ଅଧ୍ୟୟନ ଲେଖା ୪୨
ଗୀତ ୪୪ ନମ୍ର ଲୋକର ପ୍ରାର୍ଥନା
ମନଖୋଲି ପ୍ରାର୍ଥନା କରନ୍ତୁ
‘ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; ହେ ଯିହୋବା, ମୋତେ ଉତ୍ତର ଦିଅ ।’—ଗୀତ. ୧୧୯:୧୪୫.
କʼଣ ଶିଖିବା ?
ବାଇବଲରେ ଦିଆଯାଇଥିବା ଯିହୋବାଙ୍କ ସେବକମାନଙ୍କର ପ୍ରାର୍ଥନାରୁ ଆମେ କʼଣ ଶିଖିପାରିବା ?
୧-୨. (କ) କେଉଁ କାରଣଗୁଡ଼ିକ ଯୋଗୁଁ ଆମେ ଯିହୋବାଙ୍କୁ ମନଖୋଲି ପ୍ରାର୍ଥନା କରିପାରି ନ ଥାଉ ? (ଖ) ଆମେ କାହିଁକି କହିପାରିବା ଯେ ଯିହୋବା ଆମ ପ୍ରାର୍ଥନା ଧ୍ୟାନ ଦେଇ ଶୁଣନ୍ତି ?
କʼଣ ଆପଣଙ୍କ ସହ କେବେ ଏପରି ହୋଇଛି ଯେ ଆପଣ ସବୁବେଳେ ଏକାଭଳି ପ୍ରାର୍ଥନା କରନ୍ତି କିମ୍ବା ଆପଣ ମନଖୋଲି ପ୍ରାର୍ଥନା କରିପାରନ୍ତି ନାହିଁ ? ଯଦି ଆପଣଙ୍କ ସହିତ ଏପରି ହୋଇଛି, ତାହେଲେ ଚିନ୍ତା କରନ୍ତୁ ନାହିଁ । ଆପଣ ଏପରି ଏକୁଟିଆ ବ୍ୟକ୍ତି ନାହାନ୍ତି । ଆଜି ଆମେ ସମସ୍ତେ ଭାରି ବ୍ୟସ୍ତ, ତେଣୁ ହୁଏତ ପ୍ରାର୍ଥନା କରିବା ପାଇଁ ଆମ ପାଖରେ ଅଧିକ ସମୟ ନାହିଁ କିମ୍ବା ଏହା ବି ହୋଇପାରେ ଯେ କୌଣସି କାରଣରୁ ଆମେ ନିଜକୁ ପ୍ରାର୍ଥନା କରିବାର ଯୋଗ୍ୟ ଭାବି ନ ଥାଉ । ତେଣୁ ଆମକୁ ମନଖୋଲି ପ୍ରାର୍ଥନା କରିବା କଠିନ ଲାଗେ ।
୨ ବାଇବଲରେ କୁହାଯାଇଛି ଯେ ଆମେ କେତେ ଡେରି ଯାଏ ପ୍ରାର୍ଥନା କରୁ, ଯିହୋବା ତାହା ଦେଖନ୍ତି ନାହିଁ । ଏହା ପରିବର୍ତ୍ତେ ତାଙ୍କ ପାଇଁ ହୃଦୟରୁ କରାଯାଇଥିବା ପ୍ରାର୍ଥନା ମହତ୍ତ୍ୱ ରଖେ । ବାଇବଲରେ ଲେଖା ହୋଇଛି ଯେ ସେ ‘ନମ୍ର ଲୋକମାନଙ୍କର ବାଞ୍ଛା [“ପ୍ରାର୍ଥନା,” NWT] ଶୁଣନ୍ତି ।’ (ଗୀତ. ୧୦:୧୭) ଯିହୋବା ଆମର ବହୁତ ଚିନ୍ତା କରନ୍ତି । ସେଥିପାଇଁ ଆମେ ପ୍ରାର୍ଥନାରେ ତାଙ୍କୁ ଯାହା ବି କହୁ, ସେ ସେହି ସବୁ କଥାକୁ ବହୁତ ଧ୍ୟାନର ସହ ଶୁଣନ୍ତି ।—ଗୀତ. ୧୩୯:୧-୩.
୩. ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?
୩ ଆମେ ହୁଏତ ଭାବିବା: ଆମେ କାହିଁକି ଯିହୋବାଙ୍କୁ ମନଖୋଲି ପ୍ରାର୍ଥନା କରିପାରିବା ? ମନଖୋଲି ପ୍ରାର୍ଥନା କରିବା ପାଇଁ ଆମେ କʼଣ କରିପାରିବା ? ବାଇବଲରେ ଯେଉଁ ପ୍ରାର୍ଥନାଗୁଡ଼ିକ ବିଷୟରେ ଲେଖାଯାଇଛି, ସେଗୁଡ଼ିକ ଉପରେ ଚିନ୍ତନ କଲେ ଆମକୁ କିପରି ସାହାଯ୍ୟ ମିଳିପାରିବ ? ଯେବେ ଆମେ ବହୁତ ଚିନ୍ତିତ ଥାଉ ଏବଂ ଆମକୁ ବୁଝାପଡ଼େନି ଯେ ଆମେ ପ୍ରାର୍ଥନାରେ କʼଣ କହିବା, ତେବେ ଆମେ କʼଣ କରିପାରିବା ? ଆସନ୍ତୁ ଏହି ଚାରୋଟି ପ୍ରଶ୍ନର ଉତ୍ତର ଜାଣିବା ।
ଯିହୋବାଙ୍କୁ ପ୍ରାର୍ଥନା କରିବା ପାଇଁ ସଂକୋଚ କରନ୍ତୁ ନାହିଁ
୪. କେଉଁ କଥାକୁ ବୁଝିଲେ ଆମେ ପ୍ରାର୍ଥନା କରିବା ପାଇଁ ସଂକୋଚ କରିବା ନାହିଁ ? (ଗୀତସଂହିତା ୧୧୯:୧୪୫)
୪ ଯେବେ ଆମେ ଏହା ବୁଝିବା ଯେ ଯିହୋବା ଆମର ଜଣେ ଭଲ ସାଙ୍ଗ ଅଟନ୍ତି ଏବଂ ସେ ଆମ ପାଇଁ ଭଲ ଚିନ୍ତା କରନ୍ତି, ତେବେ ଆମେ ତାଙ୍କୁ ପ୍ରାର୍ଥନା କରିବା ପାଇଁ ସଂକୋଚ କରିବା ନାହିଁ । ଗୀତସଂହିତା ୧୧୯ ଅଧ୍ୟାୟର ରଚୟିତା ମଧ୍ୟ ଏପରି ହିଁ କଲେ । ତାଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ଅନେକ ସମସ୍ୟା ଆସିଲା । କିଛି ଲୋକ ତାଙ୍କ ବିଷୟରେ ମିଛ କଥାଗୁଡ଼ିକ କହିଲେ । (ଗୀତ. ୧୧୯:୨୩, ୬୯, ୭୮) ତାଙ୍କଠାରୁ କିଛି ଭୁଲ ମଧ୍ୟ ହେଲା, ଯାହାଯୋଗୁଁ ସେ ନିରାଶ ହୋଇଗଲେ । (ଗୀତ. ୧୧୯:୬୭) କିନ୍ତୁ ସେ ଯିହୋବାଙ୍କୁ ନିଜ ସାଙ୍ଗ ବୋଲି ଭାବୁଥିଲେ, ତେଣୁ ସେ ତାଙ୍କ ଆଗରେ ନିଜ ମନକଥା ଖୋଲିକି କହିପାରିଲେ ।—ଗୀତସଂହିତା ୧୧୯:୧୪୫ ପଢ଼ନ୍ତୁ ।
୫. ଯେବେ ଆମେ ପାପ କରିବା ଦ୍ୱାରା ଲଜ୍ଜା ଅନୁଭବ କରୁ, ତେବେ ବି ଆମେ କାହିଁକି ପ୍ରାର୍ଥନା କରିବା ପାଇଁ ସଂକୋଚ କରିବା ଉଚିତ୍ ନୁହଁ ? ଉଦାହରଣ ଦିଅନ୍ତୁ ।
୫ ଯିହୋବା ଚାହାନ୍ତି ଯେ ଯେଉଁମାନଙ୍କ ଦ୍ୱାରା ଗମ୍ଭୀର ପାପ ହୋଇଯାଇଛି, ସେମାନେ ମଧ୍ୟ ତାଙ୍କୁ ମନଖୋଲି ପ୍ରାର୍ଥନା କରନ୍ତୁ । (ଯିଶା. ୫୫:୬, ୭) ତେଣୁ ଏହା ଭାବି ଆମକୁ ପ୍ରାର୍ଥନା କରିବା ପାଇଁ ସଂକୋଚ କରିବା ଉଚିତ୍ ନୁହଁ ଯେ ଆମେ ଭଲ ଲୋକ ନାହୁଁ । ଆସନ୍ତୁ ଏହାକୁ ଗୋଟିଏ ଉଦାହରଣରୁ ବୁଝିବା । ଗୋଟିଏ ଉଡ଼ାଜାହାଜର ପାଇଲଟକୁ ଜଣାଥାଏ ଯେ ଆବଶ୍ୟକ ସମୟରେ ସେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍କୁ (ଯେଉଁଠୁ ଉଡ଼ାଜାହାଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଏ) ଫୋନ୍ କରିପାରିବ ଏବଂ ସେମାନଙ୍କଠାରୁ ସାହାଯ୍ୟ ନେଇପାରିବ । ଭାବନ୍ତୁ ଯେ ଯଦି ତାʼଠାରୁ କିଛି ଭୁଲ ହୋଇଯାଏ କିମ୍ବା ସେ ବାଟବଣା ହୋଇଯାଏ, ତାହେଲେ କʼଣ ସେ ସାହାଯ୍ୟ ନେବା ପାଇଁ ସଂକୋଚ କରିବ ? ଜମା ବି ନୁହଁ । ଠିକ୍ ସେହିଭଳି, ଯଦି ଆମ ଦ୍ୱାରା କୌଣସି ପାପ ହୋଇଯାଏ କିମ୍ବା ଆମକୁ ବୁଝାପଡ଼େନି ଯେ ଆମେ କʼଣ କରିବା, ତାହେଲେ ବି ଆମକୁ ଯିହୋବାଙ୍କୁ ପ୍ରାର୍ଥନା କରିବା ପାଇଁ ସଂକୋଚ କରିବା ଉଚିତ୍ ନୁହଁ ।—ଗୀତ. ୧୧୯:୨୫, ୧୭୬.
ମନଖୋଲି ପ୍ରାର୍ଥନା କରିବା ପାଇଁ ଆମେ କʼଣ କରିପାରିବା ?
୬-୭. ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଗଭୀର ଭାବେ ଭାବିଲେ, ଆମେ କିପରି ହୃଦୟରୁ ପ୍ରାର୍ଥନା କରିପାରୁ ? ଗୋଟିଏ ଉଦାହରଣ ଦିଅନ୍ତୁ । (ଫୁଟନୋଟ୍ ମଧ୍ୟ ଦେଖନ୍ତୁ ।)
୬ ଯେବେ ଆମେ ମନଖୋଲି ଯିହୋବାଙ୍କୁ କହୁ ଯେ ଆମେ କିପରି ଅନୁଭବ କରୁଛୁ ଏବଂ କʼଣ ଭାବୁଛୁ, ତେବେ ଆମେ ଯିହୋବାଙ୍କ ଆହୁରି ନିକଟତର ହୋଇପାରୁ । ତାହେଲେ ଯିହୋବାଙ୍କୁ ପ୍ରାର୍ଥନାରେ ନିଜ ମନକଥା ଖୋଲିକି କହିବା ପାଇଁ ଆମେ କʼଣ କରିପାରିବା ?
୭ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଗଭୀର ଭାବେ ଭାବନ୍ତୁ ।a ଯଦି ଆମେ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଭାବିବା, ତାହେଲେ ଆମେ ତାଙ୍କୁ ମନଖୋଲି ପ୍ରାର୍ଥନା କରିପାରିବା । (ଗୀତ. ୧୪୫:୮, ୯, ୧୮) ଭଉଣୀ କ୍ରିଷ୍ଟିନ୍ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ବାପା ଏତେ ରାଗି ଯାଉଥିଲେ ଯେ ତାଙ୍କ ଉପରେ ହାତ ଉଠାଉ ଥିଲେ । ସେ କହନ୍ତି, “ଯିହୋବାଙ୍କୁ ନିଜ ପିତା ଭାବିବା ଏବଂ ତାଙ୍କୁ ପ୍ରାର୍ଥନା କରିବା ମୋତେ କଠିନ ଲାଗୁଥିଲା । ମୁଁ ଭାବୁଥିଲି ଯେ ମୁଁ ଏତେ ଖରାପ ଯେ ଯିହୋବା ମୋତେ କେବେ ବି ପ୍ରେମ କରିବେ ନାହିଁ ।” କେଉଁ କଥାରୁ ତାଙ୍କୁ ସାହାଯ୍ୟ ମିଳିଲା ? ସେ କହନ୍ତି, “ମୁଁ ଯିହୋବାଙ୍କ ଅଟଳ ପ୍ରେମ ବିଷୟରେ ଭାବିଲି । ଏଥିରୁ ମୋତେ ଭରସା ହୋଇଗଲା ଯେ ଯିହୋବା ମୋତେ ପ୍ରେମ କରନ୍ତି । ମୁଁ ଜାଣିଛି ଯେ ସେ ମୋତେ କେବେ ବି ଏକୁଟିଆ ଛାଡ଼ିବେ ନାହିଁ । ଯଦି ମୋ ଦ୍ୱାରା କୌଣସି ଭୁଲ ହୋଇଯାଏ, ତାହେଲେ ବି ସେ ମୋତେ ପ୍ରେମ କରିବେ ଏବଂ ସାହାଯ୍ୟ କରିବେ । ଏବେ ଯିହୋବାଙ୍କୁ ପ୍ରାର୍ଥନା କରିବା ମୋତେ କଠିନ ଲାଗେନି ଏବଂ ମୁଁ ତାଙ୍କୁ ମନଖୋଲି ସବୁ କଥା କହିପାରେ ।”
୮-୯. ପ୍ରାର୍ଥନା କରିବା ପୂର୍ବରୁ ଆମେ କʼଣ କହିବା, ସେବିଷୟରେ ଭାବିଲେ କʼଣ ଲାଭ ହୁଏ ? ଉଦାହରଣ ଦିଅନ୍ତୁ ।
୮ ଭାବନ୍ତୁ ଯେ ଆପଣ ପ୍ରାର୍ଥନାରେ କʼଣ କହିବେ । ଆପଣ ପ୍ରାର୍ଥନା କରିବା ପୂର୍ବରୁ କିଛି ପ୍ରଶ୍ନ ବିଷୟରେ ଭାବିପାରିବେ । ଯେପରି, ‘ମୁଁ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛି ? କʼଣ ମୋତେ କାହାରିକୁ କ୍ଷମା କରିବାର ଅଛି ? କʼଣ ମୋତେ କୌଣସି କ୍ଷେତ୍ରରେ ଯିହୋବାଙ୍କର ସାହାଯ୍ୟ ଦରକାର ?’ (୨ ରାଜା. ୧୯:୧୫-୧୯) ଆମେ ସେବିଷୟରେ ବି ଭାବିପାରିବା, ଯାହା ବିଷୟରେ ଯୀଶୁ ପ୍ରାର୍ଥନା କରିବା ଶିଖାଇଥିଲେ । ଯେପରି ଆମେ ଭାବିପାରିବା ଯେ ଆମେ ପ୍ରାର୍ଥନାରେ ଈଶ୍ୱରଙ୍କ ନାମ, ତାଙ୍କ ରାଜ୍ୟ ଏବଂ ତାଙ୍କ ଇଚ୍ଛା ବିଷୟରେ କʼଣ କହିବା ।—ମାଥି. ୬:୯, ୧୦.
୯ ଆଲିସ୍କା ନାମକ ଭଉଣୀଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଯେବେ ତାଙ୍କୁ ଜଣାପଡ଼ିଲା ଯେ ତାଙ୍କ ସ୍ୱାମୀଙ୍କୁ ବ୍ରେନ କ୍ୟାନସର ନାମକ ଗମ୍ଭୀର ରୋଗ ଅଛି ଏବଂ ସେ ବେଶୀ ଦିନ ବଞ୍ଚିପାରିବେନି, ତେବେ ତାଙ୍କୁ ବହୁତ ଧକ୍କା ଲାଗିଲା । ଏହାଯୋଗୁଁ ସେ ପ୍ରାର୍ଥନା କରିପାରୁ ନ ଥିଲେ । ସେ ସେହି ସମୟକୁ ମନେ ପକାଇ କହନ୍ତି, “ମୁଁ ବହୁତ ଚିନ୍ତିତ ଥିଲି ଏବଂ ଠିକ୍ରେ ଭାବିପାରୁ ନ ଥିଲି । ପ୍ରାର୍ଥନା କରିବା ସମୟରେ ମୁଁ ବୁଝିପାରୁ ନ ଥିଲି ଯେ ମୁଁ କʼଣ କହିବି ।” ହେଲେ ଭଉଣୀ କʼଣ କଲେ ? ସେ କହନ୍ତି, “ମୁଁ କେବଳ ନିଜ ବିଷୟରେ ଏବଂ ନିଜ ସ୍ୱାମୀଙ୍କ ବିଷୟରେ ପ୍ରାର୍ଥନା କରିବା ପାଇଁ ଚାହୁଁ ନ ଥିଲି । ତେଣୁ ମୁଁ ଭାବିଲି ଯେ ମୁଁ ପ୍ରାର୍ଥନାରେ କʼଣ କହିବି । ଏପରି କରିବା ଦ୍ୱାରା ମୋ ମନ ଶାନ୍ତ ରହୁଥିଲା ଏବଂ ମୁଁ ଅନ୍ୟ କଥାଗୁଡ଼ିକ ବିଷୟରେ ବି ପ୍ରାର୍ଥନା କରିପାରୁ ଥିଲି ।”
୧୦. ଆମକୁ କାହିଁକି ସମୟ ନେଇ ପ୍ରାର୍ଥନା କରିବା ଉଚିତ୍ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୦ ସମୟ ନେଇ ପ୍ରାର୍ଥନା କରନ୍ତୁ । ଛୋଟିଆ ପ୍ରାର୍ଥନା କଲେ ମଧ୍ୟ ଆମେ ଯିହୋବାଙ୍କର ନିକଟତର ହୋଇପାରିବା, କିନ୍ତୁ ଯଦି ଆମେ ସମୟ ନେଇ ପ୍ରାର୍ଥନା କରିବା, ତାହେଲେ ଆମେ ଯିହୋବାଙ୍କୁ ନିଜର ମନକଥା ଖୋଲିକି କହିପାରିବା ।b ଭଉଣୀ ଆଲିସ୍କାଙ୍କ ସ୍ୱାମୀ ଏଲାଇଜା କହନ୍ତି, “ମୁଁ ଦିନରେ ଅନେକ ଥର ଯିହୋବାଙ୍କ ସହିତ କଥା ହୁଏ ଏବଂ ଲମ୍ବା ପ୍ରାର୍ଥନା ମଧ୍ୟ କରେ, ତେଣୁ ମୁଁ ତାଙ୍କର ନିକଟତର ହୋଇପାରିଛି । ଯିହୋବା କେବେ ବି ବ୍ୟସ୍ତ ରହନ୍ତିନି ଏବଂ ସେ ଧୈର୍ଯ୍ୟର ସହ ଆମ ପ୍ରାର୍ଥନା ଶୁଣନ୍ତି । ତେଣୁ ଆମେ ଲମ୍ବା ସମୟ ଯାଏ ତାଙ୍କୁ ପ୍ରାର୍ଥନା କରିପାରିବା ।” ଏହି ଭାଇଙ୍କ ଭଳି ଆପଣ କʼଣ କରିପାରିବେ ? ଆପଣ ଚାହିଁଲେ ଏପରି କୌଣସି ଜାଗା ଏବଂ ସମୟ ବାଛିପାରିବେ, ଯେବେ ଆପଣ ଅନ୍ୟମନସ୍କ ନ ହୋଇ ଧ୍ୟାନର ସହ ପ୍ରାର୍ଥନା କରିପାରିବେ । ତାʼସହିତ ଆପଣ ବଡ଼ ପାଟିରେ ବି ପ୍ରାର୍ଥନା କରିପାରିବେ । ଯଦି ଆପଣ ଲଗାତାର ଏପରି କରନ୍ତି, ତାହେଲେ ଏହିପରି ଭାବେ ପ୍ରାର୍ଥନା କରିବା ଆପଣଙ୍କର ଅଭ୍ୟାସ ହୋଇଯିବ ।
ଏପରି ଜାଗା ଏବଂ ସମୟ ବାଛନ୍ତୁ, ଯେବେ ଆପଣ ଧ୍ୟାନର ସହ ଯିହୋବାଙ୍କୁ ପ୍ରାର୍ଥନା କରିପାରିବେ (ପାରାଗ୍ରାଫ ୧୦)
ବାଇବଲରେ ଦିଆଯାଇଥିବା ପ୍ରାର୍ଥନାଗୁଡ଼ିକରୁ ଶିଖନ୍ତୁ
୧୧. ବାଇବଲରେ ଦିଆଯାଇଥିବା ପ୍ରାର୍ଥନାଗୁଡ଼ିକ ବିଷୟରେ ଗଭୀର ଭାବେ ଭାବିଲେ, ଆମେ କʼଣ ଶିଖିପାରିବା ? (“କʼଣ ଆପଣଙ୍କୁ ବି ସେମାନଙ୍କ ଭଳି ଲାଗେ ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୧୧ ବାଇବଲରେ ଯିହୋବାଙ୍କର ଅନେକ ବିଶ୍ୱସ୍ତ ସେବକଙ୍କର ପ୍ରାର୍ଥନାଗୁଡ଼ିକ ଦିଆଯାଇଛି । କିଛି ପ୍ରାର୍ଥନା ଗୀତ ଆକାରରେ ଦିଆଯାଇଛି । ଯଦି ଆମେ ଏଗୁଡ଼ିକୁ ପଢ଼ିବା ଏବଂ ଗଭୀର ଭାବେ ଭାବିବା, ତାହେଲେ ଆମେ ଅନେକ କଥା ଶିଖିପାରିବା । ଯେପରି, ଆମେ ଏହା ଶିଖିପାରିବା ଯେ ଆମେ କିପରି ଯିହୋବାଙ୍କୁ ନିଜର ମନକଥା ଖୋଲିକି କହିପାରିବା ଏବଂ ଆମେ କିପରି ମନୋହର ଶବ୍ଦଗୁଡ଼ିକ ବ୍ୟବହାର କରି ତାଙ୍କର ପ୍ରଶଂସା କରିପାରିବା । ବାଇବଲରେ ଏପରି ଲୋକମାନଙ୍କର ବି ପ୍ରାର୍ଥନା ଦିଆଯାଇଛି, ଯେଉଁମାନେ ଆମ ଭଳି ପରିସ୍ଥିତିର ସାମନା କରୁଥିଲେ ।
୧୨. ବାଇବଲରେ ଦିଆଯାଇଥିବା କୌଣସି ପ୍ରାର୍ଥନା ବିଷୟରେ ଭାବିବା ସମୟରେ ଆପଣ ନିଜକୁ କେଉଁ ପ୍ରଶ୍ନଗୁଡ଼ିକ ପଚାରିପାରିବେ ?
୧୨ ବାଇବଲରେ ଦିଆଯାଇଥିବା କୌଣସି ପ୍ରାର୍ଥନା ବିଷୟରେ ଭାବିବା ସମୟରେ ନିଜକୁ ପଚାରନ୍ତୁ, ‘ଏହି ପ୍ରାର୍ଥନା କିଏ କଲା ? ସେ କେଉଁ ପରିସ୍ଥିତିରେ ଥିଲା ? କʼଣ ମୁଁ ବି ତାʼଭଳି ହିଁ ଅନୁଭବ କରେ ? ମୁଁ ଏହି ପ୍ରାର୍ଥନାରୁ କʼଣ ଶିଖେ ?’ ହୁଏତ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଆପଣଙ୍କୁ ଅନୁସନ୍ଧାନ କରିବାକୁ ପଡ଼ିବ । କିନ୍ତୁ ଭରସା ରଖନ୍ତୁ, ଆପଣଙ୍କ ପରିଶ୍ରମ ବ୍ୟର୍ଥ ହେବ ନାହିଁ । ଏବେ ଆମେ ଯିହୋବାଙ୍କର ଚାରିଜଣ ସେବକଙ୍କ ପ୍ରାର୍ଥନାଗୁଡ଼ିକ ବିଷୟରେ ଧ୍ୟାନ ଦେବା ।
୧୩. ପ୍ରାର୍ଥନା କରିବା ବିଷୟରେ ଆମେ ହାନ୍ନାଙ୍କଠାରୁ କʼଣ ଶିଖିପାରିବା ? (୧ ଶାମୁୟେଲ ୧:୧୦, ୧୧) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ୧ ଶାମୁୟେଲ ୧:୧୦, ୧୧ ପଢ଼ନ୍ତୁ । ଏହି ପ୍ରାର୍ଥନା କରିବା ସମୟରେ ହାନ୍ନା ନିଜ ଜୀବନରେ ଦୁଇଟି ବଡ଼ ସମସ୍ୟାର ସାମନା କରୁଥିଲେ । ପ୍ରଥମ, ତାଙ୍କର କୌଣସି ସନ୍ତାନ ନ ଥିଲେ ଏବଂ ଦ୍ୱିତୀୟ, ତାଙ୍କର ସଉତୁଣୀ ତାଙ୍କୁ ବହୁତ ହଇରାଣ କରୁଥିଲା । (୧ ଶାମୁ. ୧:୪-୭) କʼଣ ଆପଣ ବି ଏପରି କୌଣସି ସମସ୍ୟାର ସାମନା କରୁଛନ୍ତି ଯାହା ଲମ୍ବା ସମୟରୁ ଚାଲିଛି, ତାହେଲେ ଆପଣ ହାନ୍ନାଙ୍କ ପ୍ରାର୍ଥନାରୁ କʼଣ ଶିଖିପାରିବେ ? ହାନ୍ନା ଯେବେ ସମୟ ନେଇ ନିଜର ମନକଥା ଯିହୋବାଙ୍କୁ ଖୋଲିକି କହିଲେ, ତେବେ ତାଙ୍କୁ ଶାନ୍ତି ମିଳିଲା । (୧ ଶାମୁ. ୧:୧୨, ୧୮) ଯଦି ଆପଣ ବି ନିଜର “ଭାର” ଯିହୋବାଙ୍କୁ ଦେବେ, ଅର୍ଥାତ୍ ତାଙ୍କୁ କହିବେ ଯେ ଆପଣ କିପରି ଅନୁଭବ କରୁଛନ୍ତି, ତାହେଲେ ଆପଣଙ୍କୁ ଶାନ୍ତି ମିଳିବ ।—ଗୀତ. ୫୫:୨୨.
ହାନ୍ନାଙ୍କ ସନ୍ତାନ ନ ଥିଲେ ଏବଂ ତାଙ୍କ ସଉତୁଣୀ ସବୁବେଳେ ତାଙ୍କୁ ଥଟ୍ଟା କରୁଥିଲା । ଏପରି ସମୟରେ ହାନ୍ନା ଯିହୋବାଙ୍କୁ ନିଜର ମନକଥା ଖୋଲିକି କହିଲେ (ପାରାଗ୍ରାଫ ୧୩)
୧୪. (କ) ଆମେ ହାନ୍ନାଙ୍କଠାରୁ ଆଉ କʼଣ ଶିଖୁ ? (ଖ) ବାଇବଲ ପଢ଼ିଲେ ଏବଂ ତାʼଉପରେ ଚିନ୍ତନ କଲେ, ଆମେ କିପରି ଆହୁରି ଭଲଭାବେ ପ୍ରାର୍ଥନା କରିପାରିବା ? (ଫୁଟନୋଟ୍ ଦେଖନ୍ତୁ ।)
୧୪ କିଛି ସମୟ ପରେ ହାନ୍ନାଙ୍କର ପୁଅଟିଏ ଜନ୍ମ ହେଲା । ସେମାନେ ତାʼର ନାମ ଶାମୁୟେଲ ରଖିଲେ । ଶାମୁୟେଲ ଟିକିଏ ବଡ଼ ହେବା ପରେ ହାନ୍ନା ତାକୁ ମହାଯାଜକ ଏଲିଙ୍କ ପାଖକୁ ନେଲେ । (୧ ଶାମୁ. ୧:୨୪-୨୮) ଏହାପରେ ସେ ହୃଦୟରୁ ପ୍ରାର୍ଥନା କଲେ ଏବଂ ଭରସାର ସହିତ କହିଲେ ଯେ ଯିହୋବା ନିଜର ବିଶ୍ୱସ୍ତ ସେବକମାନଙ୍କର ସୁରକ୍ଷା କରନ୍ତି ଏବଂ ସେମାନଙ୍କର ଯତ୍ନ ନିଅନ୍ତି ।c (୧ ଶାମୁ. ୨:୧, ୮, ୯) ଏବେ ବି ହାନ୍ନାଙ୍କ ପରିସ୍ଥିତି ପୂରାପୂରି ଠିକ୍ ହୋଇ ନ ଥିଲା, ତଥାପି ସେ ନିଜ ସମସ୍ୟାଗୁଡ଼ିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଯିହୋବାଙ୍କ ଆଶିଷଗୁଡ଼ିକ ଉପରେ ନିଜର ଧ୍ୟାନ ଲଗାଇ ରଖିଲେ । ଏଥିରୁ ଆମେ କʼଣ ଶିଖୁ ? ହୁଏତ ଆପଣ ଏପରି କୌଣସି ସମସ୍ୟାର ସାମନା କରୁଛନ୍ତି ଯାହା ଲମ୍ବା ସମୟରୁ ଚାଲିଛି, ତାହେଲେ ଆପଣ ନିଜ ସମସ୍ୟା ବିଷୟରେ ଭାବିବା ପରିବର୍ତ୍ତେ ଏବିଷୟରେ ଭାବନ୍ତୁ ଯେ ଯିହୋବା କିପରି ଆପଣଙ୍କୁ ଏବେ ପର୍ଯ୍ୟନ୍ତ ସମ୍ଭାଳିଛନ୍ତି ।
୧୫. ଯିରିମୀୟଙ୍କ ପ୍ରାର୍ଥନାରୁ ଆମେ କʼଣ ଶିଖୁ ? (ଯିରିମୀୟ ୧୨:୧)
୧୫ ଯିରିମୀୟ ୧୨:୧ ପଢ଼ନ୍ତୁ । ଯିରିମୀୟଙ୍କ ସମୟରେ ଦୁଷ୍ଟ ଲୋକମାନେ ବହୁତ ଆରାମରେ ବଞ୍ଚୁଥିଲେ । ଏହା ଦେଖି ଯିରିମୀୟ ନିରାଶ ହୋଇଗଲେ । କେବଳ ଏତିକି ନୁହଁ, ତାଙ୍କ ନିଜ ଜାତିର ଲୋକମାନେ ବି ତାଙ୍କ ବିଷୟରେ ଓଲଟା ସିଧା କହି ତାଙ୍କୁ ଥଟ୍ଟା କଲେ । (ଯିରି. ୨୦:୭, ୮) ଆମେ ତାଙ୍କ ପରିସ୍ଥିତିକୁ ଭଲଭାବେ ବୁଝିପାରିବା, କାରଣ ଆଜି ଆମ ଚାରିଆଡ଼େ ବି ଦୁଷ୍ଟ ଲୋକମାନେ ଅଛନ୍ତି ଏବଂ ସେମାନେ ଆମର ବି ଥଟ୍ଟା କରନ୍ତି । କିନ୍ତୁ ଯିରିମୀୟ ଏପରି ଖରାପ ପରିସ୍ଥିତିରେ ଥାଇ ମଧ୍ୟ ଯିହୋବାଙ୍କ ନ୍ୟାୟ ଉପରେ କେବେ ବି ସନ୍ଦେହ କଲେ ନାହିଁ । ଯେବେ ସେ ଯିହୋବାଙ୍କୁ, ବିଦ୍ରୋହୀ ଇସ୍ରାଏଲୀୟମାନଙ୍କୁ ଦଣ୍ଡ ଦେବାର ଦେଖିଲେ, ତେବେ ତାଙ୍କୁ ପୂରା ଭରସା ହୋଇଗଲା ଯେ ଯିହୋବା ସବୁବେଳେ ନ୍ୟାୟ କରନ୍ତି । (ଯିରି. ୩୨:୧୯) ଯିରିମୀୟଙ୍କଠାରୁ ଆମେ କʼଣ ଶିଖୁ ? ତାଙ୍କ ଭଳି ଆମେ ବି ଯିହୋବାଙ୍କୁ ମନଖୋଲି କହିପାରିବା ଯେ ଆଜି ଏହି ଦୁନିଆରେ ଅନ୍ୟାୟ ଦେଖି ଆମକୁ କେତେ ଦୁଃଖ ଲାଗେ । ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଠିକ୍ ସମୟରେ ସବୁ ପ୍ରକାରର ଅନ୍ୟାୟକୁ ଶେଷ କରିଦେବେ ।
୧୬. ବନ୍ଦୀରେ ଥିବା ଲେବୀଙ୍କ ପ୍ରାର୍ଥନାରୁ ଆମେ କʼଣ ଶିଖୁ ? (ଗୀତସଂହିତା ୪୨:୧-୪) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୬ ଗୀତସଂହିତା ୪୨:୧-୪ ପଢ଼ନ୍ତୁ । ଏହି ଗୀତକୁ ବନ୍ଦୀରେ ଥିବା ଜଣେ ଲେବୀ ଲେଖିଥିଲେ । ସେ ନିଜ ଲୋକମାନଙ୍କ ସହିତ ମିଶି ଯିହୋବାଙ୍କର ଉପାସନା କରିପାରୁ ନ ଥିଲେ । ସେଥିପାଇଁ ସେ କିପରି ଅନୁଭବ କରୁଥିଲେ ? ଏବିଷୟରେ ଆମେ ଏହି ଗୀତରୁ ବୁଝିପାରିବା । ଯଦି ଆପଣ କୌଣସି ରୋଗ ଯୋଗୁଁ କୁଆଡ଼େ ଯାଇପାରୁ ନାହାନ୍ତି କିମ୍ବା ନିଜ ବିଶ୍ୱାସ ଯୋଗୁଁ ଜେଲରେ ଅଛନ୍ତି, ତାହେଲେ ହୁଏତ ଆପଣଙ୍କୁ ବି ସେହି ଲେବୀ ଭଳି ଅନୁଭବ ହେବ । ହୁଏତ କୌଣସି ଦିନ ଆପଣ ଖୁସି ଥିବେ ତ ଅନ୍ୟ କୌଣସି ଦିନ ଦୁଃଖୀ ଥିବେ । ଆପଣ ଯେପରି ବି ଅନୁଭବ କରନ୍ତି, ତାହା ଯିହୋବାଙ୍କୁ କହନ୍ତୁ । ଏପରି କଲେ ଆପଣ ନିଜର ଭାବନାକୁ ଭଲଭାବେ ବୁଝିପାରିବେ । ଆପଣ ଜାଣିପାରିବେ ଯେ ଆପଣ ଯେପରି ଭାବେ ଭାବୁଛନ୍ତି, ତାହା ଠିକ୍ ଅଟେ ନା ନୁହେଁ ଏବଂ ଆପଣ ନିଜର ଦୃଷ୍ଟିକୋଣକୁ ସୁଧାରିପାରିବେ । ଯେପରି, ସେହି ଲେବୀ ବୁଝିଯାଇଥିଲେ ଯେ ବନ୍ଦୀ ଥିବା ସତ୍ତ୍ୱେ ସେ ଅନ୍ୟ ଉପାୟରେ ଯିହୋବାଙ୍କ ପ୍ରଶଂସା କରିପାରିବେ । (ଗୀତ. ୪୨:୫) ସେ ଏବିଷୟରେ ବି ଭାବିଲେ ଯେ ଯିହୋବା କିପରି ଭାବେ ତାଙ୍କର ଯତ୍ନ ନେଉଛନ୍ତି । (ଗୀତ. ୪୨:୮) ଯଦି ଆମେ ବି ଯିହୋବାଙ୍କୁ ମନଖୋଲି ପ୍ରାର୍ଥନା କରୁ, ତାହେଲେ ଆମେ ନିଜ ଭାବନାକୁ ଆହୁରି ଭଲଭାବେ ବୁଝିପାରୁ, ସଠିକ୍ ଦୃଷ୍ଟିକୋଣ ରଖିପାରୁ ଏବଂ ଆମକୁ ସମସ୍ୟାର ସାମନା କରିବା ପାଇଁ ସାହସ ମିଳେ ।
ଗୀତସଂହିତା ୪୨ ଅଧ୍ୟାୟର ରଚୟିତା ମନଖୋଲି ଯିହୋବାଙ୍କୁ ପ୍ରାର୍ଥନା କଲେ । ଯଦି ଆମେ ବି ଯିହୋବାଙ୍କୁ ମନଖୋଲି ପ୍ରାର୍ଥନା କରିବା, ତାହେଲେ ଆମେ ସଠିକ୍ ଦୃଷ୍ଟିକୋଣ ରଖିପାରିବା (ପାରାଗ୍ରାଫ ୧୬)
୧୭. (କ) ଆମେ ଭବିଷ୍ୟଦ୍ବକ୍ତା ଯୂନସଙ୍କ ପ୍ରାର୍ଥନାରୁ କʼଣ ଶିଖିପାରିବା ? (ଯୂନସ ୨:୧, ୨) (ଖ) ସମସ୍ୟା ସମୟରେ ଆମକୁ କିପରି ଗୀତସଂହିତାରେ ଲେଖାଥିବା କଥାଗୁଡ଼ିକରୁ ସାହସ ମିଳିବ ? (ଫୁଟନୋଟ୍ ଦେଖନ୍ତୁ ।)
୧୭ ଯୂନସ ୨:୧, ୨ ପଢ଼ନ୍ତୁ । ଏହି ପ୍ରାର୍ଥନା ଭବିଷ୍ୟଦ୍ବକ୍ତା ଯୂନସ ଗୋଟିଏ ବିରାଟ କାୟ ମାଛ ପେଟରେ ଥିବା ସମୟରେ କରିଥିଲେ । ସେ ଯିହୋବାଙ୍କ ଆଜ୍ଞା ମାନି ନ ଥିଲେ, ତଥାପି ତାଙ୍କୁ ପୂରା ଭରସା ଥିଲା ଯେ ଯିହୋବା ତାଙ୍କ ପ୍ରାର୍ଥନା ଶୁଣିବେ । ନିଜ ପ୍ରାର୍ଥନାରେ ସେ ଗୀତସଂହିତା ବହିରୁ ଅନେକ କଥାଗୁଡ଼ିକ କହିଲେ ।d ଏଥିରୁ ଜଣାପଡ଼େ ଯେ ତାଙ୍କୁ ଗୀତସଂହିତା ବହିରେ ଲେଖାଥିବା ସେହି କଥାଗୁଡ଼ିକ ମନେ ଥିଲା । ଯେବେ ସେ ସେହି କଥାଗୁଡ଼ିକ ବିଷୟରେ ଗଭୀର ଭାବେ ଭାବିଲେ, ତେବେ ତାଙ୍କୁ ଭରସା ହୋଇଗଲା ଯେ ଯିହୋବା ତାଙ୍କୁ ସାହାଯ୍ୟ କରିବେ । ଏଥିରୁ ଆମେ କʼଣ ଶିଖୁ ? ଯଦି ଆମେ ବି ବାଇବଲର କିଛି ପଦଗୁଡ଼ିକୁ ମନେ ରଖିବା, ତାହେଲେ ସମସ୍ୟା ସମୟରେ ପ୍ରାର୍ଥନା କଲେ ହୁଏତ ଆମକୁ ସେହି ପଦଗୁଡ଼ିକ ମନେ ପଡ଼ିବ ଏବଂ ଆମକୁ ସାହସ ମିଳିବ ।
ପ୍ରାର୍ଥନା ଦ୍ୱାରା ଯିହୋବାଙ୍କର ନିକଟବର୍ତ୍ତୀ ହୁଅନ୍ତୁ
୧୮-୧୯. ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ରୋମୀୟ ୮:୨୬, ୨୭ ପଦରେ ଲେଖାଥିବା କଥାରୁ ଆମକୁ କିପରି ସାନ୍ତ୍ୱନା ମିଳେ ।
୧୮ ରୋମୀୟ ୮:୨୬, ୨୭ ପଢ଼ନ୍ତୁ । ଅନେକ ଥର ଆମେ ଚିନ୍ତାଗ୍ରସ୍ତ ହୋଇଯାଉ । ତେଣୁ ଆମେ ଯିହୋବାଙ୍କୁ ଏହା କହିପାରି ନ ଥାଉ ଯେ ଆମେ କିପରି ଅନୁଭବ କରୁଛୁ । କିନ୍ତୁ ଆମକୁ ନିରାଶ ହେବାର ଦରକାର ନାହିଁ । ଯିହୋବାଙ୍କ ପବିତ୍ର ଶକ୍ତି ଆମ ତରଫରୁ “ନିବେଦନ” କରେ । ଏହା କିପରି ସମ୍ଭବ ହୋଇଥାଏ ? ଯିହୋବା ନିଜ ପବିତ୍ର ଶକ୍ତି ଜରିଆରେ ବାଇବଲରେ ଅନେକ ପ୍ରାର୍ଥନା ଲେଖାଇଛନ୍ତି । ଆଉ ଯେବେ ଆମେ ଯିହୋବାଙ୍କୁ ଏହା ସ୍ପଷ୍ଟ ଭାବେ କହିପାରି ନ ଥାଉ ଯେ ଆମେ କିପରି ଅନୁଭବ କରୁଛୁ, ତେବେ ହୁଏତ ଯିହୋବା ସେହି ପ୍ରାର୍ଥନାଗୁଡ଼ିକୁ ଆମ ପ୍ରାର୍ଥନା ଭାବି ଗ୍ରହଣ କରିବେ ଏବଂ ତାହାର ଉତ୍ତର ଦେବେ ।
୧୯ ଏବିଷୟରେ ଭାବି ରୁଷରେ ଥିବା ଭଉଣୀ ଏଲିନାଙ୍କୁ ବହୁତ ସାହାଯ୍ୟ ମିଳିଲା । ତାଙ୍କୁ ବାଇବଲ ପଢ଼ିବା ଏବଂ ପ୍ରାର୍ଥନା କରିବା ଯୋଗୁଁ ଗିରଫ୍ କରାଯାଇଥିଲା । ତେଣୁ ସେ ବହୁତ ଚିନ୍ତିତ ଥିଲେ ଏବଂ ପ୍ରାର୍ଥନା କରିପାରୁ ନ ଥିଲେ । ସେ କହନ୍ତି, “ସେସମୟରେ ମୋତେ ଏହି କଥା ମନେ ପଡ଼ିଲା ଯେ ଯଦି ମୁଁ ଯିହୋବାଙ୍କୁ ପ୍ରାର୍ଥନା କରିପାରୁ ନାହିଁ, ତାହେଲେ ବି ଯିହୋବା ବାଇବଲରେ ଲେଖାଥିବା ନିଜ ସେବକମାନଙ୍କ ପ୍ରାର୍ଥନାକୁ ମୋ ପ୍ରାର୍ଥନା ଭାବି ଗ୍ରହଣ କରିବେ । ସତରେ, ଏହି କଥାରୁ ମୋତେ ସେହି କଠିନ ପରିସ୍ଥିତିରେ ବହୁତ ସାନ୍ତ୍ୱନା ମିଳିଲା ।”
୨୦. ଆମେ ଚିନ୍ତିତ ଥିବା ସମୟରେ ବି ପ୍ରାର୍ଥନାରେ ଧ୍ୟାନ ଦେବା ପାଇଁ କିପରି ନିଜର ମନକୁ ପ୍ରସ୍ତୁତ କରିପାରିବା ?
୨୦ ଆମେ ଚିନ୍ତିତ ଥିବା ସମୟରେ ପ୍ରାର୍ଥନାରେ ଧ୍ୟାନ ଦେଇପାରି ନ ଥାଉ । ଏପରି ହେଲେ ଆପଣ କʼଣ କରିପାରିବେ ? ନିଜର ମନକୁ ପ୍ରସ୍ତୁତ କରନ୍ତୁ । ଏହା ପାଇଁ ଆପଣ ଗୀତସଂହିତା ବହିକୁ ଜୋର୍ ପାଟିରେ ପଢ଼ିପାରିବେ କିମ୍ବା ଦାଉଦଙ୍କ ଭଳି ଆପଣ ବି ନିଜର ଭାବନାଗୁଡ଼ିକୁ ଲେଖିବା ପାଇଁ ଚେଷ୍ଟା କରିପାରିବେ । (ଗୀତ. ୧୮; ୩୪; ୧୪୨; ଅଧ୍ୟାୟର ଝଲକ) ନିଜର ମନକୁ ପ୍ରସ୍ତୁତ କରିବା ପାଇଁ ଆପଣ ଯେକୌଣସି ବି ଉପାୟ ଆପଣାଇପାରିବେ । (ଗୀତ. ୧୪୧:୨) କିନ୍ତୁ ଜରୁରୀ କଥା ହେଉଛି ଯେ ଆପଣ ନିଜର ମନକୁ ପ୍ରସ୍ତୁତ କରନ୍ତୁ ।
୨୧. ଆମେ କାହିଁକି ମନଖୋଲି ନିଜ ହୃଦୟର କଥା ଯିହୋବାଙ୍କୁ ପ୍ରାର୍ଥନାରେ କହିପାରିବା ?
୨୧ ଏହାଜାଣି ଆମକୁ ବହୁତ ସାନ୍ତ୍ୱନା ମିଳେ ଯେ ଆମେ କିଛି ନ କହିଲେ ବି ଯିହୋବା ଆମର ହୃଦୟର ସବୁ କଥାକୁ ବୁଝିଯାʼନ୍ତି । (ଗୀତ. ୧୩୯:୪) ତଥାପି ସେ ଚାହାନ୍ତି ଯେ ଆମେ ମନଖୋଲି ନିଜ ହୃଦୟର କଥା ତାଙ୍କୁ ଜଣାଉ । ଏପରି କରି ଦେଖାଉ ଯେ ଆମେ ତାଙ୍କ ଉପରେ କେତେ ଭରସା କରୁ । ତେଣୁ ମନଖୋଲି ଯିହୋବାଙ୍କୁ ନିଜର ସୁଖଦୁଃଖ ସବୁକିଛି ଜଣାନ୍ତୁ । କେବେ ବି ନିଜର ପ୍ରେମମୟ ପିତାଙ୍କୁ ନିଜ ମନକଥା କହିବା ପାଇଁ ସଂକୋଚ କରନ୍ତୁ ନାହିଁ । ବାଇବଲରେ ଲେଖାଥିବା ପ୍ରାର୍ଥନାଗୁଡ଼ିକ ଉପରେ ଚିନ୍ତନ କରନ୍ତୁ ଏବଂ ସେହି ପ୍ରାର୍ଥନାଗୁଡ଼ିକରୁ ଶିଖିବା ପାଇଁ ଚେଷ୍ଟା କରନ୍ତୁ । ଏହା ମନେ ରଖନ୍ତୁ ଯେ ଯିହୋବା ଆପଣଙ୍କର ସବୁଠୁ ଭଲ ସାଙ୍ଗ ଅଟନ୍ତି ଏବଂ ସେ କେବେ ବି ଆପଣଙ୍କୁ ଏକୁଟିଆ ଛାଡ଼ିବେ ନାହିଁ !
ଗୀତ ୪୭ ପ୍ରତିଦିନ କଥା ହୁଏ ଯିହୋବା ସାଥେ
a ୱଚନ୍ ଜୋ ଦିଖାଏ ରାହ୍ ବହିରେ ବିଷୟ “ୟହୋୱା” ଭାଗରେ ଯାʼନ୍ତୁ ଏବଂ ସେଥିରେ “ୟହୋୱା କେ କୁଛ୍ ଖାସ୍ ଗୁଣ” ନାମକ ଶୀର୍ଷକରେ ଦିଆଯାଇଥିବା ତଥ୍ୟ ପଢ଼ନ୍ତୁ ।
b ମଣ୍ଡଳୀ ପାଇଁ ପ୍ରାୟ ଛୋଟ ପ୍ରାର୍ଥନା କରାଯାଏ ।
c ହାନ୍ନା ନିଜ ପ୍ରାର୍ଥନାରେ ଯାହା ବି କହିଲେ, ସେମଧ୍ୟରୁ ଅନେକ କଥା ମୋଶାଙ୍କ ଲେଖାଥିବା ବହିଗୁଡ଼ିକରେ ମଧ୍ୟ ଦିଆଯାଇଛି । ଏଥିରୁ ଜଣାପଡ଼େ ଯେ ଶାସ୍ତ୍ରରେ ଯେଉଁ କଥାଗୁଡ଼ିକ ଲେଖାଥିଲା, ସେଗୁଡ଼ିକ ବିଷୟରେ ସେ ଚିନ୍ତନ କରିବା ପାଇଁ ସମୟ ବାହାର କରୁଥିଲେ । (ଦ୍ୱିବି. ୪:୩୫; ୮:୧୮; ୩୨:୪, ୩୯; ୧ ଶାମୁ. ୨:୨, ୬, ୭) ଆଉ ଆଗକୁ ଯାଇ ଯୀଶୁଙ୍କ ମାଆ ମରୀୟମ ଯିହୋବାଙ୍କ ପ୍ରଶଂସା କରିବା ପାଇଁ ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର କଲେ, ତାହା ବି ହାନ୍ନାଙ୍କ ପ୍ରାର୍ଥନା ସହ ବହୁତ ମେଳ ଖାଏ ।—ଲୂକ ୧:୪୬-୫୫.
d ଉଦାହରଣ ପାଇଁ ଯୂନସ ୨:୩-୯ ପଦର ତୁଳନା ଗୀତସଂହିତା ୬୯:୧; ୧୬:୧୦; ୩୦:୩; ୧୪୨:୨, ୩; ୧୪୩:୪, ୫; ୧୮:୬; ଏବଂ ୩:୮ ପଦ ସହ କରନ୍ତୁ । ଏଠାରେ ଗୀତସଂହିତାର ପଦଗୁଡ଼ିକୁ ସେହି କ୍ରମ ଅନୁସାରେ ଦିଆଯାଇଛି, ଯେଉଁ କ୍ରମ ଅନୁସାରେ ଯୂନସ ନିଜ ପ୍ରାର୍ଥନାରେ କହିଥିଲେ ।