ଅଧ୍ୟୟନ ଲେଖା ୪୩
ପ୍ରକୃତ ବୁଦ୍ଧି ଉଚ୍ଚସ୍ୱରରେ ଡାକୁଛି !
“ଜ୍ଞାନ [“ବୁଦ୍ଧି,” NWT] ରାସ୍ତାରେ ଉଚ୍ଚସ୍ୱରରେ ଡାକେ; ସେ ଛକ ସ୍ଥାନମାନଙ୍କରେ ଆପଣା ରବ ଶୁଣାଏ ।”—ହିତୋ. ୧:୨୦.
ଗୀତ ୮୮ ମୁଝେ ଆପନି ରାହେଁ ଶିଖା
ଲେଖାର ଝଲକa
୧. ଯେବେ ଆମେ ଲୋକମାନଙ୍କୁ ବାଇବଲର ବୁଦ୍ଧିଭରା କଥାଗୁଡ଼ିକୁ କହୁ, ତେବେ ଅନେକ ଲୋକ କʼଣ କରନ୍ତି ? (ହିତୋପଦେଶ ୧:୨୦, ୨୧)
ଅନେକ ଦେଶରେ ଆମ ଭାଇଭଉଣୀ ଭିଡ଼ ଥିବା ଛକରେ ଲୋକମାନଙ୍କୁ ପ୍ରଚାର କରି ଆସୁଛନ୍ତି । ସେମାନେ ଖୁସିର ସହ ସଡ଼କ କଡ଼ରେ ଛିଡ଼ା ହୋଇ ଆସୁଥିବା ଲୋକମାନଙ୍କୁ ସାକ୍ଷ୍ୟ ଦିଅନ୍ତି । କʼଣ ଆପଣ ବି କେବେ ଲୋକମାନଙ୍କୁ ଏପରି ଭାବେ ପ୍ରଚାର କରିଛନ୍ତି ଓ ସେମାନଙ୍କୁ ପଢ଼ିବା ପାଇଁ କିଛି ଦେଇଛନ୍ତି ? ସେସମୟରେ ଆପଣ ହୁଏତ ହିତୋପଦେଶ ବହିରେ ଲେଖାଥିବା ଗୋଟିଏ କଥା ବିଷୟରେ ଭାବିଥିବେ । ତାହା ଅଟେ ପ୍ରକୃତ ବୁଦ୍ଧି ଛକ ସ୍ଥାନମାନଙ୍କରେ ଆପଣା ରବ ଶୁଣାଏ, ଯାହାଦ୍ୱାରା ଲୋକମାନେ ତାʼର ଶୁଣନ୍ତୁ । (ହିତୋପଦେଶ ୧:୨୦, ୨୧ ପଢ଼ନ୍ତୁ ।) ବାଇବଲ ଓ ଆମ ପ୍ରକାଶନଗୁଡ଼ିକରେ ପ୍ରକୃତ ବୁଦ୍ଧି ଅର୍ଥାତ୍ ଯିହୋବାଙ୍କ ବୁଦ୍ଧିଭରା କଥାଗୁଡ଼ିକ ମିଳେ । ତେଣୁ ଯେବେ ବି ଲୋକମାନେ ଆମ ପ୍ରକାଶନ ନିଅନ୍ତି ତେବେ ଆମକୁ ବହୁତ ଖୁସି ଲାଗେ, କାରଣ ସେଥିରେ ଥିବା କଥା ପଢ଼ିଲେ ସେମାନଙ୍କୁ ଆଗକୁ ଯାଇ ଅନନ୍ତ ଜୀବନ ମିଳିପାରିବ । କିନ୍ତୁ ସମସ୍ତେ ଆମ ପ୍ରକାଶନ ନିଅନ୍ତି ନାହିଁ । କିଛି ଲୋକମାନେ ବିଲକୁଲ୍ ଶୁଣିବା ପାଇଁ ଚାହାନ୍ତି ନାହିଁ ଯେ ବାଇବଲରେ କʼଣ ଲେଖାଅଛି । କିଛି ଲୋକ ଆମ ମଜାକ ଉଡ଼ାନ୍ତି, ସେମାନଙ୍କୁ ଲାଗେ ଯେ ବାଇବଲ ପୁରୁଣାକାଳିଆ ବହି ଅଟେ ଆଉ ଏଥିରେ ଲେଖାଥିବା କଥାଗୁଡ଼ିକ ଆଜି ଆମ କିଛି କାମରେ ଆସିବନି । ଆଉ କିଛି ଲୋକ ବାଇବଲ ସ୍ତରଗୁଡ଼ିକୁ ପସନ୍ଦ କରନ୍ତି ନାହିଁ ଏବଂ ସେମାନେ ନିଜ ହିସାବରେ ବଞ୍ଚିବା ପାଇଁ ଚାହାନ୍ତି । ଏପରି ଲୋକମାନେ ଆମ ବିଷୟରେ ଖରାପ କଥା କହନ୍ତି, କାରଣ ସେମାନଙ୍କୁ ଲାଗେ ଯେ ଆମେ ଟିକେ ବେଶି ହିଁ ଆଇନ-କାନୁନ ମାନୁ । ଯଦିଓ ଆଜି କିଛି ଲୋକ ଯିହୋବାଙ୍କ ବୁଦ୍ଧିଭରା କଥାଗୁଡ଼ିକୁ ଶୁଣନ୍ତି ନାହିଁ, ତଥାପି ଯିହୋବା ପ୍ରତ୍ୟେକଙ୍କୁ ପ୍ରକୃତ ବୁଦ୍ଧି ପାଇବାର ସୁଯୋଗ ଦେଉଛନ୍ତି । ସେ ଏହା କିପରି କରୁଛନ୍ତି ?
୨. ଆମେ ପ୍ରକୃତ ବୁଦ୍ଧି କେଉଁଠୁ ପାଇପାରିବା ? କିନ୍ତୁ ଅଧିକାଂଶ ଲୋକ କʼଣ କରନ୍ତି ?
୨ ଯିହୋବା ନିଜ ବାକ୍ୟ ବାଇବଲ ଜରିଆରେ ଲୋକମାନଙ୍କୁ ବୁଦ୍ଧିଭରା କଥାଗୁଡ଼ିକୁ ଶିଖାନ୍ତି । ଆଜି ପ୍ରାୟ ସମସ୍ତେ ସେହି ଭାଷାରେ ବାଇବଲ ପଢ଼ିପାରିବେ ଯେଉଁ ଭାଷା ସେମାନେ ବୁଝନ୍ତି । ଯିହୋବା ବାଇବଲ ଆଧାରିତ ପ୍ରକାଶନଗୁଡ଼ିକ ଜରିଆରେ ବି ଆମକୁ ଶିଖାନ୍ତି । ଏହି ପ୍ରକାଶନଗୁଡ଼ିକ ୧,୦୦୦ରୁ ବି ଅଧିକ ଭାଷାରେ ଉପଲବ୍ଧ ଅଛି । ଯେଉଁମାନେ ଯିହୋବାଙ୍କ କଥା ଶୁଣନ୍ତି ଅର୍ଥାତ୍ ବାଇବଲ ଓ ତାʼ ଆଧାରିତ ପ୍ରକାଶନଗୁଡ଼ିକୁ ପଢ଼ନ୍ତି ଓ ସେଥିରେ ଲେଖାଥିବା କଥାଗୁଡ଼ିକୁ ମାନନ୍ତି, ସେମାନଙ୍କୁ ଲାଭ ହୁଏ । କିନ୍ତୁ ଅଧିକାଂଶ ଲୋକ ଯିହୋବାଙ୍କ କଥା ଶୁଣନ୍ତି ନାହିଁ । ଯେବେ ବି ସେମାନେ କୌଣସି ନିଷ୍ପତ୍ତି ନିଅନ୍ତି, ସେମାନେ ନିଜ ହୃଦୟର ଶୁଣନ୍ତି କିମ୍ବା ଅନ୍ୟମାନଙ୍କଠାରୁ ପରାମର୍ଶ ନିଅନ୍ତି । ଆଉ ଯେବେ କେହି ବାଇବଲରେ ଲେଖାଥିବା କଥାଗୁଡ଼ିକୁ ମାନେ, ତେବେ ଅନେକ ଥର ସେମାନେ ତାʼର ଅପମାନ କରନ୍ତି । ଏହି ଲେଖାରେ ଆମେ ଜାଣିବା ଯେ ଲୋକେ ଏପରି କାହିଁକି କରନ୍ତି । କିନ୍ତୁ ଆସନ୍ତୁ ପ୍ରଥମେ ଜାଣିବା ଯେ ଆମକୁ ଯିହୋବାଙ୍କ ବୁଦ୍ଧି ପାଇବା ପାଇଁ କʼଣ କରିବାକୁ ପଡ଼ିବ ।
ଯିହୋବାଙ୍କ ବିଷୟରେ ଜାଣିବା ଓ ବୁଦ୍ଧି ପାଇବା
୩. ପ୍ରକୃତ ବୁଦ୍ଧିର ଅର୍ଥ କʼଣ ?
୩ ଆମେ ଏପରି ବ୍ୟକ୍ତିକୁ ବୁଦ୍ଧିମାନ କହିପାରିବା ଯିଏ ବୁଝିବିଚାରି କାମ କରେ ଏବଂ ଭଲ ନିଷ୍ପତ୍ତି ନିଏ । କିନ୍ତୁ ଯଦି ଆମେ ପ୍ରକୃତ ବୁଦ୍ଧି ବିଷୟରେ ଦେଖିବା, ତେବେ ତାʼ ବିଷୟରେ ବାଇବଲରେ ଲେଖାଅଛି, “ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର [“ବୁଦ୍ଧି,” NWT] ଆରମ୍ଭ, ପୁଣି ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ସୁବିବେଚନା ଅଟେ ।” (ହିତୋ. ୯:୧୦) ସେଥିପାଇଁ ଯେବେ ବି ଆମକୁ କୌଣସି ଜରୁରୀ ନିଷ୍ପତ୍ତି ନେବାର ଥାଏ, ତେବେ ଆମକୁ ଯିହୋବାଙ୍କ ଚିନ୍ତାଧାରା ଜାଣିବା ପାଇଁ ଚେଷ୍ଟା କରିବା ଉଚିତ୍ । ଆମେ ତାଙ୍କ ଚିନ୍ତାଧାରା କିପରି ଜାଣିପାରିବା ? ବାଇବଲ ଓ ବାଇବଲ ଆଧାରିତ ପ୍ରକାଶନ ପଢ଼ି । ଯେବେ ଥରେ ଆମେ ତାଙ୍କ ଚିନ୍ତାଧାରା ଜାଣିଯିବା, ତେବେ ଆମେ ତାʼ ହିସାବରେ ନିଷ୍ପତ୍ତି ନେବା । ସେଥିରୁ ଜଣାପଡ଼ିବ ଯେ ଆମଠାରେ ପ୍ରକୃତ ବୁଦ୍ଧି ଅଛି ।—ହିତୋ. ୨:୫-୭.
୪. ଆମେ କାହିଁକି କହିପାରିବା ଯେ ଆମକୁ ଯିହୋବାଙ୍କଠାରୁ ହିଁ ପ୍ରକୃତ ବୁଦ୍ଧି ମିଳିପାରିବ ?
୪ ପ୍ରକୃତ ବୁଦ୍ଧି ଆମକୁ ଯିହୋବାଙ୍କଠାରୁ ହିଁ ମିଳିପାରିବ । (ରୋମୀ. ୧୬:୨୭) ଆମେ ଏପରି କାହିଁକି କହିପାରିବା ? ଏହାର ତିନୋଟି କାରଣ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରଥମ, ସେ ସବୁକିଛି ସୃଷ୍ଟି କରିଛନ୍ତି ଆଉ ସେ ନିଜ ସୃଷ୍ଟି ବିଷୟରେ ସବୁ ଜାଣନ୍ତି । (ଗୀତ. ୧୦୪:୨୪) ଦ୍ୱିତୀୟ, ସେ ଯାହା ବି କରନ୍ତି, ସେଥିରୁ ଜଣାପଡ଼େ ଯେ ସେ କେତେ ବୁଦ୍ଧିମାନ ଅଟନ୍ତି । (ରୋମୀ. ୧୧:୩୩) ଆଉ ତୃତୀୟ, ଯିହୋବାଙ୍କ ପରାମର୍ଶ ମାନିଲେ ସବୁବେଳେ ଲାଭ ହୁଏ । (ହିତୋ. ୨:୧୦-୧୨) ଯେବେ ଆମେ ଏକଥାଗୁଡ଼ିକ ବିଷୟରେ ଭାବିବା, ତେବେ ଆମକୁ ଭରସା ହୋଇଯିବ ଯେ ଯିହୋବା ହିଁ ଆମକୁ ପ୍ରକୃତ ବୁଦ୍ଧି ଦେଇପାରିବେ । ତାʼପରେ ଆମେ କୌଣସି କାମ କରିବା ପୂର୍ବରୁ କିମ୍ବା କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଯିହୋବାଙ୍କ ଚିନ୍ତାଧାରା ଜାଣିବା ପାଇଁ ଚେଷ୍ଟା କରିବା ।
୫. ଯେବେ ଲୋକମାନେ ଯିହୋବାଙ୍କ କଥା ଶୁଣିବା ପରିବର୍ତ୍ତେ ନିଜ ହିସାବରେ ଜୀବନ ବିତାନ୍ତି, ତେବେ କʼଣ ହୁଏ ?
୫ ଆଜି ଦୁନିଆରେ ଅନେକ ଲୋକ ସୃଷ୍ଟିକୁ ଦେଖି କହନ୍ତି ଯେ ଏହା କେତେ ଅଦ୍ଭୁତ ଅଟେ, କିନ୍ତୁ ସେମାନେ ଏହା ମାନନ୍ତି ନାହିଁ ଯେ କେହି ଏସବୁକୁ ସୃଷ୍ଟି କରିଛନ୍ତି । ସେମାନେ ବିବର୍ତ୍ତନର ଶିକ୍ଷାକୁ ମାନନ୍ତି । ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏହା ତ ମାନନ୍ତି ଯେ କୌଣସି ଈଶ୍ୱର ଅଛନ୍ତି, କିନ୍ତୁ ସେମାନଙ୍କୁ ବାଇବଲରେ ଲେଖାଥିବା କଥାଗୁଡ଼ିକ ପୁରୁଣାକାଳିଆ ଲାଗେ ଆଉ ସେମାନେ ନିଜ ହିସାବରେ ଜୀବନ ବିତାନ୍ତି । ଏହି ଲୋକମାନଙ୍କୁ ଲାଗେ ଯେ ସେମାନଙ୍କୁ ଈଶ୍ୱରଙ୍କ କୌଣସି ଆବଶ୍ୟକ ନାହିଁ ଏବଂ ସେମାନେ ନିଜ ନିଷ୍ପତ୍ତି ନିଜେ ନେଇପାରିବେ । କିନ୍ତୁ ଈଶ୍ୱରଙ୍କ ଶୁଣିବା ପରିବର୍ତ୍ତେ ନିଜ ବୁଦ୍ଧି ହିସାବରେ ଚାଲି କʼଣ ଲୋକମାନେ ଆଜି ଖୁସିରେ ଅଛନ୍ତି ? କʼଣ ସେମାନଙ୍କ ପାଖରେ ଭବିଷ୍ୟତର ଆଶା ଅଛି ? କʼଣ ପୃଥିବୀର ପରିସ୍ଥିତି ଭଲ ହୋଇଯାଇଛି ? ନା । ଏଥିରୁ ବାଇବଲରେ ଲେଖାଥିବା ଏକଥା ଉପରେ ଆମ ଭରସା ବଢ଼େ, “ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ ।” (ହିତୋ. ୨୧:୩୦) ସତରେ, ଯିହୋବା ହିଁ ଆମକୁ ପ୍ରକୃତ ବୁଦ୍ଧି ଦେଇପାରିବେ । କʼଣ ଏହା ଜାଣି ଆମକୁ ଇଚ୍ଛା ହୁଏନି ଯେ ଆମେ ଯିହୋବାଙ୍କୁ ବୁଦ୍ଧି ମାଗୁ ? କିନ୍ତୁ ଆସନ୍ତୁ ଦେଖିବା ଯେ ଅନେକ ଲୋକ କାହିଁକି ଯିହୋବାଙ୍କ କଥା ଶୁଣିବାକୁ ଚାହାନ୍ତି ନାହିଁ ।
ଅନେକ ଲୋକ ଯିହୋବାଙ୍କ ବୁଦ୍ଧିଭରା କଥାଗୁଡ଼ିକୁ କାହିଁକି ଶୁଣନ୍ତିନି ?
୬. ହିତୋପଦେଶ ୧:୨୨-୨୫ ପଦ ଅନୁସାରେ, କେଉଁମାନେ ପ୍ରକୃତ ବୁଦ୍ଧିର ଉଚ୍ଚସ୍ୱର ଶୁଣନ୍ତି ନାହିଁ ?
୬ ଯେବେ ‘ପ୍ରକୃତ ବୁଦ୍ଧି ରାସ୍ତାରେ ଉଚ୍ଚସ୍ୱରରେ ଡାକେ,’ ତେବେ ଅନେକ ଲୋକ ଯେପରି ତାହା ଶୁଣିବା ପାଇଁ ଚାହାନ୍ତି ନାହିଁ । ବାଇବଲରେ କୁହାଯାଇଛି ଯେ ତିନି ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କ ବୁଦ୍ଧିଭରା କଥାଗୁଡ଼ିକୁ ଶୁଣନ୍ତି ନାହିଁ । ସେମାନେ ହେଉଛନ୍ତି, “ନିର୍ବୋଧ,” “ନିନ୍ଦୁକ” ଓ “ମୂର୍ଖ” ଲୋକମାନେ । (ହିତୋପଦେଶ ୧:୨୨-୨୫ ପଢ଼ନ୍ତୁ ।) ଆସନ୍ତୁ ଦେଖିବା ଯେ ଏହି ଲୋକମାନେ ଈଶ୍ୱରଙ୍କ କଥା କାହିଁକି ଶୁଣନ୍ତି ନାହିଁ ଏବଂ ଆମେ ସେମାନଙ୍କ ଭଳି ନ ହେବା ପାଇଁ କʼଣ କରିପାରିବା ।
୭. କିଛି ଲୋକ କାହିଁକି ‘ନିର୍ବୋଧ’ ହୋଇ ରହନ୍ତି ?
୭ “ନିର୍ବୋଧ” ଲୋକ ଶୀଘ୍ର ଅନ୍ୟମାନଙ୍କ କଥାରେ ପଡ଼ିଯାଏ ଆଉ ସହଜରେ ଭ୍ରାନ୍ତ ହୋଇଯାଏ । (ହିତୋ. ୧୪:୧୫) ଆଜି ଦୁନିଆରେ ଏପରି ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ନେତା ଓ ଧର୍ମଗୁରୁମାନଙ୍କୁ ବହୁତ ମାନନ୍ତି । ସେମାନଙ୍କୁ ଯାହା ବି କୁହାଯାଏ, ସେମାନେ କରିବା ପାଇଁ ପ୍ରସ୍ତୁତ ଥାʼନ୍ତି । ପରେ ଯେବେ ସେମାନଙ୍କୁ ଜଣାପଡ଼େ ଯେ ଏତେ ସମୟରୁ ସେମାନଙ୍କୁ ଭ୍ରାନ୍ତ କରାଯାଇଛି, ତେବେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ବଡ଼ ଧକ୍କା ଲାଗେ । କିନ୍ତୁ କିଛି ଏପରି ଥାʼନ୍ତି ଯେଉଁମାନଙ୍କୁ କିଛି ଫରକ ପଡ଼େନି, ସେମାନେ ନିର୍ବୋଧ ହୋଇ ରହିବା ପାଇଁ ଚାହାନ୍ତି । ସେମାନଙ୍କୁ ସେହି ଧର୍ମଗୁରୁମାନଙ୍କ ହିସାବରେ ଚାଲିବା ବହୁତ ପସନ୍ଦ । (ଯିରି. ୫:୩୧) ପ୍ରଚାର କଲା ବେଳେ ଆମେ ଏପରି ହିଁ ଅନେକ ଲୋକଙ୍କୁ ଭେଟି ଥାଉ । ସେମାନେ ଜାଣିବା ପାଇଁ ହିଁ ଚାହାନ୍ତି ନାହିଁ ଯେ ବାଇବଲରେ କʼଣ ଲେଖାଅଛି ଏବଂ ସେମାନେ ତାହା ହିଁ କରନ୍ତି ଯାହା ସେମାନଙ୍କୁ ଠିକ୍ ଲାଗେ । କାନାଡ଼ାର କ୍ୟୁବେକ୍ ସହରର ଜଣେ ଭାଇ ପ୍ରଚାର କରିବା ସମୟରେ ଏପରି ହିଁ ଜଣେ ସ୍ତ୍ରୀଙ୍କୁ ଭେଟିଲେ । ସେ ନିଜ ପାଦ୍ରୀକୁ ବହୁତ ମାନୁଥିଲେ । ସେ ସେହି ଭାଇକୁ କହିଲେ, “ଯଦି ଆମ ପାଦ୍ରୀ ଆମକୁ ଭୁଲ ଶିଖାଉଛନ୍ତି, ତେବେ ତାହା ତାଙ୍କ ଭୁଲ ଅଟେ, ଆମ ଭୁଲ ନୁହେଁ ।” କିନ୍ତୁ ଆମେ ଏପରି ଲୋକମାନଙ୍କ ଭଳି ବିଲକୁଲ୍ ହେବା ପାଇଁ ଚାହୁଁନୁ ଯିଏ ଜାଣିଶୁଣି ନିର୍ବୋଧ ହୋଇ ରହନ୍ତି ।—ହିତୋ. ୧:୩୨; ୨୭:୧୨.
୮. ଜଣେ ବୁଦ୍ଧିମାନ ବ୍ୟକ୍ତି ହେବା ପାଇଁ ଆମେ କʼଣ କରିପାରିବା ?
୮ ବାଇବଲରେ ବି ଲେଖାଅଛି, ‘ବୁଦ୍ଧିରେ ବାଳକ ପରି ହୁଅ ନାହିଁ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ ।’ (୧ କରି. ୧୪:୨୦) ଯଦି ଆମେ ବାଇବଲର ସିଦ୍ଧାନ୍ତଗୁଡ଼ିକ ମୁତାବକ ଜୀବନ ବଞ୍ଚିବା, ତେବେ ଆମେ ବୁଦ୍ଧିମାନ ହୋଇପାରିବା । ଧୀରେ ଧୀରେ ଆମେ ଦେଖିପାରିବା ଯେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନିଲେ ଆମର କେତେ ଲାଭ ହୁଏ । ଆମେ ସମସ୍ୟାରେ ପଡ଼ିବାରୁ ରକ୍ଷା ପାଇପାରୁ ଏବଂ ସଠିକ୍ ନିଷ୍ପତ୍ତି ନେଇପାରୁ । ଭାବନ୍ତୁ ଏବେ ଯାଏ ଆପଣ କିପରି ନିଷ୍ପତ୍ତି ନେଇଛନ୍ତି । କʼଣ ଆପଣ ଲମ୍ବା ସମୟରୁ ବାଇବଲ ଅଧ୍ୟୟନ କରୁଛନ୍ତି ଏବଂ ସଭାରେ ଆସୁଛନ୍ତି, କିନ୍ତୁ ଏବେ ଯାଏ ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରି ନାହାନ୍ତି ଓ ବାପ୍ତିସ୍ମ ନେଇ ନାହାନ୍ତି ? ଯଦି ଏପରି ଅଟେ, ତେବେ ଭାବନ୍ତୁ ଯେ କେଉଁ କଥା ଆପଣଙ୍କୁ ଏପରି କରିବାରୁ ରୋକୁଛି । କିମ୍ବା ଯଦି ଆପଣଙ୍କ ବାପ୍ତିସ୍ମ ହୋଇଯାଇଛି, ତେବେ କʼଣ ଆପଣ ଲୋକମାନଙ୍କୁ ଆହୁରି ଭଲଭାବେ ପ୍ରଚାର କରିବା ଓ ଶିଖାଇବା ପାଇଁ ଚେଷ୍ଟା କରୁଛନ୍ତି ? କʼଣ ଆପଣ ବାଇବଲର ସିଦ୍ଧାନ୍ତଗୁଡ଼ିକ ମୁତାବକ ନିଷ୍ପତ୍ତି ନିଅନ୍ତି ? କʼଣ ଆପଣ ଲୋକଙ୍କ ସହ ସେପରି ବ୍ୟବହାର କରନ୍ତି, ଯେପରି ଯୀଶୁ କରୁଥିଲେ ? ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କୁ କିଛି ସୁଧାର କରିବାର ଆବଶ୍ୟକ ଅଛି, ତେବେ ଯିହୋବାଙ୍କ ନିର୍ଦ୍ଦେଶଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ନିର୍ଦ୍ଦେଶ ‘ଅଳ୍ପ ବୁଦ୍ଧିର ଜ୍ଞାନଦାୟକ ଅଟେ ।’—ଗୀତ. ୧୯:୭.
୯. ହିତୋପଦେଶ ୧:୨୨ ପଦରେ ଦିଆଯାଇଥିବା ଆଉ ଗୋଟିଏ ପ୍ରକାରର ଲୋକ କିଏ ଅଟନ୍ତି ଏବଂ ସେମାନେ କʼଣ କରନ୍ତି ?
୯ ହିତୋପଦେଶ ୧:୨୨ ପଦରେ “ନିନ୍ଦୁକ” ଲୋକମାନଙ୍କ ବିଷୟରେ ବି କୁହାଯାଇଛି । ବାଇବଲରେ ଆଗରୁ ଲେଖାଯାଇଥିଲା ଯେ ଶେଷ କାଳରେ ଏପରି ଅନେକ ଲୋକ ଥିବେ । (୨ ପିତ. ୩:୩, ୪) ପ୍ରାଚୀନ ସମୟରେ ଲୋଟଙ୍କ ଜ୍ୱାଇଁମାନେ ଯିହୋବାଙ୍କ ଚେତାବନୀ ଉପରେ ଧ୍ୟାନ ଦେଇ ନ ଥିଲେ । (ଆଦି. ୧୯:୧୪) ଠିକ୍ ସେହିପରି ଆଜି ଯେତେବେଳେ ଆମେ ପ୍ରଚାର କରୁ, ତେବେ କିଛି ଲୋକ ଆମ କଥା ଶୁଣନ୍ତି ନାହିଁ, ତାʼ ପରିବର୍ତ୍ତେ ଆମ ମଜାକ ଉଡ଼ାନ୍ତି । (ଗୀତ. ୧୨୩:୪) ସେହି ଲୋକମାନେ “ଆପଣା ଆପଣା କୁଅଭିଳାଷାନୁସାରେ” କାମ କରିବା ପାଇଁ ଚାହାନ୍ତି, ତେଣୁ ସେମାନେ ସେହି ଲୋକମାନଙ୍କ ମଜାକ ଉଡ଼ାନ୍ତି ଯେଉଁମାନେ ବାଇବଲ ସିଦ୍ଧାନ୍ତ ଅନୁସାରେ ଚାଲନ୍ତି । (ଯିହୂ. ୭, ୧୭, ୧୮) ଦେଖିବାକୁ ଗଲେ ଯେଉଁମାନେ ଧର୍ମତ୍ୟାଗୀ ହୋଇଯାଇଛନ୍ତି କିମ୍ବା ଯେଉଁମାନେ ଯିହୋବାଙ୍କ ବିଷୟରେ ଶିଖିବାକୁ ଚାହାନ୍ତିନି, ସେମାନେ ଏପରି ହିଁ କରନ୍ତି ।
୧୦. ଯଦି ଆମେ ଚାହୁଁନୁ ଯେ ଆମେ ‘ନିନ୍ଦୁକ ଲୋକମାନଙ୍କ’ ଭଳି ହେଉ, ତେବେ ଆମକୁ କʼଣ କରିବାକୁ ହେବ ? (ଗୀତସଂହିତା ୧:୧)
୧୦ ଆମେ ଧ୍ୟାନ ରଖିବା ଉଚିତ୍ ଯେ ଆମେ “ନିନ୍ଦୁକ” ଲୋକମାନଙ୍କ ଭଳି ନ ହେଉ । ଏହା ପାଇଁ ଆମେ କିଛି କଥା ପ୍ରତି ଧ୍ୟାନ ଦେଇପାରିବା । ଯେପରି, ଆମକୁ ସେମାନଙ୍କଠୁ ଦୂରେଇ ରହିବା ଉଚିତ୍ ଯେଉଁମାନେ ସବୁ କଥାରେ ଭୁଲ ବାହାର କରୁଥାʼନ୍ତି । (ଗୀତସଂହିତା ୧:୧ ପଢ଼ନ୍ତୁ ।) ଧର୍ମତ୍ୟାଗୀମାନେ ମଧ୍ୟ ଏପରି ହିଁ କରନ୍ତି । ତେଣୁ ଆମକୁ ସେମାନଙ୍କ କୌଣସି କଥା ଶୁଣିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କ କୌଣସି ଲେଖା ପଢ଼ିବା ଉଚିତ୍ ନୁହେଁ । ଯଦି ଆମେ ଏପରି ଲୋକମାନଙ୍କ ସହ ସମୟ ବିତାଉ, ତେବେ ଆମେ ବି ସେମାନଙ୍କ ଭଳି ହୋଇଯିବା । ହୁଏତ ଆମେ ସବୁ କଥାରେ ଅଭିଯୋଗ କରିବାକୁ ଲାଗିବା । କିମ୍ବା ହୋଇପାରେ, ଆମେ ସନ୍ଦେହ କରିବାକୁ ଲାଗିବା ଯେ କʼଣ ଯିହୋବା ହିଁ ସଂଗଠନକୁ ଚଳାଉଛନ୍ତି ଆଉ ଆମକୁ ଯେଉଁ ନିର୍ଦ୍ଦେଶ ମିଳୁଛି, କʼଣ ତାହା ଠିକ୍ ଅଟେ । ତେଣୁ ଆମେ ଧ୍ୟାନ ରଖିବା ଉଚିତ୍ ଯେ ଆମେ ଏପରି କେବେ ବି ନ କରୁ । ଆମେ ନିଜକୁ ପଚାରିପାରିବା: ‘ଯେବେ ବି ଆମକୁ କୌଣସି ନୂଆ ନିର୍ଦ୍ଦେଶ ମିଳେ କିମ୍ବା ଆମେ ଆଗରୁ ଯାହା ମାନୁଥିଲୁ ସେଥିରେ କିଛି ପରିବର୍ତ୍ତନ ହେଲେ, କʼଣ ମୁଁ ତୁରନ୍ତ ତାକୁ ମାନି ନିଏ କିମ୍ବା ସେଥିରେ କୌଣସି ଭୁଲ ବାହାର କରେନି ? ଯେଉଁ ଭାଇମାନେ ନେତୃତ୍ୱ ନେଉଛନ୍ତି, କʼଣ ମୁଁ ସେମାନଙ୍କ ଭୁଲ ବାହାର କରୁଥାଏ ?’ ଯଦି ଆପଣଙ୍କୁ ଲାଗେ ଯେ ଆପଣ କିଛି ଏପରି କରୁଛନ୍ତି, ତେବେ ତୁରନ୍ତ ନିଜଠାରେ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତୁ । କାରଣ ଏପରି କଲେ ଯିହୋବା ବହୁତ ଖୁସି ହେବେ ।—ହିତୋ. ୩:୩୪, ୩୫.
୧୧. କେଉଁ ଲୋକମାନଙ୍କୁ ମୂର୍ଖ କୁହାଯାଇଛି ?
୧୧ ତୃତୀୟ ପ୍ରକାରର ଲୋକ “ମୂର୍ଖ” ଲୋକ ଅଟନ୍ତି । କାରଣ ସେମାନେ ପ୍ରକୃତ ବୁଦ୍ଧିର ଉଚ୍ଚ ସ୍ୱର ଶୁଣନ୍ତି ନାହିଁ । ଆମେ ଜାଣୁ ଯେ ଯିହୋବା ହିଁ ସବୁଠୁ ବୁଦ୍ଧିମାନ ଅଟନ୍ତି । କିନ୍ତୁ ଏହି ଲୋକମାନେ ନା ଯିହୋବାଙ୍କୁ ଆଉ ନା ତାଙ୍କ ସ୍ତରଗୁଡ଼ିକୁ ମାନିବା ପାଇଁ ଚାହାନ୍ତି । (ଗୀତ. ୫୩:୧) ତାʼପରିବର୍ତ୍ତେ ସେମାନେ ତାହା ହିଁ କରନ୍ତି ଯାହା ସେମାନଙ୍କୁ ଠିକ୍ ଲାଗେ । (ହିତୋ. ୧୨:୧୫) ତେଣୁ ସେମାନଙ୍କୁ “ମୂର୍ଖ” କୁହାଯାଇଛି । ସେମାନଙ୍କ ପାଖରେ ଭଲ ପରାମର୍ଶ ତ ନ ଥାଏ ଆଉ ଯେବେ ଆମେ ସେମାନଙ୍କୁ ପ୍ରଚାର କରୁ, ତେବେ ସେମାନେ ଆମକୁ ଖରାପ କଥା କହନ୍ତି । ସେମାନଙ୍କୁ ଲାଗେ ଯେ ବାଇବଲର ସ୍ତର ଅନୁସାରେ ଜୀଇଁଲେ କିଛି ଲାଭ ହୁଏନି । ଏପରି ଲୋକମାନଙ୍କ ବିଷୟରେ ବାଇବଲରେ ଲେଖାଅଛି, “ଅଜ୍ଞାନ [“ମୂର୍ଖ,” NWT] ପ୍ରତି ଜ୍ଞାନ [“ପ୍ରକୃତ ବୁଦ୍ଧି,” NWT] ଅତି ଉଚ୍ଚ; ସେ ନଗର-ଦ୍ୱାରରେ ଆପଣା ମୁଖ ଫିଟାଏ ନାହିଁ ।” (ହିତୋ. ୨୪:୭) ତେଣୁ ଯିହୋବା ଆମକୁ କହନ୍ତି, ‘ମୂର୍ଖ ନିକଟରୁ ଦୂରେଇ ରହ ।’—ହିତୋ. ୧୪:୭.
୧୨. ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବାର ଉଦ୍ଦେଶ୍ୟକୁ ଆହୁରି ଦୃଢ଼ କରିବା ପାଇଁ ଏବଂ ଆମେ ‘ମୂର୍ଖ’ ଲୋକମାନଙ୍କ ଭଳି ନ ହେବା ପାଇଁ କʼଣ କରିପାରିବା ?
୧୨ ଆମେ ସେହି ମୂର୍ଖ ଲୋକମାନଙ୍କ ଭଳି ହେବାକୁ ଚାହୁଁନୁ ଯେଉଁମାନେ ଯିହୋବାଙ୍କ ବୁଦ୍ଧିଭରା କଥାଗୁଡ଼ିକୁ ଶୁଣିବା ପାଇଁ ଚାହାନ୍ତିନି । ଆମେ ହୃଦୟରୁ ଚାହୁଁ ଯେ ଆମେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନୁ ଓ ତାଙ୍କ ଭଳି ଭାବୁ । ଆମେ ନିଜ ଉଦ୍ଦେଶ୍ୟକୁ ଦୃଢ଼ କରିବା ପାଇଁ କʼଣ କରିପାରିବା ? ଆମେ ଏବିଷୟରେ ଭାବିପାରିବା ଯେ ଯେଉଁ ଲୋକମାନେ ଯିହୋବାଙ୍କ ବୁଦ୍ଧିଭରା କଥାଗୁଡ଼ିକୁ ଶୁଣନ୍ତି ନାହିଁ, ସେମାନଙ୍କ ଜୀବନ କିପରି ଅଛି, ସେମାନେ ନିଜ ଜୀବନରେ କେତେ ସମସ୍ୟାର ସାମନା କରୁଛନ୍ତି । ତାʼପରେ ଆମେ ଭାବିପାରିବା ଯେ ଯିହୋବାଙ୍କ ବୁଦ୍ଧିଭରା କଥାଗୁଡ଼ିକୁ ଶୁଣିବା ଯୋଗୁଁ ଆମ ଜୀବନ କେତେ ଭଲ ହୋଇଯାଇଛି ।—ଗୀତ. ୩୨:୮, ୧୦.
୧୩. କʼଣ ଯିହୋବା ଲୋକମାନଙ୍କୁ ନିଜ ପରାମର୍ଶ ମାନିବା ପାଇଁ ଜୋର୍ ଜବରଦସ୍ତି କରନ୍ତି ?
୧୩ ଯିହୋବା ଆଜି ସମସ୍ତଙ୍କୁ ସୁଯୋଗ ଦେଉଛନ୍ତି ଯେ ସେମାନେ ତାଙ୍କ ବୁଦ୍ଧିଭରା କଥାଗୁଡ଼ିକରୁ ଲାଭ ପାଆନ୍ତୁ । କିନ୍ତୁ ସେ କାହାରି ସହ ଜୋର୍ ଜବରଦସ୍ତି କରନ୍ତିନି । ତାହା ଲୋକମାନଙ୍କ ହାତରେ ଅଛି ଯେ ସେମାନେ ତାଙ୍କ କଥା ଶୁଣିବେ ନା ନାହିଁ । କିନ୍ତୁ ସେ ଏହା ନିଶ୍ଚୟ କହିଛନ୍ତି ଯେଉଁ ଲୋକମାନେ ତାଙ୍କ କଥା ଶୁଣନ୍ତି ନାହିଁ, ସେମାନଙ୍କ କʼଣ ହେବ ? ବାଇବଲରେ ଲେଖାଅଛି, “ସେମାନେ ଆପଣା ଆପଣା କର୍ମର ପ୍ରତିଫଳ ଭୁଞ୍ଜିବେ ।” (ହିତୋ. ୧:୨୯-୩୨) ସେମାନେ ଯେପରି ଜୀବନ ବିତାନ୍ତି, ସେହି କାରଣରୁ ସେମାନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିବ ଓ ଶେଷରେ ସେମାନଙ୍କ ବିନାଶ ହୋଇଯିବ । ଯେଉଁମାନେ ଯିହୋବାଙ୍କ କଥା ଶୁଣନ୍ତି ଏବଂ ତାଙ୍କ ସ୍ତରଗୁଡ଼ିକୁ ମାନନ୍ତି, ସେ ସେମାନଙ୍କୁ ପ୍ରତିଜ୍ଞା କରିଛନ୍ତି ଯେ ‘ତମେମାନେ ନିରାପଦରେ ବାସ କରିବ ଓ ଅମଙ୍ଗଳର ଆଶଙ୍କା ବିନା ବିଶ୍ରାମ ପାଇବ ।’—ହିତୋ. ୧:୩୩.
ପ୍ରକୃତ ବୁଦ୍ଧିରୁ ହୁଏ ଅନେକ ଲାଭ
ଯେବେ ଆମେ ସଭାରେ ଉତ୍ତର ଦେଉ, ତେବେ ଯିହୋବାଙ୍କ ସହ ଆମ ସମ୍ପର୍କ ଆହୁରି ମଜବୁତ୍ ହୋଇଯାଏ (ପାରାଗ୍ରାଫ ୧୫)
୧୪-୧୫. ହିତୋପଦେଶ ୪:୨୩ ପଦରୁ ଆମେ କʼଣ ଶିଖୁ ?
୧୪ ଯିହୋବା ଆମକୁ ବହୁତଗୁଡ଼ାଏ ବୁଦ୍ଧିଭରା କଥା କହିଛନ୍ତି, ଆଉ ଆଜି ଆମ ସମସ୍ତଙ୍କୁ ସେଥିରୁ ଲାଭ ମିଳିପାରିବ । ଯେପରି, ହିତୋପଦେଶ ବହିରେ ଯିହୋବା ଏପରି ଅନେକ କଥା ଲେଖାଇଛନ୍ତି, ଯାହା ଆଜି ବି ଆମ କାମରେ ଆସେ । ଆସନ୍ତୁ ଏଥିରୁ ହିଁ ଚାରୋଟି କଥା ଉପରେ ଧ୍ୟାନ ଦେବା ।
୧୫ ନିଜ ହୃଦୟର ରକ୍ଷା କରନ୍ତୁ । ବାଇବଲରେ ଲେଖାଅଛି, “ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ ।” (ହିତୋ. ୪:୨୩) ଆମେ ସମସ୍ତେ ଚାହୁଁ ଯେ ଆମ ସ୍ୱାସ୍ଥ୍ୟ ଭଲ ରହୁ ଓ ହୃଦୟ ଜଡ଼ିତ କୌଣସି ରୋଗ ନ ହେଉ । ତେଣୁ ଆମେ ଭଲ ଖାଦ୍ୟ ଖାଉ, ବ୍ୟାୟାମ କରୁ ଆଉ ଧ୍ୟାନ ଦେଉ ଯେ ଆମେ ଯେପରି କୌଣସି ଖରାପ ଅଭ୍ୟାସରେ ନ ପଡ଼ୁ । ଠିକ୍ ସେହିପରି, ଆମ ହୃଦୟକୁ ରକ୍ଷା କରିବା ପାଇଁ ଆମେ ପ୍ରତିଦିନ ବାଇବଲ ପଢ଼ୁ, ସଭାଗୁଡ଼ିକର ଭଲ ପ୍ରସ୍ତୁତି କରୁ, ପ୍ରତ୍ୟେକ ସଭାରେ ଯାଉ ଏବଂ ସେଠାରେ ଉତ୍ତର ମଧ୍ୟ ଦେଉ । ଆମେ ପ୍ରଚାର କରିବା ପାଇଁ ମଧ୍ୟ ବହୁତ ପରିଶ୍ରମ କରୁ । ଆଉ ଆମେ ସେହି ଖରାପ କଥାଗୁଡ଼ିକରୁ ଦୂରେଇ ରହୁ, ଯାହା ଆମ ଚିନ୍ତାଧାରାଗୁଡ଼ିକୁ ଖରାପ କରିପାରିବ । ଯେପରି, ଅନୈତିକ ମନୋରଞ୍ଜନ ଓ ଖରାପ ସଙ୍ଗତି ।
ଯେବେ ଆମେ ପଇସା ପଛରେ ଗୋଡ଼ାଇ ନ ଥାଉ ତେବେ ଆମ ପାଖରେ ଯାହା ଅଛି, ସେତିକିରେ ଆମେ ସନ୍ତୁଷ୍ଟ ରହୁ (ପାରାଗ୍ରାଫ ୧୬)
୧୬. ହିତୋପଦେଶ ୨୩:୪, ୫ ପଦରେ ଦିଆଯାଇଥିବା ପରାମର୍ଶ କାହିଁକି ଲାଭଦାୟକ ଅଟେ ?
୧୬ ଆପଣଙ୍କ ପାଖରେ ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହନ୍ତୁ । ବାଇବଲରେ ପରାମର୍ଶ ଦିଆଯାଇଛି ଯେ ‘ଧନୀ ହେବା ପାଇଁ ଆପଣାକୁ କ୍ଳାନ୍ତ କର ନାହିଁ; ଯାହା ନାହିଁ, ତୁମ୍ଭେ କି ତହିଁ ପ୍ରତି ଆପଣା ଚକ୍ଷୁ ନିର୍ଦ୍ଦେଶ କରିବ ? କାରଣ ଆକାଶରେ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ନିଶ୍ଚୟ ଧନ ଆପଣା ପାଇଁ ପକ୍ଷ କରେ ।’ (ହିତୋ. ୨୩:୪, ୫) ସତରେ, ପଇସା ଉପରେ ଆମେ ଭରସା କରିପାରିବାନି । ପଇସା ଆଜି ଅଛି ତ କାଲି ନ ଥିବ । କିନ୍ତୁ ଆଜି ଧନୀ ହେଉ କିମ୍ବା ଗରିବ ସମସ୍ତେ ଏହା ପଛରେ ପାଗଳ ଅଛନ୍ତି । ଏହା ପାଇଁ ସେମାନେ ନିଜ ନାମ ଖରାପ କରିଛନ୍ତି ଆଉ ଅନ୍ୟମାନଙ୍କ ସହ ନିଜ ସମ୍ପର୍କକୁ ମଧ୍ୟ ଖରାପ କରିଛନ୍ତି । ଏପରିକି ନିଜ ସ୍ୱାସ୍ଥ୍ୟକୁ ବି ବିପଦରେ ପକାଇଛନ୍ତି । (ହିତୋ. ୨୮:୨୦; ୧ ତୀମ. ୬:୯, ୧୦) କିନ୍ତୁ ବାଇବଲର ବୁଦ୍ଧିଭରା ପରାମର୍ଶକୁ ମାନିଲେ, ଆମେ ପଇସା ପଛରେ ଗୋଡ଼ାଇବାନି, ବରଂ ଆମ ପାଖରେ ଯାହା ଅଛି ସେତିକିରେ ସନ୍ତୁଷ୍ଟ ରହିବା ଏବଂ ଏପରି କଲେ ଆମେ ଖୁସି ରହିପାରିବା ।—ଉପ. ୭:୧୨.
ଯବେ ଆମେ ବୁଝିବିଚାରି କଥା ହେଉ, ତେବେ ଆମେ ନିଜ କଥାରୁ ଅନ୍ୟମାନଙ୍କୁ ଆଘାତ ପହଞ୍ଚାଇ ନ ଥାଉ (ପାରାଗ୍ରାଫ ୧୭)
୧୭. ହିତୋପଦେଶ ୧୨:୧୮ ପଦରୁ ଆମେ କʼଣ ଶିଖୁ ?
୧୭ ବୁଝିବିଚାରି କଥା ହୁଅନ୍ତୁ । ଯଦି ଆମେ ବୁଝିବିଚାରି କଥା ହେବାନି, ତେବେ ଏଥିରୁ ବହୁତ କ୍ଷତି ହୋଇପାରେ । ବାଇବଲରେ ଲେଖାଅଛି, “କାହାର କାହାର ବାଚାଳତା [‘ବିନା ଭାବିଚିନ୍ତି କହିବା,’ NWT] ଖଡ଼୍ଗାଘାତ ପରି; ମାତ୍ର ଜ୍ଞାନୀର ଜିହ୍ୱା ସ୍ୱାସ୍ଥ୍ୟଜନକ ।” (ହିତୋ. ୧୨:୧୮) ଯଦି ଆମେ ସବୁବେଳେ ଅନ୍ୟମାନଙ୍କ ଭୁଲ ବାହାର କରୁଥିବା, ତେବେ ଏଥିରୁ ଲୋକମାନଙ୍କର ପରସ୍ପର ମଧ୍ୟରେ ଥିବା ସମ୍ପର୍କ ଖରାପ ହୋଇପାରେ । (ହିତୋ. ୨୦:୧୯) ଏପରି କଥା କହିବା ପରିବର୍ତ୍ତେ ଆମେ ଚେଷ୍ଟା କରିବା ଉଚିତ୍ ଯେ ଆମେ ସ୍ୱାସ୍ଥ୍ୟଜନକ କଥା ହେଉ, ଯାହାଦ୍ୱାରା ଲୋକମାନଙ୍କ ଉତ୍ସାହ ବଢ଼ିବ । ଆଉ ଏହା ଆମେ ତେବେ କରିପାରିବା, ଯେବେ ଆମେ ପ୍ରତିଦିନ ବାଇବଲ ପଢ଼ିବା ଏବଂ ନିଜ ହୃଦୟରେ ଭଲ କଥାଗୁଡ଼ିକୁ ଭରିବା । (ଲୂକ ୬:୪୫) ଯେବେ ବାଇବଲରେ ଲେଖାଥିବା କଥାଗୁଡ଼ିକ ବିଷୟରେ ଚିନ୍ତନ କରିବା, ତେବେ ଆମେ ସବୁବେଳେ ବୁଦ୍ଧିଭରା କଥାଗୁଡ଼ିକ କହୁଥିବା । ଆଉ ଏଥିରୁ ଲୋକମାନଙ୍କୁ ଜଳସ୍ରୋତ ସଦୃଶ ସତେଜ ମିଳିବ ।—ହିତୋ. ୧୮:୪.
ଯେବେ ଆମେ ସଂଗଠନରୁ ମିଳୁଥିବା ପରାମର୍ଶଗୁଡ଼ିକୁ ମାନୁ, ତେବେ ଆମେ ଆହୁରି ଭଲଭାବେ ପ୍ରଚାର କରିପାରୁ (ପାରାଗ୍ରାଫ ୧୮)
୧୮. ହିତୋପଦେଶ ୨୪:୬ ପଦରେ ଲେଖାଥିବା କଥାକୁ ମାନିଲେ ଆମେ ଆହୁରି ଭଲଭାବେ କିପରି ପ୍ରଚାର କରିପାରିବା ?
୧୮ ନିର୍ଦ୍ଦେଶଗୁଡ଼ିକୁ ମାନନ୍ତୁ । ବାଇବଲରେ ଲେଖାଅଛି, “ଅବଶ୍ୟ ତୁମ୍ଭେ ଭଲ ପରାମର୍ଶ ଘେନି ଆପଣା ଯୁଦ୍ଧ କରିବ; ଆଉ, ମନ୍ତ୍ରୀମାନଙ୍କ ବାହୁଲ୍ୟରେ ରକ୍ଷା ହୁଏ ।” (ହିତୋ. ୨୪:୬) ଯେବେ ଆମେ ଏହି ପରାମର୍ଶକୁ ଧ୍ୟାନରେ ରଖିବା, ତେବେ ଆମେ ନିଜ ନିଜ ଉପାୟରେ ପ୍ରଚାର କରିବା ପରିବର୍ତ୍ତେ ଆମେ ସେହି ନିର୍ଦ୍ଦେଶଗୁଡ଼ିକୁ ମାନିବା, ଯାହା ଆମକୁ ସଂଗଠନରୁ ମିଳେ । ଏପରି ଭାବେ ଆମେ ଆହୁରି ଭଲଭାବେ ପ୍ରଚାର କରିପାରିବା ଆଉ ଲୋକମାନଙ୍କୁ ଭଲଭାବେ ଶିଖାଇପାରିବା । ଆଉ ସଭାରେ ଯେଉଁ ଭାଗ ଉପସ୍ଥାପନା କରାଯାଏ ଓ ଯେଉଁ ଭାଷଣ ଦିଆଯାଏ, ସେଥିରୁ ବି ଆମେ ଶିଖିପାରିବା ଯେ ଲୋକମାନଙ୍କୁ ବାଇବଲରୁ ଆହୁରି ଭଲଭାବେ କିପରି ଶିଖାଇପାରିବା । ସଂଗଠନ ଏପରି ଅନେକ ଭିଡିଓ ଓ ପ୍ରକାଶନ ପ୍ରସ୍ତୁତ କରିଛି, ଯାହାଦ୍ୱାରା ଆମେ ବାଇବଲର କଥାଗୁଡ଼ିକୁ ଆହୁରି ଭଲଭାବେ ବୁଝିପାରିବା । କʼଣ ଆପଣ ଏହାର ଭଲ ବ୍ୟବହାର କରୁଛନ୍ତି ?
୧୯. ଯିହୋବା ଆମକୁ ଯେଉଁ ବୁଦ୍ଧିଭରା କଥାଗୁଡ଼ିକ ଦେଇଛନ୍ତି, ତାʼ ବିଷୟରେ ଭାବି ଆପଣଙ୍କୁ କିପରି ଲାଗେ ? (ହିତୋପଦେଶ ୩:୧୩-୧୮)
୧୯ ହିତୋପଦେଶ ୩:୧୩-୧୮ ପଢ଼ନ୍ତୁ । ଈଶ୍ୱର ବାଇବଲରେ ଯେଉଁ ବୁଦ୍ଧିଭରା କଥା ଲେଖାଇଛନ୍ତି, ତାʼପାଇଁ ଆମେ ବହୁତ କୃତଜ୍ଞ ଅଟୁ । ଯଦି ସେହି ବୁଦ୍ଧିଭରା କଥାଗୁଡ଼ିକ ନ ଥାʼନ୍ତା, ତାହେଲେ କେଜାଣି ଆମର କʼଣ ହୁଅନ୍ତା ! ଏହି ଲେଖାରେ ଆମେ ହିତୋପଦେଶ ବହିରେ ଦିଆଯାଇଥିବା ଅନେକ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେଲୁ । ଏପରି ହିଁ ବଢ଼ିଆ କଥାଗୁଡ଼ିକ ପୂରା ବାଇବଲରେ ଲେଖାଅଛି । ଦୁନିଆର ଲୋକମାନେ ଈଶ୍ୱରଙ୍କ କଥା ଶୁଣନ୍ତି ନାହିଁ, କିନ୍ତୁ ଆସନ୍ତୁ ଆମେ ସେମାନଙ୍କ ଭଳି ନ ହେଉ । ବରଂ ‘ବୁଦ୍ଧିକୁ ଧରି ରଖିବା’ ଆଉ ଯିଏ ଏପରି କରେ “ସେ ଧନ୍ୟ ।”
ଗୀତ ୩୬ ଦିଲ୍ କି ହିଫାଜାତ୍ କାରେଁ
a ଆଜି ଦୁନିଆରେ ଅନେକ ଲୋକମାନେ ପରାମର୍ଶ ଦିଅନ୍ତି । କିନ୍ତୁ ଯିହୋବା ଆମକୁ ଯେଉଁ ବୁଦ୍ଧି ଦିଅନ୍ତି, ତାହା ସେମାନଙ୍କ ପରାମର୍ଶଠାରୁ ଶ୍ରେଷ୍ଠ ଅଟେ । ହିତୋପଦେଶ ବହିରେ ଗୋଟିଏ ବଢ଼ିଆ କଥା ଲେଖାଅଛି । ତାହା ହେଉଛି ପ୍ରକୃତ ବୁଦ୍ଧି ଛକ ସ୍ଥାନମାନଙ୍କରେ ଆପଣା ରବ ଶୁଣାଏ । ଏହି ଲେଖାରେ ଆମେ ଜାଣିବା ଯେ ତାʼର ଅର୍ଥ କʼଣ ଅଟେ । ଆମେ ଏହା ବି ଜାଣିବା ଯେ ଆମେ ବୁଦ୍ଧିମାନ କିପରି ହୋଇପାରିବା, କିଛି ଲୋକ ଯିହୋବାଙ୍କ ବୁଦ୍ଧିଭରା କଥାଗୁଡ଼ିକୁ କାହିଁକି ଶୁଣନ୍ତି ନାହିଁ ଏବଂ ଯଦି ଆମେ ଯିହୋବାଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦେବା, ତେବେ ଆମକୁ କʼଣ ଲାଭ ହେବ ।