ଭାଗ ୫
ନିଜ ସମ୍ପର୍କୀୟମାନଙ୍କ ସହିତ କିପରି ଶାନ୍ତି ବଜାୟ ରଖିପାରିବେ
“ଲୋକଙ୍କୁ ଦୟା କର, . . . ନମ୍ର ହୁଅ, ଭଦ୍ର ହୁଅ, ଧୈର୍ଯ୍ୟବାନ ହୁଅ ।”—କଲସୀୟ ୩:୧୨, ଇଜି-ଟୁ-ରିଡ୍ ଭର୍ସନ
ବିବାହ ପରେ ଏକ ନୂଆ ପରିବାରର ଆରମ୍ଭ ହୋଇଥାଏ । ଯଦିଓ ଆପଣ ନିଜ ପିତାମାତାଙ୍କୁ ସମ୍ମାନ କରିବା ଓ ଭଲ ପାଇବା ଜାରି ରଖିବେ, ତଥାପି ବର୍ତ୍ତମାନ ଆପଣଙ୍କ ପାଇଁ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହେଉଛନ୍ତି, ଆପଣଙ୍କ ଜୀବନସାଥୀ । ଏହି କଥାକୁ ସ୍ୱୀକାର କରିବା ହୁଏତ ଆପଣଙ୍କ କିଛି ସମ୍ପର୍କୀୟମାନଙ୍କୁ କଠିନ ଲାଗିପାରେ । କିନ୍ତୁ ବାଇବଲର ସିଦ୍ଧାନ୍ତ ଏବିଷୟରେ ଆପଣଙ୍କୁ ସଠିକ୍ ଦୃଷ୍ଟିକୋଣ ରଖିବା ପାଇଁ ସାହାଯ୍ୟ କରିପାରିବ, ଯାହାଫଳରେ ଆପଣ ନିଜ ପୁରୁଣା ସମ୍ପର୍କୀୟମାନଙ୍କ ସହିତ ଶାନ୍ତି ବଜାୟ ରଖିପାରିବେ ଏବଂ ନୂଆ ସମ୍ପର୍କର ମୂଳଦୁଆକୁ ମଜବୁତ୍ କରିବା ପାଇଁ ପରିଶ୍ରମ କରିପାରିବେ ।
୧ ନିଜ ନୂଆ ଓ ପୁରୁଣା ସମ୍ପର୍କୀୟମାନଙ୍କ ବିଷୟରେ ସଠିକ୍ ଦୃଷ୍ଟିକୋଣ ରଖନ୍ତୁ
ବାଇବଲ କʼଣ କହେ: “ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର ।” (ଏଫିସୀୟ ୬:୨, ଇଜି-ଟୁ-ରିଡ୍ ଭର୍ସନ) ଆପଣ ଯେତେ ବଡ଼ ହୋଇଯାʼନ୍ତୁ ନା କାହିଁକି, ସର୍ବଦା ନିଜ ପିତାମାତାଙ୍କୁ ସମ୍ମାନ ଓ ଆଦର କରିବା ଉଚିତ୍ । ଏ କଥାକୁ ବୁଝନ୍ତୁ ଯେ ଆପଣଙ୍କ ଜୀବନସାଥୀ ମଧ୍ୟ କାହାରି ପୁଅ କିମ୍ବା ଝିଅ ଅଟନ୍ତି, ସେଥିପାଇଁ ତାଙ୍କୁ ମଧ୍ୟ ନିଜ ପିତାମାତାଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ‘ପ୍ରେମ ଈର୍ଷା କରେ ନାହିଁ,’ ସେଥିପାଇଁ ଆପଣଙ୍କ ଜୀବନସାଥୀ ଏବଂ ତାଙ୍କ ପିତାମାତାଙ୍କ ମଧ୍ୟରେ ଯେଉଁ ସମ୍ପର୍କ ରହିଛି, ତାʼ ପ୍ରତି ଈର୍ଷା କରନ୍ତୁ ନାହିଁ ।—୧ କରିନ୍ଥୀୟ ୧୩:୪; ଗାଲାତୀୟ ୫:୨୬.
ଆପଣ କʼଣ କରିପାରିବେ:
ସାଧାରଣ କଥାକୁ ବଡ଼ କରି କହନ୍ତୁ ନାହିଁ, ଯେପରି—“ତୁମ ପରିବାର ମୋତେ ନୀଚ ଦେଖାଇବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ” କିମ୍ବା “ତୁମ ମାଆ ମୋର କୌଣସି କାମକୁ ପସନ୍ଦ କରନ୍ତି ନାହିଁ”
ପରିସ୍ଥିତିଗୁଡ଼ିକୁ ଆପଣଙ୍କ ଜୀବନସାଥୀଙ୍କ ଦୃଷ୍ଟିକୋଣରୁ ଦେଖିବାକୁ ଚେଷ୍ଟା କରନ୍ତୁ
୨ ଆବଶ୍ୟକ ହେଲେ ଦୃଢ଼ତାର ସହିତ କଥା ହେବାକୁ ପଛଘୁଞ୍ଚା ହୁଅନ୍ତୁ ନାହିଁ
ବାଇବଲ କʼଣ କହେ: “ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ ।” (ଆଦି ପୁସ୍ତକ ୨:୨୪) ଆପଣଙ୍କ ବିବାହ ପରେ ମଧ୍ୟ ଆପଣଙ୍କ ପିତାମାତାଙ୍କୁ ହୁଏତ ଲାଗିପାରେ ଯେ ଏବେ ମଧ୍ୟ ଆପଣଙ୍କ ଭଲମନ୍ଦ ବିଷୟରେ ବୁଝିବା ସେମାନଙ୍କ ଦାୟିତ୍ୱ ଅଟେ । ସେଥିପାଇଁ ହୁଏତ ସେମାନେ ଆପଣଙ୍କ ବୈବାହିକ ଜୀବନରେ ଆବଶ୍ୟକତାଠାରୁ ଅଧିକ ହସ୍ତକ୍ଷେପ କରିପାରନ୍ତି ।
ଆପଣ ଦୁହେଁ ମିଶି ଏହା ସ୍ଥିର କରିବା ଉଚିତ୍ ଯେ ଆପଣଙ୍କ ଜୀବନରେ ସେମାନଙ୍କୁ କେତେ ଦୂର ପର୍ଯ୍ୟନ୍ତ ସାମିଲ୍ କରିବେ । ତାʼପରେ ସେମାନଙ୍କୁ ଆଦରର ସହିତ ଏହା ବିଷୟରେ ଜଣାନ୍ତୁ । ଆପଣ ରାଗି ନ ଯାଇ ସେମାନଙ୍କ ସହିତ ଖୋଲାଖୋଲି ଓ ସିଧାସଳଖ କଥା ହୋଇପାରିବେ । (ହିତୋପଦେଶ ୧୫:୧) ନମ୍ର, ଭଦ୍ର ଓ ଧୈର୍ଯ୍ୟ ଗୁଣ ଆପଣଙ୍କୁ ନିଜର ଓ ନିଜ ଜୀବନସାଥୀଙ୍କ ପରିବାରର ସଦସ୍ୟମାନଙ୍କ ସହିତ ଏକ ପ୍ରେମଭରା ସମ୍ପର୍କ ବଜାୟ ରଖିବା ଏବଂ “ପ୍ରେମରେ ପରସ୍ପର ପ୍ରତି ସହନଶୀଳ” ହେବା ପାଇଁ ସାହାଯ୍ୟ କରିବ ।—ଏଫିସୀୟ ୪:୨.
ଆପଣ କʼଣ କରିପାରିବେ:
ଯଦି ଆପଣ ଚିନ୍ତିତ ଯେ ଆପଣଙ୍କ କିମ୍ବା ନିଜ ଜୀବନସାଥୀଙ୍କ ପରିବାରର ସଦସ୍ୟମାନେ ଆପଣଙ୍କ ଜୀବନରେ ଅତ୍ୟଧିକ ହସ୍ତକ୍ଷେପ କରୁଛନ୍ତି, ତେବେ ଶାନ୍ତ ପରିବେଶରେ ନିଜ ଜୀବନସାଥୀଙ୍କ ସହିତ ଏବିଷୟରେ କଥା ହୁଅନ୍ତୁ
ଏହି ପରିସ୍ଥିତିକୁ କିପରି ସାମନା କରିବେ, ଆପଣ ଦୁହେଁ ମିଶି ନିଷ୍ପତ୍ତି ନିଅନ୍ତୁ