂରା ଭରସା ଥିଲା ଯେ ଯିହୋବା ଯେଉଁମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କର ସବୁବେଳେ ଦେଖାଶୁଣା କରନ୍ତି । ସେ କହନ୍ତି, “ମୁଁ ଏପରି ଭାଇଭଉଣୀମାନଙ୍କ ବିଷୟରେ ଭାବିଲି, ଯେଉଁମାନଙ୍କଠାରେ ପଇସାର ଅଭାବ ଥିଲା, ଯେଉଁମାନଙ୍କ ସହିତ ଭେଦଭାବ ହୋଇଥିଲା ଆଉ ଯେଉଁମାନଙ୍କୁ ଲୋକମାନଙ୍କ ଭିଡ଼ ମାରପିଟ୍ କରିଥିଲା । ଯିହୋବା ସେମାନଙ୍କୁ କେବେ ବି ଛାଡ଼ିଲେ ନାହିଁ ବରଂ ସେମାନଙ୍କୁ ସାହାଯ୍ୟ କଲେ । ମୁଁ ଜାଣିଥିଲି ଯଦି ମୁଁ ଯିହୋବାଙ୍କ ବିଶ୍ୱସ୍ତ ରହିବି, ତାହେଲେ ସେ ମୋତେ ବି ଆଶିଷ ଦେବେ । ମୋତେ ଅନେକ ଥର ଗିରଫ କରାଗଲା ଆଉ ବହୁତ ମାରପିଟ୍ କରାଗଲା, କିନ୍ତୁ ଯିହୋବା ସବୁବେଳେ ମୋତେ ସାହାଯ୍ୟ କରିଲେ । ସେ ସବୁବେଳେ ମୋ ସହିତ ରହିଲେ ।” ଯିହୋବା ଯେପରି ବିନିୟମର ପିତା ହୋଇଗଲେ ଆଉ ଯିହୋବାଙ୍କ ଲୋକମାନେ ତାଙ୍କ ପରିବାର ।
ମୃତ୍ୟୁ ବିଷୟରେ ଭାବି
୧୫. ଆମେ ସମସ୍ତେ ମୃତ୍ୟୁକୁ କାହିଁକି ଡରୁ ?
୧୫ ଆମେ ସମସ୍ତେ ମୃତ୍ୟୁକୁ ଡରୁ । ସେଥିପାଇଁ ଯେତେବେଳେ ଆମେ ବା ଆମ ଘର ଲୋକେ ରୋଗରେ ପଡ଼ିଥାʼନ୍ତି, ସେତେବେଳେ ଆମେ ଚିନ୍ତା କରିବାକୁ ଲାଗୁ । ବାଇବଲରେ ମୃତ୍ୟୁକୁ ଆମ ଶତ୍ରୁ ବୋଲି କୁହାଯାଇଛି । (୧ କରି. ୧୫:୨୫, ୨୬) କିନ୍ତୁ ଆମେ ମୃତ୍ୟୁକୁ କାହିଁକି ଡରିଥାଉ ? କାରଣ ଯିହୋବା ଆମ ମନରେ ସବୁଦିନ ବଞ୍ଚି ରହିବାର ଇଚ୍ଛା ଦେଇଛନ୍ତି । (ଉପ. ୩:୧୧) ଆମ ମଧ୍ୟରୁ କେହି ବି ମରିବା ପାଇଁ ଚାହାନ୍ତିନି । ଏହି କାରଣରୁ ଆମେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖୁ, ଭଲ କି ଖାଉ ଆଉ ବ୍ୟାୟାମ କରୁ । ଯେତେବେଳେ ଆମେ ରୋଗରେ ପଡ଼ୁ, ସେତେବେଳେ ଆମେ ଡାକ୍ତର ପାଖରେ ଯାଉ, ଔଷଧ ନେଉ ଆଉ ବିନା କାରଣରେ ନିଜ ଜୀବନକୁ ବିପଦରେ ପକାଇ ନ ଥାଉ ।
୧୬. ଶୟତାନ ଆମକୁ କିପରି ଡରାଇବାକୁ ଚେଷ୍ଟା କରେ ?
୧୬ ଶୟତାନ ଜାଣେ ଯେ ଆମେ ନିଜ ଜୀବନକୁ ବହୁତ ପ୍ରେମ କରୁ । ଶୟତାନ ଦାବି କରେ ଯେ ଆମେ ନିଜ ଜୀବନକୁ ବଞ୍ଚାଇବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯିବା, ଏପରିକି ଯିହୋବାଙ୍କ ସହ ନିଜ ସମ୍ପର୍କ ବି ଭାଙ୍ଗିଦେବା । (ଆୟୁ. ୨:୪, ୫) ଏହା ମିଛ ଅଟେ । କିନ୍ତୁ ବାଇବଲରେ ଶୟତାନକୁ “ମୃତ୍ୟୁର ଅଧିକାରୀ” ବୋଲି କୁହାଯାଇଛି, କାରଣ ତାʼ ପାଖରେ ଆମମାନଙ୍କୁ ଜୀବନରୁ ମାରିଦେବାର ଶକ୍ତି ଅଛି । ତେଣୁ ସେ ଆମକୁ ଡରାଇବା ପାଇଁ ଚେଷ୍ଟା କରେ, ଯାହାଫଳରେ ଆମେ ଯିହୋବାଙ୍କୁ ଛାଡ଼ିଦେଉ । (ଏବ୍ରୀ ୨:୧୪, ୧୫) ଅନେକ ଥର ସେ ଆମକୁ ସରକାର ବା ଲୋକମାନଙ୍କ ଜରିଆରେ ଡରାଏ ଓ ଧମକ ଦିଏ ଯେ ଯଦି ଆମେ ଯିହୋବାଙ୍କ ସେବା କରିବା ନ ଛାଡ଼ୁ, ତେବେ ଆମକୁ ମାରି ଦିଆଯିବ । ବା ଯଦି କେବେ ଆମେ ବହୁତ ବେମାର ହୋଇଯାଉ, ସେସମୟରେ ସେ ଡାକ୍ତର ବା ପରିବାର ଲୋକମାନଙ୍କ ଜରିଆରେ ଚାପ ପକାଇପାରେ ଯେ ଆମେ ଜୀବନ ବଞ୍ଚାଇବା ପାଇଁ ରକ୍ତ ନେଉ ବା ଏପରି ଚିକିତ୍ସା କରାଉ ଯାହା ବାଇବଲ ହିସାବରେ ଭୁଲ ଅଟେ ।
୧୭. ରୋମୀୟ ୮:୩୭-୩୯ ପଦ ଅନୁସାରେ, ଆମକୁ କାହିଁକି ଡରିବା ଉଚିତ୍ ନୁହେଁ ?
୧୭ ଆମ ମଧ୍ୟରୁ କେହି ବି ମରିବା ପାଇଁ ଚାହୁଁ ନାହିଁ । କିନ୍ତୁ ଆମେ ଜାଣୁ ଯଦି ବି ଆମର ମୃତ୍ୟୁ ହୋଇଯାଏ, ତେବେ ବି ଯିହୋବା ଆମକୁ ପ୍ରେମ କରିବା ଛାଡ଼ିବେ ନାହିଁ । (ରୋମୀୟ ୮:୩୭-୩୯ ପଢ଼ନ୍ତୁ ।) ଯେବେ ଯିହୋବାଙ୍କ ସାଙ୍ଗମାନଙ୍କ ମୃତ୍ୟୁ ହୋଇଯାଏ, ତେବେ ବି ସେ ସେମାନଙ୍କୁ ଭୁଲନ୍ତି ନାହିଁ । ସେମାନେ ତାଙ୍କ ସ୍ମରଣରେ ସୁରକ୍ଷିତ ରହନ୍ତି, ଆଉ ସେ ସେମାନଙ୍କୁ ପୁଣି ଜୀବନ ଦେବା ପାଇଁ ଚାହାନ୍ତି । (ଲୂକ ୨୦:୩୭, ୩୮; ଆୟୁ. ୧୪:୧୫) ସେ ଆମକୁ “ଅନନ୍ତ ଜୀବନ” ଦେବା ପାଇଁ ନିଜ ଏକମାତ୍ର ପୁତ୍ରକୁ ବଳିଦାନ କରିଦେଲେ । (ଯୋହ. ୩:୧୬) ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯିହୋବା ଆମକୁ ପ୍ରେମ କରନ୍ତି ଓ ଆମର ଚିନ୍ତା କରନ୍ତି । ତେଣୁ ଯେବେ ଆମେ ରୋଗରେ ପଡ଼ୁ ବା ଲୋକମାନେ ଆମକୁ ଡରାନ୍ତି ଓ ଧମକ ଦିଅନ୍ତି ସେତେବେଳେ ଆମେ ଯିହୋବାଙ୍କୁ ଛାଡ଼ିବାନି, ବରଂ ତାଙ୍କୁ କହିବା ଯେ ଆମକୁ ବୁଦ୍ଧି, ସାହସ ଓ ସାନ୍ତ୍ୱନା ଦିଅନ୍ତୁ । ୱେଲେରି ଆଉ ତାଙ୍କ ସ୍ୱାମୀ ବି ଏପରି ହିଁ କରିଥିଲେ ।—ଗୀତ. ୪୧:୩.
୧୮. ଆପଣ ୱେଲେରିଙ୍କଠାରୁ କʼଣ ଶିଖିପାରିବେ ?
୧୮ ଯେତେବେଳେ ୱେଲେରି ୩୫ ବର୍ଷର ଥିଲେ ସେତେବେଳେ ତାଙ୍କୁ ଏପରି ଗୋଟିଏ କ୍ୟାନସର ହୋଇଗଲା, ଯାହା ବହୁତ କମ୍ ଲୋକମାନଙ୍କୁ ହେଉଥିଲା ଓ ତାହା ତାଙ୍କ ଶରୀରରେ ଖୁବ୍ ଶୀଘ୍ର ବ୍ୟାପିବାକୁ ଲାଗୁଥିଲା । ସେ କହନ୍ତି, “ଏହା ଶୁଣି ଏପରି ଲାଗିଲା ସତେ ଯେପରି ମୋ ମୁଣ୍ଡରେ ଚଡ଼କ ମାରିଦେଲା । ଡାକ୍ତରମାନେ କହିଲେ ଯେ ମୋତେ ଗୋଟିଏ ବଡ଼ ଅପରେସନ୍ କରିବାକୁ ପଡ଼ିବ, ନ ହେଲେ ମୁଁ ବଞ୍ଚିବିନି । ମୁଁ ଯେତେ ବି ଡାକ୍ତରମାନଙ୍କୁ ଦେଖାଇଲି ସମସ୍ତେ କହିଲେ ଯେ ମୋତେ ରକ୍ତ ଚଢ଼ାଇବାକୁ ହିଁ ପଡ଼ିବ । ମୁଁ ବହୁତ ଡରି ଯାଇଥିଲି । କିନ୍ତୁ ମୁଁ ଭାବି ନେଇଥିଲି ଯେ ଯାହା ବି ହୋଇଯାଉ ନା କାହିଁକି ମୁଁ ଯିହୋବାଙ୍କ ଆଜ୍ଞା ଭାଙ୍ଗିବି ନାହିଁ ଓ ରକ୍ତ ଚଢ଼ାଇବି ନାହିଁ । ମୁଁ ଜାଣୁଥିଲି ଯେ ଯିହୋବା ମୋତେ ବହୁତ ପ୍ରେମ କରନ୍ତି ଆଉ ଏବେ ମୋ ପାଳି ଥିଲା ଯେ ମୁଁ ଯିହୋବାଙ୍କ ପାଇଁ ନିଜ ପ୍ରେମ ଦେଖାଇବି । ଯେବେ ବି ଡାକ୍ତରମାନେ କହୁଥିଲେ ଯେ ମୋ ଦେହ ଖରାପ ହୋଇ ହୋଇ ଯାଉଛି ତେବେ ମୋର ନିଷ୍ପତ୍ତି ଆହୁରି ମଜବୁତ୍ ହେଉଥିଲା ଯେ ମୁଁ ଯିହୋବାଙ୍କ ବିଶ୍ୱସ୍ତ ରହିବି ଆଉ ଶୟତାନର ଦାବିକୁ ମିଛ ପ୍ରମାଣିତ କରିବି । ଶେଷରେ ଡାକ୍ତରମାନେ ମାନିଗଲେ ଆଉ ମୋ ଅପରେସନ ବିନା ରକ୍ତରେ ହୋଇପାରିଲା । ଏବେ ବି ମୋତେ କିଛି ନା କିଛି ସମସ୍ୟା ହେଉଥାଏ କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ଆମେ ସବୁବେଳେ ତାʼର ସାମନା କରିପାରୁ । ମୋତେ ମନେଅଛି, ଯେବେ ମୋତେ ଜଣାପଡ଼ିଲା ଯେ ମୋତେ କ୍ୟାନସର ହୋଇଛି ତାʼର କିଛି ଦିନ ଆଗରୁ ଆମେ ସଭାରେ ଗୋଟେ ଲେଖା ଉପରେ ଆଲୋଚନା କରିଥିଲୁ । ତାʼର ବିଷୟ ଥିଲା, ‘ସମସ୍ୟାଗୁଡ଼ିକର ସାହସର ସହିତ ସାମନା କରିବା ।’c ଆମେ ସେହି ଲେଖା ବାରମ୍ବାର ପଢ଼ିଲୁ ଆଉ ଏଥିରୁ ଆମକୁ ବହୁତ ସାନ୍ତ୍ୱନା ମିଳିଲା । ଆମେ ଏପରି ଲେଖା ଆହୁରି ପଢ଼ିଲୁ । ଆମେ ପ୍ରଚାର କରିବା ଓ ସଭାକୁ ଯିବା ବି ଛାଡ଼ିଲୁ ନାହିଁ । ଏପରି କରିବାରୁ ଆମକୁ ମନର ଶାନ୍ତି ମିଳିଲା ଆଉ ଆମେ ସଠିକ୍ ନିଷ୍ପତ୍ତି ନେଇପାରିଲୁ ।” ୱେଲେରି ସବୁବେଳେ ମନେରଖିଲେ ଯେ ଯିହୋବା ତାଙ୍କୁ କେତେ ପ୍ରେମ କରନ୍ତି । ତେଣୁ ସେ ନିଜ ଡର ଉପରେ କାବୁ କରିପାରିଲେ ।
ଆପଣ ଡରକୁ କାବୁ କରିପାରିବେ
୧୯. ଖୁବ୍ ଶୀଘ୍ର କʼଣ ହେବାକୁ ଯାଉଛି ?
୧୯ ସାରା ଦୁନିଆରେ ଆମ ଭାଇଭଉଣୀମାନେ ଯିହୋବାଙ୍କ ସାହାଯ୍ୟରେ ଶୟତାନର ବିରୋଧ କରୁଛନ୍ତି ଓ ସାହସର ସହ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି । (୧ ପିତ. ୫:୮, ୯) ଆପଣ ମଧ୍ୟ ଏପରି କରିପାରିବେ ! ଖୁବ୍ ଶୀଘ୍ର, ଯିହୋବା ଯୀଶୁ ଏବଂ ଯେଉଁମାନେ ତାଙ୍କ ସହ ଶାସନ କରିବେ, ସେମାନଙ୍କୁ କହିବେ ଯେ ସେମାନେ ‘ଶୟତାନର କାର୍ଯ୍ୟକୁ ବିନାଶ କରିଦିଅନ୍ତୁ ।’ (୧ ଯୋହ. ୩:୮) ତାʼପରେ ଈଶ୍ୱରଙ୍କ ଲୋକମାନଙ୍କୁ ‘କୌଣସି କଥାର ଡର ନ ଥିବ ନା ହିଁ ସେମାନେ ଭୟଭୀତ ହେବେ ।’ (ଯିଶା. ୫୪:୧୪, NWT; ମୀଖା ୪:୪) କିନ୍ତୁ ଯେବେ ଯାଏ ସେ ସମୟ ଆସି ନାହିଁ, ଆମକୁ ନିଜ ଡରକୁ କାବୁ କରିବା ପାଇଁ ପରିଶ୍ରମ କରିବା ଜାରି ରଖିବାକୁ ହେବ ।
୨୦. ନିଜ ଡରକୁ କାବୁରେ ରଖିବା ପାଇଁ ଆମେ କʼଣ କରିପାରିବା ?
୨୦ ନିଜ ଡରକୁ କାବୁରେ ରଖିବା ପାଇଁ ଆମକୁ ଏକଥା ଉପରେ ନିଜ ଭରସା ବଢ଼ାଇବା ଜାରି ରଖିବାକୁ ହେବ ଯେ ଯିହୋବା ନିଜ ସେବକମାନଙ୍କୁ ପ୍ରେମ କରନ୍ତି ଓ ଯେବେ ବି କୌଣସି ସମସ୍ୟା ଆସେ ତେବେ ସେ ସେମାନଙ୍କୁ ସମ୍ଭାଳନ୍ତି । ଏପରି କରିବା ପାଇଁ ଆମେ ଭାବିପାରିବା ଯେ ସେ ପୂର୍ବେ କିପରି ନିଜ ଲୋକମାନଙ୍କୁ ରକ୍ଷା କଲେ ଓ ସେ ବିଷୟରେ ଅନ୍ୟମାନଙ୍କୁ କହିପାରିବା । ଆମେ ଏହା ମଧ୍ୟ ଭାବିପାରିବା ଯେ ଯିହୋବା ଏବେ ଯାଏ ଆମକୁ କିପରି ସମ୍ଭାଳିଛନ୍ତି । ମନେରଖନ୍ତୁ ଆପଣ ଏକୁଟିଆ ନାହାନ୍ତି, ଯିହୋବା ଆପଣଙ୍କ ସହ ଅଛନ୍ତି । ଆଉ ଯିହୋବାଙ୍କ ସାହାଯ୍ୟରେ ଆପଣ ନିଜ ଡରକୁ କାବୁ କରିପାରିବେ ।—ଗୀତ. ୩୪:୪.
ଗୀତ ୧୨୯ ହାମ୍ ଧିରଜ ଧରେଁଙ୍ଗେ
a ଅନେକ ଥର ଡର ଯୋଗୁଁ ଆମେ ସମସ୍ୟାରେ ପଡ଼ିବାରୁ ରକ୍ଷା ପାଇପାରୁ । କିନ୍ତୁ କେବେ କେବେ ଶୟତାନ ଏହି ଡରର ଲାଭ ଉଠେଇକି ଆମକୁ ଠିକ୍ ନିଷ୍ପତ୍ତି ନେବା ପାଇଁ ରୋକିପାରେ । ଏହି ଲେଖାରେ ଆମେ ଜାଣିବା ଯେ ଯଦି ଆମେ ବିଶ୍ୱାସ କରିବା ଯେ ଯିହୋବା ଆମ ସାଙ୍ଗରେ ଅଛନ୍ତି ଏବଂ ଆମକୁ ପ୍ରେମ କରନ୍ତି, ତେବେ ଆମେ ଡରକୁ କାବୁ କରିପାରିବା ।
b କିଛି ନାମ ବଦଳାଇ ଦିଆଯାଇଛି ।
d ଚିତ୍ର ବିଷୟରେ: ଜଣେ ସ୍ୱାମୀ ସ୍ତ୍ରୀ ମଣ୍ଡଳୀର ଜଣେ ଭଉଣୀ ଓ ତାଙ୍କ ପରିବାର ପାଇଁ ଖାଇବା ଜିନିଷ ଆଣୁଛନ୍ତି ।
e ଚିତ୍ର ବିଷୟରେ: ଜଣେ ଭାଇର ବାପାମାଆ ଚାହାନ୍ତି ନାହିଁ ଯେ ସେ ଯିହୋବାଙ୍କ ଉପାସନା କରୁ, କିନ୍ତୁ ସେହି ଭାଇକୁ ପୂରା ଭରସା ଅଛି ଯେ ଯିହୋବା ତାଙ୍କ ସହ ଅଛନ୍ତି ।