ଅଧ୍ୟୟନ ଲେଖା ୪୩
ଗୀତ ୪୧ ମୋ ଗୁହାରି ଶୁଣ
ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ଭୁଲନ୍ତୁ ନାହିଁ
“ପରସ୍ପର ପାଇଁ ପ୍ରାର୍ଥନା କର । ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ ।”—ଯାକୁ. ୫:୧୬.
କʼଣ ଶିଖିବା ?
ଆମେ ଶିଖିବା ଯେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା କାହିଁକି ଜରୁରୀ ଏବଂ ଆମେ ଏହା କିପରି କରିପାରିବା ?
୧. ଆମେ କାହିଁକି କହିପାରିବା ଯେ ଯିହୋବାଙ୍କ ପାଇଁ ଆମ ପ୍ରାର୍ଥନା ବହୁତ ମହତ୍ତ୍ୱ ରଖେ ?
ଏହା କେତେ ସମ୍ମାନର କଥା ଯେ ଆମେ ସମଗ୍ର ବିଶ୍ୱର ମାଲିକ ଯିହୋବାଙ୍କ ସହ କଥା ହୋଇପାରୁ । (ଗୀତ. ୯୧:୧୧) ଏହା ସତ ଯେ ଯିହୋବା ସ୍ୱର୍ଗଦୂତମାନଙ୍କୁ କିଛି ଦାୟିତ୍ୱ ଦେଇଛନ୍ତି, ଏପରିକି ସେ ନିଜ ପୁତ୍ରଙ୍କୁ ମଧ୍ୟ ବଡ଼ ବଡ଼ ଦାୟିତ୍ୱ ଦେଇଛନ୍ତି । (ମାଥି. ୨୮:୧୮) କିନ୍ତୁ ଯଦି ଆମେ ପ୍ରାର୍ଥନା ବିଷୟରେ ଦେଖିବା, ତାହେଲେ ସେ ଏହି ଦାୟିତ୍ୱ ଅନ୍ୟ କାହାକୁ ଦେଇ ନାହାନ୍ତି । ସେ ନିଜେ ଆମର ପ୍ରାର୍ଥନା ଶୁଣନ୍ତି । ସେଥିପାଇଁ ବାଇବଲରେ ତାଙ୍କୁ “ପ୍ରାର୍ଥନା ଶ୍ରବଣକାରୀ” ଈଶ୍ୱର ବୋଲି କୁହାଯାଇଛି ।—ଗୀତ. ୬୫:୨.
୨. ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ବିଷୟରେ ଆମେ ପାଉଲଙ୍କଠାରୁ କʼଣ ଶିଖିପାରିବା ?
୨ ଆମେ ନିଜ ସମସ୍ୟା ବିଷୟରେ ଯିହୋବାଙ୍କୁ ପ୍ରାର୍ଥନା କରିଥାଉ, କିନ୍ତୁ ଆମକୁ ଅନ୍ୟମାନଙ୍କ ପାଇଁ ବି ପ୍ରାର୍ଥନା କରିବା ଉଚିତ୍ । ପ୍ରେରିତ ପାଉଲ ମଧ୍ୟ ଏପରି ହିଁ କଲେ । ଯେପରି ସେ ଏଫିସୀୟର ମଣ୍ଡଳୀକୁ ଚିଠିରେ ଲେଖିଲେ, ‘ମୁଁ ମୋହର ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖ କରେ ।’ (ଏଫି. ୧:୧୬) ପାଉଲ ସାରା ମଣ୍ଡଳୀ ପାଇଁ ପ୍ରାର୍ଥନା କରିବା ସହିତ କିଛି ଭାଇଭଉଣୀଙ୍କର ନାମ ନେଇ ମଧ୍ୟ ସେମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ । ଯେପରି ସେ ତୀମଥିଙ୍କୁ କହିଲେ, ‘ମୁଁ ଦିବାରାତ୍ର ମୋହର ପ୍ରାର୍ଥନାରେ ନିରନ୍ତର ତୁମ୍ଭର ନାମ ଉଲ୍ଲେଖ କରି ମୁଁ ତାହାଙ୍କୁ ଧନ୍ୟବାଦ ଦେଇଥାଏ ।’ (୨ ତୀମ. ୧:୩) ପାଉଲ ନିଜ ସମସ୍ୟା ପାଇଁ ବି ପ୍ରାର୍ଥନା କରୁଥିଲେ । (୨ କରି. ୧୧:୨୩; ୧୨:୭, ୮) କିନ୍ତୁ ସେ ସମୟ ବାହାର କରି ଅନ୍ୟମାନଙ୍କ ପାଇଁ ବି ପ୍ରାର୍ଥନା କଲେ ।
୩. ହୁଏତ ଆମେ କାହିଁକି ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ଭୁଲିଯାଉ ?
୩ ବେଳେବେଳେ କାହିଁକି ଆମେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ଭୁଲିଯାଉ ? ଏହାର ଗୋଟିଏ କାରଣ କʼଣ, ଏବିଷୟରେ ଭଉଣୀ ସବରୀନାa କହନ୍ତି, “ଆଜିକାଲି ଆମେ ଏତେ ବ୍ୟସ୍ତ ରହୁ ଯେ ଆମକୁ ନିଶ୍ୱାସ ନେବା ପାଇଁ ମଧ୍ୟ ସମୟ ମିଳେନି । ଆମେ ନିଜ ସମସ୍ୟାରେ ହୁଏତ ଏତେ ବୁଡ଼ିଯାଉ ଯେ ଆମେ କେବଳ ନିଜ ପାଇଁ ହିଁ ପ୍ରାର୍ଥନା କରିଥାଉ ।” ଯଦି ଆପଣଙ୍କ ସହ ମଧ୍ୟ ଏପରି ହୁଏ, ତାହେଲେ ଏହି ଲେଖାରୁ ଆପଣଙ୍କୁ ବହୁତ ସାହାଯ୍ୟ ମିଳିପାରିବ । ଏଥିରେ ଆମେ ଜାଣିବା ଯେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା କାହିଁକି ବହୁତ ଜରୁରୀ ଏବଂ ଆମେ ଏହା କିପରି କରିପାରିବା ।
ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା କାହିଁକି ଜରୁରୀ ?
୪-୫. ଯେବେ ଆମେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁ, ତେବେ ଏହା କିପରି “ଅନେକ କାର୍ଯ୍ୟ ସାଧନ କରି ପାରେ ?” (ଯାକୁବ ୫:୧୬)
୪ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କଲେ, ତାହା “ଅନେକ କାର୍ଯ୍ୟ ସାଧନ କରି ପାରେ ।” (ଯାକୁବ ୫:୧୬ ପଢ଼ନ୍ତୁ ।) କʼଣ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କଲେ, ସେମାନଙ୍କ ପରିସ୍ଥିତିରେ କିଛି ପ୍ରଭାବ ପଡ଼ିବ ? ନିଶ୍ଚୟ । ଯୀଶୁ ମଧ୍ୟ ଏହି କଥାକୁ ଜାଣିଥିଲେ । ସେହି ଘଟଣାକୁ ମନେ ପକାନ୍ତୁ ଯେବେ ପିତର ଯୀଶୁଙ୍କୁ ଅସ୍ୱୀକାର କରିବାକୁ ଯାଉଥିଲେ । ଯୀଶୁଙ୍କୁ ଏହା ଜଣାଥିଲା, ତେଣୁ ସେ ପିତରଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି ।” (ଲୂକ ୨୨:୩୨) ପାଉଲ ମଧ୍ୟ ଜାଣିଥିଲେ ଯେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କଲେ, ଏହାର ବହୁତ ପ୍ରଭାବ ପଡ଼ିପାରେ । ଥରେ ଯେବେ ସେ ରୋମରେ ବନ୍ଦୀ ଥିଲେ ତେବେ ସେ ଫିଲୀମୋନଙ୍କୁ ଚିଠିରେ ଲେଖିଲେ, “ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ୱାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି ।” (ଫିଲୀ. ୨୨)b ଆଉ ଏପରି ହିଁ ହେଲା । କିଛି ସମୟ ପରେ ପାଉଲଙ୍କୁ ବନ୍ଦୀରୁ ମୁକ୍ତ କରାଗଲା ଏବଂ ସେ ପୁଣିଥରେ ପ୍ରଚାର କରିବା ଆରମ୍ଭ କଲେ ।
୫ କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ଆମେ ଯିହୋବାଙ୍କୁ ପ୍ରାର୍ଥନା କରି କୌଣସି ପଦକ୍ଷେପ ନେବା ପାଇଁ ବାଧ୍ୟ କରିପାରିବା । ଏହା ପରିବର୍ତ୍ତେ, ଯେବେ ଆମେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁ, ତେବେ ସେ ଧ୍ୟାନ ଦିଅନ୍ତି ଯେ ଆମେ ସେମାନଙ୍କର କେତେ ଚିନ୍ତା କରୁ । ସେଥିପାଇଁ ସେ ଅନେକ ଥର ଆମ ପ୍ରାର୍ଥନାଗୁଡ଼ିକ ଯୋଗୁଁ ପଦକ୍ଷେପ ନିଅନ୍ତି । ଏହା ଜାଣିଲା ପରେ ଆମକୁ ଇଚ୍ଛା ହେବ ଯେ ଆମେ ହୃଦୟରୁ ପ୍ରାର୍ଥନା କରିବା ଓ ସବୁକିଛି ଯିହୋବାଙ୍କ ଉପରେ ଛାଡ଼ିଦେବା ।—ଗୀତ. ୩୭:୫; ୨ କରି. ୧:୧୧.
୬. ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କଲେ କʼଣ କʼଣ ଲାଭ ହୁଏ ? (୧ ପିତର ୩:୮)
୬ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କଲେ, ଆମ ହୃଦୟରେ ସେମାନଙ୍କ ପାଇଁ “କୋମଳ ହୃଦୟ” [“କୋମଳ କରୁଣା,” NWT] ସୃଷ୍ଟି ହୁଏ । (୧ ପିତର ୩:୮ ପଢ଼ନ୍ତୁ ।) ଯେବେ ଜଣେ ବ୍ୟକ୍ତିର ହୃଦୟରେ ଅନ୍ୟମାନଙ୍କ ପାଇଁ କରୁଣା ଥାଏ, ତେବେ ସେ ଏ କଥା ଉପରେ ଧ୍ୟାନ ଦିଏ ଯେ ଅନ୍ୟ ଜଣେ ବ୍ୟକ୍ତି କେଉଁ ସମସ୍ୟାର ସାମନା କରୁଛି ଏବଂ ତାକୁ ତାʼର ସାହାଯ୍ୟ କରିବା ପାଇଁ ଇଚ୍ଛା ହୁଏ । (ମାର୍କ ୧:୪୦, ୪୧) ଧ୍ୟାନ ଦିଅନ୍ତୁ ଯେ ମାଇକଲ ନାମକ ଜଣେ ପ୍ରାଚୀନ ଭାଇ ଏବିଷୟରେ କʼଣ କୁହନ୍ତି: “ଯେବେ ଆମେ ଅନ୍ୟମାନଙ୍କ ଆବଶ୍ୟକତା ପୂରା ହେଉ ବୋଲି ପ୍ରାର୍ଥନା କରୁ, ତେବେ ଆମେ ଆହୁରି ଭଲଭାବରେ ବୁଝିପାରୁ ଯେ ସେମାନେ କେଉଁ ସମସ୍ୟାର ସାମନା କରୁଛନ୍ତି ଏବଂ ଆମ ହୃଦୟରେ ସେମାନଙ୍କ ପାଇଁ ପ୍ରେମ ଆହୁରି ବଢ଼ିଯାଏ । ଆମେ ସେମାନଙ୍କର ନିକଟତର ଅନୁଭବ କରୁ, ଯଦିଓ ସେମାନେ ଏହା ଜାଣି ନ ଥାʼନ୍ତି ।” ରିଚର୍ଡ ନାମକ ଜଣେ ପ୍ରାଚୀନ ଭାଇ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବାର ଆଉ ଗୋଟିଏ ଲାଭ ବିଷୟରେ କହନ୍ତି । ସେ କହନ୍ତି, “ଯେବେ ଆମେ କାହାରି ପାଇଁ ପ୍ରାର୍ଥନା କରୁ, ତେବେ ଆମକୁ ତାଙ୍କ ସାହାଯ୍ୟ କରିବା ପାଇଁ ଆହୁରି ଇଚ୍ଛା ହୁଏ । ଆଉ ଯେବେ ଆମେ ସେମାନଙ୍କର ସାହାଯ୍ୟ କରୁ, ତେବେ ପ୍ରକୃତରେ ଯିହୋବା ଆମ ଜରିଆରେ ହିଁ ଆମ ପ୍ରାର୍ଥନାର ଉତ୍ତର ଦିଅନ୍ତି ।”
୭. ବୁଝାନ୍ତୁ ଯେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କଲେ ଆଉ କʼଣ ଲାଭ ହୁଏ । (ଫିଲିପ୍ପୀୟ ୨:୩, ୪) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୭ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କଲେ, ଆମ ଧ୍ୟାନ କେବଳ ନିଜ ସମସ୍ୟା ଉପରେ ରହେନି । (ଫିଲିପ୍ପୀୟ ୨:୩, ୪ ପଢ଼ନ୍ତୁ ।) ଆମେ ସମସ୍ତେ ଶୟତାନର ଦୁନିଆରେ ରହୁଛୁ, ତେଣୁ ଆମ ସମସ୍ତଙ୍କୁ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ସେଥିପାଇଁ ଏହା ଜରୁରୀ ଯେ ଆମେ ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା । (୧ ଯୋହ. ୫:୧୯; ପ୍ରକା. ୧୨:୧୨) ଯଦି ଆମେ ଏପରି କରିବା, ତାହେଲେ ଆମେ ବୁଝିପାରିବା ଯେ କେବଳ ଆମକୁ ହିଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁ ନାହିଁ, ବରଂ ‘ଜଗତରେ ଥିବା ଆମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହିପ୍ରକାର ଦୁଃଖଭୋଗ ଘଟୁଅଛି ।’ (୧ ପିତ. ୫:୯) କେଥରିନ ନାମକ ଜଣେ ଅଗ୍ରଦୂତ ଭଉଣୀ କହନ୍ତି, “ଯେବେ ମୁଁ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରେ, ତେବେ ମୁଁ ବୁଝିପାରେ ଯେ ସେମାନଙ୍କୁ ବି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ୁଛି । ଏହି କଥାକୁ ମନେ ରଖିଲେ ମୁଁ କେବଳ ନିଜ ସମସ୍ୟା ବିଷୟରେ ହିଁ ଭାବୁ ନ ଥାଏ ।”
ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କଲେ ଆମେ କେବଳ ନିଜ ସମସ୍ୟା ବିଷୟରେ ଭାବି ନ ଥାଉ (ପାରାଗ୍ରାଫ ୭)e
ସେମାନଙ୍କୁ ଆମ ପ୍ରାର୍ଥନାର ଆବଶ୍ୟକ ଅଛି
୮. ଆମେ କେଉଁମାନଙ୍କ ପାଇଁ ପ୍ରାର୍ଥନା କରିପାରିବା ?
୮ ଆମେ କେଉଁ ଭାଇଭଉଣୀଙ୍କ ପାଇଁ ପ୍ରାର୍ଥନା କରିପାରିବା ? ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରିପାରିବା, ଯେଉଁମାନଙ୍କ ସ୍ୱାସ୍ଥ୍ୟ ଭଲ ରହେନି ଏବଂ ଯେଉଁ ଯୁବାମାନଙ୍କୁ ସ୍କୁଲରେ ଥଟ୍ଟା କରାଯାଏ କିମ୍ବା ଯାହାଙ୍କ ଉପରେ ଭୁଲ କାମ କରିବାର ଚାପ ପକାଯାଏ । ତାʼସହିତ ଆମେ ନିଜ ପ୍ରାର୍ଥନାରେ ସେହି ଭାଇଭଉଣୀଙ୍କୁ ବି ମନେ ପକାଇପାରିବା, ଯେଉଁମାନେ ବୃଦ୍ଧାବସ୍ଥା ଯୋଗୁଁ ହେଉଥିବା କଷ୍ଟ ସହୁଛନ୍ତି । ଆମ ଅନେକ ଭାଇଭଉଣୀଙ୍କ ପରିବାର ଲୋକମାନେ ତାଙ୍କ ବିରୋଧ କରନ୍ତି କିମ୍ବା ସେମାନଙ୍କୁ ସରକାରର ଅତ୍ୟାଚାରର ସାମନା କରିବାକୁ ପଡ଼ୁଛି । (ମାଥି. ୧୦:୧୮, ୩୬; ପ୍ରେରି. ୧୨:୫) କିଛି ଭାଇଭଉଣୀଙ୍କୁ ରାଜନୈତିକ ଅସ୍ଥିରତା ଯୋଗୁଁ ନିଜ ଘର ଛାଡ଼ିବାକୁ ପଡ଼ିଛି ଏବଂ ଅନ୍ୟ କିଛି ଭାଇଭଉଣୀଙ୍କୁ ପ୍ରାକୃତିକ ବିପତ୍ତିର ସାମନା କରିବାକୁ ପଡ଼ୁଛି । ଯଦିଓ ଆମେ ଏହି ଭାଇଭଉଣୀମାନଙ୍କୁ ଜାଣି ନାହୁଁ, ତଥାପି ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରିପାରିବା । ଏପରି କରି ଆମେ ଯୀଶୁଙ୍କ ଏହି ଆଜ୍ଞାକୁ ମାନୁଥିବା: “ପରସ୍ପରକୁ ପ୍ରେମ କର ।”—ଯୋହ. ୧୩:୩୪.
୯. ଆମକୁ କାହିଁକି ଯିହୋବାଙ୍କ ସଂଗଠନରେ ନେତୃତ୍ୱ ନେଉଥିବା ଭାଇ ଏବଂ ସେମାନଙ୍କର ସ୍ତ୍ରୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍ ?
୯ ଆମେ ସେହି ଭାଇମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିପାରିବା, ଯେଉଁମାନେ ଯିହୋବାଙ୍କ ସଂଗଠନରେ ନେତୃତ୍ୱ ନିଅନ୍ତି । ଯେପରି ପ୍ରଶାସନ ଦଳର ସଦସ୍ୟ ଏବଂ ସେମାନଙ୍କ ସହାୟକମାନଙ୍କ ପାଇଁ, ଶାଖା ସମିତିର ସଦସ୍ୟମାନେ ଏବଂ ଶାଖା କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ନେତୃତ୍ୱ ନେଉଥିବା ଭାଇମାନଙ୍କ ପାଇଁ ଏବଂ ସର୍କିଟ ଅଧ୍ୟକ୍ଷମାନଙ୍କ ପାଇଁ । ଏପରିକି ଆମେ ମଣ୍ଡଳୀର ପ୍ରାଚୀନ ଏବଂ ସହାୟକ ସେବକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିପାରିବା । ଏମଧ୍ୟରୁ ଅଧିକାଂଶ ଭାଇମାନଙ୍କର ନିଜର ଚିନ୍ତା ଥାଏ, ତଥାପି ସେମାନେ ଆମ ପାଇଁ କଠିନ ପରିଶ୍ରମ କରନ୍ତି । (୨ କରି. ୧୨:୧୫) ଯେପରି ମାର୍କ ନାମକ ଜଣେ ସର୍କିଟ ଅଧ୍ୟକ୍ଷ କହନ୍ତି, “ମୁଁ ଯେଉଁଠି ସେବା କରେ, ସେହି ଜାଗାରୁ ମୋ ବାପାମାଆ ବହୁତ ଦୂରରେ ରହନ୍ତି । ଏବେ ସେମାନଙ୍କ ବୟସ ହୋଇଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ବି ପ୍ରାୟ ଖରାପ ରହେ । ଯଦିଓ ମୋ ବଡ଼ ଭଉଣୀ ଓ ଭିଣୋଇ ତାଙ୍କ ଯତ୍ନ ନିଅନ୍ତି, ତଥାପି ଏହା ଭାବି ମୋତେ ବହୁତ ଦୁଃଖ ଲାଗେ ଯେ ମୁଁ ସେମାନଙ୍କ ପାଇଁ ବେଶୀ କିଛି କରିପାରୁନି ।” ଆମେ ଏହି ଭାଇମାନଙ୍କ କଷ୍ଟଗୁଡ଼ିକ ବିଷୟରେ ଜାଣି ନ ଥିଲେ ବି ଆମକୁ ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍ । (୧ ଥେସ. ୫:୧୨, ୧୩) ଆମେ ଏହି ଭାଇମାନଙ୍କର ସ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିପାରିବା, କାରଣ ସେମାନଙ୍କ ସାହାଯ୍ୟରୁ ହିଁ ଏହି ଭାଇମାନେ ନିଜର ଦାୟିତ୍ୱକୁ ଭଲଭାବେ ତୁଲାଇପାରନ୍ତି ।
୧୦-୧୧. ବୁଝାନ୍ତୁ ଯେ ଯେବେ ଆମେ ଅନେକ ଭାଇଭଉଣୀଙ୍କ ପାଇଁ ପ୍ରାର୍ଥନା କରୁ, ତେବେ କʼଣ ଯିହୋବା ଖୁସି ହୁଅନ୍ତି ?
୧୦ ଯେପରି ଆମେ ଉପରେ ଚର୍ଚ୍ଚା କଲୁ, ହୁଏତ ଆମେ ଜଣେ ଭାଇ କିମ୍ବା ଭଉଣୀଙ୍କ ବିଷୟରେ ପ୍ରାର୍ଥନା କରିବାନି, ବରଂ ଅନେକ ଭାଇଭଉଣୀଙ୍କ ବିଷୟରେ ପ୍ରାର୍ଥନା କରିବା । ଯେପରି, ଆମେ ଯିହୋବାଙ୍କୁ ବିନତି କରିବା ଯେ ସେ ସେହି ସମସ୍ତ ଭାଇଭଉଣୀଙ୍କୁ ସାହାଯ୍ୟ କରନ୍ତୁ, ଯେଉଁମାନେ ଜେଲରେ ଅଛନ୍ତି କିମ୍ବା ସେମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ, ଯେଉଁମାନେ ନିଜ ପ୍ରିୟଜନକୁ ମୃତ୍ୟୁରେ ହରାଇଛନ୍ତି । ଡୋନାଲ୍ଡ ନାମକ ଜଣେ ପ୍ରାଚୀନ ଭାଇ କହନ୍ତି, “ଆଜିର ସମୟରେ ଆମ ଅନେକ ଭାଇଭଉଣୀ ସମସ୍ୟାର ସାମନା କରୁଛନ୍ତି । ତେଣୁ ଅନେକ ଥର ଆମେ ଏକା ସାଙ୍ଗରେ ସେହି ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁ । ଆମେ ଯିହୋବାଙ୍କୁ କହୁ ଯେ ସେ ସମସ୍ତଙ୍କର ସାହାଯ୍ୟ କରନ୍ତୁ ।”
୧୧ କʼଣ ଯିହୋବା ଏହିପରି ଭାବେ କରାଯାଇଥିବା ପ୍ରାର୍ଥନାରୁ ଖୁସି ହୁଅନ୍ତି ? ନିଶ୍ଚୟ ଖୁସି ହୁଅନ୍ତି । ଦେଖିବାକୁ ଗଲେ ଆମେ ସମସ୍ତ ଭାଇଭଉଣୀଙ୍କ ଚିନ୍ତା କିମ୍ବା ଆବଶ୍ୟକତା ବିଷୟରେ ଜାଣି ନାହୁଁ । ସେଥିପାଇଁ ଆମେ ସମସ୍ତ ଭାଇଭଉଣୀଙ୍କ ପାଇଁ ପ୍ରାର୍ଥନା କରିପାରିବା ଏବଂ ଏଥିରେ କିଛି ଭୁଲ ନାହିଁ । (ଯୋହ. ୧୭:୨୦; ଏଫି. ୬:୧୮) ଏହି ପ୍ରାର୍ଥନାଗୁଡ଼ିକରୁ ଜଣାପଡ଼େ ଯେ ଆମେ “ଭାଇମାନଙ୍କୁ ପ୍ରେମ କରୁ ।”—୧ ପିତ. ୨:୧୭.
କୌଣସି ଭାଇ କିମ୍ବା ଭଉଣୀଙ୍କ ପାଇଁ କିପରି ପ୍ରାର୍ଥନା କରିବା ?
୧୨. ଭାଇଭଉଣୀଙ୍କ ବିଷୟରେ ଭାବିଲେ, ଆମେ କିପରି ତାଙ୍କ ପାଇଁ ଆହୁରି ଭଲଭାବେ ପ୍ରାର୍ଥନା କରିପାରିବା ?
୧୨ ଭାଇଭଉଣୀଙ୍କ ବିଷୟରେ ଭାବନ୍ତୁ । ଅନେକ ଭାଇଭଉଣୀଙ୍କ ପାଇଁ ପ୍ରାର୍ଥନା କରିବା ସହିତ ଆମେ କିଛି ଭାଇଭଉଣୀଙ୍କ ନାମ ନେଇ ମଧ୍ୟ ପ୍ରାର୍ଥନା କରିପାରିବା । କʼଣ ଆପଣଙ୍କ ମଣ୍ଡଳୀରେ ଏପରି ଭାଇ କିମ୍ବା ଭଉଣୀ ଅଛନ୍ତି, ଯିଏ ଲମ୍ବା ସମୟରୁ ଅସୁସ୍ଥ ଅଛନ୍ତି ? କିମ୍ବା ଏପରି କୌଣସି ଯୁବା ନିରାଶ ଅଛନ୍ତି, ଯାହାଙ୍କୁ ସ୍କୁଲରେ ଭୁଲ କାମ କରିବା ପାଇଁ ଚାପ ପକାଯାଉଛି ? କିମ୍ବା ଏପରି ଭାଇ କିମ୍ବା ଭଉଣୀ ଅଛନ୍ତି, ଯିଏ ଏକୁଟିଆ ନିଜ ପିଲାମାନଙ୍କର ଲାଳନପାଳନ କରୁଛନ୍ତି ଏବଂ ତାଙ୍କୁ “ପ୍ରଭୁଙ୍କ ଶିକ୍ଷା ଓ ଚେତନା” ବିଷୟରେ ଶିଖାଇବା ପାଇଁ ଚେଷ୍ଟା କରୁଛନ୍ତି ? (ଏଫି. ୬:୪) ଯେବେ ଆମେ ଏହିପରି ଭାବେ ଭାଇଭଉଣୀଙ୍କ ବିଷୟରେ ଭାବିବା, ତେବେ ଆମେ ସେମାନଙ୍କ କଷ୍ଟକୁ ଆହୁରି ଭଲଭାବେ ବୁଝିପାରିବା ଏବଂ ତାଙ୍କୁ ଆମେ ଆହୁରି ପ୍ରେମ କରିବାକୁ ଲାଗିବା । ଏହାପରେ ଆମକୁ ତାଙ୍କ ବିଷୟରେ ପ୍ରାର୍ଥନା କରିବା ପାଇଁ ଆହୁରି ଇଚ୍ଛା ହେବ ।c—ରୋମୀ. ୧୨:୧୫.
୧୩. ଆମେ ଯେଉଁ ଭାଇଭଉଣୀମାନଙ୍କୁ କେବେ ଭେଟିନୁ, ସେମାନଙ୍କ ପାଇଁ କିପରି ପ୍ରାର୍ଥନା କରିପାରିବା ?
୧୩ ଅନ୍ୟମାନଙ୍କର ନାମ ନେଇ ପ୍ରାର୍ଥନା କରନ୍ତୁ । ଆମେ ସେହି ଭାଇଭଉଣୀମାନଙ୍କର ନାମ ନେଇ ବି ପ୍ରାର୍ଥନା କରିପାରିବା, ଯେଉଁମାନଙ୍କୁ ଆମେ କେବେ ଭେଟିନୁ । ଯେପରି ସେହି ଭାଇଭଉଣୀମାନଙ୍କ ବିଷୟରେ ଭାବନ୍ତୁ, ଯେଉଁମାନେ କ୍ରିମିୟା, ଏରିଟ୍ରିୟା, ରୁଷ କିମ୍ବା ସିଙ୍ଗାପୁର ଭଳି ଦେଶରେ ଜେଲରେ ବନ୍ଦୀ ଅଛନ୍ତି । ଆପଣ ଏହି ଭାଇଭଉଣୀମାନଙ୍କର ନାମ jw.org ୱେବସାଇଟ୍ରେ ପାଇପାରିବେ ।d ବ୍ରାଏନ ନାମକ ଜଣେ ଭାଇ ଯିଏ ସର୍କିଟ ଅଧ୍ୟକ୍ଷ ଅଟନ୍ତି, ସେ କହନ୍ତି, “ମୋର ଅନୁଭୂତି ରହିଛି ଯେ ଯେବେ ମୁଁ ଜେଲରେ ଥିବା ଭାଇଭଉଣୀମାନଙ୍କର ନାମ ଲେଖେ ଏବଂ କହେ, ତେବେ ମୋତେ ସେହି ନାମ ମନେ ରହେ । ଏହାପରେ ଯେବେ ମୁଁ ଏକୁଟିଆରେ ପ୍ରାର୍ଥନା କରେ, ତେବେ ମୁଁ ସେମାନଙ୍କର ନାମ ଧରି ପ୍ରାର୍ଥନା କରିପାରେ ।”
୧୪-୧୫. ଆମେ କିପରି ଭାଇଭଉଣୀଙ୍କର ଆବଶ୍ୟକତାଗୁଡ଼ିକୁ ଧ୍ୟାନରେ ରଖି ପ୍ରାର୍ଥନା କରିପାରିବା ?
୧୪ ଭାଇଭଉଣୀଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରାର୍ଥନା କରନ୍ତୁ । ଭାଇ ମାଇକଲ ଯାହାଙ୍କ ବିଷୟରେ ପୂର୍ବେ ଚର୍ଚ୍ଚା କରାଯାଇଥିଲା, ସେ କହନ୍ତି, “ଯେବେ ମୁଁ jw.org ୱେବସାଇଟ୍ରେ ଜେଲରେ ଥିବା ଭାଇମାନଙ୍କ ବିଷୟରେ ପଢ଼େ, ତେବେ ମୁଁ ଏହା ଭାବିବାକୁ ଚେଷ୍ଟା କରେ ଯେ ଯଦି ମୁଁ ତାଙ୍କ ଜାଗାରେ ଥାʼନ୍ତି, ତାହେଲେ କିପରି ଅନୁଭବ କରନ୍ତି । ମୋତେ ନିଶ୍ଚୟ ମୋ ସ୍ତ୍ରୀ ଭଲରେ ଅଛି ନା ନାହିଁ, ତାହା ଚିନ୍ତା ହୁଅନ୍ତା । ଏହିପରି ଭାବିବା ଦ୍ୱାରା ମୁଁ ଜେଲରେ ଥିବା ବିବାହିତ ଭାଇମାନଙ୍କର ଆବଶ୍ୟକତା ବିଷୟରେ ପ୍ରାର୍ଥନା କରିପାରେ ।”—ଏବ୍ରୀ ୧୩:୩.
୧୫ ଯେବେ ଆମେ ଏବିଷୟରେ ଭାବିବା ଯେ ଜେଲରେ ବନ୍ଦୀ ଥିବା ଭାଇମାନେ ପ୍ରତିଦିନ ନିଜ ଜୀବନ କିପରି କାଟୁଛନ୍ତି, ତାହେଲେ ଆମେ ତାଙ୍କ ଜୀବନ ସହ ଜଡ଼ିତ ଅନ୍ୟ ବିଷୟ ପାଇଁ ମଧ୍ୟ ପ୍ରାର୍ଥନା କରିପାରିବା । ଯେପରି, ଆମେ ଏହା ପ୍ରାର୍ଥନା କରିପାରିବା ଯେ ଚୌକିଦାର ସେମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ ଏବଂ ଅଧିକାରୀମାନେ ସେମାନଙ୍କୁ ଉପାସନା କରିବାର ସ୍ୱାଧୀନତା ଦିଅନ୍ତୁ । (୧ ତୀମ. ୨:୧, ୨) ଯେଉଁ ଭାଇ ଜେଲରେ ବନ୍ଦୀ ଅଛନ୍ତି ଆମେ ତାଙ୍କ ମଣ୍ଡଳୀର ଭାଇମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିପାରିବା, ଯାହାଫଳରେ ତାଙ୍କ ଭଲ ଉଦାହରଣରୁ ସେମାନଙ୍କର ଉତ୍ସାହ ବଢ଼ୁ । କିମ୍ବା ଆମେ ଏହା ବି ପ୍ରାର୍ଥନା କରିପାରିବା ଯେ ସେହି ଭାଇଙ୍କ ଭଲ ବ୍ୟବହାର ଯୋଗୁଁ ଲୋକମାନେ ଆମ ସନ୍ଦେଶ ଶୁଣିବା ପାଇଁ ପ୍ରସ୍ତୁତ ରହନ୍ତୁ । (୧ ପିତ. ୨:୧୨) ଠିକ୍ ସେହିପରି, ଯେବେ ଆମେ ସେହି ଭାଇଭଉଣୀମାନଙ୍କ ବିଷୟରେ ଭାବିବା ଯେଉଁମାନେ ଅନ୍ୟ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି, ତେବେ ଆମେ ସେମାନଙ୍କର ଆବଶ୍ୟକତାଗୁଡ଼ିକୁ ଧ୍ୟାନରେ ରଖି ପ୍ରାର୍ଥନା କରିପାରିବା । ଏହିପରି ଭାବେ ଯେବେ ଆମେ ଭାଇଭଉଣୀଙ୍କ ଉପରେ ଧ୍ୟାନ ଦେଉ, ସେମାନଙ୍କ ନାମ ନେଇ ଏବଂ ସେମାନଙ୍କର ଆବଶ୍ୟକତାଗୁଡ଼ିକୁ ଧ୍ୟାନ ଦେଇ ପ୍ରାର୍ଥନା କରୁ, ତେବେ ଆମେ ଦେଖାଉ ଯେ ଆମ ହୃଦୟରେ ସେମାନଙ୍କ ପାଇଁ ‘ପ୍ରେମ ଆହୁରି ଅଧିକ ରୂପେ ବଢ଼ୁଛି ।’—୧ ଥେସ. ୩:୧୨.
ପ୍ରାର୍ଥନା କରିବା ବିଷୟରେ ସଠିକ୍ ଦୃଷ୍ଟିକୋଣ ରଖନ୍ତୁ
୧୬. ଆମେ ପ୍ରାର୍ଥନା କରିବା ସମୟରେ କେଉଁ କଥାଗୁଡ଼ିକର ଧ୍ୟାନ ଦେବା ଉଚିତ୍ ? (ମାଥିଉ ୬:୮)
୧୬ ଏବେ ଯାଏ ଆମେ ଯାହା ଚର୍ଚ୍ଚା କଲୁ, ସେଥିରୁ ଆମେ ଜାଣିପାରିଲୁ ଯେ ଯେବେ ଆମେ କାହାରି ପାଇଁ ପ୍ରାର୍ଥନା କରୁ, ତେବେ ଏହାର ତାଙ୍କ ଉପରେ ଗଭୀର ପ୍ରଭାବ ପଡ଼ିପାରେ । କିନ୍ତୁ କାହାରି ବିଷୟରେ ପ୍ରାର୍ଥନା କରିବାର ଅର୍ଥ ଏହା ନୁହେଁ ଯେ ଯିହୋବାଙ୍କୁ ତାଙ୍କ ବିଷୟରେ ଜଣାନାହିଁ । ଆଉ ନା ଆମେ ଯିହୋବାଙ୍କୁ ଏହା ପରାମର୍ଶ ଦେବା ଯେ ତାଙ୍କୁ କʼଣ କରିବାର ଅଛି । ଏପରି କାହିଁକି ? କାରଣ ଆମ କହିବା ପୂର୍ବରୁ ଯିହୋବା ଜାଣନ୍ତି ଯେ ତାଙ୍କ ସେବକମାନଙ୍କର ଆବଶ୍ୟକତାଗୁଡ଼ିକ କʼଣ । (ମାଥିଉ ୬:୮ ପଢ଼ନ୍ତୁ ।) ତାହେଲେ ଆମେ କାହିଁକି ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ? ଆମେ ଏହି ଲେଖାରେ ଏପରି କରିବାର ଅନେକ କାରଣ ଦେଖିଲୁ । ତାʼସହିତ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରି ଆମେ ଦେଖାଉ ଯେ ଆମେ ସତରେ ସେମାନଙ୍କର ଚିନ୍ତା କରୁ । ଆମେ ସେମାନଙ୍କୁ ପ୍ରେମ କରୁ, ତେଣୁ ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରୁ । ଆଉ ଯେବେ ଯିହୋବା ଦେଖନ୍ତି ଯେ ଆମେ ତାଙ୍କ ଭଳି ଅନ୍ୟମାନଙ୍କୁ ପ୍ରେମ କରୁଛୁ, ତେବେ ତାଙ୍କୁ ବହୁତ ଖୁସି ଲାଗେ ।
୧୭-୧୮. ଆମେ କାହିଁକି ନିଜ ଭାଇଭଉଣୀଙ୍କ ପାଇଁ ପ୍ରାର୍ଥନା କରୁ ଏବଂ ଏହା ଦେଖି ଯିହୋବାଙ୍କୁ କିପରି ଲାଗେ ? ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ।
୧୭ ହୁଏତ ଆମକୁ ଏପରି ଲାଗିପାରେ ଯେ ଆମେ ଯେଉଁ ଭାଇଭଉଣୀଙ୍କ ପାଇଁ ପ୍ରାର୍ଥନା କରୁଛୁ, ସେମାନଙ୍କ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉ ନାହିଁ । କିନ୍ତୁ ଆମେ ଏହି କଥାକୁ ମନେ ରଖିପାରିବା ଯେ ଆମେ ସେହି ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରି ଏହା ଦେଖାଉ ଯେ ଆମେ ତାଙ୍କୁ ପ୍ରେମ କରୁ ଏବଂ ଯିହୋବା ଏହାକୁ ଧ୍ୟାନ ଦିଅନ୍ତି । ଏହାକୁ ବୁଝିବା ପାଇଁ ଏହି ଉଦାହରଣ ବିଷୟରେ ଭାବନ୍ତୁ । ଗୋଟିଏ ପରିବାରରେ ଦୁଇଜଣ ଛୋଟ ପିଲା ଅଛନ୍ତି, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ଥରେ ପୁଅଟିର ଦେହ ବହୁତ ଖରାପ ହୋଇଯାଏ । ସେସମୟରେ ଝିଅଟି ନିଜ ବାପାଙ୍କୁ ଅନୁରୋଧ କରି କହେ, “ବାପା ଦୟାକରି ମୋ ଭାଇକୁ ଠିକ୍ କରିଦିଅ ! ସେ ବହୁତ କଷ୍ଟରେ ଅଛି ।” ଏହା ନୁହେଁ ଯେ ବାପାଙ୍କୁ ନିଜ ପୁଅର ଅବସ୍ଥା ବିଷୟରେ ଜଣାନାହିଁ । ସେ ଏବିଷୟରେ ଜାଣନ୍ତି ଏବଂ ସେ ନିଜ ପୁଅକୁ ବହୁତ ପ୍ରେମ କରନ୍ତି ଓ ତାʼର ଭଲଭାବେ ଯତ୍ନ ନେଉଛନ୍ତି । କିନ୍ତୁ ଯେବେ ସେ ଦେଖନ୍ତି ଯେ ତାଙ୍କ ଝିଅକୁ ନିଜ ଭାଇର କେତେ ଚିନ୍ତା ହେଉଛି, ତେବେ ତାଙ୍କୁ ଏହା ଦେଖି ବହୁତ ଖୁସି ଲାଗେ ।
୧୮ ଠିକ୍ ସେହିଭଳି ଯିହୋବା ବି ଚାହାନ୍ତି ଯେ ଆମେ ପରସ୍ପରର ଚିନ୍ତା କରୁ ଏବଂ ପରସ୍ପର ପାଇଁ ପ୍ରାର୍ଥନା କରୁ । ଏପରି କରି ଆମେ ଦେଖାଉ ଯେ ଆମେ କେବଳ ନିଜ ବିଷୟରେ ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ହୃଦୟରୁ ଚିନ୍ତା କରୁ ଏବଂ ଯିହୋବା ଏହି କଥା ଉପରେ ଧ୍ୟାନ ଦିଅନ୍ତି । (୨ ଥେସ. ୧:୩; ଏବ୍ରୀ ୬:୧୦) ଆଉ ଯେପରି ଆମେ ଚର୍ଚ୍ଚା କଲୁ, ଅନେକ ଥର ଏପରି ହୁଏ ଯେ ଆମ ପ୍ରାର୍ଥନାଗୁଡ଼ିକ ଯୋଗୁଁ ଅନ୍ୟମାନଙ୍କ ପରିସ୍ଥିତିରେ ପରିବର୍ତ୍ତନ ହୁଏ, ତାହେଲେ ଆସନ୍ତୁ ଆମେ ପରସ୍ପର ପାଇଁ ପ୍ରାର୍ଥନା କରିବା କେବେ ବି ଭୁଲିବା ନାହିଁ !
ଗୀତ ୯୯ ସାକ୍ଷୀ ଆମେ ହଜାରେ-ହଜାରେ
a ଏହି ଲେଖାରେ ଦିଆଯାଇଥିବା ଲୋକମାନଙ୍କ ନାମ ସେମାନଙ୍କର ଅସଲି ନାମ ନୁହେଁ ।
b ଏହି ପଦରେ ଯେବେ ପାଉଲ “ତୁମ୍ଭମାନଙ୍କ” କହିଲେ, ତେବେ ହୁଏତ ସେ ସେହି ମଣ୍ଡଳୀର ଭାଇଭଉଣୀମାନଙ୍କ ପ୍ରାର୍ଥନା ବିଷୟରେ କହୁଥିଲେ, ଯେଉଁ ମଣ୍ଡଳୀ ଫିଲୀମୋନଙ୍କ ଘରେ ଉପାସନା ପାଇଁ ଆସୁଥିଲେ । ତାଙ୍କ କଥାଗୁଡ଼ିକରୁ ଏପରି ଜଣାପଡ଼େ ଯେ ସେ ମାନୁଥିଲେ ଯେ ଏହିପରି ଭାବେ କରାଯାଇଥିବା ପ୍ରାର୍ଥନାର ବହୁତ ଭଲ ପ୍ରଭାବ ପଡ଼ିପାରେ । ହୁଏତ ତାଙ୍କୁ ରୋମର ବନ୍ଦୀରୁ ମୁକ୍ତ କରି ଦିଆଯାଇପାରେ । ପାଉଲ ହୁଏତ କହୁଥିଲେ ଯେ ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନଙ୍କ ପ୍ରାର୍ଥନାଗୁଡ଼ିକ ଯୋଗୁଁ ହୁଏତ ଯିହୋବା ଶୀଘ୍ର କୌଣସି ପଦକ୍ଷେପ ନେଇପାରନ୍ତି କିମ୍ବା କିଛି ଏପରି କରିପାରନ୍ତି, ଯାହା ବିଷୟରେ ସେ ଭାବି ନ ଥିଲେ ।—ଏବ୍ରୀ ୧୩:୧୯.
c jw.org ୱେବସାଇଟ୍ରେ ଟାକାଶି ସିମିଜୁ: ଯିହୋବା ‘ପ୍ରାର୍ଥନା ଶ୍ରବଣକାରୀ’ ଅଟନ୍ତି ନାମକ ଭିଡିଓ ଦେଖନ୍ତୁ ।
d ଜେଲରେ ବନ୍ଦୀ ଥିବା ଭାଇଭଉଣୀଙ୍କର ନାମ ଜାଣିବା ପାଇଁ jw.org ଇଂରାଜୀ ୱେବସାଇଟ୍ର ଖୋଜନ୍ତୁ ବକ୍ସରେ “Jehovah’s Witnesses Imprisoned for Their Faith—By Location” ଟାଇପ୍ କରନ୍ତୁ ।
e ଚିତ୍ର ବିଷୟରେ: ଯେଉଁ ଭାଇଭଉଣୀମାନେ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ।