ଅଧ୍ୟୟନ ଲେଖା ୪୨
ଯିହୋବାଙ୍କ ବିଶ୍ୱସ୍ତ ଲୋକମାନେ ଖୁସି ରହନ୍ତି !
‘ତୁମ୍ଭ ବିଶ୍ୱସ୍ତ ଲୋକମାନେ ଆନନ୍ଦଧ୍ୱନି କରନ୍ତୁ ।’—ଗୀତ. ୧୩୨:୯.
ଗୀତ ୧୨୪ ହାମ ନିଭାଏଗେଁ ୱଫା
ଲେଖାର ଝଲକa
ଆମର କିଛି ଭାଇଭଉଣୀ, ଯେଉଁମାନଙ୍କୁ ଯିହୋବାଙ୍କ ବିଶ୍ୱସ୍ତ ରହିବା ଯୋଗୁଁ ଜେଲରେ ବନ୍ଦୀ କରାଗଲା । ଏମାନଙ୍କ ମଧ୍ୟରୁ କିଛି ଭାଇଭଉଣୀ ଆଜି ବି ଜେଲରେ ଅଛନ୍ତି । ଆମର ଏହି ଭାଇଭଉଣୀମାନେ ସତରେ ବହୁତ ସାହସୀ ଅଟନ୍ତି ! (ପାରାଗ୍ରାଫ ୧-୨)
୧-୨. (କ) କିଛି ସରକାରଗୁଡ଼ିକ କʼଣ କଲେ, ତଥାପି ଯିହୋବାଙ୍କ ଲୋକମାନେ କʼଣ କରନ୍ତି ? (ଖ) ଯଦି ଆମ ଉପରେ ଅତ୍ୟାଚାର କରାଯାଏ, ତେବେ ବି ଆମେ କାହିଁକି ଖୁସି ରହିପାରିବା ? (ବାହାରେ ଦିଆଯାଇଥିବା ଚିତ୍ର ମଧ୍ୟ ଦେଖନ୍ତୁ ।)
ଆଜି ୩୦ରୁ ବି ଅଧିକ ଦେଶରେ ଓ ଅଞ୍ଚଳରେ ଆମ କାମଗୁଡ଼ିକ ଉପରେ କଟକଣା କିମ୍ବା ପୂରାପୂରି ରୋକ ଲାଗିଛି । ସେମଧ୍ୟରୁ କିଛି ଦେଶରେ ଅଧିକାରୀମାନେ ଆମ ଭାଇଭଉଣୀଙ୍କୁ ଜେଲରେ ମଧ୍ୟ ପୂରାଇ ଦେଇଛନ୍ତି । କିନ୍ତୁ ସେମାନଙ୍କର ଦୋଷ କʼଣ ? ଯିହୋବାଙ୍କ ଦୃଷ୍ଟିରେ ସେମାନେ କିଛି ଭୁଲ କରି ନାହାନ୍ତି । ସେମାନଙ୍କ ଦୋଷ କେବଳ ଏତିକି ଯେ ସେମାନେ ବାଇବଲ ପଢ଼ୁଥିଲେ ଓ ତାʼର ଅଧ୍ୟୟନ କରୁଥିଲେ, ପ୍ରଚାର କରୁଥିଲେ, ସଭାରେ ଏକାଠି ହେଉଥିଲେ କିମ୍ବା ସେମାନେ ରାଜନୈତିକ ମାମଲାଗୁଡ଼ିକରେ କାହାରି ପକ୍ଷ ନେଉ ନ ଥିଲେ । କିନ୍ତୁ ଏତେ ବିରୋଧ ସତ୍ତ୍ୱେ ମଧ୍ୟ ସେମାନଙ୍କ ବିଶ୍ୱାସ ମଜବୁତ୍ ଅଛି ଏବଂ ସେମାନେ ଯିହୋବାଙ୍କ ବିଶ୍ୱସ୍ତ ଅଛନ୍ତି । ଏହି କାରଣ ଯୋଗୁଁ ସେମାନେ ଖୁସି ଅଛନ୍ତି ।
୨ ସତରେ, ଏହି ଭାଇଭଉଣୀମାନେ ବହୁତ ସାହସୀ ଅଟନ୍ତି । ହୁଏତ ଆପଣ ଏମାନଙ୍କ ମଧ୍ୟରୁ କିଛି ଭାଇଭଉଣୀମାନଙ୍କ ଫଟୋ ଦେଖିଥିବେ ଆଉ ଧ୍ୟାନ ଦେଇଥିବେ ଯେ ସେମାନଙ୍କ ମୁହଁରେ ସବୁବେଳେ ହସ ଥାଏ । କିନ୍ତୁ ସେମାନେ ଏତେ ଖୁସି କାହିଁକି ରହନ୍ତି ? କାରଣ ସେମାନେ ଜାଣନ୍ତି ଯେ ଯିହୋବା ଏହା ଦେଖି ବହୁତ ଖୁସି ଯେ ସେମାନେ ତାଙ୍କ ବିଶ୍ୱସ୍ତ ଅଛନ୍ତି । (୧ ବଂଶା. ୨୯:୧୭) ଯୀଶୁ କହିଥିଲେ, ‘ଧାର୍ମିକତା [ସଠିକ୍ କାମ କରିବା] ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ । ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସେମାନଙ୍କ ପାଖରେ ପୁରସ୍କାର ଅଛି ।’—ମାଥି. ୫:୧୦-୧୨.
ପ୍ରେରିତମାନଙ୍କ ଭଳି ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ
ପିତର ଓ ଯୋହନଙ୍କ ଭଳି ଆଜିର ଖ୍ରୀଷ୍ଟିୟାନମାନେ ମଧ୍ୟ ସାହସର ସହ ଅଦାଲତରେ ସମସ୍ତଙ୍କ ସାମନାରେ କହନ୍ତି ଯେ ସେମାନେ କʼଣ ବିଶ୍ୱାସ କରନ୍ତି (ପାରାଗ୍ରାଫ ୩-୪)
୩. ଯେବେ ପ୍ରେରିତମାନଙ୍କ ବିରୋଧ କରାଗଲା, ତେବେ ସେମାନେ କʼଣ କଲେ ଏବଂ କାହିଁକି ? (ପ୍ରେରିତ ୪:୧୯, ୨୦)
୩ ଆଜି ଆମ ଭାଇଭଉଣୀମାନଙ୍କ ସହିତ ଯାହା ହେଉଛି, ତାହା କୌଣସି ନୂଆ କଥା ନୁହେଁ । ପ୍ରଥମ ଶତାବ୍ଦୀରେ ମଧ୍ୟ ପ୍ରେରିତମାନଙ୍କ ସହିତ ଏପରି ହିଁ କିଛି ହୋଇଥିଲା । ଯେବେ ସେମାନେ ଯୀଶୁଙ୍କ ବିଷୟରେ ପ୍ରଚାର କଲେ, ତେବେ ସେମାନଙ୍କ ଉପରେ ବହୁତ ଅତ୍ୟାଚାର କରାଗଲା । ମହାସଭାର ଅଧିକାରୀମାନେ ପ୍ରଚାର କାମକୁ ବନ୍ଦ କରାଇବା ପାଇଁ ବାରମ୍ବାର ଚେଷ୍ଟା କରୁଥିଲେ । ସେମାନେ ପ୍ରେରିତମାନଙ୍କୁ “ଯୀଶୁଙ୍କ ନାମରେ କଥା ନ କହିବାକୁ” ଆଜ୍ଞା ଦେଲେ । (ପ୍ରେରି. ୪:୧୮; ୫:୨୭, ୨୮, ୪୦) କିନ୍ତୁ ପ୍ରେରିତମାନେ କʼଣ କଲେ ? (ପ୍ରେରିତ ୪:୧୯, ୨୦ ପଢ଼ନ୍ତୁ ।) ସେମାନେ ଜାଣିଥିଲେ ଯେ ଏପରି ଜଣେ ଅଛନ୍ତି ଯାହାଙ୍କ ପାଖରେ ସେହି ଅଧିକାରୀମାନଙ୍କଠୁ ବି ବେଶି ଅଧିକାର ଅଛି ଓ ସେ ସେମାନଙ୍କୁ ଆଜ୍ଞା ଦେଇଛନ୍ତି ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ‘ପ୍ରଚାର କରନ୍ତୁ ଓ ସାକ୍ଷ୍ୟ ଦିଅନ୍ତୁ ।’ (ପ୍ରେରି. ୧୦:୪୨) ତେଣୁ ସମସ୍ତ ପ୍ରେରିତମାନଙ୍କ ପକ୍ଷ ନେଇ ପିତର ଓ ଯୋହନ ନିଡରତାର ସହ ଅଧିକାରୀମାନଙ୍କୁ କହିଲେ ଯେ ସେମାନେ ତାଙ୍କ ଆଜ୍ଞା ପାଳନ କରିବା ପରିବର୍ତ୍ତେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବେ ଓ ଯୀଶୁଙ୍କ ବିଷୟରେ କହିବା ଛାଡ଼ିବେ ନାହିଁ । ସେମାନେ କହିବା ପାଇଁ ଚାହୁଁଥିଲେ ଯେ ‘ତମମାନଙ୍କୁ କʼଣ ଲାଗେ, କʼଣ ତମେ ଈଶ୍ୱରଙ୍କଠାରୁ ବି ବଡ଼ ଯେ ଆମେ ତମମାନଙ୍କ କଥା ଶୁଣିବା ?’
୪. ପ୍ରେରିତ ୫:୨୭-୨୯ ପଦ ମୁତାବକ ପ୍ରେରିତମାନେ କʼଣ କଲେ ଓ ଆମେ ସେମାନଙ୍କ ଭଳି କିପରି ହୋଇପାରିବା ?
୪ ପ୍ରେରିତମାନେ ‘ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ଈଶ୍ୱରଙ୍କ ଆଜ୍ଞା ପାଳନ କଲେ ।’ ସେସମୟରୁ ଏବେ ଯାଏ ଖ୍ରୀଷ୍ଟିୟାନମାନେ ଏପରି ହିଁ କରିବା ପାଇଁ ଚେଷ୍ଟା କରୁଛନ୍ତି । (ପ୍ରେରିତ ୫:୨୭-୨୯ ପଢ଼ନ୍ତୁ ।) କିନ୍ତୁ ଯେବେ ପ୍ରେରିତମାନେ ଅଧିକାରୀମାନଙ୍କ କଥା ମାନିଲେନି ଓ ଯୀଶୁଙ୍କ ବିଷୟରେ ପ୍ରଚାର କରିବା ଜାରି ରଖିଲେ, ତେବେ ସେମାନଙ୍କୁ ବହୁତ ମାରପିଟ୍ କରାଗଲା । ତେବେ କʼଣ ସେମାନଙ୍କ ସାହସ ଭାଙ୍ଗିଗଲା ? ନୁହେଁ । ଯେତେବେଳେ ସେମାନେ ମହାସଭାରୁ ବାହାରିଲେ, ସେତେବେଳେ ‘ସେମାନେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କଲେ ।’ ସେମାନେ ହାର୍ ମାନିଲେନି ଓ ଉତ୍ସାହର ସହ ପ୍ରଚାର କରିବା ଜାରି ରଖିଲେ ।—ପ୍ରେରି. ୫:୪୦-୪୨.
୫. ଆମ ମନରେ ହୁଏତ କେଉଁ ପ୍ରଶ୍ନ ଉଠିପାରେ ?
୫ ବିରୋଧ ସମୟରେ ପ୍ରେରିତମାନେ ଯାହା କଲେ, ସେଥିରୁ ଆମ ମନରେ କିଛି ପ୍ରଶ୍ନ ଉଠିପାରେ । ଆଜି ଆମେ ଜାଣୁ ଯେ ଖ୍ରୀଷ୍ଟିୟାନମାନେ “ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” ଅଧୀନ ରହିବା ଉଚିତ୍ । (ରୋମୀ. ୧୩:୧) କିନ୍ତୁ ଯେବେ ପ୍ରେରିତମାନେ ସେହି ଅଧିକାରୀମାନଙ୍କ ପରିବର୍ତ୍ତେ ଈଶ୍ୱରଙ୍କ ଆଜ୍ଞା ମାନିବାର ନିଷ୍ପତ୍ତି ନେଲେ, ତେବେ କʼଣ ସେମାନେ ଠିକ୍ କରୁଥିଲେ ? ଏବଂ ଆଜି ଆମେ “ସରକାରଗୁଡ଼ିକ ଓ ଅଧିକାରୀମାନଙ୍କ ଅଧୀନରେ” ରହିବା ସହ ଯିହୋବାଙ୍କ ବିଶ୍ୱସ୍ତ କିପରି ରହିପାରିବା ।—ତୀତ. ୩:୧ NWT.
“ଅଧିକାର ପ୍ରାପ୍ତ ଶାସନକର୍ତ୍ତା”
୬. (କ) ରୋମୀୟ ୧୩:୧ ପଦରେ ଯେଉଁ “ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” ବିଷୟରେ କୁହାଯାଇଛି, ସେମାନେ କିଏ ଅଟନ୍ତି ଆଉ ଆମେ ତାଙ୍କ ସହ କିପରି ବ୍ୟବହାର କରିବା ଉଚିତ୍ ? (ଖ) ସେମାନଙ୍କ ପାଖରେ ଯେଉଁ ଅଧିକାର ଅଛି, ସେ ବିଷୟରେ କʼଣ କୁହାଯାଇପାରିବ ?
୬ ରୋମୀୟ ୧୩:୧ ପଢ଼ନ୍ତୁ । ଏହି ପଦରେ “ଅଧିକାର ପ୍ରାପ୍ତ ଶାସନକର୍ତ୍ତା” ଏପରି ଲୋକମାନଙ୍କୁ କୁହାଯାଇଛି, ଯେଉଁମାନଙ୍କୁ ଅନ୍ୟ ଲୋକମାନଙ୍କ ଉପରେ କିଛି ଅଧିକାର ଅଛି । ସେମାନେ ଏକଥାର ଧ୍ୟାନ ଦିଅନ୍ତି ଯେ ସମସ୍ତେ ନିୟମକୁ ମାନନ୍ତୁ ଆଉ ସବୁକିଛି ବ୍ୟବସ୍ଥିତ ଭାବରେ ହେଉ । ବେଳେବେଳେ ସେମାନେ ଯିହୋବାଙ୍କ ଲୋକମାନଙ୍କର ସୁରକ୍ଷା ମଧ୍ୟ କରନ୍ତି । (ପ୍ରକା. ୧୨:୧୬) ସବୁ ଖ୍ରୀଷ୍ଟିୟାନମାନଙ୍କୁ ଏହି ଅଧିକାରୀମାନଙ୍କ ଅଧୀନରେ ରହିବା ଉଚିତ୍ । ବାଇବଲରେ ଆମକୁ ଏହି ଅଧିକାରୀମାନଙ୍କୁ ଆଦର କରିବା ପାଇଁ ଓ ସରକାରକୁ ଟ୍ୟାକ୍ସ ଦେବା ପାଇଁ କୁହାଯାଇଛି । (ରୋମୀ. ୧୩:୭) ଏହି ସରକାରଗୁଡ଼ିକ ପାଖରେ ଯେଉଁ ଅଧିକାର ଅଛି, ତାହା ଯିହୋବା ହିଁ ସେମାନଙ୍କୁ ଦେଇଛନ୍ତି । ଧ୍ୟାନ ଦିଅନ୍ତୁ ଥରେ ଯୀଶୁ କʼଣ କହିଲେ । ଯେବେ ରୋମୀୟ ରାଜ୍ୟପାଳ ପନ୍ତୀୟ ପୀଲାତ ଯୀଶୁଙ୍କୁ କହିଲେ ଯେ ତାଙ୍କ ଜୀବନ ଓ ମୃତ୍ୟୁ ତାଙ୍କ ହାତରେ ଅଛି, ତେବେ ଯୀଶୁ କହିଲେ “ଯଦି ଉର୍ଦ୍ଧ୍ୱରୁ ଆପଣଙ୍କୁ ଦତ୍ତ ହୋଇ ନ ଥାଆନ୍ତା, ତାହାହେଲେ ମୋʼ ବିରୁଦ୍ଧରେ ଆପଣଙ୍କର କୌଣସି ଅଧିକାର ନ ଥାଆନ୍ତା ।” (ଯୋହ. ୧୯:୧୧) ପୀଲାତଙ୍କ ଭଳି ଆଜିର ଅଧିକାରୀ ଓ ନେତାମାନଙ୍କ ପାଖରେ ବି ଅଧିକାର ତ ଅଛି, କିନ୍ତୁ ତାʼର କିଛି ସୀମା ରହିଛି ।
୭. (କ) ଆମେ କେବେ ଅଧିକାରୀମାନଙ୍କ କଥା ଶୁଣିବା ଉଚିତ୍ ନୁହେଁ ? (ଖ) ଯେଉଁ ଅଧିକାରୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ବିରୋଧ କରନ୍ତି, ସେମାନଙ୍କର କʼଣ ହେବ ?
୭ ଖ୍ରୀଷ୍ଟିୟାନମାନେ ସେସବୁ ନିୟମକୁ ମାନନ୍ତି ଯାହା ଯିହୋବାଙ୍କ ସିଦ୍ଧାନ୍ତ ବିରୁଦ୍ଧରେ ନୁହେଁ । କିନ୍ତୁ ଯଦି ସରକାରଗୁଡ଼ିକ ଆମକୁ ଏପରି କିଛି କରିବାକୁ କହନ୍ତି ଯାହା ଯିହୋବା ଆମକୁ କରିବା ପାଇଁ ମନା କରିଛନ୍ତି କିମ୍ବା ଏପରି କିଛି କରିବା ପାଇଁ ମନା କରନ୍ତି ଯାହା ଯିହୋବା କରିବା ପାଇଁ କହିଛନ୍ତି, ତେବେ ଆମେ ସେମାନଙ୍କ କଥା ଶୁଣି ନ ଥାଉ । ଯେପରି ହୋଇପାରେ ସେମାନେ ଏପରି ନିୟମ କରନ୍ତି ଯେ ଏକ ନିର୍ଦ୍ଧିଷ୍ଟ ବୟସ ପରେ ଲୋକମାନଙ୍କୁ ସେନାରେ ଭର୍ତ୍ତି ହେବାକୁ ହିଁ ପଡ଼ିବ ।b କିମ୍ବା ହୁଏତ ସେମାନେ ନୂତନ ଜଗତ ଅନୁବାଦ ବାଇବଲ କିମ୍ବା ଆମ ଅନ୍ୟ ପ୍ରକାଶନରେ ରୋକ ଲଗାଇ ପାରନ୍ତି । କିମ୍ବା ହୋଇପାରେ ସେମାନେ ଆମକୁ ପ୍ରଚାର କରିବା ଓ ସାଙ୍ଗରେ ଏକାଠି ହେବା ପାଇଁ ମଧ୍ୟ ମନା କରିପାରନ୍ତି । କିଛି ସରକାର ଓ ଅଧିକାରୀ ଏପରି ହିଁ କରନ୍ତି । ସେମାନେ ନିଜ ଅଧିକାରର ଲାଭ ଉଠାଇ ଯୀଶୁଙ୍କ ଶିଷ୍ୟମାନଙ୍କର ବିରୋଧ କରନ୍ତି ଓ ତାଙ୍କ ଉପରେ ଅତ୍ୟାଚାର କରନ୍ତି । କିନ୍ତୁ ଏସବୁ ଯିହୋବାଙ୍କ ଦୃଷ୍ଟିରୁ ଲୁଚିନି, ସେ ସବୁକିଛି ଦେଖୁଛନ୍ତି ଆଉ ସେମାନଙ୍କୁ ତାଙ୍କ କାମର ହିସାବ ଦେବାକୁ ପଡ଼ିବ ।—ଉପ. ୫:୮.
୮. ଯିହୋବା ଓ “ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” ମଧ୍ୟରେ କʼଣ ପାର୍ଥକ୍ୟ ଅଛି ?
୮ ‘ଅଧିକାର ପ୍ରାପ୍ତ ଶାସନକର୍ତ୍ତାର’ ଅର୍ଥ ଏପରି ଜଣେ ବ୍ୟକ୍ତି ଯାହା ପାଖରେ କୌଣସି ଉଚ୍ଚ କିମ୍ବା ବଡ଼ ପଦବୀ ଅଛି । କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ସେ ସବୁଠୁ ଉଚ୍ଚ କିମ୍ବା ସବୁଠୁ ବଡ଼ ପଦବୀରେ ଅଛି । ବାଇବଲରେ ମନୁଷ୍ୟ ସରକାରଗୁଡ଼ିକୁ “ଅଧିକାର ପ୍ରାପ୍ତ ଶାସନକର୍ତ୍ତା” କୁହାଯାଇଛି, କିନ୍ତୁ ଯିହୋବାଙ୍କଠାରେ ସେମାନଙ୍କଠାରୁ ବେଶି ଅଧିକାର ଅଛି । ବାଇବଲରେ ଅନେକ ଥର ଯିହୋବାଙ୍କୁ “ସର୍ବୋପରିସ୍ଥ” ଅର୍ଥାତ୍ ସବୁଠୁ ମହାନ କୁହାଯାଇଛି ।—ଦାନି. ୭:୧୮, ୨୨, ୨୫, ୨୭.
ସବୁଠୁ ମହାନ
୯. ଦାନିୟେଲ ଦର୍ଶନଗୁଡ଼ିକରେ କʼଣ ଦେଖିଲେ ?
୯ ଭବିଷ୍ୟଦ୍ବକ୍ତା ଦାନିୟେଲ ଦର୍ଶନରେ ଏପରି କିଛି ଦେଖିଲେ ଯେଉଁଥିରୁ ଜଣାପଡ଼େ ଯେ ଯିହୋବା ସବୁ ଅଧିକାରୀମାନଙ୍କଠୁ ଅଧିକ ମହାନ ଅଟନ୍ତି । ପ୍ରଥମେ ସେ ଦର୍ଶନରେ ଚାରୋଟି ବଡ଼ ବଡ଼ ପଶୁ ଦେଖିଲେ, ଯାହା ଅଲଗା ଅଲଗା ବିଶ୍ୱଶକ୍ତିକୁ ଦର୍ଶାଏ ଅର୍ଥାତ୍ ବାବିଲ, ମାଦୀୟ-ପାରସ୍ୟ, ଗ୍ରୀସ୍, ରୋମ ଆଉ ରୋମରୁ ହିଁ ବାହାରିଥିବା ବ୍ରିଟେନ୍ ଆମେରିକା ବିଶ୍ୱଶକ୍ତି ଯାହା ଆଜି ଶାସନ କରୁଛି । (ଦାନି. ୭:୧-୩, ୧୭) ତାʼପରେ ଦାନିୟେଲ ଦେଖିଲେ ଯେ ଯିହୋବା ନିଜ ରାଜଗାଦିରେ ବସିଛନ୍ତି ଆଉ ତାଙ୍କ ସାମନାରେ ଅଦାଲତରେ ନ୍ୟାୟବିଚାର ଆରମ୍ଭ କରାଯାଏ । (ଦାନି. ୭:୯, ୧୦) ଏସବୁ ଦେଖିଲା ପରେ ଦାନିୟେଲ ଦର୍ଶନରେ ଏପରି କିଛି ଦେଖନ୍ତି, ଯେଉଁଥିରୁ ଜଣାପଡ଼େ ଯେ ଆଜିର ସରକାରର କʼଣ ପରିଣାମ ହେବ ।
୧୦. ଦାନିୟେଲ ୭:୧୩, ୧୪, ୨୭ ପଦ ମୁତାବକ ଯିହୋବା କାହାକୁ ଏହି ପୃଥିବୀରେ ଶାସନ କରିବାର ଅଧିକାର ଦେବେ ଓ ଏଥିରୁ କʼଣ ଜଣାପଡ଼େ ?
୧୦ ଦାନିୟେଲ ୭:୧୩, ୧୪, ୨୭ ପଢ଼ନ୍ତୁ । ଈଶ୍ୱର ମନୁଷ୍ୟ ସରକାରର ଶାସନ କରିବାର ଅଧିକାର ଛଡ଼ାଇ ନେବେ ଓ ସେମାନଙ୍କୁ ଦେବେ ଯେଉଁମାନେ ସେମାନଙ୍କଠୁ ବି ଅଧିକ ଯୋଗ୍ୟ ଓ ଶକ୍ତିଶାଳୀ ଅଟନ୍ତି । ସେ ଏହି ଅଧିକାର କାହାକୁ ଦେବେ ? ‘ମନୁଷ୍ୟପୁତ୍ର ନ୍ୟାୟ ଏକ ପୁରୁଷଙ୍କୁ’ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କୁ ଏବଂ ‘ସର୍ବୋପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ’ ଅର୍ଥାତ୍ ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଦେବେ ଏବଂ ସେମାନେ “ଅନନ୍ତ କାଳ” ଯାଏ ଶାସନ କରିବେ । (ଦାନି. ୭:୧୮) କେବଳ ଯିହୋବା ହିଁ ମନୁଷ୍ୟ ସରକାରରୁ ଅଧିକାର ଛଡ଼ାଇ ନେଇପାରିବେ ଓ ଅନ୍ୟ କାହାରିକୁ ଦେଇପାରିବେ । ସତରେ, ସେ ହିଁ “ସର୍ବୋପରିସ୍ଥ” ଅର୍ଥାତ୍ ସବୁଠୁ ମହାନ ଅଟନ୍ତି ।
୧୧. ଦାନିୟେଲ ଆଉ କʼଣ ଲେଖିଲେ ଯେଉଁଥିରୁ ଜଣାପଡ଼େ ଯେ ଯିହୋବାଙ୍କ ପାଖରେ ହିଁ ସବୁଠୁ ଅଧିକ ଅଧିକାର ଅଛି ?
୧୧ ଦାନିୟେଲ ୭ ଅଧ୍ୟାୟରେ ଦିଆଯାଇଥିବା ଦର୍ଶନ ଛଡ଼ା ଦାନିୟେଲ ଆଗରୁ ବି କିଛି ଏପରି ଲେଖିଥିଲେ ଯେଉଁଥିରୁ ଜଣାପଡ଼େ ଯେ ଯିହୋବା କାହାରିଠାରୁ ବି ଅଧିକାର ଛଡ଼ାଇ ନେଇପାରିବେ ଓ ଅନ୍ୟ କାହାରିକୁ ଦେଇପାରିବେ । ସେ ଲେଖିଥିଲେ, ‘ସ୍ୱର୍ଗସ୍ଥ ପରମେଶ୍ୱର ରାଜଗଣକୁ ପଦଚ୍ୟୁତ କରନ୍ତି ଓ ରାଜଗଣକୁ ପଦସ୍ଥ କରନ୍ତି ।’ ସେ ଏହା ବି କହିଥିଲେ, “ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି ।” (ଦାନି. ୨:୧୯-୨୧; ୪:୧୭) କʼଣ ଆପଣଙ୍କୁ ବାଇବଲର କୌଣସି ଏପରି ଘଟଣା ମନେଅଛି, ଯେବେ ଯିହୋବା କୌଣସି ରାଜାଙ୍କୁ ତାଙ୍କ ପଦବୀରୁ ହଟାଇଲେ କିମ୍ବା ଅନ୍ୟ କାହାରିକୁ ତାଙ୍କ ଜାଗାରେ ନିଯୁକ୍ତ କରିଲେ ?
ଯିହୋବା ବେଲ୍ଶତ୍ସରର ରାଜ୍ୟ ମାଦୀୟ ଓ ପାରସ୍ୟମାନଙ୍କୁ ଦେଲେ (ପାରାଗ୍ରାଫ ୧୨)
୧୨. କୌଣସି ଏପରି ଘଟଣା କହନ୍ତୁ ଯେବେ ଯିହୋବା କୌଣସି ରାଜାକୁ ତାʼ ପଦବୀରୁ ହଟାଇ ଦେଲେ ? (ଚିତ୍ର ମଧ୍ୟ ଦେଖନ୍ତୁ)
୧୨ ବାଇବଲରେ ଏପରି ଅନେକ ଘଟଣା ବିଷୟରେ କୁହାଯାଇଛି ଯେଉଁଥିରୁ ଜଣାପଡ଼େ ଯେ ଯିହୋବାଙ୍କ ପାଖରେ ‘ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କଠାରୁ’ ସବୁଠୁ ବେଶି ଅଧିକାର ଅଛି । ଆସନ୍ତୁ ସେ ମଧ୍ୟରୁ ତିନୋଟି ଘଟଣା ଉପରେ ଧ୍ୟାନ ଦେବା । ମିଶରର ରାଜା ଫାରୋ ଈଶ୍ୱରଙ୍କ ଲୋକମାନଙ୍କୁ ନିଜ ବନ୍ଦୀ କରି ନେଇଥିଲା । ଯିହୋବା ମୋଶାଙ୍କ ଜରିଆରେ ତାକୁ ଅନେକଥର କହିଲେ ଯେ ସେ ଯିହୋବାଙ୍କ ଲୋକମାନଙ୍କୁ ଛାଡ଼ିଦେଉ କିନ୍ତୁ ଫାରୋ ସ୍ପଷ୍ଟ ଭାବେ ମନା କରିଦେଲା । ଶେଷରେ ଯିହୋବା ନିଜ ଲୋକମାନଙ୍କୁ ସେଇଠୁ ବାହାର କରି ନେଇଗଲେ ଓ ଫାରୋକୁ ଲୋହିତ ସାଗରରେ ବୁଡ଼େଇ ମାରିଦେଲେ । (ଯାତ୍ରା. ୧୪:୨୬-୨୮; ଗୀତ. ୧୩୬:୧୫) ତାʼର ଅନେକ ବର୍ଷ ପରେ ଦିନେ ବାବିଲର ରାଜା ବେଲ୍ଶତ୍ସର ଗୋଟିଏ ବଡ଼ ଉତ୍ସବ ରଖିଲା ଆଉ ‘ସ୍ୱର୍ଗର ଅଧିପତିଙ୍କ ବିରୁଦ୍ଧରେ ଆଉଣାକୁ ଉନ୍ନତ କଲା ।’ ସେ ଯିହୋବାଙ୍କ ପରିବର୍ତ୍ତେ ‘ରୂପାର ଓ ସୁନାର ଦେବଗଣର ପ୍ରଶଂସା କଲା ।’ (ଦାନି. ୫:୨୨, ୨୩) କିନ୍ତୁ ଯିହୋବା ତାʼର ଅହଂକାର ଭାଙ୍ଗି ଦେଲେ । ସେହି “ରାତ୍ରିରେ” ବେଲ୍ଶତ୍ସରକୁ ହତ୍ୟା କରି ଦିଆଗଲା ଆଉ ତାʼ ରାଜ୍ୟ ମାଦୀୟ ଓ ପାରସ୍ୟମାନଙ୍କୁ ଦିଆଗଲା । (ଦାନି. ୫:୨୮, ୩୦, ୩୧) ଅନେକ ବର୍ଷ ପରେ, ପାଲେଷ୍ଟାଇନ୍ର ରାଜା ହେରୋଦ ଅଗ୍ରିପ୍ପା ପ୍ରଥମ ପ୍ରେରିତ ଯାକୁବଙ୍କୁ ହତ୍ୟା କରାଇଦେଲା ଓ ପିତରଙ୍କୁ ବି ହତ୍ୟା କରାଇବା ପାଇଁ ଗିରଫ କରିନେଲା । କିନ୍ତୁ ଯିହୋବା ଏପରି ହେବାକୁ ଦେଲେନି । ସେ ନିଜ ଗୋଟିଏ ସ୍ୱର୍ଗଦୂତଙ୍କ ଜରିଆରେ ହେରୋଦକୁ ଦଣ୍ଡ ଦେଲେ ଓ କିଛି ସମୟ ପରେ ତାʼର ମୃତ୍ୟୁ ହୋଇଗଲା ।—ପ୍ରେରି. ୧୨:୧-୫, ୨୧-୨୩.
୧୩. ଯେବେ ଅନେକ ରାଜା ମିଶି ଯିହୋବାଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କଲେ, ତେବେ ମଧ୍ୟ ଯିହୋବା କʼଣ ପ୍ରମାଣିତ କଲେ ? ଉଦାହରଣ ଦିଅନ୍ତୁ ।
୧୩ ଅନେକଥର ଏପରି ହୋଇଛି ଯେ ଅନେକ ରାଜା ମିଶି ଯିହୋବାଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କଲେ । ସେସମୟରେ ବି ଯିହୋବା ପ୍ରମାଣିତ କଲେ ଯେ ସେ ସେମାନଙ୍କଠାରୁ ସବୁଠୁ ମହାନ ଅଟନ୍ତି । ଯେପରି, ଯେବେ ଇସ୍ରାଏଲୀୟମାନଙ୍କୁ ପ୍ରତିଜ୍ଞାତ ଦେଶରେ କବ୍ଜା କରିବାର ଥିଲା, ତେବେ କିଣାନର ୩୧ ଜଣ ରାଜା ମିଶି ଇସ୍ରାଏଲୀୟମାନଙ୍କୁ ରୋକିବା ପାଇଁ ଚେଷ୍ଟା କଲେ । ତେବେ ଯିହୋବା ଇସ୍ରାଏଲୀୟମାନଙ୍କ ତରଫରୁ ଲଢ଼ିଲେ ଓ ସେ ସମସ୍ତ ରାଜାଙ୍କୁ ଯୁଦ୍ଧରେ ହରାଇଲେ । (ଯିହୋ. ୧୧:୪-୬, ୨୦; ୧୨:୧, ୭, ୨୪) ଆଉଥରେ ଯେବେ ଅରାମର ରାଜା ବିନ୍ହଦଦ୍ ଆଉ ୩୨ ଜଣ ରାଜାଙ୍କ ସାଙ୍ଗରେ ମିଶି ଇସ୍ରାଏଲ ସହ ଲଢ଼ିଲା, ତେବେ ବି ଯିହୋବା ସେସମସ୍ତଙ୍କୁ ଯୁଦ୍ଧରେ ହରାଇଲେ ।—୧ ରାଜା. ୨୦:୧, ୨୬-୨୯.
୧୪-୧୫. (କ) ରାଜା ନବୂଖଦ୍ନିତ୍ସର ଓ ରାଜା ଦାରୀୟାବସ ଯିହୋବାଙ୍କ ଅଧିକାର ବିଷୟରେ କʼଣ କହିଲେ ? (ଖ) ଗୀତସଂହିତାର ଜଣେ ଲେଖକ ଯିହୋବା ଓ ତାଙ୍କ ଲୋକମାନଙ୍କ ବିଷୟରେ କʼଣ କହିଲେ ?
୧୪ ଯିହୋବା ଅନେକଥର ପ୍ରମାଣିତ କରିଛନ୍ତି ଯେ ସେ ହିଁ ସବୁଠୁ ମହାନ ଅଟନ୍ତି ଏବଂ କିଛି ରାଜା ମଧ୍ୟ ଏକଥାକୁ ମାନିଲେ । ଥରେ ବାବିଲର ରାଜା ନବୂଖଦ୍ନିତ୍ସର ନିଜ ଉପରେ ବହୁତ ଅହଂକାର କରୁଥିଲା । ସେ କହିଲା ଯେ ସେ ନିଜ ବଳରେ ହିଁ ନିଜ ପୂରା ରାଜ୍ୟ ସ୍ଥାପନ କରିଛି ଏବଂ ସେ ହିଁ ସବୁଠୁ ମହାନ ଅଟେ । ତେଣୁ ଯିହୋବା ତାକୁ ଦଣ୍ଡ ଦେଲେ ଆଉ ସେ ପାଗଳ ହୋଇଗଲା । କିନ୍ତୁ ଯେବେ ସେ ଠିକ୍ ହେଲା, ତେବେ ସେ ମାନିଲା ଯେ ଯିହୋବା ହିଁ ସବୁଠୁ ମହାନ ଅଟନ୍ତି । ସେ ‘ସର୍ବୋପରିସ୍ଥଙ୍କର ପ୍ରଶଂସା କଲା’ ଆଉ ସେ କହିଲା, ‘ଯିହୋବାଙ୍କର କର୍ତ୍ତୃତ୍ୱ [ବା ଶାସନ] ଅନନ୍ତକାଳୀନ’ ଅଟେ । ସେ ଏହା ମଧ୍ୟ କହିଲା ଯେ କେହି ମଧ୍ୟ ଯିହୋବାଙ୍କୁ ନିଜ ଇଚ୍ଛା ପୂରା କରିବାରୁ ରୋକିପାରିବ ନାହିଁ । (ଦାନି. ୪:୩୦, ୩୩-୩୫) ଆଉ ମନେ ପକାନ୍ତୁ, ଯେବେ ଦାନିୟେଲ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ଏବଂ ତାʼଯୋଗୁଁ ତାଙ୍କୁ ସିଂହମାନଙ୍କର ଗୁମ୍ଫାରେ ଫିଙ୍ଗି ଦିଆଗଲା, ତେବେ କʼଣ ହେଲା । ଯିହୋବା ତାଙ୍କୁ ରକ୍ଷା କଲେ ଏବଂ ଯେବେ ରାଜା ଦାରୀୟାବସ ଏହା ଦେଖିଲେ, ତେବେ ସେ ଘୋଷଣା କଲେ, “ଲୋକମାନେ ଦାନିୟେଲଙ୍କର ପରମେଶ୍ୱରଙ୍କ ଛାମୁରେ କମ୍ପିତ ଓ ଭୀତ ହେଉନ୍ତୁ; କାରଣ ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି ଓ ତାହାଙ୍କର ରାଜ୍ୟ ଅବିନାଶ୍ୟ ଅଟେ, ପୁଣି ତାହାଙ୍କର କର୍ତ୍ତୃତ୍ୱ ଶେଷ ପର୍ଯ୍ୟନ୍ତ ହିଁ ଥିବ ।”—ଦାନି. ୬:୭-୧୦, ୧୯-୨୨, ୨୬, ୨୭.
୧୫ ଗୀତସଂହିତାର ଜଣେ ଲେଖକ କହିଲେ, ‘ଯିହୋବା ଗୋଷ୍ଠୀୟମାନଙ୍କର ମନ୍ତ୍ରଣା [“ଷଡ଼ଯନ୍ତ୍ର,” NWT] ବ୍ୟର୍ଥ କରନ୍ତି; ସେ ଜନବୃନ୍ଦର ସଙ୍କଳ୍ପସବୁ ବିଫଳ କରନ୍ତି ।’ ସେ ଏହା ମଧ୍ୟ କହିଲେ, ‘ଯିହୋବା ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ; ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ ।’ (ଗୀତ. ୩୩:୧୦, ୧୨) ସତରେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ଆମର ହିଁ ଲାଭ ହୁଏ ।
ଶେଷ ଯୁଦ୍ଧର ପରିଣାମ
ଯିହୋବା ଈଶ୍ୱର ଓ ତାଙ୍କ ସ୍ୱର୍ଗୀୟ ସେନା ଆଗରେ ରାଷ୍ଟ୍ରଗୁଡ଼ିକର ଏକତ୍ରିକରଣ କିଛି ବି କରିପାରିବନି ! (ପାରାଗ୍ରାଫ ୧୬-୧୭)
୧୬. “ମହାକ୍ଳେଶ” ସମୟରେ ଯିହୋବା କʼଣ କରିବେ ଓ ଆମେ କାହିଁକି ଏକଥା ଉପରେ ଭରସା କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ଏବେ ଯାଏ ଆମେ ବାଇବଲରେ ଏପରି ଅନେକ ଘଟଣା ଦେଖିଲୁ ଯେଉଁଥିରୁ ଜଣାପଡ଼େ ଯେ ଯିହୋବାଙ୍କ ପାଖରେ ହିଁ ସବୁଠୁ ଅଧିକ ଅଧିକାର ଅଛି । ଆଉ ଯେବେ ବି ତାଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରାଗଲା, ତେବେ ସେ ତାଙ୍କ ରକ୍ଷା କଲେ । ଖୁବ୍ ଶୀଘ୍ର “ମହାକ୍ଳେଶ” ସମୟରେ ଅନେକ ରାଷ୍ଟ୍ର ପରସ୍ପର ସହ ମିଶି ଏକତ୍ରିକରଣ ହୋଇ ସାରା ଦୁନିଆରେ ଥିବା ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରିବେ । (ମାଥି. ୨୪:୨୧) ବାଇବଲରେ ରାଷ୍ଟ୍ରଗୁଡ଼ିକର ଏହି ସମୂହକୁ ମାଗୋଗ୍ ଦେଶୀୟ ଗୋଗ୍ କୁହାଯାଇଛି । ଆମେ ଭରସା ରଖିପାରିବା ଯେ ପ୍ରାଚୀନ ସମୟ ଭଳି ଯିହୋବା ସେସମୟରେ ବି ନିଜ ବିଶ୍ୱସ୍ତ ସେବକମାନଙ୍କ ରକ୍ଷା କରିବେ । (ଦାନି. ୧୨:୧) ଯଦି ଏହି ରାଷ୍ଟ୍ରଗୁଡ଼ିକର ଏକତ୍ରିକରଣରେ ମିଳିତ ଜାତିସଂଘର ୧୯୩ ସଦସ୍ୟ ମିଶିଗଲେ ବି ସେମାନେ ସବୁଠୁ ମହାନ ଯିହୋବା ଈଶ୍ୱର ଓ ତାଙ୍କ ସ୍ୱର୍ଗୀୟ ସେନାଙ୍କ ଆଗରେ କିଛି ନୁହନ୍ତି । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ “ଆମ୍ଭେ ଆପଣାକୁ ମହାନ କରିବା ଓ ଆପଣାକୁ ପବିତ୍ରୀକୃତ କରିବା, ଆଉ ଅନେକ ଗୋଷ୍ଠୀର ସାକ୍ଷାତରେ ଆପଣାର ପରିଚୟ ଦେବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।”—ଯିହି. ୩୮:୧୪-୧୬, ୨୩; ଗୀତ. ୪୬:୧୦.
୧୭. ଭବିଷ୍ୟତରେ ପୃଥିବୀର ରାଜାମାନଙ୍କ ଏବଂ ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କର କʼଣ ହେବ ?
୧୭ ଯେବେ ମାଗୋଗ୍ ଦେଶୀୟ ଗୋଗ୍ ଯିହୋବାଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରିବ, ତେବେ ଯିହୋବା ନିଜ ଲୋକମାନଙ୍କୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବେ ଏବଂ ତେବେ ହର୍ମିଗିଦ୍ଦୋନ୍ ଯୁଦ୍ଧ ଆରମ୍ଭ ହୋଇଯିବ । ଏହି ଯୁଦ୍ଧରେ ଯିହୋବା “ସମସ୍ତ ଜଗତର ରାଜାମାନଙ୍କୁ” ବିନାଶ କରିଦେବେ । (ପ୍ରକା. ୧୬:୧୪, ୧୬; ୧୯:୧୯-୨୧) କିନ୍ତୁ ଯିହୋବା “ସଦ୍ଭକ୍ତମାନଙ୍କ ପ୍ରାଣ ରକ୍ଷା” କରିବେ ଏବଂ ତାʼପରେ କେବଳ ସେମାନେ ପୃଥିବୀରେ ବଞ୍ଚିବେ ।—ଗୀତ. ୯୭:୧୦.
ଯିହୋବାଙ୍କ ବିଶ୍ୱସ୍ତ ହୋଇ ରହନ୍ତୁ
୧୮. ଯିହୋବାଙ୍କ ଅନେକ ସେବକ କʼଣ କଲେ ଏବଂ କାହିଁକି ? (ଦାନିୟେଲ ୩:୨୮)
୧୮ ଯିହୋବାଙ୍କ ଏପରି ଅନେକ ସେବକ ଥିଲେ ଯେଉଁମାନେ ସବୁ ପରିସ୍ଥିତିରେ ତାଙ୍କ ବିଶ୍ୱସ୍ତ ରହିଲେ । ସେମାନଙ୍କୁ ଏହା ଚିନ୍ତା ନ ଥିଲା ଯେ ସେମାନଙ୍କୁ ବନ୍ଦୀ କରାଯିବ କିମ୍ବା ତାଙ୍କ ଜୀବନ ବିପଦରେ ପଡ଼ିଯିବ । ଆଜି ମଧ୍ୟ ଏପରି ଅନେକ ବିଶ୍ୱସ୍ତ ଭାଇଭଉଣୀମାନେ ଅଛନ୍ତି । ସେମାନେ ଯିହୋବାଙ୍କୁ ବହୁତ ପ୍ରେମ କରନ୍ତି ଏବଂ ବିଶ୍ୱାସ କରନ୍ତି ଯେ ସେ ହିଁ ସାରା ଦୁନିଆର ମାଲିକ ଅଟନ୍ତି ଓ ତାଙ୍କୁ ହିଁ ଆମ ଉପରେ ଶାସନ କରିବାର ଅଧିକାର ଅଛି । ସେମାନେ ସେହି ତିନି ଏବ୍ରୀ ଯୁବାଙ୍କ ଭଳି ଅଟନ୍ତି, ଯେଉଁମାନେ ଯେକୌଣସି ପରିସ୍ଥିତିରେ ବି ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଚାହୁଁଥିଲେ ଏବଂ ଅଗ୍ନିକୁଣ୍ଡରେ ଯିବା ପାଇଁ ବି ପ୍ରସ୍ତୁତ ଥିଲେ ।—ଦାନିୟେଲ ୩:୨୮ ପଢ଼ନ୍ତୁ ।
୧୯. (କ) ଯିହୋବା କେଉଁ ହିସାବରେ ନିଜ ଲୋକମାନଙ୍କ ନ୍ୟାୟ କରିବେ ? (ଖ) ଆଜି ଆମେ କʼଣ କରିବା ଉଚିତ୍ ?
୧୯ ଗୀତସଂହିତାର ଜଣେ ଲେଖକ କହିଲେ ଯେ ଯିହୋବା ଯେବେ ନିଜ ଲୋକମାନଙ୍କ ନ୍ୟାୟ କରିବେ, ତେବେ ସେ ଦେଖିବେ ଯେ କିଏ ତାଙ୍କ ବିଶ୍ୱସ୍ତ ଅଟନ୍ତି । ସେସମୟରେ ଯିହୋବା କହିବେ, “ଆମର ସେହି ସଦ୍ଭକ୍ତଗଣଙ୍କୁ ଆମ୍ଭ ନିକଟରେ ଏକତ୍ର କର ।” (ଗୀତ. ୫୦:୪, ୫) ଦାଉଦ ମଧ୍ୟ ଲେଖିଲେ, “ସଦାପ୍ରଭୁ ନ୍ୟାୟ ବିଚାର ଭଲ ପାଆନ୍ତି ଓ ଆପଣା ସଦ୍ଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ; ସେମାନେ ଅନନ୍ତକାଳ ରକ୍ଷିତ ହୁଅନ୍ତି ।” (ଗୀତ. ୩୭:୨୮) ଏଥରୁ ଜଣାପଡ଼େ ଯେ ଯିହୋବାଙ୍କ ବିଶ୍ୱସ୍ତ ରହିବା କାହିଁକି ଏତେ ଜରୁରୀ ଅଟେ, ଏଥିରୁ ଆମର ହିଁ ଲାଭ ହୁଏ । ତେବେ ଆସନ୍ତୁ ଆମେ ଦୃଢ଼ ନିଷ୍ପତ୍ତି ନେବା ଯେ ଯାହା ବି ହେଇଯାଉ ନା କାହିଁକି, ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା । ତେବେ ଆମେ ବି ଗୀତସଂହିତାର ଲେଖକଙ୍କ ଭଳି ‘ଆନନ୍ଦଧ୍ୱନି କରିବା ।’—ଗୀତ. ୧୩୨:୯.
ଗୀତ ୧୨୨ ଆଟଲ୍ ରହେଁ !
a ବାଇବଲରେ ଖ୍ରୀଷ୍ଟିୟାନମାନଙ୍କୁ ଆଜ୍ଞା ଦିଆଯାଇଛି ଯେ ସେମାନେ ଅଧିକାର ପ୍ରାପ୍ତ ଶାସନକର୍ତ୍ତାମାନଙ୍କ ଅର୍ଥାତ୍ ଦୁନିଆର ସରକାରଗୁଡ଼ିକର ଅଧୀନରେ ରହନ୍ତୁ । କିନ୍ତୁ କିଛି ସରକାରଗୁଡ଼ିକ ଯିହୋବା ଓ ତାଙ୍କ ଲୋକମାନଙ୍କ ବିରୋଧ କରନ୍ତି । ଏପରି ସମୟରେ ଆମେ ସରକାରଗୁଡ଼ିକର ଅଧୀନରେ ରହିବା ସହିତ ଯିହୋବାଙ୍କ ବିଶ୍ୱସ୍ତ କିପରି ରହିପାରିବା ।
b ପ୍ରହରୀଦୁର୍ଗର ଏହି ସଂଖ୍ୟା ଦିଆଯାଇଥିବା “ଆଗାର ଇସ୍ରାଏଲୀୟୋଁ ନେ ୟୁଦ୍ଧ ଲଡ଼େ ଥେ, ତୋ ହାମ କ୍ୟୁଁ ନାହିଁ ଲାଡ଼ ସାକତେ ?” ସଂଖ୍ୟା ଦେଖନ୍ତୁ ।