ଭାଗ ୩
ସମସ୍ୟାଗୁଡ଼ିକୁ କିପରି ସମାଧାନ କରିବେ
“ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ ।”—୧ ପିତର ୪:୮
ଯେତେବେଳେ ଆପଣ ଓ ଆପଣଙ୍କ ଜୀବନସାଥୀ ବୈବାହିକ ଜୀବନ ଆରମ୍ଭ କରନ୍ତି, ଆପଣଙ୍କ ଜୀବନରେ କିଛି ନା କିଛି ସମସ୍ୟା ନିଶ୍ଚୟ ଆସିବ । ସେଗୁଡ଼ିକର କାରଣ ହୁଏତ ଏହା ହୋଇପାରେ ଯେ ଆପଣ ଦୁହିଙ୍କ ଚିନ୍ତାଧାରା, ଭାବନା ଏବଂ କାମ କରିବାର ପ୍ରକ୍ରିୟା ପରସ୍ପରଠାରୁ ଭିନ୍ନ ଅଟେ । ତାʼ ସହିତ, ହୁଏତ କିଛି ସମସ୍ୟା ପରିବାରର ବାହାର ପଟୁ ଆସିଥାଏ କିମ୍ବା ହଠାତ୍ ପରିସ୍ଥିତି ବଦଳିଯିବା ଯୋଗୁଁ ଦେଖାଦିଏ ।
ସମସ୍ୟାଗୁଡ଼ିକଠାରୁ ଦୂରକୁ ଚାଲିଯିବା ହୁଏତ ଆମକୁ ସହଜ ଲାଗିପାରେ, କିନ୍ତୁ ବାଇବଲ ଆମକୁ ନିଜ ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ପରାମର୍ଶ ଦିଏ । (ମାଥିଉ ୫:୨୩, ୨୪) ବାଇବଲରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ଲାଗୁ କରିବା ଦ୍ୱାରା ଆପଣ ନିଜ ସମସ୍ୟାଗୁଡ଼ିକୁ ସବୁଠାରୁ ଉତ୍ତମ ଉପାୟରେ ସମାଧାନ କରିପାରିବେ ।
୧ ସମସ୍ୟା ବିଷୟରେ କଥା ହୁଅନ୍ତୁ
ବାଇବଲ କʼଣ କହେ: “କଥା କହିବାର ମଧ୍ୟ ସମୟ ଅଛି ।” (ଉପଦେଶକ ୩:୧, ୭, ଇଜି-ଟୁ-ରିଡ୍ ଭର୍ସନ) ନିଜ ସମସ୍ୟା ବିଷୟରେ କଥା ହେବା ପାଇଁ ସମୟ ବାହାର କରନ୍ତୁ । ନିଜ ଜୀବନସାଥୀଙ୍କୁ ସଚ୍ଚୋଟତାର ସହିତ କହନ୍ତୁ ଯେ ଏବିଷୟରେ ଆପଣ କିପରି ଅନୁଭବ କରନ୍ତି ଏବଂ ଏହା ଉପରେ ଆପଣଙ୍କ ମତ କʼଣ ? ନିଜ ଜୀବନସାଥୀଙ୍କୁ ସର୍ବଦା ‘ସତ୍ୟ କଥା କୁହନ୍ତୁ ।’ (ଏଫିସୀୟ ୪:୨୫) ଏପରିକି ଯେତେବେଳେ ନିଜ ଭାବନାଗୁଡ଼ିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ, ସେହି ସମୟରେ ମଧ୍ୟ ନିଜ ଜୀବନସାଥୀଙ୍କ ଉପରେ ରାଗି ଯାଇ ଝଗଡ଼ା କରନ୍ତୁ ନାହିଁ । ଯଦି ଆପଣ ଶାନ୍ତ ମନରେ ଉତ୍ତର ଦିଅନ୍ତି, ତେବେ ଆପଣଙ୍କ ଘର ଯୁଦ୍ଧକ୍ଷେତ୍ର ପାଲଟିବ ନାହିଁ ।—ହିତୋପଦେଶ ୧୫:୪; ୨୬:୨୦.
ଯଦି ଆପଣ ଦୁହେଁ କୌଣସି ବିଷୟରେ ପରସ୍ପର ସହିତ ଏକମତ ହୁଅନ୍ତି ନାହିଁ, ତେବେ ମଧ୍ୟ ପରସ୍ପରକୁ କୋମଳତାର ସହିତ ବ୍ୟବହାର କରନ୍ତୁ ଏବଂ ପ୍ରେମ ଓ ଆଦର ଦେଖାଇବା କେବେ ମଧ୍ୟ ଭୁଲନ୍ତୁ ନାହିଁ । (କଲସୀୟ ୪:୬) ଯେତେ ଶୀଘ୍ର ସମ୍ଭବ, ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ଏବଂ ପରସ୍ପର ସହିତ କଥାବାର୍ତ୍ତା କରିବା ବନ୍ଦ କରନ୍ତୁ ନାହିଁ ।—ଏଫିସୀୟ ୪:୨୬.
ଆପଣ କʼଣ କରିପାରିବେ:
ସମସ୍ୟା ବିଷୟରେ କଥା ହେବା ପାଇଁ ଏକ ଉପଯୁକ୍ତ ସମୟ ଠିକ୍ କରନ୍ତୁ
ଯେତେବେଳେ ଆପଣଙ୍କ ଶୁଣିବାର ପାଳି ଆସେ, ସେତେବେଳେ ନିଜ ଜୀବନସାଥୀଙ୍କ କଥାରେ ବାଧା ଦିଅନ୍ତୁ ନାହିଁ । ଆପଣଙ୍କୁ ମଧ୍ୟ କହିବା ପାଇଁ ସୁଯୋଗ ମିଳିବ
୨ ଧ୍ୟାନ ଦେଇ ଶୁଣନ୍ତୁ ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ
ବାଇବଲ କʼଣ କହେ: ‘ପରସ୍ପର ପ୍ରତି ସ୍ନେହଶୀଳ ହୁଅନ୍ତୁ ଏବଂ ସମାଦରରେ ପରସ୍ପରକୁ ଶ୍ରେଷ୍ଠ ମନେ କରନ୍ତୁ ।’ (ରୋମୀୟ ୧୨:୧୦) ଆପଣ ନିଜ ଜୀବନସାଥୀଙ୍କ କଥା କିପରି ଶୁଣନ୍ତି, ତାହା ଖୁବ୍ ମହତ୍ତ୍ୱ ରଖିଥାଏ । ‘ପରସ୍ପରର ସୁଖଦୁଃଖର ସହଭାଗୀ ହୋଇ ଏବଂ କୋମଳ ହୃଦୟ ଓ ନମ୍ର ଭାବ ଧାରଣ କରି’ ଜୀବନସାଥୀଙ୍କ ଦୃଷ୍ଟିକୋଣକୁ ବୁଝିବାକୁ ଚେଷ୍ଟା କରନ୍ତୁ । (୧ ପିତର ୩:୮; ଯାକୁବ ୧:୧୯) ତାଙ୍କ କଥା ଶୁଣିବାର କେବଳ ବାହାନା କରନ୍ତୁ ନାହିଁ । କୌଣସି କାମ କରିବା ସମୟରେ ମଧ୍ୟ ଯଦି ସମ୍ଭବ ହୁଏ, ତେବେ ଆପଣ ନିଜ କାମକୁ ବନ୍ଦ କରି ଜୀବନସାଥୀଙ୍କ ପ୍ରତି ପୂରା ଧ୍ୟାନ ଦିଅନ୍ତୁ । ଯଦି ସମ୍ଭବ ନୁହେଁ, ତେବେ ତାଙ୍କ ସହିତ ପରେ କଥା ହୋଇପାରିବେ କି ବୋଲି ପଚାରନ୍ତୁ । ଯଦି ଆପଣ ନିଜ ଜୀବନସାଥୀଙ୍କୁ ବିରୋଧୀ ନ ଭାବି ନିଜ ସାଙ୍ଗ ବୋଲି ଭାବିବେ, ତେବେ ଆପଣ ‘ଶୀଘ୍ର କ୍ରୋଧିତ ହେବେ ନାହିଁ ।’—ଉପଦେଶକ ୭:୯, ଇଜି-ଟୁ-ରିଡ୍ ଭର୍ସନ ।
ଆପଣ କʼଣ କରିପାରିବେ:
ଆଗରୁ କୌଣସି ନିଷ୍ପତ୍ତି ନ ନେଇ ନିଜ ଜୀବନସାଥୀଙ୍କ କଥା ଆଗ୍ରହର ସହିତ ଶୁଣନ୍ତୁ, ଏପରି ସମୟରେ ମଧ୍ୟ ଯେତେବେଳେ ତାଙ୍କ କଥା ଆପଣଙ୍କୁ ଭଲ ଲାଗେ ନାହିଁ
କଥାର ଶବ୍ଦଗୁଡ଼ିକ ପଛରେ ରହିଥିବା ଅର୍ଥକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ନିଜ ଜୀବନସାଥୀଙ୍କ ଅଙ୍ଗଭଙ୍ଗୀ ଏବଂ କଥା କହିବାର ଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ
୩ ଆପଣ ଯାହା ନିଷ୍ପତ୍ତି ନେଇଛନ୍ତି, ତାʼ ଅନୁଯାୟୀ କାମ ମଧ୍ୟ କରନ୍ତୁ
ବାଇବଲ କʼଣ କହେ: “ପ୍ରତ୍ୟେକ କଠିନ ପରିଶ୍ରମର ପୁରସ୍କାର ଅଛି, କିନ୍ତୁ ଯଦି ଜଣେ ବ୍ୟକ୍ତି କେବଳ କଥା କହିବା ଚାଲୁ ରଖେ, ଏହା ତାକୁ ଦରିଦ୍ରତା ଆଡ଼କୁ ଆଗେଇ ନିଏ ।” (ହିତୋପଦେଶ ୧୪:୨୩, ଇଜି-ଟୁ-ରିଡ୍ ଭର୍ସନ) କେବଳ ଆପଣ ଦୁହେଁ ମିଶି ଗୋଟିଏ ସମାଧାନ ବାହାର କରିବା ଯଥେଷ୍ଟ ନୁହେଁ । ଆପଣ ଯାହା ନିଷ୍ପତ୍ତି ନେଇଛନ୍ତି, ତାʼ ଅନୁଯାୟୀ ଆପଣଙ୍କୁ କାମ ମଧ୍ୟ କରିବାକୁ ହେବ । ହୁଏତ ଏଥିରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ, କିନ୍ତୁ ଆପଣଙ୍କୁ ଏହାର ପ୍ରତିଫଳ ନିଶ୍ଚୟ ମିଳିବ । (ହିତୋପଦେଶ ୧୦:୪) ଯଦି ଆପଣ ମିଳିମିଶି କାମ କରନ୍ତି, ତେବେ ଆପଣଙ୍କ କଠିନ ପରିଶ୍ରମର “ଉତ୍ତମ ଫଳ” ମିଳିବ ।—ଉପଦେଶକ ୪:୯.
ଆପଣ କʼଣ କରିପାରିବେ:
ଏହା ସ୍ଥିର କରନ୍ତୁ ଯେ ନିଜ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଆପଣ ଦୁହେଁ ବ୍ୟକ୍ତିଗତ ଭାବରେ କʼଣ କʼଣ ବ୍ୟବହାରିକ ପଦକ୍ଷେପ ନେବେ
ସମୟ ସମୟରେ ଏହା ପରୀକ୍ଷା କରନ୍ତୁ ଯେ ଆପଣ କେତେ ଦୂର ନିଜ ସମସ୍ୟାଗୁଡ଼ିକୁ ସମାଧାନ କରି ସାରିଛନ୍ତି